Unknown

 

 

 

 

 

 

 

 

 

 

 

ରକ୍ତ ସ୍ୱାକ୍ଷର

ଶ୍ରୀ ମୁରଲୀଧର ମଲ୍ଲିକ

 

ଉତ୍ସର୍ଗ

 

ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ.................

ଉପହାର

 

ମୋର ନାତି ‘ଶୁଭକାନ୍ତ’ର ପ୍ରଥମ ବାର୍ଷିକ ଜନ୍ମ ଦିବସରେ

 

ଅନୁଶୀଳନ ପାଇଁ

ସମାଲୋଚକମାନଙ୍କ ହାତରେ ।

 

–ଲେଖକ

ତା ୧୪ । ୧୨ । ୮୦

Image

 

କୃତଜ୍ଞତା

 

ଯେଉଁ ସମସ୍ତ ପୁସ୍ତକ ଓ ପତ୍ର ପତ୍ରିକାରୁ ସଂଶ୍ଳିଷ୍ଟ ବିଷୟବସ୍ତୁ ସଂଗ୍ରହ କରାଯାଇଛି ସେ ସମସ୍ତର ଲେଖକ ଓ ପ୍ରକାଶକମାନଙ୍କୁ କୃତଜ୍ଞତା ଜଣାଉଛି ।

 

‘ସମାଜ’ର ବାର୍ତ୍ତା ସଂପାଦକ ପୂଜ୍ୟ ଶ୍ରୀ ଉଦୟନାଥ ଷଡ଼ଙ୍ଗୀ, ମୋର ବନ୍ଧୁ ପଣ୍ଡିତ ପ୍ରବୋଧ କୁମାର ମିଶ୍ର, ଶ୍ରୀ ସୂର୍ଯ୍ୟନାରାୟଣ ଦାସ, ଶ୍ରୀ ମହେନ୍ଦ୍ର କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ମିଶ୍ର, ରବିନାରାୟଣ ମହାପାତ୍ର, ନାରାୟଣ ମହାପାତ୍ର, ପ୍ରବୀର କୁମାର ସରକାର, ଉମାପ୍ରସାଦ ମିଶ୍ର ଓ ଏହି ପୁସ୍ତକର ପ୍ରକାଶକ ଶ୍ରୀଯୁକ୍ତ ଗୋବିନ୍ଦ ଚରଣ ପାତ୍ର ପ୍ରମୁଖ ଯେଉଁ ବନ୍ଧୁମାନେ ଏହି ପୁସ୍ତକ ଲେଖିବା ପାଇଁ ପ୍ରେରଣା ଯୋଗାଇ ଥିଲେ ସେମାନଙ୍କ ନିକଟରେ ମୁଁ ଋଣୀ ।

 

ମୁରଲୀଧର ମଲ୍ଲିକ

Image

 

ଅଭିମତ

 

ବାସ୍ତବ ଅଥଚ ନୀରସ ଇତିହାସର ମୂଳଦୁଆ ଉପରେ ସରସ ଉପନ୍ୟାସ ମନ୍ଦିର ଠିଆ କରାଇ ପାଠକମାନଙ୍କ ମନକୁ ଆକୃଷ୍ଟ କରାଇବାରେ ସୁଲେଖକ ଶ୍ରୀ ମୁରଲୀଧର ମଲ୍ଲିକ୍‌ ବେଶ୍‍ ଦକ୍ଷତା ହାସଲ କରିଅଛନ୍ତି । ଓଡ଼ିଆ ସାହିତ୍ୟରେ ଐତିହାସିକ ଉପନ୍ୟାସର ଅଭାବ ଥିବାବେଳେ ତାଙ୍କର ପୂର୍ବ ପ୍ରକାଶିତ ରଜନୀ ଯାଇଛି ବିତି, ମଙ୍ଗଳେ ଅଇଲା ଉଷା, ଗୃହସ୍ଥର ବଧୂ ପୁଣି ସାଧକର ଶକ୍ତି, ଅକାଳ କୁହୁଡ଼ି, ଦେବୀ, ବିସ୍ମୃତ ଅତୀତ ପ୍ରଭୃତି ଇତିହାସଧର୍ମୀ ଉପନ୍ୟାସଗୁଡ଼ିକ ପାଠକ ମହଲରେ ବେଶ୍‍ ଆଦର ଲାଭ କରିଛି । ଶଂସିତ ପୁସ୍ତକ ‘ରକ୍ତ ସ୍ୱାକ୍ଷର’ ପୂର୍ବ ପ୍ରକାଶିତ ପୁସ୍ତକଗୁଡ଼ିକର ପରିପୂରକ ।

 

ଭାରତକୁ ଇଉରୋପୀୟମାନଙ୍କ ଆଗମନ, ବିଶେଷତଃ ଏଠାରେ ଇଂରେଜ ଶକ୍ତିର ଅଭ୍ୟୁଦୟ, ୧୭୫୭ ଖ୍ରୀଷ୍ଟାବ୍ଦରେ ପଲାସୀଯୁଦ୍ଧ ଓ ଇଂରେଜମାନେ ଶାସନଭାର ଗ୍ରହଣଠାରୁ ୧୯୪୭ରେ ସେମାନେ ଏଠାରୁ ବିଦାୟ ନେବା ପର୍ଯ୍ୟନ୍ତ, ସେମାନଙ୍କ ଶୋଷଣ, ପେଷଣ ଓ କୁଶାସନରେ ଅତିଷ୍ଠ ହୋଇ ଜନସାଧାରଣ ଯେଉଁ ସ୍ୱତସ୍ଫୃତ ବିପ୍ଳବ କରିଛନ୍ତି, ତାହାର ସଂକ୍ଷିପ୍ତ ବିବରଣୀ ମୁରଲୀ ବାବୁ ଏଥିରେ ଗଳ୍ପ ଛଳରେ ସରସ ଭଙ୍ଗୀରେ ସନ୍ନିବେଶିତ କରିଅଛନ୍ତି । ଏହି ଦୀର୍ଘ ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ, ବିଭିନ୍ନ ଅଞ୍ଚଳରେ ଓ ବିଭିନ୍ନ ପରିସ୍ଥିତିରେ ଘଟିଥିବା ଅସନ୍ତୋଷ ସଶସ୍ତ୍ର ବିଦ୍ରୋହର ବିବରଣୀ ପୁଙ୍ଖାନୁପୁଙ୍ଖ ଭାବରେ ଲିପିବଦ୍ଧ କରାଯିବା ନିତାନ୍ତ ଦରକାର ଓ ତାହା ମହାଭାରତ ଭଳି ଏକ ବିରାଟ ପୁରାଣ ହେବ । ସେ ଦିଗରେ ଆମର ଅନୁସନ୍ଧିତ୍ସୁ ଗବେଷକମାନେ ଉଦ୍ୟମ କରିବା ବାଞ୍ଛନୀୟ । ଆଉ ବିଳମ୍ବ ହେଲେ ସତ୍ୟଘଟଣାଗୁଡ଼ିକ ଅଧିକ ଅନ୍ଧକାରାଚ୍ଛନ୍ନ ହୋଇପଡ଼ିବ ।

 

‘ରକ୍ତସ୍ୱାକ୍ଷର’ ପୁସ୍ତକର ବିଶେଷତ୍ୱ ହେଉଛି, ଏଥିରେ ଓଡ଼ିଶାରେ ସଂଘଟିତ ବିଭିନ୍ନ ସମୟର ଜନ ଅସନ୍ତୋଷର ପରିଣତି ସ୍ୱରୂପ ସ୍ଥାନେ ସ୍ଥାନେ ଯେଉଁ ସମୂହ ଅସନ୍ତୋଷ, ବିପ୍ଳବ, ବିଦ୍ରୋହ, ଖଣ୍ଡଯୁଦ୍ଧ, ଯଥା–ଘୁମୁସର ବିଦ୍ରୋହ, ପାଇକ ବିଦ୍ରୋହ, ସିପାହୀ ବିଦ୍ରୋହ, ସାନ୍ତାଳ ବିଦ୍ରୋହ, କନିକା ଆନ୍ଦୋଳନ, ରଇତ ଆନ୍ଦୋଳନ, ଗଡ଼ଜାତ ଆନ୍ଦୋଳନ ପ୍ରଭୃତିର ବିବରଣୀ ସ୍ଥାନ ପାଇଛି–ତାହା ପୂର୍ବରୁ ପ୍ରକାଶିତ ଏ ସଂକ୍ରାନ୍ତ ପୁସ୍ତକରେ ମିଳେ ନାହିଁ ।

 

ମୁରଲୀବାବୁଙ୍କ ଭାଷା ସରଳ ଓ ବାକ୍ୟଗଠନ ସାବଲୀଳ । ତେଣୁ ପାଠକମାନଙ୍କ ମନରେ କେବେହେଲେ ଅବସାଦ ଆସିବ ନାହିଁ; ବରଂ ଉପନ୍ୟାସ ପାଠର ଆଗ୍ରହ ନେଇ ସେମାନେ ଐତିହାସିକ ସତ୍ୟ ଓ ତଥ୍ୟ ଉପଲବ୍‌ଧି କରିପାରିବେ ।

 

ଉଦୟନାଥ ଷଡ଼ଙ୍ଗୀ

Image

 

ଅଙ୍କୁରୋଦ୍‌ଗମ

 

ଇଂରାଜୀରେ ଗୋଟିଏ କଥା ଅଛି–‘History builts it self.’ ଅର୍ଥାତ୍‌ ଇତିହାସ ନିଜେ ନିଜକୁ ଗଠନ କରିଥାଏ । କାରଣ ତା ରାଜ୍ୟରେ ସେ ଏକକ ଶକ୍ତିଶାଳୀ । ନିଜ ଗତିପଥରେ ସେ ସତତ ଚଳନଶୀଳ । ସେ କାହାକୁ ଅପେକ୍ଷା କରେ ନାହିଁ । ତାର ଗତି ପଥରେ ଧନୀ, ଦରିଦ୍ର, ରାଜା-ପ୍ରଜା ସମସ୍ତେ ସମାନ ଭାବରେ ନିଷ୍ପେଷିତ ହୁଅନ୍ତି । ତା ନିକଟରେ ସମସ୍ତେ ସମାନ । ସେ କାହାରି ମୋହ ମମତା ବା ଉପ୍ରୋଧକୁ ଅପେକ୍ଷା କରେ ନାହିଁ । ଅତୀତକୁ ନିଜ ବୁକୁରେ ଧାରଣ କରି ସେ ଭବିଷ୍ୟତକୁ ପଥ ଦେଖାଏ । ମାତ୍ର ଏଠାରେ ପ୍ରଶ୍ନ ହେଉଛିଆମ ଦେଶର ଇତିହାସ କାହିଁ ? ଯାହା ଅଛି, ତାହା ବିଦେଶୀମାନଙ୍କ ଦ୍ୱାରା, ତାଙ୍କୁ ସୁହାଇବା ଭଳି ଲେଖା । ଯାହାର ଅନୁକରଣ ଓ ଅନୁସରଣରେ ଆମ ଇତିହାସ ସମୃଦ୍ଧ ।

 

ଏ ପ୍ରଶ୍ନ ଉଠିବାର କାରଣ ହେଉଛି–ଆମ ଦେଶର ବହୁ ବିଶିଷ୍ଟ ଲୋକ କହନ୍ତି ଯେ ବିନା ରକ୍ତପାତରେ ଆମେ ସ୍ୱାଧୀନତା ଲାଭ କରିଥିବାରୁ ଲୋକେ ସ୍ୱାଧୀନତାର ମୂଲ୍ୟ ବୁଝିପାରୁ ନାହାନ୍ତି । ମାତ୍ର ଏ ଉକ୍ତିଟି ଯେ କେତେଦୂର ଭ୍ରମାତ୍ମକ ତାହା ଏହି ପୁସ୍ତକ ପାଠ କଲେ ସହଜରେ ଜଣାପଡ଼ିବ । ସ୍ୱାଧୀନତା ଲାଭ ପାଇଁ ଯେ ଚରମ ମୂଲ୍ୟ ଦେବାକୁ ପଡ଼େ, ଭାରତୀୟମାନେ ତାହା ଭଲଭାବରେ ଜାଣିଥିଲେ । ତେଣୁ ୧୮୫୭ ମସିହାର ପ୍ରଥମ ସ୍ୱାଧୀନତା ସମରଠାରୁ ସ୍ୱଧୀନତା ଲାଭ ପର୍ଯ୍ୟନ୍ତ କେତେ ଯେ ଅମୂଲ୍ୟଜୀବନ ନଷ୍ଟ ହୋଇଛି, ତାହାର କଣ ଇୟତ୍ତା ଅଛି ?

 

ତଥାପି ଏ ବିପର୍ଯ୍ୟୟ କାହିଁକି ?

 

ସ୍ୱାଧୀନତା ଶବ୍ଦଟିକୁ ସୂକ୍ଷ୍ମ ଭାବରେ ବିଶ୍ଳେଷଣ କଲେ ଜଣାଯାଏ ଯେ ପ୍ରକୃତରେ କେହି ସ୍ୱାଧୀନ ନୁହନ୍ତି । ମାନବେତର ଜୀବମାନଙ୍କ କଥା ସ୍ୱତନ୍ତ୍ର । ମାତ୍ର ମାନବ ଶ୍ରେଣୀ ମଧ୍ୟରେ କିଏ ପୁତ୍ର, କିଏ ପିତା, କିଏ ସ୍ତ୍ରୀ ଆଉ କିଏ ବା ମୁନିବର ଅଧୀନ । ଅବଶ୍ୟ ପ୍ରାଚୀନ ଭାରତବର୍ଷରେ ସ୍ୱାଧୀନତାର ଝଲକ ଥିଲା । ଯେଉଁ ଆର୍ଯ୍ୟ ଋଷିମାନେ ବଣର ଫଳମୂଳ ଖାଇ ନିଜର ସାଧନାଲବ୍‌ଧ ବିଭୂତିରେ ସମଗ୍ର ମାନବ ସମାଜକୁ ଉଜ୍ଜ୍ୱଳ କରି ଯାଇଛନ୍ତି, ସେମାନଙ୍କ କଥା ସ୍ୱତନ୍ତ୍ର । ସେମାନେ ମାନବ ବା ମାନବେତର ପ୍ରାଣୀମାନଙ୍କ କଥା ଦୂରେ ଥାଉ, ନିଜ ରିପୁମାନଙ୍କର ମଧ୍ୟ ଅଧୀନତା ସ୍ୱୀକାର କରି ନଥିଲେ । ସେମାନଙ୍କ ମଧ୍ୟରୁ କିଏ ଥିଲେ–ବିଷଧର ସର୍ପ ମସ୍ତକର ମଣି, କିଏ ଥିଲେ–କୋଷ ମଧ୍ୟସ୍ଥିତ ଇସ୍ପାତର ତରବାରୀ କିଏ ଥିଲେ–ଗଭୀର ସାଗର ଜଳର ତରଙ୍ଗ ବିଳାସୀ ମୁକ୍ତା ଗର୍ଭସୁକ୍ତି, କିଏ ପ୍ରସ୍ଫୁଟିତ ଶତଦଳ, କିଏ ପ୍ରଜ୍ଜ୍ଵଳିତ ଅଗ୍ନିଶିଖା, କିଏ ଆକାଶ ଚୁମ୍ବୀ ପର୍ବତ, ଆଉ କିଏ ବା ରହସ୍ୟମୟ ନିବିଡ଼ ଅରଣ୍ୟ । ସେମାନେ ଥିଲେ ସତ୍ୟଦ୍ରଷ୍ଟା । ମନର ବଳ, ଚିତ୍ତର ଏକାଗ୍ରତା ଓ ମନୋବୃତ୍ତିକୁ ଏକୀଭୂତ କରିବାର ଅଦ୍ଭୁତ କ୍ଷମତା ସେମାନଙ୍କର ଥିଲା ।

 

ମାତ୍ର ଏଠାରେ ଯେଉଁ ସ୍ୱାଧୀନତାର କଥା କୁହାଯାଉଛି–ତାହା ରାଜନୈତିକ ଓ ଅର୍ଥନୈତିକ । ଇଂରେଜ ବଣିକ ଗୋଷ୍ଠୀ ପଲାସି ଯୁଦ୍ଧରେ ବିଜୟ ଲାଭ କରିବା ପରେ ଯେଭଳି ରାଜ୍ୟ ବିସ୍ତାର ଓ ରାଜ୍ୟଶାସନ କରିବାରେ ଲାଗିଲେ; ଅର୍ଥନୈତିକ ଶୋଷଣ ଚଳାଇ ଭାରତର ଶିଳ୍ପ, ବାଣିଜ୍ୟ, କଳା ଓ ଭାସ୍କର୍ଯ୍ୟ ଲୋପ କରି ଧୀରେ ଧୀରେ ଭାରତକୁ ଭାଗ ଭାଗ କରିବାରେ ଲାଗିଲେ ଏବଂ ବିଭେଦ ସୃଷ୍ଟି କରି ଜାତି ଜାତି ମଧ୍ୟରେ ଘୃଣା, ବିଦ୍ୱେଷ ଓ ଅସନ୍ତୋଷ ସୃଷ୍ଟି କରାଇଲେ–ତାହାର ପ୍ରତିବାଦ ସ୍ୱରୂପ ୧୮୫୭ ମସିହାରେ ପ୍ରଥମ ସଶସ୍ତ୍ର ଅଦ୍ଭ୍ୟୁଦୟ ଘଟିଥିଲା । ବିଦେଶୀ ଐତିହାସିକମାନଙ୍କ ମତରେ ଏହା ସିପାହୀଯୁଦ୍ଧ ହୋଇଥିଲେ ହେଁ ଏହା ଯେ ପ୍ରକୃତ ସ୍ୱାଧୀନତା ସମର ତାହା କହିଲେ ଅତ୍ୟୁକ୍ତି ହେବନାହିଁ । ଅବଶ୍ୟ ବଡ଼ ବଡ଼ ରାଜା, ଜମିଦାର ଓ ପୁଞ୍ଜିପତିମାନଙ୍କ ଅସହଯୋଗରୁ ଏହା ବ୍ୟର୍ଥ ହୋଇଗଲା । ମାତ୍ର ସ୍ୱାଧୀନତା ପାଇଁ କିପରି ଚରମ ମୂଲ୍ୟ ଦେବାକୁ ପଡ଼େ, ତାହା ଏ ଯୁଦ୍ଧ ଶିକ୍ଷା ଦେଇଗଲା । ଫଳରେ ମାତ୍ର ପାଞ୍ଚବର୍ଷ ଅତୀତ ନ ହେଉଣୁ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବାପାଇଁ ପୁଣି ସଶସ୍ତ୍ର ସଂଗ୍ରାମ ଆରମ୍ଭ ହୋଇଗଲା । ଶେଷରେ ବହୁ ତଟକାରକ୍ତ ଓ ଅମୂଲ୍ୟଜୀବନ ବିନିମୟରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନତା ଲାଭକଲା ।

 

ମାତ୍ର ଏଠାରେ ପ୍ରଶ୍ନ ହେଉଛି–ଆମେ କଣ ପ୍ରକୃତ ସ୍ୱାଧୀନତା ଲାଭକରିଛୁ ?

 

ଏ ପ୍ରଶ୍ନର ଉତ୍ତର ବା ଦେବ କିଏ ?

 

କାରଣ ଦୀର୍ଘ ୩୩ ବର୍ଷର ସ୍ୱାଧୀନତା ପରେ ଦେଖାଯାଉଛି ଯେ ଧନୀ କ୍ରମେ ଧନୀ ହେଉଛି ଓ ଗରିବ-ଗରିବ ହେଉଛି । ଧନୀ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି । ଆମ ସମାଜର ଧାରକ, ବାହକ ଓ ରକ୍ଷକ ବୋଲି ଯେଉଁ ମଧ୍ୟବିତ୍ତ ସମାଜ ପରିଚିତ, ତାହା ଧନୀକର ମଟର ଚକ ତଳେ ନିଷ୍ପେଷିତ ହୋଇଯାଉଛି । ଆଜି ନିଃସ୍ୱାର୍ଥ ସେବା, ସତତା ଓ ପରୋପକାରର ଯୁଗ ଶେଷ ହୋଇ ଯାଇଛି । ପଥରେ, ପ୍ରାନ୍ତରେ ଆଜି କେଉଁଠି ମହତ ହୃଦୟର ଦେଖାମିଳେ ନାହିଁ । ମନେହୁଏ ଏହା ଯେପରି ନୂତନ, ବିଦେଶୀ ଓ ବିସ୍ମୃତ ପ୍ରାୟ ଏକ ଅତୀତ । କେହି କାହାରି ପାଇଁ ସମବେଦନା ପ୍ରକାଶ କରୁନାହିଁ; କାହାରି ଦୁଃଖରେ କେହି ଆନ୍ତରିକ ସହାନୁଭୂତି ଜଣାଇବାର ମଧ୍ୟ ଦେଖାଯାଉନାହିଁ । ବର୍ତ୍ତମାନର ଲକ୍ଷ୍ୟ–ଭିଡ଼ଠେଲି ଆଗେଇ ଯାଅ । ଅନ୍ୟକୁ ଅତିକ୍ରମ କରି ନିଜପାଇଁ ସ୍ଥାନ କରିନିଅ । ପଛରେ କେହି ପଡ଼ିଗଲେ ତାକୁ ଉଠାଇବାକୁ ଯାଅନାହିଁ; ବରଂ ଯଦି ପାରୁଛ, ଯଦି କେହି ଆଗକୁ ଗଲା ବା ଯିବାପାଇଁ ଉଦ୍ୟମ କଲା–ତାକୁ ଟାଣି ଧର । କାରଣ ଏହା ପ୍ରତିଦ୍ୱନ୍ଦ୍ୱିତାର ସମୟ ।

ଏହି ମତବାଦରୁ ବର୍ତ୍ତମାନ ଜନ୍ମ ନେଇଛି–ମଡର୍ଣ୍ଣ ଇଣ୍ଡିଆ ଓ ଏନସିଏଣ୍ଟ ଇଣ୍ଡିଆ । ଏନସିଏଣ୍ଟ ଇଣ୍ଡିଆ ବର୍ତ୍ତମାନ ଜଳକା ପାଲଟିଛି ଓ ମଡର୍ଣ୍ଣ ଇଣ୍ଡିଆ ମହାପାତ୍ରଙ୍କ ଭୂମିକା ନେଇଛନ୍ତି-। ମଡର୍ଣ୍ଣ ଇଣ୍ଡିଆରେ କେବଳ ଗୋଟିଏ ଶବ୍ଦ ଉଠିଛି–ଦିଅ । ବର୍ତ୍ତମାନର ମନ୍ତ୍ରୀ, ସରକାର, ଅଫିସର, ରାଜନୈତିକ ନେତା, ଧନୀ ଓ ପୁଞ୍ଜିପତି କେହି ଏଥିରୁ ବାଦ ଯାଇ ନାହାନ୍ତି । ଆମକୁ ଦିଅ–ତୁମ କାମ ନିଅ–ଏହାହିଁ ଏ ଯୁଗର ଆଦର୍ଶ । ଏଣୁ ନିଯୁକ୍ତି ଓ ବଦଳିରେ ଆମ ଯୋଜନା କାମ ଆଗେଇ ଚାଲିଛି । ଜଣେ ବ୍ୟକ୍ତି ଯଦି ନିଜ ପରିଶ୍ରମରେ ବା ସ୍ୱଉପାର୍ଜିତ ଅର୍ଥରେ ଘର କି ସମ୍ପତ୍ତି କଲା–ତା ପାଇଁ କୋର୍ଟ, କଚେରୀ ପୁଲିସ, ଭିଜିଲାନ୍‌ସ ଥୁଆ । କାରଣ ଏହା କଳାଧନ । ମାତ୍ର, ରାଜନୈତିକ ନେତାମାନଙ୍କ ପାଇଁ ତାହା ଧଳାରେ ପରିଣତ ହୋଇଯାଇ ପାରୁଛି-। କାରଣ ସେମାନେ ଶାସକ, ଦଣ୍ଡମୁଣ୍ଡର କର୍ତ୍ତା । ଯାହାହେଉ–ଏସବୁ ଆଲୋଚନା କରିବା ମୋର ଲକ୍ଷ୍ୟ ନୁହେଁ । ତାହା ରହିଲା ଭବିଷ୍ୟତ ବଂଶଧରଙ୍କ ପାଇଁ । ସେମାନେ ଏହାର ନିରପେକ୍ଷ ମୂଲ୍ୟାୟନ କରିବେ ।

ପରିଶେଷରେ ଏ ପୁସ୍ତକ ସମ୍ପର୍କରେ ଏତକ କହିରଖୁଛି ଯେ–ମୁଁ କୌଣସି ପୁରସ୍କାର ବା ପ୍ରଶଂସାର ଆଶାରଖି ଏ ପୁସ୍ତକ ରଚନା କରିନାହିଁ । କାରଣ ମୁଁ ଜାଣିଛି ଯେ ଏ ଯୁଗରେ ସତତା ଉପବାସରେ ମରୁଛି ଏବଂ ଶୁଚିତା ଓ ସମ୍ବେଦନଶୀଳତାର ଅପମୃତ୍ୟୁ ଘଟୁଛି । କିନ୍ତୁ ଅନ୍ୟାୟ ଓ ବର୍ବରତା ରାଜ୍ୟ ବିସ୍ତାର କରିବାରେ ଲାଗିଛି । ଏଠାରେ ସୂଚନା ଦିଆଯାଇ ପାରେ ଯେ ଗତ କେତେବର୍ଷ ତଳେ ମୋର ଖଣ୍ଡିଏ ବହି ସାହିତ୍ୟ ଏକାଡ଼େମୀ ତରଫରୁ ସମୀକ୍ଷା ପାଇଁ ଆସିଥିଲା । ମାତ୍ର ସମୀକ୍ଷକମାନେ ସମୀକ୍ଷା ନ ପଠାଇବାରୁ ସେ ବର୍ଷ କେହି ଏକାଡ଼େମୀ ପୁରସ୍କାର ପାଇ ପାରିଲେ ନାହିଁ । ଅଥଚ ସମୀକ୍ଷକମାନେ ମୋତେ ଭଲଭାବରେ ଜାଣନ୍ତି । ମାତ୍ର ସମୀକ୍ଷକଙ୍କ ସୁପାରିଶ ନେବାପାଇଁ ଯେଉଁ ଯୋଗ୍ୟତା ଆବଶ୍ୟକ, ତାହା ମୋର ନ ଥିଲା । ପୁନଶ୍ଚ ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନ–ଦର୍ଶନ ଉପରେ ଆଧାରିତ ମୋର ନାଟକ ‘ଅମର ଜ୍ୟୋତି’ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ସମୀକ୍ଷା କରାଗଲା । ଏକାଡ଼େମୀର ବୈଠକରେ ଏହି ପୁସ୍ତକଟି ପ୍ରଥମ ସ୍ଥାନ ଅଧିକାର କଲା । ଜଣେ ଭଦ୍ରବ୍ୟକ୍ତି ମୋତେ ଏ ସମ୍ବାଦ ଦେଲେ ଏବଂ କହିଲେ ଯେ ‘ଅମର ଜ୍ୟୋତି’ ପୁସ୍ତକଟି ଏବର୍ଷ ଏକାଡ଼େମୀ ପୁରସ୍କାର ପାଉଛି । ମାତ୍ର ହଠାତ୍‌ ରାଜନୈତିକ ଘୂର୍ଣ୍ଣିବାତ୍ୟାରେ ତାହା କେଉଁଆଡ଼େ ଉଡ଼ିଗଲା । ଏ ସମ୍ପର୍କରେ ସେତେବେଳେ ସାହିତ୍ୟିକ ବନ୍ଧୁମାନେ ବହୁ ସମାଲୋଚନା କରି ବିବୃତି ଓ ବକ୍ତୃତା ଆଦି ଦେଇଛନ୍ତି । ତେଣୁ ଅଧିକ ଲେଖିବା ନିଷ୍ପ୍ରୟୋଜନ ।

ଶତ ଶତ ଶହୀଦଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ଏ ପୁସ୍ତକଟି ଅଙ୍କୁରମାତ୍ର । ମଞ୍ଜି ଫୁଟାଇ ଅଙ୍କୁର ବାହାର କରି ମୁଁ ପରବର୍ତ୍ତୀ ବଂଶଧରଙ୍କ ହାତରେ ଏହା ଦେଉଛି । ସେମାନେ ଏଥିରୁ ଗଛ ଉତ୍ତାରି ସ୍ୱାଧୀନତାର ଫଳ ଉପଭୋଗ କରିବେ ବୋଲି ଆଶା ରଖୁଛି ।

ତେଣୁ ଆଜି ଶହୀଦ ବେଦୀରେ ମସ୍ତକ ଅବନତ କରି ଉଚ୍ଚାରଣ କରୁଛି–‘‘ବନ୍ଦେ ମାତରମ୍‌’’

‘ଜୟହିନ୍ଦ୍‌’

–ଲେଖକ

Image

 

ମହାକାଳ !

ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସମଷ୍ଟି ।

ଚରାଚର ଜଗତରେ ତାର ଲୀଳା ବିଦ୍ୟମାନ । ମନୁଷ୍ୟ ତାର ଏକ କ୍ରୀଡ଼ନକ ମାତ୍ର ।

ମାନବର ହୃଦୟ ଦେଶ ପଦ୍ମର ମଧ୍ୟସ୍ଥଳ ପରି–କିନ୍ତୁ ତାହା ଅଧୋମୁଖ । ଗ୍ରୀବା ସଂଯୋଗର ନିମ୍ନରେ ଓ ନାଭିଦେଶରୁ ଦ୍ୱାଦଶ ଅଙ୍ଗୁଳି ଉର୍ଦ୍ଧ୍ୱରେ ଉକ୍ତ ହୃଦୟ ବିଦ୍ୟମାନ । ପଦ୍ମମୁକୁଳ ସଦୃଶ ଏହି ହୃଦୟ ନାଡ଼ିସମୂହଦ୍ୱାରା ପରିବ୍ୟାପ୍ତ । ତହିଁରେ ସୂକ୍ଷ୍ମ ଛିଦ୍ର ଅଛି । ଏହି ଛିଦ୍ର ମଧ୍ୟରେ ସର୍ବଜଗତ କାରଣ ବ୍ରହ୍ମ ଅନୁଭୂତ ହୁଅନ୍ତି ।

ଏହି ଛିଦ୍ର ମଧ୍ୟରେ ପୁଣି ବହୁ ଶିଖା ଓ ବହୁ ରୂପଯୁକ୍ତ ବିଶାଳ ଅଗ୍ନି ଅଛି । ସେ ସମସ୍ତ ଆହାର ଗ୍ରହଣ କରି ସର୍ବାବୟବେ ପ୍ରସାରଣ କରେ ଏବଂ ଆପାଦମସ୍ତକ ଉତ୍ତାପିତ କରେ । ଏହି ଅଗ୍ନିର ଗୋଟିଏ ସୂକ୍ଷ୍ମ ଶିଖା ବ୍ରହ୍ମରନ୍ଧ୍ର ପର୍ଯ୍ୟନ୍ତ ପ୍ରସାରିତ ହୋଇଛି ।

‘‘ନୀଳ ତୟୋଦ ମଧ୍ୟସ୍ଥା ବିଦ୍ୟୁଲ୍ଲେଖେବ ଭାସ୍ୱରା

ନୀବାର ଶୂକବତ୍‌ତନ୍ୱୀ ପୀତା ଭାସ୍ୱତ୍ୟନୁପମା

ତସ୍ୟାଃ ଶିଖୟା ମଧ୍ୟେ ପରମାତ୍ମାବ୍ୟବସ୍ଥିତଃ

ସବ୍ରହ୍ମା ସଶିବଃ ହରିଃ ସେନ୍ଦ୍ରଃ ସୋଽକ୍ଷରଃ ପରମଃ ସ୍ୱରାଟ ।’’

ଅର୍ଥାତ୍‌ ଉକ୍ତ ଶିଖା ନୀଳ ମେଘ ମଧ୍ୟସ୍ଥିତ ବିଦ୍ୟୁତ୍‌ ରେଖାପରି ଉଜ୍ଜ୍ୱଳ ଓ ନୀବାରବୀଜ ଶୀର୍ଷ ପରି ସୂକ୍ଷ୍ମ । ଏହା ପୀତବର୍ଣ୍ଣ, ଦୀପ୍ତିମାନ ଓ ଅତି ସୂକ୍ଷ୍ମ ଅଣୁତୁଲ୍ୟ । ସେହି ଶିଖା ମଧ୍ୟରେ ପରମାତ୍ମା ବିଶେଷରୂପେ ପ୍ରକଟିତ । ସେ ବ୍ରହ୍ମା, ସେ ଶିବ, ସେ ହରି, ସେ ଦେବରାଜ; ସେ ଅନ୍ତର୍ଯ୍ୟାମୀ ଈଶ୍ୱର ଏବଂ ମାୟାତୀତ ସ୍ୱପ୍ରକାଶ ।

ଏହି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ବା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ମହାକାଳର ସ୍ଥିତି । କାଳ ତାହାର ଏକ ଅଂଶ ବିଶେଷ ।

ସଂସାରର ବଟ ବୃକ୍ଷରେ ଏହି କାଳର ଦୋଳି ଲାଗିଛି । ସେ ଦୋଳିରେ ଝୁଲି କିଏ ଯାଏ ଅନ୍ଧକାରକୁ–କିଏ ଉଠିଆସେ ସାଂପ୍ରତିକ ବିନ୍ଦୁ ଉପରକୁ; ପୁଣି କିଏ ବା ଯାଏ ନୂତନ ଆଲୋକର ସନ୍ଧାନରେ ଆଗକୁ ।

ଏ ହେଉଛି ଆଗମ ଓ ନିଗମର ପ୍ରଶ୍ନ । ଏଠାରେ ମହାକାଳ ଦର୍ଶକ ମାତ୍ର । ଯେତେବେଳେ ଖେଳ ଶେଷ ହୁଏ, ସେତେବେଳେ ରୁଦ୍ରର ଡମ୍ବରୁ ବାଜି ଉଠେ । ମହାକାଳର କ୍ରୁର କଟାକ୍ଷରେ ଝଲସି ଉଠେ ଅଗ୍ନି ଶିଖା । ନଟରାଜଙ୍କର ତାଣ୍ଡବ ନୃତ୍ୟ ଆରମ୍ଭ ହୁଏ । ଏହାହିଁ ମହାପ୍ରଳୟର ସଂକେତ ।

ସେତେବେଳେ ବିଷ୍ଣୁ ରୂପରେ ବର୍ତ୍ତମାନ ଶୟନ କରନ୍ତି କ୍ଷିରାବ୍‌ଧିରେ । ଅତୀତ ବ୍ରହ୍ମା ରୂପରେ ନାଭିପଦ୍ମରେ ଆଶ୍ରୟ ନିଅନ୍ତି ଓ ଭବିଷ୍ୟତ ମଗ୍ନ ହୁଅନ୍ତି ତାଣ୍ଡବ ନୃତ୍ୟରେ ।

କମ୍ପି ଉଠନ୍ତି ଧରଣୀ, ଆକାଶ, ଅନଳ ଓ ଅନିଳ । ମାଡ଼ି ଆସେ ପ୍ରଳୟଜଳୋଚ୍ଛ୍ୱାସ–ସମସ୍ତେ ତା ଭିତରେ ବିଲୟ ଭଜନ୍ତି ।

 

ପୁଣି ଦିନେ ଗଢ଼ିବାର ସମୟ ଆସେ । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ନୂତନ ସୃଷ୍ଟିର ଅଦ୍ଭ୍ୟୁଦୟ ଘଟେ । ତାହା କେବଳ ଦେଖେ ମହାକାଳ ।

 

ସେହି ମହାକାଳ ! ଯାହାର ରୂପ ନାହିଁ, ରସ ନାହିଁ କି ଗନ୍ଧ ନାହିଁ । ମାତ୍ର ସେ ସର୍ବତ୍ର ଅନୁଭୂତ ହୁଏ । ସେ ଦେଖେ ଏହି ସୃଷ୍ଟିର ପ୍ରକ୍ରିୟା ଓ ପ୍ରଳୟର ରହସ୍ୟ ।

 

ଏ ମଧ୍ୟରେ ସେ ବହୁତ କିଛି ଦେଖିଲାଣି ଓ ଆହୁରି ଦେଖିବା ପାଇଁ ଅପେକ୍ଷା କରିଛି । ସେଦିନ ସେ ଦେଖିଥିଲା ପଲାସୀ ପ୍ରାଙ୍ଗଣରେ–

 

୧୭୫୭ ମସିହାର ଏକ ଚନ୍ଦ୍ର ବିଧୌତ ରଜନୀ । ନଗରବାସୀ ଆନନ୍ଦଉତ୍ସବରେ ପ୍ରମତ୍ତ ।

 

ହଠାତ୍‌ କମାଣ ଗର୍ଜ୍ଜନରେ ନଗରବାସୀ ସଚକିତ ହୋଇ ଉଠିଲେ । ଚଞ୍ଚଳିତ ହେଲା ଚକ୍ରବାକର ଚଞ୍ଚୁପୁଟ । ସଚକିତ ହେଲେ କୋକିଳ ଦମ୍ପତ୍ତି । ସ୍ତବ୍‌ଧ ହୋଇଗଲା ଶିଶିର ସ୍ନିକ୍ତ ମଳୟ ସମୀରଣ ।

 

ସୁର୍ଶିଦାବାଦ ନଗରବାସୀ ରାମଲୀଳା ଅଭିନୟ ଦର୍ଶନରେ ତନ୍ମୟ ଥିଲେ । ଇଂରେଜମାନେ ଯେ ଯୁଦ୍ଧରେ ଜୟଲାଭ କରି ରାଜଧାନୀରେ ପ୍ରବେଶ କରିବେ, ତାହା କେହି କଳ୍ପନା କରିନଥିଲେ ।

 

ପୂର୍ବରୁ ଇଂରେଜ ବଣିକ ଗୋଷ୍ଠୀ ପୋର୍ଟ ଉଇଲିୟମ୍‌ ଦୁର୍ଗ ସ୍ଥାପନ, ଅସ୍ତ୍ର ଶସ୍ତ୍ର ଓ ସୈନ୍ୟ ସଂଗ୍ରହ କରୁଥିବା ଯୋଗୁ ନବାବ ସିରାଜ ଉଦ୍ଦୌଲାଙ୍କ ବିରାଗ ଭାଜନ ହୋଇଥିଲେ । ପରେ ସେମାନଙ୍କ ଏକଚାଟିଆ ବାଣିଜ୍ୟ କାରବାରର ଶୋଷଣ ଏପରି ସ୍ତରରେ ପହଞ୍ଚିଲା ଯେ ସିରାଜ ତାହାର ପ୍ରତିକାର ପାଇଁ କେତେକ ଇଂରେଜଙ୍କୁ ବନ୍ଦୀ କଲେ । ଗୋଟିଏ କ୍ଷୁଦ୍ର ପ୍ରକୋଷ୍ଠରେ ଅଧିକ ସଂଖ୍ୟକ ଲୋକ ବନ୍ଦୀ ହୋଇ ରହିବାରୁ ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପରେ ତା ମଧ୍ୟରୁ ବହୁ ଇଂରେଜ ପ୍ରାଣ ହରାଇଲେ । ଏହା ଇତିହାସରେ ଅନ୍ଧକୂପ ହତ୍ୟା ନାମରେ ପ୍ରସିଦ୍ଧ ।

 

ଏଥିପାଇଁ ଲର୍ଡ କ୍ଳାଇବଙ୍କ ନେତୃତ୍ୱରେ ଇଂରେଜବାହିନୀ ରାଜଧାନୀ ସୁର୍ଶିଦାବାଦ ଆକ୍ରମଣ କଲେ । ନବାବ ସେନାପତି ମୀରଜାଫରଙ୍କ ଉପରେ ଯୁଦ୍ଧର ଦାୟିତ୍ୱ ନ୍ୟସ୍ତକରି ଆମୋଦ ପ୍ରମୋଦରେ ବ୍ୟସ୍ତ ରହିଲେ ।

 

ସୁରା, ସାକି ଓ ସଙ୍ଗୀତର ପ୍ରତିନିଧି ସେ । ଯେତେ କମ୍ ସମୟ ହେଲେ ମଧ୍ୟ ସେ ତାହାଠାରୁ ଦୂରରେ ରହନ୍ତେ କିପରି ? ତା ବ୍ୟତୀତ ସେ ନିଜେ ଜଣେ ଯୋଦ୍ଧା ଓ ବହୁ ସୈନ୍ୟର ମାଲିକ । ଯୁଦ୍ଧରେ ଯେ ବିଜୟ ନିଶ୍ଚିତ, ତହିଁରେ ତାଙ୍କର ତିଳେମାତ୍ର ସନ୍ଦେହ ନ ଥିଲା ।

 

ପଲାସୀର ଆମ୍ର କାନନରେ ସିରାଜ ବାହିନୀ ଇଂରେଜମାନଙ୍କୁ ଅପେକ୍ଷା କରି ରହିଲେ-। ଉଭୟ ପକ୍ଷର ଯୁଦ୍ଧ ହେଲା । ବହୁ ଇଂରେଜ ହତାହତ ହେଲେ ।

 

ଲର୍ଡ କ୍ଳାଇବ ଦେଖିଲେ ଯେ ଏ ଯୁଦ୍ଧରେ ବିଜୟଲାଭ କରିବା ତାଙ୍କ ପକ୍ଷେ ଆଦୌ ସମ୍ଭବ ନୁହେଁ । କୂଟ କପଟରେ ବିଜୟଲାଭ ପାଇଁ ସେ ଉଦଯୋଗୀହୋଇ ପଡ଼ିଲେ ।

 

ଗଭୀର ନିଶିଥରେ ଆମ୍ର ବିଥିକାର ଛାୟାନ୍ଧକାରରେ କ୍ଳାଇବଙ୍କର ଦୂତ ମୀର୍‌ଜାଫର୍‌ଙ୍କ ତମ୍ବୁରେ ପ୍ରବେଶ କଲା ।

 

ମୀର୍‌ଜାଫର୍‌ ସେତେବେଳେ ଆଗାମୀ ଦିବସର ଯୁଦ୍ଧ ବିଷୟରେ ଚିନ୍ତା କରୁଥିଲେ । କିପରି ଭାବରେ କେଉଁଆଡ଼ୁ ଆକ୍ରମଣ କଲେ ସେ ବିଜୟଲାଭ କରିବେ, ତାହାହିଁ ତାଙ୍କର ଚିନ୍ତାର ବିଷୟ ଥିଲା ।

 

ଦ୍ୱାରରକ୍ଷୀ ଇଂରେଜ ଦୂତଙ୍କ ଆଗମନ ସମ୍ବାଦ ଦେଲା । ମୀର୍‌ଜାଫର ତାହାଙ୍କୁ ଆସିବା ପାଇଁ ଅନୁମତି ଦେଲେ । ନିଭୃତରେ ଉଭୟଙ୍କ ମଧ୍ୟରେ କଣ ଆଲୋଚନା ଚାଲିଲା । ଦୂତଟି ପ୍ରଭାତ ପୂର୍ବରୁ ନିଜ ଶିବିରକୁ ପ୍ରତ୍ୟାଗମନ କଲା । ପରଦିନ ପ୍ରଭାତରେ ଯୁଦ୍ଧ ବନ୍ଦ ରହିଲା । ସେଦିନର ସୂର୍ଯ୍ୟାସ୍ତ ପରେ ମୀର୍‌ଜାଫର କେତେକ ଅନୁଚରଙ୍କ ସହ ଶିବିରରୁ ବାହାରି ଆମ୍ରକାନନ ମଧ୍ୟକୁ ଗଲେ ।

 

ସେଠାରେ ତାଙ୍କର ଲର୍ଡ କ୍ଳାଇବଙ୍କ ସହ ସାକ୍ଷାତ ହେଲା ।

 

କ୍ଳାଇବ ମୀର୍‌ଜାଫରଙ୍କୁ ନବାବ ଗାଦୀ ଦେବାର ପ୍ରଲୋଭନ ଦେଖାଇ ବଶୀଭୂତ କରିନେଲେ । ପରେ ଅର୍ଦ୍ଧରାତ୍ରରେ ଇଂରେଜ ବାହିନୀ ଓ ମୀର୍‌ଜାଫରଙ୍କ ବାହିନୀ ମିଳିତ ଭାବରେ ନଗର ମଧ୍ୟରେ ପ୍ରବେଶ କଲେ ।

 

ନଗରବାସୀ ରାମଲୀଳା ଦର୍ଶନରେ ମୋହିତ ଓ ସିରାଜ ପାନଶାଳାରେ ଉନ୍ମତ୍ତ । ଇଂରେଜବାହିନୀକୁ ପ୍ରତିରୋଧ କରିବା ପାଇଁ କାହାରି ସାମର୍ଥ୍ୟ ନ ଥିଲା ।

 

ଇଂରେଜବାହିନୀ ଦୁର୍ଗ ମଧ୍ୟରେ ପ୍ରବେଶ କଲେ । ମୀରଜାଫର ସେମାନଙ୍କୁ ପଥ ଦେଖାଇ ନବାବଙ୍କ ଶୟନ କକ୍ଷ ପର୍ଯ୍ୟନ୍ତ ନେଇଗଲେ । ଦୁର୍ଗ ଦ୍ୱାରରେ କମାଣ ଗର୍ଜନର ଶବ୍ଦ ଶୁଣି ସିରାଜଙ୍କର ନିଶା ବିଦୂରିତ ହୋଇଯାଇଥିଲା । ବିଶ୍ୱସ୍ତ ରକ୍ଷୀଠାରୁ ସମ୍ବାଦ ପାଇ ସେ ଗୁପ୍ତ ପଥରେ ଦୁର୍ଗ ମଧ୍ୟରୁ ପଳାୟନ କଲେ । ମାତ୍ର ବେଶୀ ଦୂର ଯାଇ ପାରିଲେ ନାହିଁ । ପଥ ମଧ୍ୟରେ ବନ୍ଦୀ ହେଲେ ।

 

ସେହି ବନ୍ଦୀଗୃହରେ ସେ ଅର୍ଦ୍ଧାହାର ଓ ଅନାହାରରେ ପ୍ରାଣତ୍ୟାଗ କଲେ । ମୀରଜାଫର ନବାବ ଗାଦୀ ପାଇଲେ । ମାତ୍ର ବେଶୀ ଦିନ ସେ ସୁଖଭୋଗ କରି ପାରିଲେ ନାହିଁ । ବିଶ୍ୱାସଘାତକତାର ଫଳ ତାଙ୍କୁ ଖୁବ୍‌ ଶୀଘ୍ର ମିଳିଗଲା । ତାଙ୍କ ପରେ ମୀର କାଶୀମ ବଙ୍ଗଳାର ନବାବ ହେଲେ ।

 

ଭାଗ୍ୟ ଭବିତବ୍ୟ ଓ ଭଗବାନ ।

 

ବସ୍ତୁତଃ ତିନିଟିଯାକ ଗୋଟିଏ ପର୍ଯ୍ୟାୟଭୁକ୍ତ । ଅର୍ଥାତ୍‌ ଯାହା ଅବଶ୍ୟ ଘଟିବ, ତାହାହିଁ ଭବିତବ୍ୟ । ପୁଣି ଭାଗ୍ୟରେ ଯାହାଥିବ, ତାହା ଅବଶ୍ୟ ଘଟିବ । ଏହି ଭାଗ୍ୟ ଓ ଭବିତବ୍ୟକୁ ଯିଏ ପରିଚାଳନା କରେ ଅର୍ଥାତ୍‌ ଘଟିବାକୁ ଯେ ବାଧ୍ୟ କରାଏ ତାହାକୁ କୁହାଯାଏ ଭଗବାନ ।

 

ଅନେକ ସମୟରେ ମନୁଷ୍ୟ ଜୀବନରେ ଏପରି କେତେକ ଘଟନା ଘଟିଯାଏ, ଯାହାର ସେ କୂଳ କିନାରା ପାଏ ନାହିଁ । ତାହାକୁ କିଏ କହେ ଭାଗ୍ୟ, କିଏ କହେ ଭବିତବ୍ୟ, ଆଉ କିଏ ବା କହେ ଆକସ୍ମିକ ।

 

ଏଭଳି ଆକସ୍ମିକ ଭାବରେ କଲମ୍ବସ ଭାରତ ଆସିବା ଉଦ୍ଦେଶ୍ୟରେ ଜଳପଥରେ ଯାତ୍ରାକରି ଆମେରିକାରେ ଉପସ୍ଥିତ ହେଲେ । ସେ ପର୍ଯ୍ୟନ୍ତ ଆମେରିକା ଅନାବିଷ୍କୃତ ଥିଲା । ମାତ୍ର ଭାରତ ଆସିବା ସମ୍ଭବ ହୋଇ ପାରିଲା ନାହିଁ । ଭାରତକୁ ଆସିବାରେ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ–ବାଣିଜ୍ୟ ବ୍ୟବସାୟ ।

 

ଅତି ପ୍ରାଚୀନ କାଳରୁ ଭାରତ ସହିତ ୟୁରୋପର ବାଣିଜ୍ୟ କାରବାର ଥିଲା । ଆରବଦେଶୀୟ ବଣିକମାନେ ଭାରତୀୟ ପଣ୍ୟଦ୍ରବ୍ୟ କ୍ରୟ କରି ତାହା ଅତ୍ୟନ୍ତ ଉଚ୍ଚ ମୂଲ୍ୟରେ ଭୂମଧ୍ୟ ସାଗର ତୀରବର୍ତ୍ତୀ ଭେନିସ ଓ ଜେନୋୟା ପ୍ରଭୃତି ବନ୍ଦରରେ ବିକ୍ରୀ କରୁଥିଲେ । ଇତାଲୀୟ ବଣିକମାନେ ତାହା ନେଇ ୟୁରୋପର ଅନ୍ୟାନ୍ୟ ଦେଶକୁ ପଠାଉଥିଲେ । ବସ୍ତୁତଃ ଏହି ଲାଭଜନକ ବ୍ୟବସାୟ ଇତାଲୀ ଓ ଆରବ ବଣିକମାନଙ୍କର ଏକଚାଟିଆ ଥିଲା । ଏଥିରେ ୟୁରୋପର ବଣିକମାନେ ଈର୍ଷାନ୍ୱିତ ହୋଇ ଭାରତ ସହିତ ପ୍ରତ୍ୟକ୍ଷଭାବେ ବାଣିଜ୍ୟ କରିବା ନିମନ୍ତେ ମନ ବଳାଇଲେ । ମାତ୍ର ଆରବର ମରୁଭୂମି ଓ ମରୁ ଦସ୍ୟୁମାନଙ୍କ ଯୋଗୁ ତାହା ସମ୍ଭବପର ନ ଥିଲା ।

 

୧୪୯୮ ଖ୍ରୀଷ୍ଟାବ୍ଦରେ ଭାସ୍କୋଡ଼ିଗାମା ନାମକ ଜଣେ ପର୍ତ୍ତୁଗୀଜ ନାବିକ ଆଫ୍ରିକାର ଦକ୍ଷିଣ ପ୍ରାନ୍ତରେ ଥିବା ଉତ୍ତମାଶା ଅନ୍ତରୀପ ପରିଭ୍ରମଣ କରି ଭାରତର ପଶ୍ଚିମ ଉପକୂଳରେ ଅବସ୍ଥିତ କାଲିକଟ ବନ୍ଦରରେ ଉପସ୍ଥିତ ହେଲେ । ତାହାଙ୍କ ଦୃଷ୍ଟାନ୍ତ ଅନୁସରଣ କରି ୧୬ ଶହ ଖ୍ରୀଷ୍ଟାବ୍ଦର ଡିସେମ୍ବର ୩୧ ତାରିଖରେ ୨୧୮ ଜଣ ଇଂରେଜ ବଣିକ ଏକ କମ୍ପାନୀ ଗଠନ କରି ଇଂଲଣ୍ଡର ରାଣୀ ଏଲିଜାବେଥଙ୍କ ଠାରୁ ଏକଚାଟିଆ ବାଣିଜ୍ୟ କାରବାରର ସନନ୍ଦ ନେଇ ଭାରତ ଆସିଲେ ।

 

ସପ୍ତଦଶ ଶତାବ୍ଦୀରେ ଏହି କମ୍ପାନୀ ଭାରତର ନାନା ସ୍ଥାନରେ ବାଣିଜ୍ୟ କୋଠି ସ୍ଥାପନ କଲେ । ୧୬୯୦ ଖ୍ରୀଷ୍ଟାବ୍ଦରେ କମ୍ପାନୀର କାର୍ଯ୍ୟାଧ୍ୟକ୍ଷ ନବ ଚାର୍ଣକ ବର୍ତ୍ତମାନ କଲିକତା ନଗରୀର ଭିତ୍ତିସ୍ଥାପନ କଲେ । ୧୬୯୮ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ତତ୍କାଳୀନ ରାଜା ୩ୟ ଉଇଲିୟମଙ୍କ ନାମାନୁସାରେ ଫୋର୍ଟ ଉଇଲିୟମ ନାମକ ଦୁର୍ଗର ନିର୍ମାଣ କରାଗଲା ।

 

୧୭୦୭ ଖ୍ରୀଷ୍ଟାବ୍ଦରେ ସମ୍ରାଟ ଆଓରଙ୍ଗଜେବଙ୍କ ମୃତ୍ୟୁ ପରେ ବିଶାଳ ମୋଗଲ ସାମ୍ରାଜ୍ୟ କ୍ରମଶଃ ଧ୍ୱଂସ ପଥରେ ଅଗ୍ରସର ହେବାରେ ଲାଗିଲା । ସାମନ୍ତରାଜା ଓ ପ୍ରାଦେଶିକ ଶାସନକର୍ତ୍ତାମାନେ ନିଜକୁ ସ୍ୱାଧୀନ ନରପତି ରୂପେ ଘୋଷଣା କଲେ । ଏହି ରାଜନୈତିକ ବିପର୍ଯ୍ୟୟର ସୁଯୋଗ ନେଇ ଫରାସୀ ଓ ଇଂରେଜ ବଣିକମାନେ ଦାକ୍ଷିଣାତ୍ୟ ଓ ବଙ୍ଗଳାରେ ସଂଗ୍ରାମରେ ପ୍ରବୃତ୍ତ ହେଲେ । ପ୍ରାୟ ବିଂଶ ବର୍ଷ ବ୍ୟାପୀ ସଂଗ୍ରାମ ପରେ ହାଇଦ୍ରାବାଦର ନିଜାମ ଓ ଆର୍କଟର ନବାବ କମ୍ପାନୀର ପ୍ରଭାବାଧୀନ ହେଲେ । ଫରାସୀ ଯୁଦ୍ଧ ପରେ ବଙ୍ଗଳାର ନବାବମାନେ ଇଂରେଜମାନଙ୍କ ଇଙ୍ଗିତରେ ପରିଚାଳିତ ହେଲେ ।

 

୧୭୬୮ରେ ବକ୍‌ସାର ଯୁଦ୍ଧରେ ମୀର୍‌ କାଶୀମ ପରାଜିତ ହୋଇ ଇଂରେଜମାନଙ୍କ ବୃତ୍ତିଭୋଗୀ ହେଲେ । ବଣିକର ତୁଳାଦଣ୍ଡ ଶାସନର ମାନଦଣ୍ଡରେ ପରିଣତ ହେଲା ।

 

୧୭୬୫ ଖ୍ରୀଷ୍ଟାବ୍ଦରେ ଶକ୍ତିହୀନ ମୋଗଲ ସମ୍ରାଟ ଦ୍ୱିତୀୟ ଶାହଆଲମ ଇଷ୍ଟଇଣ୍ଡିଆ କମ୍ପାନୀକୁ ବଙ୍ଗ, ବିହାର ଓ ଓଡ଼ିଶାର ଦେଓ୍ୟାନୀ ପ୍ରଦାନ କଲେ । ମାତ୍ର କମ୍ପାନୀର କର୍ମଚାରୀମାନେ ଶାସନଭାର ଗ୍ରହଣ କଲେ ନାହିଁ । ବଙ୍ଗଳାରେ ରେଜା ଖାଁ ଓ ବିହାରରେ ସିତାବ ରାଓ କମ୍ପାନୀର ପ୍ରତିନିଧି ରହିଲେ । ୧୭୭୨ ଖ୍ରୀଷ୍ଟାବ୍ଦରେ ଓ୍ୱାରେନ ହେଷ୍ଟିଂସ ବଙ୍ଗଳାର ଗଭର୍ଣ୍ଣର ହୋଇ ଦେଓ୍ୟାନୀ ଓ ନିଜାମତର କାର୍ଯ୍ୟଭାର ଗ୍ରହଣ କଲେ । ଏତେବେଳେ ଇଂଲଣ୍ଡର ମନ୍ତ୍ରୀସଭା ସ୍ଥିର କଲେ ଯେ କମ୍ପାନୀ ଅଧିକାରରେ ପାର୍ଲାମେଣ୍ଟର ହସ୍ତକ୍ଷେପ ଆବଶ୍ୟକ । ତେଣୁ ୧୭୭୩ ଖ୍ରୀଷ୍ଟାବ୍ଦରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ପାର୍ଲାମେଣ୍ଟରେ ରେଗୁଲେଟିଂ ଆକ୍ଟ ନାମରେ ଏଇ ଆଇନ ଅନୁମୋଦନ କରାଇନେଲେ । ଏହାଫଳରେ ବଙ୍ଗଳାର ଶାସନଭାର ଜଣେ ଗଭର୍ଣ୍ଣର ଜେନେରାଲ ଏବଂ ଚାରି ଜଣ ସଦସ୍ୟଙ୍କ ଦ୍ୱାରା ଗଠିତ ଏକ କାଉନସିଲ ଉପରେ ନ୍ୟସ୍ତ ରହିଲା । ବିଚାର କାର୍ଯ୍ୟର ସୁବ୍ୟବସ୍ଥା ପାଇଁ କଲିକତାରେ ଗୋଟିଏ ସୁପ୍ରିମକୋର୍ଟ ସ୍ଥାପିତ ହେଲା ।

୧୭୮୪ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଉଇଲିୟମ ପିଟର ଏକ ଆଇନ ପ୍ରଣୟନ କରି ଭାରତ ଶାସନର ମୁଖ୍ୟ ଦାୟିତ୍ୱ ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ’ ଉପରେ ନ୍ୟସ୍ତ କଲେ । ଇଂଲଣ୍ଡ ମନ୍ତ୍ରୀପରିଷଦର ଭାରତ ସଚିବ ଏହାର ସଭାପତି ରହିଲେ । ଗଭର୍ଣ୍ଣର ଜେନେରାଲଙ୍କ କାଉନସିଲର ସଂଖ୍ୟା ଚାରିଜଣ ପରିବର୍ତ୍ତେ ତିନିଜଣ ହେଲା । ମାନ୍ଦ୍ରାଜ ଓ ବମ୍ବେ ଗଭର୍ଣ୍ଣମେଣ୍ଟ ନାନା ବିଷୟରେ ବଙ୍ଗଳା ଗଭର୍ଣ୍ଣମେଣ୍ଟର କର୍ତ୍ତୃତ୍ୱାଧୀନରେ ରହିଲା । କମ୍ପାନୀକୁ କୋଡ଼ିଏ ବର୍ଷିଆ ଚୁକ୍ତିରେ ବାଣିଜ୍ୟ ପାଇଁ ଅନୁମତି ଦିଆଗଲା । ୧୭୯୩, ୧୮୧୩ ଓ ୧୮୩୩ ମସିହାର ଚୁକ୍ତି ମିଆଦ ଶେଷ ହେବା ପରେ ୧୮୫୩ ମସିହା ବେଳକୁ ଇଷ୍ଟଇଣ୍ଡିଆ କମ୍ପାନୀର ଏକଚାଟିଆ ଅଧିକାର ଲୋପ ପାଇଗଲା । ୧୮୫୩ରେ କମ୍ପାନୀକୁ ଯେଉଁ ସନନ୍ଦ ଦିଆଗଲା, ତହିଁରେ ପାର୍ଲାମେଣ୍ଟର ପୁନରାଦେଶ ପର୍ଯ୍ୟନ୍ତ ବ୍ରିଟିଶ ଭାରତର ଶାସନ ଦାୟିତ୍ୱ କମ୍ପାନୀ ଉପରେ ନ୍ୟସ୍ତ ରହିଲା । ବଙ୍ଗଳାର ଶାସନ ଦାୟିତ୍ୱ ଜଣେ ଲେପ୍‌ଟନାଣ୍ଟ ଗଭର୍ଣ୍ଣର ଗ୍ରହଣ କଲେ । ଆଇନ ପ୍ରଣୟନ ପାଇଁ ଗୋଟିଏ ବ୍ୟବସ୍ଥାପକ ସଭା ଗଠିତ ହେଲା ।

 

‘‘ସ୍ୱଦେହାତ୍‌ କିମୁତେନ୍ଦ୍ରିୟାର୍ଥାତ୍‌

ଯଶୋଧନାନାଂ ହି ଯଶୋଗରୀୟ ।’’

ଯେଉଁମାନେ ଯଶର ଆଦର କରନ୍ତି, ସେମାନଙ୍କ ନିକଟରେ ନିଜ ଦେହଠାରୁ ଯଶ ଅଧିକ ଗରୀୟାନ୍‌ । ଏହି ଯଶର ଅଧିକାରୀ ହେବାପାଇଁ ଦଧିଚୀ ନିଜର ଅସ୍ଥି ଦାନ କରିଥିଲେ । ଇନ୍ଦ୍ର ତହିଁରେ ବଜ୍ର ନିର୍ମାଣ କରି ବକ୍ରାସୁର ବଧ କଲେ । କର୍ଣ୍ଣ ନିଜର ପୁତ୍ରକୁ ସ୍ୱହସ୍ତରେ ବଧ କରିଥିଲେ । ଶିବି ଦେହରୁ ମାଂସ କାଟି ଛଞ୍ଚାଣକୁ ଦେଇଥିଲେ ଓ ହରିଶ୍ଚନ୍ଦ୍ର ସ୍ତ୍ରୀ ପୁତ୍ରଙ୍କୁ ବିକ୍ରୀକରି ନିଜେ ଚଣ୍ଡାଳର ଦାସ ରୂପେ ଶ୍ମଶାନ ଜଗିଥିଲେ । ଏ ପୁରାଣ ଯୁଗର କଥା ।

ଇତିହାସରେ ଦେଖାଯାଏ ଯେ ଏହି ଯଶ ଲାଭପାଇଁ ଉତ୍କଳର ଗଜପତିମାନେ ପୁରୀ, କୋଣାର୍କ ଓ ଭୁବନେଶ୍ୱରରେ ଯେ ବିଶ୍ୱ ବିଖ୍ୟାତ ମନ୍ଦିରମାନ ନିର୍ମାଣ କରିଥିଲେ ତାହା ନୁହେଁ; ଅସ୍ତ୍ର ବଳରେ ଆକୁମାରୀ ଗଙ୍ଗା ଜୟ କରି ଉତ୍କଳର ବିଜୟ ବୈଜୟନ୍ତୀ ଉଡ଼ାଇଥିଲେ । କଥାରେ ଅଛି–

‘‘ମହାରାଷ୍ଟ୍ରର ମାଉଲ ସେନା ପଞ୍ଜାବର ଶିଖ୍

ଓଡ଼ିଶାର ଖଣ୍ଡାୟତ ଦୁର୍ଜ୍ଜୟ ନିର୍ଭୀକ ।’’

ମାତ୍ର ଖଣ୍ଡାୟତମାନଙ୍କର ବାହୁର ବଳ ଓ ଅସ୍ତ୍ରର ଝଙ୍କାର ବେଶୀଦିନ ରହିପାରିଲା ନାହିଁ-। ଖ୍ରୀଷ୍ଟାବ୍ଦ ୧୦୪୨ ରୁ ୧୫୬୮ ପର୍ଯ୍ୟନ୍ତ ଓଡ଼ିଶା ଇତିହାସର ଯେଉଁ ସ୍ୱର୍ଣ୍ଣିମ ଅଧ୍ୟାୟ ରଚିତ ହୋଇଥିଲା ତାହାର ଅବଲୁପ୍ତି ଘଟିଲା । କାଳ ବିଜୟ ଲାଭ କଲା ।

‘‘ମା କୁରୁ ଧନ ଜନ ଯୌବନ ଗର୍ବଂ

ହରତି ନିମେଷାତ୍‌ କାଳଃ ସର୍ବମ୍‌ ।’’

ଅର୍ଥାତ୍‌ ଧନ, ଜନ, ଯୌବନ ଓ ଗର୍ବ କାଳ ନିମିଷକରେ ହରଣ କରେ । କାରଣ ସେ ବଳୀଠାରୁ ମହାବଳୀ । ତାଠାରୁ କେହି ଅଧିକ ବଳବାନ ହୋଇ ନ ପାରନ୍ତି । ସେହି କାଳଚକ୍ରରେ ଆବର୍ତ୍ତିତ ହୋଇ ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି ମୁକୁନ୍ଦଦେବ ୧୫୬୮ ଖ୍ରୀଷ୍ଟାବ୍ଦରେ ଗୋହିରାଟିକିରୀ ଯୁଦ୍ଧରେ ପ୍ରାଣତ୍ୟାଗ କଲେ । ଓଡ଼ିଶା ବହୁକାଳ ଧରି ଆଫଗାନ, ମୋଗଲ ବିଦ୍ରୋହୀ ଓ ଲୁଣ୍ଠନକାରୀମାନଙ୍କର ଆଶ୍ରୟସ୍ଥଳୀ ହୋଇ ରହିଲା । ୧୬୮୦ ଖ୍ରୀଷ୍ଟାବ୍ଦରେ ଛତ୍ରପତି ଶିବାଜୀଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ଶମ୍ଭୂଜୀ ଓ ପୌତ୍ର ସାହୁଜୀ ଆଓରଙ୍ଗଜେବଙ୍କ ହସ୍ତରେ ବନ୍ଦୀ ହେଲେ । ଆଓରଙ୍ଗଜେବଙ୍କ ମୃତ୍ୟୁପରେ ସାହୁଜୀଙ୍କ ମନ୍ତ୍ରୀ ବା ପେଶବା ମହାରାଷ୍ଟ୍ରର ଅଧିପତି ହେଲେ । ତାହାଙ୍କ ସମୟରେ ମହାରାଷ୍ଟ୍ରର ପ୍ରଭୁତ୍ୱ ସମଗ୍ର ଭାରତରେ ବ୍ୟାପିଗଲା । ୨ୟ ପେଶବା ବାଜୀରାଓଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ବାଲାଜୀ ରାଓ ୧୬୪୦ ରେ ପେଶବା ହେଲେ । ମାତ୍ର ଶିବାଜୀଙ୍କର ପ୍ରକୃତ ଉତ୍ତରାଧିକାରୀ ବୋଲି ରଘୁଜୀ ଭୋସଁଲା ମରହଟ୍ଟା ସିଂହାସନ ପ୍ରତି ଆପଣାର ଦାବୀ ଉଠାଇ ବଙ୍ଗଳା ଓ ଓଡ଼ିଶା ଆକ୍ରମଣ କଲେ । ପରିଶେଷରେ ରଘୁଜୀ ପରାସ୍ତ ହୋଇ ବାଲାଜୀଙ୍କ ଅଧୀନତା ସ୍ୱୀକାର ପୂର୍ବକ ନାଗପୁରରେ ରାଜା ହେଲେ । ତାପରେ ପେଶବାଙ୍କଠାରୁ ଅନୁମତି ନେଇ ରଘୁଜୀ ଓଡ଼ିଶା ଆକ୍ରମଣ କଲେ ଓ ୧୭୫୧ର ସନ୍ଧି ଅନୁସାରେ ଓଡ଼ିଶାରେ ରାଜସ୍ୱ ଅଧିକାର ପାଇଲେ । ୧୭୫୭ ଖ୍ରୀଷ୍ଟାବ୍ଦରେ ମରହଟ୍ଟାମାନେ ମୋଗଲ ସମ୍ରାଟଙ୍କର ନାମମାତ୍ର ଅଧୀନତା ଦୂର କରି ନିଜ ହସ୍ତରେ ଓଡ଼ିଶାର ଶାସନ ଦାୟିତ୍ୱ ଗ୍ରହଣ କଲେ-। ଓଡ଼ିଶାର ପ୍ରଥମ ଶାସନକର୍ତ୍ତା ରୂପେ ଶିବ ଭଟ୍ଟ ନିଯୁକ୍ତ ହେଲେ ।

 

ରଘୁଜୀଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ଜାନୋଜୀ ଭୋଁସଲା ହେଲେ । ଚିଗନା ସାହୁ ଓ ଉଦୟପୁରୀ ଗୋସ୍ୱାମୀ ନାମକ ଦୁଇଜଣ ବ୍ୟକ୍ତି ଜାନୋଜୀଙ୍କ ପ୍ରୀତି ଆକର୍ଷଣ କରି ଓଡ଼ିଶାର ସୁବେଦାର ହେଲେ । ଶିବ ଭଟ୍ଟ ପଦଚ୍ୟୁତ ହୋଇ ଓଡ଼ିଶାର ସାମନ୍ତ ରାଜା ଓ ଖଣ୍ଡାୟତମାନଙ୍କ ସାହାଯ୍ୟରେ ବିଦ୍ରୋହ କଲେ । ଚିମନା ଓ ଉଦୟପୁରୀ ବିଦ୍ରୋହ ଦମନରେ ବ୍ୟର୍ଥ ହେବାରୁ ଭବାନୀ ପଣ୍ଡିତ ସୁବେଦାର ନିଯୁକ୍ତ ହୋଇ ଓଡ଼ିଶା ଆସିଲେ । ଏହାଙ୍କ ପରେ ଆଉ ୯ ଜଣ ସୁବେଦାର ଓଡ଼ିଶା ଶାସନ କଲେ । ଏହି ସୁବେଦାରମାନଙ୍କ ସମୟରେ ପ୍ରଜାପୀଡ଼ନ ଓ ଦୁର୍ଭିକ୍ଷ ଆଦି ଯନ୍ତ୍ରଣାରେ ପ୍ରଜାମାନଙ୍କର କାଳାତିପାତ ହେବାରେ ଲାଗିଲା ।

 

୧୭୬୫ ଖ୍ରୀଷ୍ଟାବ୍ଦରେ ଲର୍ଡ କ୍ଳାଇବ ଦିଲ୍ଲୀର ମୋଗଲ ସମ୍ରାଟଙ୍କ ଠାରୁ ବଙ୍ଗବିହାର ଓ ଓଡ଼ିଶାର ଦେବାନୀ ପାଇଲେ । ସମ୍ରାଟଙ୍କୁ ବାର୍ଷିକ ୨୬ ଲକ୍ଷ ଟଙ୍କା ଦେବାର ସ୍ଥିର ହେଲା । ମାତ୍ର ମରହଟ୍ଟା ସୁବେଦାର ଇଂରେଜମାନଙ୍କ ନିକଟରେ ଚଉଥ ଦାବୀ କଲେ । ଗଭର୍ଣ୍ଣର ଜେନେରାଲ ଓ୍ୱାରେନ ହେଷ୍ଟିଂସ ତାହାଙ୍କ ସହିତ ସନ୍ଧି କରି ୨୭ ଲକ୍ଷ ଟଙ୍କା ଦେଲେ । ସେତେବେଳେ ମହୀଶୂରର ହାଇଦର ଅଲୀଙ୍କ ସହିତ ଇଂରେଜମାନଙ୍କର ଯୁଦ୍ଧ ଲାଗିଥିଲା । ଇଂରେଜମାନେ ମହୀଶୂରକୁ ଓଡ଼ିଶା ଦେଇ ସୈନ୍ୟ ନେବାପାଇଁ ମରହଟ୍ଟାମାନଙ୍କ ସହିତ ସନ୍ଧି କଲେ । ପରେ ଯୁଦ୍ଧାଦିରେ ପରସ୍ପରକୁ ସାହାଯ୍ୟ କରିବାପାଇଁ ମଧ୍ୟ ଚୁକ୍ତିବଦ୍ଧ ହେଲେ ।

 

୧୮୦୨ ମସିହାରେ ଭୋଁସଲା ସିନ୍ଧିଆଙ୍କ ସଙ୍ଗେ ମିଳିତ ହୋଇ ନିଜାମଙ୍କ ରାଜ୍ୟ ଆକ୍ରମଣ କଲେ । ନିଜାମ ପୂର୍ବରୁ ଇଂରେଜମାନଙ୍କ ସହିତ ମିତ୍ରତା ସ୍ଥାପନ କରିଥିଲେ । ସନ୍ଧିର ସର୍ତ୍ତ ଅନୁସାରେ ଇଂରେଜମାନେ ତାହାଙ୍କ ରାଜ୍ୟ ଉଦ୍ଧାର ନିମନ୍ତେ ମରହଟ୍ଟାମାନଙ୍କ ସଙ୍ଗେ ଯୁଦ୍ଧ କଲେ । ଏହା, ୟ ମରହଟ୍ଟା ସମର ନାମରେ ବିଦିତ । ଏ ସୁଯୋଗ ଦେଖି ଗଭର୍ଣ୍ଣର ଜେନେରାଲ ଲର୍ଡ ଓ୍ୱେଲସେଲୀ ଓଡ଼ିଶା ଆକ୍ରମଣର ଆୟୋଜନ କଲେ । ସେତେବେଳକୁ ଓଡ଼ିଶା ମୋଗଲ ଓ ମରହଟ୍ଟାମାନଙ୍କର କେବଳ ଖଜଣା ଆଦାୟର ପୀଠ ଥିଲା । ଶାସକମାନେ ଶାସନ ବା ଶୃଙ୍ଖଳା ପ୍ରତି ଆଦୌ ଦୃଷ୍ଟି ଦେଉ ନ ଥିଲେ ।

 

କର୍ଣ୍ଣେଲ ହାକୋର୍ଟଙ୍କ ନେତୃତ୍ୱରେ ଦଳେ ଇଂରେଜ ଓ ଦେଶୀ ସୈନ୍ୟ ୧୮୦୩ ମସିହା ସେପ୍ଟେମ୍ବର ୮ ତାରିଖରେ ଗଞ୍ଜାମରୁ ବାହାରି ପ୍ରୟାଗୀ, ମାଲୁଦ ଓ ମାଣିକ ପାଟଣା ଦେଇ ପୁରୀରେ ପହଞ୍ଚି ତାହା ଅଧିକାର କଲେ । ଏହାପରେ ସେପ୍ଟେମ୍ବର ୨୧ ତାରିଖରେ ବାଲେଶ୍ୱର ଏବଂ ଅକ୍ଟୋବର ୮ ତାରିଖରେ କଟକ, କୁଜଙ୍ଗ, କନିକା ଓ ହରିଶପୁର ପ୍ରଭୃତି ଅଧିକାର କରି ଇଂରେଜମାନେ ନିଜର ପ୍ରଭୁତ୍ୱ ପ୍ରତିଷ୍ଠା କଲେ । ଏ ସ୍ଥାନଗୁଡ଼ିକ ସମୁଦ୍ର କୂଳରେ ଅବସ୍ଥିତ । ଜାହାଜଯୋଗେ ଏସବୁ ସ୍ଥାନ ସହିତ ସହଜରେ ଯୋଗାଯୋଗ କରାଯିବା ସମ୍ଭାବନାରେ ଇଂରେଜମାନେ ପ୍ରଥମେ ଏସବୁ ସ୍ଥାନ ଅଧିକାର କରିଥିଲେ ।

 

ଖୋର୍ଦ୍ଧା ରାଜା ମୁକୁନ୍ଦଦେବ ଆଶା କରିଥିଲେ ଯେ ଅନ୍ୟାନ୍ୟ ଲୁଣ୍ଠନକାରୀମାନଙ୍କପରି ଇଂରେଜମାନେ ଯୁଦ୍ଧରେ ଜୟ ଲାଭ କରିବାପରେ ତାହାଙ୍କ ଠାରୁ କେବଳ ପେଶକିସ ଆଦାୟ କରିବେ । ମରହଟ୍ଟାମାନଙ୍କ ଦ୍ୱାରା ଅପହୃତ ପ୍ରଗନ୍ନା ଓ ଆପଣା ବଂଶର ପୂର୍ବ ରାଜତ୍ୱ ସେ ଫେରି ପାଇବେ । ମାତ୍ର ସେ ଆଶା ନିରାଶାରେ ପରିଣତ ହେଲା ।

 

ବଂଶ ପରମ୍ପରା କ୍ରମେ ଖୋର୍ଦ୍ଧା ରାଜା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ୱାଧୀନ ତତ୍ତ୍ୱାବଧାରକ ଥିଲେ । ଇଂରେଜମାନେ ତାଙ୍କୁ ସେ ଅଧିକାରରୁ ବଞ୍ଚିତ କଲେ । ଫଳରେ ୧୯୦୪ ମସିହାରେ ଖୋର୍ଦ୍ଧା ରାଜା ବିଦ୍ରୋହ ଘୋଷଣା କଲେ । ମାତ୍ର ଯୁଦ୍ଧରେ ପରାସ୍ତ ହୋଇ ବନ୍ଦୀ ହେଲେ । ବୀର ହରେକୃଷ୍ଣପୁର ଶାସନର ପ୍ରତିଷ୍ଠାତା ଗଦାଧର ରାଜଗୁରୁଙ୍କ ବଂଶ ପୁରୁଷାନୁକ୍ରମେ ଖୋର୍ଦ୍ଧା ରାଜାଙ୍କର ମନ୍ତ୍ରୀତ୍ୱ କରି ଆସୁଥିଲେ । ଗଦାଧରଙ୍କ ନାତି ଜୟକୃଷ୍ଣ ମହାପାତ୍ର ରାଜଗୁରୁ (ଜୟୀ ରାଜଗୁରୁ) ସେତେବେଳେ ଖୋର୍ଦ୍ଧା ରାଜାଙ୍କର ମନ୍ତ୍ରୀ ଥିଲେ । ରାଜାଙ୍କୁ ବିଦ୍ରୋହ ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ସେ ଓ ଅନ୍ୟ କେତେକ ଫାଶୀ ପାଇଲେ । ଖୋର୍ଦ୍ଧା ରାଜବଂଶର ବିଗତ ତିନିଶତ ବର୍ଷର ରାଜତ୍ୱ ଲୋପ ପାଇଲା ।

 

ଗଙ୍ଗବଂଶ ଓ ସୂର୍ଯ୍ୟବଂଶର ରାଜତ୍ୱ ବେଳେ ଓଡ଼୍ରମାନେ ଦେଶର ନାନାସ୍ଥାନରେ ଜାଗିରୀ ଜମିମାନ ପାଇ ବସତି ସ୍ଥାପନ କରୁଥିଲେ । ଏମାନେ ମୁଖ୍ୟତଃ ପଦାତିକ ସେନା ଥିଲେ । ପଦାତିକ ଶବ୍ଦ କାଳକ୍ରମେ ପାଇକରେ ପରିଣତ ହେଲା । ପୁଣି ଓଡ଼୍ରମାନଙ୍କ ନାମାନୁସାରେ ଏ ଦେଶ ଓଡ଼ିଶା ନାମରେ ପରିଚିତ ହେଲା । ଯୁଦ୍ଧ ଓ କୃଷି ଏମାନଙ୍କର ପ୍ରଧାନ ଜୀବିକା ଥିଲା । ଖୋର୍ଦ୍ଧା ଇଂରେଜ ସରକାରଙ୍କର ମାହାଲ ହେବା ପରେ ତହିଁର ଶାସକ କର୍ଣ୍ଣ ଫ୍ଳେଚର ପାଇକମାନଙ୍କଠାରୁ ଜାଗିରୀ ଛଡ଼ାଇ ନେଇ ଜମି ଉପରେ କର ଧାର୍ଯ୍ୟ କଲେ । ରାଜସ୍ୱ ଆଦାୟକାରୀ ସରବରାକାର ଓ ଶାସନକର୍ତ୍ତା ପୁଲିସଙ୍କ ନିର୍ଯ୍ୟାତନାରେ ପାଇକମାନେ ଅତିଷ୍ଠ ହୋଇ ବିଦ୍ରୋହ ଘୋଷଣା କଲେ । ବକ୍‌ସି ଜଗବନ୍ଧୁ ସେମାନଙ୍କର ନେତୃତ୍ୱ ନେଲେ ।

 

ବକ୍‌ସି ଜଗବନ୍ଧୁ !

 

ଓଡ଼ିଶା ଇତିହାସର ଏକ ଉଜ୍ଜ୍ୱଳତମ ନକ୍ଷତ୍ର ।

 

ତାଙ୍କର ପୂରା ନାମ–ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ।

 

ପୁରୁଷାନୁକ୍ରମେ ସେ ଖୋର୍ଦ୍ଧା ରାଜବଂଶର ବକ୍‌ସି ବା ସେନାପତି ଥାଇ ନିଷ୍କର ଜାୟଗିରି ଓ ଅନ୍ୟାନ୍ୟ ସ୍ୱତ୍ତ୍ୱ ଦଖଲ କରି ଆସୁଥିଲେ । ଏହାବ୍ୟତୀତ ସେ ମରହଟ୍ଟାମାନଙ୍କଠାରୁ ରୋଢ଼ଙ୍ଗ କିଲା କ୍ରୟ କରି ଭୋଗ ଦଖଲ କରୁଥିଲେ । ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଦଖଲ କରିବା ପରେ ୧୮୦୪ ମସିହାରେ ରୋଢ଼ଙ୍ଗ କିଲା ନିମନ୍ତେ ଇଂରେଜମାନଙ୍କ ସହ ବକ୍‌ସିଙ୍କର ବନ୍ଦୋବସ୍ତ ହୋଇଥିଲା । ଏଥିମଧ୍ୟରେ କଲେକ୍ଟରଙ୍କର ଜଣେ ଦେବାନ ବଙ୍ଗଳା ନିବାସୀ କୃଷ୍ଣଚନ୍ଦ୍ର ସିଂହ ଜଗବନ୍ଧୁଙ୍କ ଅଧିକାର ଉଚ୍ଛେଦ କରି ରୋଢ଼ଙ୍ଗ ଆତ୍ମସାତ କରିନେଲେ । ବକ୍‌ସି ଆପତ୍ତି ଅଭିଯୋଗ କରି ସୁବିଚାର ନ ପାଇବାରୁ ପାଇକମାନଙ୍କ ବିଦ୍ରୋହରେ ନେତୃତ୍ୱ ନେଲେ । ୧୭୫୭ ମସିହାର ପଲାସୀଯୁଦ୍ଧରେ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବା ପାଇଁ ପ୍ରଥମ ସମର ହୋଇଥିଲା । ଏହାହିଁ ଓଡ଼ିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମ । ୧୮୧୭ ମସିହା ମାର୍ଚ୍ଚମାସରୁ ଏ ସଂଗ୍ରାମ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲିଥିଲା । ଏ ଯୁଦ୍ଧରେ କନିକା ଓ କୁଜଙ୍ଗର ରାଜାମାନେ ମଧ୍ୟ ଭାଗ ନେଇଥିଲେ । ନାରାୟଣ ପରମଗୁରୁ ଓ ବାମଦେବ ପଟ୍ଟଯୋଷୀ କୁଜଙ୍ଗ ଓ କନିକା ପାଇକମାନଙ୍କର ପ୍ରଧାନ ନାୟକ ଥିଲେ । ଆଧୁନିକ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ଓ ସମର କୌଶଳ ଯୋଗୁ ଇଂରେଜମାନେ ଏ ଯୁଦ୍ଧରେ ଜୟଯୁକ୍ତ ହେଲେ । ପରମଗୁରୁ ଓ ପଟ୍ଟଯୋଷୀ ଧରାପଡ଼ି ଦ୍ୱୀପାନ୍ତର ଦଣ୍ଡ ପାଇଲେ । କୁଜଙ୍ଗ ରାଜା ଆତ୍ମସମର୍ପଣ କରି ବାରବାଟୀ ଦୁର୍ଗରେ ବନ୍ଦୀ ହୋଇ ରହିଲେ । ବନ୍ଦୀ ପାଇକମାନଙ୍କ ମଧ୍ୟରୁ କେହି କେହି ପ୍ରାଣଦଣ୍ଡ, କେହି ଦ୍ୱୀପାନ୍ତର ଓ କେହି କାରାଦଣ୍ଡ ପାଇଲେ । ମାତ୍ର ବକ୍‌ସି କେତେକ ପାଇକଙ୍କ ସାହାଯ୍ୟରେ ବଣ ଜଙ୍ଗଲରେ ଲୁଚିରହି ୧୮୨୬ ମସିହା ପର୍ଯ୍ୟନ୍ତ ଯୁଦ୍ଧ ଚଳାଇଲେ । ପରିଶେଷରେ ନିଃସ୍ୱ, ଭଗ୍ନସ୍ୱାସ୍ଥ୍ୟ ଓ ବାର୍ଦ୍ଧକ୍ୟ ଅବସ୍ଥା ଯୋଗୁ ସେ ଇଂରେଜମାନଙ୍କ ଦ୍ୱାରା ଧୃତ ହେଲେ । ଇଂରେଜମାନେ ତାଙ୍କୁ କଟକରେ ବନ୍ଦୀ କରିରଖିଲେ । ତାଙ୍କରି ନାମ ଅନୁସାରେ କଟକର ବକ୍‌ସିବଜାର ପ୍ରସିଦ୍ଧି ଲାଭ କରିଛି ।

 

ଅୟଂ ଅହଂ ଭୋଃ ।

ଉଠ, ଦେଖ, ମୁଁ ଆସିଛି ।

ନିଦାଘର ପ୍ରଚଣ୍ଡ ଦାବଦାହରେ ଯେତେବେଳେ ଧରଣୀ ତାପିତ ହୁଏ ବୃକ୍ଷଲତାର ଶୀର୍ଣ୍ଣ ଶାଖାରୁ ଜୀର୍ଣ୍ଣପତ୍ର ଝରିପଡ଼େ, ଚାତକ ବ୍ୟାକୁଳରେ ଚିତ୍କାର କରି ଜଳଦକୁ ଡାକିଦିଏ–ସେତେବେଳେ ପବନ ଦୋଳାରେ ଭାସି ଭାସି ମେଘ କହେ–ଅୟଂ-ଅହଂ-ଭୋଃ ।

ବିଦ୍ୟୁତ ପଥ ଦେଖାଏ–ମେଘର ଡମ୍ବରୁ ବାଜିଉଠେ । ସେ କହେ–ଦେଖ ମୁଁ ଆସିଛି । ଆକାଶରୁ ରିମି ଝିମି ତାନରେ ବରଷାର ଧାରା ଝରିପଡ଼େ । ବିବର୍ଣ୍ଣ ଧୂସର ଧରଣୀରେ ସବୁଜତା ଫେରିଆସେ । ଧରଣୀ ବୁକୁରେ ଅଙ୍କୁରୋଦ୍‌ଗମ ହୁଏ ।

ବଜ୍ର ନିନାଦରେ ଆକାଶ କହେ–‘ପୃଥ୍ୱୀ ତ୍ୱାଂ ଶୀତଳା ଭବଃ ।’

ବର୍ଷା ପରେ ଶରତ ଆସେ । ହେମନ୍ତ ଓ ଶିଶିରକୁ ପଛକୁ ପକାଇ ଧରଣୀ ଦ୍ୱାରରେ ବସନ୍ତ କରାଘାତ କରେ । ସେ ମଧ୍ୟ ଅଳ୍ପଦିନ ପାଇଁ । ତାପରେ ପୁଣି ଆସେ ଗ୍ରୀଷ୍ମ ।

କାଳଚକ୍ରର ଆବର୍ତ୍ତନରେ ଷଢ଼ଋତୁ ଯାତାୟତ କରନ୍ତି । ଗୋଟିଏ ଋତୁ ପୁଣିଥରେ ନିଜ ସ୍ଥାନକୁ ଫେରି ଆସିବା ବେଳକୁ ମହାକାଳର କପାଳରେ ଗୋଟିଏ ମାତ୍ର ରେଖା ଅଙ୍କିତ ହୁଏ । ସୁଖ, ଦୁଃଖ, ଉତ୍‌ଥାନ ପତନରେ ମାନବର ଗୋଟିଏ ବର୍ଷ ବିତିଯାଏ ।

 

ଏହିପରି ବହୁ ଉତ୍‍ଥାନ ପତନର ସାକ୍ଷୀ ଦିଲ୍ଲୀ । କେତେ ସାମ୍ରାଜ୍ୟ ଏହାରି କୋଳରେ ବଢ଼ି ଉଠିଛି । ପୁଣି କେତେ ଯେ ଲୋପ ପାଇଛି ତାହାର ଇୟତ୍ତା ନାହିଁ ।

 

ସେହି ଦ୍ୱାପର ଯୁଗରେ ଦିଲ୍ଲୀର ଭିତ୍ତିପ୍ରସ୍ତର ପଡ଼ିଥିଲା ସୋମବଂଶର ରାଜଧାନୀ ରୂପେ-। ତାପରେ ସେଠାରେ କୁରୁପାଣ୍ଡବଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ସଂଘଟିତ ହୋଇଥିଲା । ଭାରତ ବୀରଶୂନ୍ୟା ହୋଇଥିଲା । ପୁଣି ତହିଁରୁ ଉଠିଥିଲା ନବଜୀବନର ଅଙ୍କୁର । ରାଜା ପରେ ରାଜା ରାଜପଣ କରି ଚାଲିଲେ । ‘ବୀରଭୋଗ୍ୟା ବସୁନ୍ଧରା’ ଉକ୍ତି ସାର୍ଥକ ହେଲା ।

 

ଏହି ଦିଲ୍ଲୀରେ ପୁଣି ଭ୍ରାତୃ ବିବାଦ ଯୋଗୁ ବିଶାଳ ହିନ୍ଦୁ ସାମ୍ରାଜ୍ୟ ଲୋପ ପାଇଲା । ଜୟଚନ୍ଦ୍ରଙ୍କ ଆମନ୍ତ୍ରଣରେ ମହମ୍ମଦ ଘୋରୀ ଦିଲ୍ଲୀ ଅଧିକାର କଲେ । ଭାଇ ଭାଇ ମଧ୍ୟରେ ସିଂହାସନ ପାଇଁ ଟଣା ଓଟରା ଚାଲିଲା । ରାତ୍ରିର ଅନ୍ଧକାରରେ ଝଲସି ଉଠିଲା ଶାଣିତ କୃପାଣ । ନିର୍ମମ ହତ୍ୟା, ଗୃହଦାହ ଓ ରକ୍ତ ସ୍ରୋତରେ ଦିଲ୍ଲୀନଗରୀ ପ୍ରକମ୍ପିତ ହେଲା । ପରିଶେଷରେ ବାବର ମୋଗଲ ସାମ୍ରାଜ୍ୟ ସ୍ଥାପନ କଲେ ।

 

ସେହି ଦିଲ୍ଲୀ !!

 

ସେଠାରେ ବାଦଶାହାଙ୍କ ବିଳାସ କକ୍ଷର ଦୀପାଲୋକରେ ନର୍ତ୍ତକୀର ମଣିଭୂଷଣ ଜଳି ଉଠୁଥିଲା । ସୁରାର ରକ୍ତିମ ଫେନୋଚ୍ଛ୍ୱାସରେ ବାଦଶାହାଙ୍କ ଉନ୍ମୁତ୍ତ ରକ୍ତ ଚକ୍ଷୁ ପ୍ରଜ୍ଜ୍ୱଳିତ ପ୍ରଦୀପ ପରି ପ୍ରତୀୟମାନ ହେଉଥିଲା । କାଳଚକ୍ରର ଆବର୍ତ୍ତନରେ ସେ ସବୁ ବିଲୁପ୍ତ ହୋଇଗଲା ।

 

ମୋଗଲ ସାମ୍ରାଜ୍ୟର ଚରମ ବିଳାସପୂର୍ଣ୍ଣ ନଗରୀ ଦିଲ୍ଲୀ । ଯାହାର ରାସ୍ତାଧାରର ପଥର ଖଣ୍ଡଠାରୁ ତାଜମହଲର ବିଶ୍ୱବିଖ୍ୟାତ ଇମାରତ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗ ଇଞ୍ଚ ଭୂମିରେ କେବଳ ପ୍ରେମର ଗାଥା ରଚିତ ।

 

ପିୟାସୀର ଗାଲର ତିଳ ପାଇଁ ବୋଖରା–ସମରକନ୍ଦ ପରି ରାଜ୍ୟ ମଧ୍ୟ ତୁଚ୍ଛ । ସେହି ଦିଲ୍ଲୀର ବର୍ଣ୍ଣନା କରି ଇଂରେଜ ଐତିହାସିକ କହିଛନ୍ତି–ଦିଲ୍ଲୀ ରାଜପ୍ରାସାଦରେ ଯେତେ ଧନରାଶି, ରତ୍ନରାଶି ଓ ରୂପରାଶି ଥିଲା ତାହା ସମଗ୍ର ଭାରତରେ ମଧ୍ୟ ନ ଥିଲା ।

 

ସୁରା, ସାକି ଓ ସଙ୍ଗୀତର ବିଳାସଭୂମି ଦିଲ୍ଲୀରେ ମୋଗଲ ରାଜପ୍ରାସାଦ । ଏହାର ଅନ୍ଦର ମହଲର ନାମ ହାରେମ । ପୂରା ଶବ୍ଦ ହାରେମଲିକ୍‌ ବା ପ୍ରାସାଦର ଅନ୍ଦର ମହଲ । ଅନ୍ୟମାନଙ୍କ ପକ୍ଷେ ଏହା ସମ୍ପୂର୍ଣ୍ଣରୂପେ ନିଷିଦ୍ଧ ଇଲାକା । ଏଠାରେ ଏକମାତ୍ର ପୁରୁଷ ସମ୍ରାଟ । ମେରୁ ଓ ଏଭରେଷ୍ଟ ପରି ଏହା ସାଧାରଣରେ ଅଜ୍ଞାତ । ଐତିହାସିକମାନଙ୍କ ବର୍ଣ୍ଣନାରୁ ଜଣାଯାଏ ଯେ ସମ୍ରାଟ ଆକବରଙ୍କ ହାରେମରେ ରୂପସୀ ଥିଲେ ପାଞ୍ଚହଜାର । ଜାହାଙ୍ଗୀରଙ୍କ ହାରେମରେ ଦୈନିକି ଖରଚ ଥିଲା ତିରିଶ ହଜାର ଟଙ୍କା ଏବଂ ଶାହାଜାହାନଙ୍କ ବିବି ଓ ଚାକରାଣୀ ଥିଲେ ଦୁଇହଜାର ।

 

ବାଦ୍‍ଶାହୀ ନ୍ୟାୟ କହେ, ସମସ୍ତ ବାହ୍ୟ–ଅସଲ ଦେହ । କାରଣ ନଦୀ, ନାରୀ ଓ କୁଳର ଉତ୍ସ ଖୋଜିବା ଉଚିତ ନୁହେଁ ।

 

ଥରେ ସମ୍ରାଟ ସାହାଜାହାନ କାଞ୍ଚନୀ ନର୍ତ୍ତକୀ ସମ୍ପ୍ରଦାୟର ଜଣେ ରମଣୀର ପ୍ରେମରେ ପଡ଼ିଗଲେ । ଅମୀର ଓମରାହ ଦଳ ଏକଥା ଶୁଣି କହିଲେ–ତୋବା, ତୋବା । ଶେଷରେ ନର୍ତ୍ତକୀ ପ୍ରେମ ?

 

ସମ୍ରାଟ ଏକ ବଏତ ଶୁଣାଇ ଉତ୍ତର ଦେଇଥିଲେ–

 

‘ମିଠାଇ ନେକ୍‌ ହର ଦୋକାନ କିସ୍‌ ବାସାଦ’

 

ଯେଉଁ ଦୋକାନରୁ କିଣିଲେ ମଧ୍ୟ ମିଠାଇର ମିଠା ସମାନ । ସେହି ଦିଲ୍ଲୀ ସିଂହାସନର ଅଧିକାରୀ ମୋଗଲ ସମ୍ରାଟମାନଙ୍କ ମହିମା ଧୂଳିରେ ମିଶିଗଲା । ସୁଲତାନ ପ୍ରେୟସୀମାନଙ୍କର ଶ୍ୱେତ ମର୍ମର ରଚିତ, କାରୁକାର୍ଯ୍ୟ ବିମଣ୍ଡିତ କବର ଚୂଡ଼ା ନକ୍ଷତ୍ରାଲୋକ ଚୁମ୍ବନ କଲା । ଇତିହାସର ଘନ ଅନ୍ଧକାର ମଧ୍ୟରେ ଅଶ୍ୱର କ୍ଷୁରଧ୍ଵନି, ହସ୍ତୀର ବୃହଂଣ, ଅସ୍ତ୍ରର ଝଙ୍କାର, ସୁଦୂରବ୍ୟାପୀ ଶିବିରର ତରଙ୍ଗାୟିତ ପାଣ୍ଡୁରତା, କିଂଖାବ୍‌ ଆସ୍ତରଣର ସ୍ୱର୍ଣ୍ଣଛଟା ସମସ୍ତ କିଛି ସ୍ଵପ୍ନ ପରି ଉଭେଇଗଲା ।

 

ଅବଶେଷରେ ମୋଗଲର ସେହି ଧ୍ୱଂସ ସ୍ତୂପ ଉପରେ ଶାଠ୍ୟ ଓ ଷଡ଼ଯନ୍ତ୍ରରେ ଧୀରେ ଧୀରେ ଇଂରେଜ ଶାସନର ଭିତ୍ତି ପଡ଼ିଲା । ବହୁ ସାମ୍ରାଜ୍ୟର ସମାଧିଭୂମି ସେହି ଦିଲ୍ଲୀର ଶେଷ ମୋଗଲ ସମ୍ରାଟ ବାହାଦୂର ଶାହ ।

 

ସମ୍ରାଟ ସାହାଆଲମଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ଆକବର ଶାହ ୧୮୦୬ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ସିଂହାସନରେ ବସିଲେ । ଇତିହାସରେ ସେ ୨ୟ ଆକବର ନାମରେ ପରିଚିତ । ଏହାର ବର୍ଷକ ପୂର୍ବରୁ ଲର୍ଡ ଓ୍ୱେଲସେଲି ଅବସର ଗ୍ରହଣ କରିଥିଲେ । ଇଂରେଜ ସାମ୍ରାଜ୍ୟ ସୌଧ ନିର୍ମାଣର କାର୍ଯ୍ୟ ପୂରା ଉଦ୍ୟମରେ ଚାଲିଥାଏ । ଫରାସୀମାନଙ୍କର ସେତେବେଳେ ଭାରତରେ ପ୍ରବଳ ଆଧିପତ୍ୟ । ହାଇଦ୍ରାବାଦର ନିଜାମଙ୍କ ଦରବାର ଫରାସୀ ସୈନ୍ୟଙ୍କ କର୍ତ୍ତୃତ୍ୱାଧୀନ । ମରହଟ୍ଟା ଓ ଶିଖମାନଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଇଂରେଜମାନଙ୍କ ନିୟନ୍ତ୍ରଣାଧୀନ ହୋଇ ସାରିଥିଲେ ।

 

ଲର୍ଡ ମିଣ୍ଟୋ ଗଭର୍ଣ୍ଣର ଜେନେରାଲ ହୋଇଆସି ଓ୍ୱେଲସେଲିଙ୍କ ରାଜ୍ୟ ବିସ୍ତାର ନୀତିକୁ କାର୍ଯ୍ୟକାରୀ କରିବାରେ ଲାଗିଲେ । ଏତିକିବେଳେ କମ୍ପାନୀର ଅପରିସୀମ ଲାଳସା ଓ ଇଂରେଜ ଅଫିସରଙ୍କ ଦୁର୍ନୀତିଯୋଗୁ ଅସନ୍ତୋଷ ଜାତ ହୋଇ ମାନ୍ଦ୍ରାଜର ଭେଲୋରରେ ବିଦ୍ରୋହ ଦେଖାଦେଲା । ଏହାପରେ ୧୮୦୯ ଖ୍ରୀଷ୍ଟାବ୍ଦରେ ମସଲିମପଟନଠାରେ ବିଦ୍ରୋହ ଆରମ୍ଭ ହେଲା-। ମାତ୍ର ଅନାୟାସରେ ଏ ଦୁଇଟି ବିଦ୍ରୋହକୁ ଦମନ କରି ଦିଆଗଲା ।

 

୧୮୦୪ ଖ୍ରୀଷ୍ଟାବ୍ଦରେ ସାହାଆଲମ ଦିଲ୍ଲୀର ସିଂହାସନରେ ବସିଲେ । ସେ ତ୍ରୈମୂରଙ୍କର ଦଶମ ବଂଶଧର । ମରହଟ୍ଟାମାନଙ୍କ ଶ୍ୱେନଦୃଷ୍ଟି ଦିଲ୍ଲୀ ସିଂହାସନ ଉପରେ । ମୋଗଲ ମହିମା ଅସ୍ତଗାମୀ । ଓ୍ୱେଲସେଲୀ ତାଙ୍କୁ ମରହଟ୍ଟାମାନଙ୍କ ଉତ୍ପୀଡ଼ନରୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଲେ ଏବଂ ସେହି ସୁଯୋଗରେ ଭାରତରେ ଇଂରେଜ ସାମ୍ରାଜ୍ୟର ସୌଧ ରଚନା କଲେ । ଏ ସମ୍ପର୍କରେ ଲର୍ଡ ଓ୍ୱେଲସେଲୀ ଇଂଲଣ୍ଡକୁ ପଠାଇଥିବା ଗୋଟିଏ ରିପୋର୍ଟ ଏଠାରେ ଉଲ୍ଲେଖଯୋଗ୍ୟ ।

 

ଲର୍ଡ ଓ୍ୱେଲସେଲୀ ୧୮୦୪ ମସିହା ଜୁଲାଇ ୪ ତାରିଖରେ ଲେଖିଥିଲେ–‘‘ଫରାସୀ ନିୟନ୍ତ୍ରଣରୁ ସମ୍ରାଟଙ୍କୁ ଉଦ୍ଧାର କରିବା ଫଳରେ ଭାରତରେ ଫରାସୀ ଆଧିପତ୍ୟ ମୂଳରେ କୁଠାରାଘାତ କରା ଯାଇଥିବାର ମୋର ବିଶ୍ୱାସ । ହିନ୍ଦୁସ୍ଥାନର ଉତ୍ତର ପୂର୍ବାଞ୍ଚଳରେ ସେମାନଙ୍କ ପ୍ରାଧାନ୍ୟ ଯଥେଷ୍ଟ ଅଧିକ । ଏବେ ଆଉ ଫରାସୀମାନେ ବ୍ରିଟିଶ ସରକାର ବିରୋଧରେ ସଂଗ୍ରାମ କରି ପାରିବେ ନାହିଁ । ବୃଦ୍ଧ ବାଦ୍‍ଶାହଙ୍କୁ ଆମର ରକ୍ଷଣା ବେକ୍ଷଣ ଅଧୀନକୁ ଆଣି ତାଙ୍କ ପରିବାରବର୍ଗଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରତି ଦୃଷ୍ଟିଦେଲେ, ଆମେ ଅନାୟାସରେ ଅନ୍ୟାନ୍ୟ ଦେଶୀୟ ରାଜ୍ୟର ବିଶ୍ୱାସ ଓ ପ୍ରଶଂସା ଲାଭ କରିପାରିବା । ଏହାଦ୍ୱାରା କମ୍ପାନୀର ରାଜ୍ୟ ବିସ୍ତାରାପଥ ସୁଗମ ହୋଇଯିବ ବୋଲି ମୋର ଧାରଣା । ଏଣିକି ଆମକୁ ଧୀରେ ଧୀରେ ଦିଲ୍ଲୀ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ପଡ଼ିବ ।’’

 

ଓ୍ୱେଲସେଲୀ ପ୍ରକୃତରେ ଦିଲ୍ଲୀ ଅଧିକାର କଲେ । ମୋଗଲ ସାମ୍ରାଟଙ୍କୁ ବାର୍ଷିକ ସାଢ଼େ ତେରଲକ୍ଷ ଟଙ୍କା ବୃତ୍ତି ଦେଇ ଧୀରେ ଧୀରେ ସମସ୍ତ ଶାସନ କ୍ଷମତା ହାତକୁ ନେଲେ । ଏହାର ଦୁଇବର୍ଷ ପରେ ସାହ ଆଲମ ମୃତ୍ୟୁବରଣ କଲେ । ତାଙ୍କ ପୁତ୍ର ଆକବର ଶାହ ଦିଲ୍ଲୀ ସିଂହାସନର ଉତ୍ତରାଧିକାରୀ ହେଲେ । ଏହି ସମୟରେ ଲର୍ଡ ହେଷ୍ଟିଂସ ଗଭର୍ଣ୍ଣର ଜେନେରାଲ ହୋଇ ଆସିଲେ-। ସେ ଇଂଲଣ୍ଡକୁ ଲେଖିଲେ ଯେ ଦିଲ୍ଲୀ ବାଦ୍‍ଶାହୀର ଅସ୍ତିତ୍ୱ ବର୍ତ୍ତମାନ ମୂଲ୍ୟହୀନ । ତୁରନ୍ତ ଏହାର ଅବଲୁପ୍ତି ଆବଶ୍ୟକ ।

 

ମାତ୍ର କମ୍ପାନୀର ବୋର୍ଡ ଅଫ ଡିରେକ୍ଟର ମତ ଦେଲେ ଯେ ସହସା ଏଥିରେ ହସ୍ତକ୍ଷେପ କରିବା ସମୀଚୀନ ହେବନାହିଁ । ଅର୍ଥହୀନ ଓ କ୍ଷମତାହୀନ ବାଦ୍‍ଶାହୀ ପ୍ରତି ପ୍ରଜାମାନଙ୍କର ବର୍ତ୍ତମାନ ମଧ୍ୟ ଆନୁଗତ୍ୟ ରହିଛି । ଏଣୁ ଅସନ୍ତୋଷ ସୃଷ୍ଟି ନ କରି ଇତିହାସ ହାତରେ ଅବଲୁପ୍ତିର ଶେଷ କାର୍ଯ୍ୟତକ ଛାଡ଼ିଦେବା ବାଞ୍ଛନୀୟ ।

 

ଯାହାହେଉ ଇଂରେଜମାନଙ୍କ ଅନୁଗୃହୀତ ଭାବରେ ଆକବରଶାହ ଏକତ୍ରିଂଶ ବର୍ଷ ରାଜତ୍ୱ କଲେ । ୧୮୩୫ ମସିହାରେ କମ୍ପାନୀ ମୋଗଲ ମୁଦ୍ରା ପ୍ରଚଳନ ବନ୍ଦ କରି ନିଜର ମୁଦ୍ରା ଚଳାଇଲେ । ବାଦ୍‍ଶାହା ବ୍ୟଥିତ ହେଲେ ସତ, ମାତ୍ର ପ୍ରକାଶ କରିପାରିଲେ ନାହିଁ । କାରଣ ପ୍ରତିକାର ତାଙ୍କ ଶକ୍ତିର ବହିର୍ଭୁତ ଥିଲା । ମୋଗଲ ପ୍ରାସାଦ ସେତେବେଳେ ଆଳସ୍ୟ ଓ ବ୍ୟଭିଚାରରେ ଆକଣ୍ଠ ନିମଜ୍ଜମାନ । ତେଣୁ ଇତିହାସର ଦୁନିର୍ବାର ଗତିପଥକୁ ରୋଧ କରିବାକୁ ସମ୍ରାଟଙ୍କର ଶକ୍ତି କାହିଁ ? ଅବଶେଷରେ ୮୨ ବର୍ଷ ବୟସରେ ୧୮୩୭ ଖ୍ରୀଷ୍ଟାବ୍ଦରେ ଆକବର ଶାହାଙ୍କର ମୃତ୍ୟୁ ଘଟିଲା । ବ୍ରିଟିଶ ଗଭର୍ଣ୍ଣରଙ୍କ ହସ୍ତକ୍ଷେପ ଫଳରେ ଶାହଜାଦା ଆବୁ ଜୁଫର ମୋଗଲ ସିଂହାସନର ଉତ୍ତରାଧିକାରୀ ହେଲେ । ତାଙ୍କର ପୁରାନାମ ରହିଲା–ଆବୁଲ ମୁଜାଫର ସୁରାଜଉଦ୍ଦୀନ ମହମ୍ମଦ ବାହାଦୂରଶାହ ପାତସାହୀ ଗାଜୀ । ଇତିହାସରେ ସେ ୨ୟ ବାହାଦୂର ଶାହ ନାମରେ ପରିଚିତ । ସିଂହାସନ ଆରୋହଣ କଲାବେଳକୁ ତାଙ୍କର ବୟସ ଷାଠିଏ ବର୍ଷ ହୋଇଥିଲା । ସିପାହୀଯୁଦ୍ଧର ସେ ଅନ୍ୟତମ ମୁଖ୍ୟ ନାୟକ ।

 

ସିଂହାସନ ଆରୋହଣ କରିବା ପରେ ବାହାଦୂର ଶାହ ଆପତ୍ତି କଲେ ଯେ କମ୍ପାନୀ ତରଫରୁ ତାଙ୍କୁ ଯେଉଁ ବୃତ୍ତି ଦିଆଯାଉଛି ତାହା ଯଥେଷ୍ଟ ନୁହେଁ । ଏଣୁ ବୋର୍ଡ ଅଫ ଡିରେକ୍ଟରର୍ସଙ୍କ ନିକଟରେ ଆପତ୍ତି ଜଣାଇବା ପାଇଁ ସେ ରାମମୋହନ ରାୟଙ୍କୁ ରାଜା ଉପାଧି ପ୍ରଦାନ କରି ସ୍ୱତନ୍ତ୍ର ଦୂତ ରୂପେ ଲଣ୍ଡନ ପଠାଇଲେ । ମାତ୍ର ତାଙ୍କର ଦୌତ୍ୟ ନିଷ୍ଫଳ ହେଲା । ବାହାଦୂରଶାହ ନିଷ୍ଫଳ ଆକ୍ରୋଶରେ ହାରେମ ମଧ୍ୟରେ ଦିନ ବିତାଇବାରେ ଲାଗିଲେ ।

 

‘ସବ୍‌ ଲାଲ ହୋ ଜାୟଗା ।’

 

ପଞ୍ଜାବକେଶରୀ ରଣଜିତ ସିଂହ ଦିନେ ଭାରତ ମାନଚିତ୍ରକୁ ଦେଖି ସ୍ଵଗତୋକ୍ତି କରିଥିଲେ । ଏ ଉକ୍ତିର ତାତ୍ପର୍ଯ୍ୟ ହେଉଛି–ଇଂରେଜମାନେ ଯେଉଁ ରାଜ୍ୟ ନିଜ ଅଧିକାରକୁ ନେଉଥିଲେ, ସେ ସବୁ ରାଜ୍ୟକୁ ଲାଲରଙ୍ଗରେ ରଞ୍ଜିତ କରୁଥିଲେ । ଭାରତ ମାନଚିତ୍ରରେ ଏହି ଲାଲରଙ୍ଗର ଚିହ୍ନ ଦେଖି ରଣଜିତ୍‌ ସିଂହ କହିଥିଲେ–ସବ୍ ଲାଲ ହୋ ଜାୟଗା ।

 

ଦୂରଦ୍ରଷ୍ଟା ରଣଜିତ ସିଂହଙ୍କ ଉକ୍ତି ସତ୍ୟରେ ପରିଣତ ହେବାକୁ ଲାଗିଲା । ଖାଲସା ସେନାପତି ସର୍ଦ୍ଦାର ତେଜସିଂହ ଓ ରାଜା ଲାଲସିଂହଙ୍କ ଗୋପନ ଷଡ଼ଯନ୍ତ୍ରରେ ଏବଂ ବ୍ରିଟିଶ ସେନାନାୟକ କର୍ଣ୍ଣେଲ ନିକଲସନଙ୍କ ଚାତୁରୀରେ ଇଂରେଜମାନେ ଶିଖ ସମରରେ ବିଜୟ ଲାଭ କଲେ । ପଲାସୀ ଯୁଦ୍ଧର ପୁନରାବୃତ୍ତି ଘଟିଲା । ଲର୍ଡ ହାର୍ଡିଞ୍ଜ ସେତେବେଳେ ଭାରତରେ ଗଭର୍ଣ୍ଣର ଜେନେରାଲ । ମୀରମୀୟାଁଠାରେ ଯେଉଁ ସନ୍ଧି ହେଲା, ତହିଁରେ ଘୋଷଣା କରାଗଲା ଯେ ବ୍ରିଟିଶ ସରକାର ଶତଦ୍ରୁ ଓ ବିପାଶା ନଦୀର ମଧ୍ୟବର୍ତ୍ତୀ ଜଳନ୍ଧର ଅଞ୍ଚଳ ନିଜ ଅଧିକାରକୁ ନେବେ । ଯେଉଁ ଖାଲସା ସୈନ୍ୟମାନେ ଇଂରେଜମାନଙ୍କ ବିରୋଧରେ ଅସ୍ତ୍ର ଧାରଣ କରିଥିଲେ, ସେମାନଙ୍କୁ ନିରସ୍ତ୍ର କରାଯିବ । ମହାରାଜା ରଣଜିତସିଂହ କୋଷାଗାରରେ ୧୨ କୋଟି ଟଙ୍କା ରଖିଥିଲେ । ତହିଁରୁ ୬ କୋଟି ଟଙ୍କାର ହିସାବ ମିଳୁ ନ ଥିବାରୁ କମ୍ପାନୀ ସେ ବାବଦରେ କାଶ୍ମୀର ରାଜ୍ୟ ନିଜ ଅଧିକାରକୁ ନେବେ ।

 

ରଣଜିତ ମହିଷୀ ଝିନ୍ଦନଙ୍କ ବୁକୁ ଥରାଇ ଦୀର୍ଘ ନିଶ୍ୱାସ ବାହାରି ଆସିଲା । ମାତ୍ର ସେ ନିରୂପାୟ । ପୁତ୍ର ଦିଲ୍ଲୀପ ସିଂହ ନାଁ ବାଳକ । ପ୍ରତିବାଦର ମଧ୍ୟ କିଛି ମୂଲ୍ୟ ନାହିଁ ।

 

ଲର୍ଡ ହାର୍ଡିଞ୍ଜିଙ୍କ ଘୋଷଣା ପରେ ପରେ ମନ୍ତ୍ରୀ ଗୁଲାବସିଂହ ତିନି କୋଟି ଟଙ୍କା ମୂଲ୍ୟରେ କାଶ୍ମୀରକୁ କ୍ରୟ କରି ନିଜେ ସ୍ୱାଧୀନ ନରପତି ହେଲେ । ଲାଲସିଂହ ପଞ୍ଜାବର ମନ୍ତ୍ରୀ ହେଲେ । ମାତ୍ର ତାଙ୍କର ବିଶ୍ୱାସଘାତକତା ଓ ଅଯୋଗ୍ୟତା ଫଳରେ ରଣଜିତଙ୍କ ବିସ୍ତୃତ ସାମ୍ରାଜ୍ୟ ଆହୁରି ସଙ୍କୁଚିତ ହୋଇପଡ଼ିଲା । ଫଳରେ ତାଙ୍କୁ ନିର୍ବାସନ କରାଗଲା ।

 

ରାଣୀ ଝିନ୍ଦନଙ୍କ ସହ ଲର୍ଡ ଲର୍ଡିଞ୍ଜଙ୍କର ପୁଣିଥରେ ସନ୍ଧି ହେଲା । ଏହା ବାଇରବଲ ସନ୍ଧି ନାମରେ ପ୍ରସିଦ୍ଧ । ଏହା ଫଳରେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଦିଲ୍ଲୀପସିଂହଙ୍କ ଅଭିଭାବକ ଭାବରେ ରାଜ୍ୟ ଶାସନ କଲେ । ହେନେରୀ ଲରେନ୍‌ସ ରେସିଡେଣ୍ଟ ରହିଲେ । ରାଣୀ ଝିନ୍ଦନ ଏହି ନିଷ୍ପତ୍ତିର ପ୍ରତିବାଦ କରିବାରୁ ବିନା ବିଚାରରେ ତାଙ୍କୁ ଶେଖପୁରାର ନିର୍ଜନ ସ୍ଥାନରେ ବନ୍ଦୀ କରି ରଖାଗଲା ।

 

ଲର୍ଡ ଡେଲହାଉସୀ ୧୮୪୬ ଖ୍ରୀଷ୍ଟାବ୍ଦରେ ଲର୍ଡ ହାର୍ଡିଞ୍ଜଙ୍କଠାରୁ ଶାସନ ଦାୟିତ୍ୱ ଗ୍ରହଣ କଲେ । ଭାରତ ଆସି ସେ ଦେଖିଲେ ଯେ ପଞ୍ଚନଦ ସଲୀଳସିକ୍ତ ପଞ୍ଜାବ ଅସ୍ଥିର । ଶେଖପୁରାର ନିର୍ଜନ କାରା ଅନ୍ତରାଳରେ ରହି ରାଣୀ ଝିନ୍ଦନ ବିଦ୍ରୋହ ପରିଚାଳନା କରୁଛନ୍ତି । ସୁଲତାନରେ ବିଦ୍ରୋହ ଦେଖାଦେଇଛି ଓ ସେଠାରେ ଦୁଇଜଣ ଇଂରେଜଙ୍କୁ ହତ୍ୟା କରାଯାଇଛି । ସେ ଆଉ କାଳ ବିଳମ୍ବ ନ କରି ଶିଖ ସେନାପତି ଖାଁ ସିଂହ ଓ ମହାରାଣୀଙ୍କ ବିଶ୍ୱସ୍ତ ଗଙ୍ଗାରାମଙ୍କୁ ଦୋଷୀ ସାବ୍ୟସ୍ତ କଲେ । ଷଡ଼ଯନ୍ତ୍ର ଅଭିଯୋଗରେ ସେମାନଙ୍କୁ ପ୍ରକାଶ୍ୟରେ ଫାଶୀ ଦିଆଗଲା । ରାଣୀଙ୍କର ବାର୍ଷିକ ବୃତ୍ତି ଦେଢ଼ଲକ୍ଷ ଟଙ୍କା କମାଇ ଦିଆଯାଇ ମାତ୍ର ବାରହଜାର ଟଙ୍କା ରଖାଗଲା । ତାଙ୍କର ମୂଲ୍ୟବାନ ହୀରା ଜହରତ ଆଦି ବ୍ୟାଜାପ୍ତି କରାଗଲା ।

 

ଏତିକିବେଳେ ରାଜକୁମାର ଦିଲ୍ଲୀପ ସିଂହଙ୍କର ହାଜରାର ଶାସନକର୍ତ୍ତା ଛତ୍ର ସିଂହଙ୍କ କନ୍ୟା ସହିତ ବିବାହ ସ୍ଥିର କରାଗଲା । ଛତ୍ରସିଂହ ଜଣେ ନିର୍ଭୀକ ପୁରୁଷ ଓ ଦେଶଭକ୍ତ ଥିବାରୁ ଇଂରେଜ ରେସିଡେଣ୍ଟ ଏ ବିବାହ ପାଇଁ ଅନୁମତି ଦେଲେନାହିଁ । ଫଳରେ ଛତ୍ରସିଂହ ବିଦ୍ରୋହୀ ହେଲେ । ଆଗରୁ ରାଣୀଙ୍କ ପ୍ରତି ଇଂରେଜଙ୍କ ଦୁର୍ବ୍ୟବହାରରେ ସମଗ୍ର ଶିଖଜାତି ଅସନ୍ତୁଷ୍ଟ ହୋଇଥିଲା । ଛତ୍ରସିଂହ ବିଦ୍ରୋହୀ ହେବାରୁ ତାଙ୍କ ନେତୃତ୍ୱରେ ଚିନିୟାବାଲାଠାରେ ଦ୍ଵିତୀୟ ଶିଖ ସମର ଆରମ୍ଭ ହେଲା । ଶେଷରେ ଇଂରେଜ ସେନାପତି ସାର୍‌ ଓ୍ୟାଣ୍ଟସ ଗିଲବାର୍ଟ ବିଜୟୀ ହେଲେ-। ଭାରତ ମାନଚିତ୍ରରେ ପଞ୍ଜାବ ଲାଲରଙ୍ଗରେ ରଞ୍ଜିତ ହେଲା । ରଣଜିତ ସିଂହଙ୍କ କୋହିନୂର ହୀରକ ଇଂରେଜମାନଙ୍କର ହସ୍ତଗତ ହେଲା । ଦିଲ୍ଲୀପ ସିଂହ ରାଜ୍ୟ ଚ୍ୟୁତ ହୋଇ ଫତେଗଡ଼ରେ ବାସ କଲେ । ପରେ ତାଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଯାଇ ଲଣ୍ଡନ ପଠାଇ ଦିଆଗଲା ।

 

ଡକଟ୍ରିନ ଅଫ ଲ୍ୟାପସ୍‌ ।

 

ଅର୍ଥାତ୍‌ ରାଜସ୍ୱତ୍ୱ ଲୋପ ନୀତି–ମାତ୍ର ଯାହାର ଅନ୍ତର୍ନିହିତ ଅର୍ଥ–ପରରାଜ୍ୟ ଗ୍ରାସ ନୀତି-

 

ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସୀ ଇଂରେଜ ରାଜ୍ୟ ବିସ୍ତାର ପାଇଁ ଏହି ନୂତନ ଆଇନଟି ପ୍ରଣୟନ କଲେ । ଏଥିରେ ଉଲ୍ଲେଖ ରହିଲା ଯେ ସମସ୍ତ ରାଜ୍ୟ ସାର୍ବଭୌମ ପ୍ରଭୁଶକ୍ତି ଆଶ୍ରିତ; ସେ ସମସ୍ତ ରାଜ୍ୟର ଅଧିପତିମାନେ ଔରସଜାତ ସନ୍ତାନ ଅଭାବରେ ପୋଷ୍ୟପୁତ୍ର ଗ୍ରହଣ କଲେ, କମ୍ପାନୀ ସରକାରଠାରୁ ଅନୁମତି ନେବାକୁ ପଡ଼ିବ । ଯଦି ସରକାର ଅନୁମୋଦନ ନ କରନ୍ତି, ତେବେ ସେ ସମସ୍ତ ରାଜ୍ୟ କମ୍ପାନୀ ରାଜ୍ୟର ଅନ୍ତର୍ଭୁକ୍ତ ହେବ ।

 

ପଞ୍ଜାବ କମ୍ପାନୀ ସରକାରର କୁକ୍ଷିଗତ ହୋଇଗଲା । ଅନ୍ୟ ଆଶ୍ରିତ ରାଜ୍ୟ ମଧ୍ୟରେ ସେତାରା, ଝାନ୍‌ସୀ ଓ ଅଯୋଧ୍ୟା ପ୍ରଧାନ । ଡେଲହାଉସୀଙ୍କ ପ୍ରଥମ ଦୃଷ୍ଟି ପଡ଼ିଲା ସେତାରା ଉପରେ ।

 

ଛତ୍ରପତି ଶିବାଜୀଙ୍କ ରାଜ୍ୟ ସେତାରା । ଶିବାଜୀ ଦିନେ ଗୁରୁ ରାମଦାସଙ୍କୁ ଭିକ୍ଷା କରୁଥିବାର ଦେଖି ବ୍ୟଥିତ ହେଲେ । ସେ ଗୁରୁଙ୍କୁ ଡକାଇ ସମସ୍ତ ମହାରାଷ୍ଟ୍ର ରାଜ୍ୟ ଅର୍ପଣ କରି ନିଜେ ତାଙ୍କର ପ୍ରତିନିଧି ରୂପେ ରାଜ୍ୟ ଶାସନ କଲେ । ତାପରେ ସେ ଗୈରିକ ପତାକା ଉଡ଼ାଇ ବୈରାଗୀର ଉତ୍ତରୀୟ ଧାରଣ କଲେ ।

 

ଯେଉଁ ଶିବାଜୀଙ୍କ ରଣ କୌଶଳ ଓ ବୀରତ୍ୱରେ ଦିନେ ମୋଗଲ ସାମ୍ରାଜ୍ୟର ଭିତ୍ତିପ୍ରସ୍ତର ପର୍ଯ୍ୟନ୍ତ କମ୍ପିତ ହେଉଥିଲା, ତାଙ୍କରି ବଂଶଧର ପ୍ରତାପସିଂହ ନୈଶ ଅନ୍ଧକାରରେ ବାରାଣସୀକୁ ନିର୍ବାସିତ ହେଲେ । କମ୍ପାନୀ ସରକାର ସାହାଯ୍ୟରେ ତାଙ୍କ ଭାଇ ସେତାରା ରାଜ୍ୟରେ ବସିଲେ । ସେ ଅପୁତ୍ରିକ ଅବସ୍ଥାରେ ମରିବା ପୂର୍ବରୁ ପୋଷ୍ୟପୁତ୍ର ଗ୍ରହଣ କରିଥିଲେ । ମାତ୍ର ଡେଲହାଉସୀ ଏହାକୁ ଅସିଦ୍ଧ ଘୋଷଣା କରି ସେତାରାକୁ କମ୍ପାନୀ ରାଜ୍ୟର ଅନ୍ତର୍ଭୁକ୍ତ କରିନେଲେ-

 

ସେତାରା ପରେ ଝାନ୍‌ସି । ତରୁଣ ଗଙ୍ଗାଧର ରାଓ ଝାନ୍‌ସୀର ରାଜା । ରାଣୀ ଲକ୍ଷ୍ମୀବାଈ ତାଙ୍କର ସହଧର୍ମିଣୀ । ମୃତ୍ୟୁ ପୂର୍ବରୁ ସେ ଯଥାବିଧି ଦତ୍ତକ ଗ୍ରହଣ କଲେ । ମାତ୍ର ଡେଲହାଉସୀ ତାହା ସ୍ୱୀକାର କଲେ ନାହିଁ । ଇଂରେଜ ପ୍ରତିନିଧି ଝାନ୍‌ସି ଦଖଲ କଲେ ।

 

ରାଣୀ ଲକ୍ଷ୍ମୀବାଈ ବହୁ ଆପତ୍ତି ଅଭିଯୋଗ କଲେ । ମାତ୍ର ତାଙ୍କ କଥା ଶୁଣାଗଲା ନାହିଁ-। ବୀରା ରାଣୀଙ୍କ କଣ୍ଠରୁ ଧ୍ୱନିତ ହେଲା–‘‘ମେରୀ ଝାନ୍‌ସି ଦିଉଙ୍ଗୀ ନହିଁ ।’’

 

ସେତାରା ଗଲା–ଝାନ୍‌ସି ଗଲା । ଏହାପରେ ପାଳି ପଡ଼ିଲା ନାଗପୁରର । ଉତ୍କୃଷ୍ଟ ତୁଳା ପାଇଁ ନାଗପୁର ପୃଥିବୀରେ ପ୍ରସିଦ୍ଧ । ଡେଲହାଉସୀ ଇଂଲଣ୍ଡରୁ ଭାରତ ଆସିବା ପ୍ରାକ୍‌କାଳରେ ସେଠାକାର ବଣିକ ଗୋଷ୍ଠୀ ତାଙ୍କୁ ଏକ ଭୋଜି ସଭାରେ ଆପ୍ୟାୟିତ କରିଥିଲେ । ଏହି ସଭାରେ ଇଂଲଣ୍ଡର ବସ୍ତ୍ର ଶିଳ୍ପର ଉନ୍ନତି ପାଇଁ ଦୃଷ୍ଟିଦେବାକୁ ମଧ୍ୟ ଅନୁରୋଧ ଜଣାଇଥିଲେ । ଡେଲହାଉସୀଙ୍କର ବଣିକମାନଙ୍କ କଥା ମନେ ପଡ଼ିଲା । କ୍ଷୁଧାର୍ତ୍ତ ବ୍ୟାଘ୍ର ଶିକାର ନିକଟକୁ ଯିବାପରି ସେ ନାଗପୁର ଦଖଲ ପାଇଁ ଅଗ୍ରସର ହେଲେ ।

 

ନାଗପୁର ସେତେବେଳେ ଭୋଁସଲାମାନଙ୍କ ଶାସନାଧୀନ ଥିଲା । ୧୮୫୩ ମସିହାରେ ରଘୁଜୀ ଭୋଁସଲା ଅପୁତ୍ରିକ ଅବସ୍ଥାରେ ପ୍ରାଣତ୍ୟାଗ କଲେ । ତାଙ୍କର ଜ୍ୟେଷ୍ଠା ମହିଷୀ ଅନ୍ନପୂର୍ଣ୍ଣା ବାଇ ଦତ୍ତକ ଗ୍ରହଣ କଲେ । ନାଗପୁରର ରେସିଡେଣ୍ଟ ମାନସୋଲ ସାହେବ ତାହା ପତ୍ୟାଖ୍ୟାନ କଲେ । ଡେଲହାଉସୀଙ୍କ ନିକଟକୁ ରିପୋର୍ଟ ଗଲା । ସେ ତତ୍‌କ୍ଷଣାତ୍‌ ନାଗପୁର କମ୍ପାନୀ ସରକାରର ଅଧିକାର ଭୁକ୍ତ ହେଲା ବୋଲି ଘୋଷଣା କରିଦେଲେ ।

 

ନାଗପୁର କୋଷାଗାରରୁ କମ୍ପାନୀ ପ୍ରାୟ ଏକ କୋଟି ଟଙ୍କାର ମଣିମୁକ୍ତା ଓ ଅନ୍ୟାନ୍ୟ ସମ୍ପତ୍ତି ପାଇଲେ ।

 

ଏହାପରେ ଡେଲହାଉସୀଙ୍କ ଶ୍ୱେନଦୃଷ୍ଟି ପଡ଼ିଲା ହାଇଦ୍ରାବାଦ ଉପରେ । ହାଇଦ୍ରାବାଦର ନିଜାମ ଅର୍ଦ୍ଧଶତାବ୍ଦୀ ପୂର୍ବେ ଲର୍ଡ ଓ୍ୱେଲସେଲୀଙ୍କ ସହ ଏକ ସନ୍ଧି କରିଥିଲେ । ସନ୍ଧିର ସର୍ତ୍ତ ଅନୁସାରେ ନିଜାମ ଦଳେ ଇଂରେଜ ସୈନ୍ୟଙ୍କ ବ୍ୟୟ ଭାର ବହନ କରିବାକୁ ସମ୍ମତ ହୋଇଥିଲେ । ଏହି ବ୍ୟୟ ଫଳରେ ନିଜାମ ଋଣଗ୍ରସ୍ତ ହୋଇପଡ଼ିଲେ । ଏଭଳି ସର୍ତ୍ତ ଚାଳିଶ ବର୍ଷ ପାଇଁ ହୋଇଥିଲା । ସମୟ ଅତୀତ ହୋଇଗଲା । ମାତ୍ର କମ୍ପାନୀ ସୈନ୍ୟ ଉଠାଇ ନେବାର କୌଣସି ବ୍ୟବସ୍ଥା କଲେନାହିଁ । ଫଳରେ ଋଣଗ୍ରସ୍ତ ନବାବ ଆପତ୍ତି କଲେ । ମାତ୍ର ‘କା କସ୍ୟ ପରିବେଦନା’ ? ପୁଣି ଦଶ ବର୍ଷ ବିତିଗଲା । ନିଜାମଙ୍କ ଋଣର ପରିମାଣ ଏକ କୋଟି ଟଙ୍କା ହୋଇଗଲା ।

 

ଡେଲହାଉସୀ ବାର୍ତ୍ତା ପଠାଇଲେ ‘‘ତୁରନ୍ତ ଋଣ ପରିଶୋଧ କର, ନଚେତ୍‌ ପାଞ୍ଚଲକ୍ଷ ଟଙ୍କା ଆୟର ଏକ ଭୂସମ୍ପତ୍ତି ଛାଡ଼ିଦିଅ ।’’

 

ନିଜାମ ଅବିଳମ୍ବେ ଚାଳିଶ ଲକ୍ଷ ଟଙ୍କା ଋଣ ପରିଶୋଧ କରି ବାକିଟଙ୍କା ଶୁଝିବା ନିମନ୍ତେ ସମୟ ନେଲେ । ଦୁଇବର୍ଷ ବିତିଗଲା । ଋଣଟଙ୍କା ବାବଦକୁ କମ୍ପାନୀ ବେରାର ଅଞ୍ଚଳ ଅଧିକାର କରିନେଲା । ଏ ଅଞ୍ଚଳ ମଧ୍ୟ ତୁଳା ପାଇଁ ପ୍ରସିଦ୍ଧ । ମାଞ୍ଚେଷ୍ଟରର ତୁଳା ଆବଶ୍ୟକ । ତେଣୁ ନବାବ ନାସିର ଉଦ୍ଦୌଲାଙ୍କ କୌଣସି ଆପତ୍ତି ଶୁଣାଗଲା ନାହିଁ । ଡେଲହାଉସୀ ଇଂଲଣ୍ଡର ବଣିକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହେଲା ।

 

ପରବର୍ତ୍ତୀ ଲକ୍ଷ୍ୟ ତାଞ୍ଜୋର । ତାଞ୍ଜୋରର ରାଜା ଶିବଜୀ ଅପୁତ୍ରିକ ଅବସ୍ଥାରେ ଦୁଇଟି କନ୍ୟା ରଖି ପ୍ରାଣତ୍ୟାଗ କଲେ । ରେସିଡେଣ୍ଟ ଜ୍ୟେଷ୍ଠାକନ୍ୟାଙ୍କୁ ଉତ୍ତରାଧିକାରୀ କରାଯିବାକୁ ଡେଲହାଉସୀଙ୍କୁ ପତ୍ର ଲେଖିଲେ । ମାତ୍ର ତାଙ୍କର ପ୍ରସ୍ତାବ ଅଗ୍ରାହ୍ୟ ହେଲା । ତାଞ୍ଜୋର କମ୍ପାନୀ ରାଜ୍ୟରେ ମିଶିଗଲା ।

 

ଊନବିଂଶ ଶତାବ୍ଦୀର ଆରମ୍ଭବେଳକୁ ଭାରତରେ ୩ଟି ମାତ୍ର ସ୍ୱାଧୀନ ମହାରାଷ୍ଟ୍ରୀୟ ରାଜ୍ୟ ଥିଲା । ତାହା ହେଉଛି–ସେତାରା, ନାଗପୁର ଓ ପୁନା । ଏବେ ସେତାରା ଓ ନାଗପୁର କମ୍ପାନୀ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହୋଇଗଲା । ତା ପୂର୍ବରୁ ପୁନା ଯାଇଥିଲା ।

 

ଦ୍ୱିତୀୟ ମରହଟ୍ଟା ଯୁଦ୍ଧପରେ ୧୮୧୮ ଖ୍ରୀଷ୍ଟାବ୍ଦରେ ପୁନାର ଅଧିପତି ପେଶବା ବାଜୀରାଓ ଆତ୍ମସମର୍ପଣ କଲେ । କମ୍ପାନୀ ସହିତ ତାଙ୍କର ସନ୍ଧି ହେଲା । ପେଶବା ଆଠଲକ୍ଷ ଟଙ୍କା ବୃତ୍ତିପାଇ ନିର୍ଜନ ବାସ ନିମନ୍ତେ କାନପୁରରୁ ୧୨ ମାଇଲ ଦୂରରେ ଥିବା ବିଠୁର ନାମକ ସ୍ଥାନକୁ ଚାଲିଗଲେ । କମ୍ପାନୀ ସେଠାରେ ତାଙ୍କୁ ଏକ ଜାୟଗିରି ମଧ୍ୟ ଦେଲେ । ପେଶବା ସେଠାରେ ଦାସଦାସୀଙ୍କ ସହ ବସବାସ କରିବାକୁ ଲାଗିଲେ ମାତ୍ର ସେ ଅପୁତ୍ରକ ଥିବାରୁ ନାନା ସାହେବଙ୍କୁ ପୋଷ୍ୟପୁତ୍ର ଗ୍ରହଣ କଲେ । ତାଙ୍କୁ ପେଶବା ଉପାଧି ପ୍ରଦାନ ପୂର୍ବକ ବାର୍ଷିକବୃତ୍ତିର ବିଧିସଙ୍ଗତ ଉତ୍ତରାଧିକାରୀ ସ୍ୱୀକାର କରିବାକୁ ସରକାରଙ୍କୁ ଅନୁରୋଧ କଲେ । ମାତ୍ର କମ୍ପାନୀ ତାହା ଅଗ୍ରାହ୍ୟ କଲେ । ପେଶବା ଭବିଷ୍ୟତ ଉପରେ ନିର୍ଭର କରି ଧୁନ୍ଦୁପନ୍ଥ ନାନା ସାହେବଙ୍କ ନାମରେ ପେଶବା ଗାଦୀ ଓ ସ୍ଥାବର ଅସ୍ଥାବର ସମ୍ପତ୍ତିର ଉଇଲ କରିଦେଇ ୭୭ ବର୍ଷ ବୟସରେ ପରଲୋକ ଗମନ କଲେ । ସେତେବେଳକୁ ନାନାସାହେବଙ୍କ ବୟସ ୨୭ ବର୍ଷ ।

 

ପିତାଙ୍କ ମୃତ୍ୟୁପରେ ନାନାସାହେବ ୩୦ ଲକ୍ଷ ଟଙ୍କାର ଅଧିକାରୀ ହୋଇ ବାଜୀରାଓଙ୍କ ବୃତ୍ତି ଦାବୀ କଲେ । ବିଠୁରର ବ୍ରିଟିଶ କମିଶନର ତାଙ୍କ ଦାବୀକୁ ଅନୁମୋଦନ କଲେ । ମାତ୍ର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସୀ ଜଣାଇ ଦେଲେ ଯେ ‘‘ପେଶବା ତେତ୍ରିଶ ବର୍ଷକାଳ ବାର୍ଷିକ ୮ ଲକ୍ଷ ଟଙ୍କା ଲେଖାଏଁ ବୃତ୍ତି ଭୋଗ କରିଛନ୍ତି । ଏହାଛଡ଼ା ତାଙ୍କର ଜାୟଗିରି ଉପସ୍ୱତ୍ୱ ଥିଲା । ଏହି ସମୟ ମଧ୍ୟରେ ସେ ତହିଁରୁ ଅଢ଼େଇ କୋଟି ଟଙ୍କା ଲାଭ କରିଛନ୍ତି । ତାଙ୍କର କୌଣସି ଔରସଜାତ ପୁତ୍ର ନାହାନ୍ତି । ସେ ମଧ୍ୟ ୨୮ ଲକ୍ଷ ଟଙ୍କା ପରିବାରମାନଙ୍କ ପାଇଁ ରଖିଯାଇଛନ୍ତି । ତେଣୁ ତାଙ୍କର ଆତ୍ମୀୟ ସ୍ୱଜନଙ୍କର ବୃତ୍ତିପାଇଁ କୌଣସି ଦାବୀ ଥିବାପରି ମନେ ହେଉନାହିଁ । ପେଶବା ଯେଉଁ ସମ୍ପତ୍ତି ରଖିଯାଇଛନ୍ତି, ତାହା ସେମାନଙ୍କର ଭରଣ ପୋଷଣ ପାଇଁ ଯଥେଷ୍ଟ ହେବ-। ମୋଟ ଉପରେ ନାନାସାହେବଙ୍କ ବୃତ୍ତିଦାବୀକୁ ସରକାର ପ୍ରତ୍ୟାଖ୍ୟାନ କରିଦେଲେ ।

 

ମହାରାଷ୍ଟ୍ର ବୀର ନାନାସାହେବ କେବଳ ପିଞ୍ଜରାବଦ୍ଧ ସିଂହ ପରି ବିଠୁର ରାଜପ୍ରାସାଦରେ ଗର୍ଜ୍ଜନ କରିବାରେ ଲାଗିଲେ ।

 

ପଞ୍ଜାବ, ସେତାରା, ଝାନ୍‌ସି, ନାଗପୁର, ତାଞ୍ଜୋର ଓ ହାଇଦ୍ରାବାଦ ପ୍ରଭୃତି ସ୍ୱାଧୀନ ସାର୍ବଭୌମ ରାଜ୍ୟଗୁଡ଼ିକ ଗୋଟିଏ ପରେ ଗୋଟିଏ କମ୍ପାନୀର କୁକ୍ଷିଗତ ହେଲେ । ଭାରତ ମାନଚିତ୍ରରେ କେବଳ ଅଯୋଧ୍ୟା ଲାଲ ରଙ୍ଗରେ ରଞ୍ଜିତ ହୋଇ ପାରିଲା ନାହିଁ । ଡେଲହାଉସୀ ଦୃଢ଼ ପ୍ରତିଜ୍ଞ ହୋଇ କମ୍ପାନୀର ବୋର୍ଡ ଅଫ୍‌ ଡିରେକ୍ଟରର୍ସଙ୍କ ମତ ବିରୋଧରେ ଅଯୋଧ୍ୟା ଗ୍ରାସ ପାଇଁ ଅଗ୍ରସର ହେଲେ ।

 

ଅଯୋଧ୍ୟାର ନବାବ ସୁଜା ଉଦ୍ଦୌଲା କମ୍ପାନୀର ମିତ୍ର ଥିଲେ । ବକ୍‌ସାର ଯୁଦ୍ଧରେ ପରାଜିତ ହୋଇ ସେ କମ୍ପାନୀ ସହିତ ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ । ସନ୍ଧିର ସର୍ତ୍ତଥିଲା–ଶତ୍ରୁର ଆକ୍ରମଣରୁ ରକ୍ଷା କରିବାପାଇଁ ସରକାରଙ୍କର ଯେଉଁ ସମସ୍ତ ସୈନ୍ୟ ରହିବେ, ନବାବ ସେମାନଙ୍କର ବ୍ୟୟଭାର ବହନ କରିବେ । ଏହା ବ୍ୟତୀତ ଯୁଦ୍ଧବ୍ୟୟ ବାବଦରେ ନବାବ ସରକାରଙ୍କୁ ୫୦ ଲକ୍ଷ ଟଙ୍କା ଦେବେ ।

 

ନବାବ ସର୍ତ୍ତ ପାଳନ କଲେ । ମାତ୍ର ଜନରବ ହେଲା ଯେ ନବାବ କମ୍ପାନୀ ସରକାର ବିରୋଧରେ ଯୁଦ୍ଧ କରିବା ପାଇଁ ଗୋପନରେ ପ୍ରସ୍ତୁତ ହେଉଛନ୍ତି । ତେଣୁ ପୂର୍ବ ସର୍ତ୍ତ ସହିତ ଆଉ ଗୋଟିଏ ସର୍ତ୍ତ ସଂଯୋଜିତ ହେଲା । ତାହା ହେଉଛି–ନବାବ ୩୫ ହଜାରରୁ ଅଧିକ ସୈନ୍ୟ ରଖିପାରିବେ ନାହିଁ । ଏଥିରେ ମଧ୍ୟ ସରକାର ସନ୍ତୁଷ୍ଟ ହେଲେ ନାହିଁ । ବର୍ଗୀ ଆକ୍ରମଣର ସୁଯୋଗ ନେଇ ଚୂନାର ଦୁର୍ଗ,ଏଲାହାବାଦ ଓ କୋରା ଅଞ୍ଚଳ କମ୍ପାନୀ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କରିନେଲେ ।

 

ଲର୍ଡ ହେଷ୍ଟିଂସ ଗଭର୍ଣ୍ଣର ଜେନେରାଲ ଥିବାବେଳେ ହଠାତ୍‌ କମ୍ପାନୀର ଦଶଲକ୍ଷ ଟଙ୍କା ଆବଶ୍ୟକ ପଡ଼ିଲା । ହେଷ୍ଟିଂସ ୫୦ ଲକ୍ଷ ଟଙ୍କା ବିନିମୟରେ କୋରା ଓ ଏଲାହାବାଦ ନବାବଙ୍କୁ ବିକ୍ରୀ କରିଦେଲେ । ନବାବଙ୍କ ସାହାଯ୍ୟ ପାଇଁ ଯେଉଁ ସମସ୍ତ ଇଂରେଜ ସୈନ୍ୟ ଅଯୋଧ୍ୟାରେ ରହିଲେ, ସେମାନଙ୍କର ବ୍ୟୟଭାର ବହନ ପାଇଁ ମଧ୍ୟ ନବାବ ସମ୍ମତ ହେଲେ ।

 

ନବାବଙ୍କ ପରଲୋକ ପରେ ସରକାର ତାଙ୍କର ପୁତ୍ର ଓ ପୌତ୍ରମାନଙ୍କ ସହ ଗୋଟିଏ ପରେ ଗୋଟିଏ ସନ୍ଧି କରି ବାରାଣସୀ, ଜୌନପୁର ଓ ଗାଦୀପୁର ପ୍ରଭୃତି ଗ୍ରାସ କରିବାରେ ଲାଗିଲେ । ଏଣେ କମ୍ପାନୀ ଫୌଜଙ୍କ ବ୍ୟୟ ଭାର ବାର୍ଷିକ ୭୬ ଲକ୍ଷ ଟଙ୍କାରେ ପହଞ୍ଚିଲା ।

 

ଲର୍ଡ ଓ୍ୱେଲସେଲି ଗଭର୍ଣ୍ଣର ଜେନେରାଲ ହୋଇ ଆସି ନବାବ ସାଦତ ଅଲୀଙ୍କୁ ଲେଖି ପଠାଇଲେ–ଆପଣ ବାର୍ଷିକ ବୃତ୍ତି ଗ୍ରହଣ କରି ରାଜ୍ୟ ଛାଡ଼ିଦିଅନ୍ତୁ । ନତୁବା କମ୍ପାନୀ ସୈନ୍ୟଙ୍କ ବ୍ୟୟ ଭାର ବହନ ନିମନ୍ତେ ଅର୍ଦ୍ଧେକ ରାଜ୍ୟ ଛାଡ଼ି ଦିଅନ୍ତୁ । ନବାବ ବାଧ୍ୟ ହୋଇ ଦୁଇକୋଟି ଟଙ୍କା ଆୟର ଦୋଆବ ଓ ରୋହିଲାଖଣ୍ଡ ଅଞ୍ଚଳ କମ୍ପାନୀ ସୈନ୍ୟଙ୍କ ବ୍ୟୟ ବାବଦକୁ ଛାଡ଼ିଦେଲେ । ଏହା ପରେ ପରେ ନେପାଳ ଯୁଦ୍ଧ ଆରମ୍ଭ ହେଲା । ଅଯୋଧ୍ୟାର ନବାବ ଏ ଯୁଦ୍ଧରେ କମ୍ପାନୀକୁ ଏକ କୋଟି ଟଙ୍କା ସାହାଯ୍ୟ ଦେଲେ । ଏହା ବ୍ୟତୀତ କମ୍ପାନୀ ଆଉ କୋଟିଏ ଟଙ୍କା ନବାବଙ୍କଠାରୁ ଋଣ ସ୍ୱରୂପ ଗ୍ରହଣ କଲେ ।

 

ଭାରତର ମଧ୍ୟସ୍ଥଳରେ ଅବସ୍ଥିତ ଏହି ଅଯୋଧ୍ୟା ରାଜ୍ୟଟିର ଧନ ସମ୍ପତ୍ତି ଓ ପ୍ରାକୃତିକ ଐଶ୍ୱର୍ଯ୍ୟ କମ୍ପାନୀକୁ ପ୍ରଲୁବ୍‌ଧ କରିଥିଲା । ଇଷ୍ଟଇଣ୍ଡିଆ କମ୍ପାନୀ ସହିତ ନବାବଙ୍କର ପ୍ରଥମ ସମ୍ବନ୍ଧ ୧୭୬୪ ଖ୍ରୀଷ୍ଟାବ୍ଦରେ ସ୍ଥାପିତ ହେଲା । ତାପରେ ୧୮୦୧ ଖ୍ରୀଷ୍ଟାବ୍ଦରେ ପ୍ରଥମ ସନ୍ଧି ଓ ୧୮୩୭ରେ ୨ୟ ସନ୍ଧି ହେଲା । ଏତେବେଳେ କମ୍ପାନୀ ଅଧୀନରେ ରହିଲା–ରାଜନୈତିକ ଓ ସାମରିକ ଶାସନ ଏବଂ ନବାବଙ୍କ ହାତରେ ରହିଲା–ରାଜ୍ୟ ଶାସନ ଓ ରାଜସ୍ୱ ଆଦାୟର ଦାୟିତ୍ୱ । ଏହିପରି ଦ୍ୱୈତ ଶାସନ ଯୋଗୁ କ୍ରମେ ବିଶୃଙ୍ଖଳା ସୃଷ୍ଟି ହେବାରେ ଲାଗିଲା । ଏ ପରିପ୍ରେକ୍ଷୀରେ ଲର୍ଡ ଡେଲହାଉସୀ ଗଭର୍ଣ୍ଣର ଜେନେରାଲ ହୋଇ ଆସି ନବାବଙ୍କ ରାଜତ୍ୱର ଶେଷ ଚିହ୍ନ ଲୋପ କରିଦେଲେ । ୧୮୫୫ ମସିହା ଫେବୃୟାରୀ ୪ ତାରିଖରେ କମ୍ପାନୀ ରେସିଡେଣ୍ଟ କର୍ଣ୍ଣେଲ ଆଉଟ୍ରାମ ନବାବ ଓ୍ୟାଜିଦ ଅଲୀଙ୍କୁ ସାକ୍ଷାତ କରି ଡେଲହାଉସୀଙ୍କ ପତ୍ର ଦେଲେ । ତହିଁରେ ଅଯୋଧ୍ୟା କମ୍ପାନୀର ରାଜ୍ୟଭୁକ୍ତ ହୋଇଥିବାର ଘୋଷଣା କରାଯାଇଥିଲା । ନବାବ ବାର୍ଷିକ ୧୨ ଲକ୍ଷ ଟଙ୍କା ବୃତ୍ତି ଭୋଗୀ ହେଲେ । ଅରାଜକତାର ଦ୍ୱାହି ଦେଇ ଡେଲହାଉସୀ ସେଦିନ ଅଯୋଧ୍ୟାକୁ ଯେପରି ଗ୍ରାସ କଲେ, ତହିଁରେ ପ୍ରାଚୀନ ରାଜବଂଶମାନଙ୍କର ସମର୍ଥନ ହରାଇଲେ ଏବଂ ଏହି ବିଶାଳ ଭୂଖଣ୍ଡ ମଧ୍ୟରେ ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଲା । ବିଭିନ୍ନ ଇଂରେଜ ବୁଦ୍ଧିଜୀବୀ ଓ ଐତିହାସିକମାନେ ମଧ୍ୟ ଏ ବିଷୟକୁ ସମର୍ଥନ କରିପାରିଲେ ନାହିଁ । ଏ ସମ୍ପର୍କରେ ଐତିହାସିକ ମ୍ୟାଲିସନ ଲେଖିଛନ୍ତି–

 

The Conclusions I have arrived at is that the uprising of 1857 was not primarily caused by the greased cartridge, that it was neither conceived nor designed by the Sepoys. The muting was in reality the offspring of the discontent roused by the highhanded measures in augurated or atlesat largely developed by Lord Dalhousie and brought to a climax by the annexation of Oudh.

ଲଣ୍ଡନର ଏକ ଭୋଜି ସଭା । ଲର୍ଡ କ୍ୟାନିଂ ଭାରତର ଗଭର୍ଣ୍ଣର ଜେନେରାଲ ହୋଇ ଆସିବା ପ୍ରାକ୍‌କାଳରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଏହାର ଆୟୋଜନ କରାଯାଇଥିଲା । ଇଷ୍ଟଇଣ୍ଡିଆ କମ୍ପାନୀର କାର୍ଯ୍ୟାବଳୀ ଏବଂ ଭାରତରେ ଉପନିବେଶ ସ୍ଥାପନର ପ୍ରଶଂସା କରି ଅତିଥିମାନେ ଆଲୋଚନା କରୁଥିଲେ ।

ଏହି ସଭାରେ ଲର୍ଡ କ୍ୟାନିଂ କହିଥିଲେ–‘‘ଆପାତତଃ ବର୍ତ୍ତମାନ ଭାରତ ଶାନ୍ତ ଅଛି । ମାତ୍ର ଏହାର ଆକାଶରେ ଏକହସ୍ତ ପରିମିତ କୃଷ୍ଣମେଘ ଦେଖାଦେଇଛି । ଏହାର ଗତି ଓ ପରିଣତି ବୁଝିବା କଷ୍ଟକର । ଏ ମେଘ ଯଦି ବର୍ଷଣ ଆରମ୍ଭକରେ, ତେବେ ଆମ୍ଭମାନଙ୍କ ପକ୍ଷେ ତାହା ଖୁବ୍‌ ଆଶଙ୍କାର କାରଣ ହେବ ।’’

ଠିକ୍‌ ଏହି ସମୟରେ ଦୁଇଜଣ ଭାରତୀୟ ଲଣ୍ଡନର ଏକ ନିଭୃତ ଗୃହରେ ବସି ଭାରତର ଦୁରବସ୍ଥା ଓ କମ୍ପାନୀର ରାଜ୍ୟ ବିସ୍ତାର ସମ୍ପର୍କରେ ଆଲୋଚନା କରୁଥିଲେ । ଏ ଦୁଇଜଣଙ୍କ ମଧ୍ୟରୁ ଜଣକ ନାମ ରଙ୍ଗବାପୁଜୀ ଓ ଅନ୍ୟ ଜଣକ ନାମ ଆଜିମୁଲ୍ଲାଖାଁ ।

ଆଜିମୁଲ୍ଲାଙ୍କ ଜନ୍ମ ଖୁବ୍‌ ଦରିଦ୍ର ପରିବାରରେ । ଯୁବକ ଅବସ୍ଥାରେ ସେ ଜଣେ ଇଂରେଜଙ୍କ ଘରେ ବବୁର୍ଚି କାମ କରୁଥିଲେ । ସେଠାରେ ସେ ନିଜ ମୁନିବଙ୍କଠାରୁ ଇଂରେଜୀ ଓ ଫରାସୀ ଭାଷା ଆୟତ୍ତ କରିଥିଲେ । ଏଥିରେ ତାଙ୍କର ଦକ୍ଷତା ଆସିବା ପରେ ସେ ବର୍ବୁଚି ଚାକିରି ଛାଡ଼ି କାନପୁରର ଏକ ସରକାରୀ ସ୍କୁଲରେ ଶିକ୍ଷକତା କଲେ । ତାଙ୍କର ଖ୍ୟାତି ଯଥା ସମୟରେ ନାନାସାହେବଙ୍କ କାନକୁ ଗଲା । ନାନାସାହେବ ତାଙ୍କୁ ବିଠୁର ଦରବାରକୁ ଆସିବାପାଇଁ ଆମନ୍ତ୍ରଣ ଜଣାଇଲେ । ଆଜିମୁଲ୍ଲା ଯଥା ସମୟରେ ଆସିଲେ । ତାଙ୍କ ସହିତ ଆଳାପକରି ନାନାସାହେବ ବୁଝିଲେ ଯେ ଯୁବକଙ୍କର ବିଦ୍ୟାବୁଦ୍ଧି ଯେପରି ଗଭୀର; ସ୍ୱଦେଶପ୍ରେମ ସେହିପରି ଅକୃତ୍ରିମ । ତେଣୁ ତାଙ୍କୁ ବିଶ୍ୱସ୍ତ ପରାମର୍ଶଦାତାରୂପେ ପାଖରେ ରଖିଲେ । ଗଭର୍ଣ୍ଣର ଜେନେରାଲଙ୍କ ନିକଟରେ ନାନାସାହେବ ପିତାଙ୍କ ବୃତ୍ତି ପାଇଁ ଆବେଦନ କରିଥିଲେ । ମାତ୍ର ତାହା ଖାରଜ ହେବାପରେ ଇଂଲଣ୍ଡର ବୋର୍ଡ ଅଫ ଡିରେକ୍ଟରଙ୍କ ନିକଟରେ ନିଜର ଦାବୀ ଉପସ୍ଥାପନ ପାଇଁ ଆଜିମୁଲ୍ଲାଙ୍କୁ ଲଣ୍ଡନ ପଠାଇଲେ ।

ଆଜିମୁଲ୍ଲା ୧୮୫୩ ମସିହା ଗ୍ରୀଷ୍ମ ଋତୁରେ ଲଣ୍ଡନରେ ପହଞ୍ଚିଲେ । ବିଡ଼ନ ସାହେବଙ୍କ ସହାୟତାରେ ସେ ଡିରେକ୍ଟର ବୋର୍ଡରେ ନାନାସାହେବଙ୍କ ଦାବୀ ଉପସ୍ଥାପନ କଲେ । ଏହି ଦାବୀପତ୍ରରେ ନିଜର ପକ୍ଷ ସମର୍ଥନ କରି ନାନାସାହେବ ଲେଖିଥିଲେ–‘‘ସ୍ଥାନୀୟ ଗଭର୍ଣ୍ଣମେଣ୍ଟ ଆମ ପ୍ରତି ଯେଭଳି ବ୍ୟବହାର କରିଛନ୍ତି, ତାହା କେବଳ ସମବେଦନା ହାନିକର ନୁହେଁ; ଗୋଟିଏ ପ୍ରାଚୀନ ରାଜବଂଶ ପ୍ରତିନିଧିଙ୍କ ପ୍ରାପ୍ୟ ସ୍ୱତ୍ୱର ମଧ୍ୟ ବିରୋଧି ହୋଇଛି । ମୁଁ କେବଳ ସନ୍ଧିର ସର୍ତ୍ତ ଉପରେ ନିର୍ଭର କରି ସୁବିଚାର ପ୍ରାର୍ଥୀ ହେଉନାହିଁ । ବ୍ରିଟିଶ କମ୍ପାନୀ ମହାରାଷ୍ଟ୍ର ସାମ୍ରାଜ୍ୟର ଶେଷ ନରପତିଙ୍କ ନିକଟରୁ ଯେଉଁ ଉପକାର ପାଇଛନ୍ତି, ତାହା ସ୍ମରଣ କରାଇ ଦେଉଛି ଏବଂ ଦିଲ୍ଲୀ ଓ ମହୀଶୂର ରାଜାମାନଙ୍କ ପରି ପେଶବା ଏବଂ ତାଙ୍କର ଉତ୍ତରାଧିକାରୀମାନଙ୍କୁ ତାଙ୍କ ବିକ୍ରୀତ ରାଜ୍ୟର ଉଚିତ ମୂଲ୍ୟ ଦେବାକୁ ଦାବୀ କରୁଛି ।’’ ତାପରେ ନାନା ସାହେବ ନିଜକୁ ପେଶବାଙ୍କର ଯଥାବିଧି ଗୃହୀତ ପୋଷ୍ୟପୁତ୍ର ବୋଲି ପ୍ରତିପନ୍ନ କରି ଲେଖିଥିଲେ ଯେ–‘‘ବାଜୀରାଓ ତାଙ୍କର ପେନସନରୁ ବହୁ ସମ୍ପତ୍ତି ରଖିଯାଇଛନ୍ତି ଓ ତାଙ୍କର ଉତ୍ତରାଧିକାରୀଙ୍କୁ କୌଣସି ପେନସନ ଦେବା ନିରର୍ଥକ ବୋଲି କମ୍ପାନୀ ଯେଉଁ ଯୁକ୍ତି କରୁଛନ୍ତି ତାହା ଅଯୌକ୍ତିକ । ବ୍ରିଟିଶ ଗଭର୍ଣ୍ଣମେଣ୍ଟ ସନ୍ଧିର ସର୍ତ୍ତ ଅନୁସାରେ ପେଶବା ଓ ତାଙ୍କ ପରିବାରବର୍ଗଙ୍କ ଭରଣ ପୋଷଣ ପାଇଁ ବାର୍ଷିକ ଆଠଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ । ସେହି ପ୍ରତିଶ୍ରୁତି ଲଘଂନ କରିବା କଣ ଯୁକ୍ତିସଙ୍ଗତ ?’’

ମାତ୍ର ନାନାଙ୍କର ଏ ଆବେଦନରେ କୌଣସି ସୁଫଳ ମିଳିଲା ନାହିଁ । ଡିରେକ୍ଟରମାନେ ଡେଲହାଉସୀଙ୍କ ଉତ୍ତରର ପ୍ରତିଧ୍ୱନିସ୍ୱରୂପ କହିଲେ–‘‘ପିତାର ବୃତ୍ତି ପୁରୁଷାନୁକ୍ରମିକ ନୁହେଁ । ପୂର୍ବତନ ପେଶବା ଯେଉଁ ସମ୍ପତ୍ତି ରଖି ଯାଇଛନ୍ତି, ତାହା ତାଙ୍କ ପରିବାରଙ୍କ ଭରଣ ପୋଷଣ ପାଇଁ ଯଥେଷ୍ଟ ।’’

ଆଜିମୁଲ୍ଲାଖାଁଙ୍କ ଦୌତ୍ୟ ନିଷ୍ଫଳ ହେଲେ ମଧ୍ୟ ଦୀର୍ଘକାୟ, ସୁଶ୍ରୀ ଓ ପ୍ରିୟଦର୍ଶନ ଆଜିମୁଲ୍ଲା ଖାଁ ନିଜର ମାର୍ଜିତ ଆଦବ କାଏଦା, ଶିଷ୍ଟାଚାର ଓ ସୁକଣ୍ଠ ପାଇଁ ଇଂଲଣ୍ଡର ଅଭିଯାତ ମହଲରେ ଅତ୍ୟନ୍ତ ଜନପ୍ରିୟ ହୋଇଉଠିଲେ । ସେଠାରେ ସେ କେତେଦିନ ଅବସ୍ଥାନ କରିବା ମଧ୍ୟରେ ତାଙ୍କ ମନରେ ନୂତନ ଆଶା, ଓ ନୂତନ ପ୍ରେରଣା ଜାତ ହେଲା । ସାମ, ଦାନ ଓ ଭେଦ ନୀତିରେ ଯେତେବେଳେ ସ୍ୱାଧୀନତା ଲାଭର କୌଣସି ସମ୍ଭାବନା ନାହିଁ, ସେତେବେଳେ ବଳପୂର୍ବକ ସ୍ୱାଧୀନତା ଲାଭ କରାଯାଇପାରେ ବୋଲି ତାଙ୍କର ହୃଦବୋଧ ହେଲା ।

ଠିକ୍‌ ଏହି ସମୟରେ ଲଣ୍ଡନରେ ଜଣେ ମରହଟ୍ଟା ବ୍ରାହ୍ମଣଙ୍କ ସହିତ ଆଜିମୁଲ୍ଲାଙ୍କର ସାକ୍ଷାତ ହେଲା । ତାଙ୍କ ନାମ ରଙ୍ଗ ବାପୁଜୀ । ସେ ସେତାରା ରାଜ୍ୟର ରାଜଦୂତ ରୂପେ ଲଣ୍ଡନ ଆସିଥିଲେ । ଆପ୍‌ପାସାହେବ ସେତାରା ଗାଦୀର ଅଧିକାରୀ ଥିଲାବେଳେ ପୋଷ୍ୟପୁତ୍ର ଗ୍ରହଣ କରିଦେଲେ । ମାତ୍ର ଡେଲହାଉସୀ ଏହି ପୋଷ୍ୟପୁତ୍ରକୁ ଅସିଦ୍ଧ ଘୋଷଣା କରିଥିଲେ । ୧୮୧୮ ମସିହା ସନ୍ଧିପତ୍ରର ନୀତି ଲଘଂନ କରି ଡେଲହାଉସୀ ନୀରା ଓ ଭୀମାର ରମଣୀୟ ତଟ ଓ ମହାବଳେଶ୍ୱର ପର୍ବତ ସମେତ ବହୁମୂଲ୍ୟ ସେତାରା ରାଜ୍ୟକୁ କମ୍ପାନୀ ରାଜ୍ୟର ଅନ୍ତର୍ଭୁକ୍ତ କରିନେଲେ । ରଙ୍ଗ ବାପୁଜୀ ବୋର୍ଡ ଅଫ୍‌ ଡାଇରେକ୍ଟରର୍ସଙ୍କ ନିକଟରେ ଆବେଦନ ଜଣାଇ କହିଲେ ଯେ–୧୮୧୮ ସନ୍ଧିପତ୍ର ଅନୁସାରେ ଆପ୍‌ପାସାହେବ ସ୍ୱାଧୀନ ଭାବରେ ସେତାରା ରାଜ୍ୟର ଅଧିକାରୀ ହେବାର କଥା । ମାତ୍ର ତାଙ୍କର ରାଜ୍ୟ ଅପହରଣ କରାଯାଇଛି । ବୋର୍ଡ ଏହାର ସୁବିଚାର କରନ୍ତୁ ।

ଡିରେକ୍ଟର ବୋର୍ଡ ଏଥିରେ କର୍ଣ୍ଣପାତ କଲେ ନାହିଁ । ରଙ୍ଗବାପୁଜୀଙ୍କ ଅନ୍ତର ନୈରାଶ୍ୟ ଜନିତ ପ୍ରତିହିଂସାରେ ପୂର୍ଣ୍ଣ ହୋଇ ଉଠିଲା । ସେ କାର୍ଯ୍ୟ ସିଦ୍ଧିପାଇଁ ନାନା ଉପାୟ ଚିନ୍ତା କରିବାରେ ଲାଗିଲା । ଏହି ସମୟରେ ଆଜିମୁଲ୍ଲାଙ୍କ ସହିତ ତାଙ୍କର ସାକ୍ଷାତ ହେଲା ।

ଜଣେ ଶିବାଜୀଙ୍କ ବଂଶଧରଙ୍କ ପ୍ରତିନିଧି ଓ ଆଉଜଣେ ଶିବାଜୀଙ୍କ ମନ୍ତ୍ରୀ ପେଶବାଙ୍କ ବଂଶଧରର ପ୍ରତିନିଧି । ଉଭୟେ ବନ୍ଧୁତା ସୂତ୍ରରେ ଆବଦ୍ଧ ହେଲେ । ଜାତି, ଧର୍ମ ଓ ଆଚାର ସେମାନଙ୍କ ମଧ୍ୟରେ କୌଣସି ଅନ୍ତରାୟ ସୃଷ୍ଟି କରିପାରିଲା ନାହିଁ ।

୧୮୫୩ ମସିହାରେ ଦୌତ୍ୟ ନିଷ୍ଫଳ ହେବାପରେ ଦୁହେଁ ଆଗାମୀ ଦିନ ସମ୍ପର୍କରେ କେତେକ ପରିକଳ୍ପନା କଲେ । ଇଂରେଜଙ୍କୁ ଭାରତ ଭୂମିରୁ ତଡ଼ିବାପାଇଁ ଇଂଲଣ୍ଡରେ ହିଁ ସ୍ୱାଧୀନତାର ପ୍ରଥମ ବୀଜ ରୋପିତ ହେଲା । ଆଜିମୁଲ୍ଲା ରଙ୍ଗବାପୁଜୀଙ୍କ ଜରିଆରେ ନାନାସାହେବଙ୍କ ନିକଟକୁ ବାର୍ତ୍ତା ପଠାଇ ଇଂଲଣ୍ଡରେ ରହିଲେ । ରଙ୍ଗବାପୁଜୀ ସେତାରା ଫେରି ଆସିଲେ ।

ଭାରତର ସ୍ୱାଧୀନତା ସଂଗ୍ରାମରେ ୟୁରୋପର କେଉଁ କେଉଁ ରାଜ୍ୟ ସାହାଯ୍ୟ କରିବେ, ତାହା ଜାଣିବା ପାଇଁ ଆଜିମୁଲ୍ଲା ପ୍ରଥମେ ତୁରସ୍କ ରାଜଧାନୀକୁ ଗଲେ । ତୁରସ୍କର ସୁଲତାନ ସମସ୍ତ ମୁସଲମାନ ସମାଜର ଖଲିଫା । ସେତେବେଳେ ରୁଷ ତୁରସ୍କ ଯୁଦ୍ଧ ଚାଲିଥାଏ । ସିବାସ୍ତପୋଲରେ ଇଂରେଜମାନଙ୍କର ଶୋଚନୀୟ ପରାଜୟ ବାର୍ତ୍ତାଶୁଣି ଆଜିମୁଲ୍ଲା ରୁଷ ଗଲେ । ମିଃ ରାସେଲ ସେତେବେଳେ ଲଣ୍ଡନସ୍ଥ ଟାଇମସ୍‌ ପତ୍ରିକାର ରୁଷ ସମ୍ବାଦଦାତା । ଆଜିମୁଲ୍ଲା ତାଙ୍କରି ନିକଟରେ ରହିଲେ । ତାଙ୍କର ବେଶଭୂଷା ଓ ଆଚାର ବ୍ୟବହାର ଦେଖି ମିଃ ରାସେଲ ତାଙ୍କୁ ବନ୍ଧୁତ୍ୱର ମର୍ଯ୍ୟାଦା ଦେବାକୁ କୁଣ୍ଠିତ ହେଲେ ନାହିଁ । ସେଠାରେ କେତେଦିନ ରହି ସେ ଆନ୍ତର୍ଜାତିକ ପରିସ୍ଥିତି ଲକ୍ଷ୍ୟ କଲେ । ତାପରେ ମିଶର ଦେଇ ଆଜିମୁଲ୍ଲା ଦୀର୍ଘ ତିନିବର୍ଷ ପରେ ଭାରତକୁ ଫେରି ଆସିଲେ ।

ରଙ୍ଗବାପୁଜୀ ଲଣ୍ଡନରୁ ଫେରି ସେତାରା ଦେଇ ବିଠୁରରେ ନାନାସାହେବଙ୍କୁ ସାକ୍ଷାତ କଲେ । ଏକ ରୁଦ୍ଧଦ୍ୱାର କକ୍ଷରେ ଦୁଇଜଣଙ୍କର ଆଲୋଚନା ଚାଲିଲା । ରଙ୍ଗବାପୁଜୀ ତାଙ୍କୁ ଆଜିମୁଲ୍ଲାଙ୍କ ବାର୍ତ୍ତା ଦେଲେ । ନାନାସାହେବ ସବୁ ଶୁଣି କହିଲେ–‘‘ବିପ୍ଳବ ତାହାହେଲେ ଅନିବାର୍ଯ୍ୟ-।’’

ରଙ୍ଗବାପୁଜୀ କହିଲେ–‘‘ବିପ୍ଳବ ଅନିବାର୍ଯ୍ୟ ସତ୍ୟ, ମାତ୍ର ଆମର ପଦକ୍ଷେପ ନିର୍ଭୁଲ ଓ ସତର୍କତାମୂଳକ ହେବା ଆବଶ୍ୟକ । ଆଜିମୁଲ୍ଲାଙ୍କ ଫେରିବା ପର୍ଯ୍ୟନ୍ତ ଆମର କେବଳ ସତର୍କ ପ୍ରସ୍ତୁତି ଚାଲିବ । ଇଂରେଜ ସିପାହୀମାନଙ୍କ ଦ୍ୱାରା ଇଂରେଜମାନଙ୍କୁ ଆଘାତ ଦେବାକୁ ପଡ଼ିବ । ଏହାହିଁ ଆଜିମୁଲ୍ଲାଙ୍କ ମତ ।’’

ଛତ୍ରପତି ଶିବାଜୀ ଓ ପେଶବା ବାଜୀରାଓଙ୍କ ପ୍ରତିମୂର୍ତ୍ତିକୁ ଚାହିଁ ନାନାସାହେବ ନୀରବରେ ପ୍ରଣାମ କଲେ ।

ଧୁନ୍ଦୁପନ୍ଥ ନାନା ସାହେବ । ଇଂରେଜମାନଙ୍କର ମୂର୍ତ୍ତିମନ୍ତ ଆତଙ୍କ । ମାତ୍ର ବିଦ୍ରୋହରେ ଝାସ ଦେବାର ପୂର୍ବ ସମୟ ପର୍ଯ୍ୟନ୍ତ ଇଂରେଜମାନେ ତାହା ଘୃଣାକ୍ଷରରେ ମଧ୍ୟ ଜାଣି ପାରି ନ ଥିଲେ ।

ନାନା ଯେପରି କୁଶଳୀ ରାଜନୀତିଜ୍ଞ ଥିଲେ, ସେହିପରି ଦୂରଦ୍ରଷ୍ଟା ମଧ୍ୟ ଥିଲେ । ଇଂରେଜମାନେ ଅଯୋଧ୍ୟା ଦଖଲ କରିବା ସମୟରେ ସେ ଭବିଷ୍ୟତବାଣୀ କରିଥିଲେ, ଇଂରେଜମାନଙ୍କ ସହିତ ଦିନେ ଭବିଷ୍ୟତରେ ଯୁଦ୍ଧ ଅବଶ୍ୟମ୍ଭାବୀ ହେବ ।

ମାର୍ଜିତ ରୁଚି, ଶିଷ୍ଟାଚାରୀ ଓ ଆଭିଜାତ୍ୟ ସମ୍ପନ୍ନ ନାନାସାହେବ ବିଠୁର ରାଜପ୍ରାସାଦରେ ଗୋଟିଏ ଦିନ ମଧ୍ୟ ଆଳସ୍ୟ ବିଳାସରେ ବିତାଇ ନାହାନ୍ତି । ନିଜର ଗୃହ ଶିକ୍ଷକ ଟଡ୍‌ଙ୍କ ସାହାଯ୍ୟରେ ଇଂରେଜୀ ସମ୍ବାଦପତ୍ରରୁ ଦେଶବିଦେଶର ସମସ୍ତ ଖବର ସେ ଜାଣୁଥିଲେ ଓ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ଯେଉଁ ଇଂରେଜମାନେ ତାଙ୍କ ଦରବାରକୁ ଆସୁଥିଲେ, ସେମାନେ ତାଙ୍କ ବ୍ୟବହାରରେ ସନ୍ତୁଷ୍ଟ ହୋଇ ଶତ ମୁଖରେ ପ୍ରଶଂସା କରୁଥିଲେ ।

 

ରଙ୍ଗ ବାପୁଜୀଙ୍କ ସହିତ ଆଲୋଚନା ପରେ ନାନା ଗୋପନରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ । ଦିଲ୍ଲୀରୁ ମହୀଶୂର ପର୍ଯ୍ୟନ୍ତ ସର୍ବତ୍ର ବିଶ୍ଵସ୍ତ ଗୁପ୍ତଚର ପଠାଇ ଦେଇ ସମସ୍ତ ଦେଶୀୟ ରାଜାଙ୍କୁ ଆସନ୍ନ ବିପ୍ଳବରେ ଯୋଗଦେବା ପାଇଁ ଅନୁରୋଧ ଜଣାଇଲେ । ଅଯୋଧ୍ୟା, ବୁନ୍ଦେଲଖଣ୍ଡ ଓ କୋହ୍ଲାପୁର ପ୍ରଭୃତିରେ ନାନାଙ୍କ ଦୂର ବିଚରଣ କରିବାରେ ଲାଗିଲେ । କାଶ୍ମୀରର ରାଜା ଗୁଲାବ୍‌ ସିଂହ ସୈନ୍ୟ ଓ ଅର୍ଥ ଦେଇ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ । ତାପରେ ଚର୍ବିଟୋଟା ବ୍ୟବହାରରେ ସିପାହୀମାନଙ୍କ ମଧ୍ୟରେ ଯେତେବେଳେ ଅସନ୍ତୋଷ ପ୍ରକାଶ ପାଇଲା, ସେତେବେଳେ ନାନା ଇଂରେଜମାନଙ୍କର ମହାତ୍ରାସ ରୂପେ ନିଜକୁ ପ୍ରକାଶ କଲେ । ତାଙ୍କର କର୍ମକୁଶଳତା, ରାଜନୈତିକ ବିଚାରବୁଦ୍ଧି ଓ ସୈନ୍ୟ ସଂଗଠନ ଦେଖି ଇଂରେଜମାନେ ସଂତ୍ରସ୍ତ ଓ ବିସ୍ମିତ ହୋଇପଡ଼ିଲେ ।

 

ଏଥିପୂର୍ବରୁ ଡେଲହାଉସୀଙ୍କ ରାଜ୍ୟସ୍ୱତ୍ୱ ଲୋପ ନୀତି ବ୍ୟତୀତ ରାଜସ୍ୱ ନୀତି ମଧ୍ୟ ଜନସାଧାରଣ, ଭୂସ୍ୱାମୀ ଓ ଜାୟଗିରିଦାରମାନଙ୍କ ମନରେ ଅସନ୍ତୋଷ ଜାତ କରାଇଥିଲା । ରାଜସ୍ୱ ପ୍ରଦାନରେ ଅକ୍ଷମ ଭୂସ୍ୱାମୀମାନଙ୍କ ସମ୍ପତ୍ତି ପ୍ରକାଶ୍ୟରେ ନିଲାମ କରାଯିବା ଫଳରେ ଭାରତବାସୀଙ୍କ ମନରେ ଭୟ, ବିସ୍ମୟ ଓ ଆତଙ୍କ ସୃଷ୍ଟି ହେଲା । ମୋଗଲ ଅମଳରୁ ପୁରୁଷାନୁକ୍ରମେ ଯେଉଁମାନେ ଲାଖରାଜି ସୁଖ ଭୋଗ ଦଖଲ କରି ଆସୁଥିଲେ, ଇଂରେଜ ଅମଳରେ ସେମାନଙ୍କର ନିଷ୍କର ଜାତ ଭୋଗ ଦଖଲର ଅଧିକାର କାଢ଼ି ନିଆଗଲା । ଫଳରେ ସେମାନଙ୍କ ମନରେ ଅସନ୍ତୋଷ ଓ ଉତ୍ତେଜନା ପୁଞ୍ଜିଭୂତ ହେବାରେ ଲାଗିଲା । ଫଳରେ ଜାୟଗିରିଦାର ବଡ଼ ବଡ଼ ଭୂମି ମାଲିକ ଓ ନିଷ୍କର ସ୍ଵତ୍ଵର ଅଧିକାରୀମାନେ ନିଜକୁ ନିଃସହାୟ, ନିଃସମ୍ବଳ ଓ ହୃତସର୍ବସ୍ଵ ମନେ କରିବାରେ ଲାଗିଲେ । ଏ ସମ୍ପର୍କରେ ସାହେବ ହାର୍ବାଟ୍‌ ଏଡ ଓ୍ୟାଡିସ ଡେଲହାଉସୀଙ୍କୁ ସ୍ପଷ୍ଟ ଭାବରେ ଲେଖିଥିଲେ ଯେ ‘‘ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଯେଉଁମାନଙ୍କର ଭୂସମ୍ପତ୍ତି ଏପରି ଭାବରେ ଅଧିକାର କରି ନେଉଛନ୍ତି, ସେହି ଅଭିଜାତ ଓ ସାଧାରଣ ସଂପ୍ରଦାୟ କ୍ରମେ କ୍ରମେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ପ୍ରତି ବିରକ୍ତ ଓ ସମବେଦନା ଶୂନ୍ୟ ହୋଇପଡ଼ୁଛନ୍ତି । ସେମାନଙ୍କ ଅନ୍ତର୍ନିହିତ ଧୂମାୟମାନ ବହ୍ନି ଦିନେ ପ୍ରଜ୍ଜ୍ୱଳିତ ହୋଇ ଭାରତରେ କମ୍ପାନୀ ରାଜତ୍ୱର ଅବସାନ ଘଟାଇପାରେ-।’’

 

ଡେଲହାଉସୀଙ୍କ ରାଜ୍ୟସ୍ୱତ୍ୱ ଲୋପ ନୀତି ଓ ରାଜସ୍ୱ ନୀତି ବ୍ୟତୀତ କାରାଗାର ପ୍ରଚଳନ ମଧ୍ୟ ଜନସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା । କାରାଗାରରେ ବିଭିନ୍ନ ଗୋଷ୍ଠୀର ଲୋକଙ୍କ ସହିତ ରହିବା ଫଳରେ ଲୋକେ ଜାତି ହରାଇ ସମାଜରେ ବାସନ୍ଦ ହେଉଥିଲେ । ପୁଣି କାରାଗାରରେ ପାଚକ ନିଯୁକ୍ତି ଫଳରେ ଲୋକଙ୍କର ବିଶ୍ୱାସ ହେଲା ଯେ, କମ୍ପାନୀ କାହାରି ଜାତି, ଧର୍ମ ରଖାଇ ଦେବନାହିଁ । ଧର୍ମନାଶ ଓ ଜାତିନାଶର ଆଶଙ୍କା ତୁଷାନଳ ସଦୃଶ ଅଲକ୍ଷ୍ୟ ଭାବରେ କୁହୁଳିବାରେ ଲାଗିଲା ।

 

ସ୍ମୃତିର ଅନ୍ୟନାମ ଯେପରି ପ୍ରେମ ବା ଘୃଣା, ବିସ୍ମୃତିର ଅନ୍ୟନାମ ସେହିପରି ଇତିହାସ-। ଇତିହାସକୁ ମନେ କରାଇଦେବାକୁ ପଡ଼େ ଏବଂ ପୁସ୍ତକର ପୃଷ୍ଠାରେ ଲିପିବଦ୍ଧ କରାଇବାକୁ ହୁଏ, ନଚେତ୍‌ ତାହା ହଜିଯାଏ ।

 

ଯାହାକୁ ମନେ ରଖାଯାଏ ତାହା ଜୀବନ୍ତ । ଯାହାକୁ ଲୋକେ ଭୁଲି ଯାଆନ୍ତି ଓ ଯାହାର ସ୍ମୃତିକୁ ଟାଣି ବାହାର କରାଯାଏ–ତାହା ହିଁ ଇତିହାସ ।

 

ଏହି ଭାରତ ଭୂମିର ଯେଉଁ ଧୂଳି ଆମ ପାଦରେ ଲାଗୁଛି, ତାହା ମାଟିର ନୁହେଁ–ଇତିହାସର । ଏହି ଇତିହାସ କେଉଁଠି ଜୀବନ୍ତ, କେଉଁଠି ମୃତ; କେଉଁଠି ବା କ୍ଳେଦାକ୍ତ–ଆଉ କେଉଁଠି ବା ରକ୍ତ ରଞ୍ଜିତ ।

 

ରାଜଧାନୀ ଦିଲ୍ଲୀ !

 

ସେହି ଦ୍ୱାପର ଯୁଗରୁ ଦିଲ୍ଲୀ ଭାରତର ରାଜଧାନୀ ହୋଇ ଆସିଛି । ଏହି ଦିଲ୍ଲୀର ଧୂଳିକଣାରେ ମିଶିଛି– କେତେ ଅଶ୍ୱର କ୍ଷୁର ଧ୍ୱନି, ହସ୍ତୀର ବୃହଂଣ, ଅସ୍ତ୍ରର ଝଙ୍କାର, କରୁଣ ବିଳାପ ଓ ଆନନ୍ଦ ଉଲ୍ଲାସ । ପୁଣି ଲକ୍ଷଲକ୍ଷ ଲୋକଙ୍କର ହୃଦୟ ରକ୍ତ ।

 

ବହୁ ସାମ୍ରାଜ୍ୟର ସମାଧିଭୂମି ଏହି ଦିଲ୍ଲୀ ନଗରୀ ।

 

ହଠାତ୍‌ କିଏ କେଉଁଠୁ ଆସି ପହଞ୍ଚିଛି । ଗୋଟିଏ ସାମ୍ରାଜ୍ୟକୁ ଧୂଳିରେ ମିଶାଇ ଦେଇ ଆଉ ଗୋଟିଏ ସାମ୍ରାଜ୍ୟ ଗଠନ କରିଛି ।

 

କାହାର ଜୟଯାତ୍ରା ହତ୍ୟା ଓ ଲୁଣ୍ଠନରେ ପର୍ଯ୍ୟବସିତ ହୋଇଛି ତ, କେଉଁ ରାଜ ରାଜେଶ୍ୱର ପଥର ଭିକ୍ଷୁକ ରୂପେ ରାତ୍ରର ଅନ୍ଧକାରରେ ପଳାଇ ଯାଇ ଆତ୍ମଗୋପନ କରିଛି । କେତେବେଳେ ଆର୍ତ୍ତ ଚିତ୍କାରରେ ଦିଲ୍ଲୀର ଧରଣୀ ଓ ଆକାଶ ହୋଇଛି ତ, କେତେବେଳେ ନର୍ତ୍ତକୀର ନୂପୁର ନିକ୍ୱଣ ସହ ଭାସିଯାଇଛି ସୁଲଳିତ ପ୍ରକମ୍ପିତ କଣ୍ଠସ୍ୱର ।

 

କେତେବେଳେ ସୁରାର ଫେନିଳ ଉଚ୍ଛ୍ୱାସିତ, କେତେବେଳେ ରକ୍ତର ପିଚକାରୀ । ପ୍ରିୟାର ସମାଧି ଉପରେ ଗଠନ କରାଯାଇଛି ବିଶ୍ୱବିଖ୍ୟାତ ପ୍ରାସାଦ ତ, କେତେବେଳେ ପ୍ରେମିକର ବୁକୁରେ ବସିଛି ପ୍ରିୟାର ଶାଣିତ ଛୁରୀକା ।

 

ରାଜ୍ୟ ଲୋଭରେ, ସିଂହାସନ ଲାଭ ଆଶାରେ ଓ କ୍ଷମତାର ଲାଳସାରେ ସ୍ତ୍ରୀ ସ୍ୱାମୀକୁ ଜହର ଦେବା, ଭାଇ ଭାଇର ବୁକୁରେ ଛୁରା ବସାଇବା ଓ ଗଭୀର ନିଶିଥରେ ମାତା ପୁତ୍ରର ଶିରଚ୍ଛେଦ କରିବାର ଉଦାହରଣ ମଧ୍ୟ ବିରଳ ନୁହେଁ ।

 

ଆଜି ମଧ୍ୟ ଯମୁନାର ନୀଳ ଜଳ, ଦିଲ୍ଲୀ ରାଜପଥର ପ୍ରସ୍ତର ଖଣ୍ଡ କିମ୍ବା ଧୂଳିକଣା ପରୀକ୍ଷା କଲେ ଦେଖାଯିବ କେତେ ହତାଶା, କେତେ ଦୀର୍ଘଶ୍ୱାସ, କେତେ ଆତ୍ମପ୍ରବଞ୍ଚନା, କେତେ ବିଶ୍ୱାସଘାତକତା ଓ ବିଦଗ୍ଧ କାହାଣୀ ।

 

ସେହି ଦିଲ୍ଲୀ ରାଜଧାନୀର ହାରେମ ପୁଣି ଥରେ ଚଞ୍ଚଳିତ ହୋଇଉଠିଲା । ସିଂହାସନ ଲାଭ ଆଶାରେ ଆରମ୍ଭ ହୋଇଗଲା ଗଭୀର ଷଡ଼ଯନ୍ତ୍ର ।

 

ବାହାଦୂର ଶାହ ବୃଦ୍ଧ ବୟସରେ ଏକ ତରୁଣୀର ପାଣି ଗ୍ରହଣ କରିଥିଲେ । ଏହି ତରୁଣୀ ବେଗମଙ୍କ ନାମ ଜିନତ ମହଲ । ତାଙ୍କର ଏକ ପୁତ୍ର ଜାତ ହେଲା । ତାହାର ନାମ ଜୋଆନ ବଖତ୍‌-। ପିଲାଟି ବାଦଶାହାଙ୍କର ଅତି ପ୍ରିୟ । ବାଦ୍‍ଶାହାଙ୍କ ଉପରେ ଜିନତର ମଧ୍ୟ ଅସୀମ ପ୍ରଭାବ-। ତେଣୁ ଜ୍ୟେଷ୍ଠପୁତ୍ରକୁ ବଞ୍ଚିତ କରି ନିଜ ପୁତ୍ରକୁ ବାଦ୍‍ଶାହୀ ଦେବା ନିମନ୍ତେ ଜିନତ ସ୍ୱାମୀଙ୍କୁ ପରାମର୍ଶ ଦେଲେ । ସମ୍ରାଟ ଏଥିରେ ସମ୍ମତ ହେଲେ । ହଠାତ୍‌ ୧୮୪୯ ମସିହାରେ ଜ୍ୟେଷ୍ଠପୁତ୍ର ଶାହାଜାଦା ଦାରା ବଖତ ମୃତ୍ୟୁ ବରଣ କଲେ । ରାଜପ୍ରାସାଦରେ ସେତେବେଳେ ଜଟିଳ ଚକ୍ରାନ୍ତ ଚାଲିଥାଏ । ଏହି ଚକ୍ରାନ୍ତର କେନ୍ଦ୍ର ଜିନତ ଓ ତାର ଲକ୍ଷ୍ୟ–ମୋଗଲ ସିଂହାସନ ।

 

ଦାରାଙ୍କ ମୃତ୍ୟୁରେ ଜିନତ ମନେକଲେ–କଣ୍ଟକ ଦୂର ହେଲା । ବାଦଶାହାଙ୍କୁ ସେତେବେଳେ ସତୁରୀ ବର୍ଷ ବୟସ । ଏଣୁ ଉତ୍ତରାଧିକାରୀ ପ୍ରଶ୍ନର ମୀମାଂସା ହେବା ଆବଶ୍ୟକ ।

 

କମ୍ପାନୀ ଦରବାରରେ ସମ୍ରାଟଙ୍କ ଉତ୍ତରାଧିକାରୀ ପ୍ରଶ୍ନ ଉଠିଲା । ମୁସଲମାନ ଆଇନ ଅନୁସାରେ ଜ୍ୟେଷ୍ଠ ପୁତ୍ରର ମୃତ୍ୟୁପରେ ୨ୟ ପୁତ୍ର ଉତ୍ତରାଧିକାରୀ ହୁଏ । ଶାହାଜାଦା ଫକରୁଦ୍ଦିନ ସମ୍ରାଟଙ୍କର ୨ୟ ପୁତ୍ର । ଉତ୍ତରାଧିକାରୀତ୍ୱ ତାଙ୍କର ପ୍ରାପ୍ୟ । ମାତ୍ର ଡେଲହାଉସୀ ସେ ବିଷୟ ଚିନ୍ତା ନ କରି ବାଦ୍‍ଶାହୀ ଉପାଧି ବିଲୋପ ପାଇଁ କମ୍ପାନୀକୁ ଲେଖିଲେ । ଭାରତର କମ୍ପାନୀ ବିଷୟ ବିଚାର ପାଇଁ ସେତେବେଳେ ଲଣ୍ଡନରେ ଦୁଇଟି ସଭା ଥିଲା । ଗୋଟିଏ ବୋର୍ଡ ଅଫ ଡିରେକ୍ଟରସ୍‌ ଓ ଅନ୍ୟଟି ବୋର୍ଡ ଅଫ କଣ୍ଟ୍ରୋଲ । ଡେଲହାଉସୀଙ୍କ ପତ୍ରରେ ଦୁଇସଭା ଏକ ମତ ହୋଇ ପାରିଲେ ନାହିଁ । ତେଣୁ ପ୍ରଶ୍ନଟି ଅମୀମାଂସିତ ରହିଗଲା ।

 

ଦାରା ବଖତଙ୍କ ମୃତ୍ୟୁର ସାତବର୍ଷ ପରେ ଶାହାଜାଦା ଫକରୁଦ୍ଦିନ ହଠାତ୍‌ ମୃତ୍ୟୁବରଣ କଲେ । ବିଷ ପ୍ରୟୋଗରେ ତାଙ୍କୁ ହତ୍ୟା କରାଯାଇଥିବାର ଅନୁମାନ କରାଗଲା । ଯାହାହେଉ ବାଦ୍‍ଶାହା ମୀର୍ଜା ଜୋୟାନ ବଖତଙ୍କୁ ଉତ୍ତରାଧିକାରୀ ମନୋନୟନ କରି ଦିଲ୍ଲୀର ଇଂରେଜ ପ୍ରତିନିଧି ସାର୍‌ ଟମାସ ମେଟକାଫଙ୍କୁ ଗୋଟିଏ ପତ୍ର ଓ ଉତ୍ତରାଧିକାରୀ ଦଲିଲ ଧରାଇଦେଲେ । ମାତ୍ର ଡେଲହାଉସୀ ଏ ପ୍ରଶ୍ନର କୌଣସି ମୀମାଂସା ନ କରି ତାହା ପରବର୍ତ୍ତୀ ଗଭର୍ଣ୍ଣର ଜେନେରାଲଙ୍କ ପାଇଁ ରଖିଦେଲେ ।

 

ଲର୍ଡ କ୍ୟାନିଂ ଗଭର୍ଣ୍ଣର ଜେନେରାଲ ହୋଇ ଆସି ଡେଲହାଉସୀଙ୍କ ଚ୍ଛିନ୍ନସୂତ୍ର ଅବଲମ୍ବନରେ ଏ ପ୍ରଶ୍ନର ବିଚାର କରି ଜଣାଇଦେଲେ ଯେ ଭବିଷ୍ୟତରେ ବାଦ୍‍ଶାହାଙ୍କ ମୃତ୍ୟୁପରେ ଦୂର ସମ୍ପର୍କୀୟ ଆତ୍ମୀୟମାନଙ୍କ ବ୍ୟୟଭାର ସରକାର ଆଉ ବହନ କରିବେ ନାହିଁ । କେବଳ ଉତ୍ତରାଧିକାରଙ୍କୁ ମାସିକ ଦେଢ଼ହଜାର ଟଙ୍କା ବୃତ୍ତି ଦିଆଯିବ । ଏ ଘୋଷଣାରେ ଦିଲ୍ଲୀର ମୁସଲମାନମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳି ଉଠିଲା ।

 

ଠିକ୍‌ ଏତିକିବେଳେ ପାରସ୍ୟ ଯୁଦ୍ଧ ଆରମ୍ଭ ହୋଇଗଲା । ଦିଲ୍ଲୀରେ ଜନରବ ହେଲା ଯେ ଏଥର ବଡ଼ ଧରଣର ଗୋଟିଏ କିଛି ପରିବର୍ତ୍ତନ ଘଟିବ । ଇଂରେଜମାନଙ୍କ ପରାକ୍ରମ ଖର୍ବ ହୋଇଯିବ । ଇଂରେଜମାନେ ଶହେବର୍ଷ ପାଇଁ ଏ ଦେଶକୁ ଆସିଥିଲେ । ଏବେ ତାଙ୍କର ରାଜତ୍ଵ ଲୋପ ପାଇଯିବ । ଦେଶୀୟ ସମ୍ବାଦପତ୍ରରେ ସମ୍ବାଦ ପ୍ରକାଶ ପାଇଲା–‘‘ପାରସ୍ୟର ସାହା ଦିଲ୍ଲୀଶ୍ୱର ହେବେ । ସମସ୍ତ ରାଜକୀୟ କ୍ଷମତା ହସ୍ତଗତ କରିବେ ବୋଲି ଭବିଷ୍ୟତ ବାଣୀ ଅଛି । ତାଙ୍କର ସୈନ୍ୟମାନେ ବୋଲାନପାସ ଅତିକ୍ରମ କରି ସାରିଲେଣି । ରୁଷ ସରକାର ତାଙ୍କୁ ୫ ଲକ୍ଷ ସୈନ୍ୟ ଓ ପ୍ରଚୁର ଅସ୍ତ୍ର ଶସ୍ତ୍ର ଦେଇଛନ୍ତି । ଫ୍ରାନ୍‌ସ ଓ ତୁରସ୍କ ସାହାଯ୍ୟ କରୁଛନ୍ତି ବୋଲି ପ୍ରଚାର ଚାଲିଲା । ଏଭଳି ଗୁଜବରେ ସାରା ଭାରତ ଚଞ୍ଚଳିତ ଓ ଉଦ୍‌ବେଳିତ ହୋଇ ଉଠିଲା ।

 

ଲର୍ଡ ଡେଲହାଉସୀ ଭାରତରେ ଗଭର୍ଣ୍ଣର ଜେନେରାଲ ଥିବାବେଳେ ଇଷ୍ଟଇଣ୍ଡିଆ କମ୍ପାନୀର ସୈନ୍ୟ ସଂଖ୍ୟା ଥିଲା ମାତ୍ର ତିନିଲକ୍ଷ । ଏମାନଙ୍କ ମଧ୍ୟରେ ଶତକଡ଼ା ୭୦ ଭାଗ ଭାରତୀୟ । ମୂଳ ରେଜିମେଣ୍ଟର ସଂଖ୍ୟା ଥିଲା ଚାରିଟି । (୧) କୁଇନ୍‌ସ ରେଜିମେଣ୍ଟ (କେବଳ ୟୁରୋପୀୟ ସୈନ୍ୟ) (୨) ବେଙ୍ଗଲ ରେଜିମେଣ୍ଟ (୩) ମାନ୍ଦ୍ରାଜ ରେଜିମେଣ୍ଟ (୪) ବୋମ୍ବାଇ ରେଜିମେଣ୍ଟ । ପ୍ରତ୍ୟେକ ରେଜିମେଣ୍ଟରେ ପଦାତିକ, ଅଶ୍ୱାରୋହୀ ଓ ଗୋଲନ୍ଦାଜ ସୈନ୍ୟ ଥିଲେ । ଦେଶୀ ସୈନ୍ୟଙ୍କ ମଧ୍ୟରେ ବ୍ରାହ୍ମଣ, କ୍ଷତ୍ରୀୟ, ନିମ୍ନବର୍ଣ୍ଣର ହିନ୍ଦୁ, ଦେଶୀୟ ଖ୍ରୀଷ୍ଟିଆନ, ମୁସଲମାନ, ଶିଖ, ଉଚ୍ଚ ବର୍ଣ୍ଣର ହିନ୍ଦୁ, ଗୋର୍ଖା ଓ ରାଜପୁତ ଥିଲେ ।

 

ଏଥିପୂର୍ବରୁ ବେତନର ସ୍ୱଳ୍ପତା, ଉନ୍ନତିର ଅନିଶ୍ଚୟତା ଓ ଅସ୍ୱାସ୍ଥ୍ୟକର ବାସସ୍ଥାନ ଯୋଗୁ ଭାରତୀୟ ସିପାହୀମାନଙ୍କ ମନରେ ଅସନ୍ତୋଷ ଜାତ ହୋଇଥିଲା । ବ୍ରହ୍ମଦେଶ ଯୁଦ୍ଧକୁ ଯିବାପାଇଁ ପଡ଼ିବାରୁ ଅସନ୍ତୋଷ ଆହୁରି ତୀବ୍ରତର ହେଲା । କାରଣ ସମୁଦ୍ର ପାରି ହେଲେ ଭାରତୀୟମାନଙ୍କର ଜାତି ଯିବାର ଭୟ ଥିଲା । ଆଚାର, ଅନୁଷ୍ଠାନ ଓ ଶାସ୍ତ୍ରର ଅନୁଶାସନ ଅନୁସାରେ ସମୁଦ୍ର ପାରିହେବାକୁ ସେମାନେ କୁଣ୍ଠିତ ହେଉଥିଲେ । ଖ୍ରୀଷ୍ଟଧର୍ମର ପ୍ରଚାର ଓ ବ୍ରହ୍ମୋତର ଲୋପରେ ଭାରତୀୟମାନେ ମନେ କଲେ ଯେ ଗୋରା ସରକାର ସମସ୍ତଙ୍କୁ ଖ୍ରୀଷ୍ଟିଆନ କରିଦେବେ ।

 

ଏହି ସମୟରେ କ୍ରିମିଆ ଯୁଦ୍ଧରେ ଇଂରେଜମାନଙ୍କ ପରାଜୟ ଓ ଭାରତରୁ ଯୁଦ୍ଧପାଇଁ ଅର୍ଥ ସଂଗ୍ରହରେ ଲୋକେ ମନେକଲେ ଯେ ଇଂରେଜମାନଙ୍କ ସାମରିକ ଶକ୍ତି କେବଳ କମିନାହିଁ; ସେମାନଙ୍କ ଅର୍ଥନୈତିକ ଶକ୍ତି ମଧ୍ୟ ଭାଙ୍ଗି ପଡ଼ିଲାଣି । ଠିକ୍‌ ଏତିକିବେଳେ ଚର୍ବି ଟୋଟାର ବ୍ୟବହାର ସିପାହୀମାନଙ୍କୁ ଉତ୍ତେଜିତ କରାଇଦେଲେ । ଲୋକ ମୁଖରେ ପ୍ରଚାରିତ ହେଲା ଯେ ବନ୍ଧୁକଟୋଟାରେ ଗୋରୁ ଓ ଘୁଷୁରୀର ଚର୍ବି ଦିଆଯାଇଛି । ଏହି ଟୋଟାକୁ ଦାନ୍ତରେ କାଟିବାକୁ ପଡ଼ୁ୍‌ଥିଲା । ଏଣୁ ହିନ୍ଦୁ ଓ ମୁସଲମାନ ଉଭୟେ ମନେ କଲେ ସେମାନଙ୍କ ଜାତି ନେବାପାଇଁ ଗୋରା ସରକାର ଏଭଳି କୌଶଳ କରିଛନ୍ତି । ତେଣୁ ହିନ୍ଦୁ ମୁସଲମାନ ଉଭୟଙ୍କ ମୁଖରେ ପ୍ରଚାରିତ ହେଲା–

 

‘ମାରୋ ଫିରିଙ୍ଗୀ ଲୋଗୋଁ କୋ ।’

 

ମନୁଷ୍ୟର ମନ ଜଳ ଭାରାବନତ ମେଘ ସହିତ ସମାନ । ମେଘରେ କେତେବେଳେ ବିଦ୍ୟୁତ୍‌ ଝଲସିଉଠେ, କେତେବେଳେ ପ୍ରଚଣ୍ଡ ଶବ୍ଦରେ ବଜ୍ରପାତ ହୁଏ । କେତେବେଳେ ମୂଷଳଧାରାରେ ବାରି ବରଷିଯାଏ । ପୁଣି କେତେବେଳେ ବଡ଼ ବଡ଼ କୁଆପଥର ପଡ଼ି ଧନଜୀବନର କ୍ଷତି ଘଟେ । ମାତ୍ର ମେଘର ସ୍ୱାଭାବିକ ଧର୍ମ–ତାପିତ ଧରଣୀକୁ ଶୀତଳ କରିବା ଏବଂ ପୃଥିବୀକୁ ଶ୍ୟାମଶ୍ରୀ ମଣ୍ଡିତ କରି କୋଟି କୋଟି ଜୀବକୁ ଆହାର ଯୋଗାଇ ଦେବା ।

 

ମଣିଷର ମନ ଠିକ୍‌ ସେହିପରି କେତେବେଳେ ଅଶାନ୍ତ ତ କେତେବେଳେ ବିଶ୍ୱ ହିତରେ ଉତ୍ସର୍ଗୀକୃତ । କେତେବେଳେ ସେ ଧ୍ୱଂସ ସାଧନର ପ୍ରୟାସୀ ତ, କେତେବେଳେ ନବ ନବ ସୃଷ୍ଟିଦ୍ୱାରା ବିଶ୍ୱର ଶାନ୍ତି ପାଇଁ ପ୍ରୟାସୀ । କେତେବେଳେ ସେ ଶାନ୍ତ, ନମ୍ର ଓ ସ୍ରଷ୍ଟା ତ, କେତେବେଳେ ସଂହାରକର୍ତ୍ତା ରୂପେ ଦଣ୍ଡାୟମାନ ।

 

ଯେଉଁ ସିପାହୀମାନେ ଭାରତରେ ଶାନ୍ତି ସ୍ଥାପନ ପାଇଁ, ଅନ୍ୟାୟ ଅତ୍ୟାଚାରରୁ ମାନବକୁ ରକ୍ଷା କରିବା ପାଇଁ ନିଜର ମୂଲ୍ୟବାନ ଜୀବନକୁ ଉତ୍ସର୍ଗ କରିଥିଲେ ଏବଂ ସାମାନ୍ୟ ବେତନରେ ବିଶ୍ୱସ୍ତ ଭାବରେ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ, ସେମାନେ ହେଲେ ବିଦ୍ରୋହୀ । ନିଜର ଜାତି, ଧର୍ମ, ସଂସ୍କାର ଓ ଶାସ୍ତ୍ରର ସମ୍ମାନ ରକ୍ଷାପାଇଁ ସେମାନେ ଅସ୍ତ୍ର ଉତ୍ତୋଳନ କଲେ ।

 

୧୭୫୭ ରୁ ୧୮୫୬ ।

 

ଇଷ୍ଟଇଣ୍ଡିଆ କମ୍ପାନୀର ଶତବର୍ଷ ପୂର୍ତ୍ତି । ମାତ୍ର ଏହି ଶହେ ବର୍ଷ କମ୍ପାନୀ ନିରୁବ୍ଦେଗ ଭାବରେ ରାଜ୍ୟ ଶାସନ କରିପାରି ନାହିଁ । ୧୮୧୬ରେ ବେରିଲୀ ଅଭ୍ୟୁତ୍‌ଥାନ, ୧୮୧୭ରେ ଓଡ଼ିଶାରେ ପାଇକ ବିଦ୍ରୋହ, ୧୮୩୧-୩୨ରେ କୋହ୍ଲ ବିଦ୍ରୋହ ଏବଂ ଛୋଟନାଗପୁର ଓ ପାଲାମୌରେ ବିଦ୍ରୋହ ଓ ବିକ୍ଷୋଭ ଦେଖାଦେଇଥିଲା । ୧୮୩୧ରେ ବାରାସତରେ ସୟଦ ଅହମ୍ମଦ ଏବଂ ତାଙ୍କ ଶିଷ୍ୟ ନାସେର ଅଲୀ ବା ତିତୁମୀରଙ୍କ ନେତୃତ୍ୱରେ ଇଂରେଜଙ୍କୁ ତଡ଼ିବାପାଇଁ ବିଦ୍ରୋହ ହୋଇଥିଲା । ୧୮୪୭ରେ ପାରିଦିଜୁମୀରଙ୍କ ନେତୃତ୍ୱରେ ଫରିଦପୁରରେ, ୧୮୪୯, ୧୮୫୨ ଓ ୧୮୫୫ ରେ ମୋପଲା ବିଦ୍ରୋହ ଏବଂ ୧୮୫୫ ଓ ୫୬ ରେ ସାନ୍ତାଳ ବିଦ୍ରୋହ ଇଂରେଜ ବିରୋଧର ଅସ୍ତ୍ର ଉତ୍ତୋଳନର ଅନ୍ୟତମ ସ୍ମରଣୀୟ ଘଟଣାବଳୀ ।

 

ପ୍ରବୀଣ ଇଂରେଜ ସେନାପତି ହାଭଲକ ଲେଖିଛନ୍ତି–‘‘ଭିନ୍ନ ଧର୍ମର, ଭିନ୍ନ ଜାତିର ଓ ଭିନ୍ନ ବ୍ୟବହାର ପଦ୍ଧତିର ଅଧିନାୟକଙ୍କ ଅଧୀନରେ ରହି ସିପାହୀମାନେ ସର୍ବଦା ପ୍ରଫୁଲ୍ଲ ଚିତ୍ତରେ ଓ ଉତ୍ସାହ ସହକାରେ କର୍ତ୍ତବ୍ୟ ପାଳନ କରିଥାଆନ୍ତି । ସେମାନେ ଅସନ୍ଦିଗ୍‌ଧ ମନରେ ଅଧିନାୟକଙ୍କ ପ୍ରତି ବିଶ୍ୱାସ ସ୍ଥାପନ କରି ଅକୁଣ୍ଠିତ ଚିତ୍ତରେ ତାହାଙ୍କ ସହିତ ପ୍ରୀତି ସୂତ୍ରରେ ଆବଦ୍ଧ ହୋଇ ଅମ୍ଳାନ ବଦନରେ ଆଦେଶ ପାଳନ କରିଥାଆନ୍ତି । ଇତିହାସର ପ୍ରତି ପୃଷ୍ଠାରେ ସେମାନଙ୍କର ବିଶ୍ୱାସ ଓ ପ୍ରଭୁଭକ୍ତି ଜାଜ୍ଵଲ୍ୟମାନ । ସେମାନଙ୍କର ମହତ୍ୱ, ଏକପ୍ରାଣତା, କର୍ତ୍ତବ୍ୟ, ବୁଦ୍ଧି ଓ ସ୍ୱାର୍ଥତ୍ୟାଗ ସେମାନଙ୍କୁ ଇତିହାସରେ ସ୍ମରଣୀୟ ଓ ବରଣୀୟ କରି ରଖିବ ।’’

 

ତଥାପି ସେହି ସିପାହୀମାନେ ବିଦ୍ରୋହୀ ହେଲେ । ୧୮୫୭ ମସିହାରେ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବାପାଇଁ ସିପାହୀମାନେ ଅସ୍ତ୍ର ଉତ୍ତୋଳନ କଲେ । ଏହା ଭାରତରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ନାମରେ ବିଦିତ ।

 

ହାଡ଼ଗୁଣ୍ଡ ମିଶା ମଇଦା ଲୁଣ ଓ ଚିନି; ଚର୍ବି ମିଶା ଟୋଟା, ଶତବର୍ଷ ପରେ କମ୍ପାନୀ ରାଜତ୍ୱ ଅବସାନର ଭବିଷ୍ୟତବାଣୀ, ବିଦ୍ରୋହୀ ସିପାହୀମାନଙ୍କୁ ଦଣ୍ଡ, ସମୁଦ୍ର ପାରି ଓ କାରାଗାରରେ ପାଚକ ନିଯୁକ୍ତି ପ୍ରଭୃତି ଘଟନାକୁ କେନ୍ଦ୍ରକରି ଭାରତର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ସିପାହୀମାନଙ୍କ ମନରେ କମ୍ପାନୀ–ବିଦ୍ୱେଷ ଭୈରବ ମୂର୍ତ୍ତିରେ ଦେଖାଦେଲା ।

 

୧୮୫୭ ମସିହା ଜାନୁୟାରୀ ମାସରେ ଦମଦମ କ୍ୟାଣ୍ଟନମେଣ୍ଟର ସିପାହୀଙ୍କ ମଧ୍ୟରେ ହଠାତ୍‌ ଚର୍ବି ଟୋଟା ନେଇ ଅସନ୍ତୋଷ ଦେଖାଦେଲା । ତାପରେ ଆରମ୍ଭହେଲା ବାରାକପୁର କ୍ୟାଣ୍ଟନମେଣ୍ଟରେ । ଜାନୁୟାରୀ ୨୮ ତାରିଖରେ ବାରିକପୁରର ଅବସ୍ଥା ଆତଙ୍କଜନକ ବୋଲି ଜେନେରାଲ ହିୟାର୍ସ ଏଡଜୁଟାଣ୍ଟକ ଜେନେରାଲଙ୍କୁ ଲେଖି ଜଣାଇଦେଲେ । ଫେବୃୟାରୀ ୧୯ ତାରିଖରେ ବରହମପୁରର ୧୯ ନମ୍ବର ରେଜିମେଣ୍ଟର ସିପାହୀମାନଙ୍କ ମଧ୍ୟରେ ବିଦ୍ରୋହର ସଙ୍କେତ ଦେଖାଦେଲା । ମାର୍ଚ୍ଚ ୨୯ ତାରିଖ ରବିବାର ଦିନ ବରହମପୁରର ବିଦ୍ରୋହୀ ସିପାହୀମାନଙ୍କୁ କର୍ଣ୍ଣେଲ ମିଚେଲ ବାରିକପୁର ନେଇ ଆସୁଥିଲେ । ମାତ୍ର ବାଟରେ ଶୁଣିଲେ ଯେ ସେଠାରେ ଭୀଷଣ ଗଣ୍ଡଗୋଳ । ଜଣେ ଅଫିସର ସିପାହୀମାନଙ୍କ ଦ୍ୱାରା ଆହତ ହୋଇଛନ୍ତି । ତେଣୁ ସେ ବାରାସଡ଼ରେ ଅପେକ୍ଷା କଲେ ।

 

ବାରିକପୁର ସିପାହୀମାନଙ୍କ ମଧ୍ୟରେ ମଙ୍ଗଳ ପାଣ୍ଡେ ନାମରେ ଜଣେ ସିପାହୀ ଥିଲେ । ସେ ଯେତେବେଳେ ଶୁଣିଲେ ଯେ ବାରିକପୁରର ଗଣ୍ଡଗୋଳ ଆୟତ୍ତ କରିବାପାଇଁ କଲିକତାରୁ ବହୁ ଗୋରାସୈନ୍ୟ ଆସୁଛନ୍ତି, ସେତେବେଳେ ସେ ଜାତି, ଧର୍ମ ଜଳାଞ୍ଚଳି ଦେବାପୂର୍ବରୁ କିଛି ଗୋଟାଏ କରିବା ଉଚିତ ମନେକଲେ । ଅପରାହ୍ନରେ ସେ ନିଜ ପୋଷାକ ପିନ୍ଧି, ବନ୍ଧୁକ ଧରି ଛାଉଣୀରୁ ବାହାରି ଆସିଲେ ଏବଂ ସାଥିମାନେ ତାଙ୍କୁ ଅନୁସରଣ କରିବାକୁ ଆହ୍ୱାନ ଦେଲେ । ମାତ୍ର କୌଣସି ସିପାହୀ ତାଙ୍କ ସହିତ ସହଯୋଗ କଲେନାହିଁ । ସେ ଏକୁଟିଆ ଉନ୍ମୁକ୍ତ ତରବାରି ହାତରେ ବୁଲିବାକୁ ଲାଗିଲେ । ଜଣେ ଗୋରା ସର୍ଜେଣ୍ଟ ଏ ଖବର ପାଇ ତାଙ୍କ ନିକଟକୁ ଗଲେ । ମଙ୍ଗଳ ପାଣ୍ଡେ ତାଙ୍କ ଉପରକୁ ଗୁଳି ଚଳାଇଲେ । ମାତ୍ର ଲକ୍ଷ୍ୟ ବ୍ୟର୍ଥ ହେଲା । ଲେଫଟନାଣ୍ଟ ବଗ ଏ ଖବର ପାଇ ଘଟନାସ୍ଥଳକୁ ଆସିଲେ । ମଙ୍ଗଳ ପାଣ୍ଡେ ତାଙ୍କୁ ମଧ୍ୟ ଗୁଳି କଲେ । ମାତ୍ର ସୌଭାଗ୍ୟବଶତଃ ଗୁଳି ତାଙ୍କ ଦେହରେ ନ ବାଜି ତାଙ୍କ ଘୋଡ଼ା ଦେହରେ ବାଜିଲା । ଘୋଡ଼ା ଆରୋହୀସହ ତଳେ ପଡ଼ିଗଲା । ଲେଫ୍‌ଟନାଣ୍ଟ ତଳୁ ଉଠି ମଙ୍ଗଳ ପାଣ୍ଡେଙ୍କୁ ନିଜ ପିସ୍ତଲରୁ ଗୁଳି ଚଳାଇଲେ । ମାତ୍ର ଗୁଳି ବ୍ୟର୍ଥ ହେଲା । ବଗ ବାଧ୍ୟହୋଇ ତରବାରି ଧରି ଆଗେଇଗଲେ । ମଙ୍ଗଳପାଣ୍ଡେ ମଧ୍ୟ ତରବାରି କୋଷମୁକ୍ତ କଲେ । ଉଭୟଙ୍କ ମଧ୍ୟରେ ଯୁଦ୍ଧ ଲାଗିଲା । ଦୁଇଜଣ ଗୋରା ସୈନ୍ୟ ତରବାରି ଆଘାତରେ କ୍ଷତ ବିକ୍ଷତ ହୋଇଗଲେ । ଏତିକିବେଳେ ଜଣେ ମୁସଲମାନ ସିପାହୀ ପଛଆଡ଼ୁ ଆସି ମଙ୍ଗଳ ପାଣ୍ଡେଙ୍କୁ ଧରି ପକାଇଲା । ଗୋରା ଦୁଇଜଣ ରକ୍ଷା ପାଇଗଲେ । ମଙ୍ଗଳ ପାଣ୍ଡେ ସିପାହୀଠାରୁ ମୁକ୍ତ ହୋଇ ପୁଣି ବନ୍ଧୁକ ଧରି ଘୂରିବାରେ ଲାଗିଲେ । ଖବର ପାଇ ଜେନେରାଲ ହିୟର୍ସ ଘଟନାସ୍ଥଳକୁ ଆସିଲେ ।

 

ମଙ୍ଗଳପାଣ୍ଡେ ସିପାହୀମାନଙ୍କୁ ଆହ୍ୱାନ ଦେଇ କହିଲେ–ଧର୍ମ ରକ୍ଷାପାଇଁ ଯଦି ମରିବାକୁ ହୁଏ, ତେବେ ଆସ ଏକ ସଙ୍ଗରେ ମରିବା !

 

ମାତ୍ର କେହି ତାଙ୍କ ସହିତ ଯୋଗ ଦେଲେ ନାହିଁ । ନୈରାଶ୍ୟ ଜର୍ଜରିତ ହୋଇ ମଙ୍ଗଳପାଣ୍ଡେ ନିଜ ଛାତିକୁ ଲକ୍ଷ୍ୟକରି ବନ୍ଧୁକର ଟ୍ରିଗର ଟିପିଦେଲେ । ତାପରେ ଅଚୈତନ୍ୟ ଅବସ୍ଥାରେ ତଳେ ପଡ଼ିଗଲେ ।

 

ତାଙ୍କୁ ହାସପାତାଳକୁ ପଠାଗଲା । ପାଣ୍ଡେ ଆରୋଗ୍ୟ ଲାଭ କଲେ । ମାତ୍ର ପରେ ତାଙ୍କର ବିଚାର କରାଯାଇ ଅପ୍ରେଲ ୮ ତାରିଖରେ ପ୍ରକାଶ୍ୟରେ ଫାଶୀ ଦିଆଗଲା ।

Unknown

 

ମଙ୍ଗଳ ପାଣ୍ଡେ ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହୀଦ ହେଲେ । ମଙ୍ଗଳ ପାଣ୍ଡେଙ୍କୁ ବାଧା ଦେଇ ନଥିବା ଦୃଷ୍ଟିରୁ ୩୪ ନମ୍ବର ପଲଟନର ଜମାଦାରଙ୍କୁ ମଧ୍ୟ ଫାଶୀ ଦିଆଗଲା ।

 

୧୮୫୭ ମସିହାର ବିଦ୍ରୋହ ଅଗ୍ନି ସାରା ଭାରତରେ ବ୍ୟାପିଗଲା । ବରହମପୁରରୁ ଯେଉଁ ପାଞ୍ଚଶତ ପଚାଶଜଣ ସିପାହୀ ଆସିଥିଲେ । ସେମାନଙ୍କୁ ଡିସ୍‌ମିସ୍‌ କରାଗଲା ।

 

ମୀରଟ କ୍ୟାଣ୍ଟନମେଣ୍ଟ ।

 

ଭାରତର ସର୍ବ ପ୍ରଧାନ ସେନା ନିବାସ ।

ପ୍ରାୟ ତିନିହଜାର ଭାରତୀୟ ସୈନ୍ୟ ଓ ଦୁଇହଜାର ଇଂରେଜ ସୈନ୍ୟ ସେଠାରେ ରହନ୍ତି । ଅଜସ୍ର କମାଣ ଓ ବନ୍ଧୁକ । ସେନାନିବାସ ମଧ୍ୟରେ କାରଖାନ । ଏହି କାରଖାନାରୁ ଚର୍ବି ଟୋଟା ତିଆରି ହୁଏ । ଦିନେ ଜଣେ ମୁସଲମାନ ଫକୀର ହାତୀରେ ଆସି ସେଠାରେ ପହଞ୍ଚିଲେ । ଫକୀରଙ୍କ ସଙ୍ଗରେ ବହୁ ଚେଲା । କ୍ୟାଣ୍ଟନମେଣ୍ଟ ମଧ୍ୟରେ ସେ ଘୂରି ବୁଲିଲେ ।

କେତେଦିନ ପରେ ତାଙ୍କୁ ସେଠାରୁ ଚାଲିଯିବାପାଇଁ ପୁଲିସରୁ ହୁକୁମ ମିଳିଲା । ମାତ୍ର ଫକୀର କୁଆଡ଼େ ଗଲେ କିଛି ଜଣାପଡ଼ିଲା ନାହିଁ । ହଠାତ୍‌ ଅପ୍ରେଲ ୨୩ ତାରିଖ ରାତ୍ରରେ ସୈନ୍ୟଛାଉଣୀରେ ଅଗ୍ନିକାଣ୍ଡ ହେଲା । ୨୪ ତାରିଖ ସକାଳେ ପ୍ୟାରେଡ ହେଲା । ମାତ୍ର ୩ୟ ଅଶ୍ୱରୋହୀ ଦଳର ଶହେ ଜଣ ଅଶ୍ୱାରୋହୀ ସୈନ୍ୟଙ୍କ ମଧ୍ୟରୁ ୮୫ ଜଣ ଟୋଟା ଛୁଇଁଲେ ନାହିଁ । ଅବାଧ୍ୟତା ଯୋଗୁ ସେମାନଙ୍କ ବିରୋଧରେ ସାମରିକ ବିଚାର ଆରମ୍ଭ ହେଲା । ଦୋଷୀମାନଙ୍କୁ ଦଶବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ମିଳିଲା ।

ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ଚପାତି (ପତଳା ରୋଟି) ବିତରଣ ଆରମ୍ଭ ହୋଇଗଲା । ତାହା ଗ୍ରାମ ପ୍ରଧାନଙ୍କ ନିକଟରେ ଆସି ପହଞ୍ଚେ । ସେ ତାହା ଭାଙ୍ଗି ତହିଁରୁ ଚିଠି ପାଏ । ମାତ୍ର କେଉଁଠୁ ଚପାତି ଆସେ, ତାହା କେହି ଜାଣିପାରନ୍ତି ନାହିଁ । ଏ ଚିଠିରେ ଦେଶରୁ ଫିରିଙ୍ଗୀ ଶାସନ ହଟାଇବା ପାଇଁ ଲେଖାଥାଏ ।

ବରହମପୁରର ୧୯ ନମ୍ବର ଓ ବାରାକପୁରର ୩୪ ନମ୍ବର ପଲଟନ ପଦଚ୍ୟୁତ ହେବାପରେ ନିଜ ନିଜ ଘରକୁ ଚାଲିଗଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଯୋଧ୍ୟା ନିବାସୀ । ସେମାନେ ଅଯୋଧ୍ୟାରେ ଆସି କମ୍ପାନୀ ସରକାର ବିରୋଧରେ ଉତ୍ତେଜନା ସୃଷ୍ଟିକଲେ । ଫଳରେ ମଇ ମାସ ଆଠ ତାରିଖରେ ଅଯୋଧ୍ୟାର ସେନା ନିବାସରେ ବିଦ୍ରୋହର ବହ୍ନି ଦେଖାଦେଲା । ଏଠାରେ ୫୦ ଜଣଙ୍କୁ ଗିରଫ କରାଯାଇ କଠୋର ଦଣ୍ଡ ଦିଆଗଲା ।

ଲର୍ଡ କ୍ୟାନିଂ ଦେଖିଲେ ଯେ ବିଦ୍ରୋହାଗ୍ନିର ଧୂମରେ କନ୍ୟାକୁମାରୀରୁ ହିମାଳୟ ପାଦ ଦେଶ ପର୍ଯ୍ୟନ୍ତ ସମଗ୍ର ଭାରତ ଆଚ୍ଛାଦିତ । ସେ ଏକ ବାରୁଦର ବାକ୍‌ସ ଉପରେ ବସିଛନ୍ତି । ତେଣୁ ଦେଶୀୟ ସୈନ୍ୟଙ୍କ ଉପରେ ନିର୍ଭର ନ କରି ଯେଉଁ ସୈନ୍ୟମାନେ ଚୀନ ଯାଉଥିଲେ, ସେମାନଙ୍କୁ ଫେରାଇ ଆଣିଲେ ଏବଂ ଯେଉଁମାନେ ପାରସ୍ୟ ଯାଇଥିଲେ, ସେମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବାକୁ ଅନୁରୋଧ ଜଣାଇ ଲର୍ଡ ଏଲିନବରାଙ୍କୁ ପତ୍ର ଲେଖିଲେ । ଏହାପରେ ବିଲାତର ମନ୍ତ୍ରୀସଭାକୁ ଜଣାଇ ଦେଲେ ଯେ ‘‘ବର୍ତ୍ତମାନର ବିଦ୍ରୋହ ପାଇଁ ଚର୍ବି ଟୋଟା ସମସ୍ୟା ଗୌଣ; ରାଜ୍ୟ ସଂକ୍ରାନ୍ତ ବ୍ୟାପାରହିଁ ମୁଖ୍ୟ । ଡେଲହାଉସୀ ଯେଉଁ ବିଷ ବୃକ୍ଷ ରୋପଣ କରିଥିଲେ, ତାହା ଏବେ ଫଳ ଧରିବାକୁ ଆରମ୍ଭ କରିଛି ।’’

କ୍ରମେ ଦିଲ୍ଲୀ ଓ ମୀରଟରେ ବିଦ୍ରୋହର ଅଦ୍ଭ୍ୟୁଥାନ ଘଟିଲା ।

ସେଦିନ ମଇ ମାସ ଦଶତାରିଖ ରବିବାର ।

ସନ୍ଧ୍ୟା ଆଗମନ ସଙ୍ଗେ ସଙ୍ଗେ କମାଣ ଚକର ଘର୍ଘର ଶବ୍ଦ ଓ ବନ୍ଧୁକ ଗୁଳିର ଶବ୍ଦରେ ମୀରଟ ଆକାଶ ପ୍ରକମ୍ପିତ ହେଲା । ଜନ ସାଧାରଣଙ୍କ କୋଳାହଳ ଓ ସିପାହୀମାନଙ୍କ ତୁରୀର ଶବ୍ଦ ମଧ୍ୟରେ ସତାବନର ବିପ୍ଳବ ଜନ୍ମ ଲାଭ କଲା ।

 

ତୃତୀୟ ଆଶ୍ୱାରୋହୀ ଦଳର ସିପାହୀମାନେ ପ୍ରଥମେ ଜେଲ ଅଭିମୁଖେ ଯାତ୍ରାକଲେ । ଏହି ଦଳର ୮୫ ଜଣ ସିପାହୀ ପୂର୍ବେ କୋର୍ଟ ମାର୍ଶାଲରେ ଦଣ୍ଡିତ ହୋଇ ଏହି କାରାଗାରରେ ଥିଲେ । ସିପାହୀମାନେ ଜେଲଭାଙ୍ଗି ସେମାନଙ୍କୁ ମୁକ୍ତକଲେ ।

 

ସିପାହୀମାନଙ୍କ ବିଦ୍ରୋହ ଖବର ପାଇ ଏଗାର ନମ୍ବର ପଲଟନର କମାଣ୍ଡିଂ ଅଫିସର କର୍ଣ୍ଣେଲ ଫିନିସ ସିପାହୀମାନଙ୍କ ବାରାକକୁ ଯାଇ ସେମାନଙ୍କୁ ଭର୍ତ୍ସନା କଲେ ଓ କେତେକ ଉପଦେଶ ଦେଲେ । ମାତ୍ର ସେଠାରେ ଜଣେ ସିପାହୀର ଗୁଳିମାଡ଼ରେ ନିହତ ହେଲେ । ସଙ୍ଗେ ସଙ୍ଗେ ସେନା ନିବାସରେ ଅଗ୍ନିକାଣ୍ଡ ଆରମ୍ଭ ହୋଇଗଲା ।

 

କର୍ଣ୍ଣେଲ ଫିନିସଙ୍କ ମୃତ୍ୟୁପରେ ମୀରଟରେ ଅବାଧ ହତ୍ୟା ଓ ଲୁଣ୍ଠନ କାର୍ଯ୍ୟ ଚାଲିଲା । ତାପରେ ବିଦ୍ରୋହୀ ସିପାହୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରାକଲେ ।

 

ମଇ ଏଗାର ତାରିଖ ସୋମବାର । ସେଦିନ ପ୍ରଭାତ ସୂର୍ଯ୍ୟଙ୍କ କିରଣ ଯମୁନାଜଳ ସ୍ପର୍ଶ କରିବା ପୂର୍ବରୁ ଦିଲ୍ଲୀରେ ବିଦ୍ରୋହ ଭେରୀ ବାଜି ଉଠିଲା । ମୀରଟର ବିଦ୍ରୋହୀମାନେ ରାତ୍ରକ ମଧ୍ୟରେ ବତ୍ରିଶ ମାଇଲ ପଥ ଅତିକ୍ରମ କରି ଦିଲ୍ଲୀରେ ଆସି ପହଞ୍ଚିଲେ । ମୀରଟର ଖବର ସେତେବେଳକୁ ଦିଲ୍ଲୀରେ ପହଞ୍ଚି ନ ଥିବାରୁ ଦିଲ୍ଲୀ ସଂପୂର୍ଣ୍ଣ ରୂପେ ଅରକ୍ଷିତ ଅବସ୍ଥାରେ ଥିଲା । ବିଦ୍ରୋହୀମାନଙ୍କ ମଧ୍ୟରୁ କେତେକ ଲାଲକିଲ୍ଲାର ବାଦ୍‍ଶାହୀ ପ୍ରାସାଦ ବାତାୟନ ନିକଟରେ ଉପସ୍ଥିତ ହେଲେ । ଆଉ କେତେକ କ୍ୟାଣ୍ଟନମେଣ୍ଟ ଆଡ଼େ ଚାଲିଲେ । କର୍ଣ୍ଣେଲ ରିପ୍ଳେ ଏ ଖବର ପାଇ ୫୪ ନମ୍ବର ପଲଟନଙ୍କୁ ନେଇ ସେମାନଙ୍କୁ ବାଧାଦେବା ନିମନ୍ତେ କାଶ୍ମୀର ଗେଟ ନିକଟକୁ ଗଲେ । ଉଭୟ ସୈନ୍ୟ ମୁହାଁମୁହିଁ ହେବାରୁ କର୍ଣ୍ଣେଲ ରିପ୍ଳେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେଲେ-। ମାତ୍ର ଦିଲ୍ଲୀର ସୈନ୍ୟମାନେ ବିଦ୍ରୋହୀ ସୈନ୍ୟଙ୍କ ସହ ମିଳିତ ହୋଇଗଲେ । କର୍ଣ୍ଣେଲ ରିପ୍ଳେ ବନ୍ଧୁକ ଚଳାଇବା ପୂର୍ବରୁ ନିଜେ ଗୁଳି ମାଡ଼ରେ ନିହତ ହେଲେ ।

 

ବିଦ୍ରୋହୀ ସୈନ୍ୟମାନେ କାଶ୍ମୀର ଫାଟକ ଦେଇ ଦିନ୍‌ ଦିନ୍‌ ରବରେ ଲାଲକିଲାର ବାତାୟନ ନିକଟରେ ଉପସ୍ଥିତ ହେଲେ ।

 

ବିଦ୍ରୋହୀମାନେ ଚିତ୍କାର କଲେ–ବାଦ୍‍ଶାହ ! ଖୋଦାବନ୍ଦ !!

 

ସମ୍ରାଟ ଦୀର୍ଘଜୀବୀ ହୁଅନ୍ତୁ ।

 

ଆମେ ସ୍ୱଧର୍ମ ରକ୍ଷା ପାଇଁ ଯୁଦ୍ଧ କରିବାକୁ ଆସିଛୁ ।

 

ସହସ୍ର ସହସ୍ର ବିଦ୍ରୋହୀ ସୈନ୍ୟଙ୍କ ଚିତ୍କାରରେ ସମ୍ରାଟ ବାହାଦୂର ଶାହଙ୍କ ଲୋଳିତ ଚର୍ମ ତଳେ ତୈମୁର ବଂଶର ରକ୍ତ ଶିରା-ପ୍ରଶିରାରେ ପ୍ରବାହିତ ହେବାରେ ଲାଗିଲା । ସମ୍ରାଟ ଯଷ୍ଟି ହସ୍ତରେ ଦେଓ୍ୱାନ-ଇ-ଖାସକୁ ଆସିଲେ । ଏହିଠାରେ ସେ ଦର୍ଶନାର୍ଥୀମାନଙ୍କୁ ଦର୍ଶନ ଦିଅନ୍ତି ।

 

ଏହାପରେ ସିପାହୀମାନେ ରାଜଘାଟ ଫାଟକ ନିକଟକୁ ଚାଲିଲେ । ଦାବା ବଜାରରେ ମୁସଲମାନମାନେ ଫାଟକ ଖୋଲିଦେଲେ । ବିଦ୍ରୋହୀମାନେ କିଲ୍ଲା ମଧ୍ୟରେ ପ୍ରବେଶ କଲେ ।

 

ତା ପରର ଅବସ୍ଥା ଭୟାବହ । ଯେଉଁଠି ଇଂରେଜ ଦେଖିଲେ ବିଦ୍ରୋହୀମାନେ ହତ୍ୟାକଲେ । ଲାଲକିଲାର ଅଙ୍ଗନ ଲାଲ ରକ୍ତରେ ରଞ୍ଜିତ ହେଲା ।

 

ଦିଲ୍ଲୀର ୩୮ ନମ୍ବର ପଲଟନ, ପ୍ରାସାଦର ପ୍ରହରୀ, ମୀରଟର ବିଦ୍ରୋହୀ ସିପାହୀ ଓ ଦିଲ୍ଲୀର ଜନସାଧାରଣ ଏକତ୍ରିତ ହେଲେ ।

 

ଏକୋଇଶି ଥର ତୋପ ଧ୍ୱନିକରି ସେମାନେ ସମ୍ରାଟଙ୍କ ଆନୁଗତ୍ୟ ସ୍ୱୀକାର କଲେ । ସିପାହୀମାନେ କହିଲେ–ଖୋଦାବନ୍ଦ୍‌ ! ଆମେ ମୀରଟର ଇଂରେଜମାନଙ୍କୁ ପରାଜିତ କରିଛୁ । ପେଶବାରଠାରୁ କଲିକତା ପର୍ଯ୍ୟନ୍ତ ସମସ୍ତ ସିପାହୀ ଆପଣଙ୍କ ଆଦେଶକୁ ପ୍ରତୀକ୍ଷା କରିଛନ୍ତି । ଇଂରେଜମାନଙ୍କ ଅଧୀନତାର ଶୃଙ୍ଖଳ ଭାଙ୍ଗି ସ୍ୱାଧୀନତା ଅର୍ଜ୍ଜନ ପାଇଁ ସମଗ୍ର ହିନ୍ଦୁସ୍ଥାନ ଆଜି ଜାଗରିତ । ଆପଣ ଆମକୁ ପରିଚାଳନା କରନ୍ତୁ । ଆମେ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବୁ ।

 

ସମ୍ରାଟ କହିଲେ–‘‘ମୁଁ କପର୍ଦ୍ଦକହୀନ । ତୁମକୁ ବେତନ ଦେବି କିପରି ?’’

 

ସିପାହୀମାନେ ମୁହୂର୍ତ୍ତେ ମଧ୍ୟ ଚିନ୍ତା ନ କରି ଉତ୍ତର ଦେଲେ–‘‘ଆମେ ଇଂରେଜମାନଙ୍କ ଧନାଗାର ଲୁଣ୍ଠନ କରି ଆପଣଙ୍କୁ ଧନ ଆଣିଦେବୁ । ଆପଣ ଆମକୁ ବେତନ ଦେବେ ।’’

 

ଅଶୀତିପର ବୃଦ୍ଧ ସମ୍ରାଟ ସେମାନଙ୍କ ଦାୟିତ୍ୱ ଗ୍ରହଣ କରିବାକୁ ସ୍ୱୀକୃତ ହେଲେ । ସମଗ୍ର ଦିଲ୍ଲୀରେ ଲୁଣ୍ଠନ ଓ ଇଂରେଜମାନଙ୍କ ହତ୍ୟା ପର୍ବ ଆରମ୍ଭ ହୋଇଗଲା । ପ୍ରାସାଦର ଅତି ନିକଟରେ ଅସ୍ତ୍ରାଗାର । ସେଠାରେ ନଅ ଲକ୍ଷ କ୍ୟାଟ୍ରିଜ, ଦଶହଜାର ରାଇଫଲ ଓ ବହୁ କମାଣ ଥିଲା-। ବିଦ୍ରୋହୀମାନେ ତାହା ଦଖଲ କରିବାପାଇଁ ଉଦ୍ୟମ କଲେ । ଇଂରେଜ ରକ୍ଷୀମାନେ ଅସ୍ତ୍ରାଗାର ରକ୍ଷାପାଇଁ ପ୍ରାଣପଣେ ଯୁଦ୍ଧକଲେ । ମାତ୍ର ପରିଶେଷରେ ପରାଜୟ ନିଶ୍ଚିତ ଜାଣି ବାରୁଦଖାନାରେ ଅଗ୍ନି ସଂଯୋଗ କରିଦେଲେ । ଭୀଷଣ ବିସ୍ଫୋରଣରେ ପାଞ୍ଚଜଣ ଇଂରେଜଙ୍କ ସମେତ ପ୍ରାୟ ପାଞ୍ଚ ଶହ ଲୋକ ପ୍ରାଣ ହରାଇଲେ । ପରିଶେଷରେ ରାତ୍ରର ଅନ୍ଧକାରରେ ଇଂରେଜମାନେ କ୍ୟାଣ୍ଟନମେଣ୍ଟ ଛାଡ଼ି ଜଙ୍ଗଲକୁ ପଳାଇଗଲେ ।

 

ଏ ସମ୍ପର୍କରେ ଐତିହାସିକ ମ୍ୟାଲିସନ୍‌ ଲେଖିଛନ୍ତି–

 

‘‘ମଇ ଷୋଳ ତାରିଖ ପରେ ଦିଲ୍ଲୀ ସହର ଓ କ୍ୟାଣ୍ଟନମେଣ୍ଟରେ ଜଣେ ହେଲେ ୟୁରୋପୀୟ ନ ଥିଲେ । ଦିଲ୍ଲୀରେ ବାଦ୍‍ଶାହା ରାଜତ୍ୱ କଲେ । ସିରାଜଉଦ୍ଦୌଲାଙ୍କ ସମୟରେ ଅନ୍ଧକୂପ ହତ୍ୟାପରେ ଭାରତବର୍ଷରେ ଇଂରେଜମାନଙ୍କର ଏପରି ବିପଦ ଓ ଦୁର୍ଯ୍ୟୋଗ ଆଉ କେବେ ଘଟି ନ ଥିଲା । ଏତେ ଇଂରେଜଙ୍କୁ ନୃଶଂସଭାବେ ହତ୍ୟା କରାଗଲା, ଅଥଚ କୌଣସି ପ୍ରତିଶୋଧ ନିଆଯାଇ ପାରିଲାନାହିଁ । ଏହାଠାରୁ ବଳି ଲଜ୍ଜାର ବିଷୟ ଆଉ କଣ ଅଛି ? ଯମୁନା ସେତୁ ଉପରେ ବିଦ୍ରୋହୀମାନଙ୍କ ଅଶ୍ୱ କ୍ଷୁରଧ୍ୱନି ଯେତେବେଳେ ଶ୍ରୁତିଗୋଚର ହେଲା, ସେହି ସମୟରୁ ଇଂରେଜମାନଙ୍କ ମୃତ୍ୟୁ ଘଣ୍ଟା ବାଜି ଉଠିଥିଲା ।’’

 

ସିପାହୀମାନଙ୍କ ଦିଲ୍ଲୀ ଅଧିକାର ସମ୍ବାଦ ସାରା ଭାରତରେ ବିଦ୍ୟୁତ୍‌ବେଗରେ ପ୍ରଚାରିତ ହୋଇଗଲା ।

 

ମହାନଗରୀ କଲିକତା !

 

କେବଳ ଭାରତର ରାଜଧାନୀ ନୁହେଁ; ବାଣିଜ୍ୟ ନଗରୀ ମଧ୍ୟ । ବହୁ ଇଂରେଜ ସପରିବାରେ ଏଠାରେ ରହି ବାଣିଜ୍ୟ ବ୍ୟବସାୟ କରନ୍ତି । ଲୋକମୁଖରୁ ଇଂରେଜମାନେ ନାନାପ୍ରକାର ସମ୍ବାଦ ଶୁଣି ସଂତ୍ରସ୍ତ । ବିଦ୍ରୋହୀମାନେ ଟେଲିଗ୍ରାଫ ତାର କାଟି ଦେଇଥିବାରୁ ଆଗ୍ରା ଓ ଦିଲ୍ଲୀ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିଲା । ତେଣୁ କଲିକତାକୁ କୌଣସି ସଠିକ୍‍ ଖବର ଆସିବା ସମ୍ଭବପର ହୋଇ ପାରୁ ନ ଥିଲା ।

 

ନିଦାଘ ତାପିତ ବୈଶାଖ ରାତ୍ରରେ ଯେପରି ହଠାତ୍‌ ଘୂର୍ଣ୍ଣିବାତ୍ୟା ମାଡ଼ିଆସେ, ତା ସହିତ କଳା ମେଘ, ବଜ୍ର ଓ ବିଦ୍ୟୁତରେ ଆକାଶ ଧରଣୀ ପ୍ରକମ୍ପିତ ହୁଏ, ଠିକ୍‌ ସେହିପରି ଗୋଟିଏ ପଛକୁ ଗୋଟିଏ ଦୁଃସମ୍ବାଦ କଲିକତାରେ ପହଞ୍ଚିବାରେ ଲାଗିଲା ।

 

ମୀରଟ ସେନାନିବାସ ଭସ୍ମୀଭୂତ ।

 

ଦିଲ୍ଲୀର ପତନ ।

 

କମିଶନର ଫ୍ରେଜର ଓ ବହୁ ଇଂରେଜ ନରନାରୀ ନିହତ ।

 

ବାଦ୍‍ଶାହା ବିଦ୍ରୋହୀମାନଙ୍କ ସହ ଯୋଗ ଦେଇଛନ୍ତି ।

 

ଇଂରେଜ ରକ୍ତରେ ଦିଲ୍ଲୀ ରାଜପଥ ପ୍ଳାବିତ ।

 

ଟେଲିଗ୍ରାଫର ଏ ଗୋଟିଏ ଗୋଟିଏ ଶବ୍ଦ ଗୋଟିଏ ଗୋଟିଏ ବଜ୍ରପାତ ପରି ମନେ ହେବାରେ ଲାଗିଲା ।

 

ଲର୍ଡ କ୍ୟାନିଂ ବିସ୍ମିତ ଓ କିଂକର୍ତ୍ତବ୍ୟ ବିମୂଢ଼ ହୋଇପଡ଼ିଲେ । କି ଉପାୟରେ ବିପଦର ପ୍ରତିକାର କରାଯିବ ?

 

ଆକାଶ ଗାଢ଼ କୃଷ୍ଣବର୍ଣ୍ଣ । ଅନ୍ଧକାର ବିଦୂରିତ ହେବାର ଆଶା ଦେଖାଯାଉ ନାହିଁ । କଲିକତାର ଇଂରେଜମାନଙ୍କ ମଧ୍ୟରୁ କେତେକ ଗଙ୍ଗା ଗର୍ଭରେ ଜାହାଜ ମଧ୍ୟରେ ଓ ଆଉ କେତେକ ଫୋର୍ଟ ଉଇଲିୟମ ଦୁର୍ଗ ମଧ୍ୟରେ ଆଶ୍ରୟ ନେଲେ ।

 

କଲିକତାରେ ଇଂରେଜମାନଙ୍କ ଜୀବନ ନାଟିକା ନିହିତ । ଫୋର୍ଟ ଉଇଲିୟମ ଦୁର୍ଗରେ ଅସ୍ତ୍ର ଭଣ୍ଡାର । କାଶୀପୁରରେ ବନ୍ଧୁକ ତିଆରି କାରଖାନା, ଇଚ୍ଛାପୁରରେ ବାରୁଦ କାରଖାନା, ଦମ୍‌ଦମ୍‌ରେ ବନ୍ଧୁକ ଶିକ୍ଷାଗାର ଓ ଅସ୍ତ୍ରାଦି ନିର୍ମାଣ କାରଖାନା, ଆଲିପୁରରେ ଜେଲଖାନା, ଟଙ୍କାଶାଳ, ଧନାଗାର ଓ ବ୍ୟାଙ୍କ ଅବସ୍ଥିତ । ଏ ସବୁର ରକ୍ଷଣାବେକ୍ଷଣ ଏକାନ୍ତ ଆବଶ୍ୟକ ।

 

ପୂର୍ବରୁ ସମ୍ବାଦ ମିଳିଥିଲା ଯେ ସମଗ୍ର ଭାରତରେ ଇଂରେଜମାନଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତେଣୁ ଦିନ ଯେତିକି ନିକଟତର ହେବାରେ ଲାଗିଲା, ଇଂରେଜମାନଙ୍କ ହୃତ୍‌କମ୍ପନ ସେତିକି ଦ୍ରୁତ ବେଗରେ ବଢ଼ିବାରେ ଲାଗିଲା ।

 

କ୍ରମେ ମଇ ୨୪ ତାରିଖ ଉପସ୍ଥିତ ହେଲା ।

 

ସେଦିନ ରବିବାର । ରାଣୀ ଭିକ୍ଟୋରିୟାଙ୍କ ଜନ୍ମଦିବସ । ପ୍ରତିବର୍ଷ ଏ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳନ କରାଯାଏ । ମାତ୍ର ଏ ବର୍ଷ ରବିବାର ବଦଳରେ ସୋମବାର ଦିନ ଉତ୍ସବ ପାଳନ ପାଇଁ ସ୍ଥିର କରାଗଲା । କିନ୍ତୁ କାହାରି ମନରେ ଉତ୍ସାହ ନାହିଁ ।

 

ପ୍ରଧାନ ସେନାପତି ଜେନେରାଲ ଆନସନ ସିମଳାର ଶୈଳ ଶିଖରରେ ବସି ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଖବର ପାଇବାରେ ଲାଗିଲେ । ସେ ଅବିଳମ୍ବେ ଦିଲ୍ଲୀ ଯାତ୍ରା କରିବାର ପ୍ରୟୋଜନୀୟତା ଉପଲବ୍‌ଧି କଲେ । ମାତ୍ର ଅମ୍ବାଲାରେ ଯେତିକି ସୈନ୍ୟ ଅଛନ୍ତି, ସେମାନଙ୍କ ଜରିଆରେ ଦିଲ୍ଲୀ ଉଦ୍ଧାର କରିବା ସମ୍ଭବ ନୁହେଁ ବୋଲି ସେ ମନେକଲେ । ତେଣୁ ପ୍ରଥମେ ସେ ସୈନ୍ୟ ସଂଗ୍ରହ ପାଇଁ ଉଦ୍ୟମ କଲେ ।

 

ଲର୍ଡ କ୍ୟାନିଂ ମଧ୍ୟ ମାନ୍ଦ୍ରାଜ, ରେଙ୍ଗୁନ, ସିଂହଳ ଓ ଚୀନରେ ଥିବା ସୈନ୍ୟମାନଙ୍କୁ ତୁରନ୍ତ ଏକତ୍ରିତ ହେବାପାଇଁ ଅନୁରୋଧ ଜଣାଇଲେ ଏବଂ ଦିଲ୍ଲୀ ଆକ୍ରମଣ ପାଇଁ ପ୍ରଧାନ ସେନାପତିଙ୍କୁ ପତ୍ର ଲେଖିଲେ ।

 

ପଞ୍ଜାବର ଶାସନକର୍ତ୍ତା ସାର୍‌ ଜନ୍‌ ଲରେନ୍‌ସ ପ୍ରଧାନ ସେନାପତିଙ୍କୁ ଏକ ପତ୍ର ଲେଖି ଜଣାଇଲେ–‘‘ସାହସ ଓ କ୍ଷିପ୍ରତାର ସହିତ କାମକଲେ, ଆମର ବିଜୟ ଅବଶ୍ୟମ୍ଭାବୀ । ଲର୍ଡ କ୍ଳାଇବ ଏହି କ୍ଷିପ୍ରତାଯୋଗୁ ମାତ୍ର ବାରଶହ ସୈନ୍ୟ ନେଇ ପଲାସୀ ଯୁଦ୍ଧରେ ବିପକ୍ଷର ଚାଳିଶ ହଜାର ସୈନ୍ୟଙ୍କୁ ପରାଜିତ କରିଥିଲେ । ପାତିଆଲାର ମହାରାଜା, ଝିନ୍ଦ ଓ ନାଭାର ରାଜା ଆମ ସପକ୍ଷରେ ଅଛନ୍ତି । ଆପଣ ଅବିଳମ୍ବେ ଦିଲ୍ଲୀ ଯାତ୍ରା କରନ୍ତୁ ।’’

 

ପ୍ରଧାନ ସେନାପତି ଚିନ୍ତିତ ହୋଇ ପଡ଼ିଲେ । ଦାୟିତ୍ୱ ଗୁରୁତର । ମାତ୍ର ଆବଶ୍ୟକୀୟ ସୈନ୍ୟ, ବନ୍ଧୁକ, କମାଣ ଓ ରସଦ କାହିଁ ? ?

 

ମଇମାସ ୨୫ ତାରିଖରେ ଜେନେରାଲ ଆନସନ କୌଣସି ପ୍ରକାରରେ ପ୍ରସ୍ତୁତ ହୋଇ ଦିଲ୍ଲୀ ଯାତ୍ରା କଲେ । ମାତ୍ର ୨୭ ତାରିଖରେ କର୍ଣ୍ଣାଲରେ ପହଞ୍ଚିବାମାତ୍ରେ କଲେରାରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କଲେ । ସାର୍‌ ହେନେରୀ ବର୍ଣ୍ଣାଡ୍‌ ପ୍ରଧାନ ସେନାପତି ଦାୟିତ୍ୱ ଗ୍ରହଣ କରି ଦିଲ୍ଲୀ ଉଦ୍ଧାର ନିମନ୍ତେ ଯାତ୍ରାକଲେ ।

 

ମଇମାସ ୩୦ ତାରିଖରେ ହିନ୍ଦ୍‌ନ ନଦୀ କୂଳର ଗାଜୀଉଦ୍ଦୀନ ନଗରରେ ଇଂରେଜମାନଙ୍କର ବିଦ୍ରୋହୀମାନଙ୍କ ସହ ପ୍ରଥମ ସଂଘର୍ଷ ଆରମ୍ଭ ହେଲା । ବିଦ୍ରୋହୀମାନେ ପରାଜିତ ହୋଇ ଦିଲ୍ଲୀ ପଳାଇଗଲେ ।

 

ମୀରଟରୁ ଜେନେରାଲ ହିଉୟେଟ ରୁଡକିରୁ କର୍ଣ୍ଣେଲ ବେୟାର୍ଡସ୍ମିଥ, ବୀରାରୁ ମେଜର ରିଡ୍‌ ଓ ବ୍ରିଗେଡିୟର ଉଇଲିସନ ପ୍ରମୁଖ ନିଜ ନିଜର ସୈନ୍ୟଙ୍କ ସହ ଆସି ପ୍ରଧାନ ସେନାପତିଙ୍କ ସହ ମିଳିତ ହେଲେ । କର୍ଣ୍ଣାଲର ନବାବ, ପାତିଆଲା, ନାଭା ଓ ଝିନ୍ଦର ମହାରାଜା ମଧ୍ୟ ସୈନ୍ୟ ସାହାଯ୍ୟ କଲେ ।

 

ଦିଲ୍ଲୀଠାରୁ ଦୁଇମାଇଲ ଦୂରରେ ଥିବା ମୋଗଲ ସରାଇଠାରେ ଉଭୟ ଦଳ ଭେଟାଭେଟି ହେଲେ । ବିଦ୍ରୋହୀମାନଙ୍କ ବନ୍ଧୁକ ଗୁଳିପୂର୍ଣ୍ଣ–ତରବାରୀ କୋଷମୁକ୍ତ । ସମସ୍ତେ ଇଂରେଜ ଶୋଣିତ ପିପାସୁ–ରଣୋନ୍ମତ୍ତ ।

 

ମାତ୍ର ଭାଗ୍ୟଦେବୀ ସେମାନଙ୍କର ପ୍ରତିକୂଳ ଥିଲା । ଅବଶ୍ୟ ବହୁ ମୂଲ୍ୟବାନ ଜୀବନ ବିନିମୟରେ ଇଂରେଜମାନେ ବିଜୟୀ ହେଲେ । ବିଦ୍ରୋହୀମାନେ ସହର ମଧ୍ୟରେ ଆଶ୍ରୟ ନେଲେ-

 

ଗଭର୍ଣ୍ଣର ଜେନେରାଲ ଲର୍ଡ କ୍ୟାନିଂ ଚିନ୍ତାମଗ୍ନ । କାଶୀ, ଏଲାହାବାଦ ଓ ଲକ୍ଷ୍ମୌ ପ୍ରଭୃତିରୁ ବିପର୍ଯ୍ୟୟ ସମ୍ବାଦମାନ ରାଜଧାନୀ କଲିକତାରେ ଆସି ପହଞ୍ଚିବାରେ ଲାଗିଲା । ଗଭର୍ଣ୍ଣର ଜେନେରାଲ ଓ ତାଙ୍କର କାଉନସିଲ ସଦସ୍ୟମାନେ ଉପସ୍ଥିତ ବିପଦରୁ ଇଂରେଜ ନରନାରୀଙ୍କୁ ରକ୍ଷା କରିବା ପାଇଁ ଏକ ନୂତନ ଆଇନ ପ୍ରଣୟନ କଲେ । ମଇ ୩୦ ତାରିଖରେ ଆଇନଟି କାଉନସିଲକୁ ଯାଇ ଜୁନ ୮ ତାରିଖରେ ଗଭର୍ଣ୍ଣର ଜେନେରାଲଙ୍କ ସ୍ୱୀକୃତି ଲାଭ କଲା । ଏହି ନୂତନ ଆଇନରେ ଉଲ୍ଲେଖ ରହିଲା ଯେ ‘‘ବିଦ୍ୟାବୁଦ୍ଧି ଏବଂ ବୟସ ନିର୍ବିଚାରରେ ଗଭର୍ଣ୍ଣମେଣ୍ଟର କାର୍ଯ୍ୟନିର୍ବାହକ ସମସ୍ତ କର୍ମଚାରୀ ଫୌଜଦାରୀ କ୍ଷମତା ଲାଭ କରିବେ । ଇଂଲଣ୍ଡର ରାଣୀ ଅଥବା ଇଷ୍ଟଇଣ୍ଡିଆ କମ୍ପାନୀ ସହିତ ଯାହାଙ୍କର ରାଜା ପ୍ରଜା ସମ୍ବନ୍ଧ; ସେମାନଙ୍କ ମଧ୍ୟରେ କେହି ବିଦ୍ରୋହ ସୃଷ୍ଟିର ଉଦ୍ୟମ କଲେ କିମ୍ବା ପ୍ରଚଳିତ ଆଇନର ବିରୁଦ୍ଧାଚରଣ କଲେ ସେମାନଙ୍କୁ ଫୌଜଦାରୀ ପରିସରକୁ ଅଣାଯାଇ ପାରିବ ଏବଂ ସେମାନଙ୍କ ବିଚାର ପାଇଁ କମିଶନ ବସାଯାଇ ପାରିବ । କମିଶନ ଅପରାଧ ବିଶେଷରେ ପ୍ରାଣଦଣ୍ଡ, ନିର୍ବାସନ ଦଣ୍ଡ ଅଥବା କାରାଦଣ୍ଡ ଦେଇପାରିବେ । ଏହି ଦଣ୍ଡାଜ୍ଞ ହିଁ ଚୂଡ଼ାନ୍ତ । ଏହା ବିରୋଧରେ କୌଣସି ଅପିଲ ହୋଇ ପାରିବ ନାହିଁ ।’’

 

ଯେଉଁମାନେ ସୈନିକ ନୁହନ୍ତି, କେବଳ ସେମାନଙ୍କୁ ଏହି କ୍ଷମତା ଦିଆଗଲା । ବିଚାରାଳୟରେ ପାଞ୍ଚ ଜଣ ବିଚାରପତି ରହିଲେ । ପରେ ଏହି ଆଇନ ବଳରେ ଲକ୍ଷ ଲକ୍ଷ ନିରୀହ ଭାରତବାସୀ ପ୍ରାଣଦଣ୍ଡରେ ଦଣ୍ଡିତ ହେଲେ ।

 

ଆଇନ ପ୍ରଣୟନ ହେବା ସଙ୍ଗେ ସଙ୍ଗେ କାଶୀ, ଏଲହାବାଦ, ଆଗ୍ରା, ଲକ୍ଷ୍ମୌ ଓ କାନପୁରର ସୁରକ୍ଷା ପାଇଁ ଲର୍ଡ କ୍ୟାନିଂ ଦୃଷ୍ଟିଦେଲେ । ମାତ୍ର ସେତେବେଳକୁ ଭସ୍ମାଚ୍ଛାଦିତ ବହ୍ନି ପବନ ସଂସ୍ପର୍ଶରେ ଆସି କୁହୁଳିବା ଆରମ୍ଭ କରି ଦେଇଥିଲା ।

 

ନାନା ସାହେବଙ୍କ ସୁଚତୁର ଉଦ୍ୟମ ଫଳରେ ସ୍ଥିର ହୋଇଥିଲା ଯେ ପ୍ରଥମେ ଆଜମଗଡ଼ରେ ବିଦ୍ରୋହ ଆରମ୍ଭ ହେବ । ସେଠାରୁ ସଙ୍କେତ ମିଳିଲେ କାଶୀ ଓ ପରେ ଏଲହାବାଦରେ ସଂଗ୍ରାମ ଆରମ୍ଭ ହେବ ।

 

ପୂର୍ବ ପରିକଳ୍ପନା ଅନୁସାରେ ଜୁନ୍‌ ୩ ତାରିଖରେ ଆଜମଗଡ଼ରେ ବିଦ୍ରୋହ ଆରମ୍ଭ ହେଲା । ସିପାହୀମାନେ କମ୍ପାନୀ ଧନାଗାରରୁ ସାତଲକ୍ଷ ଟଙ୍କା ଲୁଟି କରି ନେଇଗଲେ । କର୍ଣ୍ଣେଲ ନୀଲ ଦଳେ ମାନ୍ଦ୍ରାଜୀ ସୈନ୍ୟ ନେଇ ସେତେବେଳେ କାଶ୍ମୀର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିଲେ । ସେ ସିପାହୀମାନଙ୍କୁ ନିରସ୍ତ୍ର କରିବାପାଇଁ ଆଦେଶ ଦେଲେ; ମାତ୍ର ଫଳ ବିପରୀତ ହେଲା । ସିପାହୀମାନେ ବିଦ୍ରୋହ କରି କେତେଜଣ ଇଂରେଜଙ୍କୁ ହତ୍ୟାକଲେ । ଇଂରେଜମାନଙ୍କ କମାଣ ଓ ବନ୍ଧୁକରେ ମଧ୍ୟ ବହୁ ଦେଶୀୟ ସୈନ୍ୟ ନିହତ ହେଲେ ।

 

ଜୁନ ୩ ତାରିଖରେ ଆଜମଗଡ଼, ଚାରି ତାରିଖରେ କାଶୀ ଓ ପାଞ୍ଚ ତାରିଖରେ ଜୌନପୁରରେ ବିଦ୍ରୋହ ଆରମ୍ଭ ହୋଇଗଲା । କର୍ଣ୍ଣେଲ ନୀଲଙ୍କ ନିର୍ଦ୍ଦେଶରେ କାଶୀ ଓ ତାହାର ନିକଟବର୍ତ୍ତୀ ଅଞ୍ଚଳରେ ବହୁ ନିର୍ଦ୍ଦୋଷ ନରନାରୀଙ୍କୁ ହତ୍ୟା କରାଗଲା ।

 

ଜୁନ ୬ ତାରିଖରେ ଏଲହାବାଦରେ ବିଦ୍ରୋହର ଅଦ୍ଭ୍ୟୁଥାନ ଘଟିଲା । ଲିୟାକତ୍‌ଅଲୀ ନାମକ ଜଣେ ମୌଲବୀଙ୍କ ଉଦ୍ୟମରେ ହିନ୍ଦୁ ଓ ମୁସଲମାନ ଏକହୋଇ ଏଲହାବାଦରେ ଇଂରେଜମାନଙ୍କ ବିରୋଧରେ ଅସ୍ତ୍ର ଉତ୍ତୋଳନ କଲେ । ଇଂରେଜ ନରନାରୀମାନେ ଦୁର୍ଗ ମଧ୍ୟରେ ଆଶ୍ରୟ ନେଲେ । ଯେଉଁମାନେ ବାହାରେ ରହିଗଲେ, ସେ ସମସ୍ତେ ନିହତ ହେଲେ ।

 

ଗଭର୍ଣ୍ଣର ଜେନେରାଲ ଲର୍ଡ କ୍ୟାନିଂଙ୍କଠାରୁ ଜରୁରୀ ତାରବାର୍ତ୍ତା ପାଇ କର୍ଣ୍ଣେଲ ନୀଲ କାଶୀରୁ ଯାଇ ଏଲହାବାଦ ଦୁର୍ଗର ଦାୟିତ୍ୱ ନେଲେ । ତାପରେ ବିଦ୍ରୋହୀ ଓ ଜନସାଧାରଣଙ୍କୁ ଭୟଭୀତ କରାଇବା ଉଦ୍ଦେଶ୍ୟରେ ବେପରବାୟ ଭାବରେ ତୋପଚାଳନା କଲେ । ବହୁ ନିରୀହ ଜନତା ନିହତ ହେଲେ ।

 

ମୀରଟ ଓ ଦିଲ୍ଲୀର ପତନ ପରେ ପରେ ବିଠୁର ଦରବାରରେ ନାନାସାହେବ, ତାଙ୍କର ଦୁଇଭାଇ ବାବା ସାହେବ ଓ ବାଲ ସାହେବ ଭାଗୀନେୟ ରାଓ ସାହେବ, ଝାନ୍‌ସିର ରାଣୀ ଲକ୍ଷ୍ମୀବାଈ, ତାନ୍ତିଆଟୋପି ଓ ଆଜିମୁଲା ଖାଁ ବହୁ ବିଚାର ଆଲୋଚନା ପରେ ବିପ୍ଳବର ନିର୍ଦ୍ଦିଷ୍ଟ ତାରିଖ ମଇ ୩୧ ରବିବାର ପରିବର୍ତ୍ତେ ଜୁନ ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦେଲେ ।

 

ଜୁନ ଚାରି ତାରିଖରେ ଦୁଇଦଳ ବିଦ୍ରୋହୀ ସିପାହୀ ନାନାସେହେବଙ୍କ ସୈନ୍ୟମାନଙ୍କ ସହ ମିଳିତ ହେଲେ । ତାପରେ ସେମାନେ ଧନାଗାର ଲୁଣ୍ଠନ କରି ଜେଲ ଫାଟକ ଖୋଲିଦେଲେ । ଅଫିସର ସମସ୍ତ କାଗଜପତ୍ର ପୋଡ଼ି ଅସ୍ତ୍ରାଗାରରୁ କମାଣ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ନେଇ ସିପାହୀମାନେ ନବାବଙ୍କ ପାଖକୁ ଆସିଲେ । ସେଠାରେ ସେମାନେ ନାନାସାହେବଙ୍କୁ ଭେଟି ଅଧିନାୟକ ରୂପେ ବରଣ କଲେ ।

 

ଇଂରେଜ ସେନାପତି ଜେନେରାଲ ହୁଇଲର ଏହା ପୂର୍ବରୁ ମାଟିର ପ୍ରାଚୀର କରି ସେନାଛାଉଣୀର ହାସପାତାଳକୁ ଏକ ଦୁର୍ଗରେ ପରିଣତ କରିଥିଲେ । ସେଠାରେ ସେ ସମସ୍ତ ଇଂରେଜ ନରନାରୀଙ୍କୁ ରଖାଇ ଅଧିକ ସାହାଯ୍ୟ ପାଇଁ ଗଭର୍ଣ୍ଣର ଜେନେରାଲଙ୍କୁ ଅନୁରୋଧ ଜଣାଇଥିଲେ ।

 

ବିଦ୍ରୋହୀ ସୈନ୍ୟମାନେ ତିନି ସପ୍ତାହ ଧରି ଦୁର୍ଗ ଅବରୋଧ କଲେ । ବହୁ ଇଂରେଜ ଖାଦ୍ୟାଭାବରୁ ଏବଂ କମାଣ ଓ ବନ୍ଧୁକ ଗୁଳିରେ ପ୍ରାଣ ହରାଇଲେ । ଶେଷରେ ଅନ୍ୟ ଉପାୟ ନ ଦେଖି ଜେନେରାଲ ହୁଇଲର ଓ ଅବଶିଷ୍ଟ ଇଂରେଜମାନେ ଆତ୍ମ ସମର୍ପଣ କଲେ । ସେମାନଙ୍କୁ ନିରାପଦରେ ଚାଳିଶଟି ନୌକା ଯୋଗେ ଏଲାହାବାଦ ପଠାଇ ଦିଆଯିବାକୁ ସ୍ଥିର ହେଲା । ଇଂରେଜ ଦୁର୍ଗରେ ୟୁନିୟନ ଜ୍ୟାକ୍ ପରିବର୍ତ୍ତେ ପେଶବାଙ୍କ ବ୍ୟାଘ୍ର ଲାଞ୍ଚିତ ପତାକା ଉଡ଼ିଲା ।

 

ଜୁନ ୨୭ ତାରିଖରେ ଇଂରେଜମାନେ ଏଲାହାବାଦ ଯିବାପାଇଁ ସତୀଚଉରା ଘାଟରୁ ନୌକାରେ ଉଠିଲେ । ମାତ୍ର ଗଙ୍ଗା ବକ୍ଷରେ ଅଳ୍ପ ଦୂର ଯିବାପରେ ୩୯ଟି ନୌକା ଉପରେ କମାଣରୁ ଗୋଳାବୃଷ୍ଟି ହେଲା । ନୌକାଗୁଡ଼ିକ ପୋଡ଼ିଯାଇ ଗଙ୍ଗା ଗର୍ଭରେ ବୁଡ଼ିଗଲା । ପ୍ରାୟ ପାଞ୍ଚଶହ ଇଂରେଜଙ୍କ ମଧ୍ୟରୁ ଅଶୀଜଣଙ୍କୁ ଜୀବନ୍ତ ଅବସ୍ଥାରେ ବନ୍ଦୀ କରି ଅଣାଗଲା ।

 

ଜୁଲାଇ ପହିଲାରେ ନାନାସାହେବ ଲଲାଟରେ ରାଜ ଟୀକା ଧାରଣ କରି ପେଶବା ଗାଦୀରେ ବସିଲେ ।

 

କାନପୁର ହତ୍ୟାକାଣ୍ଡ ଖବର ଯଥା ସମୟରେ ଲର୍ଡ କ୍ୟାନିଂଙ୍କ କର୍ଣ୍ଣଗୋଚର ହେଲା । ସେ କର୍ଣ୍ଣେଲ ନୀଲ୍‌ଙ୍କ ଉପରେ ପୂର୍ଣ୍ଣ ଆସ୍ଥା ନ ରଖି ଫ୍ରାନସ ବିଜେତା ଜେନେରାଲ୍‌ ହ୍ୟାଭଲକଙ୍କୁ କାନପୁର ଉଦ୍ଧାର ପାଇଁ ଅନୁରୋଧ ଜଣାଇଲେ ।

 

ନାନା ସାହେବ ମଧ୍ୟ ସଂଗ୍ରାମ ପାଇଁ ପ୍ରସ୍ତୁତ ହେଲେ ।

 

ଜୁଲାଇ ସାତ ତାରିଖରେ ଜେନେରାଲ ହ୍ୟାଭଲକ ଏଲହାବାଦରୁ କାନପୁର ଅଭିମୁଖେ ଯାତ୍ରା କଲେ ।

 

ନାନାସାହେବଙ୍କ ନିର୍ଦ୍ଦେଶରେ ସେନାପତି ଜଓ୍ୟାଲ ପ୍ରସାଦ ଓ ଟୀକା ସିଂହ ଜୁଲାଇ ୧୨ ତାରିଖରେ ହ୍ୟାଭଲକଙ୍କର ସମ୍ମୁଖୀନ ହେଲେ । ତା ପୂର୍ବରୁ ମେଜର ରେନଡଇଙ୍କ ସୈନ୍ୟଦଳ ହ୍ୟାଭଲଙ୍କ ସୈନ୍ୟଙ୍କ ସହ ମିଳିତ ହୋଇ ସାରିଥିଲେ । ଫତେପୁରଠାରେ ଅନୁଷ୍ଠିତ ଯୁଦ୍ଧରେ ଇଂରେଜମାନେ ଏନ୍‌ଫିଲଡ୍‌ ବନ୍ଧୁକ ଓ ଦୂରରୁ ଗୋଳା ବର୍ଷଣକାରୀ କମାଣ ସାହାଯ୍ୟରେ ବିଜୟ ଲାଭ କଲେ ।

 

କାନପୁରରେ ଥାଇ ନାନାସାହେବ ଏ ଦୁଃସମ୍ବାଦ ଶୁଣି ବାଲାରାଓଙ୍କୁ ପ୍ରଚୁର ସୈନ୍ୟ ଓ ଅସ୍ତ୍ର ଶସ୍ତ୍ର ଦେଇ ଯୁଦ୍ଧକୁ ପଠାଇଲେ । ବାଲାରାଓ କାନପୁରଠାରୁ ୨୨ ମାଇଲ ଦୂରରେ ଆଓଙ୍ଗ ନାମକ ସ୍ଥାନରେ ଶିବିର ସ୍ଥାପନ କଲେ । ଏଠାରେ ମଧ୍ୟ ସେହି ବନ୍ଧୁକ ଓ କମାଣ ଯୋଗୁ ଇଂରେଜମାନେ ଜୟଲାଭ କଲେ ।

 

ଜୁଲାଇ ୧୬ ତାରିଖରେ ପାଞ୍ଚହଜାର ସୈନ୍ୟ ଓ ସାତଟି କମାଣ ନେଇ ନିଜେ ନାନାସାହେବ ଯୁଦ୍ଧକୁ ଯାତ୍ରା କଲେ ।

 

ଗଙ୍ଗାକୂଳର ଏକ ଆମ୍ର କାନନରେ ନାନାସାହେବ ଶିବିର ସ୍ଥାପନ କରି ବ୍ୟୁହ ରଚନା କଲେ । ସ୍ଥାନଟି କାନପୁରଠାରୁ ମାତ୍ର ଚାରି ମାଇଲ ଦୂରରେ ଅବସ୍ଥିତ । ଏକ ତ୍ରିଛକ ସ୍ଥାନରେ ନାନାସାହେବଙ୍କ ସୈନ୍ୟମାନେ ହ୍ୟାଭଲକଙ୍କ ସୈନ୍ୟମାନଙ୍କୁ ଅପେକ୍ଷା କଲେ । ଏଠାରୁ ସମ୍ମୁଖ ରାସ୍ତା କାନପୁରକୁ, ବାମପାଖ ରାସ୍ତା କ୍ୟାଣ୍ଟମେଣ୍ଟକୁ ଓ ଦକ୍ଷିଣ ପାଖ ରାସ୍ତା ଦିଲ୍ଲୀକୁ ଯାଇଛି ।

 

ଜେନେରାଲ ହ୍ୟାଭଲକଙ୍କ ସୈନ୍ୟମାନେ ଏଠାରେ ପହଞ୍ଚିବାମାତ୍ରେ ନାନାସାହେବଙ୍କ ସୈନ୍ୟମାନେ ଆକ୍ରମଣ ଆରମ୍ଭ କରିଦେଲେ । ଉଭୟ ପକ୍ଷରୁ ତୁମୁଳ ଯୁଦ୍ଧ ହେଲା । ନାନାସାହେବଙ୍କ ସୈନ୍ୟ ସଜ୍ଜା, ସୈନ୍ୟମାନଙ୍କ ଦୃଢ଼ତା ଓ ଦକ୍ଷତା ଦେଖି ଜେନେରାଲ ହ୍ୟାଭଲକ ବିସ୍ମିତ ହୋଇଗଲେ । ସେ ଦେଖିଲେ ଯେ କେବଳ ଆଧୁନିକ ଧରଣର ବନ୍ଧୁକ ଓ କମାଣ ଉପରେ ନିର୍ଭର କରି ବିଜୟ ଲାଭ କରିବା ସମ୍ଭବ ନୁହେଁ । ତେଣୁ ହ୍ୟାଭଲକ କାଳ ବିଳମ୍ବ ନକରି ଆଦେଶ ଦେଲେ–

 

‘‘ସୋଲଜାର୍ସ ଫଲ୍‌ଇନ୍‌, କୁଇକ୍‌ ମାର୍ଚ୍ଚ ଏଣ୍ଡ ଚାର୍ଜ ଦି ଏନିମି !’’

 

ଇଂରେଜ ସୈନ୍ୟମାନେ କ୍ଷିପ୍ରତାର ସହିତ ଅଗ୍ରସର ହୋଇ ଗୋଟିଏ ଗୋଟିଏ କମାଣ ଦଖଲ କରିବାରେ ଲାଗିଲେ ।

 

ନାନାଙ୍କ ସୈନ୍ୟମାନେ ଭୟଭୀତ ହୋଇ ଛତ୍ରଭଙ୍ଗ ଦେଲେ । ଅଢ଼େଇଘଣ୍ଟା ଯୁଦ୍ଧ ପରେ ନାନାସାହେବ ଜୟର ଆଶା ପରିତ୍ୟାଗ କରି ଦ୍ରୁତଗାମୀ ଅଶ୍ୱ ପୃଷ୍ଠରେ ଯୁଦ୍ଧସ୍ଥଳ ପରିତ୍ୟାଗ କଲେ-

 

ବିଠୁରରେ ପହଞ୍ଚି ନାନାସାହେବ ଭାବିଲେ ଯେ ଯେତେ ସହଜରେ ସେ ଇଂରେଜମାନଙ୍କୁ ପରାଜୟ କରିବେ ବୋଲି ଭାବିଥିଲେ, ତାହା ସେତେ ସହଜ ନୁହେଁ । ବିଜୟଲାଭ କରିବାକୁ ହେଲେ ଭୀଷଣ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ । ବିଦ୍ରୋହର ଗତି ଯେପରି ପ୍ରଚଣ୍ଡ, ଇଂରେଜମାନଙ୍କ ଦମନନୀତି ସେପରି ଭୟାବହ । ଏଭଳି ଅବସ୍ଥାରେ ବିଠୁରରେ ରହିବା ଆଦୌ ଉଚିତ ନୁହେଁ । କାନପୁର ପତନ ପରେ ଇଂରେଜମାନେ ନିଶ୍ଚୟ ବିଠୁର ଆକ୍ରମଣ କରିବେ । ଏଣୁ ସେ ରାତ୍ରରେ ନୌକାଯୋଗେ ଗଙ୍ଗା ପାରହୋଇ ଫତେଗଡ଼ରେ ରହି ଯୁଦ୍ଧ ପରିଚାଳନା କରିବେ ବୋଲି ସ୍ଥିରକଲେ । ମାତ୍ର ପ୍ରକାଶ୍ୟରେ ପ୍ରଚାର କରିଦେଲେ ଯେ ଇଂରେଜମାନଙ୍କୁ ହତ୍ୟା କରିବା ଦୋଷରୁ ପାପ କ୍ଷାଳନ ପାଇଁ ମଝି ଗଙ୍ଗାରେ ଯାଇ ଆତ୍ମବିସର୍ଜନ କରିବେ ।

 

ପୂର୍ବ ପରିକଳ୍ପନା ଅନୁସାରେ ନାନାସାହେବ ରାତ୍ରରେ ପରିବାରବର୍ଗଙ୍କୁ ନେଇ ଅଯୋଧ୍ୟାକୁ ଚାଲିଗଲେ ।

 

୧୮୫୭ ମସିହା ଜୁନମାସ ବେଳକୁ ଅଯୋଧ୍ୟା ଅଗ୍ନିଗର୍ଭ ।

 

ପୁର-ପଲ୍ଲୀ, ନଗର ପ୍ରାନ୍ତର ସର୍ବତ୍ର ଧୂମାୟିତ ବହ୍ନି କୁହୁଳିବାରେ ଲାଗିଛି ।

 

୧୮୫୬ ମସିହାରେ ଅଯୋଧ୍ୟାର ନବାବ ଓ୍ୟାଜିଦଅଲୀଙ୍କୁ ଲର୍ଡ ହେଷ୍ଟିଂସ ଗାଦୀଚ୍ୟୁତ କରି କଲିକତାର ଅଦୂରରେ ଥିବା ମୋଚିଖୋଲରେ ନଜରବନ୍ଦୀ କରି ରଖିଲେ । ତାପରେ ଜମି ଜମା ବନ୍ଦୋବସ୍ତ, ନୂତନ କରଧାର୍ଯ୍ୟ, କର୍ମଚାରୀମାନଙ୍କର ବେତନର ସ୍ୱଳ୍ପତା ଯୋଗୁ ତାଲୁକଦାର, ପ୍ରଜା, କର୍ମଚାରୀ ଓ ବୃତ୍ତିଭୋଗୀମାନଙ୍କ ମନରେ ଅସନ୍ତୋଷ ଜାତହେଲା । ଏହାପରେ ନବାବଙ୍କ ଅମଳରେ ଯେଉଁମାନେ ରାଜକର୍ମଚାରୀ ରୂପେ ନିଯୁକ୍ତି ପାଇଥିଲେ, ସେମାନଙ୍କ ଚାକିରୀ ଚାଲିଯିବାରେ ସେମାନେ ଏ ଅସନ୍ତୋଷ ଅଗ୍ନିରେ ଇନ୍ଧନ ଯୋଗାଇଲେ । ଇଷ୍ଟିଇଣ୍ଡିଆ କମ୍ପାନୀରୁ ଯେଉଁ ସିପାହୀମାନେ ବରଖାସ୍ତ ହେଲେ, ସେମାନେ ଅଯୋଧ୍ୟାକୁ ଫେରି ଆସି ସେ ଅଗ୍ନିରେ ବାତ୍ୟା ସ୍ୱରୂପ କାର୍ଯ୍ୟ କଲେ । ଫଳରେ ଅଗ୍ନି, ବାତ୍ୟା ଓ ଇନ୍ଧନ ସହଯୋଗରେ ଅଯୋଧ୍ୟାର ବିଶାଳ ଭୂଖଣ୍ଡରେ ବିଦ୍ରୋହାଗ୍ନି ଲେଲିହାନ ଶିଖା ବିସ୍ତାର କରିବାରେ ଲାଗିଲା । ରାଜଧାନୀ ଲକ୍ଷ୍ମୌ ବିଦ୍ରୋହର କେନ୍ଦ୍ରସ୍ଥଳୀ ହୋଇପଡ଼ିଲା ।

 

ଜୁନମାସ ୧୫ ତାରିଖରେ ବିଦ୍ରୋହ ପରିଚାଳନା କରୁଥିବା ସନ୍ଦେହରେ ନବାବ ଓ୍ୟାଜିଦ ଅଲୀଙ୍କୁ ମୋଚିଖୋଲରୁ ନିଆଯାଇ ଫୋର୍ଟ ଉଇଲିୟମ ଦୁର୍ଗରେ ବନ୍ଦୀକରି ରଖାଗଲା । ଏ ସମ୍ବାଦ ମିଳିବାମାତ୍ରେ ଅଯୋଧ୍ୟାରେ ଅସନ୍ତୋଷ ବ୍ୟାପକତର ହୋଇପଡ଼ିଲା । ଏପରିକି ଗ୍ରାମର କୃଷକମାନେ ମଧ୍ୟ ବନ୍ଧୁକ ଓ କମାଣ ଯୋଗାଡ଼ କରି ବିପ୍ଳବପାଇଁ ପ୍ରସ୍ତୁତ ହୋଇଗଲେ । ସୀତାପୁର, ମହମନ୍ଦୀ ଓ ମଲାୟନ ଗ୍ରାମରୁ ଇଂରେଜମାନେ ଭୟରେ ପଳାଇଗଲେ । ସାଜାହାନପୁର ଓ ମହମନ୍ଦୀରେ ବହୁ ଇଂରେଜ ନିହତ ହେଲେ । ଲକ୍ଷ୍ନୌ ବିଭାଗର ଲକ୍ଷ୍ନୌ, ଉନାୟୁ ଓ ଦରିଆବାଦରୁ କେବଳ ଲକ୍ଷ୍ନୌ ବ୍ୟତୀତ ଅନ୍ୟ ସର୍ବତ୍ର ବିଦ୍ରୋହାଗ୍ନି ଜଳି ଉଠିଲା । ଦରିଆବାଦ, ଫୌଜାବାଦ ଓ ସୁଲତାନପୁର ଅବସ୍ଥା ଅଣାୟତ୍ତ ହୋଇପଡ଼ିଲା ।

 

ପରିଶେଷରେ ଲକ୍ଷ୍ନୌର ସିପାହୀମାନେ ବିଦ୍ରୋହ ଘୋଷଣା କଲେ । ଚିଫ୍‌ କମିଶନର ସାର୍‌ ହେନେରୀ ଲରେନ୍‌ସ ସହର ଠାରୁ ପ୍ରାୟ ଦେଢ଼ ମାଇଲ ଦୂରରେ ଗୋମତୀ ନଦୀ କୂଳର ସେନାନିବାସ ନିକଟରେ ରହନ୍ତି । ଜୁନମାସ ୨୯ ତାରିଖ ରାତ୍ରରେ ସେ ସମ୍ବାଦ ପାଇଲେ ଯେ ବିଦ୍ରୋହୀମାନେ ଆଠ ମାଇଲ ଦୂରରେ ଥିବା ଚୀନାହାଟ ନିକଟରେ ଏକତ୍ରିତ ହୋଇଛନ୍ତି । ସେମାନଙ୍କୁ ଘଉଡ଼ାଇ ଦେବାପାଇଁ ଲରେନ୍‌ସ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ ।

 

ଜୁନ ୩୦ ତାରିଖରେ ସାତଶହ ସୈନ୍ୟ ଓ ସାତଟି କମାଣ ନେଇ ଇଂରେଜ ସେନାପତି ବିଦ୍ରୋହୀମାନଙ୍କ ମୁକାବିଲା କରିବାକୁ ଗଲେ । ଦିନ ୯ଟା ବେଳେ ସେମାନେ ଇସମାଇଲଗଞ୍ଜ ନିକଟରେ ପହଞ୍ଚିବା ମାତ୍ରେ ହଠାତ୍‌ ଗୋଟାଏ କମାଣ ଗୋଳା ଆସି ଇଂରେଜ ସୈନ୍ୟଙ୍କ ଉପରେ ପଡ଼ିଲା । ସେହିଠାରେ ଉଭୟ ପକ୍ଷର ଯୁଦ୍ଧ ଆରମ୍ଭ ହୋଇଗଲା । ଏ ଯୁଦ୍ଧରେ ଇଂରେଜମାନେ ପରାଜିତ ହୋଇ ରେସିଡେନ୍‌ସିରେ ଆସି ଆଶ୍ରୟ ନେଲେ । ବିଦ୍ରୋହୀମାନେ ରେସିଡେନ୍‌ସି ଅବରୋଧ କଲେ । ସାର୍‌ ଲରେନ୍‌ସ ଅନ୍ୟ ଉପାୟ ନ ଦେଖି ସାହାଯ୍ୟ ନିମନ୍ତେ ଜେନେରାଲ ହାଭଲକଙ୍କ ନିକଟକୁ ପତ୍ର ଲେଖିଲେ ।

 

ଜୁଲାଇ ଦୁଇ ତାରିଖରେ ଇଂରେଜମାନେ ଆଶ୍ରୟ ନେଇଥିବା ରେସିଡେନ୍‌ସି ଆକ୍ରମିତ ହେଲା । ବିଦ୍ରୋହୀଙ୍କ କମାଣଗୋଳାରେ ଜୁଲାଇ ମାସ ୪ ତାରିଖରେ ସାର୍‌ ହେନେରୀ ଲରେନ୍‌ସ ରେସିଡେନ୍‌ସି ମଧ୍ୟରେ ନିହତ ହେଲେ । ହ୍ୟାଭଲକ କାନପୁରରେ ଏ ସମ୍ବାଦ ପାଇବାମାତ୍ରେ ଲକ୍ଷ୍ନୌ ଯାତ୍ରାର ଆୟୋଜନ କଲେ ।

 

ଚୀନାହାଟ ଯୁଦ୍ଧରେ ପରାଜୟ ଓ ସାର୍‌ ହେନେରୀ ଲରେନ୍‌ସଙ୍କ ମୃତ୍ୟୁରେ ଇଂରେଜମାନେ ବିଚଳିତ ହୋଇପଡ଼ିଲେ । ରେସିଡେନ୍‌ସିରେ ଅବରୁଦ୍ଧ ଅବସ୍ଥାରେ ଥାଇ ସେମାନେ କେବଳ କାନପୁରର ସାହାଯ୍ୟ ଆଶାରେ ଦିନ ଗଣିବାରେ ଲାଗିଲେ ।

 

ବିଦ୍ରୋହୀମାନେ ବନ୍ଦୀ ନବାବଙ୍କର ଏକ ଶିଶୁପୁତ୍ରକୁ ନବାବ ଗାଦୀରେ ବସାଇଲେ । ତାଙ୍କ ମା’ ବେଗମ ହଜରତ ମହଲ ଶାସନ ପରିଚାଳନା କଲେ । ଜୁଲାଇ ୨୦ ତାରିଖରେ ଅବରୁଦ୍ଧ ରେସିଡେନ୍‌ସି ଆକ୍ରମଣ ପାଇଁ ନବାବଙ୍କ ଦରବାରରେ ସ୍ଥିର କରାଗଲା । ସେ ପର୍ଯ୍ୟନ୍ତ ମଧ୍ୟ କେତେକ ସିପାହୀ ଇଂରେଜମାନଙ୍କ ସପକ୍ଷରେ ଥିଲେ । ଏତିକିବେଳେ ନାନାସାହେବଙ୍କ ନିର୍ଦ୍ଦେଶନାମା ଆସି ସେମାନଙ୍କ ନିକଟରେ ପହଞ୍ଚିଲା । ତହିଁରେ ଉଲ୍ଲେଖ ଥିଲା–‘‘ଦିଲ୍ଲୀ, କାନପୁର ଓ ଅଯୋଧ୍ୟାରେ ଆମ୍ଭେମାନେ ସ୍ୱାଧୀନ ପତାକା ଉଡ଼ାଇଛୁ । ବର୍ତ୍ତମାନ ଯଦି ତୁମ୍ଭେମାନେ ଏଭଳି ବିଶ୍ୱାସଘାତକତା କର, ତେବେ ଭବିଷ୍ୟତର ବଂଶଧରମାନେ ତୁମ୍ଭମାନଙ୍କୁ କ୍ଷମା ଦେବେ ନାହିଁ ।’’

 

ଐତିହାସିକ ଗାବିନ୍‌ସ ଏ ସମ୍ପର୍କରେ ଲେଖିଛନ୍ତି–‘‘ବିଦ୍ରୋହୀମାନେ ବିଭିନ୍ନ ସ୍ଥାନରେ ଏକ ସଙ୍ଗରେ ବିଦ୍ରୋହରେ ଯୋଗ ଦେଇ ନ ଥିଲେ । କୁଶଳୀ ସେନାପତି ନାନାସାହେବ ଏ ସମସ୍ତ ଖବର ରଖିଥିଲେ । ଏପରିକି କେଉଁ କେଉଁ ସୈନ୍ୟମାନେ ବିପ୍ଳବରେ ଯୋଗଦେଇ ନାହାନ୍ତି, ସେମାନଙ୍କ ନାମ ତାଲିକା ପର୍ଯ୍ୟନ୍ତ ତାଙ୍କ ନିକଟରେ ଥିଲା । ନାନାସାହେବ ଗୋପନରେ ସେମାନଙ୍କ ନିକଟକୁ ଇସ୍ତାହାର ପଠାଉଥିଲେ ଏବଂ ବିପ୍ଳବରେ ଯୋଗ ଦେବାପାଇଁ ଆହ୍ୱାନ ଦେଉଥିଲେ ।’’

 

ଜୁଲାଇ ମାସ ୨୦ ତାରିଖରେ ରେସିଡେନ୍‌ସି ଆକ୍ରମିତ ହେଲା । ବହୁ ଇଂରେଜ ନରନାରୀ ପ୍ରାଣ ହରାଇଲେ । ଜେନେରାଲ ହ୍ୟାଭଲକ ଲକ୍ଷ୍ନୌ ଉଦ୍ଧାରରେ ଆସି ବସିରଥଗଞ୍ଜଠାରେ ବିଦ୍ରୋହୀମାନଙ୍କ ମୁକାବିଲା କରି ତିନିଥର କାନପୁର ପ୍ରତ୍ୟାବର୍ତ୍ତନ କଲେ । ଏତିକିବେଳେ ସେ ଖବର ପାଇଲେ ଯେ ନାନାସାହେବ ପୁଣି ସୈନ୍ୟ ସଂଗ୍ରହକରି କାନପୁର ଉଦ୍ଧାରର ପ୍ରୟାସ କରୁଛନ୍ତି । ତେଣୁ ସେ ଲକ୍ଷ୍ନୌ ଉଦ୍ଧାର ସ୍ଥଗିତ ରଖି କାନପୁର ସୁରକ୍ଷାରେ ମନ ବଳାଇଲେ ।

 

ସେପ୍ଟେମ୍ବର ୧୬ ତାରିଖରେ ସାର୍‌ ଜେମସ୍‌ ଆଉଟ୍ରାମ ମେଜର ଜେନେରାଲ କ୍ଷମତା ପାଇ କାନପୁରରେ ଆସି ଉପସ୍ଥିତ ହେଲେ । ଲକ୍ଷ୍ନୌ ଅଭିଯାନ ପାଇଁ ଦିନ ସ୍ଥିରହେଲା । ହ୍ୟାଭଲକ, ଆଉଟଟ୍ରାମ ଓ ନୀଳ–ଏହି ତିନିଜଣ ଦକ୍ଷ ସେନାପତି ତିନିହଜାର ଏକ ଶହ ଅଣାଅଶୀ ଜଣ ସୈନ୍ୟ ସହ ଲକ୍ଷ୍ନୌ ଉଦ୍ଧାରରେ ଚାଲିଲେ । ସୈନ୍ୟମାନଙ୍କୁ ତିନି ଦଳରେ ବିଭକ୍ତ କରାଯାଇ ବ୍ରିଗେଡିଆର ନୀଳ ବ୍ରିଗେଡିଆର ହାମିଲଟନ ଓ ମେଜର କୂପରଙ୍କ ଅଧିନାୟକତ୍ୱରେ ରଖାଗଲା ।

 

ମଙ୍ଗଳବର, ବସିରଥଗଞ୍ଜ, ଉନାଉ, ଆଲମବାଗ ଓ ଚାରବାବ ପ୍ରଭୃତି ସ୍ଥାନରେ ବିଦ୍ରୋହୀମାନେ ସେମାନଙ୍କୁ ବାଧାଦେଇ ପରାଜିତ ହେଲେ । ଅବଶେଷରେ ଇଂରେଜମାନେ ଆସି ଛତ୍ରମଞ୍ଜିଲର ଜେଲଖାନା ଓ ଫରିଦବକ୍‌ସ ପ୍ରାସାଦରେ ଶିବିର ପକାଇ ଲକ୍ଷ୍ନୌ ଉଦ୍ଧାରର ପରିକଳ୍ପନା କଲେ । ତାପରେ ରାତ୍ରର ଅନ୍ଧକାରରେ ରେସିଡେନ୍‌ସି ଅଭିମୁଖେ ଯାତ୍ରା ଆରମ୍ଭ କଲେ-। ପଥ ମଧ୍ୟରେ ବିଦ୍ରୋହୀମାନେ ପ୍ରଚଣ୍ଡ ଭାବରେ ବାଧା ଦେଲେ । ଏହି ଯୁଦ୍ଧରେ ଜେନେରାଲ ନୀଳ ପ୍ରାଣ ହରାଇଲେ । ମାତ୍ର ଇଂରେଜମାନେ ଅସୀମ ସାହସିକତାର ସହ ଅଗ୍ରସର ହୋଇ ରେସିଡେନ୍‌ସିରେ ପ୍ରବେଶ କଲେ । ସେନାପତି ଆଉଟ୍ରାମ ବିଦ୍ରୋହୀମାନଙ୍କ ଗୁଳିରେ ଗୁରୁତର ଭାବେ ଆହତ ହେଲେ ।

 

ରେସିଡେନ୍‌ସିରେ ପ୍ରବେଶ ପରେ ଇଂରେଜମାନେ ଅପେକ୍ଷାକୃତ ନିରାପଦ ମନେକଲେ-। ଲକ୍ଷ୍ନୌ ଉଦ୍ଧାର ପାଇଁ ପୂରା ଉଦ୍ୟମରେ କାମ ଆରମ୍ଭ ହୋଇଗଲା । ଏହି ସମୟରେ କର୍ଣ୍ଣେ ନେପିୟର ବହୁ ସୈନ୍ୟ ସହ ଆସି ସେମାନଙ୍କ ସହ ମିଳିତ ହେଲେ । ବିଦ୍ରୋହୀମାନଙ୍କ ସହ ବିରୋଧ ସଂଘର୍ଷ ଆରମ୍ଭ ହୋଇଗଲା । ମାତ୍ର ବହୁ ଉଦ୍ୟମ କରି ମଧ୍ୟ ବିଦ୍ରୋହୀମାନଙ୍କୁ ସଂପୂର୍ଣ୍ଣ ରୂପେ ବିତାଡ଼ନ କରିବା ସମ୍ଭବ ହେଲା ନାହିଁ ।

 

କଲିକତାର ଗଭର୍ଣ୍ଣର ଜେନେରାଲ ପ୍ରାସାଦରେ ବସି ଲର୍ଡ କ୍ୟାନିଂ ଗଭୀର ଚିନ୍ତାମଗ୍ନ ।

 

ଦେଶର ବିଭିନ୍ନ ସ୍ଥାନରୁ ରିପୋର୍ଟମାନ ଆସି ପହଞ୍ଚିବାରେ ଲାଗିଛି ।

 

କାନପୁର ବିଦ୍ରୋହ ଆୟତ୍ତର ବାହାରେ ।

 

ଝାନ୍‌ସିର ରାଣୀ ବିଦ୍ରୋହୀ ଦଳର ନେତୃତ୍ୱ ନେଇଛନ୍ତି ।

 

ବୁନ୍ଦେଲଖଣ୍ଡରେ ସମସ୍ତ ସୈନ୍ୟ ଇଂରେଜଙ୍କ ବିରୋଧରେ ଅସ୍ତ୍ରଧାରଣ କରିଛନ୍ତି ।

 

ଗୋୟାଲିୟର ଓ ଇନ୍ଦୋରରେ ବିଦ୍ରୋହ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଛି ।

 

ରୋହିଲାଖଣ୍ଡର ବିଦ୍ରୋହୀମାନେ ଖାଁ ବାହାଦୂର ଖାଁ ନାମକ ଜଣେ ମୁସଲମାନଙ୍କୁ ରୋହିଲାଖଣ୍ଡର ଶାସନକର୍ତ୍ତା ଘୋଷଣା କରିଛନ୍ତି ।

 

ଆଗ୍ରା, ଦିଲ୍ଲୀ ଓ ନାସିରବାଦରେ ଅଶାନ୍ତି ଭୟଙ୍କର ।

 

ଟେବୁଲ ଉପରେ ପ୍ରସାରିତ ଭାରତ ମାନଚିତ୍ର ଉପରେ ଲର୍ଡ କ୍ୟାନିଂଙ୍କ ଦୃଷ୍ଟି ନିବଦ୍ଧ । ବିକ୍ଷୁବ୍ଧ ଭାରତରେ କେବଳ ମାନ୍ଦ୍ରାଜ ଓ ବମ୍ବେ ଦୁଇଟି ପ୍ରଦେଶ ଶାନ୍ତ ଅଛି । ହାଇଦ୍ରାବାଦର ନିଜାମ ଏ ପର୍ଯ୍ୟନ୍ତ ବନ୍ଧୁ ଭାବରେ ଅଛନ୍ତି । ମାତ୍ର ପରବର୍ତ୍ତୀ ପରିଣାମ କଣ ହେବ କିଏ ଜାଣେ ? ରାଜପୁତନା ଶାନ୍ତ ଅଛି ସତ; ମାତ୍ର ପଶ୍ଚିମ ଭାରତର ବିଦ୍ରୋହ ସେଠାରେ ସଂକ୍ରମିତ ହେବାକୁ ବା କେତେ ସମୟ ଲାଗିବ ? ବର୍ତ୍ତମାନ କେବଳ ନେପାଳ ଉପରେ ନିର୍ଭର କରାଯାଇପାରେ ?

 

ପଞ୍ଚନଦୀର ଉପକୂଳ ଅସ୍ଥିର ।

 

ଝେଲମ, ଚେନାବ, ରାବି, ଶତଦ୍ରୁ ଓ ବେୟାସର କୂଳେ କୂଳେ ବିପ୍ଳବର ଶଙ୍ଖଧ୍ୱନି ବାଜୁଛି ।

 

ପଞ୍ଜାବର ସୁରକ୍ଷା ଏକାନ୍ତ ଆବଶ୍ୟକ ।

 

ପଞ୍ଜାବର ଉତ୍ତରରେ ଆଫଗାନିସ୍ଥାନ । ଆଫଗାନମାନେ ଯୁଦ୍ଧପ୍ରିୟ ଜାତି । ସେମାନେ ବିଦେଶୀ ରାଜାର ବଶୀଭୂତ ନୁହନ୍ତି । ଲାହୋର, ଜଳନ୍ଧର ଓ ଫିରୋଜପୁରରେ ବିଦ୍ରୋହୀମାନଙ୍କ ଅଦ୍ଭ୍ୟୁଥାନ ଘଟିଛି । ପଞ୍ଚନଦର ପ୍ରାନ୍ତ ଭାଗରେ ପେଶବାର । ତାହା ଆଫଗାନସ୍ଥାନ ଅଧୀନରେ ଥିଲା । ମାତ୍ର ଇଂରେଜମାନେ ତାହା ଅଧିକାର କରିନେଇଛନ୍ତି । ତେଣୁ ଆଫଗାନିମାନେ ବିଦ୍ରୋହୀ ହେବା ଅସମ୍ଭବ ନୁହେଁ । ପେଶବାରରେ ବିଦ୍ରୋହ ଦେଖାଦେଲେ ସମଗ୍ର ପଶ୍ଚିମଭାରତ ଇଷ୍ଟଇଣ୍ଡିଆ କମ୍ପାନୀର ହସ୍ତଚ୍ୟୁତ ହୋଇଯିବ ।

 

ତାପରେ ଦିଲ୍ଲୀ....

 

ଠିକ୍‌ ଏତିକିବେଳେ କର୍ପୂରତଳାର ତରୁଣ ଅଧିପତି ରଣଧୀର ସିଂହ ପାଞ୍ଚଶହ ସୈନ୍ୟ ଓ ଦୁଇଟି କମାଣ ନେଇ ଇଂରେଜମାନଙ୍କୁ ସାହାଯ୍ୟ କଲେ । ପରେ ପରେ ଝିନ୍ଦ୍‌, ନାଭା ଓ ପାତିଆଲାର ରାଜାମାନେ ବିଦ୍ରୋହ ଦମନ ପାଇଁ ଇଂରେଜମାନଙ୍କୁ ସୈନ୍ୟ, ଅସ୍ତ୍ର ଓ ଅର୍ଥ ଦେଇ ସାହାଯ୍ୟ କଲେ । ପେଶବାରରେ ସେନାପତି ରିଡଙ୍କ ବାସଭବନରେ କମିଶନର ହାର୍ବାର୍ଟ ଏଡଓଆର୍ଡ ତାଙ୍କର ସହକାରୀ କର୍ଣ୍ଣେଲ ନିକଲସନ, ସୈନିକ ନିବାସର ଅଧ୍ୟକ୍ଷ ବ୍ରିଗେଡ଼ିଅର ସି୍‌ଡ୍‌‌ନକଟନ, ନୌସେନାପତି ନେଭିଲ ଚେମ୍ବରଲେନ ଓ ସେନାପତି ରିଡ୍‌ ଗୋଟିଏ ମନ୍ତ୍ରଣାସଭାରେ ମିଳିତ ହେଲେ ।

 

ପରେ ରାଓଲପିଣ୍ଡିରେ କମିଶନର ସାର୍ ଜନ ଲରେନ୍‌ସଙ୍କ ବାସଭବନରେ ସେମାନେ ଅନ୍ୟ ଏକ ବୈଠକରେ ମିଳିତ ହୋଇ ସେମାନଙ୍କର ସିଦ୍ଧାନ୍ତ ଗଭର୍ଣ୍ଣର ଜେନେରାଲଙ୍କୁ ଜଣାଇ ଦେଲେ ।

 

ପ୍ରସ୍ତାବରେ ଉଲ୍ଲେଖ ଥିଲା–

 

‘‘ଆମର ବିଶ୍ୱାସ ଯେ ପଞ୍ଜାବର ଶିଖମାନେ ପୂର୍ବ ଭାରତୀୟ ସିପାହୀମାନଙ୍କ ସହିତ କଦାପି ହାତ ମିଳାଇବେ ନାହିଁ । ପୁଣି ଶିଖ ଓ ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ବିଦ୍ୱେଷ ରହିଛି । ଦିଲ୍ଲୀର ମୋଗଲମାନଙ୍କ ପ୍ରତି ଆଫଗାନମାନଙ୍କର ସଦ୍ଭାବ ନାହିଁ । ଆମ୍ଭମାନଙ୍କ ପକ୍ଷେ ଏହାର ସୁଯୋଗ ନେବା ଆବଶ୍ୟକ । ବିଶେଷତଃ ଶିଖ ଓ ଆଫଗାନ କେହି ମୋଗଲମାନଙ୍କ ପ୍ରାଧାନ୍ୟ ମାନିବାକୁ ପ୍ରସ୍ତୁତ ନୁହନ୍ତି । ଏଣୁ ପଞ୍ଜାବ ବିଷୟ ଚିନ୍ତା ନ କରି ଦିଲ୍ଲୀ ଉଦ୍ଧାର କରିବା ଆମ୍ଭମାନଙ୍କର ପ୍ରଧାନ କର୍ତ୍ତବ୍ୟ ।

 

ଆଶା, ଆପଣ ଏ ପ୍ରସ୍ତାବକୁ ଅନୁମୋଦନ କରିବେ ।’’

 

ଲର୍ଡ କ୍ୟାନିଂ ପତ୍ର ପାଇ ଆଶ୍ୱସ୍ତ ହେଲେ ଏବଂ ପ୍ରସ୍ତାବଟିକୁ ଅନୁମୋଦନ କଲେ ।

 

ବିଦ୍ରୋହର ନେତୃସ୍ଥାନୀୟ ବ୍ୟକ୍ତିମାନେ ମଧ୍ୟ ନିଶ୍ଚେଷ୍ଟ ହୋଇ ବସି ନଥିଲେ । ପଞ୍ଜାବର ସୈନିକମାନଙ୍କ ମଧ୍ୟରେ ବିଦ୍ରୋହକୁ ପରିପୁଷ୍ଟ କରି ତୋଳିବା ପାଇଁ ଅଲକ୍ଷ୍ୟରେ ସକଳ କାର୍ଯ୍ୟ ଚାଲିଥିଲା ।

 

ପେଶବାରଠାରୁ ଚବିଶ ମାଇଲ ଦୂରରେ ଥିବା ନୌଶେରାରେ ପ୍ରଥମେ ପଞ୍ଚାବନ ନମ୍ବର ସିପାହୀମାନେ ବିଦ୍ରୋହ ଘୋଷଣା କଲେ । କର୍ଣ୍ଣେଲ ନିକଲସନ ସେଠାକୁ ବିଦ୍ରୋହ ଦମନ ପାଇଁ ସ-ସୈନ୍ୟେ ଯାତ୍ରାକଲେ । ବିପୁଳ ସୈନ୍ୟ ଓ ଅସ୍ତ୍ରବଳ ବିରୋଧରେ ହୋଟି ମଇଦାନରେ ପ୍ରଚଣ୍ଡ ସଂଗ୍ରାମ କରି ସିପାହୀମାନଙ୍କ ମଧ୍ୟରୁ କେତେକ ପ୍ରାଣ ଦେଲେ । ଶହେ କୋଡ଼ିଏ ଜଣଙ୍କୁ ବନ୍ଦୀ କରାଗଲା । ସେମାନଙ୍କ ମଧ୍ୟରୁ ଚାଳିଶ ଜଣଙ୍କୁ ତୋପ ମୁହଁରେ ଉଡ଼ାଇ ଦିଆଗଲା । ଜୁନ ସାତ ତାରିଖରେ ଜଳନ୍ଧରରେ ବିଦ୍ରୋହର ଅଗ୍ନି ଜଳି ଉଠିଲା । ସିପାହୀମାନେ ଫିଲୋର ସିପାହୀମାନଙ୍କସହ ମିଶି ଇଂରେଜମାନଙ୍କ ବିରୋଧରେ ଲଢ଼ିବାପାଇଁ ଦିଲ୍ଲୀ ଯାତ୍ରାକଲେ । ଲୁଧିଆନାର କମିଶନର ଏ ସମ୍ବାଦପାଇ ସିପାହୀମାନଙ୍କୁ ବାଧା ଦେବା ନିମନ୍ତେ ଉଦ୍ୟମ କଲେ । ମାତ୍ର ତାଙ୍କ ନିକଟରେ ଇଂରେଜ ସୈନ୍ୟ ନ ଥିଲେ । ନାଭାର ରାଜା ଦୁଇଟି କମାଣ, ଦୁଇଦଳ ପଦାତିକ ଓ କିଛି ଅଶ୍ୱାରୋହୀ ସୈନ୍ୟ ଦେବାରୁ ଡେପୁଟି କମିଶନର ଶତଦ୍ରୁନଦୀର ନୌସେତୁ ଭାଙ୍ଗିଦେଇ ସେଠାରେ ବିଦ୍ରୋହୀମାନଙ୍କୁ ବାଧା ଦେବା ନିମନ୍ତେ ପ୍ରସ୍ତୁତ ହେଲେ । ଏ ସମ୍ବାଦପାଇ ବିଦ୍ରୋହୀମାନେ ଚାରିମାଇଲ ଦୂରରେ ନଦୀ ପାର ହେଲେ । ମାତ୍ର ସେଠାରେ ସେମାନଙ୍କୁ ବାଧା ଦିଆଗଲା । ବିଦ୍ରୋହୀମାନେ ଯୁଦ୍ଧରେ ଜୟଲାଭ କରି ଲୁଧିଆନା ଯାତ୍ରା କଲେ । ସେଠାକାର ସିପାହୀମାନେ ସେମାନଙ୍କ ସହ ମିଳିତ ହେଲେ । ସମସ୍ତେ ମିଶି ଦିଲ୍ଲୀ ଅଭିମୁଖେ ଯାତ୍ରାକଲେ ।

 

ରାଓଲପିଣ୍ଡି ବୈଠକର ସିଦ୍ଧାନ୍ତମତେ କର୍ଣ୍ଣେଲ ଡେଲି ଦଳେ ସୈନ୍ୟ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରାକଲେ । ପେଶବାରଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ୫୮୦ ମାଇଲ ପଥ ସେମାନେ ବାଇଶି ଦିନରେ ଅତିକ୍ରମ କରି ବଦଳିସରାଇଠାରେ ଶିବିର ସ୍ଥାପନ କଲେ । ତା ପୂର୍ବରୁ ସେନାପତି ହେନେରୀ ବର୍ଣ୍ଣାଡ଼ ଦିଲ୍ଲୀ ଉଦ୍ଧାର ପାଇଁ ରାଓଭବନ, ଫ୍ଳାଗ ଷ୍ଟାଫ ଟାଓ୍ୟାର ଏବଂ ଏ ଦୁଇଟିର ମଝିରେ ଥିବା ଗୋଟିଏ ମସଜିଦ ଓ ମାନମନ୍ଦିରରେ ଦୁଇଟି କମାଣ ରଖି ତିନିହଜାର ସୈନ୍ୟ ମୁତୟନ କରିଥିଲେ । ସେମାନଙ୍କ ସହିତ କର୍ଣ୍ଣେଲ ଡେଲିଙ୍କ ସୈନ୍ୟବାହିନୀ ମିଳିତ ହେଲେ ।

 

ଦିଲ୍ଲୀର ଚାରିପାଖରେ ସାତମାଇଲ ବ୍ୟାପୀ ଚବିଶ ଫୁଟ ଉଚ୍ଚର ପ୍ରାଚୀର ଏବଂ ତା ପାଖରେ ଗଭୀର ପରିଖା ଥିଲା । ପରିଖା ପାରହୋଇ ନଗର ମଧ୍ୟରେ ପ୍ରବେଶ ପାଇଁ ଦଶଟି ପ୍ରବେଶ ପଥ ଥିଲା । ଏତେବେଳେ ଦିଲ୍ଲୀରେ ବାଦଶାହାଙ୍କ ଅଧୀନରେ ଥିଲେ ପାଞ୍ଚଦଳ ପଦାତିକ, ଦଳେ ଅଶ୍ୱାରୋହୀ ଓ ଦଳେ ଗୋଲନ୍ଦାଜ ସୈନ୍ୟ । ଫିରୋଜପୁର, ଝାନ୍‌ସି, ହିସାର ଓ ମଥୁରାର ସୈନ୍ୟମାନେ ଆସି ସେମାନଙ୍କ ସହ ମିଳିତ ହେଲେ ।

 

ଇଂରେଜ ସେନାପତିମାନେ ମାତ୍ର ଦୁଇହଜାର ସୈନ୍ୟ ନେଇ ସାତହଜାର ସୈନ୍ୟଙ୍କ ବିରୋଧରେ ଯୁଦ୍ଧ କରିବାପାଇଁ ସାହସ କରି ପାରିଲେ ନାହିଁ । ଅଧିକ ସୈନ୍ୟ ଆସିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରି ରହିଲେ । ବିଦ୍ରୋହୀମାନେ ସେମାନଙ୍କ ନୀରବତାର ସୁଯୋଗ ନେଇ ମେଟକାଫ୍‌ ହାଉସ ଆକ୍ରମଣ କଲେ । ସେଠାରୁ ଇଂରେଜମାନେ ବିତାଡ଼ିତ ହେଲେ । ତାପରେ ବିଦ୍ରୋହୀମାନେ ଜୁନ ଊଣେଇଶି ତାରିଖର ରାତ୍ର ଅନ୍ଧକାରରେ ଇଂରେଜମାନଙ୍କୁ ପାର୍ଶ୍ୱଭାଗରୁ ଆକ୍ରମଣ କରି ବିବ୍ରତ କରିଦେଲେ । କର୍ଣ୍ଣେଲ ଡେଲି ଓ ବ୍ରିଗେଡିଆର ଗ୍ରାଣ୍ଟ ଆହତ ହେଲେ ।

 

ଜୁନ ୨୨ ତାରିଖ ।

 

ସେଦିନ ବିଦ୍ରୋହୀମାନଙ୍କ ଶିବିରରେ ପ୍ରବଳ ଉତ୍ତେଜନା ।

 

ଏହି ଦିବସରେ ପଲାସି ଯୁଦ୍ଧର ଶହେ ବର୍ଷ ପୂର୍ଣ୍ଣ ହେଲା ।

 

ପୂର୍ବରୁ ପ୍ରଚାରିତ ହୋଇଥିଲା ଯେ ଭାରତରେ ଇଂରେଜମାନଙ୍କ ପରମାୟୁ ମାତ୍ର ଶହେ ବର୍ଷ । ତାପରେ ସେମାନେ ଏ ଦେଶ ଛାଡ଼ି ଚାଲିଯିବେ । ତେଣୁ ହିନ୍ଦୁ ମୁସଲମାନ ଉଭୟେ ଏହି ଦିବସଟିକୁ ଅପେକ୍ଷା କରିଥିଲେ । ଏହି ଦିନରେ ଜଳନ୍ଧର ଓ ଫିଲୋରରୁ ବହୁ ଅଶ୍ୱାରୋହୀ ଓ ପଦାତିକ ସୈନ୍ୟ ଆସି ସେମାନଙ୍କ ସହ ମିଳିତ ହେଲେ ।

 

ଜୁନ୍‌ ୨୩ ତାରିଖ ।

 

ପଲାସି ଯୁଦ୍ଧର ଏକଶତ ବର୍ଷ ପୂର୍ଣ୍ଣ ହୋଇଗଲା । ସେଦିନ ହିନ୍ଦୁମାନଙ୍କର ପବିତ୍ର ପର୍ବ ରଥଯାତ୍ରା ଓ ମୁସଲମାନ ମାନଙ୍କର ଚନ୍ଦ୍ର ଦର୍ଶନ ।

 

ଉଭୟ ସମ୍ପ୍ରଦାୟଙ୍କ ପାଇଁ ଏହା ଶୁଭ ସଙ୍କେତ । ତେଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ । ସିପାହୀମାନେ ନଜଫଗଡ଼ ସେତୁ ନିକଟରେ ଏକ କମାଣ ବସାଇ ଇଂରେଜମାନଙ୍କୁ ପଶ୍ଚାତ୍‌ଭାଗରୁ ଆକ୍ରମଣ କଲେ । ଇଂରେଜମାନେ ଆଗରୁ ଏହି ସେତୁ ଭାଙ୍ଗିଦେଇ ଥିବାରୁ ସିପାହୀମାନେ ଆଗକୁ ଯାଇ ପାରିଲେ ନାହିଁ । ଉଭୟ ପକ୍ଷର ପ୍ରଚଣ୍ଡ ଯୁଦ୍ଧ ହେଲା । ଏଗାର ଘଣ୍ଟା ଯୁଦ୍ଧପରେ ଇଂରେଜମାନେ ସବ୍‌ଜିମଣ୍ଡି ଅଧିକାର କଲେ । ଏହାପରେ ସେମାନଙ୍କର ଟିକିଏ ଉତ୍ସାହ ବଢ଼ିଲା ସତ, ମାତ୍ର ଦିଲ୍ଲୀର ଫାଟଙ୍କ ଭାଙ୍ଗି ଭିତରେ ପଶିବାକୁ ସାହସ ହେଲା ନାହିଁ ।

 

ଜୁଲାଇ ଦୁଇ ତାରିଖରେ ରୋହିଲାଖଣ୍ଡ ବିଦ୍ରୋହର ନାୟକ ବଖତ ଖାଁ ବହୁ ସିପାହୀ ଓ ପ୍ରଚୁର ଅସ୍ତ୍ର ଶସ୍ତ୍ର ସହ ଆସି ସମ୍ରାଟ ବାହାଦୂର ଶାହାଙ୍କର ଆନୁଗତ୍ୟ ସ୍ୱୀକାର କଲେ । ସମ୍ରାଟ ତାଙ୍କୁ କହିଲେ–‘‘ଜନ ସାଧାରଣ ନିରାପଦରେ ରହନ୍ତୁ । ସେମାନଙ୍କ ଧନ ଜୀବନ ନିରାପଦରେ ରହୁ ଏବଂ ଇଂରେଜମାନେ ଉଚ୍ଛେଦ ହୁଅନ୍ତୁ–ଏହା ହିଁ ମୋର ଇଚ୍ଛା ।’’

 

ସମ୍ରାଟ ତାଙ୍କୁ ଢାଲ ଓ ତରବାରି ଦେଇ ପ୍ରଧାନ ସେନାପତିର ଦାୟିତ୍ୱ ଅର୍ପଣ କଲେ । ଦିଲ୍ଲୀରେ ବିଦ୍ରୋହୀ ସୈନ୍ୟଙ୍କ ସଂଖ୍ୟା କୋଡ଼ିଏ ହଜାର ହେଲା ।

 

ଜୁଲାଇ ପାଞ୍ଚ ତାରିଖରେ ଇଂରେଜମାନଙ୍କର ପ୍ରଧାନ ସେନାପତି ବାର୍ଣ୍ଣାଡ ବିସୂଚିକାରେ ପ୍ରାଣତ୍ୟାଗ କଲେ । ଜେନେରାଲ ରିଡ୍‌ ପ୍ରଧାନ ସେନାପତି ହେଲେ । ଦିଲ୍ଲୀ ଉଦ୍ଧାରର ପରିକଳ୍ପନା ମଧ୍ୟରେ ଦୁଇଜଣ ସେନାପତି ପ୍ରାଣ ହରାଇଲେ । ପୁଣି ଦିଲ୍ଲୀ ଉଦ୍ଧାରର କୌଣସି ଉପାୟ ନ ଦେଖି ଜେନେରାଲ ରିଡ୍‌ ମଧ୍ୟ ପଦତ୍ୟାଗ କଲେ । ଇଂରେଜ ଶିବିରରେ ଚତୁର୍ଥ ସେନାପତି ହେଲେ–ଜେନେରାଲ ଉଇଲସନ । ଏହି ସମୟରେ କାନପୁର ଓ ଲକ୍ଷ୍ନୌରୁ ସମ୍ବାଦ ଆସିଲା ଯେ ହୁଇଲାର ଓ ହେନେରୀ ଲରେନ୍‌ସ ନିହତ ହୋଇଛନ୍ତି । ତେଣୁ ଇଂରେଜ ଶିବିରରେ ଶୋକର ଛାୟା ଖେଳିଗଲା ।

 

ଜୁଲାଇ ପାଞ୍ଚ ତାରିଖରେ ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ ଘଟନା ହେଉଛି–ଝେଲମ ସେନା ନିବାସରେ ବିଦ୍ରୋହ । ଇଂରେଜମାନଙ୍କ ସହ ସିପାହୀମାନଙ୍କର ପ୍ରବଳ ଯୁଦ୍ଧହେଲା । ମାତ୍ର ଏ ଯୁଦ୍ଧରେ ସିପାହୀମାନେ ପରାଜିତ ହୋଇ କାଶ୍ମୀର ପଳାଇଗଲେ । ସେଠାକାର ଇଂରେଜ ଭକ୍ତ ରାଜା ଗୁଲାବ ସିଂହ ପୁରସ୍କାର ଲୋଭରେ ଆଶ୍ରୟପ୍ରାର୍ଥୀମାନଙ୍କୁ ଇଂରେଜମାନଙ୍କ ହାତରେ ଅର୍ପଣ କରିଦେଲେ । ବିଦ୍ରୋହୀମାନଙ୍କୁ କମାଣ ଗୋଳାରେ ଉଡ଼ାଇ ଦିଆଗଲା ।

 

ଝେଲାମ ବିଦ୍ରୋହ ଶାନ୍ତ ନ ହେଉଣୁ ଶିଆଳକୋଟରେ ବିଦ୍ରୋହ ଦେଖାଦେଲା । ଇଂରେଜମାନଙ୍କ ସହ ସିପାହୀମାନଙ୍କର ସେଠାରେ ସଂଘର୍ଷ ଘଟିଲା । ତହିଁରେ ସିପାହୀମାନେ ବିଜୟଲାଭ କରି ଦିଲ୍ଲୀ ଅଭିମୁଖେ ଯାତ୍ରାକଲେ । ବାଟରେ ଚନ୍ଦ୍ରଭାଗାର ତ୍ରିମୁଘା ଘାଟଠାରେ ଦିଲ୍ଲୀ ଯାତ୍ରା କରୁଥିବା ନିକଲସନଙ୍କ ସୈନ୍ୟଦଳ ସେମାନଙ୍କ ପଥରୋଧ କଲେ । ଉଭୟଙ୍କ ମଧ୍ୟରେ ପ୍ରଚଣ୍ଡ ସଂଘର୍ଷ ଲାଗିଗଲା । ବିଦ୍ରୋହୀମାନେ ରକ୍ତର ସ୍ୱାକ୍ଷରରେ ସେମାନଙ୍କ ବୀରତ୍ୱ ଓ ବିକ୍ରମ ଉଲ୍ଲେଖ କରି ପ୍ରାଣତ୍ୟାଗ କଲେ ।

 

କମିଶନର ସାର ଜନ୍‌ ଲରେନ୍‌ସ ନିକଲସନଙ୍କୁ ଜେନେରାଲ ପଦବୀରେ ଭୂଷିତ କରି ବହୁ ସୈନ୍ୟ, ଘୋଡ଼ା ଓ ପ୍ରଚୁର ଅସ୍ତ୍ର ଶସ୍ତ୍ର ଦେଇ ଦିଲ୍ଲୀ ପୁନରୁଦ୍ଧାର ନିମନ୍ତେ ପଠାଇଲେ ।

 

ଅଗଷ୍ଟ ଆଠ ତାରିଖରେ ନିକଲସନ ଦିଲ୍ଲୀରେ ପହଞ୍ଚିଲେ । ଇଂରେଜମାନଙ୍କ ହତାଶ ପ୍ରାଣରେ ଆଶା ସଞ୍ଚାରିତ ହେଲା । ନିକଲସନ ଚାରିଆଡ଼େ ବୁଲି ଯୁଦ୍ଧର ଆୟୋଜନ ଦେଖିଲେ ।

 

ପ୍ରଚୁର ସୈନ୍ୟ ଓ ଅସ୍ତ୍ର ଶସ୍ତ୍ର ହସ୍ତଗତ ହେବାପରେ ଜେନେରାଲ ନିକଲସନ ଅଗଷ୍ଟ ୨୫ ତାରିଖରେ ନଜଫଗଡ଼ ନିକଟରେ ବିଦ୍ରୋହୀମାନଙ୍କ ସମ୍ମୁଖୀନ ହେଲେ । ଅବିରାମ ବର୍ଷା ସତ୍ତ୍ୱେ ଉଭୟଦଳ ମଧ୍ୟରେ ପ୍ରଚଣ୍ଡ ସଂଗ୍ରାମ ଆରମ୍ଭ ହୋଇଗଲା । ନିକଲସନ ବିଜୟ ଲାଭ କରି ବିଦ୍ରୋହୀମାନଙ୍କର ତେର ଗୋଟି କମାଣ ଦଖଲ କରିନେଲେ ।

 

ଏହାପରେ ଦିଲ୍ଲୀ ଉଦ୍ଧାରର ଆୟୋଜନ ଚାଲିଲା ।

 

ରାଜଧାନୀ କଲିକତାକୁ ରକ୍ଷାକରିବା ପାଇଁ କମ୍ପାନୀ ସରକାର କୌଣସି ଆୟୋଜନର ତ୍ରୁଟି ରଖି ନଥିଲେ । ତଥାପି ବିଦ୍ରୋହାଗ୍ନିର ଉତ୍ତାପରେ କଲିକତା ନିଶ୍ଚିନ୍ତ ନ ଥିଲା ।

 

ପଲାସୀ ଯୁଦ୍ଧର ଶତବାର୍ଷିକ ସ୍ମୃତି ବହନ କରି ଜୁନ ୨୩ ତାରିଖ ଉପସ୍ଥିତ ହେଲା । ଶ୍ରୀରାମପୁର ପାଦ୍ରୀମାନଙ୍କ ଦ୍ୱାରା ପ୍ରକାଶିତ ‘ଫ୍ରେଣ୍ଡ ଅବ୍‌ ଇଣ୍ଡିଆ’ ସମ୍ବାଦ ପତ୍ରରେ ଏ ସମ୍ପର୍କରେ ଏକ ପ୍ରବନ୍ଧ ପ୍ରକାଶିତ ହେଲା । ସରକାର ମନେକଲେ ଯେ ଏ ଭଳି ପ୍ରବନ୍ଧ ପ୍ରକାଶରେ ଉତ୍ତେଜନା ବୃଦ୍ଧି ପାଇ ପାରେ । ତେଣୁ ଲର୍ଡ କ୍ୟାନିଂ କାଉନସିଲ ସଭ୍ୟମାନଙ୍କ ପରାମର୍ଶ କ୍ରମେ ଭାରତବର୍ଷରେ ମୁଦ୍ରାଯନ୍ତ୍ରର ସ୍ୱାଧୀନତା ବର୍ଷକ ପାଇଁ ବନ୍ଦ ରଖିବାକୁ ସ୍ଥିର କଲେ । ଏଥିପାଇଁ ଯେଉଁ ଆଇନ ପ୍ରଣୟନ କରାଗଲା, ତହିଁରେ କୁହାଗଲା ଯେ–ଯେଉଁମାନେ ମୁଦ୍ରାଯନ୍ତ୍ର ରଖିବେ ବା ସମ୍ବାଦପତ୍ର ପ୍ରକାଶ କରିବେ, ସେମାନଙ୍କୁ ସରକାରଙ୍କଠାରୁ ଲାଇସେନ୍‌ସ ନେବାକୁ ପଡ଼ିବ । ଯେଉଁମାନେ ବିନା ଲାଇସେନ୍‌ସରେ ସମ୍ବାଦପତ୍ର ପ୍ରକାଶ କରିବେ ବା ଉତ୍ତେଜନାମୂଳକ ଲେଖା ପ୍ରକାଶ କରିବେ, ସେମାନଙ୍କୁ ଗୁରୁତର ଦଣ୍ଡ ଦିଆଯିବା ସଙ୍ଗେ ସଙ୍ଗେ ସରକାର ମୁଦ୍ରାଯନ୍ତ୍ର ବାଜ୍ୟାପ୍ତି କରିବେ । ଏହାହିଁ ଭାରତରେ ସମ୍ବାଦପତ୍ରର ସ୍ୱାଧୀନତା ଅପହରଣର ପ୍ରଥମ ଆଇନ ।

 

ଜୁଲାଇ ମାସର ଶେଷ ଭାଗକୁ ଭାରତର ସର୍ବତ୍ର ବିଦ୍ରୋହ ଦେଖାଦେବାରୁ ଅସ୍ତ୍ର ସଂକ୍ରାନ୍ତ ଗୋଟିଏ ଆଇନ ମଧ୍ୟ ପ୍ରଣୟନ କରାଗଲା । ଏଥିରେ କୁହାଗଲା ଯେ ଆବଶ୍ୟକ ଅନୁସାରେ ଅସ୍ତ୍ର ରଖିବାକୁ ହେଲେ ଲାଇସେନ୍‌ସ ନେବା ଆବଶ୍ୟକ । ଏ ଦୁଇଟି ଆଇନ ଫଳରେ କେତେକ ବେସାମରିକ ଇଂରେଜଙ୍କ ମନରେ ମଧ୍ୟ ଅସନ୍ତୋଷ ଜାତ ହେଲା ।

 

ଅଗଷ୍ଟ ମାସ ଆରମ୍ଭରେ ପାରସ୍ୟ ବିଜୟୀ ଜେମ୍‌ସ ଆଉଟ୍ରାମ କଲିକତାରେ ଆସି ପହଞ୍ଚିଲେ । ତା ପରେ ପରେ ରଣତରୀର କମାଣ୍ଡର କ୍ୟାପଟେନ ପିଲ୍‌ ଆସିଲେ । ସାର କଲିନ୍‌ ଅଗଷ୍ଟ ୧୩ ତାରିଖରେ ପହଞ୍ଚି ପ୍ରଧାନ ସେନାପତିର ଦାୟିତ୍ୱ ଗ୍ରହଣ କଲେ । ଲର୍ଡ ଏଲଗିନ ଚୀନ ଯୁଦ୍ଧକୁ ନ ଯାଇ କଲିକତାରେ ଆସି ଉପସ୍ଥିତ ହେଲେ । ଏଭଳି ବିଶିଷ୍ଟ ସମର ନାୟକମାନଙ୍କର ସମାଗମ ଦେଖି ଲର୍ଡ କ୍ୟାନିଂ ଆଶ୍ୱସ୍ତ ହେଲେ ।

 

ଏତିକିବେଳେ ହଠାତ୍‌ ଚଟ୍ଟଗ୍ରାମରେ ବିଦ୍ରୋହ ଅଗ୍ନି ଜଳି ଉଠିଲା । ସିପାହୀମାନେ ଟ୍ରେଜେରୀ ଲୁଟ କରି ରଜବ ଅଲୀ ଖାଁ ନାମକ ଜଣେ ହାବିଲଦାରଙ୍କ ନେତୃତ୍ୱରେ ତ୍ରିପୁରା ଅଭିମୁଖେ ଯାତ୍ରା କଲେ । ମାତ୍ର ତ୍ରିପୁରାର ମହାରାଜା ସିପାହୀମାନଙ୍କୁ ଆଶ୍ରୟ ଦେବା ଦୂରେ ଥାଉ, ଓଲଟି ସେମାନଙ୍କୁ ଆକ୍ରମଣ କଲେ ।

 

ଶ୍ରୀହଟ୍ଟରେ ଏ ସମ୍ବାଦ ପହଞ୍ଚିବା ମାତ୍ରେ ଇଂରେଜମାନେ ବିଦ୍ରୋହୀଙ୍କ ଗତିରୋଧ ପାଇଁ ପ୍ରତାପଗଡ଼ ଯାତ୍ରା କଲେ । ସେଠାରେ ସେମାନେ ବିଦ୍ରୋହୀମାନଙ୍କୁ ସଂପୂର୍ଣ୍ଣ ରୂପେ ପରାଜିତ କଲେ । ଏହାପରେ ଢାକା, ଲାଲବାବା ଓ ଜଳପାଇଗୁଡ଼ିରେ ଯେଉଁ ବିଦ୍ରୋହ ହେଲା ତାହା ଅଳ୍ପରେ ଦମନ କରାଯାଇ ପାରିଲା ।

 

ମାତ୍ର ବିହାରରେ ବିଦ୍ରୋହ ଅଗ୍ନି ପ୍ରବଳ ଭାବରେ ଜଳି ଉଠିଲା । ଦାନାପୁର, ପାଟନା, ଗୟା, ଛାପରା ସାରନ, ଆରା, ମଜଫରପୁର ଓ ମତିହାରୀରେ ଉତ୍ତେଜନା ପ୍ରକାଶ ପାଇଲା । ପାଟନା ବିଭାଗର କମିଶନର ଉଇଲିୟମ ଟେଲରଙ୍କ ଅତ୍ୟାଚାରରେ ମୁସଲମାନମାନେ ଆଗରୁ ଅସନ୍ତୁଷ୍ଟ ଥିଲେ । ଦିଲ୍ଲୀ ଓ କାନପୁରରେ ଇଂରେଜମାନଙ୍କ ପରାଜୟ ସମ୍ୱାଦ ପହଞ୍ଚିବା ପରେ ଉତ୍ତେଜନା ପ୍ରବଳ ଭାବରେ ବୃଦ୍ଧି ପାଇଲା । ଏହି ସମୟରେ ପାଟନାରେ ଓହାବି ସଂପ୍ରଦାୟର ତିନିଜଣ ପ୍ରଭାବଶାଳୀ ମୌଲବୀ ଥିଲେ, ସେମାନଙ୍କ ନାମ ଶାହ ମହମ୍ମଦ ହୁସେନ, ଆହମ୍ମଦ ଉଲ୍ଲା ଏବଂ ଓୟାଜ ଉଲହକ୍‌ । ସମସ୍ତ ମୁସଲମାନମାନଙ୍କ ଉପରେ ସେମାନଙ୍କର ପ୍ରଭୁତ୍ୱ ଥିଲା । କମିଶନର ଟେଲର ଶାନ୍ତିରକ୍ଷା ଉଦ୍ଦେଶ୍ୟରେ ଆଲୋଚନା ନିମନ୍ତେ ସେମାନଙ୍କୁ ଡକାଇ ନେଇ ଅଟକବନ୍ଦୀ କରିରଖିଲେ । ଫଳରେ ଅସନ୍ତୋଷ ବୃଦ୍ଧି ପାଇଲା । ଏହାର ପ୍ରତିବାଦରେ ଜୁଲାଇ ୩ ତାରିଖରେ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରିଲା । ଇଂରେଜ ସୈନ୍ୟମାନେ ସେମାନଙ୍କୁ ଘଉଡ଼ାଇ ଦେଲେ ।

 

ଜୁଲାଇ ୨୪ ତାରିଖରେ ଦାନାପୁର ସୈନ୍ୟମାନଙ୍କୁ ନିରସ୍ତ୍ର କରାଗଲା । ସେମାନେ ସାମରିକ ପୋଷାକ ପରିତ୍ୟାଗ କରି କ୍ୟାଣ୍ଟନମେଣ୍ଟରୁ କିଛି ଅସ୍ତ୍ରଶସ୍ତ୍ର ନେଇ ଆରାରେ ପହଞ୍ଚିଲେ, ଏଠାରେ ସେମାନେ କୁମର ସିଂହଙ୍କ ଦଳରେ ଯୋଗଦେଲେ ।

 

କୁମର ସିଂହ ।

 

ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ଅନ୍ୟତମ ମୁଖ୍ୟ ନାୟକ । ଅଶୀ ବର୍ଷ ବୟସ୍କ ଏହି ଭୂମ୍ୟଧିକାରୀ ବିହାର ବିଦ୍ରୋହର ପ୍ରେରଣାଦାତା ଥିଲେ । ସେ ଯେପରି ରଣକୁଶଳୀ ସେହିପରି ନିର୍ଭୀକ ଥିଲେ । ସେ ଜାତିରେ ରାଜପୁତ ଓ ତାଙ୍କର ପୈତୃକ ଆବାସ ଜଗଦୀଶପୁରରେ ଥିଲା । ତାଙ୍କର କ୍ଷମତା ଓ ପ୍ରତିପତ୍ତି ଏପରି ଥିଲା ଯେ ଇଂରେଜମାନେ ବହୁ ବ୍ୟାପାରରେ ତାଙ୍କର ପରାମର୍ଶ ଓ ସାହାଯ୍ୟ ଲୋଡ଼ୁଥିଲେ ।

 

କୁମର ସିଂହ ଦାନରେ ମୁକ୍ତ ହସ୍ତ ଥିଲେ । ତେଣୁ ବିପୁଳ ଜମିଦାରୀରେ ଆୟରୁ ତାଙ୍କର ବ୍ୟୟ ଅକୁଳାନ ହେଇଥିଲା । ଏଥିପାଇଁ ସେ ଅଧିକ ସୁଧରେ ଋଣ ଗ୍ରହଣ କରୁଥିଲେ । ଏହି ଋଣ ଯୋଗୁ ତାଙ୍କର ଜମିଦାରୀ ନିଲାମରେ ଉଠିଲା । ସରକାର ତାଙ୍କ ଜମିଦାରୀ ରକ୍ଷା କରିବାକୁ ଉଦ୍ୟମ କଲେ । ମାତ୍ର ରେଭିନ୍ୟୁ ବୋର୍ଡ ଯୋଗୁ ଏହି ଉଦ୍ୟମ ଫଳବତୀ ହୋଇପାରିଲା ନାହିଁ । ଋଣଗ୍ରସ୍ତ ହୋଇ କୁମରସିଂହଙ୍କର ଦୁଶ୍ଚିନ୍ତା ଓ ଅଶାନ୍ତି ବୃଦ୍ଧିପାଇଲା । ମାତ୍ର ସେ ୫୭ ବିପ୍ଳବରେ ଯୋଗ ଦେଇଛନ୍ତି ବୋଲି ଇଂରେଜମାନେ ସନ୍ଦେହ କଲେ । ଏହି ମିଥ୍ୟା ସନ୍ଦେହ ତାଙ୍କୁ ଇଂରେଜ ବିଦ୍ୱେଷୀ କରି ତୋଳିଲା । ଏତିକିବେଳେ ନାନା ସାହେବଙ୍କର ଖଣ୍ଡିଏ ଗୋପନ ପତ୍ର ତାଙ୍କର ହସ୍ତଗତ ହେଲା । ଆସନ୍ନ ବିଦ୍ରୋହରେ ବିହାରରେ ନେତୃତ୍ୱ ନେବାକୁ ନାନା ସାହେବ ତାଙ୍କୁ ଅନୁରୋଧ ଜଣାଇଥିଲେ । ତା ସହିତ ବିଦ୍ରୋହ ପରିକଳ୍ପନାର ଏକ ପ୍ରତିଲିପି ମଧ୍ୟ ତାଙ୍କର ହସ୍ତଗତ ହେଲା । ଠିକ୍‌ ଏତିକିବେଳେ କୁମର ସିଂହଙ୍କ ଅନୁପସ୍ଥିତରେ କଲେକ୍ଟର ତାଙ୍କର ଘର ଖାନତଲାସ କଲେ । ଏଥିରେ କୁମର ସିଂହ ଅପମାନ ବୋଧ କରି ପ୍ରତିଶୋଧ ନେବାପାଇଁ ସଂକଳ୍ପବଦ୍ଧ ହେଲେ-। ତାଙ୍କ ସାନ ଭାଇ ଅମର ସିଂହ ତାଙ୍କର ସହକାରୀ ହେଲେ ।

 

ଜୁଲାଇ ୨୮ ତାରିଖରେ ଡାନବାରଙ୍କ ସୈନ୍ୟଦଳ ଆରା ନିକଟରେ ବିଦ୍ରୋହୀଙ୍କ ସମ୍ମୁଖୀନ ହେଲେ । ଯୁଦ୍ଧରେ କ୍ୟାପଟେନ ଡାନବାର ନିହତ ହେଲେ । ଚାରିଶହ ସୈନ୍ୟଙ୍କ ମଧ୍ୟରୁ ମାତ୍ର ୫୦ ଜଣ ଜୀବନ ନେଇ ପଳାଇଥିଲେ । ଭିନସେଣ୍ଟ ଆୟାର ଏତିକିବେଳେ ସସୈନ୍ୟେ କଲିକତାରୁ ଏଲହାବାଦ ଯାଉଥିଲେ । ପଥ ମଧ୍ୟରେ ଏଭଳି ପରାଜୟ ସମ୍ବାଦ ଶୁଣି ସେ ଆରା ଅଭିମୁଖେ ଯାତ୍ରାକଲେ । ବାଟରେ କୁମରସିଂହଙ୍କ ସୈନ୍ୟମାନେ ତାଙ୍କୁ ବାଧା ଦେଲେ । ମାତ୍ର ସେମାନଙ୍କ ନିକଟରେ କମାଣ ନ ଥିଲା । ଇଂରେଜମାନେ କମାଣ ଚଳାଇ ଯୁଦ୍ଧରେ ଜୟଲାଭ କଲେ ।

 

ଏହାପରେ ଆୟାର ଅଗଷ୍ଟ ୧୧ ତାରିଖରେ ଜଗଦ୍ଦୀଶପୁର ଅଭିମୁଖରେ ଯାତ୍ରାକଲେ-। ଜଗଦ୍ଦୀଶପୁର ବିଜିତ ହେଲା । ଇଂରେଜସୈନ୍ୟ କୁମରସିଂହ ଅମରସିଂହ ଓ ଦୟାଲସିଂହଙ୍କ ଘର ମାଟିରେ ମିଶାଇ ଦେଇ ଜଗଦ୍ଦୀଶପୁର ଆଖପାଖ ଗ୍ରାମଗୁଡ଼ିକୁ ଧ୍ୱଂସ କରିଦେଲେ । ଏପରିକି ଦେବ ମନ୍ଦିର ମଧ୍ୟ ବାଦ୍‌ ଗଲାନାହିଁ । କୁମରସିଂହ ସସାରାମକୁ ଚାଲିଗଲେ-। ସେଠାରେ ବିପୁଳ ସୈନ୍ୟ ତାହାଙ୍କ ଆନୁଗତ୍ୟ ସ୍ୱୀକାର କଲେ ଓ ବହୁ ଅସ୍ତ୍ର ଶସ୍ତ୍ର ମଧ୍ୟ ସେ ପାଇଲେ ତେଣୁ ସେ ଆଜମଗଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲେ ।

 

କର୍ଣ୍ଣେଲ ମିଲସନ ଆଜମଗଡ଼ର ଅଧିନାୟକ ଥିଲେ । ସେ କୁମରସିଂହକୁ ଗତିରୋଧ କରିପାରିଲେ ନାହିଁ । ୧୮୫୮ ମସିହା ମାର୍ଚ୍ଚ ୨୨ ତାରିଖରେ କୁମର ସିଂହ ଆଜମଗଡ଼ ଅଧିକାର କଲେ । ବାରାଣାସୀ ଓ ଗାଜୀପୁରସ୍ଥ ନୂତନ ସୈନ୍ୟ ନେଇ କର୍ଣ୍ଣେଲ ଡେମସ୍‌ ଆଜମଗଡ଼ ଅଭିମୁଖେ ଯାତ୍ରାକଲେ । ଲକ୍ଷ୍ନୌରୁ କିଛି ସୈନ୍ୟ ଆସି ସେମାନଙ୍କ ସହ ମିଳିତ ହେଲେ । କୁମରସିଂହ ଆଜମଗଡ଼ ଓ ସେକନ୍ଦରପୁର ଦେଇ ମାନ୍ନାହାର ଗଲେ । ସେଠାରୁ ସେ ଗାଜୀପୁର ଗଲେ । ତାଙ୍କର ଲକ୍ଷ୍ୟ ରହିଲା–ଜଗଦ୍ଦୀଶପୁର । ଇଂରେଜ ବାହିନୀ ତାଙ୍କର ଅନୁସରଣ କରିବାରେ ଲାଗିଲେ ।

 

କୁମରସିଂହ ଗାଜୀପୁରଠାରେ ଗଙ୍ଗା ପାର ହୋଇ ପାଲିଙ୍କିରେ ଯିବାବେଳେ ଇଂରେଜ ସୈନ୍ୟ ଗଙ୍ଗାକୂଳରେ ଆସି ପହଞ୍ଚିଲେ । କୁମର ସିଂହ ଯାଉଥିବାର ଜାଣି କମାଣରେ ଗୋଳାବୃଷ୍ଟି କଲେ । କୁମରସିଂହ ଜଙ୍ଘ ଉପରେ ବାହୁରଖି ବସିଥିଲେ । ଗୋଳାର ଆଘାତରେ ତାଙ୍କ ବାହୁର ସନ୍ଧିସ୍ଥଳ ଭାଙ୍ଗିଗଲା ଓ ଜାନୁରେ ଆଘାତ ଲାଗିଲା । ସେ ଅଚେତନ ହୋଇ ପଡ଼ିଲେ । ଚେତନା ଲାଭ କରିବା ପରେ ଡାହାଣହାତଟିକୁ କାଟି ଗଙ୍ଗାକୁ ପକାଇ ଦେବାପାଇଁ ଅନୁଚରମାନଙ୍କୁ ନିର୍ଦ୍ଦେଶ ଦେଲେ । ଅନୁଚରମାନେ ଆଦେଶ ପାଳନ କଲେ । କୁମର ସିଂହ ଜଗଦ୍ଦୀଶପୁରରେ ଆସି ପହଞ୍ଚିଲେ । ଅମରସିଂହ ତା ପୂର୍ବରୁ କେତେକ ସୈନ୍ୟ ନେଇ ସେଠାରେ ଅବସ୍ଥାନ କରୁଥିଲେ ।

 

କ୍ୟାପ୍‌ଟେନ ଲେଗ୍ରାଣ୍ଡ ସସୈନ୍ୟେ ଜଗଦ୍ଦୀଶପୁର ଆକ୍ରମଣ କଲେ । ଏଠାରେ ପ୍ରବଳ ଯୁଦ୍ଧ ହେଲା । କ୍ୟାପ୍‌ଟେନ ଗ୍ରାଣ୍ଡ ଦେଢ଼ଶହ ସୈନ୍ୟଙ୍କ ସହ ନିହତ ହେଲେ । ଅନ୍ୟମାନେ ପଳାଇଗଲେ ।

 

ବୃଦ୍ଧ କୁମରସିଂହ ନିଜର ଜନ୍ମ ସ୍ଥାନରେ ଶେଷ ନିଶ୍ୱାସ ତ୍ୟାଗ କଲେ । କୁମରସିଂହଙ୍କ ପରେ ତାଙ୍କ ଭାଇ ଅମରସିଂହ ଦୀର୍ଘକାଳଧରି ଇଂରେଜମାନଙ୍କ ବିରୋଧରେ ଯୁଦ୍ଧ ପରିଚାଳନା କଲେ । ଗରିଲା ଯୁଦ୍ଧରେ ସେ ଏପରି ଦକ୍ଷ ଥିଲେ ଯେ ତାଙ୍କ ଆକ୍ରମଣରେ ଇଂରେଜମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ବିଦ୍ରୋହୀମାନେ ଗୟା ଜେଲ ଭାଙ୍ଗି କଏଦୀମାନଙ୍କୁ ମୁକ୍ତ କରିଦେଲେ ।

 

ସେନାନାୟକ ଡଗଲାସ ସାତହଜାର ସୈନ୍ୟ ନେଇ ବିଦ୍ରୋହ ଦମନ କରିବାକୁ ଗଲେ-। ମାତ୍ର ଅମରସିଂହଙ୍କର କିଛି କରି ପାରିଲେ ନାହିଁ ।

 

ସାର୍‌ ହେନେରୀ ହ୍ୟାଭଲେକ ମଧ୍ୟ ସସୈନ୍ୟେ ଆସି ଅମରସିଂହଙ୍କୁ ଆକ୍ରମଣ କଲେ । ଉଭୟଆଡ଼ୁ ଆକ୍ରମିତ ହୋଇ ସିପାହୀମାନେ ପରାଜିତ ହେଲେ ।

 

ସିପାହୀ ବିଦ୍ରୋହର ପ୍ରାକ୍‌କାଳରେ ଓଡ଼ିଶା ସଂପୂର୍ଣ୍ଣ ନୀରବ ଥିଲା । କାରଣ ଅଳ୍ପଦିନ ପୂର୍ବରୁ ଓଡ଼ିଶାର ପାଇକ ବିଦ୍ରୋହକୁ ଇଂରେଜମାନେ ସଂପୂର୍ଣ୍ଣ ରୂପେ ଆୟତ୍ତ କରି ସାରିଥିଲେ । ତା ସହିତ ଓଡ଼ିଶାର ଇଂରେଜମାନଙ୍କ କର୍ତ୍ତୃତ୍ୱ ମଧ୍ୟ ଓଡ଼ିଶାବାସୀ ଅନୁଭବ କରି ପାରି ନ ଥିଲେ ।

 

୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଦଖଲ କଲେ । ଅକ୍ଟୋବର ୮ ତାରିଖରେ କଟକ ଓ ସେପ୍ଟେମ୍ବର ୨୧ ତାରିଖରେ ଇଂରେଜମାନେ ବାଲେଶ୍ୱର ଅଧିକାର କରି ଓଡ଼ିଶା ଇଂରେଜମାନଙ୍କର ଶାସନାଧୀନ ହେଲା ବୋଲି ଘୋଷଣା କଲେ ।

 

୧୮୦୪ ମସିହାରେ ଓଡ଼ିଶାର ଗଜପତି ରାଜା ଦ୍ୱିତୀୟ ମୁକୁନ୍ଦଦେବ ଇଂରେଜମାନଙ୍କ ସହ ଯୁଦ୍ଧ କରି ବନ୍ଦୀ ହେଲେ । ତାପରେ ୧୮୦୭ ମସିହାରେ ବନ୍ଦୀଶାଳାରୁ ମୁକ୍ତି ପାଇଲେ । ଏହାର ଦଶବର୍ଷ ପରେ ଖୋର୍ଦ୍ଧା ପାଇକ ବିଦ୍ରୋହରେ ସହଯୋଗ କରିଥିବା ଅଭିଯୋଗରେ ମୃତ୍ୟୁ ପର୍ଯ୍ୟନ୍ତ ବନ୍ଦୀ ହୋଇ ରହିଲେ ।

 

୧୮୧୭ ମସିହା ମାର୍ଚ୍ଚ ମାସରେ ଘୁମୁସରର ଚାରିଶହ କନ୍ଧ ଓ ଖୋର୍ଦ୍ଧାର ପାଇକମାନେ ମିଳିତ ହୋଇ ଇଂରେଜମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ । ଏମାନଙ୍କ ନେତା ଥିଲେ–ଖୋର୍ଦ୍ଧା ରାଜାଙ୍କ ସେନାପତି ବକ୍‌ସି ଜଗବନ୍ଧୁ । ୧୮୨୬ ମସିହା ପର୍ଯ୍ୟନ୍ତ ଏହି ବିଦ୍ରୋହ ଚାଲୁ ରହିଥିଲା ।

 

୧୮୨୯ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ପୁରୀ କଟକ ଓ ବାଲେଶ୍ୱର ତିନୋଟି ଜିଲ୍ଲାରେ ବିଭକ୍ତ ହେଲା । ୧୮୪୦ ଖ୍ରୀଷ୍ଟାବ୍ଦରେ ବାଙ୍କୀର ରାଜା ଜଣେ ବ୍ରାହ୍ମଣଙ୍କୁ ସପରିବାରେ ହତ୍ୟା କରିବାରୁ କମିଶନର ମିଲ୍‌ସ ସାହେବ ରାଜାଙ୍କୁ ବନ୍ଦୀ କରି କଟକ ସହିତ ବାଙ୍କୀକୁ ମିଶାଇ ଦେଲେ । ସେହିପରି ୧୮୪୭ ଖ୍ରୀଷ୍ଟାବ୍ଦରେ ଅନୁଗୁଳର ରାଜା ବିଦ୍ରୋହାଚରଣ କରିବାରୁ ତାହା ମଧ୍ୟ ଖାସ ହୋଇ ଜଣେ ତହସିଲଦାରଙ୍କ ଅଧୀନରେ ରହିଲା ।

 

୧୮୧୭ ଖ୍ରୀଷ୍ଟାବ୍ଦରେ ଶେଷ ମରହଟ୍ଟା ଯୁଦ୍ଧରେ ଭୋଁସଭା ସଂପୂର୍ଣ୍ଣ ପରାଜିତ ହେବାରୁ ଇଂରେଜମାନେ ସମ୍ବଲପୁର ଅଧିକାର କଲେ । ୧୮୪୯ ମସିହାରେ ସମ୍ବଲପୁର ରାଜା ନାରାୟଣ ସିଂହଙ୍କର ମୃତ୍ୟୁ ଘଟିବାରୁ ସମ୍ବଲପୁର ଇଂରେଜମାନଙ୍କ ଖାସ ଦଖଲକୁ ଆସିଲା । ସେତେବେଳେ ସମ୍ବଲପୁର ଓ ତତ୍‌ସନ୍ନିହିତ ଗଡ଼ଜାତଗୁଡ଼ିକ ଛୋଟନାଗପୁର ଡିଭିଜନର ଅନ୍ତର୍ଭୁକ୍ତ ଥିଲା । ସିପାହୀ ବିଦ୍ରୋହ ପରେ ୧୮୬୦ ଖ୍ରୀଷ୍ଟାବ୍ଦରେ ଏହା ଓଡ଼ିଶା ଅଧୀନକୁ ଆସି ପୁଣି ୧୮୭୨ରେ ମଧ୍ୟପ୍ରଦେଶ ଅଧୀନକୁ ଚାଲିଗଲା ।

 

ଗଜପତି ରାଜାମାନେ ସମଗ୍ର ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରି ଗୋଟିଏ ଭାଗ ନିଜ ଅଧୀନରେ ରଖିଥିଲେ । ଅନ୍ୟ ଭାଗଟି ସାମନ୍ତ ରାଜାମାନଙ୍କ ଦ୍ୱାରା ଶାସିତ ହେଉଥିଲା । ପ୍ରଥମେ ଗଜପତି ଅନଙ୍ଗ ଭୀମଦେବ ଷୋଳ ଜଣ ସାମନ୍ତ ରାଜା ସୃଷ୍ଟି କରିଥିଲେ । ପରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଲା । ଏମାନେ ନିଜ ନିଜ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଯୁଦ୍ଧ ସମୟରେ ସୈନ୍ୟ ସାମନ୍ତଧରି ଗଜପତିଙ୍କୁ ସାହାଯ୍ୟ କରୁଥିଲେ । ସାମନ୍ତ ରାଜାମାନଙ୍କ ଦ୍ୱାରା ଶାସିତ ଏହି ରାଜ୍ୟଗୁଡ଼ିକ ଗଡ଼ଜାତ ନାମରେ ନାମିତ ହୋଇଥିଲା । ଏହା ପୁଣି ତିନି ଭାଗରେ ବିଭକ୍ତ ହୋଇଥିଲା । ଯଥା–ଓଡ଼ିଶା ଗଡ଼ଜାତ, ସମ୍ବଲପୁର ଗଡ଼ଜାତ ଓ ଗଞ୍ଜାମ ଗଡ଼ଜାତ । ଓଡ଼ିଶା ଗଡ଼ଜାତ ମୟୂରଭଞ୍ଜ, ଢେଙ୍କାନାଳ, ତାଳଚେର ଅନୁଗୁଳ, ହିନ୍ଦୋଳ, ବଡ଼ାମ୍ବା, ନରସିଂହପୁର, ଆଠଗଡ଼, ତିଗିରିଆ, ଦଶପଲ୍ଲା, ନୟାଗଡ଼ ଓ ରଣପୁର ଥିଲା । କନିକା ଓ କୁଜଙ୍ଗ ଗଡ଼ଜାତ ରାଜ୍ୟ ନ ହୋଇଥିଲେ ମଧ୍ୟ ସେମାନଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ଉପଭୋଗ କରୁଥିଲେ । ମୟୂରଭଞ୍ଜ ଅଧୀନରେ ନୀଳଗିରି, ସିଂହଭୂମି ଓ କେନ୍ଦୁଝର ପ୍ରଭୃତି କେତେକ ରାଜ୍ୟ ଥିଲା ।

 

ସେହିପରି ସମ୍ବଲପୁର ଗଡ଼ଜାତରେ ପାଟଣା, ସମ୍ବଲପୁର, ସୋନପୁର ବିନ୍ଦ୍ରା, ବାମଣ୍ଡା, ବଣେଇ, ଆଠମଲ୍ଲିକ, ବରଗଡ଼, ବୁଢ଼ାସମ୍ବର, ଗାଙ୍ଗପୁର, ଫୁଲଝର, ଚନ୍ଦ୍ରପୁର, ରାୟଗଡ଼, ସାରଙ୍ଗଗଡ଼, ରେଢ଼ାଖୋଲ, ଖଡ଼ିଆଳ, ନୂଆଗଡ଼ ଓ ବୌଦ ରାଜ୍ୟମାନ ଥିଲା ।

 

ପ୍ରଥମେ ପାଟଣାର ମହାରାଜା ଏହି ୧୮ଟି ରାଜ୍ୟର ସର୍ବାଧିନାୟକ ଥିଲେ । କଳାହାଣ୍ଡି ଓ ବସ୍ତର ଦୁଇଟି ସ୍ୱାଧୀନ ରାଜ୍ୟ ରୂପେ କଥିତ ହେଉଥିଲା । ଗଞ୍ଜାମ ଗଡ଼ଜାତ ମଧ୍ୟରେ ଜୟପୁର, ଖେମୁଣ୍ଡି ଓ ଘୁମୁସର ରାଜ୍ୟମାନ ଥିଲା । ଏମାନେ ସ୍ୱାଧୀନ ଓ ମିତ୍ର ରାଜା ରୂପେ ବିଦିତ ହେଉଥିଲେ ।

 

୧୮୨୭ ମସିହାରେ ସମ୍ବଲପୁରର ରାଜା ମହାରାଜା ସାଏ ପ୍ରାଣତ୍ୟାଗ କଲେ । ରାଜା ଅସୁସ୍ଥ ଥିବାର ଛଳନା କରି ରାଣୀ ମୋହନ କୁମାରୀ ସାତବର୍ଷ ରାଜ୍ୟ ଶାସନ କଲେ । ପରେ ଏହା ଜଣାପଡ଼ିବାରୁ ଇଂରେଜମାନେ ବରପାଲୀର ଜମିଦାର ନାରାୟଣ ସିଂହଙ୍କୁ ରାଜଗାଦୀରେ ବସାଇଲେ । ମାତ୍ର ସୁରେନ୍ଦ୍ର ସାଏ ରାଜବଂଶର ଲୋକ ହୋଇଥିବାରୁ ରାଜ୍ୟ ଦାବୀ କଲେ । ସେତେବେଳେ ଇଂରେଜମାନେ ଛଳେ, ବଳେ କୌଶଳେ ରାଜ୍ୟ ବିସ୍ତାର କରୁଥାଆନ୍ତି । ସେମାନେ ଦେଖିଲେ ଯେ ସୁରେନ୍ଦ୍ର ସ୍ୱାଧୀନଚେତ୍ତା ଲୋକ । ସେ ଇଂରେଜଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ନାହିଁ । ତେଣୁ ତାଙ୍କର ଦାବୀ ଗ୍ରହଣ କରାଗଲା ନାହିଁ । ଫଳରେ ସୁରେନ୍ଦ୍ର ବିଦ୍ରୋହୀ ହେଲେ ।

 

ଏହି ସମୟରେ କେତେକ ଗଣ୍ଡ ଜାତିର ଲୋକ ନାରାୟଣ ସିଂହଙ୍କର ପ୍ରଧାନ ସମର୍ଥକ, ରାମପୁରର ଜମିଦାର ଦୁର୍ଯ୍ୟୋଧନ ସିଂହଙ୍କର ଘର ଆକ୍ରମଣ କଲେ । ଏଥିରେ ତାଙ୍କର ବାପା ଓ ପୁଅ ପ୍ରାଣ ହରାଇଲେ । ସୁରେନ୍ଦ୍ରଙ୍କୁ ଏହି ଆନ୍ଦୋଳନରେ ନେତା ବୋଲି ସାବ୍ୟସ୍ତ କରାଗଲା । ଇଂରେଜ ପଲିଟିକାଲ ଏଜେଣ୍ଟ ୧୮୪୦ ମସିହାରେ ତାଙ୍କୁ ଓ ତାଙ୍କ ଭାଇ ଉଦନ୍ତଙ୍କୁ ଏଥିପାଇଁ ଦ୍ୱୀପାନ୍ତର ଦଣ୍ଡଦେଇ ହାଜାରିବାଗ ଜେଲକୁ ପଠାଇ ଦେଲେ ।

 

୧୮୫୭ ମସିହା ବିଦ୍ରୋହର ଝଲକ ଓଡ଼ିଶାରେ ଦେଖାଦେଲା । କନ୍ଧ ସର୍ଦ୍ଦାର ଚକ୍ର ବିଶୋଇ ଇଂରେଜଙ୍କ କର୍ତ୍ତୃତ୍ୱକୁ ଅସ୍ୱୀକାର କଲେ । ପୋଡ଼ାହାଟର ଜଗୁଦେଓ୍ୱାନ ମୟୂରଭଞ୍ଜର ମହାରାଜାଙ୍କୁ ଇଂରେଜଙ୍କ ବିରୋଧରେ ଯୁଦ୍ଧ ପାଇଁ ପ୍ରବର୍ତ୍ତାଇଲେ ଓ ସିଂହଭୂମରେ ଯୁଦ୍ଧ ପାଇଁ ସୈନ୍ୟ ସଂଗ୍ରହ କଲେ । ବାଲିଆର ଜମିଦାର ରାମକୃଷ୍ଣ ଇଂରେଜମାନଙ୍କୁ ଖଜଣା ଦେଲେ ନାହିଁ ।

 

ପାଇକ ବିଦ୍ରୋହ ପରେ ପରେ ମୟୂରଭଞ୍ଜର ବାମନଘାଟୀ ପ୍ରଗଣା ଓ ସିଂହଭୂମରେ କୋହ୍ଲମାନେ ଉପଦ୍ରବ କଲେ । ରାଜାମାନେ କୋହ୍ଲମାନଙ୍କ ଉପଦ୍ରବ ସମ୍ଭାଳି ନ ପାରି ଇଂରେଜ ଶକ୍ତିର ଆଶ୍ରୟ ନେବାକୁ ବାଧ୍ୟ ହେଲେ । ଇଂରେଜମାନଙ୍କ ସହିତ କୋହ୍ଲମାନଙ୍କର ସଂଘର୍ଷ ଉପୁଜିଲା । ଏଥିରେ କୋହ୍ଲମାନେ ପରାଜିତ ହୋଇ ୧୮୩୮ ମସିହାରେ ପୁଣି ରାଜାମାନଙ୍କ ବଶ୍ୟତା ସ୍ୱୀକାର କଲେ । ସିଂହଭୂମି ଓ ଧଳଭୂମିକୁ ଓଡ଼ିଶାରୁ ନିଆଯାଇ ମେଦିନୀପୁର ଅଧୀନରେ ରଖାଗଲା । ଏଥିରେ ଓଡ଼ିଆ ରାଜାମାନେ ଅସନ୍ତୋଷ ପ୍ରକାଶ କଲେ ମଧ୍ୟ ପ୍ରକାଶ୍ୟରେ କିଛି କରିପାରିଲେ ନାହିଁ ।

 

ସିପାହୀ ବିଦ୍ରୋହ ଆରମ୍ଭ ହେବା ସଙ୍ଗେ ସଙ୍ଗେ ପୋଡ଼ାହାଟର ଜଗୁ ଦେଓ୍ୟାନ ରାଜା ଅର୍ଜୁନ ସିଂହଙ୍କୁ ପ୍ରବର୍ତ୍ତାଇ ଇଂରେଜଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଦେଲେ । ଅର୍ଜୁନ ସିଂହ ସମସ୍ତ ସିଂହଭୂମର ସ୍ୱାଧୀନ ନରପତି ରୂପେ ଘୋଷିତ ହେଲେ । ବିଦ୍ରୋହୀ କୋହ୍ଲମାନେ ତାଙ୍କୁ ଅଭିନନ୍ଦନ ଜଣାଇ ଚାଇଁବାସା ଦଖଲ କଲେ । କୋହ୍ଳ, ଭୂମିଜ ଓ ସାନ୍ତାଳମାନେ ଏ ବିଦ୍ରୋହରେ ସଂପୂର୍ଣ୍ଣ ରୂପେ ଅଂଶ ଗ୍ରହଣ କଲେ ।

 

ଶାଳପତ୍ରରେ ବନଦେବୀଙ୍କ ସିନ୍ଦୂର ଓ ଫୁଲମାଳ ଗ୍ରାମ ମୁଖିଆମାନଙ୍କ ନିକଟକୁ ପ୍ରେରିତ ହେଲା । ଆରଣ୍ୟକମାନଙ୍କ ମନରେ ଲାଗିଲା ନୂତନତ୍ୱର ସ୍ପନ୍ଦନ । ସେମାନଙ୍କ ହାତକୁ ପୁଣି ଫେରି ଆସିବ କୁମାରୀ ଅରଣ୍ୟ । ଫେରି ଆସିବ ଏହି ଶାଳ, କୁସୁମ, ମହୁଆର ଜଙ୍ଗଲ ଓ ଶୀକାର କରିବାର ଅଧିକାର । ତୀର ଧନୁ ନେଇ ସେମାନେ ଶୀକାର କରିବେ ମନ ଇଚ୍ଛାରେ– ନିବିଡ଼ ଅରଣ୍ୟ ମଧ୍ୟରେ ।

 

ରକ୍ତରେ ଜାଗିଲା ଶାଳପତ୍ରର ଆହ୍ୱାନ । ସେ ଯେପରି କହିଲା–ମୁଁ ଫେରିଆସିବାକୁ ଚାହେଁ, ରକ୍ତରେ ମୋର ଭୀଷଣ ଲୋଭ ।

 

ଧଳଭୂମ, ସିଂହଭୂମ, ମାନଭୂମ ଓ ପୋଡ଼ାହାଟର ଅଞ୍ଚଳମାନଙ୍କରେ ଯୁଦ୍ଧର ମାଦଳ ବାଜିଉଠିଲା । ଆଦିମ ଅଧିକାର ଫେରିପାଇବା କାମନାରେ ଧନୁରେ ନୂତନ ଜ୍ୟା ବନ୍ଧନ କରାଗଲା–ତୀର ଶାଣିତ ହେଲା । ବନଭୂମିର ଅନ୍ତଃସ୍ଥଳ ଥରାଇ ଭାସି ଆସିଲା–ଅବୋଧ୍ୟ ସଙ୍ଗୀତ-

 

ଏତିକିବେଳେ ହଜାରୀବାଗରେ ଥିବା ଅଷ୍ଟମ ବେଙ୍ଗଲ ପଦାତିକ ବାହିନୀ ବିଦ୍ରୋହ ଘୋଷଣା କରି ଜେଲ ଭାଙ୍ଗି ଦେଲେ । ସୁରେନ୍ଦ୍ର ଓ ଉଦନ୍ତ ଜେଲରୁ ମୁକ୍ତିପାଇ ସମ୍ବଲପୁର ପଳାଇ ଆସିଲେ । ଇଂରେଜମାନଙ୍କର ହୃତ୍‌କମ୍ପ ଜାତହେଲା । ସମ୍ବଲପୁରର ସହକାରୀ କମିଶନର କ୍ୟାପଟେନ-ଲି କଟକରୁ ଅଧିକ ସୈନ୍ୟ ମଗାଇ ନେଇ ସୁରେନ୍ଦ୍ରଙ୍କୁ ନଜରବନ୍ଦୀ କରି ରଖିଲେ । ମାତ୍ର ସୁରେନ୍ଦ୍ର ଦିନେ ରାତିରେ କେତେକ ବିଶ୍ୱସ୍ତ ଅନୁଚରଙ୍କ ସହ ବାରପାହାଡ଼କୁ ପଳାଇଯାଇ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ । କ୍ୟାପଟେନ-ଲି ଏ ସମ୍ବାଦପାଇ ବାରପାହାଡ଼ ଆକ୍ରମଣ କଲେ । ମାତ୍ର ଯୁଦ୍ଧରେ ପରାଜିତ ହୋଇ ପଳାଇ ଆସିଲେ ।

 

୧୮୫୭ ମସିହା ଡିସେମ୍ବର ୫ ତାରିଖରେ ସେନାପତି ମେଜର ବେଟ୍‌ସ ମାନ୍ଦ୍ରାଜରୁ ଆସି କଟକରୁ ଗୋଳା, ବାରୁଦ ଓ ସୈନ୍ୟ ସାମନ୍ତ ନେଇ ସମ୍ବଲପୁର ଯାତ୍ରାକଲେ । ନାଗପୁରରୁ କ୍ୟାପଟେନ ଉଡ୍‌ ମଧ୍ୟ ଦଳେ ସୈନ୍ୟଧରି ସମ୍ବଲପୁର ଆସିଲେ । କୁଦାପାଲିଠାରେ ଯୁଦ୍ଧ ହେଲା । ଏ ଯୁଦ୍ଧରେ ସୁରେନ୍ଦ୍ରଙ୍କ ଭାଇ ଛବିଳ ପ୍ରାଣ ହରାଇଲେ ।
 

୧୮୫୮ ମସିହା ଜାନୁୟାରୀ ୭ ତାରିଖରେ ମେଜର ବେଟ୍‌ସ ପ୍ରଧାନ ସେନାପତି ରୂପେ ସମସ୍ତ ସୈନ୍ୟଙ୍କର ଦାୟିତ୍ୱ ନେଲେ । ମାତ୍ର ବାରପାହାଡ଼ଠାରେ କ୍ୟାପଟେନ-ଲି ବିଦ୍ରୋହୀମାନଙ୍କ ଦ୍ୱାରା ପରାଜିତ ହେଲେ । ଏ ଅବସ୍ଥା ଦେଖି କମିଶନର କକ୍‌ବର୍ଣ୍ଣ ସାହେବ ମାନ୍ଦ୍ରାଜରୁ ଅଧିକ ସୈନ୍ୟ ମଗାଇଲେ । ବ୍ରହ୍ମପୁରର ଉଇଣ୍ଡହାମ, ମାନ୍ଦ୍ରାଜର ଏଲ୍‌. ଉଇମ ଓ ଘୁମୁସରରୁ କ୍ୟାପ୍‌ଟେନ ଡାୟାରଙ୍କ ସହ ନିଜେ କଟକରୁ ସମ୍ବଲପୁର ଯାତ୍ରାକଲେ ।

 

୧୮୫୮ ମସିହାରେ ଇଂରେଜ ସରକାର ସିଂହଭୂମରେ ବିଦ୍ରୋହ ଦମନ କରି ତାକୁ ଖାସ କରିନେଲେ । ତାହାର କେତେକ ଅଂଶ ଷଢ଼େଇକଳାରେ ଓ ଅନ୍ୟ କେତେକ ଅଂଶ ଖରସୁଆଁରେ ମିଶାଇ ଦେଲେ । ଜଗୁ ଦେଓ୍ୟାନଙ୍କୁ ପ୍ରକାଶ୍ୟ ସ୍ଥାନରେ ଗଛରେ ଲଟକାଇ ଫାଶି ଦିଆଗଲା । ରାଜା ଅର୍ଜୁନସିଂହ ଧୃତହୋଇ ବନାରସରେ ଯାବତ୍ ଜୀବନ ଅଟକବନ୍ଦୀ ହୋଇ ରହିଲେ । ବାଲିଆର ଜମିଦାର ପାଞ୍ଚବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ।

 

ପୋଡ଼ାହାଟର ବିଦ୍ରୋହ ଦମନ ପରେ ବଙ୍ଗଳା ସରକାର ସାମରିକ ଓ ବେସାମରିକ ଉଭୟ କ୍ଷମତା ଦେଇ କର୍ଣ୍ଣେଲ ଫଷ୍ଟେରଙ୍କୁ ମଧ୍ୟ ସମ୍ବଲପୁର ପଠାଇଲେ । ସାତଜଣ ଦକ୍ଷ ସେନାପତିଙ୍କ ନେତୃତ୍ୱରେ ସୁରେନ୍ଦ୍ରଙ୍କ ବିରୋଧରେ ଅଭିଯାନ ଆରମ୍ଭ ହେଲା । ସମସ୍ତ ଗଡ଼ଜାତ ରାଜାମାନଙ୍କୁ କଡ଼ା ତାଗିତ କରାଯାଇ ବିଦ୍ରୋହୀମାନଙ୍କୁ କୌଣସି ପ୍ରକାର ସାହାଯ୍ୟ ନ କରିବାକୁ କୁହାଗଲା । ପାଟନାର ରାଜା ଗୋପନରେ ବିଦ୍ରୋହୀମାନଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗରେ ତାଙ୍କୁ ହଜାରେ ଟଙ୍କା ଜରିମାନା କରାଗଲା । ମାତ୍ର ସେ ସୁରେନ୍ଦ୍ରଙ୍କ ଭାଇ ଉଜ୍ଜଳଙ୍କୁ ଧରିଆଣି ଦେବାରୁ ତାଙ୍କୁ ଜରିମାନାରୁ ମୁକ୍ତି ଦିଆଗଲା ଓ ଉଜ୍ଜଳ ଫାଶି ପାଇଲେ । ସମ୍ବଲପୁରକୁ ଛୋଟ ନାଗପୁର ଡିଭିଜନରୁ ଅଣାଯାଇ କଟକ ଅଧୀନରେ ରଖାଗଲା ।

 

ସପ୍ତରଥୀଙ୍କ ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ ସୁରେନ୍ଦ୍ର ରାୟପୁର ପଳାଇଗଲେ । ସେଠାରେ ବର୍ଷେ ରହି ଖଡ଼ିଆଳର ମାଣିକଗଡ଼ ପାହାଡ଼କୁ ଚାଲିଗଲେ । ସେଠାରେ ମଧ୍ୟ ଇଂରେଜମାନଙ୍କ ସହ ତାଙ୍କର ଯୁଦ୍ଧ ହେଲା । ସେତେବେଳକୁ ସିପାହୀଯୁଦ୍ଧର ଲେଲିହାନ ଶିଖା ନିର୍ବାପିତ ହୋଇ ସାରିଥାଏ । ସୁରେନ୍ଦ୍ର ଅଧିକକାଳ ଏକାକୀ ଯୁଦ୍ଧ କରି ନ ପାରି କଳାହାଣ୍ଡିର ଜୁନାଗଡ଼ ପାହାଡ଼ରେ ଆଶ୍ରୟ ନେଲେ । ୧୮୬୪ ମସିହାରେ ତାଙ୍କୁ ଗିରଫ କରାଯାଇ ଆସୀରଗଡ଼ ଦୁର୍ଗରେ ବନ୍ଦୀ କରି ରଖାଗଲା । ସେହିଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ ।

 

ଭାରତର ଏହି ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ୩୬ଟି ଗଡ଼ଜାତର ସାମନ୍ତରାଜାମାନେ ବଶମ୍ବଦର ଭୂମିକା ଗ୍ରହଣ କଲେ ।

 

ବିଦ୍ରୋହର ଭୈରବ ରବ ରୋହିଲାଖଣ୍ଡରେ ଶୁଣାଗଲା । ରୋହିଲା ପଠାଣମାନେ ଯେପରି ତେଜସ୍ୱୀ, ସେପରି ସ୍ୱାଧୀନତା ପ୍ରିୟ । ମୋଗଲ ସାମ୍ରାଜ୍ୟର ରବି ଅସ୍ତମିତ ବେଳେ ଏହି ପ୍ରଦେଶ ଆଫଗାନମାନଙ୍କର ଅଧୀନରେ ଥିଲା । ଅଷ୍ଟାଦଶ ଶତାବ୍ଦୀର ଶେଷାର୍ଦ୍ଧରେ ହାଫେଜ ରହମତଙ୍କ ଅଧୀନରେ ପଠାଣମାନେ ନିଜର ସ୍ୱାଧୀନତା ରକ୍ଷାପାଇଁ ପ୍ରୟାସ କଲେ । ମାତ୍ର ଇଂରେଜମାନଙ୍କ ସହ ଯୁଦ୍ଧରେ ୧୭୭୪ ଖ୍ରୀଷ୍ଟାବ୍ଦରେ ହାଫେଜ ରହମତଙ୍କ ମୃତ୍ୟୁ ହେବାରୁ ରୋହିଲାଖଣ୍ଡ ଇଂରେଜମାନଙ୍କ ଅଧୀନକୁ ଆସିଲା ।

 

ରୋହିଲାଖଣ୍ଡର ରାଜଧାନୀ ବେରିଲୀ । ଏଠା ଇଂରେଜ ସେନା ନିବାସର ଅଧିନାୟକ ବ୍ରିଗେଡିଆର ସିବଲ୍‌ଡ । ମଇମାସ ୩୧ ତାରିଖରେ ସେଠାକାର ସିପାହୀମାନେ ଅଶାନ୍ତ ହୋଇ ଉଠିଲେ । ଏ ମଧ୍ୟରେ ଫିରୋଜପୁରର ବିଦ୍ରୋହୀ ସିପାହୀମାନେ ମଧ୍ୟ ଦଳ ଦଳ ହୋଇ ବେରିଲୀରେ ଆସି ପହଞ୍ଚିଲେ । ସିପାହୀମାନେ ଇଂରେଜ ସୈନିକମାନଙ୍କ ଘରେ ଅଗ୍ନି ଲଗାଇଦେଲେ । ସେମାନେ ଗୋଟିଏ ଆମ୍ବ ବଗିଚାରେ ଯାଇ ଆଶ୍ରୟ ନେଲେ । ବ୍ରିଗେଡ଼ିଆର ସିବଲ୍‌ଡ଼ ଅବସ୍ଥା ଜାଣିବାପାଇଁ ବାରାକ୍‌କୁ ଯାଉଁ ଯାଉଁ ବାଟରେ ନିହତ ହେଲେ । ତାପରେ ଆରମ୍ଭ ହେଲା ଇଂରେଜ ନିଧନ ଯଜ୍ଞ ।

 

ହାଫେଜ ରହମତ ଖାଁଙ୍କ ବଂଶଧର ଖାଁ ବାହାଦୂର ଖାଁଙ୍କ ପ୍ରାଧାନ୍ୟ ପ୍ରତିଷ୍ଠିତ ହେଲା । ମୋବାରକ୍‌ ଶାହ ତାଙ୍କ ସହିତ ମିଶି ତାଙ୍କୁ ବେରିଲୀର ଶାସନ କର୍ତ୍ତା ଘୋଷଣା କଲେ ଏବଂ ବଖତ୍‌ ଖାଁଙ୍କୁ ସେନାପତି ନିଯୁକ୍ତ କଲେ । ଯେଉଁ ଇଂରେଜମାନେ ଲୁଚିଥିଲେ, ସେମାନଙ୍କୁ ଧରିଆଣି ସେମାନଙ୍କ ବିଚାର କରାଯାଇ ଫାଶୀ ଦିଆଗଲା ।

 

ବେରିଲୀ ପରେ ପରେ ମୋରଦାବାଦ, ଶାହାଜାହାନପୁର, ବଦାୟୁନ, ଫତେଗଡ଼ ଓ ଫରକାବାଦରେ ବିଦ୍ରୋହ ଦେଖାଦେଲା । ମୋରଦାବାଦରେ ନିଜାମତ ଉଲ୍ଲା ନାମରେ ଜଣେ ପ୍ରଭାବଶାଳୀ ବର୍ଷିଆନ ମୁସଲମାନ ବୃଦ୍ଧ ବିଦ୍ରୋହୀମାନଙ୍କର ନେତୃତ୍ୱ ନେଲେ ।

 

ଆଗ୍ରା !

 

ଦିଲ୍ଲୀ ପରି ଆଗ୍ରା ମଧ୍ୟ ମୋଗଲ ସାମ୍ରାଜ୍ୟର ଅନ୍ୟ ଏକ ରାଜଧାନୀ । ମୋଗଲ ସାମ୍ରାଜ୍ୟର ବହୁ ଉତ୍‌ଥାନ ପତନର ସାକ୍ଷୀ ।

 

ଆଗ୍ରାର ଦୁର୍ଗ ସମ୍ରାଟ ଆକବରଙ୍କ ଦ୍ୱାରା ଲାଲପଥରରେ ନିର୍ମିତ ଓ ଗଭୀର ପରିଖା ବେଷ୍ଟିତ । ଦୁର୍ଗଟି ଯେପରି ସୁଦୃଢ଼ ସେହିପରି ଦୁରତିକ୍ରମ । ମତି ମସଜିଦ ଦୁର୍ଗ ମଧ୍ୟରେ ରହି ଯମୁନାର ଜଳ-ଦର୍ପଣରେ ନିଜର ପ୍ରତିବିମ୍ବ ଦେଖୁଛି । ପୁଣି ସମ୍ରାଟ ଶାହାଜାହାନ ମଧ୍ୟ ଏହି ଦୁର୍ଗରେ ନିଜର ବନ୍ଦୀ ଜୀବନ ଯାପନ କରିଥିଲେ । ତେଣୁ ମୋଗଲ ଇତିହାସରେ ଆଗ୍ରା ଏକ ବିରାଟ ସ୍ମାରକ ଚିହ୍ନ ।

 

ମୀରଟ ବିଦ୍ରୋହର ସମ୍ବାଦ ମିଳିବା ପରେ ଛୋଟଲାଟ ଲର୍ଡ କଲଭିନଙ୍କ ନିର୍ଦ୍ଦେଶ ଅନୁସାରେ ଆଗ୍ରାର ସିପାହୀମାନଙ୍କୁ ନିରସ୍ତ୍ର କରାଗଲା । ସେମାନେ ଦିଲ୍ଲୀ ଚାଲିଗଲେ ।

 

ଜୁଲାଇ ୨ ତାରିଖରେ ନିମଚର ସିପାହୀମାନେ ଆଗ୍ରାରୁ ୨୩ ମାଇଲ ଦୂର ଫତେପୁର ସିକ୍ରୀଠାରେ ଆସି ସମବେତ ହେଲେ । କଲଭିନ ସେମାନଙ୍କୁ ବାଧାଦେବାପାଇଁ ଦଳେ ସୈନ୍ୟ ପଠାଇଲେ । ମାତ୍ର ସୈନିକମାନେ ସେମାନଙ୍କୁ ନିହିତ କରି ବିଦ୍ରୋହୀମାନଙ୍କ ସହିତ ମିଶିଗଲେ । କଲଭିନ ଦୁର୍ଗ ମଧ୍ୟରେ ଆଶ୍ରୟ ନେଲେ । ଇଂରେଜମାନଙ୍କୁ ଏ ବିପଦରେ ଭରତପୁର ରାଜା ସାହାଯ୍ୟ କରି ତିନି ଶହ ଅଶ୍ୱାରୋହୀ ସୈନ୍ୟ ଓ ଦୁଇଟି କମାଣ ଦେଲେ ।

 

ବିଦ୍ରୋହୀମାନଙ୍କୁ ବାଧା ଦେବାପାଇଁ ବ୍ରିଗେଡ଼ିଆର ପଲଜୋୟଲ ଆଠ ଶହ ସୁଶିକ୍ଷିତ ଇଂରେଜ ସୈନ୍ୟ ନେଇ ଯାତ୍ରାକଲେ । ବିପକ୍ଷ ଦଳର ସୈନ୍ୟସଂଖ୍ୟା ପ୍ରାୟ ଦୁଇ ହଜାର । ଶାହାଗଞ୍ଜରେ ଦୁଇଦଳର ସାକ୍ଷାତ ହେଲା । ଇଂରେଜମାନେ ଶୋଚନୀୟଭାବେ ପରାଜିତ ହୋଇ ଦୁର୍ଗ ମଧ୍ୟକୁ ପଳାଇ ଆସିଲେ ଏବଂ ସ୍ତ୍ରୀ ବାଳକ ଧରି ଦୁର୍ଗ ମଧ୍ୟରେ ଆଶ୍ରୟ ନେଲେ । ଉତ୍ତେଜିତ ସିପାହୀମାନେ ଇଂରେଜମାନଙ୍କ ବାସଗୃହ ଧ୍ୱସଂ କରି ଦିଲ୍ଲୀ ଅଭିମୁଖେ ଯାତ୍ରାକଲେ । ଏ ଘଟନାରେ ବୃଦ୍ଧ ସେନାପତି ପଦୁଚ୍ୟୁତ ହେଲେ ଏବଂ ତାଙ୍କ ସ୍ଥାନରେ କର୍ଣ୍ଣେଲ କଟନ ସେନାପତି ହେଲେ । ମାନସିକ ଓ ଶାରୀରିକ ଅବସାଦରେ ଲର୍ଡ କଲଭିନ ଦୁର୍ଗ ମଧ୍ୟରେ ପ୍ରାଣତ୍ୟାଗ କଲେ ।

 

ଗୋୟାଲିୟରର ରାଜଧାନୀ ଇନ୍ଦୋର । ଜୟାଜୀ ରାଓ ସିନ୍ଧିଆ ଗୋୟାଲିୟରର ରାଜା ଲର୍ଡ କଲଭିନ୍‌ସ ଆଶଙ୍କା କରିଥିଲେ ଯେ ଗୋୟାଲିୟର ରାଜା ବିଦ୍ରୋହୀମାନଙ୍କ ସହ ହାତ ମିଳାଇବେ । ମାତ୍ର ମହାରାଜା ଇଂରେଜମାନଙ୍କ ରକ୍ଷାପାଇଁ ସବିଶେଷ ଯତ୍ନଶୀଳ ହେଲେ ।

 

କିନ୍ତୁ ଇଂରେଜମାନଙ୍କ ଅଧୀନରେ ଥିବା ସିପାହୀମାନେ ବିଦ୍ରୋହୀ ହେଲେ । ରାଜାଙ୍କ ଦରବାରର ସୈନ୍ୟମାନେ ସେମାନଙ୍କ ସହିତ ମିଳିତ ହେଲେ । ଅସହାୟ ଇଂରେଜ ନରନାରୀଙ୍କ ମଧ୍ୟରୁ କେତେକ ରେସିଡେନ୍‌ସିରେ ଓ କେତେକ ମହାରାଜାଙ୍କ ପ୍ରାସାଦରେ ଆଶ୍ରୟ ନେଲେ ।

 

ଗୋୟାଲିୟର ପ୍ରାନ୍ତଭାଗରେ ଅବସ୍ଥିତ ନିମଚଓ୍ୱନ ଶିରାବାଦରେ ବିଦ୍ରୋହୀମାନେ ଅସ୍ତ୍ରାଗାର ଓ ଧନାଗାର ଲୁଣ୍ଠନ ଏବଂ ଇଂରେଜମାନଙ୍କ ଗୃହଦାହ କରି ଦିଲ୍ଲୀ ଅଭିମୁଖେ ଯାତ୍ରାକଲେ ।

 

ଇନ୍ଦୋରର ରାଜା ହୋଲକାର ବିଦ୍ରୋହର ସମ୍ବାଦ ଶୁଣି ଦେଖିଲେ ଯେ ଇଂରେଜମାନେ ଘୋର ବିପଦାପନ୍ନ । ମହାରାଜା ତୁକାଜୀରାଓ ଚିନ୍ତିତ ହେଲେ । ତାଙ୍କର ଅସ୍ତ୍ରାଗାର ଶୂନ୍ୟ । ସିପାହୀମାନଙ୍କୁ ବାଧାଦେବାର ଉପାୟ ନାହିଁ । ରେସିଡେଣ୍ଟ ଡୁରାଣ୍ଡଙ୍କୁ ସେ ଏ ବିଷୟ ଜଣାଇଲେ । ଡୁରାଣ୍ଡ ବମ୍ବେର ଗଭର୍ଣ୍ଣର ଲର୍ଡ ଏଲଫିନ ଷ୍ଟୋନଙ୍କଠାରୁ ହଜାରେ ବନ୍ଧୁକ, ଦେଢ଼ଶହ ପିସ୍ତଲ ଓ ଦୁଇଲକ୍ଷ କ୍ୟାପ ଆଣି ଯୋଗାଇ ଦେଲେ । ମହାରାଜାଙ୍କ ସୈନ୍ୟମାନେ ଏ ସବୁ ଅସ୍ତ୍ର ଶସ୍ତ୍ର ପାଇବାପରେ ବିଦ୍ରୋହୀମାନଙ୍କ ସହ ଯୋଗ ଦେଲେ । ଇଂରେଜମାନେ ପଳାଇ ଯାଇ ଭୂପାଳ ଦୁର୍ଗରେ ଆଶ୍ରୟ ନେଲେ ।

 

ରାଜପୁତାନା ।

 

ମେବାର, ଜୟପୁର, ମାଲବାର ପ୍ରଭୃତି ରାଜ୍ୟ ଦ୍ୱାରା ରାଜପୁତାନା ବିଭକ୍ତ । ଏ ମଧ୍ୟରୁ ୧୭ଟି ହିନ୍ଦୁ ରାଜ୍ୟ ଓ ଆଉ ଗୋଟିଏ ମୁସଲମାନ ରାଜ୍ୟ । ପିଣ୍ଡାରୀ ସର୍ଦ୍ଦାର ଅମୀରଖାଁଙ୍କ ବଂଶଧରମାନେ ଏହି ରାଜ୍ୟରେ ରାଜତ୍ୱ କରୁଥିଲେ । ତାଙ୍କୁ ଟଙ୍କର ନବାବ ବୋଲି କୁହାଯାଉଥିଲା-। ଏହି ସମସ୍ତ ରାଜ୍ୟରେ ସିପାହୀ ବିଦ୍ରୋହର ଛାୟାପାତ ମଧ୍ୟ ହୋଇନାହିଁ ।

 

ଲର୍ଡ କ୍ୟାନିଂ ଦେଖିଲେ ଯେ ସର୍ବାଦୌ ଦିଲ୍ଲୀ ଉଦ୍ଧାର ଆବଶ୍ୟକ । ଦିଲ୍ଲୀ କେବଳ ବିଦ୍ରୋହୀମାନଙ୍କ ପ୍ରଧାନ କେନ୍ଦ୍ର ନୁହେଁ; ଭାରତ ବ୍ୟାପୀ ବିଦ୍ରୋହର ପ୍ରଧାନ କେନ୍ଦ୍ର । ଦିଲ୍ଲୀରୁ ବିଦ୍ରୋହାଗ୍ନି ନିର୍ବାପିତ ନ ହେବାଯାଏ ସାରା ଦେଶରେ ଶାନ୍ତି ସ୍ଥାପିତ ହୋଇ ପାରିବ ନାହିଁ ।

 

ଇଂରେଜ ସୈନ୍ୟ ବାହିନୀର ପାଞ୍ଚଜଣ ବ୍ରିଟିଶ ସମର ବିଶାରଦ ଦିଲ୍ଲୀ ଉଦ୍ଧାର ପାଇଁ ଏକତ୍ରିତ ହେଲେ । ସେମାନେ ହେଲେ–ନେଭିଲ ଚେମ୍ବରଲେନ, ବେୟାର୍ଡସ୍ମିଥ, ଜେନେରାଲ ଉଇଲସନ, ଆଲେକଜାଣ୍ଡର ଟେଲର ଓ ଜନନିକଲସନ ।

 

ସେପ୍ଟେମ୍ବର ମାସ ଆରମ୍ଭରେ ସାର୍‌ ଜନ୍‌ ଲରେନ୍‌ସ ପ୍ରଚୁର ସୈନ୍ୟ, କମାଣ ଓ ଗୁଳା-ବାରୁଦ ପଠାଇଦେଲେ । କାଶ୍ମୀରର ରାଜା ଗୁଲାବସିଂହ ପ୍ରତିଶ୍ରୁତ ସୈନ୍ୟ ଓ ସାହାଯ୍ୟ ମଧ୍ୟ ଦେଲେ ।

 

ଇଂରେଜମାନେ ଭିନ୍ନ ଭିନ୍ନ ତୋରଣରେ କମାଣ ସ୍ଥାପନ କଲେ । କାଶ୍ମୀର ଓ ମୋରି ତୋରଣ ସେମାନଙ୍କର ମୂଳ ଲକ୍ଷ୍ୟ ହେଲା ।

 

ସେପ୍ଟେମ୍ବର ୧୩ ତାରିଖରେ ଇଂରେଜମାନଙ୍କ କମାଣରୁ ଗୋଳାବୃଷ୍ଟି ହେଲା । ପ୍ରାଚୀର ଦୁଇଟି ସ୍ଥାନରେ ଭାଙ୍ଗିଗଲା । ସେହି ଭଗ୍ନ ସ୍ଥାନ ଦେଇ କୌଶଳରେ ଅଭିଯାନ କରାଯିବା ସ୍ଥିର ହେଲା । ବିଦ୍ରୋହୀମାନଙ୍କ ସେନାପତି ବଖତ ଖାଁ ମଧ୍ୟ ସାମରିକ କୌଶଳରେ ଧୁରନ୍ଧର । ସେ ଏହାର ପ୍ରତିରୋଧ ପାଇଁ ତତ୍ପର ହୋଇପଡ଼ିଲେ ।

 

୧୫ ତାରିଖରେ କାବୁଲ ତୋରଣ, କାଶ୍ମୀର ତୋରଣ ଓ ଲାହୋର ତୋରଣର କେତେକାଂଶ ଇଂରେଜମାନେ କମାଣ ଗୋଳାରେ ଭାଙ୍ଗିଦେଲେ । ତାପରେ ପ୍ରଚଣ୍ଡ ଯୁଦ୍ଧପରେ ଇଂରେଜମାନେ କାବୁଲ ତୋରଣ ଦଖଲ କରିନେଲେ । ବେୟାର୍ଡସ୍ମିଥ ଓ ନେଭିଲ ଚେମ୍ବରଲେନ ଏ ଯୁଦ୍ଧରେ ଗୁରୁତର ଭାବରେ ଆହତ ହେଲେ । କାଶ୍ମୀର ତୋରଣ ଅଧିକାର କରିବାକୁ ଯାଇ ନିକଲସନ ମଧ୍ୟ ଆହତ ହେଲେ । କାଶ୍ମୀର ତୋରଣ ବିଧ୍ୱସ୍ତ କରି ସେନାପତି ଉଇଲସନ ମାନଚିତ୍ର ହାତରେ ଧରି ନଗର ମଧ୍ୟରେ ପ୍ରବେଶ କଲେ । ଦୁଇଦିନର ଯୁଦ୍ଧପରେ ଇଂରେଜ ସୈନ୍ୟମାନେ ସମ୍ରାଟଙ୍କ ପ୍ରାସାଦ ଆଡ଼କୁ ଅଗ୍ରସର ହେଲେ ।

 

ସେପ୍ଟେମ୍ବର ୨୦ ତାରିଖରେ ଇଂରେଜମାନେ ଲାହୋର ତୋରଣ, ଜୁମା ମସଜିଦ ଓ ଆଜମୀର ତୋରଣ ଦଖଲ କଲେ । ଅବଶେଷରେ ମୋଗଲ ପ୍ରାସାଦରେ ଇଂରେଜମାନଙ୍କ ପତାକା ଉଡ଼ିଲା । ମାତ୍ର ସମ୍ରାଟ କାହାନ୍ତି ?

 

Unknown

ବିଦ୍ରୋହୀମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଛନ୍ତି । ବୃଦ୍ଧ ବାହାଦୂର ଶାହ ଗଲେ କୁଆଡ଼େ ? ସମ୍ରାଟଙ୍କ ଅନ୍ୱେଷଣରେ ଇଂରେଜମାନେ ଦିଲ୍ଲୀର ଚତୁର୍ଦ୍ଦିଗରେ ବ୍ୟାପିଗଲେ ।

 

ସେପ୍ଟେମ୍ବର ୧୯ ତାରିଖରେ ଯେତେବେଳେ ଚାନ୍ଦିନୀଚୌକ ଆକ୍ରାନ୍ତ ହେଲା–ସେତେବେଳେ ସେନାପତି ବଖତ୍‌ ଖାଁ ସମ୍ରାଟଙ୍କୁ ପରାମର୍ଶ ଦେଲେ ଯେ ଇଂରେଜମାନେ ଦିଲ୍ଲୀ ଅଧିକାର କଲେ ମଧ୍ୟ ସେ ଅନ୍ୟସ୍ଥାନକୁ ଯାଇ ଯୁଦ୍ଧ ପରିଚାଳନା କରନ୍ତୁ । ସେ ବୃଦ୍ଧ ସମ୍ରାଟଙ୍କୁ ସିପାହୀମାନଙ୍କ ସହିତ ଅଯୋଧ୍ୟା ଚାଲିଯିବାକୁ ପରାମର୍ଶ ଦେଲେ । ବେଗମ ଜିନତ୍‌ ମହଲ ମଧ୍ୟ ଏ ପ୍ରସ୍ତାବ ସମର୍ଥନ କଲେ । ମାତ୍ର ବାହାଦୂର ଶାହା ସମ୍ମତ ହେଲେନାହିଁ ।

 

ବଖତ୍‌ ଖାଁ ବିଫଳ ମନୋରଥ ହୋଇ ଦିଲ୍ଲୀ ପରିତ୍ୟାଗ କଲେ । ମୀର୍ଜା ଏଲାହୀବକ୍‌ସ ସମ୍ରାଟଙ୍କୁ ତାଙ୍କ ଘରକୁ ନେଇଗଲେ । ପରେ ବେଗମ ଜିନତ୍ ମହଲ ଓ ପୁତ୍ର ଜୋୟାନ ବଖତ୍‌ଙ୍କ ସହ ସମ୍ରାଟ ହୁମାୟୁନଙ୍କ ସମାଧି ମନ୍ଦିରରେ ଆତ୍ମଗୋପନ କଲେ ।

 

ଜେନେରାଲ ଉଇଲସନଙ୍କ ନିର୍ଦ୍ଦେଶରେ ପ୍ରାସାଦରକ୍ଷୀ ଦଳର ଅଧିନାୟକ କ୍ୟାପେଟନ ହଡସନ ସମ୍ରାଟଙ୍କୁ ଖୋଜିବାକୁ ବାହାରିଲେ । ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କ ଗୋଇନ୍ଦା ବିଭାଗର ମୌଲବୀ ରଜବ ଅଲ୍ଲୀ ଜାଣନ୍ତି ଯେ ଏକମାତ୍ର ମୀର୍ଜା ଏଲାହୀବକ୍‌ସ ସମ୍ରାଟଙ୍କ ଅବସ୍ଥାନର ସମ୍ବାଦ ଦେଇପାରିବେ । ସେ ତାଙ୍କ ନିକଟକୁ ଯାଇ ପ୍ରଲୋଭନ ଦେଖାଇ ତାଙ୍କଠାରୁ ହୁମାୟୁନଙ୍କ ସମାଧି ମନ୍ଦିରରେ ସମ୍ରାଟ ଆତ୍ମଗୋପନ କରିଥିବାର ଖବର ପାଇଁ କ୍ୟାପ୍‌ଟନ୍‌ ହଡସନଙ୍କୁ ଜଣାଇଲେ ।

 

ଜେନେରାଲ ଉଇଲସନ ସମ୍ରାଟଙ୍କୁ ବନ୍ଦୀକରି ଆଣିବାପାଇଁ ନିର୍ଦ୍ଦେଶଦେଲେ । କ୍ୟାପ୍‍ଟେନ୍‍ ହଡସନ ସମାଧି ମନ୍ଦିର ଅବରୋଧ କଲେ ।

 

ବୃଦ୍ଧ ବାଦଶାହା ପତ୍ନୀ ଓ ପୁତ୍ରଙ୍କ ସହ ଦ୍ୱାର ନିକଟକୁ ଆସି ଆତ୍ମ ସମର୍ପଣ କଲେ ଏବଂ ନିଜର ତରବାରି ଦୁଇଖଣ୍ଡ ହଡସନଙ୍କ ହାତକୁ ବଢ଼ାଇଦେଲେ । ଏ ତରବାରି ଦୁଇଖଣ୍ଡରୁ ଖଣ୍ଡିଏ ନାଦିରଶାହାଙ୍କର ଓ ଅନ୍ୟଟି ଜାହାଙ୍ଗୀରଙ୍କର ।

 

ବାଦଶାହା ବନ୍ଦୀ ହୋଇ ଇଂରେଜ ଶିବିରକୁ ଆସିଲେ । ସମ୍ରାଟଙ୍କ ଅନ୍ୟ ତିନିପୁତ୍ର ମୀର୍ଜା ଖିଦିର ସୁଲତାନ, ମୀର୍ଜା ମୋଗଲ ଓ ମୀର୍ଜା ଆବୁବକର ସେପର୍ଯ୍ୟନ୍ତ ଧରା ପଡ଼ି ନ ଥିଲେ । ପୁରସ୍କାର ଲୋଭରେ ରଜବ ଅଲ୍ଲୀ ଓ ଏଲାହୀବକ୍‌ସ ସେମାନଙ୍କୁ ମଧ୍ୟ ଧରାଇ ଦେଲେ । ସେମାନେ ମଧ୍ୟ ଉକ୍ତ ସମାଧି ମନ୍ଦିରରେ ଆତ୍ମଗୋପନ କରିଥିଲେ । ବନ୍ଦୀକରି ନେବାବେଳେ କ୍ୟାପ୍‌ଟନ୍‌ ହଡସନ ପଥ ମଧ୍ୟରେ ସେମାନଙ୍କୁ ଗୁଳିକରି ହତ୍ୟା କଲେ ଏବଂ ମୃତ ଦେହକୁ ରାସ୍ତାକଡ଼ରେ ଝୁଲାଇ ରଖିବା ପାଇଁ ନିର୍ଦ୍ଦେଶ ଦେଲେ ।

 

ଐତିହାସିକ ମେଲିସନ, ମାର୍ଟିନ ଓ ମିଚେଲ ଏ ସମ୍ପର୍କରେ ଲେଖିଛନ୍ତି–‘ଏହା ଅପେକ୍ଷା ଅଧିକ ପାଶବିକ ଓ ଅଧିକତର ଅନାବଶ୍ୟକ ଅତ୍ୟାଚାର ଆଉ ହୋଇ ପାରେନାହିଁ ।’

 

ତା ପରେ ମୋଗଲର ରାଜଧାନୀରେ ଚାଲିଲା–ହତ୍ୟା ଓ ଲୁଣ୍ଠନ । ଇଂଲଣ୍ଡର ଟାଇମସ୍‌ ପ୍ରତିକାର ବମ୍ବେ ସମ୍ବାଦଦାତା ଏ ସମ୍ପର୍କରେ ଲେଖିଥିଲେ–‘‘ଯେଉଁଦିନ ନାଦୀରଶାହ ଚାନ୍ଦିନୀଚୌକର କ୍ଷୁଦ୍ର ମସଜିଦରେ ବସି ଦିଲ୍ଲୀ ଅଧିବାସୀଙ୍କ ହତ୍ୟାକାଣ୍ଡ ଦେଖିଥିଲେ–ସେହିଦିନଠାରୁ ଶାହାଜାହାନଙ୍କ ନଗରରେ ଏଭଳି ଦୃଶ୍ୟ ଦୃଷ୍ଟିପଥାରୁଢ଼ ହୋଇନାହିଁ ।’’

 

ଦିଲ୍ଲୀ ପରେ ଲକ୍ଷ୍ନୌ !

 

ତିନିଜଣ ଦୁର୍ଦ୍ଧର୍ଷ ସେନାପତି ଲକ୍ଷ୍ନୌ ଉଦ୍ଧାର ପାଇଁ ଆୟୋଜନ କରି ଜଣେ ମୃତ୍ୟୁ ବରଣ କରିଥିଲେ । ଅବଶେଷରେ ବହୁ ପ୍ରତିରୋଧ ସତ୍ତ୍ୱେ ଆଉଟଟ୍ରାମ ଓ ହ୍ୟାଭଲକ ଲକ୍ଷ୍ନୌର ରେସିଡେନ୍‌ସିରେ ପହଞ୍ଚି ପାରିଥିଲେ ।

 

ଜେନେରାଲ ହ୍ୟାଭଲକ ଦିଲ୍ଲୀକୁ ସୈନ୍ୟ ସାହାଯ୍ୟ ମାଗିଲେ । ସେତେବେଳେ ଦିଲ୍ଲୀର ସେନା ନାୟକ ଲେଫଟନ୍ୟାଣ୍ଟ କର୍ଣ୍ଣେଲ ଗ୍ରିଥେଡ ଓ ଭାରତର ପ୍ରଧାନ ସେନାପତି ସାର୍‌ କଲିନ କ୍ୟାମ୍ପବେଲ ଦିଲ୍ଲୀରେ ଥିଲେ ।

 

ସୈନ୍ୟ ଓ ଯୁଦ୍ଧ ଉପକରଣ ସଂଗ୍ରହ କରି କଲିନ୍ ନଭେମ୍ବରରେ ଲକ୍ଷ୍ନୌ ଉଦ୍ଦେଶ୍ୟରେ ଯାତ୍ରାକରି ଅଯୋଧ୍ୟାରେ ପ୍ରବେଶ କଲେ । ଲକ୍ଷ୍ନୌ ସେ ପର୍ଯ୍ୟନ୍ତ ଅବରୁଦ୍ଧ ଅବସ୍ଥାରେ ଥିଲା ।

 

ନଭେମ୍ବର ୧୩ ତାରିଖରେ ଇଂରେଜ ସୈନ୍ୟମାନେ ରେସିଡେନ୍‌ସି ଦଖଲ ପାଇଁ ଅଗ୍ରସର ହେଲେ । ନବାବ ଗାଜୀଉଦ୍ଦୀନଙ୍କ ସମାଧି ମନ୍ଦିର ମୋହନଫିଜ ଓ କଦମରସୁଲ ନାମକ ମସଜିଦରୁ ବିଦ୍ରୋହୀମାନେ ଗୁଳି ବର୍ଷଣ କଲେ । ଇଂରେଜ ସୈନ୍ୟ ପଛକୁ ହଟିବାକୁ ବାଧ୍ୟ ହେଲେ-। ତାପରେ ଦୀର୍ଘ ଦିନର ପ୍ରଚେଷ୍ଟାରେ କ୍ରମେ ଆଲମବାଗ, ଚାରବାଗ, କୈସାରବାଗ, ସେକନ୍ଦ୍ରାବାଗ, ମତିମହଲ ବେଗମ କୋଠି, ମଚ୍ଛି ଭବନ ଓ ଦିଲଖୁସ ବାଗ ପ୍ରଭୃତି ଇଂରେଜମାନେ ଦଖଲ କରିନେଲେ । ପ୍ରାୟ ଅଢ଼େଇ ହଜାର ସୈନ୍ୟ ଓ ୫୦ ଜଣ ଅଫିସରଙ୍କ ସମେତ ଜେନେରାଲ ହ୍ୟାଭଲକଙ୍କ ପ୍ରାଣ ବିନିମୟରେ ଏସବୁ ସ୍ଥାନ ଅଧିକୃତ ହେଲା ।

 

ନଭେମ୍ବର ୨୨ ତାରିଖରେ ତାନ୍ତିଆଟୋପିଙ୍କ ନେତୃତ୍ୱରେ ଗୋୟାଲିୟର ବିଦ୍ରୋହୀ ସିପାହୀମାନେ କାନପୁର ଆକ୍ରମଣ କଲେ । ସେନାପତି ଓ୍ୟାଇଣ୍ଡହାମ ପରାଜିତ ହେଲେ । ଜେନେରାଲ ଆଉଟ୍ରାମଙ୍କୁ ଲକ୍ଷ୍ନୌରେ ରଖି ପ୍ରଧାନ ସେନାପତି କାନପୁର ଯାତ୍ରା କଲେ । ବହୁ କଷ୍ଟରେ କାନପୁର ବିଦ୍ରୋହୀଙ୍କ କବଳରୁ ମୁକ୍ତ ହେଲା । ସେ ପର୍ଯ୍ୟନ୍ତ ଫତେଗଡ଼ ଫରକ୍‌କାବାଦର ନବାବ ସ୍ୱାଧୀନ ଥିଲେ । ପ୍ରଧାନ ସେନାପତିଙ୍କ ନେତୃତ୍ୱରେ ତାହା ମଧ୍ୟ ଅଧିକୃତ ହେଲା । ମାତ୍ର ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଲକ୍ଷ୍ନୌ ଇଂରେଜମାନଙ୍କ ପୂର୍ଣ୍ଣ ଦଖଲରେ ଆସିପାରିଲା ନାହିଁ । ଅବଶେଷରେ ନେପାଳର ରାଜା ଜଙ୍ଗ ବାହାଦୂର ତିନି ହଜାର ଗୁର୍ଖା ସୈନ୍ୟ ପଠାଇବାରୁ ଇଂରେଜମାନେ ଲକ୍ଷ୍ନୌ ଉଦ୍ଧାର କଲେ । ଏଠାରେ ଦିଲ୍ଲୀ ବିଜୟୀ କ୍ୟାପ୍‌ଟେନ ହଡସନ ବିଦ୍ରୋହୀଙ୍କ ଗୁଳିରେ ପ୍ରାଣ ହରାଇଲେ । ଅଯୋଧ୍ୟା ବିଦ୍ରୋହର ଅନ୍ୟତମ ନାୟକ ମୌଲବୀ ଆହମ୍ମଦ ଉଦ୍ଦୌଲା ଓ ବେଗମ ହଜରତ ମହଲ ରାଜଧାନୀ ପରିତ୍ୟାଗ କରି ଅନ୍ୟତ୍ର ବିଦ୍ରୋହ ପରିଚାଳନା ପାଇଁ ଚାଲିଗଲେ । ଲକ୍ଷ୍ନୌ ଲୁଣ୍ଠିତ ଓ ବିଧ୍ୱସ୍ତ ହେଲା ।

 

ସିପାହୀଯୁଦ୍ଧ ବା ପ୍ରଥମ ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଫିରୋଜପୁର ସଂଗ୍ରାମ । ଏଠାରେ ଯଦି ପଲାସି ଯୁଦ୍ଧର ପୁନରାବୃତ୍ତି ଘଟି ନ ଥାନ୍ତା, ତେବେ ଭାରତ ଇତିହାସର ଗତି କିଭଳି ଆକାର ଧାରଣ କରିଥାଆନ୍ତା ତାହା କଳ୍ପନା କରିବା ସମ୍ଭବ ନୁହେଁ ।

 

ଲକ୍ଷ୍ନୌର ଅହମ୍ମଦ ଉଦ୍ଦୌଲା ଜଣେ ମୌଲବୀ । ମୁସଲମାନ ଧର୍ମଯାଜକ ଭାବରେ ସେ ହସ୍ତରେ ଅସ୍ତ୍ର ଧାରଣ କରିନାହାନ୍ତି । ମାତ୍ର ଯେଭଳି ବୀରତ୍ୱ ପ୍ରଦର୍ଶନ କରି ମୃତ୍ୟୁ ବରଣ କରିଛନ୍ତି, ମହାକାଳର ବକ୍ଷରେ ତାହା ଚିରଦିନ ଲିପିବଦ୍ଧ ହୋଇ ରହିବ ।

 

ଅହମଦଉଦ୍ଦୌଲାଙ୍କ ସାଥି ଥିଲା ଗୋଟିଏ ଚାବୁକ । ସେହି ଚାବୁକ ଆସ୍ଥାଳନ କରି ସେ ଏପରି ଉତ୍ତେଜନା ସୃଷ୍ଟି କରନ୍ତି ଯେ ସୈନିକମାନେ ଆତ୍ମବିସ୍ମୃତ ହୋଇଯାଆନ୍ତି ।

 

ଲକ୍ଷ୍ନୌରେ ପରାଜିତ ହେବାପରେ ସେ ନିରାଶ ନ ହୋଇ ଶାହାଜାହାନପୁରକୁ ଯୁଦ୍ଧଯାତ୍ରା କଲେ । ପ୍ରଧାନ ସେନାପତି ସାର୍‌ କଲିନ ସେତେବେଳେ ଶାହାଜାହାନପୁରରେ ଥିଲେ । ମୌଲବୀ ଏ ସମ୍ବାଦ ପାଇ ମୋହମ୍ମଦୀୟ ଦୁର୍ଗ ଆକ୍ରମଣ କଲେ । ପ୍ରଧାନ ସେନାପତି ତାଙ୍କୁ ଅନୁସରଣ କଲେ । ମାତ୍ର ମୌଲବୀ ଅଳ୍ପ ସମୟ ମଧ୍ୟରେ ଦୁର୍ଗଟି ଅଧିକାର କରିନେଲେ । ତାପରେ ଶାହାଜାହାନପୁର ଫେରିଆସି ତାହା ଅଧିକାର କରିନେଲେ । ୧୮ଟି କମାଣ ସଜାଇ ମଇ ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସେ ସେଠାରେ ଯୁଦ୍ଧ ପରିଚାଳନା କଲେ । ପ୍ରଧାନ ସେନାପତି ବହୁ ସୈନ୍ୟ ପଠାଇଲେ ହେଁ ତାଙ୍କୁ ପରାଜୟ କରିବା ସମ୍ଭବ ହେଲା ନାହିଁ । ଏଣେ ଅଯୋଧ୍ୟାର ବେଗମ ତାଙ୍କୁ ସାହାଯ୍ୟ କରିବାକୁ ଆସିଲେ । ନାନା ସାହେବ ଓ ବେରିଲୀର ଫିରୋଜ ଶାହା ସସୈନ୍ୟ ଆସି ତାଙ୍କୁ ସାହାଯ୍ୟ କଲେ । ଅବସ୍ଥା ସଂକଟଜନକ ଦେଖି ନିଜେ ପ୍ରଧାନ ସେନାପତି ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେଲେ । ପ୍ରଧାନ ସେନାପତି ତାହାଙ୍କର ମୁଣ୍ଡପାଇଁ ପଚାଶ ହଜାର ଟଙ୍କା ଘୋଷଣା କଲେ । (ତତ୍‌କାଳୀନ ଗୋଟିଏ ଟଙ୍କାର ମୂଲ୍ୟ ବର୍ତ୍ତମାନ ୩୦ ଟଙ୍କା) ପାନହାଟଠାରେ ଉଭୟ ପକ୍ଷର ମୁହାଁମୁହିଁ ସଂଗ୍ରାମ ହେଲା । ମାତ୍ର ଜୟ ପରାଜୟ ସ୍ଥିର ହୋଇପାରିଲା ନାହିଁ । ଅବଶେଷରେ ଜୁନ ମାସର ପ୍ରଥମ ଭାଗରେ ପୋୟାଇନର ରାଜା ଜଗନ୍ନାଥ ସିଂହଙ୍କ ଭାଇ ରାତ୍ରରେ ମୌଲବୀଙ୍କ ମସ୍ତକ କାଟି ଆଣି ଶାହାଜାହାନପୁର ମାଜିଷ୍ଟ୍ରେଟଙ୍କଠାରୁ ପୁରସ୍କାର ଲାଭ କଲେ । ଅହମଦ ଉଦ୍ଦୌଲାଙ୍କର ମୃତ୍ୟୁ ଘଟିଲା । ଶାହାଜାହାନପୁର ଇଂରେଜମାନଙ୍କ ଦ୍ୱାରା ବିଜିତ ହେଲା । ତାହାଙ୍କ ସମ୍ପର୍କରେ ଐତିହାସିକ ମେଲିସନ ଲେଖିଛନ୍ତି–

 

‘‘କେହି ଅନ୍ୟାୟ ଭାବରେ ସ୍ୱାଧୀନତା ବିନଷ୍ଟ ହୋଇଥିବା ଦେଖି ସେହି ସ୍ୱାଧୀନତା ପୁନଃ ପ୍ରାପ୍ତି ପାଇଁ ଯୁଦ୍ଧ କଲେ ଯଦି ଦେଶହିତୈଷୀ ବୋଲି ଗଣ୍ୟ ହୁଏ, ତେବେ ମୌଲବୀ ନିଃସନ୍ଦେହରେ ଜଣେ ଦେଶ ହିତୈଷୀ ଥିଲେ । ମୌଲବୀ ପ୍ରଭୂତ କ୍ଷମତାଶାଳୀ, ନିର୍ଭୀକ, ଦୃଢ଼ତା ସମ୍ପନ୍ନ ଓ ଇଂରେଜମାନଙ୍କ ପ୍ରତିପକ୍ଷ ମଧ୍ୟରେ ଜଣେ ଉତ୍କୃଷ୍ଟ ଯୋଦ୍ଧା ଥିଲେ । ସେ ସମ୍ମୁଖ ସଂଗ୍ରାମରେ ନ୍ୟାୟସଙ୍ଗତ ଭାବରେ ପୁରୁଷୋଚିତ ପରାକ୍ରମର ପରିଚୟ ଦେଇଛନ୍ତି ।’’

 

ମଇ ୭ ତାରିଖରେ ଇଂରେଜମାନେ ବେରିଲୀ ଅଧିକାର କଲେ । ଖାଁ ବାହଦୁର ଖାଁ ପଳାଇ ଗଲେ ।

 

ଦିଲ୍ଲୀ, ଲକ୍ଷ୍ନୌ, କାନପୁର ଓ ବେରିଲୀରେ ବିଦ୍ରୋହର ପରିସମାପ୍ତି ଘଟିଲା ।

 

ସିପାହୀ ବିଦ୍ରୋହର ଦୁଇବର୍ଷ ପୂର୍ବରୁ ଭାରତର ଆଦିବାସୀ ସମାଜ ପକ୍ଷରୁ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବା ପାଇଁ ଯେଉଁ ରକ୍ତକ୍ଷୟୀ ସଂଗ୍ରାମ ହୋଇଥିଲା, ତାହା ସାନ୍ତାଳ ବିଦ୍ରୋହ ନାମରେ ବିଦିତ । ୧୮୫୫ ମସିହା ଜୁଲାଇ ମାସରେ ବିଦ୍ରୋହୀମାନେ ବୀରଭୂମ ଜିଲାରେ ବ୍ୟାପକ ଭାବେ ଲୁଣ୍ଠନ, ନରହତ୍ୟା ଓ ନାନାପ୍ରକାର ଅତ୍ୟାଚାର ଆରମ୍ଭ କରିଦେଲେ । ବହୁ ଇଂରେଜ ସୈନ୍ୟ ଓ ଇଂରେଜ ନରନାରୀ ନିହତ ହେଲେ । ବୀରଭୂମ ମାଜିଷ୍ଟ୍ରେଟଙ୍କର ସେପ୍ଟେମ୍ବର ୨୪ ତାରିଖ ପତ୍ରରୁ ଜଣାଯାଏ ଯେ ନଗର ସଂଲଗ୍ନ ଲାଉଯୋଡ଼ଠାରୁ ପଶ୍ଚିମରେ ପ୍ରାୟ ଦେଓଘର ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳ ବିଦ୍ରୋହୀମାନଙ୍କର ହସ୍ତଗତ ହୋଇଥିଲା । ବିଦ୍ରୋହୀମାନେ ଦୁଇଟି ଦଳରେ ବିଭକ୍ତ ହୋଇ ଲୁଟତରାଜ ଚଳାଇ ଥିଲେ । ସେମାନଙ୍କ ସଂଖ୍ୟା ପ୍ରାୟ ୧୨ ରୁ ୧୪ ହଜାର ପର୍ଯ୍ୟନ୍ତ ଥିଲା । ବୀରଭୂମର ତତ୍କାଳୀନ ଅସ୍ଥାୟୀ କଲେକ୍ଟର ମିଃ ରିଚାର୍ଡସନ ଜୁଲାଇ ୨୦ ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଦ୍ରୋହୀମାନଙ୍କ ବିରୋଧରେ ସଶସ୍ତ୍ର ଅଭିଯାନ ଆରମ୍ଭ କରିଥିଲେ । ୧୮୫୬ ମସିହା ଫେବୃୟାରୀ ମାସବେଳକୁ ବିଦ୍ରୋହର ଅବସାନ ଘଟିଲା । ବିଦ୍ରୋହୀଦଳର ନେତା କାହ୍ନୁ ସର୍ଦ୍ଦାର ଓ ସିଧୁ ସର୍ଦ୍ଦାର ଧରାପଡ଼ି ଫାଶୀ ଦଣ୍ଡରେ ଦଣ୍ଡିତ ହେଲେ । ବନ୍ଦୀ ସାନ୍ତାଳମାନଙ୍କ ମଧ୍ୟରୁ କେତେକ ବେତ୍ରଦଣ୍ଡ, କେତେକ ୭ ରୁ ୧୪ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ ହେଲେ ।

 

୧୮୫୭ ମସିହାରେ ସଂଘଟିତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ନାନା ସାହେବ ଚପାଟି ଭିତରେ ନିର୍ଦ୍ଦେଶନାମା ପଠାଇ ଗାଁ ଗଣ୍ଡା ଓ ପୁରପଲ୍ଲୀରେ ବିଦ୍ରୋହ ସୃଷ୍ଟି କରିଥିଲେ । ବିଦ୍ରୋହର ନିଶାଣ ଥିଲା–ଲାଲ ପଦ୍ମ । ଯେଉଁଠାରେ ଲାଲପଦ୍ମ ଦେଖାଯିବ, ସେଠାରେ ବିଦ୍ରୋହ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅବଶେଷରେ ଏହି ଲାଲପଦ୍ମ ଝାନ୍‌ସିରେ ପହଞ୍ଚିଲା ।

 

ଜୁନମାସ ପାଞ୍ଚ ତାରିଖରେ ହଠାତ୍‌ ଝାନ୍‌ସି ସେନା ନିବାସର ଦୁଇଟି ଗୃହ ଅଗ୍ନିଦଗ୍‌ଧ ହେଲା । ବିଦ୍ରୋହୀ ସିପାହୀମାନେ ଇଂରେଜ ଅଫିସରମାନଙ୍କୁ ନିହତ ଓ ବନ୍ଦୀମାନଙ୍କୁ କାରାମୁକ୍ତ କରି ଦୁର୍ଗ ଅବରୋଧ କଲେ । ଦୁର୍ଗର ଅଧ୍ୟକ୍ଷ କ୍ୟାପଟେନ ଗର୍ଡନ ନିହତ ହେଲେ । କ୍ୟାପଟେନ ସ୍କୀନ ଦୁର୍ଗ ଶୀର୍ଷରେ ଧଳା ପତାକା ଉଡ଼ାଇ ଆତ୍ମସମର୍ପଣ କଲେ । ଯେଉଁ କେତେଜଣ ଇଂରେଜ ଜୀବିତ ଥିଲେ, ସେମାନେ ଝାନ୍‌ସି ପରିତ୍ୟାଗ କରି ପଳାୟନ କଲେ ।

 

ବିଦ୍ରୋହୀ ଦଳପତି ପ୍ରାସାଦ ଅବରୋଧ କରି ରାଣୀ ଲକ୍ଷ୍ନୀବାଈଙ୍କ ନିକଟରେ ତିନି ଲକ୍ଷ ଟଙ୍କା ଦାବୀ କଲେ । ଟଙ୍କା ନଦେଲେ ପ୍ରାସାଦକୁ ଧ୍ୱଂସ କରି ରାଣୀଙ୍କ ଆତ୍ମୀୟ ସଦାଶିବ ରାଓଙ୍କୁ ଝାନ୍‌ସିର ରାଜା କରିବେ ବୋଲି ମଧ୍ୟ ଧମକ ଦେଲେ । ରାଣୀ ବୁଝିଲେ ଯେ ବିଦ୍ରୋହ ଦେଖା ଦେଇଛି । ସେ ବିଦ୍ରୋହୀମାନଙ୍କୁ ବୁଝା ସୁଝା କରି ଏକଲକ୍ଷ୍ୟ ଟଙ୍କା ମୂଲ୍ୟର ଅଳଙ୍କାର ଆଦି ଦେଇଦେଲେ । ବିଦ୍ରୋହୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ ।

 

ରାଣୀ ଲକ୍ଷ୍ମୀବାଈ ନିଜର ସୁକୁମାର ତନୁ ରଣସଜ୍ଜାରେ ସଜ୍ଜିତ କଲେ ।

 

ରାଣୀ ଲକ୍ଷ୍ମୀବାଇ !

 

ଭାରତ ସ୍ୱାଧୀନତା ସଂଗ୍ରାମରେ ଏକ ଅବିସ୍ମରଣୀୟ ନାମ ।

 

ଶୋକ ଦଗ୍‌ଧା ଓ ରାଜ୍ୟହରା ରାଣୀ ତରବାରୀ ହସ୍ତରେ ଯେପରି ଯୁଦ୍ଧ କ୍ଷେତ୍ରରେ ଅବତ୍ତୀର୍ଣ୍ଣ ହୋଇଛନ୍ତି, ତାହା ଅନ୍ୟତ୍ର କ୍ୱଚିତ ଦେଖାଯାଏ ।

 

ମାତୃଭୂମି ପ୍ରତି ମମତା ତାଙ୍କୁ କେବଳ ଏଭଳି ଦୁଃସାହସିକ କାର୍ଯ୍ୟରେ ପ୍ରବୃତ୍ତ କରାଇ ପାରିଥିଲା । ତେଣୁ ଇଂରେଜମାନେ ଝାନ୍‌ସି ଅଧିକାର କରିନେବାବେଳେ ସେ ଦୃପ୍ତ କଣ୍ଠରେ କହିଥିଲେ– ‘ମେରୀ ଝାନ୍‌ସି ଦିଉଙ୍ଗୀ ନହିଁ ।’

 

ଲକ୍ଷ୍ମୀବାଈ ବିଠୁର ରାଜପ୍ରାସାଦରେ ମଧ୍ୟ ନାନା ସାହେବଙ୍କ ସହ ଲାଳିତ ପାଳିତ ହୋଇଥିଲେ । ସେତେବେଳେ ତାଙ୍କର ନାମ ଥିଲା– ଛବେଳୀ । ନାନାଙ୍କର ବୟସ ଯେତେବେଳେ ଅଠର ବର୍ଷ, ସେତେବେଳେ ଛବେଳୀଙ୍କର ବୟସ ମାତ୍ର ସାତବର୍ଷ ଥିଲା । ସେଠାରେ ସେ ନାନାଙ୍କ ସହିତ ମିଶି ଅସ୍ତ୍ରଚାଳନା ଓ ଅଶ୍ୱାରୋହଣରେ ପାରଦର୍ଶିତା ଲାଭ କରିଥିଲେ । ପରେ ଝାନ୍‌ସିର ରାଜା ଗଙ୍ଗାଧର ରାଓଙ୍କ ସହିତ ତାଙ୍କର ପରିଣୟ ହେବାରୁ ସେ ଝାନ୍‌ସି ଚାଲି ଆସିଲେ ।

 

ଅପୁତ୍ରକ ଗଙ୍ଗାଧର ରାଓଙ୍କର ମୃତ୍ୟୁ ପରେ ଲର୍ଡ ଡେଲହାଉସୀଙ୍କ କୌଶଳରେ ଝାନ୍‌ସି ଇଂରେଜମାନଙ୍କ ରାଜ୍ୟରେ ମିଶିଗଲା । ସେତେବେଳେ ଲକ୍ଷ୍ମୀବାଈଙ୍କ ବୟସ ମାତ୍ର ବାଇଶି ବର୍ଷ । ସେ ଯେତେ ପ୍ରତିବାଦ କଲେ ମଧ୍ୟ ତାଙ୍କ କଥାରେ କେହି କର୍ଣ୍ଣପାତ କଲେନାହିଁ । ପରେ ରାଣୀଙ୍କର ବୃତ୍ତି ଷାଠିଏ ହଜାର ଟଙ୍କାରେ ତାଙ୍କ ସ୍ୱାମୀଙ୍କ ଋଣ ପରିଶୋଧ ପାଇଁ ତାଙ୍କୁ ବାଧ୍ୟ କରାଗଲା । ଅବଶେଷରେ ତାଙ୍କ ବୃତ୍ତି ପରିମାଣ ମଧ୍ୟ କମାଇ ଦିଆଗଲା । ଫଳରେ ଯୌବନରେ ଯୋଗିନୀ ସାଜି ପ୍ରଚଣ୍ଡ ଇଂରେଜ ବିଦ୍ୱେଷ ନେଇ ରାଣୀ କାଳ କାଟିବାରେ ଲାଗିଲେ ।

 

ବିଦ୍ରୋହୀମାନେ ଚାଲିଯିବା ପରେ ସଦାଶିବ ରାଓ ଇଂରେଜମାନଙ୍କ ସହାୟତାରେ ନିଜକୁ ଝାନ୍‌ସିର ରାଜା ବୋଲି ଘୋଷଣା କଲେ । ରାଣୀ ସୈନ୍ୟ ସଂଗ୍ରହ କରି ତାଙ୍କୁ ଯୁଦ୍ଧରେ ପରାଜିତ ଓ ବନ୍ଦୀକରି ସିଂହାସନରେ ବସିଲେ । ତାପରେ ଦୁର୍ଗ ମରାମତି କରି ନିଜର ମୁଦ୍ରା ପ୍ରଚଳନ କଲେ । ନାନା ସାହେବଙ୍କୁ ଏ ସମ୍ବାଦ ପ୍ରତିନିଧି ଦ୍ୱାରା ପତ୍ରଲେଖି ଜଣାଇଦେଲେ । ଦୀର୍ଘ ନଅମାସ କାଳ ରାଣୀ ଦକ୍ଷତାର ସହିତ ରାଜ୍ୟ ଶାସନ କଲେ । ଏ ମଧ୍ୟରେ ବୋରଚ୍ଛା ରାଜ୍ୟର ଦେଓ୍ୱାନ ନଖେଖାଁ ଝାନ୍‌ସି ଆକ୍ରମଣ କରିଥିଲେ । ମାତ୍ର ପରାଜିତ ହୋଇ ପଳାୟନ କଲେ ।

 

୧୮୫୮ ମସିହା ମାର୍ଚ୍ଚ ମାସ ୨୨ ତାରିଖରେ ଇଂରେଜ ସେନାପତି ସାର୍‌ ହିଉରୋଜ ଦେଢ଼ ହଜାର ସୈନ୍ୟ ନେଇ ଝାନ୍‌ସି ଅବରୋଧ କଲେ ।

 

ଉଚ୍ଚ ପାହାଡ଼ ଉପରେ ଝାନ୍‌ସିର ଅଭେଦ୍ୟ ଦୁର୍ଗ ଅବସ୍ଥିତ । ଦୁର୍ଗର ପ୍ରାଚୀର ୨୦ ଫୁଟ ଓସାର । ତଳେ ୧୫ ଫୁଟ ଓସାର ଓ ୧୨ ଫୁଟ ଗଭୀରର ପରିଖା । ପ୍ରାଚୀରର ଉଚ୍ଚତା ୧୮ ରୁ ୩୦ ଫୁଟ । ଦୁର୍ଗଟି ଏଗାର ହଜାର ସୈନ୍ୟଙ୍କ ଦ୍ୱାରା ସୁରକ୍ଷିତ । ନଗରୀର ପରିଧି ସାଢ଼େ ଚାରିମାଇଲ ।

 

ମାର୍ଚ୍ଚ ମାସ ୨୨ ତାରିଖରେ ଦୁର୍ଗ ଆକ୍ରମିତ ହେଲେହେଁ ୨୩ ତାରିଖରେ ଯୁଦ୍ଧ ଆରମ୍ଭ ହେଲା । ୨୫ ତାରିଖରେ ଇଂରେଜମାନେ ଦୁର୍ଗର ଦକ୍ଷିଣଭାଗ ଆକ୍ରମଣ କଲେ । ୩୧ ତାରିଖ ପର୍ଯ୍ୟନ୍ତ ସମାନ ଭାବରେ ଯୁଦ୍ଧ ଲାଗି ରହିଲା । ସେଦିନ ରାତ୍ରରେ ମରହଟ୍ଟା ବୀର ତାନ୍ତିଆଟୋପି ୨୨ ହଜାର ସୈନ୍ୟ ଓ ୨୮ଟି କମାଣ ନେଇ ଝାନ୍‌ସି ରଣକ୍ଷେତ୍ରରେ ଅବତ୍ତୀର୍ଣ୍ଣ ହେଲେ । ବେତ୍ରବତୀ ନଦୀକୂଳରେ ତାଙ୍କର ଶିବିର ସ୍ଥାପିତ ହେଲା ।

 

କାନପୁରର ଯୁଦ୍ଧକ୍ଷେତ୍ରରୁ ପଳାଇଯାଇ ତାନ୍ତିଆଟୋପି ଗୋୟାଲିୟରରେ ପହଞ୍ଚିଲେ । ସେଠାରେ ବିଦ୍ରୋହୀ ସିପାହୀମାନଙ୍କ ସେନାପତି ରୂପେ ସେ ପୁଣି କାନପୁର ଆସି ଇଂରେଜମାନଙ୍କଠାରୁ କାନପୁର ଅଧିକାର କରିନେଲେ । ନଭେମ୍ବର ୨୬ ତାରିଖରେ ପାଣ୍ଡୁନଦୀ କୂଳରେ ଇଂରେଜମାନଙ୍କ ସହ ତାଙ୍କର ଯେଉଁ ଯୁଦ୍ଧ ହୋଇଥିଲା, ତହିଁରେ ବ୍ରିଗେଡିଆର ଉଇଲସନ ନିହତ ହୋଇଥିଲେ । ତାପରେ ପ୍ରଧାନ ସେନାପତି କଲିନ କ୍ୟାମ୍ପବେଲଙ୍କ ନେତୃତ୍ୱରେ ଜେନେରାଲ ଓ୍ୟାଇଣ୍ଡହାମ ଏବଂ ଓୟାଲପୋଲ କାନପୁର ଆକ୍ରମଣ କଲେ । ନାନା ସାହେବ ଓ ତନ୍ତିଆଟୋପି ଉଭୟେ ସୈନ୍ୟଚାଳନା କଲେ । ମାତ୍ର ତାନ୍ତିଆଟୋପି ଏ ଯୁଦ୍ଧରେ ପରାଜିତ ହୋଇ କାଳ୍ପିକୁ ପଳାଇଗଲେ । ସେଠାରେ ଅବସ୍ଥାନ କାଳରେ ସେ ନାନାସାହେବଙ୍କ ନିକଟକୁ ଆସିଥିବା ଲକ୍ଷ୍ମୀବାଈଙ୍କର ପତ୍ର ପାଠକରି ଝାନ୍‌ସି ଆସିଲେ ।

 

ତାନ୍ତିଆ ଟୋପିଙ୍କ ଆଗମନ ସମ୍ବାଦ ପାଇ ସେନାପତି ହିଉରୋଜ ଅଳ୍ପ ସୈନ୍ୟ ଦୁର୍ଗ ଅବରୋଧ ପାଇଁ ରଖି ଅବଶିଷ୍ଟ ସୈନ୍ୟ ତାନ୍ତିଆ ଟୋପିଙ୍କ ବିରୋଧରେ ପଠାଇଲେ । ତାନ୍ତିଆ ଟୋପିଙ୍କ ଅଗ୍ରଗାମୀ ସୈନ୍ୟଦଳ ଇଂରେଜ ସୈନ୍ୟଙ୍କ ଦ୍ୱାରା ପରାଜିତ ହେଲେ । ତାନ୍ତିଆ ନଦୀ ପାରହୋଇ କାଳ୍ପି ଅଭିମୁଖେ ପଳାଇଗଲେ ।

 

ରାଣୀଙ୍କ ସୈନ୍ୟମାନଙ୍କ ସହିତ ପ୍ରଚଣ୍ଡ ଯୁଦ୍ଧପରେ ଇଂରେଜମାନେ ଅପ୍ରେଲ ୩ ତାରିଖରେ ନଗରରେ ପ୍ରବେଶର ପ୍ରଧାନ ପଥ ଅଧିକାର କରିନେଲେ । ତାପରେ ସିଡ଼ି ପକାଇ ନଗର ମଧ୍ୟରେ ପଶି ରାଣୀଙ୍କ ପ୍ରାସାଦ ଅଧିକାର କଲେ । ତେରଦିନ ଯୁଦ୍ଧପରେ ଝାନ୍‌ସିର ପତନ ଘଟିଲା । ଇଂରେଜମାନଙ୍କୁ ପ୍ରତିରୋଧ କରି ପ୍ରାୟ ପାଞ୍ଚ ହଜାର ନରନାରୀ ନିହିତ ହେଲେ । ରାଣୀ ପୁରୁଷ ବେଶରେ ପୁତ୍ର ଦାମୋଦରକୁ ରେଶମ କନାରେ ପିଠିରେ ବାନ୍ଧି ଦ୍ରୂତଗାମୀ ଅଶ୍ୱପୃଷ୍ଠରେ ବସି ଗଭୀର ନିଶିଥରେ କାଳ୍ପି ଅଭିମୁଖେ ଯାତ୍ରାକଲେ ।

 

କାଳ୍ପିରେ ତାନ୍ତିଆଟୋପି ଓ ନାନାସାହେବଙ୍କ ଭ୍ରାତୃଷ୍ପୁତ୍ର ରାଓ ସାହେବଙ୍କ ସହ ମିଶି ଲକ୍ଷ୍ମୀବାଈ ଯୁଦ୍ଧ ପରିଚାଳନା କଲେ । ମାତ୍ର ଏ ଯୁଦ୍ଧରେ ମଧ୍ୟ ଇଂରେଜମାନେ ବିଜୟୀ ହେଲେ । ରାଣୀ ସେଠାରୁ ତାନ୍ତିଆଟୋପି ଓ ରାଓ ସାହେବଙ୍କ ସହ ଗୋୟାଲିୟର ଯାତ୍ରାକଲେ । ତାଙ୍କର ଉଦ୍ଦେଶ୍ୟ ଥିଲା–ଗୋୟାଲିୟରର ସୁଦୃଢ଼ ଦୁର୍ଗରେ ରହି ଯୁଦ୍ଧ ପରିଚାଳନା କରିବେ । ଏଥିପାଇଁ ପୂର୍ବରୁ ସେ ଗୋୟାଲିୟରର ମହାରାଜା ଦୟାଜୀରାଓ ସିନ୍ଧିଆଙ୍କ ନିକଟକୁ ସମ୍ବାଦ ଦେଇଥିଲେ । ସିନ୍ଧିଆ ତାଙ୍କୁ ଯଥେଷ୍ଟ ସହାନୁଭୂତି ଦେଖାଇ ଗୋପନରେ ଇଂରେଜମାନଙ୍କ ନିକଟକୁ ସମ୍ବାଦ ପଠାଇଦେଲେ । ଏଣେ ରାଣୀ ଶିବିରରେ ଅବସ୍ଥାନ କରୁଥିବା ବେଳେ ମହାରାଜା ନିଜର ସୈନ୍ୟ ବାହିନୀ ଓ ଆଠଟି କମାଣ ନେଇ ରାଣୀଙ୍କୁ ଆକ୍ରମଣ କଲେ । ରାଣୀ ମାତ୍ର ଦୁଇଶତ ଯୋଦ୍ଧାଙ୍କ ସାହାଯ୍ୟରେ ଅଶ୍ୱ ଆରୋହଣ କରି ଏଭଳି ପ୍ରତିଆକ୍ରମଣ କଲେ ଯେ ମହାରାଜାଙ୍କ ସୈନ୍ୟମାନେ ଭୟଭୀତ ହୋଇ କମାଣ ଛାଡ଼ି ପଳାଇଗଲେ ଓ ସିନ୍ଧିଆ ପରାଜିତ ହୋଇ ଆଗ୍ରା ଚାଲିଗଲେ । ରାଣୀ ଗୋୟାଲିୟର ଦୁର୍ଗ ଓ ଧନାଗାର ଅଧିକାର କରିନେଲେ ।

 

ନାନାସାହେବ ମହାରାଷ୍ଟ୍ରର ପେଶବା ଓ ରାଓ ସାହେବ ଗୋୟାଲିୟରର ଶାସନକର୍ତ୍ତା ଘୋଷିତ ହେଲେ ।

 

ସାର ହିଉରୋଜ ବିପୁଳ ବାହିନୀ ନେଇ ଗୋୟାଲିୟର ଆକ୍ରମଣ କଲେ । ତାନ୍ତିଆଟୋପି ରାଣୀଙ୍କ ସେନାପତି ରୂପେ ସୈନ୍ୟ ପରିଚାଳନା କଲେ । ମାତ୍ର ଜୁନ ୧୬ ତାରିଖରେ ସେ ସମ୍ପୂର୍ଣ୍ଣରୂପେ ପରାଜିତ ହେଲେ । ଜୁନ ୧୭ ତାରିଖରେ ଇଂରେଜ ସେନାନାୟକ କର୍ଣ୍ଣେଲ ସ୍ମିଥ ଗୋୟାଲିୟର ଦୁର୍ଗ ଆକ୍ରମଣ କଲେ । ରାଣୀ ନିଜେ ସେନାପତି ବେଶରେ ଯୁଦ୍ଧ ପରିଚାଳନା କଲେ । ଯୁଦ୍ଧରେ ପରାଜିତ ହୋଇ ସେ ଦୁର୍ଗରୁ ବାହାରି ଦ୍ରୁତଗାମୀ ଅଶ୍ୱପୃଷ୍ଠରେ ବସି ପଳାୟନ କଲେ । ଦୁର୍ଗ ବାହାରେ ଏକ ସଂକୀର୍ଣ୍ଣ ନାଳ ପଡ଼ିଲା । କ୍ଳାନ୍ତ ଅଶ୍ୱ ନାଳ ପାର ହେବାକୁ ସମ୍ମତ ହେଲାନାହିଁ । ପଶ୍ଚାତଧାବନ କରୁଥିବା କେତେଜଣ ଇଂରେଜ ଅଶ୍ୱାରୋହୀ ଆସି ରାଣୀଙ୍କୁ ଆକ୍ରମଣ କଲେ । ରାଣୀ ଏକାକୀ ତରବାରୀ ଧରି ସେମାନଙ୍କ ସହ ଯୁଦ୍ଧ କଲେ । ଭୀଷଣ ଯୁଦ୍ଧପରେ ଇଂରେଜମାନଙ୍କ ସଙ୍ଗୀନ ଆଘାତରେ ଭୂମିରେ ପଡ଼ିଗଲେ । ତାହାହିଁ ତାଙ୍କର ଶେଷଶଯ୍ୟା ହେଲା ।

 

ଯୁଦ୍ଧରେ ପରାଜିତ ହୋଇ ତାନ୍ତିଆଟୋପି ଜୟପୁର ଅଭିମୁଖେ ଯାତ୍ରାକଲେ । ମଧ୍ୟଭାରତର ଇଂରେଜ ସେନାପତି ବ୍ରିଗେଡିଅର ଜେନେରାଲ ରବର୍ଟ ନେପିୟାର ଏ ସମ୍ବାଦ ପାଇ ଜୟପୁର ଯାତ୍ରାକଲେ ଓ ଟୋପିଙ୍କୁ ଧରିବାପାଇଁ ଚାରିଆଡ଼କୁ ସୈନ୍ୟ ପ୍ରେରଣ କଲେ । ମାତ୍ର ଦୀର୍ଘ ନଅମାସ ଧରି ତାଙ୍କର କୌଣସି ସନ୍ଧାନ ପାଇଲେ ନାହିଁ ।

 

ଅଗଷ୍ଟମାସ ସାତ ତାରିଖରେ କୋଟାରିୟା ନଦୀ କୂଳରେ ଭୀଲବାରା ନାମକ ସ୍ଥାନରେ ଇଂରେଜ ସେନାପତି ରବର୍ଟଙ୍କ ସହ ତାନ୍ତିଆଙ୍କର ଯୁଦ୍ଧହେଲା । ପରେ ବନାସ ନଦୀ କୂଳରେ ମଧ୍ୟ ଯୁଦ୍ଧ ହେଲା । ଏ ଉଭୟ ଯୁଦ୍ଧରେ ବିଜୟର ଆଶା ନ ଦେଖି ତାନ୍ତିଆଟୋପି କୌଶଳରେ ଚମ୍ବଲ ନଦୀ ପାରହୋଇ ଝାଲରପତନରେ ପହଞ୍ଚିଲେ । ଇଂରେଜ ଭକ୍ତ ପୃଥ୍ୱୀସିଂହ ସେତେବେଳେ ସେଠାରେ ରାଜା । ତାନ୍ତିଆ ତାଙ୍କ ସହ ଯୁଦ୍ଧକରି ଝାଲରପତନ ଅଧିକାର କରିନେଲେ । ରାଜା ରାଜ୍ୟ ତ୍ୟାଗ କରି ମୌ’କୁ ପଳାଇଗଲେ । ତାନ୍ତିଆ ସେଠାରୁ ଇନ୍ଦୋର ଯାତ୍ରାକଲେ । ବାଟରେ ରାଜଗଡ଼ଠାରେ ଇଂରେଜମାନଙ୍କ ସହ ତାଙ୍କର ଯୁଦ୍ଧହେଲା । ସେଠାରେ ସେ ପରାଜିତ ହୋଇ ବେତ୍ରବତୀ ନଦୀକୂଳରେ କିଛିଦିନ ଅବସ୍ଥାନ କଲେ । ସେଠାରୁ ଯାଇ ସେ ନର୍ମଦା ନଦୀକୂଳରେ ପୁଣି ରାଓ ସାହେବଙ୍କ ସହ ମିଳିତ ହେଲେ । ଦୁହେଁ ବରୋଦା ଅଭିମୁଖେ ଯାତ୍ରା କଲେ । ବାଟରେ ମେଜର ହୋମସ୍‌ଙ୍କଠାରୁ ବାଧା ପାଇ ତାନ୍ତିଆ ଗଭୀର ଅରଣ୍ୟ ମଧ୍ୟରେ ପ୍ରବେଶ କଲେ ।

 

ନରବରର ସର୍ଦ୍ଦାର ମାନସିଂହ ସେଠାରାଜାଙ୍କୁ ତଡ଼ି ନରବରରେ କିଛିଦିନ ଶାସକ ହୋଇଥିଲେ । ମାତ୍ର ରାଜା ଇଂରେଜମାନଙ୍କ ସାହାଯ୍ୟରେ ତାଙ୍କ ସହିତ ଯୁଦ୍ଧ କରି ତାଙ୍କୁ ରାଜ୍ୟରୁ ତଡ଼ିଦେଲେ । ମାନସିଂହ ସେଠାରୁ ପଳାଇଯାଇ ତାନ୍ତିଆଙ୍କ ସହଚର ରୂପେ ତାଙ୍କ ସହିତ ଥିଲେ । ମାତ୍ର ବିଶ୍ୱାସଘାତକତା କରି ଅପ୍ରେଲ ୮ ତାରିଖରେ ଇଂରେଜ ସେନାପତି ମିଡ୍‌ଙ୍କୁ ସମ୍ବାଦ ଦେଇଥିଲେ । ଦିନେ ରାତ୍ରରେ ତାନ୍ତିଆଟୋପି ଏକ ବୃକ୍ଷ ଉପରେ ଶୋଇଥିବା ବେଳେ ଇଂରେଜ ସୈନ୍ୟମାନେ ତାଙ୍କୁ ଘେରାଉ କରିଦେଲେ । ମାନସିଂହ ପୂର୍ବରୁ ତାଙ୍କର ଅସ୍ତ୍ର ଶସ୍ତ୍ର ଲୁଚାଇ ଦେଇଥିଲେ । ଏବେ ମୀଡଙ୍କ ହସ୍ତରେ ତାଙ୍କୁ ସମର୍ପଣ କରିଦେଲେ । ନିଦ୍ରାଭଙ୍ଗ ପରେ ମହାରାଷ୍ଟ୍ରବୀର ସମସ୍ତ ଜାଣିପାରିଲେ । ମାତ୍ର ସେତେବେଳକୁ ସେ ବନ୍ଦୀ ହୋଇସାରିଥିଲେ । ଘୃଣାରେ ସେ ମାନସିଂହଙ୍କୁ ଚାହିଁ କେବଳ କହିଲେ–ବିଶ୍ୱାସଘାତକ । ତାପରେ ବନ୍ଦୀ ଅବସ୍ଥାରେ ଇଂରେଜ ଶିବିରକୁ ଚାଲିଗଲେ । ୧୮୫୯ ମସିହା ଅପ୍ରେଲ ୧୮ ତାରିଖରେ ତାନ୍ତିଆଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା ।

 

ଅଦୃଷ୍ଟର କି ନିର୍ମମ ପରିହାସ ?

 

କି ବିଚିତ୍ର ତା’ର ଗତି ? ?

 

ଯେଉଁ ଦେଓ୍ୟାନୀ ଖାସରେ ‘ଦିଲ୍ଲୀଶ୍ୱର ବା ଜଗଦ୍ଦୀଶ୍ୱରବା’ ସମଗ୍ର ଭାରତର ବିଚାର କରୁଥିଲେ, ସେହି ଦେଓ୍ୟାନୀ ଖାସର ବୃଦ୍ଧ ବାହାଦୂର ଶାହାଙ୍କର ବିଚାର ଆରମ୍ଭ ହେଲା ।

 

ସମ୍ରାଟଙ୍କ ବିରୋଧରେ ଚାରିଟି ଅଭିଯୋଗ ଅଣାଯାଇ ଚାଳିଶ ଦିନ ଧରି ବିଚାର ଚାଲିଲା ।

 

୧୮୫୮ ମସିହା ଜାନୁୟାରୀମାସ ୨୭ ତାରିଖରେ ରାୟ ପ୍ରକାଶ ପାଇଲା ।

 

ସମ୍ରାଟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନିର୍ବାସନ ଦଣ୍ଡ ଦିଆଗଲା । ବନ୍ଦୀ ଅବସ୍ଥାରେ ତାଙ୍କୁ ରେଙ୍ଗୁନ ପଠାଇ ଦିଆଗଲା । ତାଙ୍କ ସଙ୍ଗରେ ବେଗମ ଜିନତ୍‌ ମହଲ ମଧ୍ୟ ଗଲେ । ଏହିଠାରେ ଦୀନ ହୀନ ଭାବରେ ମୋଗଲ ରାଜବଂଶର ଅବସାନ ଘଟିଲା ।

 

ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବା ଓ ଫିରିଙ୍ଗୀ ଶାସନର ଅବସାନ ନିମନ୍ତେ ସାରା ଭାରତରେ ଯେଉଁ ବିଦ୍ରୋହ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥିଲା ତାହା ନିର୍ବାପିତ ହୋଇଗଲା ।

 

ଏ ବିଦ୍ରୋହ ବ୍ୟର୍ଥତାର ମୂଳ କାରଣ ହେଲା–ନେତୃତ୍ୱର ଅଭାବ । ଭାରତବ୍ୟାପୀ ଏହି ବିଦ୍ରୋହରେ ଏପରି ଜଣେ କେହି ନେତା ନଥିଲେ, ଯାହାଙ୍କର ନିର୍ଦ୍ଦେଶ ସିପାହୀମାନେ ସଞ୍ଜତ ଭାବରେ ମାନିନେବେ । ତେଣୁ ବିଶୃଙ୍ଖଳିତ ଭାବରେ ବିଦ୍ରୋହ ପରିଚାଳିତ ହେବାରେ ଲାଗିଲା । ଏହା ବ୍ୟତୀତ ସଙ୍ଗଠନର ତ୍ରୁଟି, ନେତାମାନଙ୍କ ମଧ୍ୟରେ କଳହ, ଶିଖ ଓ ମୁସଲମାନଙ୍କର ପରସ୍ପର ପ୍ରତି ବିଦ୍ୱେଷ, ଅସ୍ତ୍ରଶସ୍ତ୍ରର ଅପ୍ରଚୁରତା ଓ ଆଧୁନିକ ଅସ୍ତ୍ର ଶସ୍ତ୍ରର ଅଭାବ ଯୋଗୁ ବିଦ୍ରୋହ ବ୍ୟର୍ଥତାରେ ପର୍ଯ୍ୟବସିତ ହେଲା ।

 

ଏହାବ୍ୟତୀତ ବଶମ୍ୱଦମାନଙ୍କର ରାଜନୀତି । ଯାହା କେବଳ ବିଦ୍ରୋହ ମୂଳରେ କୁଠାରାଘାତ କରିବାରେ ଲାଗିଲା । କାଶ୍ମୀରର ରାଜା ଗୁଲାବ ସିଂହ, ଜୟପୁର, ଯୋଧପୁର, ଭରତପୁର, ଗୋୟାଲିୟର, ପାତିଆଲା, ନାଭା ଓ ନେପାଳର ରାଣା ବିଦ୍ରୋହଠାରୁ କେବଳ ନିରାପଦ ଦୂରରେ ନ ଥିଲେ; ବିଦ୍ରୋହ ଦମନ ପାଇଁ ଇଂରେଜମାନଙ୍କୁ ଅସ୍ତ୍ର ଶସ୍ତ୍ର, ଅର୍ଥ ଓ ସୈନ୍ୟ ଦେଇ ସମ୍ପୂର୍ଣ୍ଣରୂପେ ସାହାଯ୍ୟ କଲେ ।

 

ବିଦ୍ରୋହର ଲେଲିହାନ ଶିଖା ଅବଶେଷରେ ସ୍ତିମୀତ ହେଲା ।

 

ଅରଣ୍ୟ, ଜନପଦ ଓ ନଗରରେ ରହିଲା କେବଳ ତାର ସ୍ମୃତି ।

 

୧୮୫୮ ମସିହା ନଭେମ୍ବର ପହିଲା ତାରିଖରେ ମହାରାଣୀ ଭିକ୍ଟୋରିୟା ଭାରତ ଶାସନ ଦାୟିତ୍ୱ ଗ୍ରହଣ କଲେ ।

 

ଇଷ୍ଟଇଣ୍ଡିଆ କମ୍ପାନୀର ଶାସନ ବିଲୁପ୍ତ ହେଲା । ଯେଉଁମାନେ ବିଦ୍ରୋହର ପରିଚାଳକ ଥିଲେ, ସେମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ମୁଖରେ ପତିତ ହେଲେ । କେତେକ ଅରଣ୍ୟରେ ଓ ଦୁରାରୋହ୍ୟ ପର୍ବତମାଳା ମଧ୍ୟରେ ଆତ୍ମଗୋପନ କଲେ । କେହି ବା ଆତ୍ମସମର୍ପଣ କଲେ ।

 

ବେରିଲୀର ଖାଁ ବାହାଦୂର ଖାଁ ଫାଶୀ ପାଇଲେ । ବେଗମ ହଜରତ ମହଲ ନେପାଳର ତରାଇ ଜଙ୍ଗଲରେ ଆତ୍ମଗୋପନ କଲେ ।

 

ନାନା ସାହେବ ନିରୁଦ୍ଧିଷ୍ଟ ହେଲେ ।

 

ମିଥୌଲୀର ବୃଦ୍ଧରାଜା ଆନ୍ଦାମାନ୍‌ରେ ନିର୍ବାସିତ ଜୀବନ ଯାପନ କଲେ ।

 

ଆନ୍ଦାମାନ !

 

ଯାହାର ପ୍ରଚଳିତ ନାମ କଳାପାଣି ।

 

ଭାରତ ମହାସାଗରରେ ଭାରତର ଦକ୍ଷିଣ ଓ ପୂର୍ବଦିଗରେ ଆନ୍ଦାମାନ ଓ ନିକୋବର ଦ୍ୱୀପପୁଞ୍ଜ ଅବସ୍ଥିତ ।

 

ଏଠାରେ ସମୁଦ୍ର ଅତ୍ୟନ୍ତ ଗଭୀର ହୋଇଥିବାରୁ ଏହାର ଜଳ କୃଷ୍ଣବର୍ଣ୍ଣ ଦେଖାଯାଏ । ତେଣୁ ଏହାର ନାମ କଳାପାଣି ।

 

ଶତ ଶତ ସହୀଦଙ୍କ ଉଷ୍ମ ରକ୍ତରେ ଏହାର ମୃତ୍ତିକା ଉର୍ବର ।

 

ପରେ ଏହା ଶହୀଦ ସ୍ମୃତିତୀର୍ଥ ନାମରେ ବିଦିତ ।

 

୧୮୫୭ ରୁ ୧୯୪୭ ମସିହା ପର୍ଯ୍ୟନ୍ତ ଯେଉଁ ଜାତୀୟବାଦୀମାନେ ମାତୃଭୂମିର ସ୍ୱାଧୀନତା ପାଇଁ ବିପ୍ଳବାଗ୍ନୀରେ ଝାସ ଦେଇଥିଲେ, ସେମାନଙ୍କ ଅସ୍ଥି, ମଜ୍ଜା, ରକ୍ତ ଓ ମାଂସରେ ଏହାର ଧୂଳିକଣା ପବିତ୍ର ।

 

ସେମାନଙ୍କ ଦୀର୍ଘଶ୍ୱାସ ଯୋଗୁ ଏହାର ପବନ ଧାରୋଷ୍ଣ । ଅବଶ୍ୟ ୧୮୫୭ ମସିହାର ୪୦ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୮୨୭ ମସିହାରେ ଇଂରେଜମାନଙ୍କୁ ଓଡ଼ିଶାରୁ ତଡ଼ି ଗଜପତିଙ୍କୁ ଓଡ଼ିଶା ସିଂହାସନରେ ବସାଇବାପାଇଁ ଯେଉଁ ଯୁଦ୍ଧ ହୋଇଥିଲା, ତହିଁରେ କନିକା ଓ କୁଜଙ୍ଗର ପାଇକନେତା ନାରାୟଣ ପରମଗୁରୁ ଓ ବାମଦେବ ପଟ୍ଟଯୋଷୀ ଦ୍ୱୀପାନ୍ତର ଦଣ୍ଡ ଭୋଗକରି ଏ ଭୂମିକୁ ପବିତ୍ର କରିଥିଲେ ।

 

ଏମାନେ ସେଠାରେ ପ୍ରଥମ ସଭ୍ୟ ଜଗତର ମନୁଷ୍ୟ କି ନୁହେଁ ତାହା କେବଳ ମହାକାଳକୁ ଗୋଚର । କାରଣ ଇତିହାସ ଏ ବିଷୟରେ ସମ୍ପୂର୍ଣ୍ଣ ନୀରବ ।

 

ତା’ ପୂର୍ବରୁ ସେଠାରେ ରହୁଥିଲେ ଆଦିମ ମାନବ । ଯେଉଁମାନେ କି ପଥରର ଅସ୍ତ୍ର ଶସ୍ତ୍ର ବ୍ୟବହାର କରୁଥିଲେ ଏବଂ ପଶୁପକ୍ଷୀ, ଏପରିକି ମନୁଷ୍ୟର କଞ୍ଚାମାଂସ ମଧ୍ୟ ଖାଉଥିଲେ ।

 

ଭାରତ ମହାସାଗରରେ ଅବସ୍ଥିତ ଏହି ଦ୍ୱୀପପୁଞ୍ଜକୁ ୧୭୮୯ ମସିହାରେ ପ୍ରଥମେ କ୍ୟାପଟେନ ଆର୍ଚ୍ଚିବାଲ୍‌ଡ ବ୍ଳେୟାରଙ୍କ ନେତୃତ୍ୱରେ ଇଷ୍ଟଇଣ୍ଡିଆ କମ୍ପାନୀ ତରଫରୁ ସର୍ଭେ ପାଇଁ ଉଦ୍ୟମ ହୋଇଥିଲା । ପରବର୍ତ୍ତୀ କାଳରେ ତାଙ୍କରି ନାମ ଅନୁସାରେ ଏହାର ରାଜଧାନୀର ନାମ ରହିଲା–ପୋର୍ଟ ବ୍ଳେୟାର । କମ୍ପାନୀ ସରକାରଙ୍କ ଲକ୍ଷ୍ୟଥିଲା–ଏଠାରେ ପୋତାଶ୍ରୟଟିଏ କଲେ, ଦୁଃସମୟରେ ଜାହାଜଗୁଡ଼ିକ ଆଶ୍ରୟ ନେଇ ପାରିବ । ମାତ୍ର ଅସ୍ୱାସ୍ଥ୍ୟକର ଜଳବାୟୁ ଓ ମ୍ୟାଲେରିୟା ଯୋଗୁ କେହି ଏଠାରେ ରହିବା ସମ୍ଭବ ହୋଇପାରିଲା ନାହିଁ । ୧୭୯୬ ମସିହାରେ ଏ ପରିକଳ୍ପନାକୁ ବନ୍ଦ କରି ଦିଆଗଲା । କମ୍ପାନୀ ମଧ୍ୟ ଏ ଦିଗରେ ଅଧିକ ଅର୍ଥ ବ୍ୟୟ କରିବାକୁ ମନ ବଳାଇଲେ ନାହିଁ ।

 

୧୮୪୪ ମସିହା ନଭେମ୍ବର ମାସରେ କେତେକ ନୌସୈନିକଙ୍କୁ ନେଇ Runneymede ଏବଂ Briton ନାମକ ଦୁଇଟି ଜାହାଜ ଆସୁଥିବା ବେଳେ ପ୍ରବଳ ପବନ ଯୋଗୁ ଆନ୍ଦାମାନର ଏକ ଦ୍ୱୀପରେ ଧକ୍‌କାଖାଇ ବୁଡ଼ିଗଲେ । ୬୨୦ ଜଣ ଯାତ୍ରୀ ପ୍ରାୟ ୫୪ ଦିନ କାଳ ଏହି ଦ୍ୱୀପରେ ଅସହାୟ ଅବସ୍ଥାରେ ପଡ଼ି ରହିଲେ । ସେମାନଙ୍କ ମଧ୍ୟରୁ କେତେକ ସ୍ଥାନୀୟ ଆଦିବାସୀମାନଙ୍କ ଦ୍ୱାରା ମଧ୍ୟ ନିହତ ହେଲେ । ୧୮୪୯ ମସିହାରେ ଅନ୍ୟ ଦୁଇଟି ଜାହାଜ Emily ଏବଂ Flying fish ମଧ୍ୟ ଆନ୍ଦାମାନ ଉପକୂଳରେ ଧକ୍‌କା ଖାଇ ବୁଡ଼ିଗଲେ । ତେଣୁ କମ୍ପାନୀ ତରଫରୁ ପ୍ରସ୍ତାବ ଦିଆଗଲା ଯେ, ଯଦି ଏହି ଦ୍ୱୀପ ପୁଞ୍ଜକୁ ଅଧିକାର କରାଯାଇ ଲୋକବସତି କରାଯିବ, ତେବେ କମ୍ପାନୀ ଜାହାଜଗୁଡ଼ିକର ସୁରକ୍ଷା ହୋଇ ପାରିବ । ମାତ୍ର ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଏହାର ବିରୋଧ କଲେ । ଏ ମଧ୍ୟରେ ୧୮୫୭ ମସିହାରେ ସର୍ବଭାରତୀୟ ବିପ୍ଳବ ଆରମ୍ଭ ହୋଇଗଲା । ବନ୍ଦୀମାନଙ୍କୁ ଆଣି ଆନ୍ଦାମାନରେ ବସତି କରାଇବା ପାଇଁ ସରକାର ପୁଣିଥରେ ଚିନ୍ତାକଲେ । ୧୮୫୭ ମସିହା ନଭେମ୍ବର ୨୦ ତାରିଖରେ ଦ୍ୱୀପକୁ ସର୍ଭେ କରିବା ପାଇଁ ଗଭର୍ଣ୍ଣର ଜେନେରାଲ ଲର୍ଡ କ୍ୟାନିଂ, ଡକ୍ଟର ମ୍ବାଟ, ଡକ୍‌ଟର ପ୍ଳେଫେୟର ଓ ଲେପ୍‌ଟନାଣ୍ଟ ହିଥ ଲେଟଙ୍କୁ ନେଇ ଗୋଟିଏ କମିଶନ ଗଠନ କଲେ । କମିଟି ସ୍ଥାନ ନିରୂପଣ କରିବାପରେ ସେଠାରେ ୧୮୫୭ ମସିହାର ବିପ୍ଳବୀମାନଙ୍କୁ ରଖାଯିବାର ସ୍ଥିର କରାଗଲା । ଏହାର କାରଣ ହେଉଛି–ସେମାନଙ୍କର ପ୍ରଭାବ ଆଉ ଭାରତୀୟ ଲୋକଙ୍କ ଉପରେ ପଡ଼ିପାରିବ ନାହିଁ । ୧୮୫୮ ମସିହା ଜାନୁୟାରୀ ମାସ ୧୫ ତାରିଖରେ ଏ ଉଦ୍ଦେଶ୍ୟରେ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଲା, ତହିଁରେ କୁହାଗଲା ଯେ ବନ୍ଦୀ ଉପନିବେଶକୁ ଏଭଳି ଲୋକଙ୍କୁ ପଠାଯିବ, ଯେଉଁମାନେ କି ୧୮୫୭ ମସିହା ବିଦ୍ରୋହରେ ଭାଗନେଇ ଆଜୀବନ କାରାବାସ ବା ଦ୍ୱୀପାନ୍ତର ଦଣ୍ଡ ପାଇଥିବେ । ଏହି ବିଜ୍ଞପ୍ତିରେ କେଉଁ ପ୍ରଦେଶର ବନ୍ଦୀମାନଙ୍କୁ କେଉଁ ବନ୍ଦୀରୁ ଏଠାକୁ ଅଣାଯିବ, ତାହା ମଧ୍ୟ ଉଲ୍ଲେଖ କରାଯାଇଥିଲା । ତହିଁରୁ ଜଣାଯାଏ ଯେ ପଞ୍ଜାବର ୨୧୬ ଜଣ ବନ୍ଦୀଙ୍କୁ କରାଚୀ ବନ୍ଦରରୁ ଏମ୍ପାୟାର ଜାହାଜରେ ନିଆଯାଇଥିଲା । ମାର୍ଚ୍ଚ ମାସ ୧୦ ତାରିଖରେ କଲିକତା ବନ୍ଦରରୁ ମଧ୍ୟ ଦୁଇଶହ ବନ୍ଦରଙ୍କୁ ପଠାଗଲା । ୧୯୫୮ ମସିହା ଜୁନମାସ ୧୬ ତାରିଖରେ ଆନ୍ଦାମାନରେ ବନ୍ଦୀମାନଙ୍କ ମୋଟ ସଂଖ୍ୟାହେଲା ୭୭୩ । ଏମାନଙ୍କ ମଧ୍ୟରୁ ହାସପାତାଳରେ ୬୧ ଜଣ ମୃତ୍ୟୁବରଣ କଲେ । ୧୪୦ ଜଣ ପଳାଇ ଯାଉଥିବାବେଳେ ସେମାନଙ୍କ ମଧ୍ୟରୁ କେତେକ ଖାଦ୍ୟାଭାବରେ ଓ ଆଉ କେତେକ ସ୍ଥାନୀୟ ଅଧିବାସୀଙ୍କ ହାତରେ ପ୍ରାଣ ହରାଇଲେ । ଜଣେ ଆତ୍ମହତ୍ୟା କଲେ । ଆଉ ୮୭ ଜଣ ପଳାଇଯିବାକୁ ଉଦ୍ୟମ କରୁଥିବାବେଳେ ଧରାପଡ଼ି ଫାଶୀ ପାଇଲେ । ୧୮୭୪ ମସିହା ଜୁନମାସ ପହିଲା ତାରିଖରେ ଏଠାରେ ୭୮୨୦ ଜଣ ପୁରୁଷ ଓ ୮୯୫ ଜଣ ଆଜୀବନ କାରାବାସ ଭୋଗ କରୁଥିବା ବନ୍ଦୀ ଥିଲେ । ଏହାବ୍ୟତୀତ ସାମୟିକ ବନ୍ଦୀ ମଧ୍ୟ ଥିଲେ । ବନ୍ଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ୧୮୭୬ ମସିହାରେ ପ୍ରଶାସନ ଉଦ୍ଦେଶ୍ୟରେ ଆନ୍ଦାମାନ ନିକୋବର ନିୟମାବଳୀ ପ୍ରସ୍ତୁତ କରାଗଲା । ଏଥିରେ Transportation ଅର୍ଥାତ୍‌ କଳାପାଣି ବନ୍ଦୀର ବ୍ୟାଖ୍ୟା କରାଯାଇ କୁହାଗଲା ଯେ– କଳାପାଣି ଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ କଡ଼ା ଅନୁଶାସନ ସହ କଠିନ ପରିଶ୍ରମ କରିବାକୁ ପଡ଼ିବ । ସ୍ୱାସ୍ଥ୍ୟ ପାଇଁ ଯେତିକି ଆବଶ୍ୟକ, ସେତିକି ଖାଦ୍ୟ ଦିଆଯିବ । ଅନ୍ୟ କୌଣସି ସୁବିଧାକୁ ଦୟା ବୋଲି ଧରାଯିବ । ତେଣୁ ସେଭଳି ସୁବିଧାକୁ ଯେ କୌଣସି ସମୟରେ ସମ୍ପୂର୍ଣ୍ଣ ବା ଆଂଶିକରୂପେ ରଦ୍ଦ କରାଯାଇ ପାରିବ ।

 

‘‘Transportation entails hard labour with strict discipline, with only such food as is necessary for health. Any mitigation of the above is an indulgence which may at any time be withdrawn in whole or in part.’’

 

ସହସ୍ର ସହସ୍ର ବର୍ଷର ଅଶିକ୍ଷା ସତ୍ତ୍ୱେବି ଆମ ଦେଶରେ ଯୁଗେ ଯୁଗେ ଜ୍ଞାନୀ, ଧାର୍ମିକ, କବି, ଭାବୁକ ଓ ବିଦ୍ରୋହୀ ଜନ୍ମଗ୍ରହଣ କରିଛନ୍ତି । ତାହାର କାରଣ–ଭାରତ ବର୍ଷ ଦେବଭୂମି । ଏ ଦେଶର ମାଟିରୁ ଆପେ ଆପେ ମହିମା ବିକଶିତ ହୁଏ । କିନ୍ତୁ ରାଜନୀତିର ଆବର୍ଜନାରେ, ସ୍ୱାର୍ଥପରତାର ଜଞ୍ଜାଳରେ ଓ ପାଶବିକତାର ପ୍ରକୋପରେ ମଝିରେ ମଝିରେ ସେ ମହିମା ଚାପା ପଡ଼ିଯାଏ ।

 

ଭାରତର ପ୍ରଥମ ସ୍ୱାଧୀନତା ସମରର ସଶସ୍ତ୍ର ବିଦ୍ରୋହ ମଧ୍ୟ ଠିକ୍‌ ଏହିପରି ଚାପା ପଡ଼ିଗଲା । ଇଂରେଜମାନେ ନିଶ୍ଚିନ୍ତ ହେଲେ । ଯେଉଁ ଭେଦ ନୀତିରେ ଭାରତରେ ଇଂରେଜ ଶାସନର ମୂଳଦୁଆ ପଡ଼ିଥିଲା, ତା’ର ସଫଳ ପ୍ରୟୋଗ କରାଗଲା । ଇଂରେଜମାନେ ଦେଖିଲେ ଯେ ଭାରତ ହିନ୍ଦୁ ଓ ମୁସଲମାନ ଉଭୟର ଦେଶ । ଏ ଦୁଇଜାତି ମଧ୍ୟରେ ମତଭେଦ ନ ଉପୁଜିଲେ ଭାରତରେ ଇଂରେଜ ରାଜତ୍ୱ ସମ୍ଭବ ନୁହେଁ । ହୁଏତ ଏ ବ୍ରିଦ୍ରୋହଠାରୁ ଆହୁରି କଠିନ ପରୀକ୍ଷାର ସେମାନଙ୍କୁ ସମ୍ମୁଖୀନ ହେବାକୁ ପଡ଼ିବ । ତେଣୁ ଯେଉଁ ସାମ୍ପ୍ରଦାୟିକ ବିଷ ବୃକ୍ଷ ରୋପଣ କରାଗଲା, ଚଉତିରିଶ ବର୍ଷ ପରେ ତହିଁରେ ଫଳ ଫଳିଲା । ୧୮୯୩ ମସିହାରେ ବମ୍ବେରେ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇଗଲା ।

 

ପାଶ୍ଚାତ୍ୟ ସଭ୍ୟତା ମୁଖ୍ୟତଃ ବସ୍ତୁବାଦୀ । ତାହାର ମୂଳ ଲକ୍ଷ୍ୟହେଲା–

 

‘ଯାବତ୍‌ ଜୀବେତ ସୁଖଂ ଜୀବେତ୍‌

ଋଣଂ କୃତ୍ୱା ଘୃତଂ ପିବେତ୍‌ ।’

 

ଖାଅ, ପିଅ, ମଉଜ କର । ଏ ଜୀବନ ଦୁଇଦିନର । ମୃତ୍ୟୁ କେଉଁଦିନ ଆସି ପହଞ୍ଚିଯିବ ତାହାର ସ୍ଥିରତା ନାହିଁ । ତେଣୁ ମୃତ୍ୟୁ ପୂର୍ବରୁ ଭୋଗ କରିଯାଅ । ଇହଲୋକ, ପରଲୋକ, ଦେବ-ଦେବୀ, ବିଦେହୀ ଆତ୍ମା, ସ୍ୱର୍ଗ-ନରକ ଏସବୁ ଅପ୍ରତ୍ୟକ୍ଷ ଓ ପ୍ରମାଣହୀନ; ତେଣୁ ଏହାର ଅସ୍ତିତ୍ୱ ନାହିଁ ।

 

ମାତ୍ର ଭାରତୀୟ ଦର୍ଶନ କହେ–

 

‘‘ବାସାଂସି ଜୀର୍ଣ୍ଣାନି ଯଥା ବିହାୟ

ନବାନି ଗୃହଣାତି ନରୋଽପରାଣି

ତଥା ଶରୀରାଣୀ ବିହାୟ ଜୀର୍ଣ୍ଣା

ନ୍ୟନ୍ୟାନି ସଂଯାତି ନବାନି ଦେହୀ ।’’

 

ଆତ୍ମା ଅବିନଶ୍ୱର । ପୁରାତନ ବସ୍ତ୍ର ତ୍ୟାଗ କରି ମନୁଷ୍ୟ ନୂତନ ବସ୍ତୁ ଗ୍ରହଣ କଲାପରି ଆତ୍ମା ପୁରାତନ ଦେହକୁ ଛାଡ଼ି ନୂତନ ଦେହ ଆଶ୍ରୟ କରେ । ତେଣୁ ମୃତ୍ୟୁ ନାହିଁ । ଅନନ୍ତ କାଳରେ ଜୀବନର ନିରବଚ୍ଛିନ୍ନ ଜୟଯାତ୍ରା ଲାଗି ରହିଛି । ମଝିରେ ମଝିରେ କେବଳ ତାର ଗତି ପରିବର୍ତ୍ତିତ ହୋଇଥାଏ ମାତ୍ର । ଠିକ୍‌ ଯେପରି ନଦୀର ଧାର ଅନେକ ସମୟରେ ପାହାଡ଼ ଗୁମ୍ଫାରେ, ଅଥବା ବନର ଅନ୍ଧକାରରେ ହଜିଯାଏ–ଦେଖିବାକୁ ମିଳେନାହିଁ । ଯାହା ଦେଖାଯାଏ ନାହିଁ, ତାହା ଯେ ନାହିଁ, ତାହା ଭାବିବା ଠିକ୍ ନୁହେଁ । ସେହିପରି ଯେଉଁ ମନୁଷ୍ୟ ଆଖିରେ ଦେଖାଯାଏ ନାହିଁ, ଯାହା କଥା କାନରେ ଶୁଣାଯାଏ ନାହିଁ, ଯାହାକୁ ସ୍ପର୍ଶ କରାଯାଏ ନାହିଁ, ସେ ଯେ ନାହିଁ ତାହା ମଧ୍ୟ ନୁହେଁ । ପ୍ରତ୍ୟେକ ମୁହୂର୍ତ୍ତରେ ମନୁଷ୍ୟର ନୂତନ ଜନ୍ମ ହେଉଛି ଓ ମୃତ୍ୟୁ ଘଟୁଛି । ମହାକାଳ ସୂତାରେ ଜନ୍ମ ଓ ମୃତ୍ୟୁର ଫୁଲ ଗୁନ୍ଥା ଯାଉଛି । ଏହା ଏକ ଅନ୍ତହୀନ ମହାଜୀବନର ମାଳା ।

 

ପର୍ବତ ଗୁମ୍ଫାରେ ଆତ୍ମଗୋପନ କରିଥିବା ନଦୀ ସ୍ରୋତ ପରି ୧୮୯୪ ମସିହାରେ ବିଦ୍ରୋହ ପୁଣି ଆତ୍ମପ୍ରକାଶ କଲା । ପୁନା ସମେତ ସମଗ୍ର ମହାରାଷ୍ଟ୍ରରେ ଗଣପତି ଉତ୍ସବ ଓ ଛତ୍ରପତି ଶିବାଜୀଙ୍କ ରାଜ୍ୟାଭିଷେକ ସ୍ମରଣ ଉତ୍ସବ ଉପଲକ୍ଷେ ମରହଟ୍ଟା ଓ ଚିତ୍‌ପାବନ ବ୍ରାହ୍ମଣ ଯୁବକମାନେ ଲାଠି, ତରବାରି ଓ ମଶାଲ ନେଇ ସଶସ୍ତ୍ର ଶୋଭାଯାତ୍ରା ବାହାର କଲେ । ଦଶଦିନ ଧରି ଏ ଉତ୍ସବ ଚାଲିଲା । ଯୁବକମାନେ ଶୋଭାଯାତ୍ରାରେ ମୁସଲମାନ ଓ ଇଂରେଜଙ୍କ ବିରୋଧରେ ସଙ୍ଗୀତ ଗାନ କରି ପୁସ୍ତକ ବିତରଣ କଲେ ।

 

୧୮୯୫ ମସିହାରେ ଜୁନମାସରେ ଛତ୍ରପତି ଶିବାଜୀଙ୍କ ସମାଧି ମନ୍ଦିର ଜୀର୍ଣ୍ଣ ସଂସ୍କାର ଉଦ୍ଦେଶ୍ୟରେ ଶିବାଜୀଙ୍କ ଜନ୍ମୋତ୍ସବ ପାଳିତ ହେଲା । ପୁନାର ଦାମୋଦର ଚାପେକର ଓ ବାଳକୃଷ୍ଣ ଚାପେକର ନାମକ ଦୁଇ ଭାଇ ଏହି ସମୟରେ ଏକ ସମିତି ଗଠନ କଲେ । ଏହିସବୁ ଉତ୍ସବରେ ଚାପେକର ଭ୍ରାତୃଦ୍ୱୟ ଯେଉଁ ଶ୍ଳୋକ ଆବୃତ୍ତି କରୁଥିଲେ ତାହାର ଅର୍ଥ ହେଉଛି–

 

‘‘କେବଳ ଶିବାଜୀଙ୍କ ବୀରତ୍ୱ କାହାଣୀ ଆବୃତ୍ତି କଲେ ସ୍ୱାଧୀନତା ଆସିବ ନାହିଁ । ଶିବାଜୀ ଓ ବାଜୀରାଓଙ୍କ ଅନୁକରଣରେ ପ୍ରବୃତ୍ତ ହୋଇ ତରବାରୀ ବର୍ମ ଧାରଣ ପୂର୍ବକ ଶତ୍ରୁର ଅଗଣିତ ଶିରଚ୍ଛେଦନ କରିବା ଆବଶ୍ୟକ । ଆମେ ଜାତିର ମୁକ୍ତି ସଂଗ୍ରାମରେ ଜୀବନ ବିସର୍ଜନ କରିବୁ, ଶତ୍ରୁର ରକ୍ତରେ ବସୁଧା ରଞ୍ଜିତ କରିବୁ, ଶତ୍ରୁମାରି ପ୍ରାଣ ଦେବୁ । ତୁମେ କଣ ନାରୀଙ୍କ ପରି ବସି ବସି କେବଳ ସେହି ପୁଣ୍ୟ ବୀରଗାଥା ଶ୍ରବଣ କରିବ ?’’

 

୧୮୯୭ ମସିହାରେ ବମ୍ବେରେ ପ୍ଳେଗ ଆରମ୍ଭ ହେଲା । ବାଲ୍‍ ଗଙ୍ଗାଧର ତିଳକ ସେତେବେଳେ ଦାକ୍ଷିଣାତ୍ୟରେ ଅବିସମ୍ବାଦି ନେତା । ସେ ତାଙ୍କ କେଶରୀ ପତ୍ରିକାରେ ସରକାରଙ୍କ ପ୍ଳେଗ ରେଗୁଲେସନ ସମ୍ପର୍କରେ ଲେଖିଲେ– ‘‘ପ୍ଳେଗ ରୋଗ ଅପେକ୍ଷା ନରରୂପୀ ପ୍ଳେଗ ଅତ୍ୟାଚାର ଅଧିକ ଅସହନୀୟ । ପ୍ଳେଗ ନିବାରଣ ନାମରେ ଦେଶରେ ଦୁର୍ବିସହ ପ୍ରଜାପୀଡ଼ନ ଓ ଅତ୍ୟାଚାର ଚାଲିଛି ।’’

 

୧୮୯୭ ମସିହା ଜୁନମାସ ୧୫ ତାରିଖରେ ସେ ପୁଣି କେଶରୀ ପତ୍ରିକାରେ ଶିବାଜୀଙ୍କ ଉକ୍ତି ନାମରେ ଯାହା ଲେଖିଲେ, ତହିଁରେ ଫରାସୀ ବିପ୍ଳବ ଅନୁକରଣରେ ମହାରାଷ୍ଟ୍ରରେ ବିପ୍ଳବାଗ୍ନି ପ୍ରଜ୍ଜ୍ୱଳିତ କରିବା ଓ ସ୍ୱାଧୀନତା ସଂଗ୍ରାମର ସ୍ପଷ୍ଟ ଇଙ୍ଗିତ ଥିଲା ।

 

ଜୁନ ମାସ ୨୨ ତାରିଖରେ ମହାରାଣୀ ଭିକ୍ଟୋରିୟାଙ୍କ ରାଜ୍ୟାଭିଷେକର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୁବୁଲୀ ଉତ୍ସବ ପାଇଁ ନଗରୀ ଯେତେବେଳେ ଆଲୋକ ସଜ୍ଜାରେ ସଜ୍ଜିତ ହୋଇ ଆନନ୍ଦ ମୁଖରିତ, ଠିକ୍‌ ସେତିକିବେଳେ ଦାମୋଦର ଚାପେକରଙ୍କ ହାତରେ ପ୍ଳେଗ କମିଶନର ମିଃ ର୍‍ୟାଣ୍ଡ ଓ ଲେଫ୍‌ଟନାଣ୍ଟ ଆରେଷ୍ଟ ନିହତ ହେଲେ । ୧୫ ତାରିଖର କେଶରୀ ପତ୍ରିକାରେ ଲେଖାପାଇଁ ତିଳକ ଗିରଫ ହୋଇ ଜେଲକୁ ଗଲେ । ଜେଲକୁ ଗଲାବେଳେ ସେ କହିଗଲେ–‘ସ୍ୱରାଜ୍ୟ ଆମର ଜନ୍ମଗତ ଅଧିକାର । ଏଥିରୁ କେହି ଆମକୁ ବିଚ୍ୟୁତ କରିପାରିବ ନାହିଁ-। ଏହି ଘଟନାରେ ନାଟୁଭାଇ ଦୁହେଁ ନିର୍ବାସିତ ହେଲେ । ‘କାଲି’ ଓ ‘ବିହାର’ ନାମକ ପତ୍ରିକା ଦୁଇଟି ରାଜଦ୍ରୋହ ଅପରାଧରେ ଦଣ୍ଡିତ ହେଲେ ।

 

ଶ୍ରୀ ଅରବିନ୍ଦ ଏହି ସମୟରେ ଗାଇକୋବାଡର ତରୁଣ ରାଜା ସୟାଜୀ ରାଓଙ୍କ ଅମାତ୍ୟ-। ସେ ପୁନାର ବିପ୍ଳବୀ ନେତା ଠାକୁର ସାହେବଙ୍କ ଗୁପ୍ତ ସମିତିରେ ଦୀକ୍ଷିତ ହୋଇ ଗଣତନ୍ତ୍ରୀ ଭାରତର ଗୁଜୁରାଟ ଶାଖାର ସଭାପତି ଥିଲେ । ଏହି ସମୟରେ ଶ୍ରୀ ଯତୀନ୍ଦ୍ର ନାଥ ବନ୍ଦୋପଧ୍ୟାୟ ମହାରାଜାଙ୍କ ଶରୀର ରକ୍ଷୀ ଥିଲେ । ଶ୍ରୀ ଅରବିନ୍ଦଙ୍କ ନିର୍ଦ୍ଦେଶକ୍ରମେ ଯତୀନ୍ଦ୍ରନାଥ ଚାକିରୀରୁ ଇସ୍ତଫା ଦେଇ ଶ୍ରୀ ଅରବିନ୍ଦଙ୍କ ପତ୍ର ନେଇ ବଙ୍ଗଳାକୁ ଆସିଲେ । ବଙ୍ଗଳାରେ ବିପ୍ଳବର ବୀଜ ରୋପିତ ହେଲା । ଯତ୍ରିନ୍ଦ୍ରନାଥ ଓ ବାରିଷ୍ଟର ପି. ମିତ୍ରଙ୍କୁ କେନ୍ଦ୍ରକରି ସୁକିୟା ଷ୍ଟ୍ରିଟ ଥାନା ନିକଟରେ ୧୦୨ ନମ୍ବର ସର୍କୁଲାର ରୋଡ଼ରେ ଗୁପ୍ତ ସମିତି ସ୍ଥାପିତ ହେଲା । ୧୯୦୨ ମସିହାରେ ଏହା ସ୍ଥାପିତ ହୋଇଥିଲେ ହେଁ ୧୯୦୪ ମସିହାରେ ଗୃହ କଳହ ଯୋଗୁ ଏହାର ପରିସମାପ୍ତି ଘଟିଲା । ପୁଣି ୧୯୦୫ ମସିହାରେ ଅଦ୍ଭ୍ୟୁଦୟ ଘଟିଲା । ଶ୍ରୀ ବାରିନ୍ଦ୍ର କୁମାର ଘୋଷ ୧୯୦୫ ମସିହାରେ ଶ୍ରୀ ଅରବିନ୍ଦଙ୍କ ଲିଖିତ ଭବାନୀ ମନ୍ଦିର ପୁସ୍ତିକାର ପାଣ୍ଡୁଲିପି ଆଣି ଏହି ଆନ୍ଦୋଳନର ୨ୟ ପର୍ବ ଆରମ୍ଭ କଲେ । ଭବାନୀ ମନ୍ଦିର ଓ ‘ନୋ କମ୍ପରମାଇଜ’ (No Compromise) ପୁସ୍ତକ ଦୁଇଟି ଛାପାଗଲା । (No Compromise) ନୋ କମ୍ପରମାଇଜ ପୁସ୍ତକଟି ଶ୍ରୀ ଅରବିନ୍ଦଙ୍କ ବଙ୍ଗ ଭଙ୍ଗ ସମ୍ବନ୍ଧରେ ଆପୋଷ ରଫାର ବିରୋଧି ପୁସ୍ତକ ।

 

୧୯୦୬ ମସିହାରେ ବଙ୍ଗ ଭଙ୍ଗ ଯୋଗୁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ତହିଁରେ ବଙ୍ଗଳାର ରାଜନୀତିରେ ବିପିନ ପାଲଙ୍କର ଆବିର୍ଭାବ ଘଟିଲା । ତେଣେ ଦକ୍ଷିଣରେ ଗୋପାଳକୃଷ୍ଣ ଗୋଖଲେ ମଧ୍ୟ ଇଂରେଜ ବିରୋଧି ଆନ୍ଦୋଳନ ଆରମ୍ଭ କରିସାରିଥିଲେ । ୧୯୦୬ ମସିହା ଅଗଷ୍ଟ ମାସରେ ଶ୍ରୀ ଅରବିନ୍ଦ ବରୋଦାର ଉଚ୍ଚ ବେତନର ଚାକିରୀ ଛାଡ଼ି ବଙ୍ଗଳାକୁ ଫେରି ଆସିଲେ । ୧୯୦୫ ରୁ ୧୯୦୮ ମସିହା ମଧ୍ୟରେ ‘ଯୁଗାନ୍ତର’ ଓ ‘ବନ୍ଦେ ମାତରମ୍‌’ ପତ୍ରିକା ପ୍ରକାଶ । ଢାକୁରିଆ, ମାଣିକତଲା ଓ ଜସିଡ଼ିରେ ବୋମା କାରଖାନା ପ୍ରତିଷ୍ଠା, ଇଂରେଜମାନଙ୍କୁ ହତ୍ୟାପାଇଁ ଷଡ଼ଯନ୍ତ୍ର ଓ ମୁକ୍ତି ଯନ୍ତ୍ରର କେନ୍ଦ୍ର ସ୍ଥାପନ ଆଦି ବହୁ କାର୍ଯ୍ୟ ହୋଇଥିଲା ।

 

୧୯୦୫ ମସିହା ଜାନୁୟାରୀ ମାସରେ ଶ୍ୟାମଜୀ କୃଷ୍ଣବର୍ମା ନାମରେ କାଥିଆବାଡ଼ର ଜଣେ ଅଧିବାସୀ ଲଣ୍ଡନରେ ପ୍ରବାସୀ ଭାରତୀୟମାନଙ୍କୁ ନେଇ ଇଣ୍ଡିଆ ହୋମରୁଲ ସୋସାଇଟି ନାମରେ ଏକ ଅନୁଷ୍ଠାନ ଗଠନ କଲେ ଓ ଇଣ୍ଡିଆନ ସୋସିଓଲଜିଷ୍ଟ ନାମରେ ଖଣ୍ଡିଏ ମାସିକ ପତ୍ରିକା ପ୍ରକାଶ କଲେ । ଏହି ବର୍ଷ ସେ ଘୋଷଣା କଲେ ଯେ ଭାରତୀୟ ଜନଗଣଙ୍କ ମଧ୍ୟରେ ଐକ୍ୟ ଓ ସ୍ୱାଧୀନତାର ବାଣୀ ପ୍ରଚାର ଉଦ୍ଦେଶ୍ୟରେ ଜ୍ଞାନ ଅର୍ଜ୍ଜନ ପାଇଁ ଯଦି କୌଣସି ଭାରତୀୟ ଛାତ୍ର ୟୁରୋପ ଓ ଆମେରିକା ଭ୍ରମଣରେ ଯିବାକୁ ଚାହାଁନ୍ତି, ତେବେ ସେ ହଜାରେ ଟଙ୍କା ହିସାବରେ ଛଅଟି ବୃତ୍ତି ଦେବେ । କୃଷ୍ଣ ବର୍ମାଙ୍କର ଏହି ବୃତ୍ତି ନେଇ ଯେଉଁ ଛାତ୍ରମାନେ ଲଣ୍ଡନ ଯାଇଥିଲେ, ସେମାନଙ୍କ ମଧ୍ୟରେ ବିନାୟକ ଦାମୋଦର ସଭରକର ଅନ୍ୟତମ ।

 

ସଭରକର ନାସିକ ଜିଲାର ଅଧିବାସୀ । ପୁନାର ଫର୍ଗୁସନ କଲେଜରୁ ସେ ବି. ଏ. ପାସ କରି ୧୯୦୬ ମସିହାରେ ଇଂଲଣ୍ଡ ଗଲେ । ଶ୍ୟାମଜୀ କୃଷ୍ଣବର୍ମା ସେତେବେଳେ ଲଣ୍ଡନରେ ଇଣ୍ଡିଆ ହାଉସ ନାମକ ଏକ ପ୍ରତିଷ୍ଠାନ ଗଠନ କରି ସାରିଥିଲେ । ଉଗ୍ର ଜାତୀୟତାବାଦ ଯୋଗୁ କୃଷ୍ଣବର୍ମା ଇଂରେଜମାନଙ୍କ କୋପଦୃଷ୍ଟିରେ ପଡ଼ିଲେ । ତାଙ୍କର ଲଣ୍ଡନରେ ଅବସ୍ଥାନ କଷ୍ଟକର ହୋଇପଡ଼ିଲା । ସେ ଲଣ୍ଡନରୁ ପ୍ୟାରୀସ୍‌ ଚାଲିଗଲେ । ୧୯୦୯ ମସିହାରେ ସଭରକର ଇଣ୍ଡିଆ ହାଉସର ନେତୃତ୍ୱ ଗ୍ରହଣ କଲେ । ଏହି ବର୍ଷ ଜୁନ ମାସ ୯ ତାରିଖରେ ‘ଲଘୁ ଅଭିନବ ଭାରତ ମେଳା’ ନାମକ ଏକ କବିତା ପୁସ୍ତକ ପ୍ରକାଶ କରି ସଭରକରଙ୍କ ଭାଇ ଗଣେଶ ସଭରକର ରାଜଦ୍ରୋହ ଅଭିଯୋଗରେ ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡିତ ହେଲେ ।

 

୧୯୦୯ ମସିହା ଜୁଲାଇ ପହିଲା ତାରିଖରେ ଇଣ୍ଡିଆ ହାଉସ ସହିତ ସଂଶ୍ଳିଷ୍ଟ ଥିବା ମଦନ ଲାଲ ଧିଂଡ଼ା ନାମକ ଜଣେ ଯୁବକଙ୍କ ଦ୍ୱାରା ଲଣ୍ଡନ ସ୍ଥିତ ଭାରତ ଦପ୍ତରର ରାଜନୈତିକ ଏ. ଡି. ସି. କର୍ଣ୍ଣେଲ ସାର୍‌ ଉଇଲିୟମ କର୍ଜନ ଓ୍ୟାଇଲ ନିହତ ହେଲେ । ଧିଁଡ଼ାଙ୍କୁ ଧରା ଯିବାପରେ ତାଙ୍କ ପକେଟରୁ ଯେଉଁ କାଗଜ ମିଳିଲା, ତହିଁରେ ଉଲ୍ଲେଖ ଥିଲା– ‘‘ଭାରତୀୟ ଯୁବକମାନଙ୍କୁ ଯେପରି ନିର୍ବିଚାରରେ କାରାଦଣ୍ଡ ଓ ପ୍ରାଣଦଣ୍ଡାଦେଶ ଦିଆଯାଉଛି, ତାହାର ପ୍ରତିବାଦରେ ମୁଁ ସ୍ୱେଚ୍ଛାରେ ଇଂରେଜ ରକ୍ତ ମୋକ୍ଷଣ କଲି ।’’

 

ଓ୍ୟାଇଲ ହତ୍ୟା ସମ୍ପର୍କରେ ବିନାୟକ ସଭରକରଙ୍କୁ ଗିରଫ କରାଯାଇ ବିଚାର ନିମନ୍ତେ ଜାହାଜ ଯୋଗେ ବମ୍ବେ ପଠାଗଲା । ଜାହାଜ ଫ୍ରାନ୍‌ସର ମାର୍ଶାଇ ବନ୍ଦରରେ ପହଞ୍ଚିବାମାତ୍ରେ ସଭରକର ଜାହାଜରୁ ସମୁଦ୍ରକୁ ଡେଇଁ ପହଁରି ପହଁରି କୂଳକୁ ଚାଲି ଆସିଲେ ଏବଂ ଫରାସୀ ପୁଲିସଙ୍କ ନିକଟରେ ଆତ୍ମସମର୍ପଣ କଲେ । ମାତ୍ର ଫରାସୀ ପୁଲିସ ତାଙ୍କୁ ବ୍ରିଟିଶ ପୁଲିସଙ୍କ ହାତରେ ସମର୍ପଣ କରିଦେଲେ । ଏଥିପାଇଁ ଆନ୍ତର୍ଜାତିକ ବିଧାନ ଅନୁସାରେ ବହୁ ଆନ୍ଦୋଳନ ଆରମ୍ଭ ହେଲା-। ମାତ୍ର ବ୍ରିଟିଶ ସରକାର ତହିଁରେ କର୍ଣ୍ଣପାତ ନ କରି ସଭରକରଙ୍କୁ ବିଚାର ଅଦାଲତରେ ହାଜର କରାଇଲେ । ବିଚାରରେ ସଭରକର ଯାବତ୍‌ଜୀବନ ଦୀପାନ୍ତର ଦଣ୍ଡରେ ଦଣ୍ଡିତ ହେଲେ ।

 

ମହାରାଷ୍ଟ୍ରର ଯୁବକମାନେ ଏ ସମୟରେ ନୀରବ ନ ଥିଲେ । ବିନାୟକଙ୍କ ଦଣ୍ଡାଦେଶ ପରେ ପରେ ଗଣେଶ ସଭରକରଙ୍କର ବିଚାରକ ନାସିକର ଜିଲା ମାଜିଷ୍ଟ୍ରେଟ ମିଃ ଜ୍ୟାକସନ ନିହତ ହେଲେ । ଏହି ହତ୍ୟାକାଣ୍ଡର ସୂତ୍ର ଧରି ପୁଲିସ ଏକ ବିରାଟ ଷଡ଼ଯନ୍ତ୍ର ଆବିଷ୍କାର କଲେ । ଏହାର ନାମ ‘ନାସିକ ଷଡ଼ଯନ୍ତ୍ର’ । ହତ୍ୟାକାଣ୍ଡ ଅଭିଯୋଗରେ ତିନି ଜଣ ଫାଶୀ ପାଇଲେ ଏବଂ ଷଡ଼ଯନ୍ତ୍ର ଅଭିଯୋଗରେ ସତେଇଶି ଜଣ କାରାଦଣ୍ଡରେ ଦଣ୍ଡିତ ହେଲେ । ମାମଲାର ଶୁଣାଣିବେଳେ ପୁଲିସ ପ୍ରମାଣ କଲେ ଯେ ଏମାନେ ‘ଅଭିନବ ଭାରତ ସମିତି’ ନାମରେ ଏକ ବିପ୍ଳବୀ ପ୍ରତିଷ୍ଠାନର ସଦସ୍ୟ ଏବଂ ସଭରକର ଲଣ୍ଡନରେ ଥିବାବେଳେ ଏହି ପ୍ରତିଷ୍ଠାନ ସହ ଯୋଗାଯୋଗ ରଖିଥିଲେ । ପୁଲିସ ପୁଣି ପ୍ରମାଣ କଲେ ଯେ ଲଣ୍ଡନରେ ଇଣ୍ଡିଆ ହାଉସରେ ବିସ୍ଫୋରକ ଦ୍ରବ୍ୟ ତିଆରି ଫର୍ମୁଲାର ଯେଉଁ ଟାଇପ କପି କରାଯାଇଥିଲା, ଗଣେଶ ସଭରକରଙ୍କ ଘରୁ ତାହାର ଏକ କପି ମିଳିଛି । ଏ ଘଟନାର କେତେଦିନ ପରେ ଗୋୟାଲିୟର ଓ ସାତରାର ଷଡ଼ଯନ୍ତ୍ର ମଧ୍ୟ ଧରାପଡ଼ିଲା ।

 

୧୯୦୫ ମସିହାର ଅକ୍ଟୋବର ମାସ ୧୬ ତାରିଖରେ ବଙ୍ଗର ଅଙ୍ଗଚ୍ଛେଦ ସରକାରୀ ଭାବେ ଘୋଷଣା କରାଗଲା । ଏହା ବିରୋଧରେ ସଭା, ଶୋଭାଯାତ୍ରା, ହରତାଳ ଓ ଆନ୍ଦୋଳନ ଆଦି ଆରମ୍ଭ ହୋଇଗଲା । ତାହା ଏପରି ତୀବ୍ରତର ହେଲା ଯେ ପୂର୍ବବଙ୍ଗ ଓ ଆସାମର ନୂତନ ଲେଫନାଣ୍ଟ ଗଭର୍ଣ୍ଣର ବାମଫିଲ୍‌ଡ ପୁଲାର ଘୋଷଣା କଲେ–ରକ୍ତପାତ ଆବଶ୍ୟକ । (Blood–shed may be necessary) ଅର୍ଥାତ୍‌ ଗୁଳିଦ୍ୱାରା ଆନ୍ଦୋଳନ ଦବାଇ ଦେବାକୁ ସେ ଧମକ ଦେଲେ । ତାର ଉତ୍ତରରେ ଶ୍ରୀ ଅରବିନ୍ଦଙ୍କ ଦ୍ୱାରା ପ୍ରକାଶିତ ‘ବନ୍ଦେ ମାତରମ୍‌’ ପ୍ରତିକାରେ ଧ୍ୱନିତ ହେଲା–‘‘We want absolute autonomy free from British Control’’ ଆମେ ବ୍ରିଟିଶ କବଳରୁ ମୁକ୍ତ ହୋଇ ପୂର୍ଣ୍ଣ ରାଜନୈତିକ ସ୍ୱାଧୀନତା ଚାହୁଁ ।’’ ଏହି ଆନ୍ଦୋଳନରେ ରାଜଦ୍ରୋହାତ୍ମକ ଲେଖା ପ୍ରକାଶ ଅଭିଯୋଗରେ ‘ଯୁଗାନ୍ତର’ ପତ୍ରିକାର ସମ୍ପାଦକ ଭୂପେନ୍ଦ୍ରନାଥ ଦତ୍ତ ୧୯୦୬ ମସିହା ଜୁଲାଇ ୨୦ ତାରିଖରେ ଏକ ବର୍ଷ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ । ‘ବନ୍ଦେ ମାତରମ’ ପତ୍ରିକାର ସମ୍ପାଦକ ଶ୍ରୀ ଅରବିନ୍ଦ ଘୋଷ ମଧ୍ୟ ଅଭିଯୁକ୍ତ ହୋଇ ପରେ ଅଦାଲତରେ ମୁକ୍ତି ପାଇଲେ । ବିପିନଚନ୍ଦ୍ର ପାଲ ସରକାରଙ୍କ ପକ୍ଷରୁ ସାକ୍ଷ୍ୟ ଦେବାକୁ ଅସ୍ୱୀକାର କରି ଛଅମାସ କାରାଦଣ୍ଡରେ ଦଣ୍ଡିତ ହେଲେ । ‘ସନ୍ଧ୍ୟା’ର ସମ୍ପାଦକ ବ୍ରହ୍ମବାନ୍ଧବ ଉପାଧ୍ୟାୟ ମଧ୍ୟ ଅଭିଯୁକ୍ତ ହୋଇଥିଲେ । ମାତ୍ର ମାମଲାର ବିଚାର ଚାଲିଥିବାବେଳେ ସେ ଦେହରକ୍ଷା କଲେ ।

 

ଊନବିଂଶ ଶତକର ଅଷ୍ଟମ ଦଶକ ପରେ (୧୮୮୫)ରେ ତଦାନିନ୍ତନ ବଡ଼ଲାଟ ଏବଂ ତାଙ୍କର ପ୍ରଗତି ପନ୍ଥୀ ସହଯୋଗୀମାନଙ୍କ ଉଦ୍ୟମରେ ଭାରତୀୟ ଜାତୀୟ କଂଗ୍ରେସର ସୃଷ୍ଟି ହେଲା-। ମିଃ ଉମେଶ ଚନ୍ଦ୍ର ବାନାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କଂଗ୍ରେସର ପ୍ରଥମ ଅଧିବେଶନରେ ରାଜାନୁଗତ୍ୟ ଓ ଦେଶ ମିଶ୍ରଣ ଏହାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଲର୍ଡ ମେକଲ ପ୍ରଭୃତି ଭାରତୀୟ ଯୁବକମାନଙ୍କୁ ଇଂରେଜ ଶାସନ, ସଭ୍ୟତା ଓ ସଂସ୍କୃତି ପ୍ରତି ଆକୃଷ୍ଟ କରିବାପାଇଁ ଓ ସେମାନଙ୍କୁ ଇଂରେଜ ଶିକ୍ଷାରେ ଶିକ୍ଷିତ କରିବାକୁ ବିଶେଷ ଯୋର ଦେଲେ । ଫଳରେ ଲର୍ଡ କ୍ୟାନିଂ ଓ ସାର୍‌ ଚାର୍ଲସ ଉଡ୍‌ଙ୍କ ପ୍ରଯତ୍ନରେ କଲିକତା, ମାନ୍ଦ୍ରାଜ ଓ ବମ୍ବେରେ ତିନୋଟି ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲା । ମାତ୍ର ବଙ୍ଗ ଭଙ୍ଗ ଘଟନାକୁ କେନ୍ଦ୍ରକରି ଜାତୀୟ କଂଗ୍ରେସର ଚରମପନ୍ଥୀ ଓ ନରମପନ୍ଥୀଙ୍କ ମଧ୍ୟରେ ମତଭେଦ ଗୁରୁତର ହେଲା । ଶେଷରେ ସୁରାଟ କଂଗ୍ରେସରେ ବଙ୍ଗଳାର ଚରମପନ୍ଥୀମାନେ କଂଗ୍ରେସରୁ ଅନ୍ତର ହୋଇଗଲେ । ବଙ୍ଗଭଙ୍ଗରୁ ପୁଞ୍ଜିଭୂତ କ୍ରୋଧ ଓ କ୍ଷୋଭ ପ୍ରକାଶ ପାଇଲା । ବିଭକ୍ତ ପଶ୍ଚିମ ବଙ୍ଗର ଲେପ୍‌ଟନାଣ୍ଟ ଗଭର୍ଣ୍ଣର ଆଣ୍ଡୃଫ୍ରେଜର ରେଳରେ ଯାଉଥିବାବେଳେ ଚନ୍ଦନ ନଗର ନିକଟରେ ତାଙ୍କର ରେଳ ଉଡ଼ାଇ ଦେବାପାଇଁ ଉଦ୍ୟମ ହେଲା । ତାପରେ ଖଡ଼ଗପୁର ନିକଟରେ ମଧ୍ୟ ଆଉଥରେ ଉଦ୍ୟମ ହେଲା । ଛୋଟଲାଟ ମେଦିନପୁର ଯିବାବେଳେ ନାରାୟଣଗଡ଼ ଷ୍ଟେସନ ନିକଟରେ ୧୯୦୭ ମସିହା ଡିସେମ୍ବର ୬ ତାରିଖରେ ତାଙ୍କ ଟ୍ରେନକୁ ଲାଇନଚ୍ୟୁତ କରି ଦିଆଗଲା । ମାତ୍ର ସେ ରକ୍ଷା ପାଇଗଲେ । ଏହାପରେ ଡିସେମ୍ବର ୨୩ ତାରିଖରେ ଗୋଆଲନ୍ଦ ଷ୍ଟେସନ ନିକଟରେ ଢାକାର ପୂର୍ବତନ ମାଜିଷ୍ଟ୍ରେଟ ଏଲେନଙ୍କୁ ହତ୍ୟାପାଇଁ ବ୍ୟର୍ଥ ଉଦ୍ୟମ ହୋଇଥିଲା । କୁଷ୍ଟିଆର ପାଦ୍ରୀ ହିକେନ ସାହେବଙ୍କୁ ହତ୍ୟା ଏବଂ ୧୯୦୮ ମସିହା ଅପ୍ରେଲ ୧୧ ତାରିଖରେ ସ୍ୱଦେଶୀ ସଭା ବନ୍ଦ କରିବା ଯୋଗୁ ଚନ୍ଦନ ନଗର ମେୟରଙ୍କ ଗୃହରେ ବୋମା ନିକ୍ଷେପ ଅନ୍ୟତମ ଉଲ୍ଲେଖଯୋଗ୍ୟ ଘଟନା ।

 

କଲିକତାର ଚିଫ୍‌ ପ୍ରେସିଡେନ୍‌ସି ମାଜିଷ୍ଟ୍ରେଟ କିଂସ ଫୋର୍ଡ ଜଣେ ଜବରଦସ୍ତ ମାଜିଷ୍ଟ୍ରେଟରୂପେ କୁଖ୍ୟାତି ଅର୍ଜ୍ଜନ କରିଥିଲେ । ତାଙ୍କ ଅଦାଲତରେ ‘ସନ୍ଧ୍ୟା’, ‘ବନ୍ଦେ ମାତରମ୍‌’ ଓ ‘ଯୁଗାନ୍ତର’ ପତ୍ରିକା ବିରୋଧରେ ମାମଲାର ବିଚାର ହୋଇଥିଲା । ପତ୍ରିକାର ସମ୍ପାଦକମାନେ ମଧ୍ୟ ଦଣ୍ଡିତ ହୋଇଥିଲେ । ଏହି ସମୟରେ ଜଣେ ତ୍ରୟୋଦଶ ବର୍ଷର କିଶୋର ସୁଶୀଳ ସେନଙ୍କୁ ସେ ପନ୍ଦର ପାହାର ବେତ ମାଡ଼ର ଆଦେଶ ଦେଇଥିଲେ । ଫଳରେ ବଙ୍ଗଳାର ତରୁଣ ସମାଜ ଏହାର ପ୍ରତିଶୋଧ ନେବାପାଇଁ ବଦ୍ଧ ପରିକର ହେଲେ । ମୋଜାଫରପୁରରେ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହେଲା । ଗୋଟିଏ ଉତ୍ସବ ସଭାକୁ କିଂସଫୋର୍ଡ ଯିବାବେଳେ ତାଙ୍କ ଘୋଡ଼ା ଗାଡ଼ି ଉପରକୁ ବୋମା ପକାଇବା ସ୍ଥିର କରାଗଲା । ସେ ଉତ୍ସବକୁ ଯିବା ବାଟରେ ବିପ୍ଳବୀମାନେ ଲୁଚି ରହିଲେ । ମାତ୍ର ସେ ଯିବା ପୂର୍ବରୁ ସେ ବାଟରେ ମିସେସ କେନେଡି ଓ ମିସ୍‌ କେନେଡି ଆଉ ଗୋଟିଏ ଘୋଡ଼ାଗାଡ଼ିରେ ସେ ବାଟରେ ଗଲେ । କିଂସଫୋର୍ଡ ଭ୍ରମରେ ତାଙ୍କ ଗାଡ଼ି ଉପରକୁ ବୋମା ନିକ୍ଷିପ୍ତ ହେଲା । ଯେଉଁ ଦୁଇଜଣ ଯୁବକ ଏ କାମର ଦାୟିତ୍ୱ ନେଇଥିଲେ, ସେମାନେ ବୋମା ପକାଇସାରି ଅଲଗା ଅଲଗା ଭାବରେ କଲିକତା ପଳାଇ ଆସିବା ପାଇଁ ମୋକାମା ରେଳ ଷ୍ଟେସନକୁ ଗଲେ । ସେ ଦୁଇଜଣଙ୍କ ମଧ୍ୟରୁ ଜଣକର ନାମ ଖୁଦିରାମ ବସୁ ଓ ଅନ୍ୟ ଜଣକର ନାମ ଦୀନେଶ । ଦୀନେଶଙ୍କର ପ୍ରକୃତ ନାମ ପ୍ରଫୁଲ୍ଲ ଚାକି । ଖୁଦିରାମଙ୍କୁ ଓୟାନି ଷ୍ଟେସନରେ ଗିରଫ କରାଯାଇ ମୋଜାଫରପୁରକୁ ନିଆଗଲା । ସେଠାରେ ତାଙ୍କୁ ଫାଶୀଦଣ୍ଡ ଦିଆଗଲା । ମୋକାମା ଷ୍ଟେସନରେ ଦୀନେଶଙ୍କୁ ଧରାଯିବାବେଳେ ସେ ପିସ୍ତଲ ଚଳାଇ ଆତ୍ମହତ୍ୟା କଲେ । ଖୁଦିରାମ ହେଲେ ବଙ୍ଗଳାର ପ୍ରଥମ ଶହୀଦ । ଅନ୍ୟାୟର ପ୍ରତିବାଦ କରି ସେମାନେ ଯେପରି ଆତ୍ମତ୍ୟାଗ କଲେ, ତାହାର ଦୃଷ୍ଟାନ୍ତ ଅନ୍ୟତ୍ର ବିରଳ ।

 

ମୋଜାଫରପୁର ହତ୍ୟାକାଣ୍ଡ ସମ୍ପର୍କରେ ‘କେଶରୀ’ ପତ୍ରିକାରେ ପ୍ରବନ୍ଧ ଲେଖି ଲୋକମାନ୍ୟ ତିଳକ ଛଅବର୍ଷ କାରାଦଣ୍ଡରେ ଦଣ୍ଡିତ ହେଲେ ।

 

ବଙ୍ଗଳାର ଏହି ଚିନ୍ତା ବିପ୍ଳବବେଳେ ସନ୍ନ୍ୟାସୀ ଆନ୍ଦୋଳନ ପ୍ରବଳ ହୋଇ ଉଠିଲା । ୧୮୯୭ ମସିହାରେ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ମିଶନ ନାମରେ ଏକ ସେବାଧର୍ମୀ ସଂସ୍ଥା ପ୍ରତିଷ୍ଠା କଲେ । ଏହି ଅନୁଷ୍ଠାନର ସନ୍ନ୍ୟାସୀମାନେ ବିଭିନ୍ନ ସ୍ଥାନରେ ବୁଲି ଦୀର୍ଘକାଳ ପରାଧୀନତା ଯୋଗୁ ଲୋକଙ୍କ ମନରେ ଯେଉଁ ନିବୀର୍ଯ୍ୟତା ଦେଖାଦେଇଥିଲା, ତାହା ଦୂର କରିବା ନିମନ୍ତେ ବିବେକାନନ୍ଦଙ୍କ ବାଣୀ ପ୍ରଚାର କରିବାରେ ଲାଗିଲେ । ବିବେକାନନ୍ଦଙ୍କର ବାଣୀଥିଲା–‘‘ଶକ୍ତିମାନ ହୁଅ । ପୌରୁଷ ସଞ୍ଚୟକର । ପୌରୁଷ ଓ ଶକ୍ତିମାନ ବ୍ୟକ୍ତି ଦୁଷ୍ଟ ହେଲେ ମଧ୍ୟ ମୁଁ ତାଙ୍କୁ ଶ୍ରଦ୍ଧା କରେ । କାରଣ ତାଙ୍କର ଶକ୍ତି ଦିନେ ତାଙ୍କର ଦୁଷ୍ଟ ବୁଦ୍ଧି ପରିହାର କରାଇ ତାଙ୍କୁ ସତ୍ୟ ପଥରେ ନେଇଯିବ । ଆମ୍ଭମାନଙ୍କ ଜୀବନର ମୂଳମନ୍ତ୍ର–ଭାରତମାତାର ସେବା ! ସେହି ହିଁ ଆମର ଏକମାତ୍ର ଜାଗ୍ରତ ଦେବତା । ଆମର ଜାତି ଓ ସମାଜ ମଧ୍ୟରେ ସେ ହିଁ ବିରାଜିତ । ପରମ ଜନନୀ ମାତୃଭୂମି ତୁମର ଏକମାତ୍ର ଉପାସ୍ୟ ଦେବତା ହୁଅନ୍ତୁ । ଭୟହିଁ ସର୍ବାପେକ୍ଷା ବଡ଼ କୁସଂସ୍କାର । ନିର୍ଭୀକ ହେଲେ ମୁହୂର୍ତ୍ତକରେ ସ୍ୱର୍ଗ ପର୍ଯ୍ୟନ୍ତ ଆବିର୍ଭୂତ ହେବ । ‘ଉତ୍ତିଷ୍ଠତ ଜାଗ୍ରତ, ପ୍ରାପ୍ୟ ବରାନ୍‌ ନିବୋଧତ୍‌’–ଉଠ, ଜାଗ, ଯେତେଦିନଯାଏ ଅଭିପ୍‌ସିତ ବସ୍ତୁ ପାଇନାହଁ, ସେତେଦିନ ତଦୁଦ୍ଦେଶ୍ୟେ ଚାଲିବାରୁ କ୍ଷାନ୍ତ ହୁଅନାହିଁ ।’’

 

ମୋଜାଫରପୁର ହତ୍ୟାକାଣ୍ଡ ପରେ ପୁଲିସ ମାଣିକତଲାର ଏକ ବଗିଚା ଘେରାଉ କରି ଗୋଟିଏ ବିରାଟ ଷଡ଼ଯନ୍ତ୍ର ଆବିଷ୍କାର କଲେ । ଘଟନାସ୍ଥଳରେ କେତେକ ବୋମା ଓ ଆଗ୍ନେୟାସ୍ତ୍ର ଜବତ କରାଯାଇ ବାରିନ୍ଦ୍ର କୁମାର, ଉପେନ୍ଦ୍ର ନାଥ, ଉଲ୍ଲାସ କର ଓ ହେମଚନ୍ଦ୍ର ପ୍ରମୁଖଙ୍କୁ ଗିରଫ କରାଗଲା । ସେହିଦିନ ରାତ୍ରରେ ଗ୍ରେଷ୍ଟ୍ରିଟରୁ ଶ୍ରୀ ଅରବିନ୍ଦ ମଧ୍ୟ ଗିରଫ ହେଲେ । ମୋଟ ୩୪ ଜଣଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଗଲା । ଏହା ଆଲିପୁର ଷଡ଼ଯନ୍ତ୍ର ମାମଲା ନାମରେ ବିଖ୍ୟାତ । ଦଳର ଜଣେ ସଦସ୍ୟ ନରେନ ଗୋସାଇଁ ଏ ମକଦ୍ଦମାରେ ରାଜସାକ୍ଷୀ ହେବାରୁ ୧୯୦୮ ମସିହା ସେପ୍ଟେମ୍ବର ପହିଲା ତାରିଖରେ ତାଙ୍କୁ ହତ୍ୟା କରାଗଲା । ଏ ମକଦ୍ଦମାର ବିଚାର କରାଯାଇ ନଭେମ୍ବର ୧୦ ତାରିଖରେ କହ୍ନେଇଲାଲ ଓ ସତ୍ୟେନ୍ଦ୍ର ଫାଶୀ ପାଇଲେ । ଆଲିପୁର ଷଡ଼ଯନ୍ତ୍ର ମାମଲାରେ ଆସାମୀମାନଙ୍କ ତରଫରୁ ବାରିଷ୍ଟର ଚିତ୍ତରଞ୍ଜନ ଦାଶ ଓ ସରାକାରଙ୍କ ତରଫରୁ ବାରିଷ୍ଟର ନର୍ଟନ ମକଦ୍ଦମା ଚଳାଉଥିଲେ । ଏ ମକଦ୍ଦମାରୁ ଶ୍ରୀ ଅରବିନ୍ଦ ଖଲାସ ପାଇଗଲେ । ବାରିନ୍ଦ୍ରକର ଓ ଉଲ୍ଲାସକର ଫାଶୀ ଦଣ୍ଡରେ ଦଣ୍ଡିତ ହେଲେ ଏବଂ ଉପେନ୍ଦ୍ରନାଥ ପ୍ରମୁଖ ୧୦ ଜଣ ଯାବଜ୍ଜୀବନ ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡିତ ହେଲେ । ଅନ୍ୟମାନଙ୍କୁ ୫ ରୁ ୧୦ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଅଥବା ଦ୍ୱୀପାନ୍ତର ଦଣ୍ଡ ମିଳିଲା । ପରେ ହାଇକୋର୍ଟରେ ଅପିଲ ହେବାରୁ ବାରିନ୍ଦ୍ର ଓ ଉଲ୍ଲାସ କର ପ୍ରାଣଦଣ୍ଡ ପରିବର୍ତ୍ତେ ଯାବଜ୍ଜୀବନ ଦ୍ଵୀପାନ୍ତର ଦଣ୍ଡ ପାଇଲେ । ଅନ୍ୟ କେତେକଙ୍କ ଦଣ୍ଡ ମଧ୍ୟ ହ୍ରାସ କରାଗଲା । ସରକାରୀ ଓକିଲ ବାରିଷ୍ଟର ନର୍ଟନଙ୍କୁ ୧୯୦୯ ମସିହା ଫେବୃୟାରୀ ୧୦ ତାରିଖରେ ହତ୍ୟା କରି ଆସାମୀ ଫାଶୀ ପାଇଲେ ।

 

ଏହି ସମୟରେ ପୁଲୀନ ବିହାରୀ ଦାସ ନାମକ ଜଣେ ଲୋକଙ୍କ ନେତୃତ୍ୱରେ ଢାକା ଓ କଲିକତାରେ ଅନୁଶୀଳନ ସମିତି ନାମରେ ଏକ ବିପ୍ଳବୀ ସଙ୍ଗଠନ ଗଢ଼ିଉଠିଲା । ଏହି ଦଳର ଲୋକମାନେ ଦଳର ପରିଚାଳନା ନିମନ୍ତେ ଅର୍ଥ ସଂଗ୍ରହ ପାଇଁ ୧୯୦୮ ମସିହା ଜୁନମାସ ୨ ତାରିଖରେ ଢାକା ଜିଲାର ବରା ଗ୍ରାମରେ ଏବଂ ଅକ୍ଟୋବର ୩୦ ତାରିଖରେ ଫରିଦପୁର ଅନ୍ତର୍ଗତ ନଡ଼ିଆ ଗ୍ରାମରେ ଦୁଇଟି ବଡ଼ ଧରଣର ଡକାୟତି କଲେ । ଏହି ଧରଣର ଡକାୟତି କରୁଥିବା ଲୋକମାନେ ସ୍ୱଦେଶୀ ଡକାୟତ ନାମରେ ପ୍ରସିଦ୍ଧ ।

 

୧୯୦୮ ମସିହା ଡିସେମ୍ବର ୧୧ ତାରିଖରେ ଫୌଜଦାରୀ ଆଇନର ୧୪ ଧାରାକୁ ସଂଶୋଧନ କରାଯାଇ ଆଇନରେ ପରିଣତ କରାଗଲା । ଏଥିରେ ନିର୍ଦ୍ଦିଷ୍ଟ କେତେକ ଅପରାଧ କ୍ଷେତ୍ରରେ ଜୁରୀ ବା ଆସେସରଙ୍କ ବ୍ୟତୀତ ହାଇକୋର୍ଟର ତିନିଜଣ ବିଚାରପତିଙ୍କୁ ନେଇ ଗଠିତ ସ୍ପେଶାଲ ବେଞ୍ଚରେ ବିଚାରର ବ୍ୟବସ୍ଥା ରହିଲା । ବଡ଼ଲାଟ ଏହି ଆଇନ ଅନୁସାରେ ଯେ କୌଣସି ପ୍ରତିଷ୍ଠାନକୁ ବେ-ଆଇନ ଘୋଷଣା କରିବାର କ୍ଷମତା ପାଇଲେ । ୧୯୦୯ ମସିହା ଜାନୁୟାରୀ ମାସରେ ଢାକା ଅନୁଶୀଳନ ସମିତି, ସ୍ୱଦେଶ ବାନ୍ଧବ ସମିତି, ବ୍ରତି ସମିତି, ମୟମନ– ସିଂହର ସୁହୃଦ ସମିତି ଓ ସାଧନା ସମିତି ବେଆଇନ ଘୋଷିତ ହେଲା । ଅନୁଶୀଳନ ସମିତିର ନେତା ପୁଲିନ ଦାସ ଦେଶାନ୍ତର ଦଣ୍ଡ ପାଇଲେ । ୧୯୧୦ ମସିହାରେ ଭାରତୀୟ ମୁଦ୍ରାଯନ୍ତ୍ର ଆଇନ ଜାରି କରାଗଲା । ଏହା ଫଳରେ ସରକାର ମୁଦ୍ରକ ଓ ପ୍ରକାଶକଙ୍କଠାରୁ ଅମାନତ ତଲବ କରିବାର ଅଧିକାର ପାଇଲେ ।

 

୧୯୧୨ ମସିହା ଡିସେମ୍ବର ୧୨ ତାରିଖରେ ଦିଲ୍ଲୀରେ ଯେଉଁ ଦରବାର ହେଲା, ତହିଁରେ ଇଂଲଣ୍ଡେଶ୍ୱର ଭାରତର କେତେକ ପ୍ରଦେଶର ସୀମା ନୂତନଭାବେ ବଣ୍ଟନ କରିବାର କଥା ଘୋଷଣା କଲେ । ଏହି ଘୋଷଣା ଅନୁସାରେ ବିଭକ୍ତ ବଙ୍ଗକୁ ପୁଣି ଗୋଟିଏ କରି ଦିଆଗଲା । ଭାରତର ରାଜଧାନୀ କଲିକତାରୁ ଦିଲ୍ଲୀକୁ ଉଠିଗଲା ଏବଂ ବିହାର ଛୋଟ ନାଗପୁର ଓଡ଼ିଶାକୁ ବଙ୍ଗଳାରୁ ବିଚ୍ଛିନ୍ନ କରାଯାଇ ଜଣେ ଲେଫ୍‌ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧୀନରେ ରଖାଗଲା । ଆସାମକୁ ଅଲଗା କରାଯାଇ ଜଣେ ଚିଫ୍‌ କମିଶନରଙ୍କ ଉପରେ ଶାସନ ଦାୟିତ୍ୱ ଅର୍ପିତ ହେଲା । ଉଭୟ ବଙ୍ଗକୁ ଜଣେ ଗଭର୍ଣ୍ଣରଙ୍କ ଅଧୀନରେ ରଖାଗଲା ।

 

୧୯୦୭ ମସିହାରେ ଜାତୀୟତାବାଦୀମାନେ କଂଗ୍ରେସରୁ ଅଲଗା ହୋଇ ଯାଇଥିଲେ । ଔପନିବେଶିକ ବିଲ୍‌ ବିରୋଧରେ ଲାଲା ଲଜପତ ରାୟ ପଞ୍ଜାବରେ କୃଷକ ଆନ୍ଦୋଳନ ଆରମ୍ଭ କଲେ । ଏହି ସମୟଠାରୁ ଗାନ୍ଧିଜୀ ରାଜନୀତିରେ ଭାଗ ନେବା ପର୍ଯ୍ୟନ୍ତ ସମୟଟି ଭାରତ ଇତିହାସରେ ‘ଲାଲ-ବାଲ ପାଲ’ ଯୁଗ ନାମରେ ବିଖ୍ୟାତ । ଅର୍ଥାତ୍‌ ଏହି ସମୟରେ ଲାଲା ଲଜପତ ରାୟ, ବିପୀନ ବିହାରୀ ପାଲ ଓ ବାଲ୍‍ ଗଙ୍ଗାଧର ତିଳକ ରାଜନୀତିର ପୁରୋଭାଗରେ ଦଣ୍ଡାୟମାନ ହୋଇଥିଲେ । ମାତ୍ର ଏହା ପରେ ପରେ ତିଳକଙ୍କ କାରାଦଣ୍ଡ, ଲଜପତ ରାୟଙ୍କ ଦେଶାନ୍ତର ଦଣ୍ଡ, ବିପୀନ ବିହାରୀ ପାଲଙ୍କ ଅଟକବନ୍ଦୀ ଓ ଅରବିନ୍ଦଙ୍କ ପଣ୍ଡିଚେରୀରେ ଆଶ୍ରୟ ଯୋଗୁ ଆନ୍ଦୋଳନର ଉଗ୍ରତା ସାମୟିକ ଭାବେ ହ୍ରାସ ପାଇଲା ।

 

୧୯୧୨ ମସିହାରୁ ୧୯୧୭ ମସିହା ପର୍ଯ୍ୟନ୍ତ ଭାରତରେ ବିପ୍ଳବାତ୍ମକ ସନ୍ତ୍ରାସବାଦ ପୁଣି ପ୍ରବଳ ଭାବରେ ଦେଖାଦେଲା । ବିଶ୍ୱଯୁଦ୍ଧର ସୂଚନା ମିଳିବାରୁ ବିଦେଶରୁ ଅସ୍ତ୍ର ଶସ୍ତ୍ର ଆଣି ବିପ୍ଳବ ଚଳାଇବାକୁ ଉଦ୍ୟମ ଚାଲିଲା । ଲାଲ ହରଦୟାଲ ପ୍ରମୁଖ କେତେକ ବିଶିଷ୍ଟ ନେତା ଜର୍ମାନରେ ପହଞ୍ଚିଯିବାରୁ ଜର୍ମାନ ହିଁ ବିପ୍ଳବର ସ୍ନାୟୁ କେନ୍ଦ୍ର ହୋଇ ଉଠିଲା । ଏଠାରେ ଥାଇ ହରଦୟାଲ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ବିପ୍ଳବୀଦଳ ସହିତ ଯୋଗାଯୋଗ କଲେ । ବରକତ୍‌ଉଲ୍ଲା ଓ ରାଜା ମହେନ୍ଦ୍ର ପ୍ରତାପ ସୁଦୂର ପ୍ରାଚ୍ୟ ଓ କାବୁଲର ବିପ୍ଳବୀ ଦଳଙ୍କ ସହିତ ଯୋଗାଯୋଗ ରଖିଲେ-। ଜର୍ମାନମାନେ କାବୁଲର ମୁସଲମାନମାନଙ୍କ ସହିତ ଯେଉଁ ବିପ୍ଳବ ପ୍ରଚେଷ୍ଟା ଚଳାଇଲେ, ତାହା ରେଶମୀ ଚିଠି ଷଡ଼ଯନ୍ତ୍ର ନାମରେ ପ୍ରସିଦ୍ଧ । ରେଶମୀ ଚିଠିର ଅର୍ଥ–ରେଶମ କନାରେ ହରିଦ୍ରାରେ ଲିଖିତ ଚିଠି । ଷଡ଼ଯନ୍ତ୍ରର ଲକ୍ଷ୍ୟ ଥିଲା–ଉତ୍ତର ପଶ୍ଚିମ ସୀମାନ୍ତରୁ ଭାରତ ଆକ୍ରମଣ ଏବଂ ଏକ ସମୟରେ ଭାରତରେ ମୁସଲମାନମାନଙ୍କର ଅଦ୍ଭ୍ୟୁଥାନ ଘଟାଇ ଭାରତରୁ ବ୍ରିଟିଶ ଶାସନର ଅବସାନ ଘଟାଇବା । ଏ ଉଦ୍ଦେଶ୍ୟରେ ୧୯୧୫ ମସିହାରେ ମୌଲାନା ଓବାୟେଦୁଲ୍ଲା ସିନ୍ଧୀ ତିନିଜଣ ସାଥିଙ୍କ ସହ ଉତ୍ତର ପଶ୍ଚିମ ସୀମାନ୍ତ ଅତିକ୍ରମ କଲେ । ଏହି ପରିକଳ୍ପନାରେ ସାହାଯ୍ୟ ପାଇଁ କାବୁଲରେ ଥିବା ତୁର୍କୀ-ଜର୍ମାନ ମିଶନ ସହ ତାଙ୍କର ଆଲୋଚନା ଚାଲିଲା । ହେଜାଜର ତୁର୍କୀ ସାମରିକ ଗଭର୍ଣ୍ଣର ଗାଲିବ ପାଶା ମଧ୍ୟ ଏଠାରେ ସହଯୋଗ କଲେ । ବ୍ରିଟିଶ ଶାସନ ଉଚ୍ଛେଦ ପରେ ଭାରତରେ ଯେଉଁ ଅସ୍ଥାୟୀ ସରକାର ଗଠିତ ହେବ, ତହିଁରେ ରାଜା ମହେନ୍ଦ୍ର ପ୍ରତାପଙ୍କୁ ପ୍ରେସିଡେଣ୍ଟ କରିବା ସ୍ଥିର କରାଗଲା । ଏଥିପୂର୍ବରୁ ରାଜା ମହେନ୍ଦ୍ର ପ୍ରତାପ ୧୯୧୪ ମସିହାରେ ୟୁରୋପ ଯାଇ ଇଟାଲୀ, ସୁଇଜରଲାଣ୍ଡ ଓ ଫ୍ରାନ୍‌ସ ପରିଦର୍ଶନ କରିଥିଲେ । ଜେନେଭାରେ ତାଙ୍କର ହରଦୟାଲଙ୍କ ସହ ସାକ୍ଷାତ ହେଲା । ପରେ ସେ ଜର୍ମାନ ଯାଇ କାଇଜରଙ୍କ ସହ ପରିଚିତ ହେଲେ ।

 

ତୁର୍କୀ-ଜର୍ମାନ ମିଶନର ଜର୍ମାନ ସଦସ୍ୟମାନେ ୧୯୧୬ ମସିହାରେ ଆଫଗାନିସ୍ଥାନ ପରିତ୍ୟାଗ କଲେ । ମାତ୍ର ଭାରତୀୟ ବିପ୍ଳବୀମାନେ ସେଠାରେ ରହି ବିପ୍ଳବ ପରିଚାଳନା କଲେ । ଜୁନମାସ ବେଳକୁ ଏହି ଷଡ଼ଯନ୍ତ୍ରର ମଧ୍ୟ ମଣି ମକ୍ଳାର ସେରିଫ ବ୍ରିଟିଶଦଳରେ ଯୋଗ ଦେବାରୁ ଆନ୍ଦୋଳନ ଶୋଚନୀୟ ଭାବେ ବିଫଳ ହେଲା । ଭାରତୀୟ ବିପ୍ଳବୀମାନେ ବାଟାଭିୟା ଓ ଶ୍ୟାମ ଦେଇ ବଙ୍ଗଳାକୁ ଅସ୍ତ୍ର ଆମଦାନୀର ଉଦ୍ୟମ କଲେ । ଜର୍ମାନମାନେ ଆମେରିକା, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ସୁଦୂର ପ୍ରାଚ୍ୟରୁ ଏହି ଆନ୍ଦୋଳନକୁ ସହାୟତା କରିବାରେ ଲାଗିଲେ ।

 

୧୯୧୪ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେବା ସଙ୍ଗେ ସଙ୍ଗେ ସନ୍ତ୍ରାସବାଦ ଆନ୍ଦୋଳନ ପୁଣି ମୁଣ୍ଡଟେକି ଉଠିଲା । ଏହି ବର୍ଷ ଅଗଷ୍ଟମାସ ଶେଷ ଆଡ଼କୁ ରଡ଼ା କମ୍ପାନୀ ବିଦେଶରୁ ଆମଦାନୀ କରିଥିବା ପଚାଶଟି ମସାର ପିସ୍ତଲ ଓ ୪୬ ହଜାର ରାଉଣ୍ଡ ବୁଲେଟ ବିପ୍ଳବୀମାନେ ହାବଡ଼ା ଷ୍ଟେସନରୁ ଲୁଟିନେଇ ବିଭିନ୍ନ ଦଳ ମଧ୍ୟରେ ବଣ୍ଟନ କରିଦେଲେ । ନଭେମ୍ବର ମାସରେ ଫିଙ୍ଗଳେ ନାମକ ଜଣେ ମହାରାଷ୍ଟ୍ରୀୟ ଯୁବକ ଓ ସତ୍ୟେନ୍ଦ୍ର ସେନ ନାମକ ଜଣେ ବଙ୍ଗାଳୀ ଯୁବକ ଆମେରିକାରୁ କଳିକତା ଫେରି ଆସିଲେ । ସତ୍ୟେନ୍ଦ୍ର କଲିକତାରେ ରହିଲେ ଓ ପିଙ୍ଗଳେ ପଶ୍ଚିମ ଭାରତକୁ ଚାଲିଗଲେ ।

 

୧୯୧୫ ମସିହାରେ ବଙ୍ଗଳାର ବିପ୍ଳବୀମାନଙ୍କର ଏକ ବୈଠକ ବସି ସ୍ଥିର କରାଗଲା ଯେ ଶ୍ୟାମ ଓ ଅନ୍ୟାନ୍ୟ ସ୍ଥାନର ବିପ୍ଳବୀମାନଙ୍କ ସହ ଯୋଗାଯୋଗ ସ୍ଥାପନ କରାଯିବ । ତଦନୁସାରେ ଭୋଳାନାଥ ଚାଟାର୍ଜୀଙ୍କୁ ବ୍ୟାଙ୍କକ ପଠାଗଲା । ଜର୍ମାନମାନେ ବାଟାଭିଆକୁ ଜଣେ ପ୍ରତିନିଧି ପଠାଇବା ପାଇଁ ନିର୍ଦ୍ଦେଶ ଦେବାରୁ ସେଠାକୁ ନରେନ ଭଟ୍ଟାଚାର୍ଯ୍ୟ ଗଲେ । ତାଙ୍କର ନାମ ରହିଲା ସି. ମାର୍ଟିନ । ସେଠାରେ ଜର୍ମାନ କନସାଲ ତାଙ୍କୁ କହିଲେ ଯେ ବିପ୍ଳବୀମାନଙ୍କ ପାଇଁ ଗୋଟିଏ ଜାହାଜରେ ଅସ୍ତ୍ର ଓ ଖାଦ୍ୟ ପଦାର୍ଥ କରାଚୀ ପଠାଯାଇଛି । ମାତ୍ର ମାର୍ଟିନଙ୍କ ଅନୁରୋଧ କ୍ରମେ ଜାହାଜଟିକୁ ସୁନ୍ଦରବନର ରାୟମଙ୍ଗଳ ନାମକ ସ୍ଥାନକୁ ପଠାଇବାପାଇଁ ନିର୍ଦ୍ଦେଶ ଦିଆଗଲା ।

 

ଏ ମଧ୍ୟରେ ବିପ୍ଳବୀମାନେ ଅଦ୍ଭ୍ୟୁଥାନର ପରିକଳ୍ପନା କରି କଲିକତାକୁ ଯେଉଁ ତିନିଟି ପ୍ରଧାନ ରେଳପଥ ଆସିଛି, ତହିଁରେ ଥିବା ପୋଲ ଉଡ଼ାଇଦେବାକୁ ସ୍ଥିର କଲେ । ଏପରି କଲେ ସୈନ୍ୟମାନେ ଆଉ କଲିକତାକୁ ଆସିପାରିବେ ନାହିଁ ଏବଂ କଲିକତାକୁ ପୂର୍ଣ୍ଣରୂପେ ସ୍ୱାଧୀନ କରି ଦିଆଯିବ । ଏହି ପରିକଳ୍ପନା ଅନୁସାରେ ଯତୀନ ମୂଖାର୍ଜୀ ବାଲେଶ୍ୱରରେ ଘାଟୀ କରି ମାନ୍ଦ୍ରାଜ ରେଳପଥ ଅଚଳ କରିଦେବାର ଦାୟିତ୍ୱ ନେଲେ । ଭୋଳାନାଥ ଚାଟାର୍ଜୀ ବି. ଏନ. ରେଳପଥ ଜଗି ଚକ୍ରଧରପୁରରେ ରହିଲେ ଏବଂ ଅଜୟ ନଦୀର ପୋଲ ଉଡ଼ାଇ ଦେବାପାଇଁ ସତୀଶ ଚକ୍ରବର୍ତ୍ତୀ ଦାୟିତ୍ୱ ନେଲେ । ବଙ୍ଗଳା ଦଖଲର ସିଦ୍ଧାନ୍ତ ଗ୍ରହଣ କରାଗଲା । ଯଦୁଗୋପାଳ ମୂଖାର୍ଜୀ ଜାହାଜରୁ ଅସ୍ତ୍ର ଖଲାସର ଦାୟିତ୍ୱ ନେଲେ । ମାତ୍ର ଦୁଇମାସ ମଧ୍ୟରେ ଜାହାଜ ଆସି ପହଞ୍ଚି ପାରିଲା ନାହିଁ ।

 

ସେପ୍ଟେମ୍ବର ୪ ତାରିଖରେ ପୁଲିସ ବାଲେଶ୍ୱରର ଗୋଟିଏ ବ୍ୟବସାୟ ପ୍ରତିଷ୍ଠାନ (ସାଇକେଲ ମରାମତି ଦୋକାନ) ଓ କପ୍ତିପଦାରେ ବିପ୍ଳବୀମାନଙ୍କର ଗୋଟିଏ ଘାଟୀ ଖାନତଲାସ କରି ସୁନ୍ଦରବନର ଗୋଟିଏ ମାନଚିତ୍ର ଓ ଅନ୍ୟ କେତେକ ଗୋପନୀୟ କାଗଜପତ୍ର ପାଇଲେ । ପୁଲିସ ପୁଣି ଖବର ପାଇଲେ ଯେ ବିପ୍ଳବୀମାନେ ମୟୁରଭଞ୍ଜର ପାର୍ବତ୍ୟ ଅଞ୍ଚଳରେ ଆଶ୍ରୟ ନେଇଛନ୍ତି । ବ୍ୟାପକ ଖାନତଲାସ ଆରମ୍ଭ ହୋଇଗଲା । ଯତୀନ ମୁଖାର୍ଜୀ ଚାରିଜଣ ସାଥିଙ୍କ ସହ ନଦୀ ପାର ହୋଇ ପଳାଇଗଲେ । ଏଠାରେ ତାଙ୍କର ଗ୍ରାମବାସୀ, ଚୌକିଦାର ଓ ଦଫାଦାରଙ୍କ ସହ ସଂଘର୍ଷ ଲାଗିବା ଫଳରେ କେତେଜଣ ଗ୍ରାମବାସୀ ନିହତ ହେଲେ । ପୁଲିସ ବାହିନୀ କଲିକତାର କମିଶନର ସାର୍‌ ଚାର୍ଲସ୍‌ ଟେଗାର୍ଟଙ୍କ ନେତୃତ୍ୱରେ ସେମାନଙ୍କର ଅନୁସରଣ କରିବାରେ ଲାଗିଲେ । ୧୯୧୫ ମସିହା ସେପ୍ଟେମ୍ବର ୯ ତାରିଖରେ ବୁଢ଼ାବଳଙ୍ଗ ନଦୀକୂଳର ଚଷାଖଣ୍ଡ ନାମକ ସ୍ଥାନରେ ପୁଲିସ ସହ ବିପ୍ଳବୀମାନଙ୍କର ଯୁଦ୍ଧ ଆରମ୍ଭ ହୋଇଗଲା । କିଛି ସମୟ ଗୁଳି ବିନିମୟ ପରେ ଯତିନ ମୁଖାର୍ଜୀ ଓ ତାଙ୍କର ସାଥୀ ଚିତ୍ତପ୍ରିୟ ଗୁରୁତର ଭାବରେ ଆହତ ହେଲେ । ଚିତ୍ତପ୍ରିୟ ଘଟନା ସ୍ଥଳରେ ପ୍ରାଣ ହରାଇଲେ ଏବଂ ଦଳର ନେତା ଯତୀନ ମୁଖାର୍ଜୀ ବାଲେଶ୍ୱର ହାସପାତାଳରେ ପ୍ରାଣ ହରାଇଲେ । ଅନ୍ୟ ତିନିଜଣ ଆହତ ଅବସ୍ଥାରେ ବନ୍ଦୀ ହେଲେ । ସେମାନଙ୍କ ମଧ୍ୟରୁ ନରେନ ଓ ମନୋରଞ୍ଜନ ଫାଶୀଦଣ୍ଡ ପାଇଲେ ଓ ଜ୍ୟୋତିଷ ଦ୍ୱୀପାନ୍ତର ଦଣ୍ଡପାଇ ଆନ୍ଦାମାନ ଗଲେ । ସେଠାରେ ସେ ପାଗଳ ଅବସ୍ଥାରେ ପାଗଳା ଗାରଦରେ ପ୍ରାଣତ୍ୟାଗ କଲେ । ଏ ଯୁଗର ହଳଦୀଘାଟ ଯୁଦ୍ଧର ପରିସମାପ୍ତି ଘଟିଲା । ଏ ଯୁଦ୍ଧ ସମ୍ପର୍କରେ ସାର୍‌ ଟେଗାର୍ଟ କହିଥିଲେ–‘‘ଯତୀନଙ୍କ ପରି ସମ୍ମୁଖ ଯୁଦ୍ଧରେ ବୀରର ମୃତ୍ୟୁବରଣ କରିବା ବଙ୍ଗଳାର ବିପ୍ଳବୀମାନଙ୍କ ମଧ୍ୟରେ କ୍ୱଚିତ୍‌ ଦେଖାଯାଏ । ବାସ୍ତବରେ ଯତୀନ ଜଣେ ଆଦର୍ଶ ବୀର ଥିଲେ ।’’

 

ନରେନ ଭଟ୍ଟାଚାର୍ଯ୍ୟ ବାଟେଭିୟା ଯିବାପରେ ତାଙ୍କଠାରୁ କୌଣସି ସମ୍ବାଦ ମିଳିଲା ନାହିଁ-। ତାଙ୍କର ଖବର ନେବାପାଇଁ ଦୁଇଜଣ ଯୁବକ ପର୍ତ୍ତୃଗୀଜ ଅଧିକୃତ ଗୋଆକୁ ଗଲେ । ମାତ୍ର ସେଠାରେ ସେମାନେ ପୁଲିସ ହାତରେ ଧରା ପଡ଼ିଲେ । ତାଙ୍କ ମଧ୍ୟରୁ ଭେଳାନାଥ ଚାଟାର୍ଜୀ ୧୯୧୬ ମସିହା ଜାନୁୟାରୀ ମାସ ୨୭ ତାରିଖରେ ପୁନା ବନ୍ଦୀଶାଳାରେ ଆତ୍ମହତ୍ୟା କଲେ ।

 

ଯେଉଁ ଜାହାଜ ଅସ୍ତ୍ର ନେଇ ଆସିବାର କଥା ଥିଲା, ତାହାର ନାମ ‘ମାଭେରିକ ।’ ଏହି ଜାହାଜ କାଲିଫର୍ଣ୍ଣିଆରୁ ଆସି ପଥ ମଧ୍ୟରେ ‘ୟାନି ଲାର୍ସନ’ ନାମକ ଜାହାଜରୁ ଅସ୍ତ୍ର ଶସ୍ତ୍ର ନେଇ ସୁନ୍ଦରବନରେ ଦେଇଯିବାର କଥାଥିଲା । ମାତ୍ର ୟାନି ଲାର୍ସନ ଧରା ପଡ଼ିଯିବାରୁ ମାର୍କିନ ଯୁକ୍ତରାଷ୍ଟ୍ର ସରକାର ସମସ୍ତ ଅସ୍ତ୍ର ଶସ୍ତ୍ର ବାଜ୍ୟାପ୍ତ କରିନେଲେ । ମାଭେରିକ ବାଟେଭିୟାରେ ପହଞ୍ଚିଯିବା ପରେ ନରେନ୍ଦ୍ର ଭଟ୍ଟାଚାର୍ଯ୍ୟ ତହିଁରେ ଆମେରିକା ଗଲେ । ମାତ୍ର ସେଠାରେ ସେ ଧରାପଡ଼ି ବନ୍ଦୀ ହେଲେ । ଜର୍ମାନର ‘ହେନେରୀ-ଏସ୍‌’ ନାମକ ଆଉ ଖଣ୍ଡିଏ ଜାହାଜ ମାନିଲାରୁ ଅସ୍ତ୍ରନେଇ ଆସିବାବେଳେ ମଧ୍ୟ ଧରାପଡ଼ିଲା । ହାତିଆ ଓ ବାଲେଶ୍ୱରକୁ ଆଉ ଦୁଇଖଣ୍ଡ ଜାହାଜରେ ଅସ୍ତ୍ର ପଠାଇବା ଉଦ୍ୟମ ମଧ୍ୟ ବ୍ୟର୍ଥହେଲା ।

 

୧୯୧୨ ମସିହା ଡିସେମ୍ବର ମାସରେ ଲର୍ଡ ହାର୍ଡିଞ୍ଜଙ୍କ ଉପରେ ବୋମା ନିକ୍ଷେପ ଓ ଲାହୋରର ଲରେନ୍‌ସ ଗାର୍ଡନରେ ବୋମା ବିସ୍ଫୋରଣକୁ କେନ୍ଦ୍ରକରି ପୁଲିସ ଦିଲ୍ଲୀ ଓ ଲାହୋର ଷଡ଼ଯନ୍ତ୍ର ନାମରେ ମକଦ୍ଦମା ରୁଜୁ କରିଥିଲେ । ଏଥିରେ ଅମୀର ଚାନ୍ଦ, ଅବଧ ବିହାରୀ ବାଳମୁକୁନ୍ଦ ଓ ବସନ୍ତ ଦାସ ଫାଶୀ ଦଣ୍ଡରେ ଦଣ୍ଡିତ ହେଲେ । ମାତ୍ର ଦଳର ମୁଖ୍ୟ ରାସବିହାରୀ ଧରାପଡ଼ିଲେ ନାହିଁ ।

 

ପୁଲିସ ଅନୁସନ୍ଧାନ କରି ଜାଣିଲେ ଯେ ଏ ଦଳର ନେତାଙ୍କ ନାମ ରାସବିହାରୀ ରାୟ । ସେ ବ୍ରିଟିଶ ସରକାରଙ୍କର ବନ ବିଭାଗର ଜଣେ ଉଚ୍ଚପଦସ୍ଥ କର୍ମଚାରୀ । ଇଂଲଣ୍ଡେଶ୍ୱରୀଙ୍କ ପ୍ରତିନିଧି ଭାବେ ଦରବାର ଉପଲକ୍ଷେ ଲର୍ଡ ହାର୍ଡିଞ୍ଜ ହସ୍ତୀ ପୃଷ୍ଠରେ ଶୋଭାଯାତ୍ରାରେ ଯାଉଥିବାବେଳେ ଦିଲ୍ଲୀ ରାଜପଥରେ ଏକ କୋଠା ଉପରୁ ତାଙ୍କ ଉପରେ ଏକ ବୋମା ପଡ଼ିଥିଲା । ଲର୍ଡ ହାର୍ଡିଞ୍ଜ ରକ୍ଷା ପାଇଗଲେ ସତ, ମାତ୍ର ହାତୀର ମାହୁନ୍ତ ପ୍ରାଣ ହରାଇଲା । ଏ ବୋମା ନିକ୍ଷେପକାରୀ ଜଣେ ତରୁଣୀ । ତାଙ୍କ ନାମ ଲୀଳାବତୀ । ମାତ୍ର ପ୍ରକୃତରେ ସେ ତରୁଣୀ ନୁହନ୍ତି । ରାସବିହାରୀ ଛଦ୍ମ ବେଶରେ ଯାଇ ଏ ବୋମା ପକାଇଥିଲେ । ପୁଲିସ ପକ୍ଷରୁ ଯେତେ ଅନୁସନ୍ଧାନ କରାଗଲା ରାସବିହାରୀଙ୍କର ପତ୍ତା ମିଳିଲା ନାହିଁ ।

 

ରାସବିହାରୀ ଦିଲ୍ଲୀରୁ ପଳାଇ ଆସି କାଶୀରେ ଦୁଇଟି ସଙ୍ଗଠନ ପରିଚାଳନା କଲେ । ଏହି ସଙ୍ଗଠନର କର୍ମୀମାନେ ବୋମା ଓ ପିସ୍ତଲ ବ୍ୟବହାରର ପ୍ରଣାଳୀ ଶିକ୍ଷା କଲେ । ଏଠାରେ ରାସବିହାରୀଙ୍କ ସହ ଆଉଜଣେ ତରୁଣ ବିପ୍ଳବୀ ଆସି ଯୋଗଦେଲେ । ଏହାଙ୍କ ନାମ ଶଚୀନ୍ଦ୍ରନାଥ ସାନ୍ନ୍ୟାଲ । ଆମେରିକାରୁ ପ୍ରତ୍ୟାବର୍ତ୍ତନ କରିଥିବା ବିଷ୍ଣୁ ଗଣେଶ ଫିଙ୍ଗଲେ ମଧ୍ୟ ଏଠାକୁ ଆସି ଏ ଦଳରେ ଯୋଗ ଦେଲେ । ତାଙ୍କଠାରୁ ଜଣାଗଲା ଯେ ଆମେରିକାରୁ ବହୁ ବିପ୍ଳବୀ ଶିଖ ଭାରତକୁ ଫେରି ଆସୁଛନ୍ତି । ରାସବିହାରୀ ସେମାନଙ୍କୁ ବୋମା ଓ ପିସ୍ତଲ ବ୍ୟବହାରର ପ୍ରଣାଳୀ ଶିକ୍ଷାଦେବାକୁ ପ୍ରତିଶ୍ରୁତି ଦେଲେ ।

 

ଏହାପରେ ରାସବିହାରୀ ଓ ଶଚୀନ ଲାହୋର ଯାଇ ୧୯୧୫ ମସିହା ଫେବୃୟାରୀ ୨୧ ତାରିଖକୁ ସଶସ୍ତ୍ର ଅଦ୍ଭ୍ୟୁଥାନ ଦିବସ ରୂପେ ପାଳନ କରିବା ପାଇଁ ସ୍ଥିରକଲେ । ମାତ୍ର ପୁଲିସ ଏ ଖବର ପାଇ ଧରପଗଡ଼ ଆରମ୍ଭ କରିଦେଲେ । ରାସବିହାରୀ ପିଙ୍ଗଳେଙ୍କ ସହ କାଶୀ ଫେରି ଆସିଲେ । ପରେ ପିଙ୍ଗଳେ ମୀରଟ ଯାଇ ସୈନ୍ୟମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଥିବାବେଳେ ଧରାପଡ଼ି ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହେଲେ । ରାସବିହାରୀ କାଶୀରେ ଶଚୀନ ଓ ଗିରିଜାବାବୁଙ୍କୁ ଦଳ ପରିଚାଳନା ପାଇଁ ଦାୟିତ୍ୱ ଦେଲେ । ମାତ୍ର ସେ ଦୁହେଁ ଦଳର ବହୁ ସଦସ୍ୟଙ୍କ ସହ ଧରାପଡ଼ିଲେ । ଶଚୀନ ସାନ୍ନ୍ୟାଲ ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡିତ ହେଲେ ।

 

ପ୍ରଜାସ୍ୱାର୍ଥ ବିରୋଧି ଔପନିବେଶିକ ବିଲ୍‌ ପାସ ହେବାପରେ ୧୯୦୭ ମସିହାରେ ପଞ୍ଜାବର କୃଷକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଲାଲା ଲାଜପତ ରାୟ ଭାଇ ପରମାନନ୍ଦ ଓ ରାମଭୁଜ ଦତ୍ତ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ । ସରକାର ଆନ୍ଦୋଳନ ଦମନ ପାଇଁ ଏକ ମକଦ୍ଦମା ରୁଜୁ କରି ସର୍ଦ୍ଦାର ଅଜିତ ସିଂହ ଓ ଲାଲା ଲାଜପତ ରାୟଙ୍କୁ ଦେଶାନ୍ତର ଦଣ୍ଡଦେଲେ । ସର୍ଦ୍ଦାର ଅଜିତ ସିଂହ ପାରସ୍ୟ ପଳାଇଯାଇ ସେଠାରୁ ୟୁରୋପ ଯାତ୍ରା କଲେ । ଭାଇ ପରମାନନ୍ଦ ବୋମା ତିଆରି ପୁସ୍ତକ ରଖିଥିବା ଅଭିଯୋଗରେ ଯାବଜ୍ଜୀବନ ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡିତ ହେଲେ-। ମାତ୍ର ପରେ ତାଙ୍କୁ କ୍ଷମା ଦିଆଗଲା । ଲାଲା ହରଦୟାଲ ଇଂଲଣ୍ଡରୁ ଭାରତକୁ ଫେରି ଆସି ୧୯୧୧ ମସିହାରେ ପୁଣି କାଲିଫର୍ଣ୍ଣଆ ଯାତ୍ରାକଲେ । ସେ ଯୁକ୍ତରାଷ୍ଟ୍ର ଓ କାନାଡାର ଭାରତୀୟମାନଙ୍କୁ ଏକତ୍ର କରି ସେଠାରେ ବ୍ରିଟିଶ ବିରୋଧରେ ଆନ୍ଦୋଳନ ଚଳାଇଲେ ।

 

୧୯୧୦ ମସିହାରେ କାନାଡା ସରକାର ଭାରତୀୟଙ୍କ ବିରୋଧରେ ଇମିଗ୍ରେସନ ଆଇନ ପାସ କରାଇଥିଲେ । ତହିଁରେ ଉଲ୍ଲେଖ ଥିଲା ଯେ କୌଣସି ଏସିଆବାସୀ ଦୁଇଶତ ଡଲାର ନ ନେଇ କାନାଡାକୁ ଆସି ପାରିବେ ନାହିଁ । ନିଜ ଦେଶରୁ ସିଧା ସଳଖ ଟିକେଟ୍‌ ନେଇ କାନାଡା ଆସିବେ ଓ ବାଟରେ ଯାତ୍ରା ଭଙ୍ଗ କରିପାରିବେ ନାହିଁ । ସେତେବେଳେ ସିଧା ସଳଖ କାନାଡାକୁ ଜାହାଜ ନ ଥିଲା । ଚୀନ କିମ୍ୱା ଜାପାନରେ ଜାହାଜ ବଦଳ କରିବାକୁ ପଡ଼ୁଥିଲା । ଭାରତରୁ ଯେଉଁମାନେ କାନାଡା ଯାଉଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଶଂ ଶିଖ । ବ୍ୟବସାୟ ବାଣିଜ୍ୟ ବା ଚାକିରୀ ଉଦ୍ଦେଶ୍ୟରେ ସେମାନେ କାନାଡା ଯାଉଥିଲେ । ସେମାନେ ଗରିବ, ନିମ୍ନ ମଧ୍ୟବିତ୍ତ । କୌଣସିମତେ ଜାହାଜର ଟିକଟ ଖର୍ଚ୍ଚ ଯୋଗାଡ଼ କରିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇ ପଡ଼ୁଥିଲା । ଫଳରେ ଏଭଳି ଆଇନ ଯୋଗୁ ଶିଖମାନଙ୍କ ମନରେ ଅସନ୍ତୋଷ ଜାତ ହେଲା । ସେତେବେଳେ କାନାଡାରେ ପ୍ରାୟ ୧୫ ହଜାର ଶିଖ ବସବାସ କରୁଥିଲେ । ହରଦୟାଲଙ୍କ ନେତୃତ୍ଵରେ ସେମାନେ ଆନ୍ଦୋଳନ କଲେ । ମୋହନସିଂହ ଭାକଲା, ରାମଚନ୍ଦ୍ର ପେଶଓ୍ୟାରୀ ଓ ବରକତ୍‌ଉଲ୍ଲା ଆସି ହରଦୟାଲଙ୍କ ସହ ମିଳିତ ହେଲେ । କାନାଡାରୁ ଉର୍ଦ୍ଦୁ, ହିନ୍ଦା, ଗୁରୁମୁଖି ଓ ମରାଠି ଭାଷାରେ ‘ଗଦର’ ନାମକ ଏକ ପତ୍ରିକା ପ୍ରକାଶ ପାଇଲା । ମାର୍କିନ ସରକାର ଏଥିପାଇଁ ହରଦୟାଲଙ୍କୁ ବନ୍ଦୀ କଲେ । ମାତ୍ର ସେ ଜାମିନରେ ଆସି ୟୁରୋପ ପଳାଇଗଲେ । ଶିଖ୍‌ମାନେ କାନାଡାର ଇମିଗ୍ରେସନ ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ ।

 

ଏହି ସମୟରେ ବହୁ ଶିଖ୍‌ ହଂକଂ ଓ ସୁଦୂର ପ୍ରାଚ୍ୟରେ ନିରାଶ୍ରୟ ଭାବେ ଦିନ ବିତାଉଥିଲେ । ଶିଖ୍‌ନେତା ବାବା ଗୁରୁଜିତ ସିଂହ କାନାଡା ଆନ୍ଦୋଳନର ନେତୃତ୍ୱ ନେବାପାଇଁ କଲିକତାରୁ ହଂକଂ ଯାଇ ସେଠାରୁ ବହୁ ଶିଖଙ୍କ ସହିତ ‘କୋମାଗାଟା ମାରୁ’ ନାମକ ଏକ ଜାପାନୀ ଜାହାଜରେ କାନାଡା ଯାତ୍ରାକଲେ । ପଚାଶ ଦିନ ସମୁଦ୍ର ଯାତ୍ରା ପରେ ଚାରିଶହ ଶିଖ୍‌ଙ୍କୁ ନେଇ ‘କୋମାଗାଟା ମାରୁ’ କାନାଡାର ଭ୍ୟାଙ୍କୁଭର ବନ୍ଦରରେ ପହଞ୍ଚିଲା । ମାତ୍ର ସ୍ଥାନୀୟ କର୍ତ୍ତୃପକ୍ଷ ସେମାନଙ୍କୁ ବନ୍ଦରରେ ଓହ୍ଲାଇବାକୁ ଅନୁମତି ଦେଲେ ନାହିଁ । ଦୁଇମାସ ପରେ ‘କୋମାଗାଟା ମାରୁ’ ଭାରତ ଅଭିମୁଖେ ଫେରି ଆସିଲା । ଏହି ସମୟରେ ୟୁରୋପରେ ଯୁଦ୍ଧ ଆରମ୍ଭ ହୋଇଗଲା । ଯାତ୍ରୀମାନେ ସିଂଗାପୁର ଓ ହଂକଂ ରେ ଓହ୍ଲାଇବାପାଇଁ ଉଦ୍ୟମ କଲେ । ମାତ୍ର ବ୍ରିଟିଶ କର୍ତ୍ତୃପକ୍ଷ ତହିଁରେ ବାଧାଦେଲେ । କାନାଡାରୁ ନିରାଶ ହୋଇ ଫେରିଥିବା ଯାତ୍ରୀମାନଙ୍କର ବ୍ରିଟିଶ ବିରୋଧରେ କ୍ଷୋଭ ପ୍ରକାଶ ପାଇଲା ।

 

ଅବଶେଷରେ ୧୯୧୪ ମସିହା ସେପ୍ଟେମ୍ବର ୨୯ ତାରିଖରେ ଜାହାଜଟି ହୁଗୁଳି ବନ୍ଦରରେ ନଙ୍ଗର ପକାଇଲା । ମାତ୍ର’ ବ୍ରିଟିଶ ସରକାର ସେମାନଙ୍କୁ କଲିକତା ଯିବାପାଇଁ ନିଷେଧ କରି ସ୍ୱତନ୍ତ୍ର ରେଳ ଯୋଗେ ସିଧା ସଳଖ ପଞ୍ଜାବ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଲେ । ଶିଖ୍‌ମାନେ ଏ ଆଦେଶ ନ ମାନି କଲିକତା ଯାତ୍ରାକଲେ । ଫଳରେ ପୁଲିସ ଓ ଶିଖମାନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଗଲା । ଅଠରଜଣ ଶିଖ୍‌ ପ୍ରାଣ ହରାଇଲେ । ସନ୍ଧ୍ୟାବେଳେ ୨୯ ଜଣ ଶିଖଙ୍କ ସହ ବାବା ଗୁରୁଜିତ ସିଂହ ନିରୁର୍ଦ୍ଦିଷ୍ଟ ହୋଇଗଲେ । ଅବଶିଷ୍ଟ ଶିଖଙ୍କୁ ରେଳଯୋଗେ ପଞ୍ଜାବ ପଠାଇ ଦିଆଗଲା ।

 

‘କୋମାଗାଟା ମାରୁ’ର ଏଭଳି ଶୋଚନୀୟ ପରିଣତିର ସମ୍ୱାଦ ପାଇ ପ୍ରାୟ ୮ ହଜାର ଭାରତୀୟ କାନାଡ଼ାରୁ ସ୍ୱଦେଶକୁ ଫେରି ଆସିଲେ । ସେମାନେ ଭାରତରେ ପହଞ୍ଚିବା ସଙ୍ଗେ ସଙ୍ଗେ ସେମାନଙ୍କ ମଧ୍ୟରୁ ପ୍ରାୟ ୩ ହଜାର ଶିଖଙ୍କୁ ଗିରଫ କରାଗଲା । ୧୯୧୪ ମସିହା ଅକ୍ଟୋବର ବେଳକୁ ପଞ୍ଜାବରେ ବ୍ୟାପକ ଆନ୍ଦୋଳନ ଆରମ୍ଭ ହୋଇଗଲା । ଭାଇ ପରମାନନ୍ଦ, ରାସବିହାରୀ ବସୁ, ବିଷ୍ଣୁ ଗଣେଶ ପିଠଲେ, ଲାଲା ହରଦୟାଲ ଓ କର୍ତ୍ତାର ସିଂହ ପ୍ରମୁଖ ଏହାର ନେତୃତ୍ୱ ନେଲେ-। ସୈନ୍ୟ ବାହିନୀ ମଧ୍ୟରେ ବିଦ୍ରୋହର ପ୍ରଚେଷ୍ଟା ଚାଲିଲା । ଭାଇ ପରମାନନ୍ଦ ଜାପାନରୁ ଗୋଟିଏ ନକ୍‌ସା ଆଣିଥିଲେ । କେଉଁ କେଉଁ ସ୍ଥାନରେ ବିପ୍ଳବ ହେବ ଏବଂ ବିପ୍ଳବୀମାନେ କେଉଁବାଟେ ଯାଇ ସେଠାରେ ପହଞ୍ଚିବେ, ତହିଁରେ ତାହାର ନିର୍ଦ୍ଦେଶ ଥିଲା । ୧୯୧୫ ମସିହା ଫେବୃଆରୀ ୨୧ ତାରିଖକୁ ବିପ୍ଳବର ଦିନ ଧାର୍ଯ୍ୟ କରାଗଲା । ପରିକଳ୍ପନା କରାଗଲା ଯେ ଗୋଟିଏ ଦିନରେ ଏକୋଇଶିଟି ଯାକ ସେନା ଛାଉଣୀରେ ବିଦ୍ରୋହ କରାଯାଇ ଇଁରେଜମାନଙ୍କୁ ଏ ଦେଶରୁ ତଡ଼ି ଦିଆଯିବ । ମାତ୍ର ବ୍ରିଟିଶ ସରକାର ଏ ଖବର ପାଇ ବ୍ୟାପକ ଧରପଗଡ଼ ଆରମ୍ଭ କରିଦେଲେ । ବିପ୍ଳବ ବ୍ୟର୍ଥ ହେଲା । ଏହି ବିପ୍ଳବକୁ କେନ୍ଦ୍ରକରି ନଅଟି ଷଡ଼ଯନ୍ତ୍ର ମାମଲା ରୁଜୁ କରାଗଲା । କର୍ତ୍ତାର ସିଂହ, ପିଙ୍ଗଳେ ଓ ଜଗତରାମ ପ୍ରମୁଖ ୨୮ ଜଣ ପ୍ରାଣଦଣ୍ଡରେ ଦଣ୍ଡିତ ହେଲେ ଓ ବହୁ ବ୍ୟକ୍ତି ଯାବଜ୍ଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ । କର୍ତ୍ତାରସିଂହ ଯେତେବଳେ ଫାଶୀଦଣ୍ଡର ଆଦେଶ ଶୁଣିଲେ, ସେତେବେଳେ ସେ ବିଚାରପତିଙ୍କୁ କହିଲେ–‘ମୋତେ ଫାଶୀ ହୁକୁମ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । କାରଣ ସାରା ଜୀବନ ଜେଲରେ ରହିଥିଲେ ଦେଶ ପାଇଁ କିଛି କରିପାରି ନଥାନ୍ତି । ଏବେ ଫାଶୀ ହୋଇଯିବାରୁ ପୁଣି ଖୁବ୍‌ ଶୀଘ୍ର ଜନ୍ମଗ୍ରହଣ କରି ଦେଶପାଇଁ ଲଢ଼ିବି ଏବଂ ଫାଶୀ ଖୁଣ୍ଟରେ ଚଢ଼ିବି । ଯେ ପର୍ଯ୍ୟନ୍ତ ଭାରତ ସ୍ୱାଧୀନ ହୋଇ ନ ଥିବ, ସେ ପର୍ଯ୍ୟନ୍ତ ମୋର ଏପରି ଜନ୍ମମୃତ୍ୟୁ ଲାଗି ରହିଥିବ ।’

 

କର୍ତ୍ତାରସିଂହ କିପରି ବିପ୍ଳବୀ ଥିଲେ ତାହା ତାଙ୍କର ଗୋଟିଏ କବିତାରୁ ଜଣାପଡ଼େ । କବିତାଟିର ଅନୁବାଦ ହେଉଛି–

 

‘‘କିଏ ଯଦି ତୁମ ନାମ ପଚାରେ, ତୁମେ କୁହ ମୁଁ ବିଦ୍ରୋହୀ

ଜୁଲୁମ ବନ୍ଦ ଆମରି ପେଶା

ବିପ୍ଳବ କରିବା ଆମର ନିଶା

ଏହାହିଁ ଆମର ନମାଜ–ସନ୍ଧ୍ୟା

ପୂଜାପାଠ ଧରମ ଧନ୍ଦା ।

ଖୁଦା ଭଗବାନ ସବୁଟି ଏହି–ତୁମେ କୁହ ମୁଁ ବିଦ୍ରୋହୀ ।’’

 

ବିପ୍ଳବ ଆନ୍ଦୋଳନକୁ ଦମନ କରିବାପାଇଁ ସରକାରଙ୍କ ହାତରେ କି କି କ୍ଷମତା ରହିବା ଆବଶ୍ୟକ, ସେ ସମ୍ପର୍କରେ ସୁପାରିଶ କରିବାପାଇଁ ସରକାର ୧୯୧୭ ମସିହା ଡିସେମ୍ୱର ୧୭ ତାରିଖରେ ଲଣ୍ଡନ ହାଇକୋର୍ଟର ବିଚାରପତି ମିଃ ଜଷ୍ଟିସ ରାଉଲଟଙ୍କ ସଭାପତିତ୍ୱରେ ଗୋଟିଏ କମିଟି ଗଠନ କଲେ । ଏହି କମିଟିର ରିର୍ପୋଟ ୧୯୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ପ୍ରବଳ ବିରୋଧ ସତ୍ତ୍ୱେ କେନ୍ଦ୍ରୀୟ ବିଧାନସଭାରେ ଆଇନରେ ପରିଣତ ହେଲା । ଏହାର ନାମ ରାଓଲଟ ଏକ୍ଟ । ଏହାର ପ୍ରତିବାଦରେ ପଣ୍ଡିତ ମଦନ ମୋହନ ମାଲବ୍ୟ, ମିଃ ଏମ୍‌. ଏ. ଜିହ୍ନା ଓ ପଣ୍ଡିତ ବିଷ୍ଣୁଦତ୍ତ ଶୁକ୍ଳ କେନ୍ଦ୍ରୀୟ ଆଇନ ସଭାର ସଦସ୍ୟ ପଦରୁ ଇସ୍ତଫା ଦେଲେ । କମିଟି ଯେଉଁ ରିପୋର୍ଟ ଦେଲେ ତହିଁରେ ଉଲ୍ଲେଖ ଥିଲା–

 

‘‘କୌଣସି ବ୍ୟକ୍ତି ପ୍ରକାଶ ବା ପ୍ରଚାର ଉଦ୍ଦେଶ୍ୟରେ ନିଜ ପାଖରେ ନିଷିଦ୍ଧ କାଗଜପତ୍ର ରଖିଲେ ଦଣ୍ଡନୀୟ ହେବେ । ରାଷ୍ଟ୍ର ବିରୋଧ ଅପରାଧରେ ଦଣ୍ଡିତ ବ୍ୟକ୍ତିମାନଙ୍କ ଗତିବିଧି ମୁକ୍ତିଲାଭ ପରେ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ । ଜୁରୀ ବା ଆସେସରଙ୍କ ବ୍ୟତୀତ ତିନି ଜଣ ଜଜ୍‌ଙ୍କୁ ନେଇ ଗଠିତ ବେଞ୍ଚ ରାଜଦ୍ରୋହାତ୍ମକ ମାମଲାର ବିଚାର କରି ପାରିବେ । ବେଞ୍ଚର ରାୟ ବିରୋଧରେ ଅପିଲ କରାଯାଇ ପାରିବ ନାହିଁ । ସନ୍ଦେହ-ଭାଜନ ବ୍ୟକ୍ତିମାନଙ୍କ ବାସସ୍ଥାନର ଇଲାକା ନିର୍ଦ୍ଦିଷ୍ଟ କରାଯାଇ ପାରିବ ଏବଂ ନିୟମିତ ପୁଲିସ ନିକଟରେ ହାଜିରା ଦେବାପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇ ପାରିବ । ସନ୍ଦେହ କ୍ରମେ ପରଓ୍ୟାନା ସହ ଗିରଫଦାର କରାଯାଇ ପାରିବ । ବନ୍ଦୀମାନଙ୍କୁ କଏଦିଖାନା ବ୍ୟତୀତ ଅନ୍ୟତ୍ର ମଧ୍ୟ ରଖାଯାଇ ପାରିବ ।’’

 

ରାଓଲଟ କମିଟିର ଏ ରିପୋର୍ଟ ପ୍ରକାଶିତ ହେବାପରେ ଦେଶବ୍ୟାପୀ ତୀବ୍ର ଗଣବିକ୍ଷୋଭ ଦେଖାଦେଲା ।

 

ଛଅବର୍ଷ କାରାଦଣ୍ଡ ଭୋଗ କରିବାପରେ ତିଳକ ମୁକ୍ତି ପାଇଲେ । ୧୯୧୫ ମସିହାରେ ଗଣତାନ୍ତ୍ରିକ ଭିତ୍ତିରେ କଂଗ୍ରେସର ନିୟମାବଳୀ ପରିବର୍ତ୍ତିତ ହେବାରୁ ସଦଳବଳେ ସେ କଂଗ୍ରେସରେ ଯୋଗଦେଲେ । ବଙ୍ଗଳାର ଶ୍ରୀ ଚିତ୍ତରଞ୍ଜନ ଦାସ ମଧ୍ୟ କଂଗ୍ରେସରେ ଯୋଗଦେଲେ ଓ ଲାଲା ଲାଜପତରାୟ କଂଗ୍ରେସକୁ ଫେରି ଆସିଲେ । ଏହି ସମୟର ବିଶେଷ ଉଲ୍ଲେଖଯୋଗ୍ୟ ଘଟନା–ଶ୍ରୀମତୀ ଆନି ବେଶାନ୍ତଙ୍କ କଂଗ୍ରେସରେ ଯୋଗଦାନ ଓ ଭାରତୀୟ ରାଜନୈତିକ ଆନ୍ଦୋଳନରେ ଅଂଶ ଗ୍ରହଣ । ଦେଶବ୍ୟାପୀ ହୋମରୁଲ ଆନ୍ଦୋଳନ ଆରମ୍ଭ ହୋଇଯିବାରୁ ବ୍ରିଟିଶ ସରକାର ଶଙ୍କିତ ହୋଇ ୧୯୧୭ ମସିହାରେ ଶ୍ରୀମତୀ ବେଶାନ୍ତ, ଅରୁଣ୍ଡଲେ ଓ ଓ୍ୟାୟାଜିୟାଙ୍କୁ ଅଟକବନ୍ଦୀ କଲେ । ଆନ୍ଦୋଳନର ତୀବ୍ରତା ହ୍ରାସ ପାଇଁ ବ୍ରିଟିଶ ସରକାର ଗୋଟିଏ ଶାସନ ସଂସ୍କାର ପ୍ରବର୍ତ୍ତନ ପାଇଁ ମଧ୍ୟ ମନ ବଳାଇଲେ ।

 

୧୮୫୭ ମସିହାର ସିପାହୀଯୁଦ୍ଧରେ ଇଂରେଜ ସରକାର ଦେଖିଲେ ଯେ ଇଷ୍ଟଇଣ୍ଡିଆ କମ୍ପାନୀ ହାତରେ ଭାରତ ଶାସନ ଦାୟିତ୍ଵ ଦେବା ଆଉ ସମୀଚୀନ ହେବ ନାହିଁ । ତେଣୁ ୧୮୫୮ ମସିହାରେ ଲର୍ଡ ଡାର୍ବେ (Lord Derby)ଙ୍କ ନେତୃତ୍ଵରେ ପାର୍ଲାମେଣ୍ଟରେ ଏକ ଆଇନ ପାସ ହେଲା । ଭାରତର ଶାସନ ଦାୟିତ୍ୱ ଇଂଲଣ୍ଡର ରାଣୀ ଭିକ୍ଟୋରିୟା ସ୍ୱହସ୍ତରେ ଗ୍ରହଣ କଲେ । ପୂର୍ବେ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଓ ଡିରେକ୍ଟରମାନେ ଯେଉଁ କ୍ଷମତା ପ୍ରୟୋଗ କରୁଥିଲେ, ତାହା ଇଂଲଣ୍ଡର ଜଣେ ମନ୍ତ୍ରୀ ଗ୍ରହଣ କଲେ । ଏହି ମନ୍ତ୍ରୀ ଭାରତ ସଚୀବ ବା ‘ସେକ୍ରେଟେରୀ ଅଫ୍‌ ଷ୍ଟେଟ ଫର ଇଣ୍ଡିଆ’ ନାମରେ ପରିଚିତ ହେଲେ । ଗଭର୍ଣ୍ଣର ଜେନେରାଲ ରାଣୀଙ୍କ ପ୍ରତିନିଧି ବା ଭାଇସରାୟ ରହିଲେ ।

 

୧୮୬୧ ଖ୍ରୀଷ୍ଟାବ୍ଦରେ ଭାରତୀୟ କାଉନସିଲ ସଂକ୍ରାନ୍ତ ଆଇନ ନାମକ ଗୋଟିଏ ଆଇନ ପାର୍ଲାମେଣ୍ଟରେ ଗୃହୀତ ହେଲା । ଏହାଦ୍ୱାରା ଭାରତୀୟ ବ୍ୟବସ୍ଥାପକ ସଭାର ସଭ୍ୟ ସଂଖ୍ୟା ବୃଦ୍ଧିପାଇଲା ଏବଂ ଗଭର୍ଣ୍ଣର ଜେନେରାଲଙ୍କ ଦ୍ୱାରା କେତେଜଣ ବେସରକାରୀ ସଦସ୍ୟ ଗ୍ରହଣର ବିଧି ରହିଲା । ଏହି ସମୟରେ ପ୍ରାଦେଶିକ ବ୍ୟବସ୍ଥାପକ ସଭା ଗଠନର ନିୟମ ମଧ୍ୟ ଗୃହୀତ ହେଲା । ୧୮୬୧ ରେ ମାନ୍ଦ୍ରାଜ ଓ ବମ୍ୱେ, ୧୮୬୨ରେ ବଙ୍ଗଳା, ୧୮୬୬ରେ ଯୁକ୍ତ ପ୍ରଦେଶ ଓ ୧୮୯୭ ରେ ପଞ୍ଜାବରେ ବ୍ୟବସ୍ଥାପକ ସଭା ପ୍ରତିଷ୍ଠିତ ହେଲା ।

 

୧୮୮୫ ମସିହାରେ ପ୍ରତିଷ୍ଠିତ ଜାତୀୟ କଂଗ୍ରେସ ଏହି ବ୍ୟବସ୍ଥାରେ ସନ୍ତୁଷ୍ଟ ନ ହୋଇ ଆଇନ ପ୍ରଣୟନ ପୂର୍ବକ ନିର୍ବାଚିତ ପ୍ରତିନିଧିର ସହଯୋଗିତା ଦାବୀକଲେ । ଫଳରେ ୧୮୯୨ ମସିହାରେ ବଡ଼ଲାଟ ଲର୍ଡ ଡଫରିନ୍‌ ଓ ଲ୍ୟାନ୍‌ସ ଡାଉନଙ୍କ ପରାମର୍ଶ ଅନୁସାରେ କାଉନସିଲ ସଂକ୍ରାନ୍ତ ପୁଣି ଏକ ଆଇନ ପାସ ହେଲା । ଏହାଦ୍ୱାରା ଭାରତୀୟ ଓ ପ୍ରାଦେଶିକ ବ୍ୟବସ୍ଥାପକ ସଭା ଗୁଡ଼ିକର ସଭ୍ୟ ସଂଖ୍ୟା ବୃଦ୍ଧିପାଇଲା । ମନୋନୀତ ସଭ୍ୟମାନଙ୍କ ମଧ୍ୟରୁ ଯେଉଁମାନେ ସରକାରୀ କର୍ମଚାରୀ ନୁହନ୍ତି, ସେମାନଙ୍କୁ ମ୍ୟୁନିସପାଲିଟି ଜିଲାବୋର୍ଡ ପ୍ରଭୃତିର ମତ ଅନୁସାରେ ମନୋନୟନ କରାଗଲା । ପୁଣି ପ୍ରାଦେଶିକ ବ୍ୟବସ୍ଥାପକ ସଭାର ବେସରକାରୀ ସଭ୍ୟମାନଙ୍କ ଦ୍ୱାରା ମନୋନୀତ ହୋଇ ଭାରତୀୟ ବ୍ୟବସ୍ଥାପକ ସଭାର ସଭ୍ୟ ରହିଲେ । ଫଳରେ ପରୋକ୍ଷ ଭାବରେ ଦେଶବାସୀଙ୍କର ନିର୍ବାଚିତ କେତେଜଣ ପ୍ରତିନିଧି ବ୍ୟବସ୍ଥାପକ ସଭା ସମୂହକୁ ଯାଇପାରିଲେ ।

 

୧୮୯୨ ମସିହାର ଆଇନଦ୍ୱାରା ବ୍ୟବସ୍ଥାପକ ସଭା ଗୁଡ଼ିକର ଅଧିକାର ମଧ୍ୟ ବୃଦ୍ଧି ପାଇଲା । ଅର୍ଥ ଓ ଶାସନ କାର୍ଯ୍ୟ ସମ୍ପର୍କରେ ସରକାରଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ସଭ୍ୟମାନେ ପାଇଲେ । ମାତ୍ର କଂଗ୍ରେସ ଏଥିରେ ସନ୍ତୁଷ୍ଟ ହେଲାନାହିଁ । କଂଗ୍ରେସର ଦାବୀ ଉପସ୍ଥାପନ ଫଳରେ ଭାରତ ସଚୀବ ଲର୍ଡ ମର୍ଲେ ଓ ବଡ଼ଲାଟ ଲର୍ଡ ମିଣ୍ଟୋଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ୧୯୦୯ ମସିହାରେ ପାର୍ଲାମେଣ୍ଟରେ ଭାରତୀୟ କାଉନସିଲ ଆଇନ ପାସ ହେଲା । ଏହାଦ୍ୱାରା ସଭ୍ୟସଂଖ୍ୟା ବୃଦ୍ଧି ପାଇଲା । ମାତ୍ର ଏହା ଏପରି ଭାବରେ ହେଲା ଯେ ଦେଶର ଜନମତ ପ୍ରକୃତ ଭାବରେ ପ୍ରତିଫଳିତ ହୋଇପାରିଲା ନାହିଁ । ଏତିକିବେଳେ ବଡ଼ଲାଟଙ୍କ ଇଙ୍ଗିତରେ ଆଗା ଖାଁ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦାବୀ କଲେ ଯେ ମୁସଲମାନ ପ୍ରତିନିଧିମାନେ କେବଳ ମୁସଲମାନ ମାନଙ୍କ ଦ୍ୱାରା ନିର୍ବାଚିତ ହେବେ । ଫଳରେ କଂଗ୍ରେସର ଦାବୀ କେତେକାଂଶରେ ବାଧା ପାଇଲା । ଯାହାହେଉ ୧୯୧୩ ମସିହାରେ ମୁସଲିମଲିଗ୍‌ରୁ ଆଗା ଖାଁ ପ୍ରମୁଖ ପ୍ରତିକ୍ରୀୟା ପନ୍ଥୀମାନେ ବିଦାୟ ନେଲେ ଏବଂ ମିଃ ଜିନ୍ନା ପ୍ରମୁଖ ପ୍ରଗତିବାଦୀମାନେ ଯୋଗଦାନ କରିବାକୁ ମୁସଲିମଲିଗ୍‌ ଓ କଂଗ୍ରେସ ମଧ୍ୟରେ ମତୈକ୍ୟର ପଥ ସୁଗମ ହୋଇଗଲା । ୧୯୧୬ ମସିହାରେ ଭବିଷ୍ୟତ ଶାସନ ସଂସ୍କାର ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଗଲା ।

 

୧୯୧୭ ମସିହା ଅଗଷ୍ଟ ମାସ ୨୦ ତାରିଖରେ ଭାରତ ସଚୀବ ମଣ୍ଟେଗୁ ପାର୍ଲାମେଣ୍ଟରେ ଘୋଷଣା କଲେ ଯେ ଭାରତର ଦାୟିତ୍ୱପୂର୍ଣ୍ଣ ଶାସନ ପଦ୍ଧତି ପ୍ରବର୍ତ୍ତନ କରାଯିବ । ୧୯୧୯ ମସିହାରେ ଏଥିପାଇଁ ଯେଉଁ ଆଇନର ଖସଡ଼ା କରାଗଲା, ତହିଁରେ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱାୟତ୍ତ ଶାସନ, କୃଷି ଓ ଶିଳ୍ପ ପ୍ରଭୃତିର ଦାୟିତ୍ୱ ଦେଶୀୟ ମନ୍ତ୍ରୀମାନଙ୍କ ହାତରେ ନ୍ୟସ୍ତ କରାଗଲା । ମାତ୍ର ପ୍ରକୃତ ପକ୍ଷେ ସ୍ୱାୟତ୍ତ ଶାସନ ଅଧିକାର ନ ମିଳିବାରୁ କଂଗ୍ରେସ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ସହିତ ସହଯୋଗ କରିବାକୁ ଅସ୍ୱୀକାର କଲା ।

 

୧୯୧୯ ମସିହା ମାର୍ଚ୍ଚ ମାସ ୧୮ ତାରିଖରେ ଗଭର୍ଣ୍ଣମେଣ୍ଟ ସରକାରୀ ସଦସ୍ୟମାନଙ୍କ ଦ୍ୱାରା ରାଉଲଟ ବିଲ୍‌ ପାସ କରାଇନେଲେ । ଗାନ୍ଧିଜୀ ଏହାର ଅଳ୍ପଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଫେରି ରାଜନୀତିରେ ଅଂଶ ଗ୍ରହଣ ପୂର୍ବକ ବର୍ଦ୍ଦୋଳି ଓ ଚମ୍ପାରଣ ସତ୍ୟାଗ୍ରହରେ ଯଶସ୍ୱୀ ହୋଇ ଥାଆନ୍ତି । ସେ ଏ ବିଲ ବିରୋଧରେ ସତ୍ୟାଗ୍ରହ କରିବାପାଇଁ ଘୋଷଣା କଲେ । ଅପ୍ରେଲ ୬ ତାରିଖରେ ସମଗ୍ର ଭାରତରେ ହରତାଳପାଇଁ ଗାନ୍ଧିଜୀ ଆବେଦନ କଲେ । ଦିଲ୍ଲୀ ଓ ଅମୃତସରରେ ପୁଲିସଙ୍କ ଦ୍ୱାରା ହରତାଳକୁ ଦମନ କରାଗଲା । ପଞ୍ଜାବରେ କେତେକ ସ୍ଥାନରେ ବ୍ୟାପକ ବିକ୍ଷୋଭ ଦେଖାଦେଲା-। ଫଳରେ ସରକାର ଡକ୍ଟର ସତ୍ୟପାଳ ଓ ଡକ୍ଟର କିଚୁଲୁଙ୍କୁ ଗିରଫ କଲେ । ଏହାର ପ୍ରତିବାଦରେ ଅପ୍ରେଲ ୨୩ ତାରିଖରେ ଅମୃତସରର ଜାଲିଆନାଓ୍ୟାଲା ବାଗଠାରେ ଏକ ସଭା ଆହୂତ ହେଲା । ସଭା ଭାଙ୍ଗିବାପାଇଁ ସରକାରଙ୍କ ତରଫରୁ ଗୁଳି ଚାଳନା କରାଗଲା । ଏଥିରେ ସରକାରୀ ଭାବେ ତିନି ଶହ ଅଣାଅଶୀ ଓ ବେସରକାରୀ ଭାବେ ପ୍ରାୟ ଏକ ହଜାର ଲୋକ ନିହତ ହେଲେ । ଏଣେ ବିଶ୍ୱଯୁଦ୍ଧ ପରେ ତୁରସ୍କର ଅଙ୍ଗଚ୍ଛେଦ କରାଯିବାରୁ ମୁସଲମାନମାନେ ବିକ୍ଷୁବ୍ଧ ହୋଇ ଖିଲାଫତ ଆନ୍ଦୋଳନ ଆରମ୍ଭ କଲେ ଓ ଭାରତୀୟ ଜାତୀୟ ଆନ୍ଦୋଳନ ସହ ହାତ ମିଳାଇଲେ ।

 

୧୯୨୦ ମସିହା ସେପ୍ଟେମ୍ବର ମାସରେ ଲାଲା ଲାଜପତରାୟଙ୍କ ପୌରୋହିତ୍ୟରେ କଂଗ୍ରେସର ଏକ ଅଧିବେଶନ ବସି ଅସହଯୋଗ ପ୍ରସ୍ତାବର ଆଲୋଚନା କରାଗଲା । ଏହା ପୂର୍ବରୁ ଅଗଷ୍ଟ ପହିଲାରେ ତିଳକ ପ୍ରାଣତ୍ୟାଗ କରି ସାରିଥିଲେ । ଚିତ୍ତରଞ୍ଜନ ପ୍ରଥମେ ଅସହଯୋଗ ଆନ୍ଦୋଳନର ବିରୋଧ କରିଥିଲେ ହେଁ ଡିସେମ୍ୱର ମାସରେ ନାଗପୁର କଂଗ୍ରେସରେ ସମର୍ଥନ କଲେ । ସ୍କୁଲ-କଲେଜ, ଅଦାଲତ ଓ ଆଇନ ସଭା ବର୍ଜ୍ଜନ ପାଇଁ ଆହ୍ଵାନ ଦେଇ ଗାନ୍ଧିଜୀ ଗଣ ସତ୍ୟାଗ୍ରହ ଆରମ୍ଭ କରିଦେଲେ । ୧୯୨୧ ମସିହା ନଭେମ୍ୱର ମାସର ୨୧ ତାରିଖରେ ପ୍ରିନ୍‌ସ ଅବ୍‌ ୱେଲସଙ୍କ ଭାରତ ଆଗମନ ଉପଲକ୍ଷେ ହରତାଳ ପାଳିତ ହେଲା । ଏହି ସମୟରେ ଅର୍ଡିନାନସ୍‌ ଦ୍ୱାରା ସ୍ୱେଚ୍ଛାସେବକ ବାହିନୀ ବେ-ଆଇନ ଘୋଷିତ ହେଲା ଏବଂ ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଓ ଜବାହାରଲାଲ ପ୍ରମୁଖ ଗିରଫ ହେଲେ ।

 

୧୯୨୨ ମସିହା ଫେବୃୟାରୀ ୫ ତାରିଖରେ ପୁଲିସ ଅତ୍ୟାଚାରରେ ଉତ୍‌କ୍ଷିପ୍ତ ହୋଇ ଯୁକ୍ତ ପ୍ରଦେଶର ଚୌରିଚୌରା ଥାନାର ଜଣେ ଦାରୋଗା ଓ ୨୧ ଜଣ କନେଷ୍ଟବଳଙ୍କୁ ଲୋକେ ନିଆଁରେ ପୋଡ଼ି ମାରିଦେଲେ । ଏହା ଚୌରିଚୌରା ହତ୍ୟାକାଣ୍ଡ ନାମରେ ପ୍ରସିଦ୍ଧ । ଏ ସମ୍ୱାଦ ପାଇ ଗାନ୍ଧିଜୀ ବଦ୍ଦୌଳୀରେ ବସିଥିବା କଂଗ୍ରେସ ଓ୍ୟାର୍କିଂ କମିଟି ଅଧିବେଶନରେ ସତ୍ୟାଗ୍ରହ ପ୍ରତ୍ୟାହାର କରିନେଲେ । ଏହାର ପ୍ରତିକ୍ରିୟା ସ୍ୱରୂପ ୧୯୨୩ ମସିହା ଅଗଷ୍ଟ ମାସ ୩ ତାରିଖରେ ଶଙ୍ଖାରୀଟୋଲା ପୋଷ୍ଟ ଅଫିସ ଲୁଣ୍ଠିତ ହେଲା । ୧୯୨୪ ମସିହା ଜାନୁୟାରୀ ୧୨ ତାରିଖରେ ପୁଲିସ କମିଶନରେ ଟେଗାର୍ଟଙ୍କ ଭ୍ରମରେ କିଲବର୍ଣ୍ଣ କମ୍ପାନୀର ମିଃ ଡେ ନାମକ ଜଣେ କର୍ମଚାରୀଙ୍କୁ ଗୋପୀନାଥ ସାହା ନାମକ ଜଣେ ଯୁବକ ଗୁଳିକରି ହତ୍ୟା କଲେ । ହାଇକୋର୍ଟ ବିଚାରରେ ଫେବୃୟାରୀ ୬ ତାରିଖରେ ତାଙ୍କର ଫାଶୀ ହେଲା ।

 

ଏହାପରେ ଫରିଦପୁରରେ ଦୁଇଟି ବୋମା କାରଖାନା ଆବିଷ୍କୃତ ହେବାରୁ ବଙ୍ଗଳାରେ ବିପ୍ଳବବାଦର ଆତ୍ମପ୍ରକାଶରେ ଶଙ୍କିତ ହୋଇ ସରକାର ୧୯୨୪ ମସିହା ଅକ୍ଟୋବର ୨୫ ତାରିଖରେ ଏକ ଅର୍ଡିନାନସ୍‌ ବଳରେ ୬୩ ଜଣଙ୍କୁ ଅଟକବନ୍ଦୀ କଲେ । ଏମାନଙ୍କ ମଧ୍ୟରେ ସୁଭାଷ ଚନ୍ଦ୍ର ବୋଷ, ସତ୍ୟେନ୍ଦ୍ର ଚନ୍ଦ୍ର ମିତ୍ର ଓ ଅନିଲ ବରଣ ରାୟ ପ୍ରମୁଖ ପ୍ରଧାନ ।

 

୧୯୨୫ ମସିହା ଶେଷ ଆଡ଼କୁ କଲିକତାର ଦକ୍ଷିଣେଶ୍ୱର ଅଞ୍ଚଳରେ ଏକ ବୋମା କାରଖାନା ମଧ୍ୟ ଧରାପଡ଼ିଲା । ଏଥିରେ ଅଭିଯୁକ୍ତ ବ୍ୟକ୍ତିମାନେ ଆଲିପୁର ଜେଲରେ ଥିବାବେଳେ ଆଇ. ବି. ଅଫ ପୁଲିସର ସୁପରିନ୍‌ଟେଣ୍ଡଣ୍ଟ ସେମାନଙ୍କୁ ପଚରା ଉଚୁରା କରିବାକୁ ଯାଉଥିଲେ । ୧୯୨୬ ମସିହା ମଇମାସ ୨୮ ତାରିଖରେ ସେ ସେହି ଜେଲରେ ନିହତ ହେଲେ । ଏ ଘଟନାରେ ଅନନ୍ତହରି ମିତ୍ର ଓ ପ୍ରମୋଦ ଚୌଧୁରୀ ଫାଶି ପାଇଲେ ଓ ଆଉ କେତେ ଜଣ ଦ୍ୱୀପାନ୍ତର ଦଣ୍ଡରେ ପଣ୍ଡିତ ହେଲେ ।

 

୧୯୨୫ ମସିହାର ସର୍ବାପେକ୍ଷା ଉଲ୍ଲେଖଯୋଗ୍ୟ ଘଟନା–କାକୋରି ଷଡ଼ଯନ୍ତ୍ର ମାମଲା-। ବନାରସ ଷଡ଼ଯନ୍ତ୍ର ଘଟନାରେ ଦଣ୍ଡିତ ହୋଇଥିବା ଶ୍ରୀ ଶଚୀନ ସାନ୍ନ୍ୟାଲ ମଣ୍ଟେଗୁ ଚେମସଫୋର୍ଡ଼ ଶାସନ ସଂସ୍କାର କାଳରେ ମୁକ୍ତିଲାଭ କଲେ । ଏହାପରେ ସେ ଲକ୍ଷ୍ନୌ ଆସି ନୂତନ ଦଳ ଗଠନ କଲେ । ଏହାର କେତେଦିନ ପରେ ୧୯୨୫ ମସିହା ଅଗଷ୍ଟ ୯ ତାରିଖରେ ଆଉଧ-ରୋହିଲାଖଣ୍ଡ ରେଳପଥର କାକୋରୀ ଷ୍ଟେସନରେ ୮ ନମ୍ୱର ଡାଉନ ପାସେଞ୍ଜର ଟ୍ରେନ ଲୁଣ୍ଠିତ ହେଲା । ଏ ଘଟନାରେ ଏକ ମକଦ୍ଦମା ରୁଜୁ କରାଗଲା । ଶଚୀନ୍ଦ୍ର ନାଥ ଓ ଅନ୍ୟ କେତେଜଣ ଦାର୍ଘ ମିଆଦ କାରାଦଣ୍ଡରେ ଦଣ୍ଡିତ ହେଲେ । ରାଜେନ ଲାହିଡ଼ି, ରୋଶନ ସିଂହ, ଆସଫାକ ଉଲ୍ଲା ଓ ରାମ ପ୍ରସାଦ ବିସମିଲ୍ଲା ଫାଶୀଦଣ୍ଡ ପାଇଲେ । ଏହି ସମୟରେ ଜଣେ ତହସିଲଦାରଙ୍କ ଉତ୍ପୀଡ଼ନରେ ଉତ୍ପୀଡ଼ିତ ହୋଇ ଶ୍ରୀରାମ ରାଜୁ ନାମକ ଦକ୍ଷିଣ ଭାରତର ଜଣେ ବ୍ୟକ୍ତି ବିଦ୍ରୋହୀ ହୋଇଥିଲେ । ସରକାରଙ୍କ ସହିତ ତାଙ୍କ ଦଳର ଦୀର୍ଘ ଦିନଧରି ସଶସ୍ତ୍ର ସଂଗ୍ରାମ ହେବା ପରେ ୧୯୨୪ ମସିହା ମଇମାସରେ ସେ ପରାଜିତ ହେଲେ ।

 

୧୯୨୪ ମସିହାରେ ମୋତିଲାଲ ପ୍ରମୁଖଙ୍କର କାରାଗାରରୁ ଖଲାସ, ଚିତ୍ତରଞ୍ଜନଙ୍କ ପରଲୋକ, ଗାନ୍ଧିଜୀଙ୍କ ଗିରଫଦାରୀ ଓ ହିନ୍ଦୁ ମୁସଲମାନ ଦଙ୍ଗା ଉଲ୍ଲେଖଯୋଗ୍ୟ ଘଟନା । ୧୯୨୬ ମସିହାରେ ଆର୍ଯ୍ୟ ସମାଜ ନେତା ସ୍ୱାମୀ ଶ୍ରଦ୍ଧାନନ୍ଦ ଜଣେ ମୁସଲମାନ ଦ୍ୱାରା ନିହତ ହେଲେ । ଏ ସବୁ ଘଟନାରେ ବ୍ରିଟିଶ ସରକାର ହୃଦୟଙ୍ଗମ କଲେ ଯେ ଭାରତବାସୀଙ୍କ ଆଶା-ଆକାଂକ୍ଷା ପୂରଣ ହୋଇନାହିଁ । ତେଣୁ ନୂତନ ଶାସନ ସଂସ୍କାର ପ୍ରବର୍ତ୍ତନ ପାଇଁ ଗୋଟିଏ କମିଶନ ବସାଇଲେ । ଏହାର ନାମ ସାଇମନ କମିଶନ । ୧୯୨୮ ମସିହାରେ କମିଶନ ଭାରତକୁ ଆସିଲେ । ମାତ୍ର ଏଥିରେ କୌଣସି ଭାରତୀୟଙ୍କୁ ସଭ୍ୟ କରା ନ ଯିବାରୁ କଂଗ୍ରେସ କମିଶନ ବର୍ଜନ ପାଇଁ ସିଦ୍ଧାନ୍ତ ଗ୍ରହଣ କଲା ।

 

କମିଶନ ଫେବୃୟାରୀ ୩ ତାରିଖରେ ବମ୍ୱେରେ ପହଞ୍ଚିବା ମାତ୍ରେ ବିକ୍ଷୋଭ ପ୍ରଦର୍ଶନ କରାଗଲା । ଲାହୋରର ଏକ ବିକ୍ଷୋଭ ଶୋଭାଯାତ୍ରାରେ ନେତୃତ୍ଵ ନେଇଥିବା ବେଳେ ଲାଲା ଲାଜପତରାୟ ପୁଲିସର ଲାଠିମାଡ଼ରେ ଗୁରୁତର ଭାବରେ ଆହତ ହେଲେ । ଏହାର କେତେଦିନ ପରେ ସେ ପରଲୋକ ଗମନ କଲେ । ପଣ୍ଡିତ ଜବାହାର ମଧ୍ୟ ଲକ୍ଷ୍ନୌରେ ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ ପୁଲିସ ଦ୍ୱାରା ନିଗୃହୀତ ହେଲେ ।

 

କଂଗ୍ରେସ କମିଶନ ବର୍ଜନ କରି ଦିଲ୍ଲୀରେ ଏକ ସର୍ବଦଳୀୟ ସମ୍ମିଳନୀରେ ମିଳିତ ହେଲେ । ଏଠାରେ ମୋତିଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଡୋମିନିୟନ ଷ୍ଟେଟସ୍‌ ଭାରତର ଦାବୀ ରୂପେ ଘୋଷଣା କଲେ । କଲିକତା କଂଗ୍ରେସରେ ନେହେରୁ କମିଟି ରିପୋର୍ଟ ଗୃହୀତ ହୋଇଗଲା । ବ୍ରିଟିଶ ସରକାରଙ୍କୁ ଜଣାଇ ଦିଆଗଲା ଯେ ୧୯୩୦ ମସିହା ଡିସେମ୍ୱର ୩୧ ତାରିଖ ସୁଦ୍ଧା ସରକାର ଭାରତର ଦାବୀ ମାନି ନ ନେଲେ ଖଜଣାବନ୍ଦ ଆନ୍ଦୋଳନ ଆରମ୍ଭ ହେବ । ମାତ୍ର ବଙ୍ଗଳାର ଚରମପନ୍ଥୀମାନେ ଏଥିରେ ସନ୍ତୁଷ୍ଟ ହେଲେ ନାହିଁ । ସେମାନେ ସୁବାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ପୂର୍ଣ୍ଣ ସ୍ୱାଧୀନତା ଦାବୀ କଲେ । ଜବାହାରଲାଲ ମଧ୍ୟ ଏକ ସଂଶୋଧନ ପ୍ରସ୍ତାବ ଆଗତ କଲେ । ମାତ୍ର ପରିଶେଷରେ ଗାନ୍ଧିଜୀଙ୍କ ପ୍ରଭାବରେ ଡୋମିନିୟନ ଷ୍ଟେଟସ୍‌ ପ୍ରସ୍ତାବ ହିଁ ଗୃହୀତ ହେଲା ।

 

ସାଇମନ କମିଶନ ବର୍ଜ୍ଜନ ଆନ୍ଦୋଳନକୁ କେନ୍ଦ୍ରକରି ବ୍ରିଟିଶ ସରକାର ଯେଉଁ ଦମନନୀତି ପ୍ରୟୋଗ କଲେ ତହିଁରେ ସାରାଦେଶ ବିକ୍ଷୁବ୍ଧ ହୋଇ ଉଠିଲା । ଏଥିପାଇଁ ମୀରଟରେ ଯେଉଁ ଷଡ଼ଯନ୍ତ୍ର ହେଲା, ତାହା ଧରା ପଡ଼ିଗଲା । ଏତିକିବେଳେ ସରକାର କେନ୍ଦ୍ରୀୟ ପରିଷଦରେ ଶ୍ରମିକ ସ୍ୱାର୍ଥ ବିରୋଧି ଟ୍ରେଡ଼ ଡିସପିଉଟ ବିଳ ଆଗତ କଲା । ବିଲର ଆଲୋଚନା ଚାଲିଥିବାବେଳେ ପରିଷଦ ଗୃହରେ ଏକ ବୋମା ଫୁଟିଲା । ଏଥିରେ କେତେଜଣ ଆହତ ହେଲେ । ଘଟନାରେ ଭଗତ ସିଂହ ଓ ବଟୁକେଶ୍ୱର ଦତ୍ତ ନାମକ ଦୁଇଜଣ ଯୁବକ ଧରାପଡ଼ିଲେ । ଅଦାଲତରେ ଭଗତ ସିଂହ ତାଙ୍କ ଜମାନବନ୍ଦୀରେ କହିଥିଲେ– ‘‘ଭାରତର ଘର୍ମାକ୍ତ ଶ୍ରମିକମାନଙ୍କର ବହୁ କଷ୍ଟରେ ଅର୍ଜିତ ଅର୍ଥଦ୍ୱାରା କାହିଁକି ଯେ ଏଭଳି ଏକ ଆଡ଼ମ୍ୱର ପୂର୍ଣ୍ଣ ପ୍ରାସାଦ ନିର୍ମାଣ କରାଯାଉଛି ତାହା ଆମେ ବୁଝିନପାରି ପରିଷଦରେ ବୋମା ନିପେକ୍ଷ କଲୁ ।’’

 

ଏହାପରେ ଲାହୋରର ସହକାରୀ ପୁଲିସ ସୁପରିନ୍‌ଟେଣ୍ଡେଣ୍ଟ ସ୍ୟାଣ୍ଡାର୍ସ ଓ ଚନ୍ଦନ ସିଂହ ନାମକ ଜଣେ ପୁଲିସ କନେଷ୍ଟବଳ ନିହତ ହେଲେ । ପୁଲିସ ଲାହୋର ଷଡ଼ଯନ୍ତ୍ର ମାମଲା ନାମରେ ଏକ ମକଦ୍ଦମା ରୁଜୁ କଲେ । ଶୁକଦେବ, କିଶୋରୀଲାଲ, ସାହୁବର୍ମା, ଗୟାପ୍ରସାଦ, ଜୟଦେବ, ଯତୀନ ଦାସ, ଭଗତ ସିଂହ ଓ ବଟୁକେଶ୍ୱର ଦତ୍ତ ପ୍ରମୁଖ ଷୋଳ ଜଣ ଏଥିରେ ଅଭିଯୁକ୍ତ ହେଲେ । ଡକାୟତି, ହତ୍ୟା ଓ ବୋମା ତିଆରି ପ୍ରଭୃତି ଅଭିଯୋଗ ଏମାନଙ୍କ ବିରୋଧରେ ଅଣାଯାଇ ବିଚାର ଚାଲିଲା । ଭଗତ ସିଂହ, ରାଜଗୁରୁ ଓ ଶୁକଦେବ ପ୍ରମୁଖ ଫାଶୀ ଦଣ୍ଡରେ ଦଣ୍ଡିତ ହେଲେ । ସାତଜଣ ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡ ପାଇଲେ । ୧୯୩୧ ମସିହା ଅପ୍ରେଲ ମାସରେ ସେମାନଙ୍କୁ ଫାଶୀ ଦିଆଗଲା । ଭଗତ ସିଂହ ଫାଶୀଖୁଣ୍ଟରେ ଚଢ଼ିବା ବେଳେ କହିଲେ–‘‘ଇନକିଲାବ ଜିନ୍ଦାବାଦ-।’’ ଅର୍ଥାତ୍‌ ବିପ୍ଳବ ଦୀର୍ଘଜୀବୀ ହେଉ । ସେହି ଦିନରୁ ଏହାହିଁ ଜାତୀୟ ମନ୍ତ୍ର ରୂପେ ବ୍ୟବହୃତ ହୋଇ ଆସୁଅଛି ।

 

ଲାହୋର ଷଡ଼ଯନ୍ତ୍ର ମାମଲାରେ ବିଚାର ଚାଲିଥିବାବେଳେ ଦୀର୍ଘ ଦିନ ଧରି ହାତରେ ରଖାଯିବା ଓ ନାନା ନିର୍ଯ୍ୟାତନା ଦିଆଯିବାରୁ ତାହାର ପ୍ରତିବାଦରେ ଭଗତ ସିଂହ ଓ ବଟୁକେଶ୍ୱର ଦତ୍ତ ପ୍ରଥମେ ଲାହୋର ସେଣ୍ଟ୍ରାଲ ଜେଲରେ ଅନଶନ କରିଥିଲେ । ପରେ ଅନ୍ୟମାନେ ଏଥିରେ ଯୋଗ ଦେଲେ । ଯତିନ୍ଦ୍ରନାଥ ୬୨ ଦିନ ଅନଶନ କରି ସେପ୍ଟେମ୍ବର ୨୩ ତାରିଖରେ ପ୍ରାଣତ୍ୟାଗ କଲେ । ଯତିନ୍ଦ୍ର ନାଥଙ୍କ ଶବ ୧୬ ତାରିଖରେ କଲିକତା ପଠାଇ ଦିଆଗଲା । ଶବ ଶୋଭାଯାତ୍ରାରେ ପ୍ରାୟ ୪ ଲକ୍ଷ ଲୋକ ଯୋଗ ଦେଇଥିଲେ । ଏହାହିଁ ଭାରତ ଇତିହାସରେ ଦୀର୍ଘତମ ଅନଶନ । ଯତିନ୍ଦ୍ରନାଥଙ୍କ ମୃତ୍ୟୁ ପ୍ରତିବାଦରେ ବଡ଼ଲାଟ ଲର୍ଡ ଇରଉଇନଙ୍କ ପ୍ରାଣନାଶ ପାଇଁ ତାଙ୍କ ଟ୍ରେନ୍‌ ତଳେ ବୋମା ବିସ୍ଫୋରଣ କରାଯାଇଥିଲା । ମାତ୍ର ସେ ରକ୍ଷା ପାଇଗଲେ ।

 

ସାଇମନ କମିଶନର ସଭାପତି ସାର ଜନ୍‌ ସାଇମନ ୧୯୩୦ ମସିହାରେ ତାଙ୍କର ରିପୋର୍ଟ ପାର୍ଲାମେଣ୍ଟରେ ଉପସ୍ଥାପନ କଲେ । ତହିଁରେ ସେ ଉଲ୍ଲେଖ କରିଥିଲେ ଯେ ଭାରତୀୟ ରାଜ୍ୟ ସମୂହ ଏବଂ ବ୍ରିଟିଶ ଭାରତ ପ୍ରତିନିଧିମାନଙ୍କୁ ଗୋଟିଏ ବୈଠକକୁ ଡକାଯାଇ ସେମାନଙ୍କ ମତାମତ ଗ୍ରହଣ କରାଯାଉ । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ମିଃ ରାମଜେ ମ୍ୟାକଡୋନାଲ୍‌ଡ ଏହି ପ୍ରସ୍ତାବକୁ ଅନୁମୋଦନ କଲେ । ଏଥି ସହ ମିଃ ମ୍ୟାକଡୋନାଲ୍‌ଡ ସାମ୍ପ୍ରଦାୟିକ ଭାଗ ବାଣ୍ଟ ନାମରେ ଗୋଟିଏ ସିଦ୍ଧାନ୍ତ ମଧ୍ୟ ପ୍ରକାଶ କଲେ । ତହିଁରେ ଦେଶୀୟ ଓ ପ୍ରାଦେଶିକ ସଭାଗୁଡ଼ିକୁ କେଉଁ ସମ୍ପ୍ରଦାୟରୁ କେତେ ପ୍ରତିନିଧି ନିର୍ବାଚିତ ହେବେ, ତାହା ନିର୍ଦ୍ଧାରିତ ହୋଇଥିଲା । ଏହି ସିଦ୍ଧାନ୍ତ ଅନୁସାରେ ଅନୁନ୍ନତ ସମ୍ପ୍ରଦାୟଗୁଡ଼ିକୁ ସବର୍ଣ୍ଣ ହିନ୍ଦୁ ସମ୍ପ୍ରଦାୟଠାରୁ ପୃଥକ୍‌ଭାବେ ପ୍ରତିନିଧି ନିର୍ବାଚନର ଅଧିକାର ଦିଆଯାଇଥିଲା । ଏହି ବ୍ୟବସ୍ଥା ପ୍ରବର୍ତ୍ତିତ ହେଲେ, ହିନ୍ଦୁ ସମାଜ ଦ୍ୱିଧା ବିଭକ୍ତ ହୋଇ ପଡ଼ିବ ଜାଣି ତାହାର ପ୍ରତିବାଦରେ ମହାତ୍ମାଗାନ୍ଧୀ ଅନଶନ ଆରମ୍ଭ କଲେ । ଫଳରେ ଏହି ବ୍ୟବସ୍ଥା ହେଲା ଯେ, ହିନ୍ଦୁ ସମାଜର ଦୁଇଟି ଶାଖା ସମ୍ମିଳିତ ଭାବେ ପ୍ରତିନିଧି ନିର୍ବାଚନ କରିବେ । ଏହା ପୁନା ଚୁକ୍ତି ନାମରେ ପରିଚିତ । ଯାହାହେଉ, ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଆଲୋଚନା ପାଇଁ ଲଣ୍ଡନରେ ଯେଉଁ ଗୋଲଟେବୁଲ ବୈଠକ ଡାକିଲେ ତହିଁରେ କଂଗ୍ରେସ ଯୋଗ ଦେଲା ନାହିଁ । ଏହାର ଅଳ୍ପଦିନ ପରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ ହେଲା ।

 

ପୂର୍ବେ ଭାରତୀୟମାନେ ସମୁଦ୍ରକୂଳରୁ ବିନା ଲାଇସେନ୍‌ସରେ ଲୁଣ ମାରି ପାରିବେ ନାହିଁ ବୋଲି ଆଇନ ପ୍ରଣୟନ କରାଯାଇଥିଲା । ଗାନ୍ଧିଜୀ ନିଜେ ଆଇନ ଅମାନ୍ୟ କରି ଗୁଜୁରାଟର ଦାଣ୍ଡିଠାରେ ଲୁଣ ମାରିବାକୁ ଯାଇ ଗିରଫ ହେଲେ । ପରେ ସାରା ଦେଶରେ ଆନ୍ଦୋଳନର ଆରମ୍ଭ ହୋଇଗଲା । ହଜାର ହଜାର ଲୋକ ଆଇନ ଅମାନ୍ୟ କରି କାରାବରଣ କଲେ ।

 

ଏ ଆନ୍ଦୋଳନକୁ ଭିତ୍ତିକରି ପୁଣି ବିପ୍ଳବାତ୍ମକ ଆନ୍ଦୋଳନ ମୁଣ୍ଡଟେକି ଉଠିଲା । ଢାକାର ଯୁଗାନ୍ତର ଓ ଅନୁଶୀଳନ ଦଳ, ଚଟ୍ଟଗ୍ରାମଦଳ, ଶ୍ରୀ ସଂଘ ଓ ବେଙ୍ଗଲ ଭଲେଣ୍ଟିୟର୍ସଦଳ ଏ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କଲେ । ମେଦିନୀପୁରରେ ଡଗଲାସ ଓ ବାର୍ଜ ହତ୍ୟା; ଢାକାରେ ହଡସନ ଓ ଲୋମ୍ୟାନ ହତ୍ୟା, ଗ୍ରାସବୀ ହତ୍ୟା ପ୍ରଚେଷ୍ଟା, କଲିକତାରେ ସିମସନ ହତ୍ୟା ଓ ଭିଲିୟର୍ସଙ୍କ ହତ୍ୟା ପ୍ରଚେଷ୍ଟାରେ ବହୁ ବ୍ୟକ୍ତି ଅଭିଯୁକ୍ତ ଓ ଦଣ୍ଡିତ ହେଲେ ।

 

୧୯୨୯ ମସିହା ଡିସେମ୍ୱର ୧୮ ତାରିଖରେ ପୁଲିସ ହଠାତ୍‌ ମେଛୁଆବଜାର ଷ୍ଟ୍ରିଟ୍‌ର ଗୋଟିଏ ଘର ଘେରାଉ କରି କେତେକ ଇସ୍ତାହାର ଓ ବୋମା ତିଆରିର ଫର୍ମୁଲା ହସ୍ତଗତ କଲେ । ଏ ଘଟନାରେ ୩୨ ଜଣଙ୍କୁ ଅଭିଯୁକ୍ତ କରାଗଲା ।

 

୧୮୫୭ ମସିହା ପ୍ରଥମ ସ୍ୱାଧୀନତା ସମରରେ କ୍ଷମତା ଦଖଲ ପାଇଁ ଉଦ୍ୟମ ହୋଇଥିଲା । ତାପରେ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବା ପାଇଁ ଯେଉଁ ବିପ୍ଳବାତ୍ମକ ଆନ୍ଦୋଳନ ହେଲା, ତାହା କେବଳ ଇଂରେଜ ହତ୍ୟା ଓ ରାଜନୈତିକ ଡକାୟତିରେ ସୀମାବଦ୍ଧ ହୋଇ ରହିଲା । ବହୁ ଦେଶପ୍ରେମୀ ଯୁବକ ରକ୍ତରେ ସ୍ୱାକ୍ଷର କରି ଉଚ୍ଚ ଇଂରେଜ ଅଫିସରଙ୍କୁ ହତ୍ୟା କଲେ । କେତେକ ଫାଶୀ ଖୁଣ୍ଟରେ ଚଢ଼ିଲେ ଓ ଆଉ କେତେକ କାରାଦଣ୍ଡ ବା ଦ୍ଵୀପାନ୍ତର ଦଣ୍ଡରେ ଦଣ୍ଡିତ ହେଲେ । ମାତ୍ର ଇଂରେଜମାନଙ୍କ ଶାସନ ଠିକ୍‌ ଭାବରେ ଚାଲୁ ରହିଲା । ଦେଶରେ ଏଭଳି ସନ୍ତ୍ରାସବାଦ ଆନ୍ଦୋଳନ ସଙ୍ଗେ ସଙ୍ଗେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଅହିଂସା ଆନ୍ଦୋଳନ, ସତ୍ୟାଗ୍ରହ ଓ ଅନଶନ ପ୍ରଭୃତି ଆରମ୍ଭ ହୋଇଗଲା । ବ୍ରିଟିଶ ସରକାର ନୂଆ ନୂଆ ଆଇନ ପ୍ରଣୟନ କଲେ ସତ, ମାତ୍ର ଭାରତ ଛାଡ଼ିବାକୁ ମନ ବଳାଇଲେ ନାହିଁ । ଠିକ୍ ଏତିକିବେଳେ ଚଟ୍ଟଗ୍ରାମ ଅଞ୍ଚଳରେ ସୂର୍ଯ୍ୟସେନ, ତ୍ରିପୁରା ସେନ, ନରେଶ ରାୟ, ବିଧୁ ଭଟ୍ଟାଚାର୍ଯ୍ୟ, ପ୍ରଭାସ ବଳ, ମଧୁ ଦତ୍ତ, ନିର୍ମଳ ଲାଲା, ଅର୍ଦ୍ଧେନ୍ଦୁ ଦସ୍ତିଦାର, ଜିତେନ ଦାଶଗୁପ୍ତ, ପୁଳୀନ ଘୋଷ, ଶଶାଙ୍କ ସେନ ଓ ଲୋକନାଥ ବଳ ପ୍ରମୁଖ ଯୁବକମାନେ ଚଟ୍ଟଗ୍ରାମ ଦଖଲ କରି ତାକୁ ସ୍ୱାଧୀନ କରିବାକୁ ପରାମର୍ଶ କଲେ ।

 

୧୯୩୦ ମସିହାର ଅପ୍ରେଲ ୧୮ ତାରିଖ । ସେଦିନ ଗୁଡ୍ ଫ୍ରାଇଡେ । ସେଦିନ ବିପ୍ଳବୀମାନେ ଚଟ୍ଟଗ୍ରାମକୁ ସ୍ୱାଧୀନ କରିବା ପାଇଁ ସିଦ୍ଧାନ୍ତ ନେଲେ । କାରଣ ଏହିଦିନ ଆଇରିଶ ପ୍ରଜାତନ୍ତ୍ର ବାହିନୀ ଦେଶକୁ ସ୍ୱାଧୀନ କରିବା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ ।

 

ରାତ୍ର ଦଶଟାବେଳେ ଦଳର ନେତା ସୂର୍ଯ୍ୟସେନ (ମାଷ୍ଟର ଦା)ଙ୍କ ନିର୍ଦ୍ଦେଶକ୍ରମେ ନିଖିଳ ସେନ, ଲୋକନାଥ ବଳ, ରଜତ ସେନ, ମନୋରଞ୍ଜନ ସେନ, ଜୀବନ ଘୋଷାଲ ଓ ଫଣୀ ନନ୍ଦୀ ସାମରିକ ପୋଷାକ ପିନ୍ଧି ଗୋଟିଏ ଟ୍ୟାକ୍‌ସିଯୋଗେ ପାହାଡ଼ ତଳି ଷ୍ଟେସନ ନିକଟକୁ ଗଲେ । ସେଠାରେ ଡ୍ରାଇଭରର ମୁହଁ ଓ ହାତ ବାନ୍ଧି ଗୋଟିଏ ଧାନ ବିଲରେ ପକାଇଦେଇ ଟ୍ୟାକ୍‌ସି ନେଇ ରେଳବାଇ ଅସ୍ତ୍ରାଗାରର ସାଇଡ ଗେଟ୍ ନିକଟରେ ଉପସ୍ଥିତ ହେଲେ । ସେଠାରେ ଜଗୁଆଳ ଏବଂ ସର୍ଜେଣ୍ଟ ମେଜରଙ୍କୁ ନିହତ କରି ଅସ୍ତ୍ରାଗାର ଦଖଲ କଲେ । ପୁଲିସ ଅସ୍ତ୍ରାଗାରକୁ ସାମରିକ ହେଡକ୍ୱାର୍ଟରରେ ପରିଣତ କରାଗଲା । ଶ୍ରୀ ସୂର୍ଯ୍ୟସେନ ତାହାର ସର୍ବାଧିନାୟକ ରହିଲେ । ଅମ୍ୱିକା ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଟେଲିଗ୍ରାଫ ଓ ଟେଲିଫୋନ ଅଫିସ ଦଖଲ କରାଗଲା । ସେଦିନ ଆଉ କେତେକ ଯୁବକ ଯାଇ ରେଳ ଲାଇନକୁ ବିଚ୍ଛିନ୍ନ କରିଦେଲେ । ମୋଟ ଉପରେ ଚଟ୍ଟଗ୍ରାମ ସମ୍ପୂର୍ଣ୍ଣରୂପେ ସ୍ୱାଧୀନ ହେଲା ।

 

ଦୀର୍ଘ ତିନିଦିନ ପରେ ଇଂରେଜ ବାହିନୀ ଚରମ ପ୍ରତିଶୋଧ ନେବାପାଇଁ ଅଗ୍ରସର ହେଲେ । ପ୍ରଥମେ ଚଟ୍ଟଗ୍ରାମ ଅଧିକାର କରି ଇଂରେଜ ବାହିନୀ ବିପ୍ଳବୀ ଯୁବକମାନଙ୍କ ସନ୍ଧାନରେ ବାହାରି ପଡ଼ିଲେ । ବିପ୍ଳବୀମାନେ ୨୨ ତାରିଖ ସକାଳେ ଦୀର୍ଘପଥ ଅତିକ୍ରମ କରି ଜଲାଲାବାଦ ପାହାଡ଼ ଉପରକୁ ଉଠିଲେ । ଏ ସମ୍ୱାଦ ଇଂରେଜମାନଙ୍କୁ ଅଜ୍ଞାତ ରହିଲା ନାହିଁ । ବିପ୍ଳବୀମାନେ ପାହାଡ଼ ଉପରେ କଞ୍ଚା ଆମ୍ୱ ଓ ଫଳ ମୂଳ ଖାଇ, ଝରଣାର ଜଳ ପିଇ ଦିନଟା ବିତାଇ ଦେଲେ । ସନ୍ଧ୍ୟା ୫ଟା ବେଳକୁ ବିପଦ ସଙ୍କେତ ଧ୍ୱନି ଶୁଣି ସମସ୍ତେ ପାହାଡ଼ର ଶୀର୍ଷ ଦେଶକୁ ଯାଇ ଦେଖିଲେ ଯେ ଇଂରେଜ ବାହିନୀ ପାହାଡ଼କୁ ଘେରିଯାଇ ଉପରକୁ ଉଠୁଛନ୍ତି । ବିପ୍ଳବୀମାନେ ଅଭୁକ୍ତ ଓ ପରିଶ୍ରାନ୍ତ ଅବସ୍ଥାରେ ହିସାବ ନିକାଶ ପାଇଁ ପ୍ରସ୍ତୁତ ହୋଇଗଲେ । ବନ୍ଧୁକ ଗୁଳିର ସୀମାରେଖା ମଧ୍ୟରେ ସୈନ୍ୟବାହିନୀ ଆସି ପହଞ୍ଚିବା ମାତ୍ରେ ଗୁଳି ବର୍ଷଣ ଆରମ୍ଭ ହୋଇଗଲା । ଇଂରେଜବାହିନୀ ପଛକୁ ହଟିଯାଇ ଏକ ଖାଲ ମଧ୍ୟରେ ପ୍ରବେଶ କଲେ । ତାପରେ ଉଭୟ ଦଳ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଗଲା । ପ୍ରାୟ ୧୫ ମିନିଟ ପରେ ଲୁଇସଗନ୍‌ର ଶବ୍ଦ ଶୁଭିଲା-। ଏହାର ଗୁଳି ସାଧାରଣ ବନ୍ଧୁକ ଗୁଳି ଅପେକ୍ଷା ବହୁ ଅଧିକ ଦୂରକୁ ଯାଇପାରେ । ବନ୍ଧୁକ ଗୁଳିଠାରୁ ନିରାପଦ ଦୂରରେ ରହି ଇଂରେଜ ବାହିନୀ ଲୁଇସଗନ୍ ଚାଳନା କରିବାରୁ ପ୍ରଭାସ, ତ୍ରିପୁରା, ନରେଶ, ହରି, ବିଧୂ, ମଧୁ, ନିର୍ମଳ, ଅର୍ଦ୍ଧେନ୍ଦୁ, ଜିତେନ, ପୁଳୀନ, ଶଶାଙ୍କ ଏବଂ ମତି କାନୁନଗୋ ଆହତ ହେଲେ । ସେମାନଙ୍କ ରକ୍ତରେ ଜଲାଲବାଦ ପାହାଡ଼ର ବୁକୁ ରଞ୍ଜିତ ହେଲା । ସନ୍ଧ୍ୟା ୭ଟା ବେଳେ ଇଂରେଜ ବାହିନୀ ପଶ୍ଚାଦ-ପସାରଣ କଲେ । ଦଳର ୫୦ ଜଣଙ୍କ ମଧ୍ୟରୁ ୧୧ ଜଣ ନିହିତ ଓ ଦୁଇଜଣ ଆହତ ହେଲେ । ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏହା ଜଲାଲବାଦ ଯୁଦ୍ଧ ନାମରେ ପ୍ରସିଦ୍ଧ ।

 

ବିପ୍ଳବୀମାନେ ନିହତ ସାଥିମାନଙ୍କୁ ଶେଷ ସମ୍ମାନ ଜଣାଇ ରାତ୍ରର ଅନ୍ଧକାରରେ ପାହାଡ଼ ପରିତ୍ୟାଗ କଲେ । ମାତ୍ର ବେଶୀଦିନ ଆତ୍ମଗୋପନ କରି ରହି ପାରିଲେ ନାହିଁ । ଜଣ ଜଣ ହୋଇ ଧରାପଡ଼ିଲେ । ଚଟ୍ଟଗ୍ରାମ ଅସ୍ତ୍ରାଗାର ଲୁଣ୍ଠନ ନାମରେ ଏକ ମକଦ୍ଦମା ରୁଜୁ କରାଗଲା । ରାୟରେ ଅନନ୍ତ ସିଂହ, ଗଣେଶ ଘୋଷ, ଅମ୍ୱିକା ଚକ୍ରବର୍ତ୍ତୀ ଓ ଲୋକନାଥ ବଳ ପ୍ରମୁଖ ତେର ଜଣ ଯାବଜ୍ଜୀବନ ଦ୍ୱୀପାନ୍ତର ଦଣ୍ଡ ପାଇଲେ । ସୂର୍ଯ୍ୟସେନ ଦୀର୍ଘ ଦିନ ଆତ୍ମଗୋପନ କରିବା ପରେ ୧୯୩୩ ମସିହା ଫେବୃୟାରୀ ୨ ତାରିଖରେ ଧରାପଡ଼ିଲେ । ଏ ମଧ୍ୟରେ ସେ ଦୁଇଥର ପିସ୍ତଲ ଚଳାଇ ପୁଲିସ ଘେରରୁ ଚାଲି ଯାଇଥିଲେ । ଆହତ ଅବସ୍ଥାରେ ସେ ପାଚେରୀ ଡେଇଁ ପଳାଇ ଯାଉଥିବାବେଳେ ଦୁର୍ଯ୍ୟୋଗକୁ ପାଚେରୀ ତଳେଥିବା ଜଣେ ସିପାହୀଙ୍କ ଉପରେ ପଡ଼ିଗଲେ । ତାଙ୍କୁ ବନ୍ଦୀ କରାଯାଇ ବିଚାର ପରେ ଫାଶୀ ଦିଆଗଲା ।

 

ଭାରତ ମୁଖ୍ୟତଃ ହିନ୍ଦୁମାନଙ୍କର ଦେଶ । ହିନ୍ଦୁମାନଙ୍କର ଧର୍ମ ହିଁ ତାର ସ୍ୱଧର୍ମ ।

 

ଯୁଗେ ଯୁଗେ ଭାରତରେ ଏହି ସ୍ୱଧର୍ମ ତାର ନିଜସ୍ୱ ମହିମାରେ ନିମ୍ନ ମଧ୍ୟବିତ୍ତ ଘରେ ପ୍ରତିଷ୍ଠିତ ହୋଇ ରହି ଆସିଛି । ଆମ ସମାଜ କଣ, ଏହାର ଭିତ୍ତି କେଉଁଠି, ଗଢ଼ଣ କିପରି ଓ କଣ ତାର ମୂଳ ସୂତ୍ର–ତାକୁ ହୃଦୟରେ ଅନୁଭବ କରି, ବୁଦ୍ଧି ଦେଇ ଭାବି, ନିମ୍ନ ମଧ୍ୟବିତ୍ତ ସମାଜ ତାକୁ ଚିହ୍ନି ଥାଆନ୍ତି । ତେଣୁ ଦେଶ ବା ସମାଜର ପରିବର୍ତ୍ତନରେ ଏହି ସମାଜ ସର୍ବଦା ଅଗ୍ରଗାମୀ ହୋଇଥାଏ, ଫଳରେ ସବୁଯାକ ଆବର୍ଜ୍ଜନା ତାରି ମୁଣ୍ଡରେ ଅଜାଡ଼ି ହୋଇପଡ଼େ ।

 

ମୁସଲମାନ ରାଜତ୍ୱକାଳରେ ଏହି ସମାଜ ଟିକିଏ ଜୀବନ୍ତ ଥିଲା । କାରଣ ସେମାନଙ୍କ ଅତ୍ୟାଚାର ଥିଲା ପ୍ରକାଶ୍ୟ । ସେମାନେ ମନ୍ଦିର ଭାଙ୍ଗୁଥିଲେ । ହିନ୍ଦୁର ଦେବତାକୁ ନେଇ ମସଜିଦ୍‌ର ସିଡ଼ି ନିର୍ମାଣ କରୁଥିଲେ । ଜିଜିୟାକର ଆଦାୟ କରୁଥିଲେ । ହିନ୍ଦୁ ଝିଅ ବୋହୂଙ୍କୁ ଲୁଣ୍ଠନ କରୁଥିଲେ-। ତେଣୁ ସେମାନଙ୍କ ବିରୋଧରେ ଏହି ନିମ୍ନ ମଧ୍ୟବିତ୍ତ ସମାଜ ସଙ୍ଗଠିତ ହୋଇ ରହିଥିଲା । ସେହିପରି ମରହଟ୍ଟା ଅମଳରେ ବର୍ଗୀମାନେ ଘରଦ୍ୱାର ଲୁଣ୍ଠନ କରୁଥିଲେ ଓ ଗ୍ରାମେ ଗ୍ରାମେ ଅଗ୍ନି ଲଗାଇ ଧ୍ୱଂସ କରି ଦେଇଥିଲେ । ତେଣୁ ନିମ୍ନ ମଧ୍ୟବିତ୍ତ ସମାଜ ଦରିଦ୍ର ଜନସାଧାରଣଙ୍କୁ ନେଇ ସେମାନଙ୍କର ମୁକାବିଲା କରୁଥିଲେ । ଫଳରେ ଭାରତ ଥିଲା ଜୀବନ୍ତ । ଶତ ଦୁଃଖ, ଦାରିଦ୍ର୍ୟ ଓ ନିଷ୍ପେଷଣ ମଧ୍ୟରେ ବି ସେମାନେ ଭାରତର ଶିଳ୍ପ, ବାଣିଜ୍ୟ, କଳା ଓ ଭାସ୍କର୍ଯ୍ୟ ଦେଶ ବିଦେଶରେ ପ୍ରତିଷ୍ଠିତ କରାଇପାରିଥିଲେ । ତାପରେ ଆସିଲେ ଇଂରେଜ । ସେମାନେ ଦେଖିଲେ ଯେ ଏହି ସମାଜକୁ ଭାଙ୍ଗିନଦେଲେ ସେମାନଙ୍କ ରାଜତ୍ୱ ଦୀର୍ଘକାଳ ସ୍ଥାୟୀ ହୋଇ ପାରିବ ନାହିଁ । ତେଣୁ ସେମାନେ ଭେଦ ନୀତି ପ୍ରୟୋଗ କରିବାରେ ଲାଗିଲେ । ପ୍ରଥମ ପର୍ଯ୍ୟାୟରେ ସେମାନେ ଭାରତକୁ ଦୁଇଭାଗରେ ବିଭକ୍ତ କଲେ । ଗୋଟିଏ ହେଲା ବ୍ରିଟିଶ ଭାରତ ଓ ଅନ୍ୟଟି ଭାରତୀୟ ଭାରତ । ପୁଣି ବ୍ରିଟିଶ ଭାରତର ଶାସନ ପାଇଁ ସେମାନେ ଜମିଦାର, ଜାୟଗିରିଦାର, ଗୌନ୍ତିଆ ଓ ହେଡ୍‍ମ୍ୟାନ ପ୍ରଭୃତି ପ୍ରଥାର ସୃଷ୍ଟି କଲେ । ଜମିଦାରମାନେ ପକ୍‌କି ମାହାଲ ଓ କଚ୍ଚି ମାହାଲ ଦୁଇ ଶ୍ରେଣୀରେ ବିଭକ୍ତ ହେଲେ । ପକ୍‌କି ମାହାଲ ଜମିଦାରମାନେ ଭାରତୀୟ ଭାରତର ସାମନ୍ତ ରାଜାମାନଙ୍କ ପରି ସମସ୍ତ ପ୍ରକାର ସୁଖ ସୁବିଧା ଭୋଗ କଲେ । ପାଇକ, ବରକନ୍ଦାଜ, ହେଡମ୍ୟାନ ଓ ତହସିଲଦାର ପ୍ରଭୃତିଙ୍କ ଜରିଆରେ ଏମାନେ କୃଷକମାନଙ୍କର ଉତ୍ପନ୍ନ ଦ୍ରବ୍ୟ ଲୁଣ୍ଠନ କରି ସରକାରଙ୍କୁ ଓ ରାଜାଙ୍କୁ ପୋଷଣ କରୁଥିଲେ । ଏଭଳି ଜମିଦାରମାନଙ୍କ ଇଲାକାକୁ ପ୍ରବେଶ ମଧ୍ୟ ସହଜସାଧ୍ୟ ନ ଥିଲା । ପ୍ରଜାମାନେ କରପୀଡ଼ା, ବେଠି ଓ ବେଗାରୀରେ ସର୍ବସ୍ୱାନ୍ତ ହେଲେ ମଧ୍ୟ କୌଣସି ବାହାର ଲୋକଙ୍କ ସହିତ କଥାବର୍ତ୍ତା କରିବାକୁ ସାହସ ପାଉନଥିଲେ । ବ୍ରିଟିଶର ଭେଦନୀତି ଫଳରେ ନିମ୍ନ ମଧ୍ୟବିତ୍ତ ସମାଜ ଭାଙ୍ଗିଯାଇ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଗଲା । ଗୋଟିଏ ଗରିବ ଓ ଅନ୍ୟଟି ଉଚ୍ଚ ମଧ୍ୟବିତ୍ତ । ଅର୍ଥାତ୍ ଗୋଟିଏ ଶୋଷିତ ଓ ଅନ୍ୟଟି ଶୋଷକ ସମାଜ ।

 

ଏହି ସମୟରେ ୧୯୨୦ ମସିହାର ସେପ୍ଟେମ୍ବର ମାସରେ କଲିକତାରେ ଲାଲା ଲାଜପତରାୟଙ୍କ ପୌରୋହିତ୍ୟରେ ଜାତୀୟ କଂଗ୍ରେସର ଯେଉଁ ଅଧିବେଶନ ବସିଲା, ତହିଁରେ ଗାନ୍ଧିଜୀ ତାଙ୍କର ଅହିଂସା ଓ ଅସହଯୋଗ ପ୍ରସ୍ତାବ ନେଇ ବିଜୟୀ ହୋଇ ଆସିଲେ । ସମଗ୍ର ଭାରତରେ ଦାବାନଳ ପରି ଅସହଯୋଗ ଆନ୍ଦୋଳନ ବ୍ୟାପିଗଲା । ତା ସହିତ ମାଦକ ଦ୍ରବ୍ୟ ଓ ବିଦେଶୀ ବର୍ଜନ ଓ ସ୍ୱଦେଶୀ ପ୍ରଚାର ମନ୍ତ୍ରରେ ଲୋକେ ଉଦ୍‌ବୁଦ୍ଧ ହୋଇ ଉଠିଲେ । ଚମ୍ପାରଣରେ ନୀଳ ଚାଷୀଙ୍କ ବିରୋଧରେ ଗାନ୍ଧିଜୀ ସତ୍ୟାଗ୍ରହ କରି ବିଜୟଲାଭ କରିବାପରେ ୧୯୨୧ ମସିହାରେ ବମ୍ୱେରେ ଅନୁଷ୍ଠିତ କଂଗ୍ରେସରେ ବର୍ଦ୍ଦୋଳୀରେ କର ବନ୍ଦ ଆନ୍ଦୋଳନ କରିବାପାଇଁ ଘୋଷଣା କଲେ ।

 

ଅସହଯୋଗ, ଆଇନ ଅମାନ୍ୟ ଓ କର ବନ୍ଦ ଆନ୍ଦୋଳନରେ ଉତ୍ସାହିତ ହୋଇ ୧୯୨୨ ମସିହା ଫେବୃୟାରୀ ୫ ତାରିଖରେ ଯୁକ୍ତ ପ୍ରଦେଶର ଗୋରକ୍ଷପୁର ଜିଲାର ଚୌରିଚୌରାଠାରେ ସେଠା ଲୋକେ ଯେଉଁ ହତ୍ୟାକାଣ୍ଡ କଲେ, ଗାନ୍ଧିଜୀ ତହିଁରେ ବ୍ୟଥିତ ହୋଇ ଆଇନ ଅମାନ୍ୟ ଆନ୍ଦୋଳନ ପର୍ବତ ପ୍ରମାଣ ଭୁଲ ବୋଲି କହିଲେ । ଫେବୃୟାରୀ ୧୨ ତାରିଖରେ ବର୍ଦ୍ଦୋଳୀରେ ଯେଉଁ କଂଗ୍ରେସ ଅଧିବେଶନ ବସିଲା, ତହିଁରେ କର ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିନେଲେ । ମାତ୍ର ବଲ୍ଲଭ ଭାଇ ପଟେଲ ଏଠାରେ କୃଷକ ସଙ୍ଗଠନ ଆରମ୍ଭ କଲେ । ଏହି ସମୟରେ ମାନବେନ୍ଦ୍ରନାଥ ରାୟ ଭାରତରେ କମ୍ୟୁନିଷ୍ଟ ଦଳର ସଙ୍ଗଠନ ପାଇଁ ଶ୍ରୀ ଅବନୀ ମୂଖାର୍ଜୀଙ୍କୁ ପଠାଇଲେ । କମ୍ୟୁନିଷ୍ଟ ମତବାଦ ଧୀରେ ଧୀରେ ପ୍ରସାରିତ ହେଲା ।

 

ଗାନ୍ଧିଜୀ ବର୍ଦ୍ଦୋଳୀରେ କର ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିନେବାରେ ଭାରତରେ କୃଷକ ଆନ୍ଦୋଳନ ସ୍ତିମୀତ ହୋଇ ଆସିବା ବେଳକୁ ଓଡ଼ିଶାର କନିକା ଜମିଦାରୀରେ କୃଷକ ଆନ୍ଦୋଳନ ମୁଣ୍ଡଟେକି ଉଠିଲା । ୧୯୨୦ ମସିହାରେ ଅତିବୃଷ୍ଟି ଓ ବନ୍ୟାଯୋଗେ ଫସଲ ନଷ୍ଟ ହୋଇଯିବାରୁ ପ୍ରଜାମାନେ ଖଜଣା ଛାଡ଼ ପାଇଁ ଆପତ୍ତି କଲେ । ମାତ୍ର ଖଜଣା ଛାଡ଼ହେବା ଦୂରେ ଥାଉ, ତାହା ବହୁ ପରିମାଣରେ ବୃଦ୍ଧି କରାଗଲା । ପ୍ରଜାମାନେ ବଣ ଜଙ୍ଗଲରୁ ସଂଗ୍ରହ କରୁଥିବା ଜାଳେଣି ପାଇଁ ଏକ ନୂଆ କର ଧାର୍ଯ୍ୟ କରାଯାଇ ତାକୁ ଖଜଣା ସହିତ ସାମିଲ କରାଗଲା । ଏତେବେଳେ କନିକା ପ୍ରଜାଙ୍କ ଉପରେ ଚଉଷଠୀ ପ୍ରକାର କରଧାର୍ଯ୍ୟ ହୋଇଥିଲା । ୧୯୨୧ ମସିହାରେ ଏ ଅଞ୍ଚଳରେ ଅସହଯୋଗ ବାର୍ତ୍ତା ପ୍ରବେଶ କରିବା ଫଳରେ ପ୍ରଜାମାନେ କର ଭାର ବିରୋଧରେ ସଙ୍ଗଠିତ ହେବାରେ ଲାଗିଲେ । ୧୯୨୨ ମସିହା ଜାନୁୟାରୀ ମାସରେ ଶ୍ରୀ ଚକ୍ରଧର ବେହେରାଙ୍କ ନେତୃତ୍ୱରେ ପ୍ରଜା ସଙ୍ଗଠନ ଆରମ୍ଭ ହୋଇଗଲା । କନିକା ଏକ ଜମିଦାରୀ ହୋଇଥିଲେ ହେଁ ତାହା ପକ୍‌କି ମାହାଲ ହୋଇଥିବାରୁ ସେଠା ଜମିଦାର ସାମନ୍ତରାଜାଙ୍କ ପରି ସମସ୍ତ ସୁବିଧା ସୁଯୋଗ ପାଉଥିଲେ ଓ ରାଜା ଉପାଧି ଧାରଣ କରିଥିଲେ । ବ୍ରିଟିଶ ସରକାରଙ୍କଠାରୁ ସେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଉଥିବାରୁ ପ୍ରଜାସଙ୍ଗଠନକୁ ବ୍ରିଟିଶ ବିରୋଧି ଅନୁଷ୍ଠାନ କହି ତାକୁ ଭାଙ୍ଗିବା ପାଇଁ ଦମନ ନୀତି ପ୍ରୟୋଗ କଲେ । ବାହାରର ଲୋକମାନେ ଏ ଜମିଦାରୀ ମଧ୍ୟକୁ ପ୍ରବେଶ କରି ପାରିଲେ ନାହିଁ । ୧୯୨୨ ମସିହା ଫେବୃୟାରୀ ମାସରେ ବାଲେଶ୍ୱର ଜିଲା କଂଗ୍ରେସ କମିଟିର ସମ୍ପାଦକ ଶ୍ରୀ ହରେକୃଷ୍ଣ ମହତାବ କନିକାର କରଭାର ଓ ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ଏକ ପ୍ରଚାରପତ୍ର ଛପାଇ ବାଣ୍ଟିଲେ । ଏଥିରେ ତାଙ୍କ ବିରୋଧରେ ୧୦୮ ଦଫାରେ ଏକ ମକଦ୍ଦମା ରୁଜୁ କରାଗଲା ଓ ମହତାବବାବୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ।
 

ରାଜା ଏହାକୁ ଅସହଯୋଗ ଆନ୍ଦୋଳନ କହି ଲାଟସାହେବଙ୍କୁ ଜଣାଇଲେ । କମିଶନର ତଦନ୍ତରେ ଆସିଲେ । ପ୍ରଜାମାନେ ତାହାଙ୍କ ନିକଟରେ ରାଜାଙ୍କ ବିରୋଧରେ ଆପତ୍ତି କରିବାକୁ ଆସୁଥିବାବେଳେ ରାଜାଙ୍କ ତରଫରୁ ଏହାକୁ ପ୍ରଜାଙ୍କ ବିଦ୍ରୋହ ବୋଲି ବୁଝାଇ ଦିଆଗଲା ଏବଂ ପ୍ରଜାମାନେ ତାହାଙ୍କୁ ଆକ୍ରମଣ କରିବାକୁ ଆସୁଥିବାର କୁହାଗଲା । ପ୍ରଜାମାନଙ୍କୁ ଛତ୍ର ଭଙ୍ଗ କରାଇ ଦେବାପାଇଁ ଗୁଳି ଚାଳନା କରାଗଲା । ଏ ଗୁଳିକାଣ୍ଡରେ ବାସୁସେଠୀ ଓ ବିଶୁନି ମଢ଼ୁଆଳ ନାମରେ ଦୁଇଜଣ ବ୍ୟକ୍ତି ନିହତ ହେଲେ । ୧୪୪ ଜଣ ଆହତ ହେଲେ ଓ ୧୫୦ ଜଣ ଗିରଫ ହେଲେ । ଏହାପରେ ବ୍ୟାପକ ଭାବରେ ଲୁଣ୍ଠନ ଓ ନାରୀଧର୍ଷଣ ପ୍ରଭୃତି ଆରମ୍ଭ ହୋଇଗଲା ।

 

୧୯୨୨ ମସିହା ମଇମାସ ୧୪ ତାରିଖରେ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ଏକ ବୈଠକ ବାଲେଶ୍ୱରରେ ବସିଲା । ଗୋପବନ୍ଧୁ ଦାସ ଏହି ବୈଠକର କନିକା ବିଷୟର ନିରପେକ୍ଷ ତଦନ୍ତ ନିମନ୍ତେ ପ୍ରସ୍ତାବ ଆଗତ କଲେ । ଏହା ଗୃହୀତ ହୋଇଗଲା । ମଇମାସ ୧୬ ତାରିଖରେ ଭଦ୍ରକରେ ଜିଲା ସମ୍ମିଳନୀ ହେବାର ଥିଲା । ଗୋପବନ୍ଧୁ ବାବୁ ଭଦ୍ରକ ଆସିଲେ । ମାତ୍ର ଏଠାରେ ଜିଲା କର୍ତ୍ତୃପକ୍ଷ ତାଙ୍କ ଉପରେ ୧୪୪ ଧାରା ଜାରି କଲେ । ଗୋପବନ୍ଧୁ ବାବୁ ତାହା ଅମାନ୍ୟ କରି ସମ୍ମିଳନୀ କାର୍ଯ୍ୟରେ ଯୋଗଦେଲେ । ମଇମାସ ୨୦ ତାରିଖରେ ସେ ‘ସମାଜ’ ସମ୍ୱାଦପତ୍ରରେ କନିକା ଗୁଳିକାଣ୍ଡ ବିଷୟରେ ଲେଖିଲେ । ଫଳରେ ମଇ ମାସ ୩୧ ତାରିଖରେ ଗୋପବନ୍ଧୁ ବାବୁ ଗିରଫ ହୋଇ ଜେଲକୁ ଗଲେ । ଏତେବେଳେ ବାହାର ଲୋକଙ୍କର କନିକା ଉପରେ ଦୃଷ୍ଟି ପଡ଼ିଲା ଓ କନିକାର କୃଷକ ଆନ୍ଦୋଳନ ସଙ୍ଗଠିତ ଭାବରେ ଚାଲିଲା । ପଣ୍ଡିତ ଗୋପବନ୍ଧୁ ଜେଲକୁ ଯିବାବେଳେ ମହତାବବାବୁଙ୍କୁ କହିଲେ–ଏ କନିକା ପ୍ରଜାଙ୍କ ଦାୟିତ୍ୱ ତୁମକୁ ଲାଗିଲା । ଶ୍ରୀ ମହତାବ କନିକା ଦାୟିତ୍ୱ ଗ୍ରହଣ କରି ଆସିଲେ ସତ, ମାତ୍ର ସାଧାରଣ ସଭାଟିଏ କରିବାପାଇଁ ସ୍ଥାନ ପାଇଲେ ନାହିଁ । ଅବଶେଷରେ ଜଣେ ଲୋକଠାରୁ କିଛି ଜମି କିଣି ତାକୁ ରେଜେଷ୍ଟ୍ରୀ କରାଇ ତହିଁରେ ସଭା କଲେ । କନିକାରେ କୃଷକ ଆନ୍ଦୋଳନର ଯେଉଁ ଭିତ୍ତି ପଡ଼ିଥିଲା ତାହାର ସୌଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲା । ତାପରେ ଆନ୍ଦୋଳନ ତାର ଲକ୍ଷ୍ୟ ପଥରେ ଆଗେଇ ଚାଲିଲା ।

 

ବର୍ଦ୍ଧୋଳିରେ ବନ୍ଦୋବସ୍ତ ପୂର୍ବରୁ ତିରିଶ ଭାଗ ଭୂରାଜସ୍ୱ ବୃଦ୍ଧି ପାଇଁ ପ୍ରସ୍ତାବ ହୋଇଥିଲା-। ମାତ୍ର ପ୍ରଜାଙ୍କ ତରଫରୁ ଏହାର ପ୍ରତିବାଦ କରାଯାଇଥିଲା । ୧୯୨୭ ମସିହାରେ ଦେଖାଗଲା ଯେ ଭୂରାଜସ୍ୱ ବୃଦ୍ଧି କମିଛି ସତ, ମାତ୍ର ତିରିଶ ଭାଗ ସ୍ଥଳେ ତାହା ୨୨ ଭାଗ ହୋଇଛି-। ଯୁଦ୍ଧ ପରେ ପରେ ଚାଷୀର ଚାଷ ଉପକରଣ–ବଳଦ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦରବୃଦ୍ଧି ପାଇଗଲା । ଏବେ ଜମାବନ୍ଦୀ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଚାଷୀର ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ କମିଯିବାରୁ ଚାଷୀମାନଙ୍କ ମନରେ ଅସନ୍ତୋଷ ଜାତହେଲା । ଆଗରୁ ବଲ୍ଲଭ ଭାଇ ପଟେଲଙ୍କ ନେତୃତ୍ୱରେ ଏଠାରେ କୃଷକ ସଙ୍ଗଠନ କାର୍ଯ୍ୟ ଆରମ୍ଭ ହୋଇ ସାରିଥିଲା । ଏବେ କୃଷକମାନେ ଏକତ୍ରିତ ହୋଇ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ସ୍ଥିର କଲେ । ବଲ୍ଲଭଭାଇ ବିଭିନ୍ନ ସ୍ଥାନରେ ସଭା ସମିତି କରି ଏ ଆନ୍ଦୋଳନର ପରିଣତି କଣ ହେବ ଏବଂ କୃଷକମାନେ ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ, ତାହା ବୁଝାଇବାରେ ଲାଗିଲେ । ୧୯୨୮ ମସିହା ଫେବୃୟାରୀ ୫ ତାରିଖରେ ବୃଦ୍ଧି ଜମାବନ୍ଦୀ ଆଦାୟ ହେବାର କଥା । ମାତ୍ର ପ୍ରଜାମାନେ ଏକଜୁଟ ହୋଇ ଭୂରାଜସ୍ୱ ଦେବା ବନ୍ଦ କଲେ । ଫଳରେ ଫେବୃୟାରୀ ୧୫ ତରିଖ ବେଳକୁ ସରକାରଙ୍କ ପକ୍ଷରୁ ଦମନନୀତି ଆରମ୍ଭ ହୋଇଗଲା । ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ ଚାଲିଲା । ବହୁଲୋକ କାରାବରଣ କଲେ । ଶେଷରେ କୃଷକମାନଙ୍କର ବିଜୟ ଘଟିଲା । ବଲ୍ଲଭଭାଇ ସର୍ଦ୍ଦାର ନାମରେ ପରିଚିତ ହେଲେ ।

 

ଏତେବେଳକୁ ବଙ୍ଗଳାର ବିଖ୍ୟାତ କୃଷକନେତା ମିଃ ଫଜଲୁଲ ହକ୍‌ଙ୍କ ନେତୃତ୍ୱରେ କୃଷକ ପ୍ରଜାଦଳ, ଗଞ୍ଜାମରେ ଶ୍ରୀ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ ରୟତ ଆନ୍ଦୋଳନ ଓ ମାନ୍ଦ୍ରାଜରେ ଅଧ୍ୟାପକ ଏନ୍. ଜି. ରଙ୍ଗାଙ୍କ ନେତୃତ୍ୱରେ କିଷାନ ସମିତି ଗଠିତ ହୋଇ ସାରିଥିାଏ । ୧୯୩୦ ମସିହାର ଅର୍ଥନୈତିକ ବିପର୍ଯ୍ୟୟ ବେଳକୁ ଦ୍ରବ୍ୟମୂଲ୍ୟ ହ୍ରାସ ଅନୁପାତରେ ଋଣ ହ୍ରାସ ଓ ସାମାୟିକଭାବେ ଋଣ ଆଦାୟ ସ୍ଥଗିତ ରଖିବାପାଇଁ କୃଷକମାନଙ୍କ ତରଫରୁ ଯେଉଁମାନେ ଦାବି କରିଥିଲେ, ସେମାନଙ୍କ ସଂଖ୍ୟା ମାତ୍ର ୧୦ ଜଣ ଥିଲା ।

 

କରାଚୀ କଂଗ୍ରେସରେ ପଣ୍ଡିତ ନେହେରୁ ଓ ମାହାତ୍ମା ଗାନ୍ଧୀଙ୍କ ଉଦ୍ୟମରେ ଶ୍ରମଜୀବୀମାନଙ୍କ ମୌଳିକ ଅଧିକାର ସମ୍ପର୍କରେ ଏକ ଚିଠା ପ୍ରସ୍ତୁତ ହେଲା । ନେତୃବର୍ଗ ଅନୁଭବ କଲେ ଯେ ଭାରତର ଜନଗଣଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ କରାଇବାକୁ ହେଲେ ଚାଷୀମାନଙ୍କୁ ସଙ୍ଗଠିତ କରାଇବାକୁ ପଡ଼ିବ । ତେଣୁ ୧୯୩୫ ମସିହାରେ ନିଖିଳ ଭାରତ କିଷାନ କଂଗ୍ରେସ ସଙ୍ଗଠନ ସମିତି ପ୍ରତିଷ୍ଠା ପରେ କିଷାନ ଆନ୍ଦୋଳନ ସର୍ବଭାରତୀୟ ସ୍ୱୀକୃତି ଲାଭକଲା । ମାତ୍ର ୧୯୩୭ ମସିହା ପର୍ଯ୍ୟନ୍ତ ବିଶେଷ କିଛି ସାଫଲ୍ୟ ଲାଭ କରି ହେଲାନାହିଁ । ୧୯୩୮ ମସିହାରେ କେତେଗୁଡ଼ିଏ ରାଜ୍ୟରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଦୁର୍ଗତ ଚାଷୀମାନଙ୍କର ଦୁର୍ଦ୍ଦଶା ଲାଘବ କରିବା ପାଇଁ ବାକୀ ଖଜଣା ଓ ଅନ୍ୟାନ୍ୟ ଋଣ ଟଙ୍କା ଆଦାୟ ସାମୟିକ ଭାବେ ସ୍ଥଗିତ ରଖିଲେ ଓ ଋଣ ପରିମାଣ ହ୍ରାସ କରିଦେଲେ । ଫଳରେ କୃଷକ ଆନ୍ଦୋଳନ ଅଗ୍ରଗତି କଲା । ଏହାପରେ ଗାନ୍ଧିଜୀ ଘୋଷଣା କଲେ ଯେ ସେ ନିଜେ କିଷାଣ ମଜଦୁର ପ୍ରଜାରାଜ୍ୟ ଗଠନ ପାଇଁ ଆତ୍ମନିୟୋଗ କରିବେ । ଫଳରେ କୃଷକମାନେ ତାହାଙ୍କୁ ବନ୍ଧୁ ରୂପେ ଗ୍ରହଣ କରି ସର୍ବଭାରତୀୟ ଜାତୀୟ କଂଗ୍ରେସ ସହ ହାତ ମିଳାଇଲେ ।

 

ଉପନିଷଦର ଋଷି କହିଲେ ଯେ–

 

‘‘ତମସୋ ମାଂ ଜ୍ୟୋତିର୍ଗମୟ,

ମୃତ୍ୟୋର୍ମାଂଽମୃତଂ ଗମୟ ।’’

 

ଦୀର୍ଘ ରଜନୀ ଅତିକ୍ରାନ୍ତପରେ ସୂର୍ଯ୍ୟ ଉଦିତ ହେବାରୁ ଅନ୍ଧକାର ବିଦୂରିତ ହେଲା । ଜଳ-ସ୍ଥଳ-ଆକାଶ ହସିଉଠିଲା । ସ୍ଥାବର ଜଙ୍ଗମ ସମସ୍ତଙ୍କ ପ୍ରାଣରେ ନବ ଜୀବନର ଅଙ୍କୁର ସଞ୍ଚାରିତ ହେଲା । ସେତେବେଳେ ସେହି ଉଜ୍ଜ୍ୱଳ ସୂର୍ଯ୍ୟକିରଣକୁ ଚାହିଁ ଉପନିଷଦର ଋଷି କହିଲେ– ‘‘ମୋତେ ଅନ୍ଧାରରୁ ଆଲୋକକୁ ଓ ମୃତରୁ ଅମୃତ ଦିଗକୁ ନେଇଯାଅ ।’’

 

ସେହିପରି ଚଟ୍ଟଗ୍ରାମ ଅସ୍ତ୍ରାଗାର ଲୁଣ୍ଠନ ଓ ଜଲାଲାବାଦର ଯୁଦ୍ଧ କାହାଣୀ ଶୁଣି ବଙ୍ଗଳାର ବିପ୍ଳବୀ ତରୁଣ ଓ ଯୁବକମାନେ ସୂର୍ଯ୍ୟସେନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କହିଲେ– ‘‘ଆମକୁ ପରାଧୀନତାର ଅନ୍ଧକାରରୁ ସ୍ୱାଧୀନତାର ଆଲୋକକୁ ନେଇଯାଅ । ଆମେ ମୃତ୍ୟୁବରଣ କରି ଅମୃତ ଲାଭ କରିବାକୁ ଇଚ୍ଛୁକ ।

 

୧୯୩୦ ମସିହାରେ ବିପ୍ଳବାତ୍ମକ କାର୍ଯ୍ୟ କଳାପ ବନ୍ୟାସ୍ରୋତ ପରି ବଙ୍ଗଳାର ପୁରପଲ୍ଲୀରେ ବ୍ୟାପିଗଲା । ଜଲାଲାବାଦ ଘଟନାର ପ୍ରତିବାଦ ସ୍ୱରୂପ ଢାକାରେ ପୁଲିସ ଇନ୍‌ସପେକ୍ଟର ଜେନେରାଲ ଲେ ମ୍ୟାନ ନିହିତ ଓ ପୁଲିସ ସୁପରିନ୍‌ଟେଣ୍ଡେଣ୍ଟ ହଡସନ ଆକ୍ରାନ୍ତ ହେଲେ । ଢାକାର ଗୋଇନ୍ଦା ବିଭାଗର ସର୍ବୋଚ୍ଚ କର୍ତ୍ତା ଗ୍ରାସବିଙ୍କୁ ହତ୍ୟା ଉଦ୍ୟମ କରି ବିନୟ ରାୟ ଯାବଜ୍ଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ । ପୁଲିସ ଇନ୍‌ସପେକ୍ଟର କ୍ରେଗଙ୍କ ଭ୍ରମରେ ତାରିଣୀ ମୂଖାର୍ଜିଙ୍କୁ ହତ୍ୟାକରି ରାମକୃଷ୍ଣ ବିଶ୍ୱାସ ଫାଶୀ ଓ କାଳୀ ଚକ୍ରବର୍ତ୍ତୀ ଯାବଜ୍ଜୀବନ ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡିତ ହେଲେ । ଜେଲ ସମୂହର ଇନ୍‌ସପେକ୍ଟର ଜେନେରାଲ ସିମସନଙ୍କୁ ହତ୍ୟା କରି ଦୀନେଶ ଗୁପ୍ତ ଫାଶୀ ପାଇଲେ । ମେଦିନୀପୁର ଅନ୍ତର୍ଗତ ଦାସପୁରର ଜଣେ ଦାରୋଗାକୁ ହରଣଚାଳ କରି ହତ୍ୟା ଅଭିଯୋଗରେ ଚାରିଜଣ କାରାଦଣ୍ଡରେ ଦଣ୍ଡିତ ହେଲେ ।

 

ଚଟ୍ଟଗ୍ରାମ ଅସ୍ତ୍ରାଗାର ଲୁଣ୍ଠନ ପରେ ପୁଲିସ ଯେଉଁ ଦମନନୀତି ଆରମ୍ଭ କଲେ, ତାର ପ୍ରତିବାଦରେ ଗୋଇନ୍ଦା ବିଭାଗର ଇନ୍‌ସପେକ୍ଟର ମିଃ ଆହସନ ଉଲ୍ଲାଙ୍କୁ ଗୁଳିକରି ହରିପଦ ଭଟ୍ଟାଚାର୍ଯ୍ୟ ଯାବଜ୍ଜୀବନ ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡିତ ହେଲେ । ଫରିଦପୁର ଜିଲାରେ ଗୋଟିଏ ଡାକଲୁଣ୍ଠନକୁ କେନ୍ଦ୍ରକରି ଜଣେ ପୁଲିସ ନିହିତ ହେବାରୁ ମନୋରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କୁ ଫାଶୀ ଓ ସୁରେନ କରଙ୍କର ଯାବଜ୍ଜୀବନ କାରାଦଣ୍ଡ ଆଦେଶ ମିଳିଲା । କଲିକତାର ସିନେଟ ହାଉସରେ ବଙ୍ଗଳାର ଗଭର୍ଣ୍ଣର ସାର୍ ଷ୍ଟାନଲି ଜ୍ୟାକସନଙ୍କୁ ହତ୍ୟା ଉଦ୍ୟମ କରି କୁମାରୀ ବୀଣାଦାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତା ହେଲେ । କୁମିଲ୍ଲାର ଜିଲା ମାଜିଷ୍ଟ୍ରେଟ ଷ୍ଟିଭେନସଙ୍କୁ ହତ୍ୟାକରି କୁମାରୀ ଶାନ୍ତି ଘୋଷ ଓ କୁମାରୀ ସୁନୀତି ଚୌଧୁରୀ ଯାବଜ୍ଜୀବନ କାରାଦଣ୍ଡରେ ଦଣ୍ଡିତା ହେଲେ । ଷ୍ଟେଟସମ୍ୟାନ ପତ୍ରିକାରେ ସମ୍ପାଦକ ଓୟାର୍ଟସନ, ମେଦିନୀପୁରର ୩ ଜଣ ଜିଲା ମାଜିଷ୍ଟ୍ରେଟ ପେଡ଼ି, ଡଗଲାସ ଓ ବାର୍ଜଙ୍କୁ ହତ୍ୟା, ବଙ୍ଗଳାର ଗଭର୍ଣ୍ଣର ଏଣ୍ଡରସନଙ୍କ ହତ୍ୟା ଉଦ୍ୟମ, ଢାକା, ଚଟ୍ଟଗ୍ରାମ ଓ ଫରିଦପୁରରେ ଗୁପ୍ତ ହତ୍ୟା ଘଟନା ପରେ ବହୁ ଯୁବକ ଫାଶୀଦଣ୍ଡ, କାରାଦଣ୍ଡ ଓ ଯାବଜ୍ଜୀବନ ଦ୍ଵୀପାନ୍ତର ଦଣ୍ଡରେ ଦଣ୍ଡିତ ହେଲେ ।

 

ଏଠାରେ ଏକ ଉଲ୍ଲେଖଯୋଗ୍ୟ ଘଟନା–ଲଣ୍ଡନରେ ଜେନେରାଲ ଡାୟାରଙ୍କ ହତ୍ୟା । ଜାଲିୟାନାବାଲାବାଗରେ ନିରୀହ ଜନସାଧାରଣଙ୍କୁ ନିର୍ମମଭାବରେ ହତ୍ୟା କରି ଜେନେରାଲ ଡାୟାର ଲଣ୍ଡନ ଫେରିଯାଇଥିଲେ । ଜାଲିୟାନାବାଲାବାଗ ଘଟନାର ୧୮ ବର୍ଷ ପରେ ଉଧମସିଂହ ଆଜାଦ ନାମକ ଜଣେ ଯୁବକ ଲଣ୍ଡନର ଇଣ୍ଡିଆ ହାଉସ ନିକଟରେ ଡାୟାରଙ୍କୁ ହତ୍ୟା କରି ସ୍ୱଦେଶୀୟମାନଙ୍କ ରକ୍ତପାତରେ ପ୍ରତିଶୋଧ ନେଲେ ।

 

ମାନବର ଜୀବନ ଏବଂ ଖରସ୍ରୋତା ନଦୀ–ଦୁଇଟିଯାକ ପ୍ରାୟ ସମାନ । ଦୁଇଟିକୁ ଯେଉଁମାନେ ମିଳାଇ ଦେଖନ୍ତି, ସେମାନେ ପ୍ରାୟ ପ୍ରବାହ ଉପରେ ଜୋର ଦିଅନ୍ତି । କାରଣ ଦୁହେଁ ଅଶ୍ରାନ୍ତ ଭାବରେ ପ୍ରବହମାନ । ଏହା ବ୍ୟତୀତ ଆଉ ଗୋଟିଏ ସାଦୃଶ୍ୟ ମଧ୍ୟ ଅଛି । ତାହା ହେଉଛି–ନଦୀ ଭଳି ଜୀବନର ଗତି ମଧ୍ୟ ପରିବର୍ତ୍ତିତ ହୁଏ । ହଠାତ୍ ବନ୍ୟା ଆସେ । ତରଙ୍ଗର ଆଘାତରେ ନଦୀର କୂଳ ଭାଙ୍ଗିପଡ଼େ । ରାତ୍ରକ ମଧ୍ୟରେ ରୂପ ବଦଳି ଯାଏ । ମାତ୍ର ପରେ ସେହି ସ୍ତୂପରୁ ଦେଖାଦିଏ ନବ ଜୀବନର ଅଙ୍କୁର । ନଦୀକୂଳରେ ଚଡ଼ା ପଡ଼େ । ନୂତନ ଆଶ୍ରୟ ଗଢ଼ି ଉଠେ-

 

ଠିକ୍ ସେହିପରି ଗାନ୍ଧିଜୀ ଲଣ୍ଡନରୁ ବାରିଷ୍ଟରୀ ପାସ୍‍ କରି ଆସି ପ୍ରଥମେ ରାଜକୋଟ ଓ ପରେ ବମ୍ୱେରେ ଓକିଲାତି କଲେ । ମାତ୍ର ପିଲାଟି ଦିନରୁ ଲାଜକୁଳାଥିବାରୁ ଓକିଲାତିରେ ବିଶେଷ କିଛି ଉନ୍ନତି କରିପାରିଲେ ନାହିଁ । ଏହି ସମୟରେ ଦକ୍ଷିଣ ଆଫ୍ରିକାରେ ଜଣେ ଭାରତୀୟଙ୍କର ଏକ ମକଦ୍ଦମା ଚାଲିଥାଏ । ଗାନ୍ଧିଜୀ ସେ ମକଦ୍ଦମା ଚଳାଇବା ପାଇଁ ଦକ୍ଷିଣ ଆଫ୍ରିକା ଗଲେ ! ମାତ୍ର ସେଠାରେ କଳାଗୋରା ଭେଦରେ ସେ ମର୍ମାହତ ହୋଇ ପ୍ରିଟୋରିଆ ଯାଇ ଅହିଂସା ସତ୍ୟାଗ୍ରହ ଆରମ୍ଭ କଲେ । ଗାନ୍ଧିଜୀଙ୍କ ଜୀବନର ଗତି ପରିବର୍ତ୍ତିତ ହୋଇଗଲା । ସେ ଓକିଲାତି ଛାଡ଼ି ରାଜନୀତିରେ ପ୍ରବେଶ କଲେ । ସେଠାରେ ଯଶସ୍ୱୀ ହୋଇ ସେ ଭାରତ ଫେରି ଆସିଲେ ।

 

୧୯୨୦ ମସିହାରେ ଅହିଂସା ଓ ଅସହଯୋଗ ମନ୍ତ୍ର ନେଇ ଗାନ୍ଧିଜୀ ଭାରତୀୟ ରାଜନୀତିରେ ପ୍ରବେଶ କଲେ । ଚମ୍ପାରଣ, ଖାଇରା, ବରସାଦ ଏବଂ ଅହମଦାବାଦରେ ସେ ଏହି ସତ୍ୟାଗ୍ରହ କରି ସାଫଲ୍ୟ ଲାଭ କଲେ । ରାଓଲଟ ବିରୋଧୀ ଆନ୍ଦୋଳନରେ ସତ୍ୟାଗ୍ରହର ପରିପ୍ରକାଶ ଘଟିଲା । ଏହି ସତ୍ୟାଗ୍ରହ ପରେ ବିରାଟ ଗଣଆନ୍ଦୋଳନରେ ପରିଣତ ହେଲା । ତେଣୁ ଗାନ୍ଧିଜୀଙ୍କ ସଂଗ୍ରାମ ସୂଚୀରେ ରଚନାତ୍ମକ କାର୍ଯ୍ୟ ସଂଯୋଗ କଲେ । ଅସହଯୋଗ ଆନ୍ଦୋଳନ ଦ୍ରୁତ ଗତିରେ ନୀତି ବିରୋଧି ଆଇନର ନିଷ୍କ୍ରିୟ ପ୍ରତିରୋଧ ଏବଂ ଆକ୍ରମଣାତ୍ମକ ଆଇନ ଅମାନ୍ୟର ରୂପ ପରିଗ୍ରହ କଲା ।

 

ଗାନ୍ଧିଜୀଙ୍କ ଆଗମନ ପୂର୍ବ ପର୍ଯ୍ୟନ୍ତ ଭାରତ ମୁଖ୍ୟତଃ ନିତିଟି ଯୁଗ ଅତିକ୍ରମ କରି ସାରିଥିଲା । ପ୍ରଥମତଃ ୧୮୮୫ ରୁ ୧୯୦୫ ପର୍ଯ୍ୟନ୍ତ ସଂସ୍କାର ଯୁଗ; ୨ୟରେ ୧୯୦୬ ରୁ ୧୯୧୬ ପର୍ଯ୍ୟନ୍ତ ସ୍ୱାୟତ୍ତ ଶାସନ ଯୁଗ ଏବଂ ୩ୟରେ ୧୯୧୭ ରୁ ୧୯୨୧ପର୍ଯ୍ୟନ୍ତ ହୋମରୁଲ ଯୁଗ । ଏବେ ଚତୁର୍ଥ ପର୍ଯ୍ୟାୟରେ ଏକ ନୂତନ ଯୁଗର ଆରମ୍ଭ ହେଲା–ଅହିଂସା ଓ ଅସହଯୋଗ ଯୁଗ ।

 

୧୯୨୧ ମସିହାରେ ଇଂଲଣ୍ଡର ଯୁବରାଜଙ୍କ ଭାରତ ପରିଦର୍ଶନ କାଳରେ ଦେଶବାସୀ ତାଙ୍କ ଆଗମନ ଉତ୍ସବରେ ଅସହଯୋଗ କଲେ । ଏଥିପାଇଁ ସାରା ଦେଶରେ ୩୦ ହଜାର ଲୋକ ଗିରଫ ହେଲେ । ତାପରେ ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହରେ ୬୦ ହଜାର ଗିରଫ ହେଲେ । ୧୯୩୧ରେ ଗାନ୍ଧୀ ଆରଉଇନ ଚୁକ୍ତି ସମ୍ପଦିତ ହେବାରୁ ସତ୍ୟାଗ୍ରହୀମାନେ ମୁକ୍ତି ପାଇଲେ । ମାତ୍ର ୧୯୩୭ରେ ଲର୍ଡ ଉଇଲିଂଡନ ଏହି ଚୁକ୍ତି ବାତିଲ କରିବାପାଇଁ ଉଦ୍ୟମ କରିବାରୁ ନୂତନ ଭାବରେ ବିରୋଧର ସୂଚନା ଦେଖାଦେଲା । ଆଇନ ଅମାନ୍ୟ ଆନ୍ଦୋଳନ କରି ଏକଲକ୍ଷ ୨୦ ହଜାର ବ୍ୟକ୍ତି କାରାବରଣ କଲେ । ୧୯୩୪ ମସିହାର କେନ୍ଦ୍ରୀୟ ପରିଷଦ ବୈଠକରେ ଦେଖାଗଲା ଯେ କଂଗ୍ରେସ ହିଁ ଦେଶରେ ସର୍ବବୃହତ୍ ରାଜନୈତିକ ଦଳ ।

 

୧୯୩୫ ମସିହାରେ ଭାରତ ଶାସନ ଆଇନ ପ୍ରବର୍ତ୍ତିତ ହେଲା । ପ୍ରାଦେଶିକ ସ୍ୱାୟତ୍ତଶାସନ ପରିକଳ୍ପନା ଅନୁସାରେ ୧୯୩୭ ମସିହାରେ ଯେଉଁ ସାଧାରଣ ନିର୍ବାଚନ ହେଲା; ତହିଁରେ କଂଗ୍ରେସ ୬ଟି ପ୍ରଦେଶରେ ଜୟଲାଭ କରି ମନ୍ତ୍ରୀସଭା ଗଠନ କଲା । ପରେ ଆଉ ଦୁଇଟି ପ୍ରଦେଶରେ ମନ୍ତ୍ରୀସଭା କରାଗଲା ।

 

୧୯୩୯ ମସିହାରେ ହଠାତ୍ ୨ୟ ମହାଯୁଦ୍ଧ ଆରମ୍ଭ ହେବାରୁ ଜାତୀୟ କଂଗ୍ରେସର ଇତିହାସରେ ଆଉ ଏକ ନୂଆଯୁଗ ଆରମ୍ଭ ହେଲା । ୧୯୩୭ ମସିହାରୁ ଜାତି କଂଗ୍ରେସ ଜରିଆରେ ବ୍ରିଟିଶ ସରକାରଙ୍କୁ ବାରମ୍ୱାର ସତର୍କ କରାଇ ଆସିଥିଲା ଯେ ବ୍ରିଟିଶର କୌଣସି ଯୁଦ୍ଧରେ ଭାରତକୁ ଅଂଶୀଦାର କରାଯାଇ ପାରିବ ନାହିଁ । ତେଣୁ ଯୁଦ୍ଧ ଆରମ୍ଭ ସଙ୍ଗେ ସଙ୍ଗେ କଂଗ୍ରେସ ଜାଣିବାକୁ ଚାହିଁଲା–ବ୍ରିଟିଶର ଯୁଦ୍ଧ ଘୋଷଣାର ଉଦ୍ଦେଶ୍ୟ କଣ ? ସରକାର ଜଣାଇଲେ–କୌଣସି ଉଦ୍ଦେଶ୍ୟ ନାହିଁ । ତେଣୁ କଂଗ୍ରେସ ସ୍ପଷ୍ଟଭାବରେ ଜଣାଇ ଦେଲା–କେବଳ ସ୍ୱାଧୀନ ଓ ମୁକ୍ତ ଜାତି ରୂପେ ଭାରତ ଯୁଦ୍ଧରେ ସାହାଯ୍ୟ କରିପାରେ । ଅନ୍ୟଥା ସେ ଏ ଯୁଦ୍ଧରେ ଭାଗ ନେଇ ପାରିବ ନାହିଁ । ତେଣୁ ସରକାର ୧୯୩୫ ମସିହା ଭାରତ ଶାସନ ଆଇନ ଫେଡେରସନ ସଂକ୍ରାନ୍ତ ୨ୟ ଅଧ୍ୟାୟଟି ନାକଚ କରିଦେଲେ ଏବଂ ପ୍ରକାଶ୍ୟ ଭାବରେ ଘୋଷଣା କଲେ ଯେ ଭାରତର ୧୦ କୋଟି ମୁସଲମାନ ଏହି ଫେଡେରସନ ଗଠନର ବିରୋଧୀ । ଫଳରେ କଂଗ୍ରେସ ସରକାର ପଦତ୍ୟାଗ କଲେ । ୧୯୩୫ ମସିହା ଭାରତ ଶାସନ ଆଇନର ୯୩ ଧାରା ଅନୁସାରେ ଗଭର୍ଣ୍ଣର ଶାସନ ପ୍ରବର୍ତ୍ତିତ ହେଲା ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେଉଁ ଭେଦନୀତି ବଳରେ ବ୍ରିଟିଶ ସରକାର ଏ ଦେଶରେ ଶାସନଗାଦୀ ଅଧିକାର କରିଥିଲେ ଏବଂ କ୍ରମେ ରାଜ୍ୟ ବିସ୍ତାରକରି ସର୍ବଭୌମ ଶକ୍ତିରେ ପରିଣତ ହୋଇଥିଲେ–ଏହା ତାହାର ଏକ ସଫଳ ପ୍ରୟୋଗ । କେବଳ ରାଜ୍ୟ ବିସ୍ତାର ବା ରାଜ୍ୟଲାଭ ନୁହେଁ, ୧୯୦୬ ମସିହାରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ୧୯୧୭ ଫେବୃୟାରୀରେ ବ୍ରାହ୍ମଣ-ଅବ୍ରାହ୍ମଣଙ୍କ ମଧ୍ୟରେ ୧୯୩୧ରେ ସାଂପ୍ରଦାୟିକ ଭାଗ ବାଣ୍ଟ ନାମରେ ବର୍ଣ୍ଣହିନ୍ଦୁ ଓ ହରିଜନଙ୍କ ମଧ୍ୟରେ ଏବଂ ୧୯୩୫ରେ ଭାରତ ଶାସନ ଆଇନଦ୍ୱାରା ହିନ୍ଦୁ ମୁସଲମାନ ଓ ହରିଜନଙ୍କ ବିରୁଦ୍ଧରେ ଉପଜାତି ଲୋକମାନଙ୍କୁ ପ୍ରବର୍ତ୍ତାଇ ଇଂରେଜମାନେ ବିଭେଦ ସୃଷ୍ଟି କରିଥିଲେ-। ଫଳରେ ଭାରତୀୟଙ୍କ ମଧ୍ୟରେ ଏକତା ଓ ପ୍ରତିରୋଧ ଶକ୍ତି ଲୋପ ପାଇ ଯାଇଥିଲା । ବ୍ରିଟିଶ ସରକାର ନିର୍ବିଘ୍ନରେ ରାଜ୍ୟ ଶାସନ ଚଳାଇଥିଲେ ।

 

ବ୍ରିଟିଶ ସରକାରଙ୍କ ଘୋଷଣା ଫଳରେ ୧୯୪୦ ମସିହାରେ ଭାରତର ଉତ୍ତରପୂର୍ବ ଓ ଉତ୍ତର ପଶ୍ଚିମର କେତୋଟି ପ୍ରଦେଶକୁ ନେଇ ପାକିସ୍ଥାନ ଗଠନର ଧ୍ୱନି ଉଠିଲା । ଗାନ୍ଧିଜୀ ଘୋଷଣା କଲେ ବର୍ତ୍ତମାନର ବିଶ୍ୱଯୁଦ୍ଧ ସମୟରେ ଆମେ ବ୍ରିଟିଶ ସରକାରଙ୍କୁ ବିବ୍ରତ କରି ସ୍ୱାଧୀନତା ଲାଭ କରିବାକୁ ଇଚ୍ଛୁକ ନୋହୁଁ, ମାତ୍ର ଆଶ୍ଚର୍ଯ୍ୟର ବିଷୟ ଯେ ସାମ୍ରାଜ୍ୟର ଦାରୁଣ ଦୁର୍ଦ୍ଦିନରେ ମଧ୍ୟ ବ୍ରିଟିଶ ସରକାର ସାମ୍ରାଜ୍ୟବାଦ ନୀତି ପରିତ୍ୟାଗ କରିବାକୁ ପ୍ରସ୍ତୁତ ନୁହନ୍ତି । ୧୯୪୦ ମସିହା ଅଗଷ୍ଟ ୮ ତାରିଖରେ ବଡଲାଟ ଲର୍ଡ ଲିନ୍‌ଲିଥଗୋ ଘୋଷଣା କଲେ–ଯୁଦ୍ଧ ଶେଷରେ ଭାରତର ନୂତନ ଶାସନତନ୍ତ୍ର ପ୍ରଣୟନ ଅଧିକାର ଭାରତବାସୀଙ୍କୁ ଦିଆଯିବ । ମାତ୍ର ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଇଚ୍ଛା ବିରୁଦ୍ଧରେ ସେମାନଙ୍କ ଉପରେ କୌଣସି ଶାସନତନ୍ତ୍ର ଲଦି ଦିଆଯିବ ନାହିଁ ।

 

ଗାନ୍ଧିଜୀ ତାର ଉତ୍ତରରେ କହିଲେ–ଏ ଘୋଷଣା ଦ୍ୱାରା ବ୍ରିଟେନ ଓ ଭାରତ ମଧ୍ୟରେ ବିଚ୍ଛେଦ ଦୃଢ଼ତର କରାଗଲା । ତେଣୁ ସେ ସତ୍ୟାଗ୍ରହ ଆରମ୍ଭ କଲେ ।

 

କଂଗ୍ରେସ ସହିତ ବ୍ରିଟିଶ ଗଭର୍ଣ୍ଣମେଣ୍ଟର ଏଭଳି ମତ ବିରୋଧର ସୁଯୋଗ ନେଇ ମିଃ ଜିନ୍ନା ମୁସଲିମ ଲିଗ୍‌ର ପ୍ରଭାବ ବୃଦ୍ଧି କରିବାରେ ଲାଗିଲେ । ୧୯୩୭ରେ କଂଗ୍ରେସ ଯେତେବେଳେ ମନ୍ତ୍ରୀ ସଭା ଗଠନ କଲା, ସେତେବେଳେ ଜିନ୍ନା ଘୋଷଣା କରିଥିଲେ ଯେ କଂଗ୍ରେସ ଶାସିତ ପ୍ରଦେଶମାନଙ୍କରେ ମୁସଲମାନମାନେ ସୁବିଚାର ପାଇବେ ନାହିଁ । ତେଣୁ ୧୯୩୯ ମସିହାରେ ମୁସଲିମ ଲିଗ୍‌ ପୀରପୁର ରିପୋର୍ଟ, ସରିଫ ରିପୋର୍ଟ ଓ ଫଜଲୁଲ ହକ ରିପୋର୍ଟ ନାମରେ ୩ ଖଣ୍ଡ ପୁସ୍ତକ ପ୍ରଚାର କଲେ । କଂଗ୍ରେସ ଶାସିତ ପ୍ରଦେଶରେ ମୁସଲମାନମାନଙ୍କ ପ୍ରତି ଅବିଚାର ଓ ଅତ୍ୟାଚାର ହେଉଥିବାର ଉକ୍ତ ରିପୋର୍ଟରେ ଉଲ୍ଲେଖ ଥିଲା । ତେଣୁ କଂଗ୍ରେସ ଯେତେବେଳେ ମନ୍ତ୍ରୀସଭା ଭାଙ୍ଗିଦେଲା, ସେତେବେଳେ ଜିନ୍ନା ମୁକ୍ତି ଦିବସ ପାଳନ କଲେ ।

 

୧୯୪୦ ମସିହାର ମାର୍ଚ୍ଚ ମାସରେ ମୁସଲିମ ଲିଗ୍‌ର ଲାହୋର ଅଧିବେଶନରେ ସଭାପତିତ୍ୱ କରି ମିଃ ଜିନ୍ନା ଘୋଷଣା କଲେ–ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ଯେଉଁ ପାର୍ଥକ୍ୟ, ତାହା କେବଳ ଧର୍ମରେ ନୁହେଁ; ଅଶନ, ବସନ, ସାମାଜିକ ଆଚାର-ବ୍ୟବହାର, ସାହିତ୍ୟ ଓ ଦର୍ଶନରେ ମଧ୍ୟ ପରିଷ୍ପୁଟ । ଦୁଇଜାତି କଦାପି ଏକ ଜାତିରେ ପରିଣତ ହୋଇ ପାରିବେ ନାହିଁ । ଏଣୁ ଭାରତକୁ ଦିଖଣ୍ଡ କରିବା ଏକାନ୍ତ ଆବଶ୍ୟକ ।

 

ମିଃ ଜିନ୍ନାଙ୍କ ଏ ଦାବୀ ପ୍ରଥମେ ସାର ମହମ୍ମଦ ଇକବାଲ ଉତ୍‌ଥାପନ କରିଥିଲେ । ୧୯୩୦ ରେ ମୁସଲିମ ଲିଗ୍‍ର ଲକ୍ଷ୍ନୌ ଅଧିବେଶନରେ ପୌରୋହିତ୍ୟ କରି ସେ କହିଥିଲେ–ପଞ୍ଜାବ, ସିନ୍ଧୁ, ସୀମାନ୍ତ ପ୍ରଦେଶ ଓ ବେଲୁଚିସ୍ଥାନକୁ ମିଶାଇ ଗୋଟିଏ ସ୍ୱତନ୍ତ୍ର ମୁସଲମାନ ରାଜ୍ୟ ଗଠନ କରାଯିବା ଉଚିତ । ମାତ୍ର ଦେଶରକ୍ଷା ଓ ଯାନବାହନ ପରିଚାଳନା କ୍ଷେତ୍ରରେ ଏହି ରାଷ୍ଟ୍ର ଭାରତ ଯୁକ୍ତରାଷ୍ଟ୍ରର ଅନ୍ତର୍ଭୁକ୍ତ ହେବା ଆବଶ୍ୟକ । ୧୯୩୩ ମସିହାରେ ଚୌଧୁରୀ ରହେମତ ଅଲ୍ଲୀ ନାମକ ଜଣେ ମୁସଲମାନ ପ୍ରଥମେ ପାକିସ୍ଥାନ ପ୍ରଶ୍ନ ଉତ୍‌ଥାପନ କରିଥିଲେ । ତାଙ୍କ ପାକିସ୍ଥାନର ଅର୍ଥ-ପି ପଞ୍ଜାବ, ଏ-ଆଫଗାନଭୂମି ବା ସୀମାନ୍ତ ପ୍ରଦେଶ, କେ-କାଶ୍ମୀର, ଏସ୍‍-ସିନ୍ଧୁ ଓ ସ୍ଥାନ-ସ୍ଥାନବେଲୁଚି । ଅର୍ଥାତ୍‍ ପଞ୍ଜାବ, ସୀମାନ୍ତ ପ୍ରଦେଶ, କାଶ୍ମୀର, ସିନ୍ଧୁ ଓ ବେଲୁଚିସ୍ଥାନକୁ ମିଶାଇ ସ୍ୱତନ୍ତ୍ର ରାଷ୍ଟ୍ରଗଠନ । ଯାହାର ନାମ ହେବ–ପାକିସ୍ଥାନ ।

 

ମିଃ ଜିନ୍ନା ଏହାକୁ ରାଜନୈତିକ ପ୍ରାଧାନ୍ୟ ପ୍ରଦାନ କରି ପାକିସ୍ଥାନ ନାମରେ ଏକ ସ୍ୱାଧୀନ ମୁସଲମାନ ରାଷ୍ଟ୍ର ଗଠନରେ ଜୋର ଦେଲେ । ୧୯୪୨ ମସିହାରେ ତେଣୁ ସେ ସାର୍‌ ରେଜିନ୍ୟାଲଡ କୁପଲ୍ୟାଣ୍ଡଙ୍କୁ କହିଲେ– ପଞ୍ଜାବ, ସୀମାନ୍ତ ପ୍ରଦେଶ, ସିନ୍ଧୁ ଓ ବଙ୍ଗଦେଶକୁ ସେ ପାକିସ୍ଥାନର ଅନ୍ତର୍ଭୁକ୍ତ କରିବାକୁ ଚାହାନ୍ତି ।
 

୨ୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଜାପାନ ଉଲ୍‌କା ବେଗରେ ଭାରତର ପୂର୍ବ ସୀମାନ୍ତ ପ୍ରତି ଧାବିତ ହେବାରେ ଲାଗିଲା । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ସାର ଉଇନଷ୍ଟନ ଚର୍ଚ୍ଚିଲ ଏତେବେଳେ ବୁଝିଲେ ଯେ ଏ ଯୁଦ୍ଧରେ ଭାରତ ରକ୍ଷାପାଇଁ କଂଗ୍ରେସର ସହଯୋଗ ଏକାନ୍ତ ଆବଶ୍ୟକ । ତେଣୁ ସେ ସାର୍‌ ଷ୍ଟାଫୋର୍ଡ କ୍ରିପ୍‌ସଙ୍କୁ କଂଗ୍ରେସ ନେତୃବର୍ଗଙ୍କ ସହ ଆଲୋଚନା ପାଇଁ ପଠାଇଲେ । କ୍ରିପ୍‌ ଯେଉଁ ପ୍ରସ୍ତାବ ଦେଲେ ତାହାର ସାର ମର୍ମ୍ମ ହେଉଛି (୧) ଯୁଦ୍ଧ ଶେଷରେ ଭାରତର ଶାସନ ତନ୍ତ୍ର ରଚନା କରିବା ପାଇଁ ଗଣ ପରିଷଦ ଆହ୍ୱାନ କରାଯିବ । ଏହି ପରିଷଦରେ ବ୍ରିଟିଶ ଭାରତ ଓ ଭାରତୀୟ ରାଜ୍ୟ ସମୂହର ପ୍ରତିନିଧିମାନେ ସ୍ଥାନ ପାଇବେ, (୨) ଏହି ପରିଷଦ ଯେଉଁ ଶାସନତନ୍ତ୍ର ରଚନା କରିବେ, ତାହା ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଗ୍ରହଣ କରିବ ଓ ତଦନୁଯାୟୀ ଭାରତୀୟ ଯୁକ୍ତରାଷ୍ଟ୍ର ଗଠିତ ହେବ (୩) ଯଦି କେହି ଅନିଚ୍ଛା ପ୍ରକାଶ କରିବେ, ତେବେ ସେ ନିଜ ଇଚ୍ଛାନୁସାରେ ଶାସନତନ୍ତ୍ର ରଚନା କରିପାରିବେ । (୪) ଭାରତୀୟ ଯୁକ୍ତରାଷ୍ଟ୍ର କ୍ଷମତା ହସ୍ତାନ୍ତର ପାଇଁ ଗୋଟିଏ ସନ୍ଧି କରିବେ, କିନ୍ତୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଓ ସ୍ୱାଧୀନ ହେବାର କ୍ଷମତା ଲାଭ କରିବେ । (୫) ଯେ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ, ସେ ପର୍ଯ୍ୟନ୍ତ ଭାରତର ନିରାପତ୍ତା ଦାୟିତ୍ୱ ବ୍ରିଟିଶ ସରକାର ଉପରେ ନ୍ୟସ୍ତ ରହିବ । ମାତ୍ର କଂଗ୍ରେସ ଏ ପ୍ରସ୍ତାବ ଗ୍ରହଣ କଲାନାହିଁ ।

 

୧୯୪୨ ମସିହା ଅପ୍ରେଲ ୧୦ ତାରିଖରେ କଂଗ୍ରେସ କାର୍ଯ୍ୟକାରୀ କମିଟି କ୍ରିପ୍‌ସ୍‌ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବା ପରେ ମହାତ୍ମା ଗାନ୍ଧୀଙ୍କ କଣ୍ଠରୁ ‘ଭାରତଛାଡ଼’ ପ୍ରସ୍ତାବ ଧ୍ୱନି ହେଲା । ଜୁଲାଇ ୧୪ ତାରିଖରେ କଂଗ୍ରେସ କାର୍ଯ୍ୟକାରୀ କମିଟି ସ୍ଥିର କଲେ ଯେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ପ୍ରସ୍ତାବ ଗୃହୀତ ନ ହେଲେ ଅହିଂସା ସଂଗ୍ରାମ ଆରମ୍ଭ କରାଯିବ । ଅଗଷ୍ଟ ୮ ତାରିଖରେ ବମ୍ବେରେ ଅନୁଷ୍ଠିତ ନିଖିଳ ଭାରତ କଂଗ୍ରେସ କମିଟିରେ ଏ ପ୍ରସ୍ତାବ ଗୃହୀତ ହୋଇଗଲା । ଏ ମଧ୍ୟରେ ବଡ଼ଲାଟ୍‌ ଲର୍ଡ ଲିନ୍‌ଲିଥଗୋ କଂଗ୍ରେସର ବିରୋଧିତାକୁ ନିର୍ମୂଳ କରିବା ପାଇଁ ଗୋପନରେ ପ୍ରସ୍ତୁତ ହୋଇ ସାରିଥିଲେ । ଅଗଷ୍ଟ ୯ ତାରିଖ ପ୍ରତ୍ୟୁଷରୁ ମହାତ୍ମାଗାନ୍ଧୀ, କାର୍ଯ୍ୟକାରୀ କମିଟିର କେତେକ ସଦସ୍ୟ ଓ ବହୁ କଂଗ୍ରେସ ନେତାଙ୍କୁ ଗିରଫ କରାଗଲା । ସାରା ଦେଶରେ ବ୍ୟାପକ ଧରପଗଡ଼ ଆରମ୍ଭ ହୋଇଗଲା । ପୁଲିସ ଓ ସୈନ୍ୟବାହିନୀର ନିର୍ଯ୍ୟାତନାରେ ଜନସାଧାରଣ ନେତୃତ୍ୱ ଅଭାବରୁ କାଣ୍ଡାରୀ ବିହୀନ ନୌକାପରି ଧାବିତ ହେଲେ ।

 

‘ବ୍ରିଟିଶ ଭାରତ ଛାଡ଼’– ‘କରେଙ୍ଗେ ୟା ମରେଙ୍ଗେ ।’

 

ମହାତ୍ମାଗାନ୍ଧୀଙ୍କର ଏହି ଅଭୟ ମନ୍ତ୍ର, ନଗର-ପୁର-ପଲ୍ଲୀ-ଅରଣ୍ୟ-ସାଗର ସର୍ବତ୍ର ପ୍ରତିଧ୍ୱନିତ ହେବାରେ ଲାଗିଲା । ଗାନ୍ଧିଜୀଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାପାଇଁ କଂଗ୍ରେସ, କଂଗ୍ରେସ ସମାଜତନ୍ତ୍ରୀ, ଫରୱାର୍ଡ଼ କ୍ଳବ, ବିପ୍ଳବୀ ସମାଜ ତନ୍ତ୍ରୀ, ବିପ୍ଳବୀ ସାମ୍ୟବାଦ ପ୍ରଭୃତି ସମସ୍ତ ପ୍ରଗତିଶୀଳ ରାଜନୈତିକଦଳ ଆଗେଇ ଆସିଲେ, ହିମାଚଳରୁ କନ୍ୟାକୁମାରୀ ଓ ଆରବ ଉପକୂଳରୁ ବଙ୍ଗୋପସାଗର ଉପକୂଳ ପର୍ଯ୍ୟନ୍ତ ଦାବାନଳ ପରି ଆନ୍ଦୋଳନ ବ୍ୟାପିଗଲା ।

 

ସରକାର ଭାବିଥିଲେ ଯେ ଏକ ସମୟରେ ସବୁ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଗିରଫ କରିନେଲେ ବିପ୍ଳବ ଆପେ ଆପେ ପ୍ରଶମିତ ହୋଇଯିବ । ମାତ୍ର ତାଙ୍କର ସେ ଭ୍ରମ ଭାଙ୍ଗିଗଲା । ଶ୍ରୀମତୀ ଅରୁଣା ଆସଫ ଅଲ୍ଲୀ, ଶ୍ରୀ ଜୟପ୍ରକାଶ ନାରାୟଣ, ଡକ୍ଟର ରାମମନୋହର ଲୋହିଆ ଓ ଶ୍ରୀ ଅଚ୍ୟୁତ ପଟ୍ଟବର୍ଦ୍ଧନ ପ୍ରମୁଖ କଂଗ୍ରେସ ସମାଜବାଦୀ ଦଳର ନେତାମାନେ ସରକାରଙ୍କ ସନ୍ଧାନୀ ଦୃଷ୍ଟିର ଅନ୍ତରାଳରେ ରହି ବିପ୍ଳବ ପରିଚାଳନା କଲେ । ପ୍ରଚାର ପୁସ୍ତିକା ଓ ସ୍ୱାଧୀନ ଭାରତ ବେତାର କେନ୍ଦ୍ର ସାହାଯ୍ୟରେ ସମ୍ବାଦ ଜନସାଧାରଣଙ୍କୁ ଜଣାଇ ଦିଆଗଲା । କଂଗ୍ରେସ ବେତାର ଷ୍ଟେସନର ନିଜସ୍ୱ ଟ୍ରାନ୍‌ସମିଟର, ଟ୍ରାନ୍‌ସମିଟିଂ ଷ୍ଟେସନ, ରେକର୍ଡ଼ିଂ ଷ୍ଟେସନ ଓ ପ୍ରଚାର ପାଇଁ ନିର୍ଦ୍ଦିଷ୍ଟ ଏକ ତରଙ୍ଗ ଆଗରୁ ସ୍ଥିର କରାଯାଇଥିଲା । ବମ୍ବେ ଓ କଲିକତାରେ ଏଥିପାଇଁ ଦୁଇଟି କେନ୍ଦ୍ର ସ୍ଥାପନ କରାଯାଇଥିଲା ।

 

ଭାରତରେ ଯେଉଁ ଅଭୁତପୂର୍ବ ଗଣ ଆନ୍ଦୋଳନ ଆରମ୍ଭ ହେଲା, ତହିଁରେ ବଙ୍ଗଳାର ମେଦିନୀପୁର, ବମ୍ବେର ସାତାରା, ଯୁକ୍ତପ୍ରଦେଶର ବାଲିଆ ଓ ବିହାରର ଭାଗଲପୁର ସମ୍ପୂର୍ଣ୍ଣରୂପେ ବ୍ରିଟିଶ କବଳରୁ ମୁକ୍ତ ହୋଇ ସ୍ୱାଧୀନତା ଘୋଷଣା କରିଥିଲେ । ବ୍ରିଟିଶ ସରକାରଙ୍କ ପକ୍ଷରୁ ଗୁଳିଚାଳନା, ଏପରିକି ବିମାନରୁ ବୋମା ବର୍ଷଣ ମଧ୍ୟ ବାଦ ଗଲାନାହିଁ ।

 

ଅଗଷ୍ଟ ୯ ତାରିଖରେ ନେତାମାନେ ଗିରଫ ହେବା ପରେ ପରେ ବମ୍ବେରେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ପ୍ରଥମେ ବିରାଟ ଶୋଭାଯାତ୍ରାରେ ବିକ୍ଷୋଭ ପ୍ରଦର୍ଶନ କଲେ । ସେମାନଙ୍କ ମଧ୍ୟରୁ କେତେକ ଲାଠି, ଗୁଳି ଓ ବାଓନେଟ ମୁନରେ ଜୀବନ ଦେଲେ । ଗୁଜରାଟର ସ୍କୁଲ କଲେଜ ଓ ଅହମଦାବାଦର କଳକାରଖାନାରେ ହରତାଳ ପାଳିତ ହେଲା । ଅଗଷ୍ଟ ୧୮ ତାରିଖ ଦିନ ୩୪ ଜଣ ଛାତ୍ର ବରୋଦାରୁ ଆନନ୍ଦ ଆଡ଼କୁ ଟ୍ରେନରେ ଯାଇ ପ୍ରଚାର କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇ ଗୁଳି ଚଳାଇଲେ । ଘଟନାସ୍ଥଳରେ ଚାରି ଜଣ ମରିଗଲେ ଓ ୧୨ ଜଣ ଆହତ ଅବସ୍ଥାରେ ହାସପାତାଳକୁ ଗଲେ । ଅହମଦାବାଦର ଶ୍ରମିକମାନେ ହରତାଳ କରିବାରୁ ସେଠାରେ ସମସ୍ତ ସଭା ଓ ଶୋଭାଯାତ୍ରା ବେଆଇନ କରିଦିଆଗଲା । ଗୁଜରାଟର ଜଲାଲାପୁରରେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସତାରା, କର୍ଣ୍ଣାଟକ, ସମସ୍ତ ଆସାମ ପ୍ରଦେଶ, ବାଲିଆ, ଆଲମୋରା ମଧ୍ୟପ୍ରଦେଶର ଅସ୍ତି-ଚିମୂର, ତମଲୁକ, କାନ୍ଥି, କଣ୍ଟାଇ, କେରଳ, ଆନ୍ଧ୍ର, ବିହାର, ସିନ୍ଧୁ, କୋଚିନ କାଥିଆବାଡ଼, ରାଜକୋଟ, କୋହ୍ଲାପୁର ପ୍ରଭୃତି ସର୍ବତ୍ର ବିପ୍ଳବର ଦାବାନଳ ଜଳିଉଠିଲା । ଓଡ଼ିଶା ମଧ୍ୟ ଏ ଆନ୍ଦୋଳନରୁ ବାଦ ଯାଇ ନ ଥିଲା । ଓଡ଼ିଶାର ଅନ୍ଧାରିମୂଳକ ଗଡ଼ଜାତରେ ବିପ୍ଳବର ବହ୍ନି ଲେଲିହାନ ଶିଖା ବିସ୍ତାର କରି ବ୍ୟାପି ଯାଇଥିଲା । ଶ୍ରୀ ହରେକୃଷ୍ଣ ମହତାବ ପ୍ରମୁଖ କଂଗ୍ରେସ ନେତାମାନେ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଯୋଗଦେଇ ଫେରୁଥିବାବେଳେ ଗିରଫ ହେଲେ ।

 

ଓଡ଼ିଶାରେ ଯେଉଁ ନେତାମାନେ ଥିଲେ ସେମାନେ ଗିରଫ ହୋଇଯିବାପରେ ରେଭେନ୍‌ସା କଲେଜର ଛାତ୍ରମାନେ ପ୍ରଥମେ ଅମଲାତନ୍ତ୍ରକୁ ଅଚଳ କରିଦେବାପାଇଁ ଏକ ଛାତ୍ରସଭାରେ ମିଳିତ ହେଲେ । ତାପରେ କଲେଜ ଅଫିସରେ ନିଆଁ ଲଗାଇ ଦିଆଗଲା । ଆଖିବୁଜା ଗିରଫଦାରୀ ଓ ଦମନ ଲୀଳା ଆରମ୍ଭ ହେଲା । ତାପରେ ସାରା ଓଡ଼ିଶାରେ ବିପ୍ଳବ ବ୍ୟାପିଗଲା । ବରୀ, ଇରମ, ଧାମନଗର, ଖଇରା ସୋର, ମାଥିଲି, ପପଡ଼ାହାଣ୍ଡି, ନିମାପଡ଼ା, ଢେଙ୍କାନାଳ, ତାଳଚେର ପ୍ରଭୃତିରେ ଗୁଳିକାଣ୍ଡ ହେଲା । ଓଡ଼ିଶାରେ ଯେତେ ଗୁଳିକାଣ୍ଡ ହେଲା, ସମଗ୍ର ଭାରତର ଅନ୍ୟ କେଉଁଠି ସେପରି ହୋଇ ନ ଥିଲା । ଏହି ଆନ୍ଦୋଳନରେ କେବଳ କୋରାପୁଟ ଜିଲ୍ଲାରେ ୧୯୭୦ ଜଣ ଗିରଫ, ୧୧ ଜଣ ଅଟକବନ୍ଦୀ ଓ ୫୬୦ ଜଣ ରାଜନୈତିକ ଦଣ୍ଡ ଭୋଗ କରିଥିଲେ । ୨୪ଟି ସ୍ଥାନରେ ଲାଠିମାଡ଼ ଓ ୪୧ ଚୋଟ ଗୁଳିଚାଳନା ହୋଇଥିଲା । ଏଥିରେ ୨୧୪୭ ଜଣ ଆହତ ହୋଇଥିଲେ । ଇରମରେ ୨୫ ଜଣ ଗୁଳିରେ ନିହତ ହୋଇଥିଲେ-

 

ସେପ୍ଟେମ୍ବର ୧୪ ତାରିଖରେ ପ୍ରାୟ ୧୦ ହଜାର ଲୋକଙ୍କର ୨୦ଟି ଶୋଭାଯାତ୍ରା କାନ୍ଥି ସହରକୁ ଆସିଥିଲା । ସେଠାରେ ପୁଲିସ ଗୁଳିରେ ୩୯ ଜଣ ନିହତ ଓ ୧୭୫ ଜଣ ଆହତ ହେଲେ । ୧୨ ହଜାର ୭ ଶହ ଜଣଙ୍କୁ ଗିରଫ ବା ଅଟକ ରଖାଗଲା । ୬୭୨ ଜଣ କାରାରୁଦ୍ଧ, ୬ ହଜାର ୭ ଶହ ଲୋକଙ୍କ ଉପରେ ଲାଠିଚାଳନା କରାଯାଇଥିଲା । ତମଲୁକ ମହକୁମାରେ ୭୪ ଜଣ ନାରୀଙ୍କ ଉପରେ ପାଶବିକ ଅତ୍ୟାଚାର କରାଯାଇଥିଲା । ଆସାମର ତେଜପୁର ନିକଟରେ ଗୁଳିଚାଳନା ଫଳରେ ଜଣେ ବାଳିକା ସମେତ ୨୦ ଜଣ ନିହତ ହୋଇଥିଲେ । ଶିବାଜୀ ଓ ତିଳକଙ୍କ ପୂତଭୂମି ସାତାରାର ୧୩୩୬ଟି ଗ୍ରାମରେ ନିର୍ବିଚାର ଭାବରେ ଗୁଳି ଚାଳନା ସତ୍ତ୍ୱେ ପ୍ରାୟ ୩ ଶହ ଗ୍ରାମ ବ୍ରିଟିଶ ଶାସନରୁ ସମ୍ପୂର୍ଣ୍ଣ ମୁକ୍ତହୋଇ ଗଣ-ପଞ୍ଚାୟତ ଶାସନ ପଦ୍ଧତି ପ୍ରବର୍ତ୍ତନ କରିଥିଲେ ।

Unknown

 

ବିହାରର ଚମ୍ପାରଣରେ ବିଦ୍ରୋହ ବହ୍ନି ଏପରି ପ୍ରଜ୍ଜ୍ୱଳିତ ହୋଇ ଉଠିଲା ଯେ ତହିଁରେ ବ୍ରିଟିଶ ସରକାରଙ୍କ ଗୁଳି ଗୋଳା ମଧ୍ୟ ହାର-ମାନିଲା । ଚମ୍ପାରଣ ବ୍ରିଟିଶ ରାଜ୍ୟର କର୍ତ୍ତୃତ୍ୱ ଲୋପକରି ସ୍ୱାୟତ୍ତ ଶାସନ ପ୍ରତିଷ୍ଠା କଲା । ପାଟନାର ସ୍କୁଲ କଲେଜର ଛାତ୍ରମାନେ ସରକାରୀ ଦପ୍ତର ଉପରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଯାଇ ପୁଲିସ ଗୁଳିରେ ଚାରି ଜଣ ପ୍ରାଣ ଦେଲେ । ଏହାର ଜବାବ ଦେବାପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଆଗଭର ହୋଇ ବାହାରି ଆସିଲେ । ପୁଲିସ ଦମନ ଲୀଳାର ପ୍ରତିବାଦ ସ୍ୱରୂପ ଥାନା, କଚେରୀ, ପୋଷ୍ଟ ଅଫିସ ଓ ରେଳ ଷ୍ଟେସନ ପ୍ରଭୃତିରେ ବ୍ୟାପକ ଅଗ୍ନିକାଣ୍ଡ, ଲୁଣ୍ଠନ ଓ ଆକ୍ରମଣ ପ୍ରଭୃତି ଚାଲିଲା । ଭାରତୀୟ କମ୍ୟୁନିଷ୍ଟ ଦଳ ପ୍ରଥମେ ଏ ଆନ୍ଦୋଳନରେ ଯୋଗ ଦେଇଥିଲେ ହେଁ ଯୁଦ୍ଧରେ ଜର୍ମାନ ଦ୍ୱାରା ଋଷ ଆକ୍ରମିତ ହେବାପରେ ୨ୟ ମହାସମରକୁ ଜନ-ଯୁଦ୍ଧ ନାମରେ ଅଭିହିତ କରି କମ୍ୟୁନିଷ୍ଟ ନେତା ଓ କର୍ମୀମାନେ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଲେ ନାହିଁ ।

 

ଗାନ୍ଧିଜୀ ଯେତେବେଳେ ଜୁଲାଇ ୫ ତାରିଖରେ ଓ୍ୟାର୍ଦ୍ଧାରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଭାରତ ଛାଡ଼ ପ୍ରସ୍ତାବ ଆଗତ କଲେ, ସେତେବେଳେ ଜବାହାରଲାଲ ନେହେରୁ ତା’ର ବିରୋଧ କରି କହିଲେ–ଏ ସମୟରେ କୌଣସି ପ୍ରକାର ସଂଗ୍ରାମ କରିବା ଠିକ୍‌ ନୁହେଁ । କାରଣ ଏହାଦ୍ୱାରା ତ୍ରିଶକ୍ତିର ଲାଭ ହେବ । ଜାପାନୀମାନେ ଏ ସୁଯୋଗରେ ଭାରତ ଆକ୍ରମଣ କରିବେ । ମାତ୍ର ଗାନ୍ଧିଜୀ ଉତ୍ତର ଦେଲେ–ଜାପାନ ଆମର ଶତ୍ରୁ ନୁହେଁ–ସେ ବ୍ରିଟିଶର ଶତ୍ରୁ । ଯଦି ସେମାନେ ଆମଦେଶକୁ ଆସିବେ, ତେବେ ବ୍ରିଟିଶ ପାଇଁ ଆସିବେ । ତେଣୁ ବ୍ରିଟିଶ ବିଦାୟ ହେଉ ।

 

‘‘It the Japanees army ever come in to India, It would come not as our enemy but as the enemy of the British.

 

ଜବାହାରଲାଲ କହିଲେ–ଏହା ଅହିଂସାର ପଥ ନୁହେଁ ।

 

ମାତ୍ର ଗାନ୍ଧିଜୀ ନିଜ ମତରେ ଅଟଳ । ସେ କହିଲେ, ମୋର କାହାରିକୁ ଆବଶ୍ୟକ ନାହିଁ-। ମୁଁ ଏକାକୀ ମୋ ପଥରେ ଚାଲିବି । ମୁଁ ଜାଣେ ତୁମର ଏବଂ ମୋର ପଥ ଅଲଗା । ଏକ ସଙ୍ଗରେ ମିଳିମିଶି କାମ କରିବା ସମ୍ଭବ ନୁହେଁ । ମୁଁ ସ୍ୱାଧୀନତା ପାଇଁ ଅପେକ୍ଷା କରିପାରିବି ନାହିଁ ।

 

I cannot wait any longer for Indian freedom, cannot wait until Mr. Jinnah is converted. If I wait any longer, God will punish me. This is the last struggle of my life.

 

ଏହି ସମୟରେ ବର୍ଲିନ୍‌ ରେଡ଼ିଓରୁ ଇଥର ତରଙ୍ଗରେ ଭାସିଆସିଲା ଦୃପ୍ତ କଣ୍ଠସ୍ୱର । ମୁଁ ସୁବାଷ କହୁଛି–‘Freedom is not given, it is taken. Freedom never could be a gift, because evey gift carries its obligations, its ties’.

 

ସ୍ୱାଧୀନତା କେହି କାହାକୁ ଦିଏନାହିଁ । ଏହାକୁ ଆଦାୟ କରି ନେବାକୁ ପଡ଼େ । ସ୍ୱାଧୀନତା କେହି କୌଣସିଦିନ ଦାନ ହିସାବରେ ପାଏ ନାହିଁ, କାରଣ ଦାନ ପଛରେ ଥାଏ–ବନ୍ଧନର କଣ୍ଟା ଓ ସ୍ୱାର୍ଥର ଗଣ୍ଠି ।

 

ଗାନ୍ଧିଜୀଙ୍କ ପ୍ରସ୍ତାବ ଜୁଲାଇ ୧୪ ତାରିଖରେ ଗୃହୀତ ହେଲା । ଗାନ୍ଧିଜୀ ବଡ଼ ଲାଟଙ୍କୁ ଦେଖା କରିବାକୁ ଚାହିଁଲେ । ମାତ୍ର ସରକାରଙ୍କ ତରଫରୁ ପ୍ରେସ ଇସ୍ତାହାରରେ କୁହାଗଲା–କଂଗ୍ରେସ ସମସ୍ତ ଦେଶର ପ୍ରତିନିଧି ନୁହେଁ । ତେଣୁ ଗାନ୍ଧିଜୀଙ୍କ ଧମକ ଯୋଗୁ ତାଙ୍କ ସହିତ ଦେଖାକରିବା ସମ୍ଭବ ନୁହେଁ ।

 

କମ୍ୟୁନିଷ୍ଟମାନେ ପ୍ରଥମେ କଂଗ୍ରେସକୁ ସମର୍ଥନ କରୁଥିଲେ । ସେମାନଙ୍କ ମତରେ ଏ ଯୁଦ୍ଧ ଇଂରେଜ ଆମେରିକାର ସାମ୍ରାଜ୍ୟବାଦୀ ଯୁଦ୍ଧ ।

 

ମାତ୍ର ରୁଷ ଜର୍ମାନଦ୍ୱାରା ଆକ୍ରାନ୍ତ ହେବାପରେ ସେମାନେ ମତ ବଦଳାଇ କହିଲେ–ଏ ଯୁଦ୍ଧ ଜନଯୁଦ୍ଧ । ଏ ଯୁଦ୍ଧରେ ବ୍ରିଟିଶ ଏକ ଅଂଶୀଦାର । ଏଣୁ ଆମେ ଇଂରେଜ ସହିତ ସହଯୋଗ କରିବୁ । ଜାପାନ ସାମ୍ରାଜ୍ୟବାଦୀ । ତାକୁ ଯେ କୌଣସି ପ୍ରକାରରେ ରୋକିବାକୁ ପଡ଼ିବ ।

 

ଜୁଲାଇ ୨୨ ତାରିଖରେ ଏକ ସରକାରୀ ପ୍ରେସ ଇସ୍ତାହାରରେ କମ୍ୟୁନିଷ୍ଟ ପାର୍ଟିକୁ ବୈଧ ବୋଲି ଘୋଷଣା କରାଗଲା ।

 

ଅଗଷ୍ଟ ପହିଲା ତାରିଖରେ ଥାଇଲାଣ୍ଡ ରେଡ଼ିଓରୁ ରାସବିହାରୀଙ୍କ କଣ୍ଠସ୍ୱର ଭାସି ଆସିଲା–

 

Friends, In my last broad cast to you on July 28th, I appealed for unqualified support to Mahatma Gandhi in his coming final fight for our freedom. In the name of our sacred Motherland, I implore you all, my compatriots, to really under Mahatma Gandhi’s banner of national independence and March on to Victory.

ରାସବିହାରୀ ବସୁ । ସ୍ୱାଧୀନତା ସଂଗ୍ରାମର ଏକ ଅବିସ୍ମରଣୀୟ ନାୟକ । ୧୯୧୫ ମସିହାରେ ଯାହାଙ୍କର ମୁଣ୍ଡର ମୂଲ୍ୟ ହୋଇଥିଲା ତତ୍‌କାଳୀନ ମୁଦ୍ରାରେ ଏକଲକ୍ଷ ସାଢ଼େ ୧୨ ହଜାର ଟଙ୍କା ।

୧୯୧୨ ମସିହାରେ ବଡ଼ଲାଟ ଲର୍ଡ ହାର୍ଡିଞ୍ଜଙ୍କ ଉପରେ ବୋମା ନିକ୍ଷେପ ଅଭିଯୋଗରେ ଅମୀରଚାନ୍ଦ, ଅବୋଧ ବିହାରୀ, ବାଳ ମୁକୁନ୍ଦ ଓ ବସନ୍ତ ବିଶ୍ୱାସ ଫାଶି ପାଇଲେ । ମାତ୍ର ଦଳର ନେତା ରାସବିହାରୀଙ୍କୁ ଧରିବା ସମ୍ଭବ ହେଲାନାହିଁ ।

ଯେଉଁ ବ୍ରିଟିଶ ରାଜ୍ୟରେ ଚନ୍ଦ୍ର ସୂର୍ଯ୍ୟ ଅସ୍ତ ଯାଆନ୍ତି ନାହିଁ, ପୁଣି ଅର୍ଦ୍ଧ ପୃଥିବୀ ଯେଉଁ ସରକାରଙ୍କର ଅଧୀନ; ତାଙ୍କର ଦକ୍ଷ ଗୋଇନ୍ଦା, ପୁଲିସ ଓ ସୈନ୍ୟବାହିନୀ ରାସବିହାରୀଙ୍କୁ ଖୋଜି ପାଇଲେ ନାହିଁ । ତେଣୁ ତାଙ୍କୁ ଧରାଇ ଦେଲେ ସାଢ଼େ ବାର ହଜାର ଟଙ୍କା ପୁରସ୍କାର ଦେବାପାଇଁ ସରକାର ଘୋଷଣା କଲେ ।

ଭାରତୀୟ ରାଜା ମହାରାଜାମାନେ ଆଗେଇ ଯାଇ ବ୍ରିଟିଶ ସରକାରଙ୍କୁ ସନ୍ତୁଷ୍ଟ କରିବାପାଇଁ କହିଲେ– ‘‘କେହି ରାସବିହାରୀଙ୍କୁ ଧରାଇଦେଲେ ଆମେ ଲକ୍ଷେ ଟଙ୍କା ପୁରସ୍କାର ଦେବୁ ।’’

ରାସବିହାରୀଙ୍କ ମୁଣ୍ଡର ମୂଲ୍ୟ ହେଲା–ଏକଲକ୍ଷ ସାଢ଼େ ବାରହଜାର ଟଙ୍କା । ମାତ୍ର ରାସବିହାରୀ କାହାନ୍ତି ?

ଅଥଚ ରାସବିହାରୀ ସେତେବେଳେ ଆତ୍ମଗୋପନ କରିନଥିଲେ । ପ୍ରକାଶ୍ୟ ଦିବା ଲୋକରେ, ଜନଗହଳି ସ୍ଥାନରେ ଏପରିକି ପୁଲିସ ମେଳରେ ମଧ୍ୟ ଅବାଧରେ ଘୂରିବୁଲୁଥିଲେ । ତାଙ୍କୁ ଧରି ନ ପାରିବାର ଏକମାତ୍ର କାରଣ–ତାଙ୍କର ବେଶ ପରିବର୍ତ୍ତନର ଦକ୍ଷତା । କେତେବେଳେ ସେ ଆଂଗ୍ଳୋଇଣ୍ଡିଆନ ବେଶରେ, କେତେବେଳେ ପାଚକ ବେଶରେ, କେତେବେଳେ ବା ମୂଲିଆ ବେଶରେ ଦେଶର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ବୁଲି ବିପ୍ଳବର ବାର୍ତ୍ତା ପ୍ରଚାର କରିବାରେ ଲାଗିଥିଲେ । ଅବଶେଷରେ ଆସିଲା ୧୯୧୫ ମସିହା ।

ବିଦ୍ରୋହୀ ଶିଖମାନଙ୍କୁ ନେଇ ନୂତନ ବିପ୍ଳବ କରିବାପାଇଁ ସେ ଲାହୋରରେ ପହଞ୍ଚିଲେ-। ଏକ ସମୟରେ ସବୁଯାକ କ୍ୟାଣ୍ଟନମେଣ୍ଟରେ ବିଦ୍ରୋହ ସୃଷ୍ଟି କରି ସୈନ୍ୟମାନଙ୍କୁ ଇଂରେଜଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମରେ ଲଗାଇବା ପାଇଁ ସେ ଲାଗି ପଡ଼ିଲେ ।

ଫେବୃୟାରୀ ୧୯ ତାରିଖକୁ ବିପ୍ଳବର ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ତା ପୂର୍ବରୁ ସରକାର ଜାଣିପାରି ବ୍ୟାପକ ଧରପଗଡ଼ ଆରମ୍ଭ କରିଦେଲେ । ଏହା ଲାହୋର ଷଡ଼ଯନ୍ତ୍ର ନାମରେ ପ୍ରସିଦ୍ଧ ।

ସହକର୍ମୀ ଓ ବନ୍ଧୁମାନେ ସମସ୍ତେ ଗିରଫ ହେବାପରେ ରାସବିହାରୀ ଫରାସୀ ଅଧିକୃତ ଚନ୍ଦନ ନଗରକୁ ପଳାଇଗଲେ । ମାତ୍ର ସେଠାରେ ଅଟକବନ୍ଦୀ ପରି ରହିବାକୁ ସେ ପସନ୍ଦ କଲେନାହିଁ । ବନ୍ଧୁମାନଙ୍କ ପରାମର୍ଶକ୍ରମେ ଦେଶ ବାହାରକୁ ପଳାଇ ଯିବାପାଇଁ ମନସ୍ଥ କଲେ ।

ଏହି ସମୟରେ ବିଶ୍ୱକବି ରବୀନ୍ଦ୍ରନାଥଙ୍କର ଜାପାନ ଯିବାର ଥାଏ । ରାସବିହାରୀ ରବୀନ୍ଦ୍ରନାଥଙ୍କ ଆତ୍ମୀୟ ପି. ଏନ୍‌. ଠାକୁରଙ୍କ ପରିଚୟ ଦେଇ ପାସପୋର୍ଟ ଅଫିସରଙ୍କୁ ସାକ୍ଷାତ କଲେ । ତାଙ୍କୁ କହିଲେ,–ବିଶ୍ୱକବିଙ୍କ ଯିବାପୂର୍ବରୁ ସେଠାରେ ଆଗରୁ ଯାଇ ଆୟୋଜନ କରିବାକୁ ପଡ଼ିବ ।

ଏଣୁ ମୋତେ ପାସପୋର୍ଟ ଦିଅନ୍ତୁ । ରବୀନ୍ଦ୍ରନାଥଙ୍କର ଜାପାନ ଯିବାର ଥିବାରୁ ସେ ଆଉ ସନ୍ଦେହ ନ କରି ପାସପୋର୍ଟ ଦେଇଦେଲେ । ରାସବିହାରୀ ‘ସାନୁକିମାରୁ’ ଜାହାଜରେ ଜାପାନ ଚାଲିଗଲେ ।

ଏ ସମ୍ବାଦ ପାଇବାମାତ୍ରେ ବ୍ରିଟିଶ ସରକାର ରାସବିହାରୀଙ୍କୁ ପଠାଇଦେବାପାଇଁ ଜାପାନ ସରକାରଙ୍କୁ ଲେଖିଲେ । ମାତ୍ର ସେଠାକାର ବିପ୍ଳବ ପାର୍ଟି ଏଥିରେ ବାଦ ସାଧିଲେ । ଏହି ଦଳର ନାମ ‘ବ୍ଳାକ ଡ୍ରାଗନ ପାର୍ଟି’ । ସେମାନେ ରାସବିହାରୀଙ୍କୁ ଲୁଚାଇ ରଖିଲେ । ମାତ୍ର କେତେଦିନ ବା ଲୁଚାଇ ରଖିବେ ?

ପ୍ରତିକାରର ଏକମାତ୍ର ଉପାୟ ଜାପାନର ନାଗରିକତ୍ୱ ଗ୍ରହଣ । ତାହାମଧ୍ୟ କିପରି ସମ୍ଭବ ? କାରଣ ଜାପାନର ନିୟମ ଅନୁସାରେ ଯେଉଁ ଲୋକ ଜାପାନୀ ଭାଷା ଜାଣିଥିବ ଓ ଜାପାନୀ କନ୍ୟା ବିବାହ କରିଥିବ, ସେ କେବଳ ଜାପାନର ନାଗରିକତ୍ୱ ଗ୍ରହଣ କରିପାରିବ ?

ଯାହାହେଉ ଚାରିମାସ ମଧ୍ୟରେ ରାସବିହାରୀ ଜାପାନୀ ଭାଷା ଶିକ୍ଷା କରିନେଲେ । ମାତ୍ର ଅନ୍ୟ ସର୍ତ୍ତଟି ପାଳିତ ହେବ କିପରି ? ସହାୟ ସମ୍ବଳହୀନ ବ୍ୟକ୍ତିକୁ ବିବାହ ବା କରିବ କିଏ ?

ମାତ୍ର ସେ ସମସ୍ୟାର ମଧ୍ୟ ସମାଧାନ ହୋଇଗଲା । ସେ ଆଶ୍ରୟ ନେଇଥିବା ଗୃହକର୍ତ୍ତାଙ୍କ ଉଚ୍ଚଶିକ୍ଷିତା କନ୍ୟା ‘ତୋଷିକୋ’ ବିବାହ କରି ଏହି ବିପ୍ଳବୀଙ୍କୁ ରକ୍ଷା କରିବା ପାଇଁ ଇଚ୍ଛା ପ୍ରକାଶ କଲେ ।

ରାସବିହାରୀ ଜାପାନର ନାଗରିକତ୍ୱ ଗ୍ରହଣ କଲେ ।

 

ଏ ମଧ୍ୟରେ ଆରମ୍ଭ ହୋଇଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ଜାପାନ ଅନିର୍ବାର୍ଯ୍ୟ ଭାବେ ଏହି ଯୁଦ୍ଧରେ ଜଡ଼ିତ ହୋଇପଡ଼ିଲା । ରାସବିହାରୀ ସେତେବେଳକୁ ବୃଦ୍ଧ ଓ ଅସୁସ୍ଥ ।

 

ଜାପାନର ପ୍ରଚଣ୍ଡ ଆକ୍ରମଣରେ ମାଳୟ, ସିଙ୍ଗାପୁର ଓ ବର୍ମାର ପତନ ଘଟିଲା । ବ୍ରିଟେନର ନାଭିଶ୍ୱାସ ଉଠିଛି । ଏତେବେଳେ ଶେଷ ଆଘାତ ଦେବାକୁ ହେବ ।

 

କେବଳ ରହିଲା ଭାରତ ।

 

ରାସବିହାରୀ–ଦକ୍ଷିଣ ପୂର୍ବ ଏସିଆର ସର୍ବତ୍ର ବୁଲି ଇଂରେଜ ବିରୋଧରେ ସଙ୍ଗଠନ କରିବାରେ ଲାଗିଲେ । ସର୍ବତ୍ର ଗୋଟିଏ କଥା–ଜନ୍ମଭୂମିର ସ୍ୱାଧୀନତା ଆମର କାମ୍ୟ । ଭାଇମାନେ ଏକତ୍ରିତ ହୁଅ । ସ୍ୱାଧୀନତା ଅର୍ଜ୍ଜନର ଚରମ ସୁଯୋଗ ହରାଅ ନାହିଁ । ମୁଁ ନେତା ନୁହେଁ, ଜଣେ ସୈନିକ ମାତ୍ର ।

 

I was a fighter, one fight more, the last and the best.

 

୧୯୪୧ ମସିହା ଡିସେମ୍ବର ୭ ତାରିଖ ।

 

ପାର୍ଲ ହାରବର ଜାପାନୀମାନଙ୍କ ଦ୍ୱାରା ଆକ୍ରମିତ ହେଲା । ପ୍ରଶାନ୍ତ ମହାସାଗରରେ ଆମେରିକାର ଶ୍ରେଷ୍ଠ ନୌଘାଟୀ ପାର୍ଲ ହାରବର ।

 

ପରଦିନ ଜାପାନ, ଜର୍ମାନ ଓ ଇଟାଲି ବିରୋଧରେ ଆମେରିକା ଯୁଦ୍ଧ ଘୋଷଣା କଲା ।

 

ଆରମ୍ଭ ହେଲା ୨ୟ ବିଶ୍ୱଯୁଦ୍ଧ ।

 

ଜାପାନୀମାନେ ଏକ ସଙ୍ଗରେ ହଂକଂ, ଗୁୟାମ, ଓୟେକ ଓ ଫିଲପାଇନର ରାଜଧାନୀ ମାନିଲା ଆକ୍ରମଣ କଲେ । ସେହିଦିନ ଚୀନର ବୃହତ୍ତମ ନଗରୀ ସାଂଘାଇ ମଧ୍ୟ ଅଧିକୃତ ହେଲା । ୯ ତାରିଖରେ ଗିଲର୍ବଟ ଦ୍ୱୀପ ଜାପାନୀମାନେ ଅଧିକାର କରିନେଲେ ।

 

ବ୍ରିଟିଶ ନୌବହରର ସବୁଠାରୁ ଶକ୍ତିଶାଳୀ ବ୍ୟାଟଲ ସିପ ପ୍ରିନ୍‌ସ ଅଫ ୱେଲସ ଓ ରିପାଲସ ସେତେବେଳେ ସିଙ୍ଗାପୁରରେ ନଙ୍ଗର କରିଥିଲା ।

 

୧୦ ତାରିଖରେ ଜାପାନୀମାନଙ୍କ ଟର୍ପେଡ଼ୋ ଆଘାତରେ ଜାହାଜ ଦୁଇଟି ପ୍ରଶାନ୍ତ ମହାସାଗର ଗର୍ଭରେ ଲୀନ ହୋଇଗଲା ।

 

୧୧ ତାରିଖ ଗୁୟାମ ଦ୍ୱୀପ ଜାପାନର ଦଖଲକୁ ଚାଲିଗଲା ।

 

ହଂକଂ, ଉତ୍ତର ମାଳୟ ଓ ଦକ୍ଷିଣ ବର୍ମାରେ ପ୍ରବଳ ଯୁଦ୍ଧ ଆରମ୍ଭ ହୋଇଗଲା ।

 

ଘୂର୍ଣ୍ଣିବାତ୍ୟା ପରି ଜାପାନ ବାହିନୀ ମାଡ଼ି ଚାଲିଲେ ।

 

୨୧ ତାରିଖରେ ଫିଲପାଇନର ମିନ୍ଦାନାଓ ଦ୍ୱୀପ ଓ ୨୨ ତାରିଖରେ ଓୟେକ ଦ୍ୱୀପ ଅଧିକୃତ ହେଲା । ୨୩ ତାରିଖରେ ରେଙ୍ଗୁନ ଆକ୍ରାନ୍ତ ହେଲା ।

 

ହଂକଂ ବିଜିତ ହେଲା ଡିସେମ୍ବର ୨୫ ତାରିଖରେ । ତାପରେ ଜାନୁୟାରୀ ୨ ତାରିଖରେ ମାନିଲା । ୧୧ରେ ମାଲୟର କୁଆଲମପୁର, ୧୮ରେ ଟେଭୟ, ୨୩ ତାରିଖରେ ନିଉଗିନିର ରାବାଉଲ ଜାପାନୀମାନଙ୍କ ଦଖଲକୁ ଚାଲିଗଲା ।

 

ଏହାପରେ ସିଙ୍ଗାପୁର । ବ୍ରିଟିଶର ଶ୍ରେଷ୍ଠ ନୌଘାଟୀ ।

 

ଯେପରି ଦୁର୍ଭେଦ୍ୟ, ସେହିପରି ସୁରକ୍ଷିତ ।

 

ପ୍ରଶାନ୍ତ ମହାସାଗରରେ ଆମେରିକା ଓ ଇଂଲଣ୍ଡର ଏକମାତ୍ର ଆଶ୍ରୟସ୍ଥଳ । ଜାପାନ ଯେପରି ଏହାକୁ ଅଧିକାର କରି ନ ପାରିବ, ସେ ଦିଗରେ ସମସ୍ତ ସତର୍କତାମୂଳକ ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା ।

 

ହଠାତ୍‌ ୧୯୪୨ ମସିହା ଜାନୁୟାରୀ ୩୦ ତାରିଖ ରାତ୍ରରେ ସିଙ୍ଗାପୁର ଆକ୍ରାନ୍ତ ହେଲା-। ଗୋଳା ଓ ବୋମା ବର୍ଷଣ ପ୍ରବଳ ବେଗରେ ଚାଲିଲା । ଏଣେ ପଶ୍ଚାଦ୍‌ଭାଗରୁ ପ୍ରାୟ ପଚାଶଟି ରବର ବୋଟରେ ଜାପାନୀ ସୈନ୍ୟମାନେ ଜହୋର ପ୍ରଣାଳୀରେ ଆସି ଆକ୍ରମଣ କଲେ । ପ୍ରତ୍ୟେକ ନୌକାରେ ୩୦ ଜଣ ଲେଖାଏଁ ଜାପାନୀ ସୈନ୍ୟ । ଇଂରେଜମାନେ ଘର ସମ୍ଭାଳିବାରେ ବ୍ୟସ୍ତ । ଜାପାନୀ ସୈନ୍ୟମାନେ କେବଳ ଏତିକିରେ କ୍ଷାନ୍ତ ହେଲେ ନାହିଁ । ସୁବିଧା ଦେଖି ନିରାପଦ ସ୍ଥାନରେ ବିମାନରୁ ଓହ୍ଲାଇ ପଡ଼ିଲେ । ଜଳ, ସ୍ଥଳ, ଆକାଶ, ସମ୍ମୁଖ ଓ ପଶ୍ଚାତ୍‌ ଭାଗରୁ ସିଙ୍ଗାପୁର ଆକ୍ରାନ୍ତ ହେଲା ।

 

ଇଂରେଜ ଅଫିସରମାନେ ଗୋପନରେ ଅଷ୍ଟ୍ରେଲିଆକୁ ପଳାଇଗଲେ । ବ୍ରିଟିଶବାହିନୀ ପରିଖାରେ ଉହାଡ଼ରେ ରହି ଯୁଦ୍ଧ ଚଳାଇଲେ । ଭାରତୀୟ ସୈନ୍ୟମାନଙ୍କୁ ପଠାଇଦିଆଗଲା ସମ୍ମୁଖ ଯୁଦ୍ଧକୁ । ଅବଶେଷରେ ଫେବୃୟାରୀ ୧୫ ତାରିଖରେ ସିଙ୍ଗାପୁରର ପତନ ଘଟିଲା ।

 

୧୬ ତାରିଖ ସକାଳ ୮ଟା ବେଳେ ବିରାଟ ଟ୍ୟାଙ୍କ ବାହିନୀସହ ଜାପାନ ସେନାପତି ଲେଫଟନାଣ୍ଟ ଜେନେରାଲ ଇୟାମାସିଟା ସିଂଗାପୁରରେ ପ୍ରବେଶ କଲେ । ଭାରତୀୟ ସୈନ୍ୟମାନେ ଜାପାନୀମାନଙ୍କ ନିକଟରେ ବନ୍ଦୀହେଲେ । ୧୭ ତାରିଖରେ ବ୍ରିଟିଶ ବାହିନୀ ପକ୍ଷରୁ କର୍ଣ୍ଣେଲ ହାଣ୍ଟ୍‌ ବନ୍ଦୀ ଭାରତୀୟମାନଙ୍କୁ ଜାପାନ ପ୍ରତିନିଧି ମେଜର ଫୁଜି ଓ୍ୟାରାଙ୍କ ହସ୍ତରେ ସମର୍ପଣ କଲେ । ମେଜର ଫୁଜିଓ୍ୟାରା ବନ୍ଦୀମାନଙ୍କୁ କହିଲେ–ଜାପାନର ବର୍ତ୍ତମାନ ଖାଦ୍ୟାଭାବ । ତୁମ୍ଭମାନଙ୍କୁ ବର୍ତ୍ତମାନ ଖଟି ଖାଇବାକୁ ପଡ଼ିବ । ମୁଁ ତୁମ୍ଭମାନଙ୍କୁ କ୍ୟାପଟେନ ମୋହନ ସିଂହଙ୍କ ହସ୍ତରେ ସମର୍ପଣ କରୁଛି । ସେ ସର୍ବାଧିନାୟକ ହେବେ । ତୁମ୍ଭେମାନେ ତାଙ୍କ ନିର୍ଦ୍ଦେଶ ମାନି ଚଳ ।

 

ମୋହନ ସିଂହ ତାଙ୍କ ବକ୍ତୃତାରେ କହିଲେ–ଜାପାନୀମାନେ ତୁମ୍ଭମାନଙ୍କୁ ବନ୍ଦୀକରି ରଖିବାକୁ ଚାହାନ୍ତି ନାହିଁ । ଆସ, ଆମ୍ଭେମାନେ ଏକ ଜାତୀୟ ବାହିନୀ ଗଠନ କରି ସ୍ୱାଧୀନତା ଲାଭ ନିମନ୍ତେ ସଂଗ୍ରାମ କରିବା । ସଭାରେ ଉପସ୍ଥିତ ସୈନ୍ୟ ଓ ସେନାନୀମାନେ ଏଥିରେ ସ୍ୱୀକୃତି ଦେଲେ । ଜାତୀୟ ବାହିନୀ ଗଠନ ନିମନ୍ତେ ଆୟୋଜନ ଚାଲିଲା ।

 

ଏହି ଶେଷ ସୁଯୋଗ । ବ୍ରିଟିଶ କେଶରୀ ବର୍ତ୍ତମାନ ନଖ, ଦନ୍ତ ହୀନ । ଏତିକିବେଳେ ସ୍ୱାଧୀନତା ଛଡ଼ାଇ ଆଣିବାକୁ ପଡ଼ିବ ।

 

ଜାପାନ ପ୍ରବାସୀ ରାସବିହାରୀ, ସ୍ୱାମୀ ସତ୍ୟାନନ୍ଦ ପୁରୀ, ଦେବନାଥ ଦାସ, ରାଜା ମହେନ୍ଦ୍ର ପ୍ରତାପ, ଆନନ୍ଦ ମୋହନ ସହାୟ, ଜ୍ଞାନୀ ପ୍ରିତମ ସିଂହ, କ୍ୟାପଟେନ ମୋହନସିଂହ ପ୍ରମୁଖ ଚଞ୍ଚଳ ହୋଇ ପଡ଼ିଲେ । ଦକ୍ଷିଣ ପୂର୍ବ ଏସିଆ ପ୍ରବାସୀ ସମସ୍ତ ଭାରତୀୟଙ୍କୁ ଏକତ୍ର କରିବାକୁ ପଡ଼ିବ ।

 

ମାର୍ଚ୍ଚମାସ ୯ ତାରିଖରେ ମାଳୟ ସେଣ୍ଟ୍ରାଲ ଇଣ୍ଡିଆନ ଆସୋସିଏସନର ସଭାପତି ମିଃ ରାଘବନଙ୍କ ଆହ୍ୱାନରେ ବିଭିନ୍ନ ସ୍ଥାନରୁ ପ୍ରତିନିଧିମାନେ ଆସି ସିଙ୍ଗାପୁରରେ ଏକତ୍ରିତ ହେଲେ । ରାସବିହାରୀଙ୍କ ନିମନ୍ତ୍ରଣକ୍ରମେ ପରବର୍ତ୍ତୀ ବୈଠକ ମାର୍ଚ୍ଚ ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ଟୋକିଓରେ ହେବାର ସ୍ଥିର କରାଗଲା । ଏସିଆର ବିଭିନ୍ନ ଦେଶରେ ଥିବା ପ୍ରତିନିଧିମାନଙ୍କୁ ଯୋଗଦେବାପାଇଁ ମଧ୍ୟ ଅନୁରୋଧ କରାଗଲା । ମାତ୍ର ଟୋକିଓ ଯିବାପୂର୍ବରୁ ଅନ୍ୟତମ ଉଦ୍ୟୋକ୍ତା ସ୍ୱାମୀ ସତ୍ୟାନନ୍ଦ ପୁରୀ ଓ କ୍ୟାପଟେନ ମହମ୍ମଦ ଆକ୍ରମ ଖାଁ ବିମାନ ଦୁର୍ଘଟନାରେ ନିହତ ହେଲେ । ସ୍ୱାମୀ ସତ୍ୟାନନ୍ଦ ମାଳୟର ଶ୍ରେଷ୍ଠ ଜାତୀୟବାଦୀ ନେତା । ବଙ୍ଗଳାର ଅନୁଶୀଳନ ସମିତିର ସଦସ୍ୟ ଓ ଧର୍ମ ଶାସ୍ତ୍ରର ପ୍ରଫେସର ଥିଲେ ।

 

ରାସବିହାରୀଙ୍କ ସଭାପତିତ୍ୱରେ ଟୋକିଓ ସମ୍ମେଳନରେ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହେଲା । ତହିଁରେ ସ୍ଥିର କରାଗଲା ଯେ ସ୍ୱାଧୀନତା ଆନ୍ଦୋଳନକୁ ସୁଦୃଢ଼ କରିବାପାଇଁ ଦକ୍ଷିଣ ପୂର୍ବ ଏସିଆର ପ୍ରତିଟି ସ୍ଥାନରେ ଭାରତୀୟ ସ୍ୱାଧୀନତା ସଂଘ ଗଠନ କରାଯିବ । ସୁଭାଷଙ୍କ ଆଦର୍ଶରେ ଏଠାରେ ମଧ୍ୟ ଆଜାଦ ହିନ୍ଦ୍‌ ଫୌଜ ଗଠନ କରାଯିବ । କେବଳ ଭାରତୀୟମାନଙ୍କୁ ଏ ବାହିନୀରେ ନିଆଯିବ । ସେମାନେ ନିଜର ରକ୍ତଦେଇ ସ୍ୱାଧୀନତା ଅର୍ଜ୍ଜନ କରିବେ ।

 

ଟୋକିଓ ପରେ ବ୍ୟାଙ୍କକ ସମ୍ମିଳନୀ । ଚୀନ, ଜାପାନ, ବ୍ରହ୍ମ, ମାଳୟ ଜାଭା, ବୋର୍ଣ୍ଣିଓ, ଥାଇଲ୍ୟାଣ୍ଡ, ସୁମାତ୍ରା, ଇଣ୍ଡୋଚୀନ ଓ ଫିଲପାଇନ ପ୍ରଭୃତି ଦେଶରୁ ପ୍ରତିନିଧିମାନେ ଆସି ଯୋଗଦେଲେ । ଜୁନ ୧୫ ରୁ ୯ ଦିନ ଧରି ସମ୍ମିଳନୀ ଚାଲିଲା । ଜର୍ମାନ, ଇତାଲୀ ଓ ଜାପାନ ପ୍ରଭୃତି ଦେଶର ରାଷ୍ଟ୍ରଦୂତ ଏବଂ ରାସବିହାରୀ, ଦେବନାଥ ଦାସ, ଏନ ରାଘବନ, ଏ. ଏନ୍‌. ସହାୟ, ଲେଫ୍‌ଟନାଣ୍ଟ କର୍ଣ୍ଣେଲ ଏନ୍‌. ଜି. ଗିଲ, ଲେଷ୍ଟନାଣ୍ଟ କର୍ଣ୍ଣେଲ ଜିଲାନୀ ଓ କ୍ୟାପଟେନ ମୋହନ ସିଂ ପ୍ରମୁଖ ବକ୍ତୃତା ଦେଲେ ।

 

ଏଠାରେ ଏକ କମିଟି ଗଠନ କରାଗଲା । ତହିଁରେ ସଭାପତି ରହିଲେ–ଶ୍ରୀ ରାସବିହାରୀ ବସୁ । ବେସାମରିକ ସଦସ୍ୟ ରହିଲେ–ମିଃ ଗୁହ, ମିଃ ପି. କେ ମେନନ ଓ ମିଃ ଏନ୍‌ ରାଘବନ । ସାମରିକ ସଦସ୍ୟ ରହିଲେ– ଲେଫ୍‌ଟନାଣ୍ଟ କର୍ଣ୍ଣେଲ ଜିଲାନୀ, ଲେଫଟନାଣ୍ଟ କର୍ଣ୍ଣେଲ ଜଗନ୍ନାଥ ରାଓ ଏବଂ କ୍ୟାପଟେନ ମୋହନ ସିଂହ ।

 

ଜାପାନ ପ୍ରଧାନମନ୍ତ୍ରୀ ତୋଜୋ ସମ୍ମିଳନୀର ସଫଳତା କାମନା କରି ବାର୍ତ୍ତା ପଠାଇଲେ–ଏସିଆ ଏସିଆବାସୀମାନଙ୍କ ପାଇଁ । ଏସିଆ ଭୂଖଣ୍ଡର ସମସ୍ତ ଜାତିର ସ୍ୱାଧୀନତାରେ ଆମେ ପକ୍ଷପାତୀ । ପୂର୍ବ ଏସିଆକୁ ନିରାପଦ ରଖିବାକୁ ହେଲେ ସର୍ବାଗ୍ରେ ଭାରତର ସ୍ୱାଧୀନତା ଆବଶ୍ୟକ ।’’

 

ମାତ୍ର ଆଜାଦ ହିନ୍ଦ୍‌ ଫୌଜ ନେତାମାନଙ୍କ ସହ ଜାପାନୀମାନଙ୍କର ମତାନ୍ତର ସୃଷ୍ଟିହେଲା-। ରାସବିହାରୀ ଓ ମୋହନ ସିଂଙ୍କ ମଧ୍ୟରେ ମଧ୍ୟ ମତଭେଦ ଦେଖାଦେଲା । ରାସବିହାରୀଙ୍କ ନିର୍ଦ୍ଦେଶରେ ଜାପାନୀମାନେ ମୋହନ ସିଂହଙ୍କୁ ବନ୍ଦୀକଲେ ।

 

ବନ୍ଦୀହେବା ପୂର୍ବରୁ ମୋହନ ସିଂହ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ମୁଁ ବନ୍ଦୀ ହେଲେ ସୈନ୍ୟମାନେ ଛତ୍ରଭଙ୍ଗ ଦେବେ । ନଚେତ୍‌ ଜାପାନୀମାନେ ସେମାନଙ୍କୁ ନିଜ କାର୍ଯ୍ୟସିଦ୍ଧି ପାଇଁ ବିନିଯୋଗ କରିବେ ।

 

ମୋହନ ସିଂହ ସୈନିକମାନଙ୍କର ଆସ୍ଥାଭାଜନ ଥିଲେ । ତେଣୁ ସେ ବନ୍ଦୀ ହେବାପରେ ସୈନିକମାନେ ଛତ୍ରଭଙ୍ଗ ଦେଲେ । ରାସବିହାରୀ ବସୁ ପ୍ରମୁଖ ସେମାନଙ୍କୁ ପୁନରାୟ ସଙ୍ଗଠିତ କରିବାକୁ ଉଦ୍ୟମ କଲେହେଁ ସଫଳ ହୋଇପାରିଲେ ନାହିଁ । ରାସବିହାରୀ ସେମାନଙ୍କୁ ବେତନ ଦେବାପାଇଁ ଉଦ୍ୟମ କଲେ । ମାତ୍ର ସୈନିକମାନେ ସନ୍ଦେହ କଲେ ଯେ ରାସବିହାରୀ ଜାପାନୀମାନଙ୍କଠାରୁ ଅର୍ଥ ଆଣି ସେମାନଙ୍କୁ ବେତନ ଦେଉଛନ୍ତି । ଏଣୁ ସେମାନେ ବେତନ ନେବାକୁ ଅସ୍ୱୀକାର କଲେ । ଅଧିକାଂଶ ସୈନ୍ୟ ସେନାବାହିନୀରେ ରହିବାକୁ ମଧ୍ୟ ଅସ୍ୱୀକାର କଲେ ।

 

ବର୍ତ୍ତମାନ ଉପାୟ କଣ.... ?

 

ଏ ସୁଯୋଗ ଛାଡ଼ିଲେ ଭାରତ ସ୍ୱାଧୀନ ହେବା ସମ୍ଭବ ନୁହେଁ । ଇଂରେଜମାନେ ବର୍ତ୍ତମାନ ସବୁଆଡ଼େ ବିପଦଗ୍ରସ୍ତ । ୨ୟ ବିଶ୍ୱଯୁଦ୍ଧରେ ପରାଜୟ ପରେ ପରାଜୟ ବରଣ କରିବାରେ ଲାଗିଛନ୍ତି ।

 

ତେଣେ ଭାରତ ଅଗ୍ନିଗର୍ଭ ।

 

ଏତେବେଳେ ଭାରତୀୟ ସୈନ୍ୟବାହିନୀ ନେଇ ଭାରତ ଆକ୍ରମଣ କଲେ ବିଜୟ ସୁନିଶ୍ଚିତ । ଭାରତର ଜନସାଧାରଣ ନିଶ୍ଚୟ ଭାରତୀୟ ବାହିନୀକୁ ସ୍ୱାଗତ ଜଣାଇବେ ।

 

ଆଜାଦ ହିନ୍ଦ୍‌ ଫୌଜର ପୁନର୍ଗଠନ ଏକାନ୍ତ ଆବଶ୍ୟକ ?

 

କିପରି...କିପରି ??

 

ବହୁ ଭାବି ଚିନ୍ତି ଶେଷରେ ରାସବିହାରୀ ସ୍ଥିର କଲେ ଯେ ସୁଭାଷଙ୍କୁ ଏଠାକୁ ଅଣାଯିବା ଏକାନ୍ତ ଆବଶ୍ୟକ । ସେ ଆସିଲେ ପୁଣିଥରେ ବାହିନୀ ପୁନର୍ଗଠିତ ହେବା ସମ୍ଭବପର ।

 

ରାସବିହାରୀ ଜାପାନ ସରକାରଙ୍କୁ ପ୍ରସ୍ତାବ ଦେଲେ–ସୁଭାଷଙ୍କୁ ବର୍ଲିନରୁ ତୁରନ୍ତ ଏଠାକୁ ଅଣାଯାଉ ।

 

ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଏପରି ଏକ ଶକ୍ତି ଅଛି, ଯାହା ସବୁବେଳେ ଚେଷ୍ଟା କରୁଛି–ବାହାରକୁ ବାହାରି ଆସିବାପାଇଁ । ଫୁଲ ଗଛରୁ ଫୁଲ ଯେପରି ବାହାରି ଆସେ–ଠିକ୍‌ ସେହିପରି । ସେ ଶକ୍ତି ପ୍ରତିଟି ମନୁଷ୍ୟକୁ, ତାର ମନୁଷ୍ୟତ୍ୱର ପରିପୂର୍ଣ୍ଣ ଗୌରବକୁ ଠିକ୍‌ ଫୁଲପରି ଫୁଟାଇବାକୁ ଚାହେଁ । କିନ୍ତୁ ନିର୍ବୋଧ ମନୁଷ୍ୟ ନିଜେହିଁ ନିଜର ଶତ୍ରୁତା କରେ । ସେ ଶକ୍ତି ବାହାରି ଆସିବାକୁ ଦିଏନାହିଁ । ନିଜ ଅଜାଣତରେ ବାହାରି ଆସିବାର ପଥ ନିଜେ ବାରମ୍ବାର ରୁଦ୍ଧ କରିଦିଏ । ଏଇଠି ଲାଗିଛି ଲଢ଼ାଇ । ମନୁଷ୍ୟର ଅନ୍ତରରେ ଏ ସଂଗ୍ରାମ ପ୍ରତିନିୟତ ଲାଗିରହିଛି । ଏ ସଂଗ୍ରାମର ନାମ ଜୀବନ ସଂଗ୍ରାମ । ଏହା ବଞ୍ଚି ରହିବାପାଇଁ ନୁହେଁ, ପରିପୂର୍ଣ୍ଣତା ପାଇଁ ।

 

ମାତ୍ର ମନୁଷ୍ୟ ନିଜକୁ ତୁଚ୍ଛ ମନେକରି, କ୍ଷୁଧା, ତୃଷା, ମୃତ୍ୟୁ ଓ କାୟିକ କଷ୍ଟକୁ ଉପେକ୍ଷା କରି, ଜୀବନକୁ ଉତ୍ସର୍ଗ କରି ନିର୍ଭୟରେ ଯେତେବେଳେ ଦେଶ ମାତୃକାର ସେବାରେ ଅଗ୍ରସର ହୁଏ-। ସେତେବେଳେ ସେ ହୁଏ, ବିପ୍ଳବୀ । ସେ ପଛକୁ ଚାହେଁ ନାହିଁ, କିଏ ପଡ଼ିଲା ତାକୁ ମଧ୍ୟ ଦେଖିବାକୁ ଯାଏ ନାହିଁ । ଅଗ୍ନିମୟ ଶପଥ ଓ ଅଗ୍ନିମୟ ବିଶ୍ୱାସ ନେଇ ସେ ଅଗ୍ରସର ହୁଏ । କାରଣ–

 

ବିପ୍ଳବର ପଥ କୌଣସି ଦିନ କୁସୁମାସ୍ତୀର୍ଣ୍ଣ ନୁହେଁ–ସେ ପଥ ଚିରଦିନ ଦୁର୍ଗମ ଓ କ୍ଷୁରଧାର ।

 

‘‘କ୍ଷୁରସ୍ୟ ଧାରା, ନିଶିଥ ଦୂରତ୍ୱୟା–ଦୁର୍ଗଂ ପଥସ୍ତଦ କବୟୋ ବଦତି’’–

 

ଏ ପଥରେ ଯେଉଁମାନେ ଯାଇଛନ୍ତି–ସେମାନଙ୍କ ସର୍ବାଙ୍ଗରେ ବହିଯାଇଛି ରକ୍ତର ଧାରା-। ପଦେ ପଦେ ସେହିମାନେ ହୋଇଛନ୍ତି ଲାଞ୍ଛିତ ଓ ଅପମାନିତ । ତେବେ ମଧ୍ୟ ସେତିକିରେ ତାହା ଶେଷ ହୋଇନାହିଁ ।

 

ବିପ୍ଳବରେ ଜୟଯୁକ୍ତ ହେବାପାଇଁ ମୂଲ୍ୟ ଦେବାକୁ ପଡ଼େ–କିଛି ତଟକା ରକ୍ତ ଅଥବା ଅମୂଲ୍ୟ ଜୀବନ । କାରଣ କଣ୍ଟକ ଦୁର୍ଗରୁ କେତକୀ କିମ୍ବା ସର୍ପର ମସ୍ତକରୁ ମଣି ଆହରଣ କରିବାକୁ ହେଲେ କେବଳ ରକ୍ତାକ୍ତ ହେବାକୁ ପଡ଼େ ନାହିଁ; ଜୀବନ ମଧ୍ୟ ଦେବାକୁ ପଡ଼େ । ସ୍ୱାଧୀନତା ଠିକ୍‌ ସେହିପରି କଣ୍ଟକ ଦୁର୍ଗର କେତକୀ ଅଥବା ସର୍ପର ମଣିତୁଲ୍ୟ । ତାକୁ ଆଣିବାକୁ ହେଲେ ଜୀବନ ଉତ୍ସର୍ଗ କରିବାକୁ ପଡ଼େ । ଭାବ ବିଳାସ ତ୍ୟାଗକରି, ଆବର୍ଜ୍ଜନାର ପ୍ରାଚୀର ଡେଇଁ, ପ୍ରୟୋଜନୀୟ ଆବଶ୍ୟକତା ମେଣ୍ଟାଇ, ଉଦ୍ଦାମ ଝଡ଼ ମଧ୍ୟରେ ଗତି କରିବାକୁ ପଡ଼େ ।

 

ସୁବାଷଙ୍କ ଜୀବନ ଏହିପରି ଏକ ଉତ୍ସର୍ଗୀକୃତ ଜୀବନ ।

 

ସୁବାଷ...

 

କଟକରେ ଜନ୍ମଲାଭ କରି ସୁବାଷ ରେଭେନ୍‌ସା କଲିଜିଏଟ ସ୍କୁଲରୁ ମାଟ୍ରିକ ପାସ କଲେ । ତାପରେ ପ୍ରେସିଡେନ୍‌ସି କଲେଜରୁ ବି. ଏ. ପାସ୍‍ କରି ଆଇ. ସି. ଏସ. ପଢ଼ିବାପାଇଁ ବିଲାତ ଚାଲିଗଲେ । ସେଠାରେ ସେ ୪ର୍ଥ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ । ସେତେବେଳେ ରାଓଲଟ ବିଲ୍‌ ବିରୋଧରେ ଭାରତର ଆନ୍ଦୋଳନ ଚାଲିଥାଏ । ସେ ଆଇ. ସି. ଏସ୍‌. ଚାକିରୀରୁ ଇସ୍ତଫା ଦେଇ ଭାରତ ଫେରିଆସିଲେ ଏବଂ ସାବରମତିରେ ଗାନ୍ଧିଜୀଙ୍କୁ ସାକ୍ଷାତ କରି ଜାତୀୟ ଆନ୍ଦୋଳନରେ ଯୋଗଦେବାପାଇଁ କହିଲେ ।

 

ସୁବାଷ ପ୍ରଥମେ କଲିକତାର ଜାତୀୟ କଲେଜରେ ଅଧ୍ୟାପକ ରୂପେ ଯୋଗଦେଲେ । ତାପରେ ୧୯୨୪ ମସିହାରେ ଗିରଫ ହୋଇ ମାଣ୍ଡାଲେ ଜେଲକୁ ସ୍ଥାନାନ୍ତରିତ ହେଲେ । ଜେଲରୁ ମୁକ୍ତି ପାଇବା ପରେ ପରେ ୧୯୨୮ ମସିହାରେ କଲିକତାରେ କଂଗ୍ରେସ ଅଧିବେଶନ ବସିଲା । ତହିଁରେ ସ୍ୱେଚ୍ଛାସେବକ ରୂପେ କାମ କରିବାପାଇଁ ସେ ଏକ ସ୍ୱେଚ୍ଛାସେବକ ବାହିନୀ ଗଠନ କଲେ । ଏହାର ନାମ ବି. ଭି. ବା ବେଙ୍ଗଲ ଭଲେଣ୍ଟିୟରର୍ସ ।

 

୧୯୨୯ ମସିହାରେ ଲାହୋରରେ ଯେଉଁ କଂଗ୍ରେସ ଅଧିବେଶନ ବସିଲା, ସେଠାରେ ଗାନ୍ଧିଜୀଙ୍କ ପ୍ରସ୍ତାବର ବିରୋଧ କରି ସୁବାଷ ଆୟର୍ଲାଣ୍ଡର ସ୍ୱାଧୀନତା ସଂଗ୍ରାମ ଢାଞ୍ଚାରେ ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଲେ । ଏଥିପାଇଁ ତାଙ୍କୁ କଂଗ୍ରେସ କାର୍ଯ୍ୟକାରୀ କମିଟିରୁ ବହିଷ୍କାର କରାଗଲା । ସୁବାଷ ବଙ୍ଗଳାକୁ ଫେରି ଆସି ବୈପ୍ଳବିକ କାର୍ଯ୍ୟକ୍ରମରେ ମନୋନିବେଶ କଲେ । ଅନୁଶୀଳନ, ଯୁଗାନ୍ତର, ପୂର୍ଣ୍ଣଦାସଙ୍କ ଦଳ, ମୁକ୍ତିସଂଘ ଓ ସୂର୍ଯ୍ୟସେନଙ୍କ ଦଳ ଆସି ତାଙ୍କ ସହିତ ହାତ ମିଳାଇଲେ । ଏହାପରେ ନିଖିଳ ଭାରତ ଲାଞ୍ଛିତ ରାଜନୈତିକ ଦିବସ ପାଳନ ଯୋଗୁ ସେ ୯ ମାସ କାରାଦଣ୍ଡରେ ଦଣ୍ଡିତ ହେଲେ ।

 

୧୯୩୦ ମସିହାର ସେପ୍ଟେମ୍ବର ମାସରେ ସୁବାଷ କାରାକକ୍ଷରୁ ମୁକ୍ତହେଲେ । ସେତେବେଳକୁ ଲବଣ ସତ୍ୟାଗ୍ରହ ଯୋଗୁ ବ୍ରିଟିଶ ସରକାରଙ୍କ ଦମନ ନୀତି ଚାଲିଥାଏ । ସୁବାଷ ବିପ୍ଳବୀ ସଙ୍ଗଠନକୁ ପୁଣି ସକ୍ରୀୟ କରିବାପାଇଁ ବିଭିନ୍ନ ସ୍ଥାନ ଗ୍ରସ୍ତ କଲେ । ୧୪୪ ଧାରା ଅମାନ୍ୟଯୋଗୁ ତାଙ୍କୁ ଗିରଫ କରାଯାଇ ଆଲିପୁର ସେଣ୍ଟ୍ରାଲ ଜେଲରେ ରଖାଗଲା ।

 

୧୯୩୨ ମସିହାରେ ବମ୍ବେରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗଦେଇ ସେ ଫେରୁଥିବାବେଳେ ବାଟରେ ତାଙ୍କୁ ଗିରଫ କରାଯାଇ ସିଡ଼ିନ ଜେଲରେ ବନ୍ଦୀକରି ରଖାଗଲା । ସେଠାରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ଡାକ୍ତରଙ୍କ ନିର୍ଦ୍ଦେଶକ୍ରମେ ୟୁରୋପ ଗସ୍ତରେ ଚାଲିଗଲେ । ଏତିକିବେଳେ ତାଙ୍କ ବାପାଙ୍କର ପରଲୋକ ଘଟିବାରୁ ସେ ପୁଣି ଭାରତ ଫେରିଆସିଲେ । ମାତ୍ର ଅଳ୍ପଦିନପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ପୁଣି ୟୁରୋପ ଚାଲିଯିବାକୁ ପଡ଼ିଲା । ସେଠାରୁ ୧୯୩୫ ମସିହାରେ ଭାରତକୁ ଫେରିଆସିବା ସଙ୍ଗେ ସଙ୍ଗେ ସେ ପୁଣି ଗିରଫ ହେଲେ । ମାତ୍ର ସାରା ଦେଶରେ ପ୍ରତିବାଦ ହେବାରୁ ସରକାର ତାଙ୍କୁ ମୁକ୍ତ କରିଦେଲେ ।

 

୧୯୩୮ ମସିହାରେ ସୁବାଷ କଂଗ୍ରେସ ସଭାପତି ନିର୍ବାଚିତ ହେଲେ । ପରବର୍ଷରେ ତ୍ରିପୁରା କଂଗ୍ରେସରେ ସେ ପୁଣି ସଭାପତି ପାଇଁ ପ୍ରାର୍ଥୀ ହେଲେ । ଏଥର ତାଙ୍କ ବିରୋଧରେ ପଟ୍ଟାଭି ସୀତାରାମେୟା ଛିଡ଼ାହେଲେ । ମାତ୍ର ସୁବାଷ ବହୁ ଅଧିକ ଭୋଟରେ ଜୟଯୁକ୍ତ ହେଲେ । ଏ ଘଟଣାରେ ଗାନ୍ଧିଜୀଙ୍କ ସହିତ ତାଙ୍କର ମତାନ୍ତର ହେବାରୁ ସେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଦେଲେ ଏବଂ ଫରୱାର୍ଡ ବ୍ଳକ ନାମରେ ଏକ ନୂତନ ଦଳ ଗଠନ କଲେ ।

 

୨ୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ସଙ୍ଗେ ସଙ୍ଗେ ସରକାର କ୍ଷମତା ସଙ୍କୁଚିତ କରିଦେବାରୁ କଂଗ୍ରେସ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଲା । ଏହାପରେ ଆରମ୍ଭ ହେଲା କଲିକତା କର୍ପୋରେସନର ନିର୍ବାଚନ । ସୁବାଷ ମୁସଲିମଲିଗ୍‌ ସହିତ ଚୁକ୍ତି କରି ନିର୍ବାଚନରେ ଅବତ୍ତୀର୍ଣ୍ଣ ହେଲେ । ସୁବାଷ କର୍ପୋରେସନର ଅଲଡ଼ାରମ୍ୟାନ ଓ ମିଃ ସିଦ୍ଦିକ ମେୟର ନିର୍ବାଚିତ ହେଲେ ।

 

କଲିକତାରେ ପଲାସୀ ବିଜୟର ସ୍ମାରକୀ ସ୍ୱରୂପ ଇଂରେଜ ସରକାର ହଲ ଓୟେଲ ମନୁମେଣ୍ଟ ନିର୍ମାଣ କରିଥିଲେ । ଏହାକୁ ଅପସାରଣ କରିବା ପାଇଁ ହିନ୍ଦୁ ମୁସଲମାନ ଉଭୟଙ୍କ ଆଡ଼ୁ ଦାବୀ ଉଠିଲା । ସ୍ଥିର ହେଲା ଯେ ଜୁଲାଇ ୩ ତାରିଖରେ ସିରାଜଉଦୌଲାଙ୍କ ସ୍ମୃତି ଦିବସରେ ଏହି ମନୁମେଣ୍ଟ ଅପସାରଣ ପାଇଁ ସୁବାଷଙ୍କ ନେତୃତ୍ୱରେ ଆନ୍ଦୋଳନ ଆରମ୍ଭ ହେବ । ଇଂରେଜ ସରକାର ଏ ସମ୍ବାଦପାଇ ସୁବାଷଙ୍କୁ ଗିରଫ କରି ପ୍ରେସିଡେନ୍‌ସି ଜେଲରେ ବନ୍ଦୀ କରିରଖିଲେ । ଫଳରେ ସମସ୍ତ ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଗଲା । ସରକାରଙ୍କ ତରଫରୁ ବ୍ୟାପକ ଗିରଫଦାରୀ ଓ ଲାଠି ଚାର୍ଜ ହେଲା । ମାତ୍ର ପରେ ଯେତେବେଳେ ବୁଝିଲେ ଯେ ଏହାଦ୍ୱାରା ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ଏକତା ଆସିଯାଉଛି, ସେତେବେଳେ ସରକାର ହଲ ଓୟେଲ ମନୁମେଣ୍ଟ ଅପସାରଣ ପାଇଁ ସମ୍ମତ ହେଲେ । କେବଳ ସୁବାଷଙ୍କ ବ୍ୟତୀତ ଅନ୍ୟ ସମସ୍ତ ଗିରଫ ବ୍ୟକ୍ତିଙ୍କୁ ଖଲାସ କରିଦିଆଗଲା । ସୁବାଷ ନିଜ ମୁକ୍ତି ଦାବୀରେ ଜେଲରେ ଅନଶନ କଲେ । ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିବାରୁ ତାଙ୍କୁ ଡିସେମ୍ବର ୫ ତାରିଖରେ ଛାଡ଼ି ଦିଆଗଲା ଓ ତାଙ୍କ ଘରେ ଅଟକ ବନ୍ଦୀ କରି ରଖାଗଲା ।

 

୧୯୪୧ ମସିହା ଜାନୁୟାରୀ ୧୭ ତାରିଖରେ ସୁବାଷ ଛଦ୍ମବେଶରେ ନିଜର ଆଲଗିନ ରୋଡ ବାସଭବନରୁ ଅନିର୍ଦ୍ଦିଷ୍ଟ ପଥରେ ଯାତ୍ରା ଆରମ୍ଭ କଲେ । ସେ ପ୍ରଥମେ ମୋଟର ଯୋଗେ ଯାଇ ଗୋମୋ ଷ୍ଟେସନରେ ପହଞ୍ଚିଲେ । ସେଠାରୁ ରେଳଯୋଗେ ପେଶଓ୍ୟାର ଗଲେ । ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶର ଫରଓ୍ୟାର୍ଡ ବ୍ଳକ ନେତା ଆକବର ଶା, ଭକତରାମ ତଲଓ୍ୟାର ଓ କୀର୍ତ୍ତି କିଶାନ ପାର୍ଟିର ସହଯୋଗକ୍ରମେ ସୁବାଷ ଦୁର୍ଗମ ଗିରିପଥ ଓ ବରଫ ଝଡ଼ ଅତିକ୍ରମ କରି କାବୁଲରେ ଉପସ୍ଥିତ ହେଲେ । ଜାନୁୟାରୀ ୨୬ ତାରିଖରେ ପେଶବାରରୁ ଯାତ୍ରା ଆରମ୍ଭ ହୋଇ ୩୧ ତାରିଖରେ କାବୁଲରେ ସମାପ୍ତ ହେଲା । ଏକମାତ୍ର ଦୁର୍ଦ୍ଦିନର ସାଥି ଭକତରାମ ତଲଓ୍ୟାର ।

 

କାବୁଲ ସେତେବେଳେ ଆନ୍ତର୍ଜାତିକ ଗୁପ୍ତଚରମାନଙ୍କର ଆଡ଼୍‌ଡ଼ା ସ୍ଥଳୀ ଥିଲା । ସେଠାରେ ପାନ୍ଥ ନିବାସରେ ଥିବାବେଳେ ଜଣେ ଗୁପ୍ତଚର ତାଙ୍କୁ ସନ୍ଦେହ କଲା । ସୁବାଷଙ୍କର ଅନ୍ତର୍ଦ୍ଧାନ ଖବର ସେତେବେଳେ ସାରା ପୃଥିବୀରେ ପ୍ରଚାରିତ ହୋଇ ସାରିଥିଲା । ସୁବାଷ ମୂକ ଓ ବଧିରର ଅଭିନୟ କରୁଥିଲେ ଓ ଭକତରାମ ଜଣେ ମୁସଲମାନ ଯୁବକ ଭାବରେ ତାଙ୍କର ସେବା କରୁଥିଲେ । ଯାହାହେଉ ସୁବାଷ ବାପାଙ୍କ ପ୍ରଦତ୍ତ ସୁନାର ଘଣ୍ଟାଟି ତାଙ୍କୁଦେଇ ସେଥର ରକ୍ଷା ପାଇଗଲେ । ତାପରେ ରୁଷ ଦୂତାବାସ ସହିତ ଯୋଗାଯୋଗ ଚାଲିଲା । ଉଦ୍ଦେଶ୍ୟ ଥିଲା– ରୁଷ ସାହାଯ୍ୟରେ ଉତ୍ତର ପଶ୍ଚିମ ଆଡ଼ୁ ଭାରତ ଆକ୍ରମଣ । ମାତ୍ର ରୁଷ ସରକାର ଏଭଳି ଦାୟିତ୍ୱ ନେବାକୁ ସମ୍ମତ ହେଲେ ନାହିଁ । ଗୁପ୍ତଚରଙ୍କ ଦୃଷ୍ଟିରୁ ଦୂରରେ ରହିବାପାଇଁ ସେ ଶେଷରେ ଯାଇ ଉତ୍ତମଚାନ୍ଦ ନାମକ ଜଣେ ଭାରତୀୟ ଘଣ୍ଟା ଦୋକାନୀଙ୍କ ନିକଟରେ ଆଶ୍ରୟ ନେଲେ । ଏଠାରେ ତାଙ୍କର ନାମ ରହିଲା ଜୀୟାଉଦ୍ଦୀନ ।

 

ରୁଷ ଦୂତାବାସରୁ ନିରାଶରେ ଫେରି ସୁବାଷ ଜର୍ମାନ ଦୂତାବାସ ସହିତ ଯୋଗାଯୋଗ କଲେ । ଜର୍ମାନ ସରକାର ସମ୍ମତ ହେଲେ ସତ, ମାତ୍ର ଭିସା ମିଳିବାରେ ଅସୁବିଧା ଦେଖାଦେଲା । ରୁଷ ସରକାର ଭିସା ଦେବାକୁ ସମ୍ମତ ହେଲେ ନାହିଁ । ପରିଶେଷରେ ହିଟଲରଙ୍କ ପ୍ରବଳ ଚାପରେ ରୁଷ ସରକାର ସମ୍ମତ ହେଲେ । ସୁବାଷ ସିନର ଆରଲ୍ୟାଣ୍ଡୋ ମ୍ୟାଜୋଟା ନାମରେ ଇଟାଲୀ ନାଗରିକ ରୂପେ ଭିସା ପାଇ ବର୍ଲିନ ଗଲେ ।

 

ବର୍ଲିନ ଓ ଇଟାଲୀ ସରକାରଙ୍କ ମିଳିତ ସାହାଯ୍ୟରେ ବର୍ଲିନରେ ଆଜାଦ ହିନ୍ଦ୍‌ ସଂଘ ଗଠିତ ହେଲା । ଏହାର ସ୍ୱତନ୍ତ୍ର ବେତାର କେନ୍ଦ୍ର ପ୍ରତିଷ୍ଠା କରାଗଲା । ବର୍ଲିନ ପ୍ରବାସୀ ଭାରତୀୟ ଯୁବକମାନେ ଏଥିରେ ଯୋଗଦେଲେ ।

 

ହଠାତ୍‌ ଦିନେ ଇଥର ତରଙ୍ଗରେ ଭାସି ଆସିଲା ସୁବାଷଙ୍କ କଣ୍ଠସ୍ୱର–ଆଜାଦ ହିନ୍ଦ୍ ରେଡ଼ିଓ-ବର୍ଲିନ ।

 

ମୁଁ ସୁବାଷ ଚନ୍ଦ୍ର ବୋଷ କହୁଛି । ଆପଣମାନେ ଆନ୍ତର୍ଜାତିକ ପରିସ୍ଥିତି ପ୍ରତି ଲକ୍ଷ୍ୟ ରଖନ୍ତୁ । ମୁଁ ଯେପରି ବ୍ରିଟିଶ ଗଭର୍ଣ୍ଣମେଣ୍ଟକୁ ବିଭ୍ରାନ୍ତ କରି ଭାରତ ଛାଡ଼ି ଚାଲିଆସିଲି, ଠିକ୍‍ ସେହିପରି ଆପଣମାନଙ୍କ ନିକଟରେ ଉପସ୍ଥିତ ହେବି । ବର୍ତ୍ତମାନ ଯେଉଁ ସୁଯୋଗ ଆସିଛି, ତା’ର ପୂର୍ଣ୍ଣ ସଦୁପଯୋଗ କରିବାକୁ ପଡ଼ିବ । ସେଥିପାଇଁ ଜାତି ଓ ଧର୍ମ ନିର୍ବିଶେଷରେ ସମସ୍ତ ଭାରତବାସୀ ଏକତ୍ରିତ ହୁଅନ୍ତୁ ।

 

‘ବନ୍ଦେ ମାତରମ୍‌’

 

ବର୍ଲିନର ଆଜାଦ ହିନ୍ଦ୍‌ ସଂଘ ଗଠନ କରାଯିବାପରେ ଏହାର ପ୍ରଥମ ଅଧିବେଶନ ନଭେମ୍ବର ୨ ତାରିଖରେ ବସିଲା । ଭାରତୀୟ ତ୍ରିରଙ୍ଗା ଜାତୀୟ ପତାକା ଉତ୍ତୋଳନ କରାଯାଇ ‘ଜନଗଣ ମନ ଅଧିନାୟକ’ ଜାତୀୟ ସଙ୍ଗୀତ ବୋଲାଗଲା । ଏ ଅଧିବେଶନରେ ୟୁରୋପର ସମସ୍ତ ଦେଶର ପ୍ରତିନିଧିମାନେ ଆସି ଯୋଗଦେଲେ । ଏଠାରେ ନିଜସ୍ୱ ସୈନ୍ୟବାହିନୀ ଗଠନ କରାଯିବାର ସ୍ଥିର କରାଗଲା । ପ୍ରଥମେ ୧୫ ଜଣ ଯୁବକଙ୍କୁ ନେଇ ସୈନ୍ୟବାହିନୀ ଗଠନ କରାଗଲା । ପରେ ଆଫ୍ରିକା ଓ ୟୁରୋପରେ ଥିବା ଭାରତୀୟ ଯୁଦ୍ଧ ବନ୍ଦୀମାନଙ୍କୁ ସୈନ୍ୟବାହିନୀରେ ନିଆଗଲା । ସୁବାଷ ଆଜାଦ ହିନ୍ଦ୍‌ ବାହିନୀର ହେଲେ–ନେତାଜୀ ।

 

ଜାପାନରେ ଆଜାଦ ହିନ୍ଦ୍‌ ଫୌଜ ଭାଙ୍ଗିଯିବା ସମ୍ବାଦ ଶୁଣି ସୁବାଷ ଜାପାନ ଯିବାକୁ ଇଚ୍ଛା ପ୍ରକାଶ କଲେ । ଏତିକିବେଳେ ରାସବିହାରୀଙ୍କ ନିମନ୍ତ୍ରଣ ମଧ୍ୟ ଜାପାନ ଦୂତାବାସ ଜରିଆରେ ତାଙ୍କ ନିକଟରେ ପହଞ୍ଚିଲା । ସୁବାଷ ଆଉ କାଳ ବିଳମ୍ବ ନ କରି ଏକ ସବ୍‌ମେରିନ ଯୋଗେ ଜାପାନ ଯାତ୍ରା କଲେ ।

 

୧୯୪୩ ମସିହା ମଇ ମାସରେ ପ୍ରଶାନ୍ତ ମହାସାଗରର ବିପଦ ସଙ୍କୁଳ ପଥ ଦେଇ ସୁବାଷ ଟୋକିଓରେ ପହଞ୍ଚିଲେ । ସେଠାରୁ ଜୁନମାସ ୨ ତାରିଖରେ ଆସି ସିଙ୍ଗାପୁରରେ ପଦାର୍ପଣ କଲେ । ଜୁନ ୪ ତାରିଖରେ ରାସବିହାରୀ ସିଙ୍ଗାପୁରରେ ଏକ ସଭା ଡକାଇ ସେଠାରେ ସୁବାଷଙ୍କୁ ଆଜାଦ ହିନ୍ଦ୍‌ ସଂଘର ସଭାପତି ରୂପେ ଘୋଷଣା କଲେ ।

 

ନେତୃତ୍ୱ ଗ୍ରହଣ ପରେ ସୁଭାଷ ସୈନ୍ୟଦଳ ଗଠନରେ ମନ ବଳାଇଲେ । ଜୁନ ୫ ତାରିଖରେ ସିଙ୍ଗାପୁର ମ୍ୟୁନିସପାଲ ଭବନ ସମ୍ମୁଖରେ ଥିବା ପ୍ରାଙ୍ଗଣରେ ଆଜାଦ ହିନ୍ଦ୍‌ ଫୌଜ ପରିଦର୍ଶନ କାଳରେ ସୈନ୍ୟମାନଙ୍କୁ ଏକ ନୂତନ ସ୍ଲୋଗାନ ଶିଖାଇଲେ–‘ଦିଲ୍ଲୀ ଚଲୋ’ । ଏହାପରେ ସେ ବେତାର ଯୋଗେ ଆଜାଦ ହିନ୍ଦ୍‌ ଫୌଜ ଗଠନ ବିଷୟ ବିଶ୍ୱବାସୀଙ୍କୁ ଜଣାଇଦେଲେ ।

 

ଜୁଲାଇ ୯ ତାରିଖରେ ସିଙ୍ଗାପୁରରେ ୫୦ ହଜାର ଭାରତୀୟଙ୍କ ଉପସ୍ଥିତିରେ ଏକ ବିରାଟ ସଭା ହେଲା । ସ୍ୱାଧୀନତା ଅର୍ଜ୍ଜନ ପାଇଁ ଧନ ଓ ସମ୍ପଦ ବିନିଯୋଗ କରିବାକୁ ସୁବାଷ ନିବେଦନ କଲେ । ଏହାପରେ ସେ ସୈନ୍ୟବାହିନୀର ନେତୃତ୍ୱ ଗ୍ରହଣ କରି ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ନେତ୍ରୀ ରାଣୀ ଲକ୍ଷ୍ମୀବାଈଙ୍କ ନାମରେ ଝାନ୍‌ସି ରାଣୀ ରେଜିମେଣ୍ଟ ଗଠନ କଲେ । କ୍ୟାପଟେନ ଡକ୍ଟର ଲକ୍ଷ୍ମୀ ସ୍ୱାମୀନାଥନ ଏହାର ଦାୟିତ୍ୱରେ ରହିଲେ । ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ରାଣୀଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ ଶିବିର ସ୍ଥାପନ କରାଗଲା । ସ୍ୱେଚ୍ଛାସେବିକାମାନେ ଆସି ତହିଁରେ ଯୋଗଦେଲେ । ଏଠାରେ ସେମାନଙ୍କୁ ଡ୍ରିଲ, ଅସ୍ତ୍ରଚାଳନା, ରଣ କୌଶଳ, ମାନଚିତ୍ର ପର୍ଯ୍ୟବେକ୍ଷଣ ଓ ସାଧାରଣ ବିଷୟରେ ବକ୍ତୃତା ଆଦି ଶିକ୍ଷା ଦିଆଗଲା । ସାମରିକ ଶିକ୍ଷା ବ୍ୟତୀତ ସ୍ୱେଚ୍ଛାସେବିକାମାନଙ୍କୁ ସେବା, ଶୁଶ୍ରୂଷା, ଜନ କଲ୍ୟାଣ ଓ ସମାଜସେବା ଆଦି ବିଷୟ ମଧ୍ୟ ଶିକ୍ଷା ଦିଆଗଲା । ସୈନିକମାନଙ୍କୁ ସାମରିକ ଶିକ୍ଷା ଦିଆଯିବା ଲାଗି ମାଳୟ ଓ ବ୍ରହ୍ମଦେଶରେ ଦୁଇଟି ଶିକ୍ଷା କେନ୍ଦ୍ର ଖୋଲାଗଲା ।

 

୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ସିଙ୍ଗାପୁରରେ ସ୍ୱାଧୀନତା ସଂଘର ପ୍ରତିନିଧିମାନଙ୍କ ସମକ୍ଷରେ ଆଜାଦ ହିନ୍ଦ୍‌ ସରକାର ଗଠନ ବିଷୟ ଘୋଷଣା କରାଗଲା । ଏଥିରେ ସୁବାଷ ଚନ୍ଦ୍ର ବସୁ–ରାଷ୍ଟ୍ରନାୟକ ପ୍ରଧାନମନ୍ତ୍ରୀ, ସମର ସଚୀବ ପରରାଷ୍ଟ୍ର ସଚୀବ ଓ ସୈନ୍ୟବାହିନୀର ପ୍ରଧାନ ସେନାପତି ରହିଲେ । ଅନ୍ୟମାନଙ୍କ ମଧ୍ୟରେ ମିଃ ଏସ୍‌. ଏ. ଆୟାର–ପ୍ରଚାର ସଚୀବ, କ୍ୟାପଟେନ ଲକ୍ଷ୍ମୀ ସ୍ୱାମୀନାଥନ–ମହିଳାଦପ୍ତର, ଲେଫ୍‌ଟନାଣ୍ଟ କର୍ଣ୍ଣେଲ–ଏ. ସି. ଚାଟାର୍ଜୀ ଅର୍ଥ ସଚୀବ, ଲେ. କ. ଅଜିଜ ଅହମ୍ମଦ, ଲେ. କ. ଏନ. ଏସ୍‌. ଭଗତ, କର୍ଣ୍ଣେଲ ଜେ. କେ ଭୋଁସଲା, ଲେ.କ. ଗୁଲଜାର ସିଂହ, ଲେ. କ. ଏମ୍‌. ଜେଡ଼. କେୟାନୀ, ଲେ. କ. ଏ. ପି ଲୋକନାଥନ, ଲେ. କ. ଆହସନ କାଦିର ଓ ଲେ. କ. ଶ୍ୟାହନଓ୍ୟାଜ ସୈନ୍ୟବାହିନୀର ପ୍ରତିନିଧି ରହିଲେ । ଶ୍ରୀ ଆନନ୍ଦ ମୋହନ ସହାୟ–ସେକ୍ରେଟେରୀ, ରାସବିହାରୀ ବସୁ–ପ୍ରଧାନ ଉପଦେଷ୍ଟା; କରିମ ଗଣି, ଦେବନାଥ ଦାସ, ଡି. ଏମ୍‌., ଖାଁ. ଏ. ଇୟେଲ୍ଲାପା, ଜେ. ଥିଭି ଓ ସର୍ଦ୍ଦାର ଈଶ୍ୱର ସିଂହ ଉପଦେଷ୍ଟା ରହିଲେ । ଆଇନ ସଂକ୍ରାନ୍ତ ଉପଦେଷ୍ଟା ରୂପେ ଏ. ଏନ୍. ସରକାର ନିର୍ବାଚିତ ହେଲେ ।

 

ଆଜାଦ ହିନ୍ଦ୍‌ ସରକାର ଓ ଫୌଜର ହେଡକ୍ୱାର୍ଟର ସିଙ୍ଗାପୁରରେ ରହିଲା ।

 

ଆଜାଦହିନ୍ଦ୍‌ ସରକାର ଗଠିତ ହେବାପରେ ଜାପାନର ପ୍ରଧାନମନ୍ତ୍ରୀ ଏ ସରକାରକୁ ସ୍ୱୀକାର କରିନେଲେ । ପରେ ଫିଲପାଇନ, ବ୍ରହ୍ମ, ଥାଇଲାଣ୍ଡ, ମାଞ୍ଚୁକୁୟୋ, ଜର୍ମାନ, ଇତାଲୀ, କ୍ରୋସିଆ ଓ ଆଇରିଶ ସାଧାରଣ ତନ୍ତ୍ର ଏହାକୁ ସ୍ୱାଧୀନ ସରକାର ରୂପେ ସ୍ୱୀକାର କରିନେଲେ । ଜାପାନ ସହିତ କୂଟନୈତିକ ସମ୍ପର୍କ ବିନିମୟ କରାଗଲା ଓ ସୁବାଷ ଇଙ୍ଗ୍‌–ମାର୍କିନ ଶକ୍ତି ବିରୋଧରେ ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କଲେ ।

 

ଜାପାନ ପ୍ରଧାନମନ୍ତ୍ରୀ ତୋଜୋ ପାର୍ଲାମେଣ୍ଟରେ ଘୋଷଣା କରି ଆନ୍ଦାମାନ ଓ ନିକୋବର ଦ୍ୱୀପପୁଞ୍ଜର ଶାସନଭାର ଆଜାଦ ହିନ୍ଦ୍‌ ସରକାର ହସ୍ତରେ ସମର୍ପଣ କଲେ । ଏ ଦ୍ୱୀପ ଦୁଇଟିର ନାମକରଣ କରାଗଲା–ଶହୀଦ ଓ ସ୍ୱରାଜ ଦ୍ୱୀପ । ଏହାପରେ ବ୍ରହ୍ମଦେଶର ଜିଓ୍ୟାଲଦୀ ଇଲାକା ଆଜାଦ ହିନ୍ଦ୍‌ ସରକାର ଅନ୍ତର୍ଭୁକ୍ତ ହେଲା । ଆଜାଦ ହିନ୍ଦ୍‌ ଫୌଜର ସୈନ୍ୟସଂଖ୍ୟା ୪୦ ହଜାର ହେଲା ।

 

ଆଜାଦ ହିନ୍ଦ୍‌ ସରକାର ଓ ସୈନ୍ୟଦଳ ପରିଚାଳନା ପାଇଁ ରେଙ୍ଗୁନରେ ଦୁଇଟି ଓ ଟଙ୍ଗୀରେ ଗୋଟିଏ–ଏହିପରି ୩ଟି ଆଜାଦ ହିନ୍ଦ୍‌ ବ୍ୟାଙ୍କ ପ୍ରତିଷ୍ଠା କରାଗଲା । ବହୁ ବ୍ୟକ୍ତି ଏହି ବ୍ୟାଙ୍କକୁ ଅର୍ଥ ଦାନ କଲେ । ହବିବ ସାହେବ ନାମକ ଜଣେ ବ୍ୟକ୍ତି ନିଜର ଏକ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଆଜାଦ ହିନ୍ଦ୍‌ ସରକାରକୁ ପ୍ରଦାନ କଲେ ।

 

୧୯୪୪ ମସିହା ଫେବୃୟାରୀ ୪ ତାରିଖରେ ଆଜାଦ ହିନ୍ଦ୍‌ ବାହିନୀର ବ୍ରିଟିଶ ସରକାର ବିରୋଧରେ ପ୍ରଥମ ଅଭିଯାନ ଆରମ୍ଭ ହେଲା । ଆରାକାନ ଅଞ୍ଚଳରେ ପ୍ରବଳ ଯୁଦ୍ଧ ଚାଲିଲା । ଏହି ଯୁଦ୍ଧରେ କୃତିତ୍ୱ ଯୋଗୁ ମେଜର ମିଶ୍ର ନାମକ ଜଣେ ସେନାନୀ ସର୍ଦ୍ଦାର-ଇ-ଜଙ୍ଗ ଉପାଧିରେ ଭୂଷିତ ହେଲେ । ମାର୍ଚ୍ଚ ୨୫ ତାରିଖରେ ଆଜାଦ ହିନ୍ଦ୍‌ ଫୌଜ ସୀମାନ୍ତ ଅତିକ୍ରମକରି ଭାରତ ଭୂମିରେ ପଦାର୍ପଣ କଲେ । ବ୍ରହ୍ମ ରଣାଙ୍ଗନରୁ ସୁବାଷ ଗାନ୍ଧିଜୀଙ୍କ ଆଶୀର୍ବାଦ ଭିକ୍ଷାକରି ଏକ ବେତାର ବକ୍ତୃତାରେ କହିଲେ–‘‘Father of our nation, in this holy war for India’s liberation, we ask for your blessing and good wishes’’.

 

‘ଗାନ୍ଧିଜୀ ସେହିଦିନରୁ ଜାତିର ଜନକ ରୂପେ ବିଦିତ ହେଲେ ।

 

୧୯୪୪ ମସିହା ବସନ୍ତ କାଳରେ ଇମ୍ଫାଲ ଅଭିଯାନ ଆରମ୍ଭ ହେଲା । ଜାପାନ ଓ ଭାରତୀୟ ବାହିନୀ ମିଳିତ ଭାବରେ ମଣିପୁରରେ ପ୍ରବେଶ କରି ରାଜଧାନୀ ଇମ୍ଫାଲ ଓ କୋହିମା ଆକ୍ରମଣ କଲେ । ମାତ୍ର ହଠାତ୍‌ ବର୍ଷା ଆରମ୍ଭ ହୋଇଯିବାରୁ ପ୍ରତିବନ୍ଧକ ସୃଷ୍ଟିହେଲା । ପ୍ରାକୃତିକ ଦୁର୍ଯ୍ୟୋଗ, ପର୍ଯ୍ୟାପ୍ତ ପରିମାଣରେ ଅସ୍ତ୍ର ଶସ୍ତ୍ର ସରବରାହରେ ଜାପାନୀମାନଙ୍କ ଅକ୍ଷମତା ଓ ଖାଦ୍ୟାଭାବ ବିପର୍ଯ୍ୟୟ ଡାକି ଆଣିଲା । ପଶ୍ଚାଦ ଅପସାରଣ ଆରମ୍ଭ ହେଲା ଓ ବ୍ରିଟିଶ ବାହିନୀ ବ୍ରହ୍ମଦେଶ ଅଭିମୁଖେ ଆଗେଇ ଚାଲିଲେ ।

 

ବ୍ରିଟିଶର ଅଗ୍ରଗତି ଦେଖି ଜାପାନୀମାନେ ରେଙ୍ଗୁନ ପରିତ୍ୟାଗ କଲେ । ବ୍ରିଟିଶ ସେନା ରେଙ୍ଗୁନର ଉପକଣ୍ଠରେ ପହଞ୍ଚିବାମାତ୍ରେ ସୁବାଷ ବ୍ୟାଙ୍କକ ଚାଲିଗଲେ । ପରେ ପରେ ସମସ୍ତ ରଣରେ ବ୍ରିଟିଶର ଅଗ୍ରଗତି ଘଟିବାରେ ଲାଗିଲା ।

 

୧୯୪୫ ମସିହା ଅଗଷ୍ଟ ମାସରେ ଜାପାନ ସମ୍ରାଟ ହିରୋହିଟୋ ଆତ୍ମସମର୍ପଣ କଲେ-। ତା ପୂର୍ବରୁ ସେ ସୁବାଷଙ୍କୁ ଜଣାଇଦେଲେ ଯେ ତାଙ୍କୁ ମାଞ୍ଚୁରିଆ ନିଆଯାଇ ରୁଷ ସୈନ୍ୟଙ୍କ ନିକଟରେ ଛାଡ଼ି ଦିଆଯିବ ଓ ସେଠାରେ ସେ ନିରାପଦ ରହିବେ । ଅଗଷ୍ଟ ୧୬ ତାରିଖରେ ସୁବାଷ ସ୍ୱାଧୀନ ଭାରତୀୟ ଗଭର୍ଣ୍ଣମେଣ୍ଟର କେତେ ଜଣ ମନ୍ତ୍ରୀ ଓ ଜାପାନର ଜଣେ ସେନାପତିଙ୍କ ସହ ସିଙ୍ଗାପୁରରୁ ଟୋକିଓ ଯାତ୍ରାକଲେ । ବାଟରେ ବିମାନ ଗୁଡ଼ିକ ଫର୍ମୋଜାର ତାଇହୋକୁ ବିମାନ ଘାଟୀରେ ଅବତରଣ କଲା ।

 

୧୯୪୫ ମସିହା ଅଗଷ୍ଟ ମାସ ୨୩ ତାରିଖରେ ଜାପାନ ସମ୍ବାଦ ଏଜେନ୍‌ସି ପ୍ରଚାର କଲା ଯେ ଫର୍ମୋଜାରୁ ଟୋକିଓ ଆସୁଥିବା ବାଟରେ ବିମାନ ଦୁର୍ଘଟନାରେ ନେତାଜୀଙ୍କର ପ୍ରାଣହାନୀ ଘଟିଛି । ମାତ୍ର ଏ ପର୍ଯ୍ୟନ୍ତ ଏ ଘଟନାର କୌଣସି ମୀମାଂସା ହୋଇ ପାରିନାହିଁ । ନେତାଜୀ ମୃତ କି ଜୀବିତ ଏପର୍ଯ୍ୟନ୍ତ ରହସ୍ୟାବୃତ୍ତ ହୋଇ ରହିଛି ।

 

ଏଠାରେ ଲକ୍ଷ୍ୟ କରିବାର କଥା ଯେ ୧୮୫୭ର ଭାରତୀୟ ପ୍ରଥମ ସ୍ୱାଧୀନତା ସଂଗ୍ରାମର ଅମର ସେନାନୀ ନାନାସାହେବ ଯୁଦ୍ଧ ସମୟରେ ଏହିପରି ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ ଏବଂ ତାଙ୍କର କୌଣସି ସମ୍ବାଦ ମିଳି ନ ଥିଲା । ଉଭୟେ ଯୁଦ୍ଧର ମଧ୍ୟଭାଗରେ ନେତୃତ୍ୱ ନେଇଥିଲେ ଓ ସମାନ ଭାବରେ ରଣକୁଶଳୀ, ସଂଗଠକ, ସାହସୀ ଓ ସ୍ୱାଧୀନତା ପ୍ରୟାସୀ ଥିଲେ । ୧୮୫୮ ମସିହା ଅଗଷ୍ଟ ମାସରେ ନାନା ସାହେବ ଆତ୍ମଗୋପନ କରିଥିଲେ । ୧୯୪୫ ମସିହା ଅଗଷ୍ଟ ମାସରେ ନେତାଜୀ ଆତ୍ମଗୋପନ କଲେ । ୧୯୩୯ ମସିହା ଅଗଷ୍ଟ ମାସରେ ସୁବାଷ କଂଗ୍ରେସରୁ ବହିଷ୍କୃତ ହୋଇ ପ୍ରତ୍ୟକ୍ଷ ସଂଗ୍ରାମରେ ଭାଗ ନେଇଥିଲେ । ଅର୍ଥାତ୍‌ ନାନାସାହେବଙ୍କ ଅନ୍ତର୍ଦ୍ଧାନ ହେବାର ୮୧ ବର୍ଷ ପରେ ସୁବାଷ ପ୍ରତ୍ୟକ୍ଷ ସଂଗ୍ରାମରେ ଭାଗ ନେଲେ । ନେତାଜୀଙ୍କ ଅନ୍ତର୍ଦ୍ଧାନର ପୁଣି ୮୧ ବର୍ଷ ପରେ ଅର୍ଥାତ୍‌ ୨୦୨୬ ମସିହା ଅଗଷ୍ଟ ମାସକୁ ପୁଣି ଜଣେ ଅନମନୀୟ ସଂଗ୍ରାମୀ ଯେ ଭାରତ ଭୂମିରେ ଏକ ସଂଗ୍ରାମରେ ଆତ୍ମପ୍ରକାଶ କରି ନ ଥିବେ କିଏ କହିବ ? ଆଗାମୀ ୪୦ ବର୍ଷ ଭାରତ କି ପରିସ୍ଥିତି ଭିତରେ ଗତି କରିବ ତାହା କେବଳ ମହାକାଳକୁ ଗୋଚର !!

 

‘‘ସୂର୍ଯ୍ୟ ଉଏଁ ପୂର୍ବ ଦିଗେ ତୂର୍ଯ୍ୟ ବାଜେ ତା’ର

ରାତ୍ର ବୋଲେ ବ୍ୟର୍ଥ ନୁହେଁ ଏ ମୃତ୍ୟୁ ମୋହର ।’’

 

ସୂର୍ଯ୍ୟ ଯେତେବେଳେ ପୂର୍ବ ଦିଗରେ ଉଦିତ ହୁଏ, ସେତେବେଳେ ନବ ଜୀବନ ସଞ୍ଚାରିତ ହୁଏ । ମାନବଠାରୁ ଆରମ୍ଭ କରି ପଶୁ ପକ୍ଷୀ, କୀଟ ପତଙ୍ଗ ଓ ବୃକ୍ଷଲତା ପର୍ଯ୍ୟନ୍ତ ସମସ୍ତେ ତାର ଜୟଗାନ କରନ୍ତି ନବ ଦିବସରେ ସମସ୍ତେ ବିଗତ ରାତ୍ରକୁ ଭୁଲି ଯାଆନ୍ତି । ମାତ୍ର ରାତ୍ରର ମୃତ୍ୟୁ କ’ଣ ବ୍ୟର୍ଥ ହୁଏ ? ନା, କଦାପି ନୁହେଁ । କାରଣ ସେ ନିଜର ଜୀବନକୁ ଉତ୍ସର୍ଗ କରି ନବ ଜୀବନର ଜୟଗାନ ଶିଖାଇ ଦିଏ । ରାତ୍ର ନ ଥିଲେ ଦିବସର ମୂଲ୍ୟବୋଧ କେହି ଉପଲବ୍‌ଧି କରି ପାରନ୍ତେ ନାହିଁ । ପ୍ରଚଣ୍ଡ ଦାବ-ଦାହରେ ଧରଣୀ ହୁଅନ୍ତା ରୁକ୍ଷ ଓ ନିର୍ମମ । କ୍ଳାନ୍ତି ଓ ଅବସାଦ ଯୋଗୁ ନବ ଜୀବନରେ ସ୍ପନ୍ଦନ ଜାଗନ୍ତା ନାହିଁ । ଠିକ୍‌ ସେହିପରି ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରି ସ୍ୱାଧୀନତା ସୂର୍ଯ୍ୟର ଆବାହନ କରିଛନ୍ତି, ସେମାନଙ୍କୁ କଣ ଭୁଲିହେବ ? ନାଁ କଦାପି ନୁହେଁ ! କାରଣ ସେମାନେ ମାନବ ନୁହନ୍ତି– ମହାମାନବ ! ମନର ନିଆଁରେ ଶାନ୍ତିବାରି ସିଞ୍ଚନ କରି ଦୁର୍ଗମ ଜୀବନ ଯାତ୍ରାକୁ ସୁଗମ କରିଛନ୍ତି । ସେମାନେ ମାନବର ଆଦର୍ଶ । ରଖିଯାଇଛନ୍ତି ଶାଶ୍ୱତ କୀର୍ତ୍ତି–ଯାହା କାଳ ବକ୍ଷରେ ବିଲୁପ୍ତ ହେବାର ନୁହେଁ । ମହାକାଳ ହସ୍ତର ସେମାନେ ରୁଦ୍ରାକ୍ଷମାଳା ।

 

୧୯୪୪ ମସିହା ମଇ ମାସ ୬ ତାରିଖରେ ମହାତ୍ମାଗାନ୍ଧୀ କାରାମୁକ୍ତ ହେଲେ । ମିଃ ଜିନ୍ନାଙ୍କ ସଙ୍ଗେ ଆପୋଷ ପାଇଁ ଏକ ରାଜଗୋପାଳାଚାରୀ ପରିକଳ୍ପନା କରି ଆସିଥିଲେ । ମହାତ୍ମାଗାନ୍ଧୀ ଏହି ପରିକଳ୍ପନା ଜିନ୍ମାଙ୍କ ନିକଟରେ ଉପସ୍ଥାପନ କଲେ । ମୋଟ ଉପରେ ପାକିସ୍ଥାନର ଦାବୀ ସ୍ୱୀକାର କରି ନିଆଗଲା । ବିନିମୟରେ ଦାବୀ କରାଗଲା ଯେ ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସ ସହିତ ଲିଗ୍‌ର ପୂର୍ଣ୍ଣ ସହଯୋଗିତା । ମିଃ ଜିନ୍ନା ତାହା ଗ୍ରହଣ କଲେ ନାହିଁ । ୧୯୪୩ ମସିହା ଅକ୍ଟୋବର ମାସରେ ଲର୍ଡ ଓ୍ୟାଭେଲ ବଡ଼ଲାଟ ହୋଇ ଆସିଥିଲେ । କ୍ରିପସ ପ୍ରସ୍ତାବ ଆଲୋଚନାବେଳେ ସେ ଭାରତର ପ୍ରଧାନ ସେନାପତି ଥିଲେ । ୧୯୪୫ ମସିହା ମାର୍ଚ୍ଚ ମାସରେ ସେ ଭାରତ ସଂକ୍ରାନ୍ତରେ ଆଲୋଚନା ପାଇଁ ଲଣ୍ଡନ ଗଲେ । ସେ ଫେରି ଆସିବା ପରେ ଭାରତ ସଚୀବ ମିଃ ଆମେରୀ ୧୯୪୫ ମସିହା ଜୁନ ୧୪ ତାରିଖରେ ଘୋଷଣା କଲେ ଯେ–କ୍ରିପସ ପରିକଳ୍ପନା ପରିତ୍ୟକ୍ତ ହୋଇ ନାହିଁ । ଭାରତ ବର୍ତ୍ତମାନ ମଧ୍ୟ ତାହା ଗ୍ରହଣ କରିପାରେ । ତେବେ ନୂତନ ଶାସନତନ୍ତ୍ର ପ୍ରଣୟନ ପୂର୍ବରୁ ବଡ଼ଲାଟଙ୍କ ଶାସନ ପରିଷଦ ସଂସ୍କାର କରାଯାଇ ପରବର୍ତ୍ତୀ ସରକାର ଗଠନ କରଯିବା ଆବଶ୍ୟକ । ସେ ପୁଣି ପ୍ରସ୍ତାବ ଦେଲେ ଯେ ବଡ଼ଲାଟ ଓ ପ୍ରାଧାନ ସେନାପତିଙ୍କ ବ୍ୟତୀତ ଶାସନ ପରିଷଦର ଅନ୍ୟ ସମସ୍ତ ସଭ୍ୟ ଭାରତୀୟ ନେତୃବୃନ୍ଦଙ୍କ ମଧ୍ୟରୁ ମନୋନୀତ ହେବେ । ଶାସନ ପରିଷଦରେ ସବୁ ଦଳର ସଭ୍ୟ ରହିବେ ଏବଂ ବର୍ଣ୍ଣ ହିନ୍ଦୁ ଓ ମୁସଲମାନ ସଭ୍ୟ ସଂଖ୍ୟା ସମାନ ରହିବେ ।

 

ମିଃ ଆମେରୀଙ୍କ ପ୍ରସ୍ତାବର ଆଲୋଚନା ପାଇଁ ବଡ଼ଲାଟ ଲର୍ଡ ଓ୍ୟାଭେଲ ସିମଳାରେ ବୈଠକ ଆହ୍ୱାନ କଲେ । ୧୯୪୫ ମସିହା ଜୁନ ୧୬ ତାରିଖରେ କଂଗ୍ରେସ ଓ୍ୟାର୍କିଂ କମିଟିର ସମସ୍ତ ସଭ୍ୟ କାରାମୁକ୍ତ ହେଲେ । କଂଗ୍ରେସ ସଭାପତି ମୌଲାନା ଆଜାଦ ଦାବୀ କଲେ ଯେ ନବଗଠିତ ଶାସନ ପରିଷଦରେ ଦୁଇଜଣ କଂଗ୍ରେସ ମନୋନୀତ ମୁସଲମାନ ସଦସ୍ୟ ରହିବେ । କାରଣ କଂଗ୍ରେସ ଜାତୀୟ ପ୍ରତିଷ୍ଠାନ । ଭାରତର ସକଳ ସଂପ୍ରଦାୟର ପ୍ରତିନିଧି । ତେଣୁ କଂଗ୍ରେସ କେବଳ ହିନ୍ଦୁ ସଦସ୍ୟ ମନୋନୟନ କରି ମୁସଲମାନ ପ୍ରତିନିଧ୍ୱତ୍ୱର ଦାବୀ ପରିତ୍ୟାଗ କରି ପାରିବ ନାହିଁ । ମିଃ ଜିନ୍ନା ଏହି ଦାବୀର ପ୍ରତିବାଦ କରି କହିଲେ ଯେ ମୁସଲିମ ଲିଗ୍‌ର ମନୋନୀତ ସଦସ୍ୟଙ୍କ ବ୍ୟତୀତ ଶାସନ ପରିଷଦରେ ଆଉ କୌଣସି ମୁସଲମାନ ସଦସ୍ୟ ଗ୍ରହଣ କରାଯାଇ ପାରିବ ନାହିଁ । ପଞ୍ଜାବର ପ୍ରାଧାନମନ୍ତ୍ରୀ ସାର୍‌ ଖିଜିର ହୟାତ ଖାଁ ଦାବୀ କଲେ–ୟୁନିୟନୀଷ୍ଟ ଦଳଭୁକ୍ତ ଜଣେ ମୁସଲମାନ ସଦସ୍ୟ ଶାସନ ପରିଷଦରେ ଗ୍ରହଣ କରିବାକୁ ପଡ଼ିବ । ଏ ସମସ୍ତ ପରସ୍ପର ବିରୋଧୀ ଦାବୀ ଯୋଗୁ ଲର୍ଡ ଓ୍ୟାଭେଲ ସିମଳା ସମ୍ମିଳନୀ ବାତିଲ କରିଦେଲେ ।

 

ସିମଳା ବୈଠକର ବ୍ୟର୍ଥତା ପରେ ଭାରତବର୍ଷରେ ଆଜାଦ ହିନ୍ଦ୍‌ ଫୌଜର କେତେ ଜଣ ନେତାଙ୍କ ବିଚାର ଉପଲକ୍ଷେ ପ୍ରବଳ ଉତ୍ତେଜନା ସୃଷ୍ଟି ହେଲା । ଏମାନଙ୍କ ମଧ୍ୟରେ ସାହସ ଓ୍ୟାଜ ଖାଁ, ଜେନେରାଲ ସାଇଗଲ ଓ ଜେନେରାଲ ଧିଲନ ପ୍ରଧାନ । କଂଗ୍ରେସ ସେମାନଙ୍କ ପକ୍ଷ ଗ୍ରହଣ କଲା । ବୁଲାଭାଇ ଦେଶାଇ ସେନାନାୟକମାନଙ୍କ ପକ୍ଷରୁ ପ୍ରଧାନ ଓକିଲ ହେଲେ । ଜବାହାରଲାଲା ନେହେରୁ ମଧ୍ୟ ଦୀର୍ଘଦିନ ପରେ ବାରିଷ୍ଟରୀ ପୋଷାକ ପିନ୍ଧି କୋର୍ଟକୁ ଗଲେ । ଏହା ଫଳରେ ଦେଶରେ କଂଗ୍ରେସର ଜନପ୍ରିୟତା ବୃଦ୍ଧି ପାଇଗଲା ।

 

୧୯୪୫ ମସିହା ସେପ୍ଟେମ୍ବର ମାସରେ ଲର୍ଡ ଓ୍ୟାଭେଲ ଘୋଷଣା କଲେ ଯେ ପରବର୍ତ୍ତୀ ଶୀତ କାଳରେ କେନ୍ଦ୍ରୀୟ ଓ ପ୍ରାଦେଶିକ ଆଇନ ସଭା ସମୂହର ନିର୍ବାଚନ ହେବ । ନିର୍ବାଚନ ପରେ ନୂତନ ଶାସନ ତନ୍ତ୍ର ପଣୟନ ପାଇଁ ଗଣ ପରିଷଦ ଆହ୍ୱାନ ଏବଂ ବଡ଼ଲାଟଙ୍କ ଶାସନ ପରିଷଦର ପୁନର୍ଗଠନ କରାଯିବ । ଏ ନିର୍ବାଚନରେ କଂଗ୍ରେସ ସର୍ବତ୍ର ଅପୂର୍ବ ସାଫଲ୍ୟ ଲାଭ କଲା । ମାତ୍ର ମୁସଲମାନମାନଙ୍କ ମଧ୍ୟରେ ଜିନ୍ନାଙ୍କ ପ୍ରଭାବ ଯୋଗୁ କେବଳ ସୀମାନ୍ତ ପ୍ରଦେଶ ବ୍ୟତୀତ ଅନ୍ୟ ସର୍ବତ୍ର ମୁସଲମାନ ଆସନରୁ ଲିଗ୍‌ ପ୍ରାର୍ଥୀ ନିର୍ବାଚିତ ହେଲେ ।

 

ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ଭାରତ ନୌ-ବାହିନୀ ବିଦ୍ରୋହର ଅବଦାନ ନୁହେଁ । ଅଥଚ ଏ ବିଦୋହ ମାତ୍ର ଚାରିଟି ଶବ୍ଦ ଯୋଗୁ ହୋଇଥିଲା । ଏଥିରୁ ଗୋଟିଏ ହେଉଛି ‘ଜୟହିନ୍ଦ୍‌’ ଓ ଅନ୍ୟଟି ‘ଭାରତ ଛାଡ଼ ।’

 

୧୯୪୬ ମସିହା ଫେବୃୟାରୀ ମାସରେ ନୌବିଭାଗର ପ୍ରଧାନ ସେନାପତି ଭାଇସ ଆଡମିରାଲ ଗଡ ଫ୍ରେ ତଲୋୟାର ନୌକେନ୍ଦ୍ର ପରିଦର୍ଶନରେ ଯାଇଥିବାବେଳେ କାନ୍ଥରେ ‘ଜୟହିନ୍ଦ୍’ ଓ ‘ଭାରତ-ଛାଡ଼’ ଶବ୍ଦ ଦୁଇଟି ଲେଖା ଯାଇଥିବାର ଦେଖିଲେ । ଏହାର ତଦନ୍ତ କରି ସେ ପି. ସି. ଦତ୍ତ ନାମକ ଜଣେ ଟେଲିଗ୍ରାଫିଷ୍ଟଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ।

 

ଯୁଦ୍ଧ ପୂର୍ବରୁ ବ୍ରିଟିଶ ସରକାର ନାନା ପ୍ରଲୋଭନ ଦେଖାଇ ସୈନ୍ୟବାହିନୀରେ ଯେଉଁମାନଙ୍କୁ ନେଇଥିଲେ, ଯୁଦ୍ଧ ପରେ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟି ନ ଦେଇ ବିଦାୟ କରିଦେଲେ । ୨ୟତଃ ଧଳା ଓ କଳାର ପାର୍ଥକ୍ୟ । ଏଥିରେ ସୈନିକମାନେ ପୂର୍ବରୁ ଅସନ୍ତୁଷ୍ଟ ଥିଲେ-। କମାଣ୍ଡର କିଂ ଙ୍କ ଦୁର୍ବ୍ୟବହାର ଓ ଶ୍ରୀଦତ୍ତଙ୍କ ଗିରଫଦାରୀରେ ବିଦ୍ରୋହ ଅଗ୍ନି ଜଳିଉଠିଲା ।

 

ପ୍ରଥମେ ଫେବୃୟାରୀ ୧୮ ତାରିଖରେ ତଲୋୟାର ନୌ-ଶିକ୍ଷା କେନ୍ଦ୍ରରେ ଧର୍ମଘଟ ଆରମ୍ଭ ହେଲା । ଏଥିରେ ଏଗାର ଶହ ଧର୍ମଘଟକାରୀ ଯୋଗ ଦେଲେ । ପର ଦିବସରେ ନାସିକ କଳାବତୀ, ଆଉଧ ଓ ନିଳାସ ଜାହାଜରେ ଧର୍ମଘଟ ଆରମ୍ଭ ହୋଇଗଲା । ଧର୍ମଘଟକାରୀଙ୍କ ସଂଖ୍ୟା କ୍ରମେ ୨୦ ହଜାରରେ ପହଞ୍ଚିଲା । ପରେ ଫିରୋଜ, ଆକବର ଓ ମ୍ୟଚ ମିଲାର ଏହି ୩ଟି ନୌ ଶିକ୍ଷା କେନ୍ଦ୍ରରେ ଶିକ୍ଷାର୍ଥୀ, ଡକୟାର୍ଡର ସିଗନାଲ କର୍ମଚାରୀମାନେ ଧର୍ମଘଟରେ ଯୋଗଦେଲେ । ଧର୍ମଘଟକାରୀମାନେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କଲେ । ବାଟରେ କେତେକ ୟୁରୋପୀୟ ଅଫିସର ଓ ୟୁରୋପୀୟ ପ୍ରତିଷ୍ଠାନ ଉପରେ ମଧ୍ୟ ଆକ୍ରମଣ କରାଗଲା । ଫେବୃୟାରୀ ୨୧ ତାରିଖ ବେଳକୁ ଗଣ୍ଡଗୋଳ ଚରମ ଅବସ୍ଥାରେ ଉପନୀତ ହେଲା । ଏତେବେଳକୁ ବମ୍ୱେ ପୋତାଶ୍ରୟର ପ୍ରାୟ ୨୦ ଖଣ୍ଡ ଜାହାଜ ଚିଦ୍ରୋହୀମାନଙ୍କ ଦଖଲକୁ ଆସିଗଲା-। ଏପରିକି ଗଡଫ୍ରେ-ଙ୍କ ଫ୍ରାଗ ଶିପ୍‌ ନର୍ମଦା ମଧ୍ୟ ବିଦ୍ରୋହୀମାନଙ୍କ ଦଖଲକୁ ଚାଲିଗଲା-। ସବୁ ଜାହାଜରେ ୟୁନିୟନ ଜ୍ୟାକ ପରିବର୍ତ୍ତେ କଂଗ୍ରେସ ଓ ଲିଗ୍‌ର ପତାକା ଉଡ଼ିଲା ।

 

ନୌ ସୈନିକମାନଙ୍କୁ ସହାନୁଭୂତି ଜଣାଇ ଉତ୍ତେଜିତ ଜନତା ବମ୍ୱେର କଲାବାଦେବୀ ଓ ଗିରଗାଁଓ ଅଞ୍ଚଳରେ ଟ୍ରାମ ବସ ଭାଙ୍ଗି, ସରକାରୀ ଅଫିସ ଓ ଦୋକାନ ଲୁଟିକଲେ । ଫଳରେ ପୁଲିସ ଗୁଳି ଚାଳନା କଲେ । ଅନ୍ଧେରୀ ଓ ମେରାଇନ ଡ୍ରାଇଭ ଅଞ୍ଚଳର ଭାରତୀୟ ବୈଜ୍ଞାନିକମାନେ ମଧ୍ୟ ନୌ ସୈନିକଙ୍କ ସମର୍ଥନରେ ଧର୍ମଘଟ ଆରମ୍ଭ କଲେ । ଏମାନଙ୍କ ବ୍ୟତୀତ କଲିକତା ସ୍ଥିତ ବେହେଲାର ନୌ ଶିକ୍ଷା କେନ୍ଦ୍ର, ହୁଗୁଳୀର ଶିକ୍ଷାର୍ଥୀମାନେ, ମାଝେର ହାଟର ନୌସେନା, ମାନ୍ଦ୍ରାଜର ‘ଆଦିୟାର’ ନାମକ ରଣତରୀର ସୈନିକମାନେ କାମ ବନ୍ଦ କଲେ । କରାଚୀ ନୌଘାଟୀର ‘ଚମକ’ ‘ହିମାଳୟ’ ଓ ‘ବାହାଦୂର’ ନାମକ ନୌଶିକ୍ଷା କେନ୍ଦ୍ରର ଶିକ୍ଷାର୍ଥିମାନେ ବିଦ୍ରୋହ କଲେ । ‘ହିନ୍ଦୁସ୍ଥାନ’ ଜାହାଜର ନୌସେନାମାନେ ଜଣାଇ ଦେଲେ ଯେ ସନ୍ଧ୍ୟା ୬ଟା ମଧ୍ୟରେ ଦାବୀ ପୂରଣ କରା ନଗଲେ ଗୁଳି ଚାଳନା କରାଯିବ । ଏହାର ଜବାବରେ ସାମରିକ ପୁଲିସ ବାହିନୀ ହିନ୍ଦୁସ୍ଥାନ ଉପରେ ଗୁଳି ଚାଳନା କଲେ ଓ ବିଦ୍ରୋହୀମାନେ କମାଣରୁ ଗୁଳି ବର୍ଷଣ କଲେ । ‘ହିନ୍ଦୁସ୍ଥାନ’ କରାଚୀ ବିଦ୍ରୋହର ନେତୃତ୍ୱ ନେଲା ।

 

ଫେବୃୟାରୀ ୨୧ ତାରିଖରେ ନୌସେନାପତି ଯେଉଁ ବେତାର ଭାଷଣ ଦେଲେ, ତହିଁରେ ସେ ଘୋଷଣା କଲେ ଯେ ବିଦ୍ରୋହ ଦମନ ପାଇଁ ଆବଶ୍ୟକ ପଡ଼ିଲେ ସରକାର ତାଙ୍କର ନୌବହରକୁ ଧ୍ୱଂସ କରିଦେବେ । ସରକାରଙ୍କ ଶକ୍ତି କମ୍‌ ନୁହେଁ; ସେହି ସମସ୍ତ ଶକ୍ତିକୁ ସେ ବିଦ୍ରୋହ ଦମନରେ ନିୟୋଜିତ କରିବେ ।

 

ସେଦିନ ରାତ୍ରରେ ଭାରତୀୟ ନୌବହରର ଗୋଟିଏ ଦଳ ଆସି ବମ୍ୱେ ପୋତାଶ୍ରୟରେ ପହରା ଦେଲେ ଏବଂ ବୋମାରୁ ଓ ଜଙ୍ଗୀ ବିମାନ ଅବସ୍ଥା ପର୍ଯ୍ୟବେକ୍ଷଣ କରିବାରେ ଲାଗିଲେ । ଉଭୟ ପକ୍ଷରୁ ଗୁଳି ଗୋଳା ବିନିମୟ କରାଗଲା । ଫେବୃୟାରୀ ୨୨ ତାରିଖରେ କଲବା ଦେବୀ, ଭୁଲେଶ୍ୱର ଓ ଗିରଗାଁଓ ଅଞ୍ଚଳରେ ଏପରି କାଣ୍ଡ ଘଟିଲା ଯେ ପୁଲିସର ୨୦ ଥର ଗୁଳି ଚାଳନାରେ ଷାଠିଏ ଜଣ ମଲେ ଓ ୬ ଶହ ଜଣ ଆହତ ହେଲେ । ବମ୍ୱେରେ ଏହି ବିକ୍ଷୋଭରେ ଛାତ୍ର, ଜନତା ଓ ଶ୍ରମିକମାନେ ମଧ୍ୟ ଯୋଗଦେଲେ । ଜନତା ଇମ୍ପରିଆଲ ବ୍ୟାଙ୍କର ୩ଟି ଶାଖା ଭାଙ୍ଗି ଦେଲେ ଓ ୪୦ ଟି ସାମରିକ ଗାଡ଼ି ପୋଡ଼ି ଦେଲେ । ପୁଲିସ ପକ୍ଷରୁ ଜଣେ କନେଷ୍ଟବଳ ନିହତ ହେଲେ, ୩୭ ଜଣ ଅଫିସର ଓ ୯୦ ଜଣ କନେଷ୍ଟବଳ ଆହତ ହେଲେ ।

 

ବିଦ୍ରୋହ ପରିଚାଳନା ପାଇଁ ଯେଉଁ କମିଟି ଗଠିତ ହୋଇଥିଲା, ତାହାର ନେତାମାନେ ଜାତୀୟ ନେତୃବୃନ୍ଦଙ୍କ ସହ ଯୋଗାଯୋଗ ସ୍ଥାପନ କଲେ । ବମ୍ୱେର ସମାଜବାଦୀ ନେତା ଶ୍ରୀ ପୁରୁଷୋତ୍ତମ ଦାସ ତ୍ରିକମ ଦାସ, ଶାନ୍ତି ସ୍ଥାପନ ପାଇଁ ବିଶେଷ ଉଦ୍ୟମ କଲେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଦ୍ରୋହୀ ନେତୃବୃନ୍ଦଙ୍କୁ ବିନା ସର୍ତ୍ତରେ ଆତ୍ମ ସମର୍ପଣ ପାଇଁ ପରାମର୍ଶ ଦେଲେ । ସେମାନଙ୍କ ଦାବୀ ପୂରଣ ପାଇଁ କଂଗ୍ରେସ ଯଥାସାଧ୍ୟ ଉଦ୍ୟମ କରିବ ବୋଲି ପ୍ରତିଶ୍ରୁତି ଦେଲେ । ମିଃ ଜିନ୍ନାମଧ୍ୟ ଶାନ୍ତି ସ୍ଥାପନ ପାଇଁ ନିବେଦନ ଜଣାଇଲେ । ଅବଶେଷରେ ୨୨ ତାରିଖ ରାତ୍ରରେ କେନ୍ଦ୍ରୀୟ ଧର୍ମଘଟ କମିଟିର ଯେଉଁ ବୈଠକ ବସିଲା, ତହିଁରେ ବିନାସର୍ତ୍ତରେ ଆତ୍ମସମର୍ପଣ ପାଇଁ ସ୍ଥିର କରାଗଲା । ସମସ୍ତ ନୌ ଘାଟୀର ବିଦ୍ରୋହୀମାନେ ଏକ ସଙ୍ଗରେ ଆତ୍ମସମର୍ପଣ କଲେ ।

 

୧୯୪୫ ମସିହା ଶୀତକାଳରେ ବିଲାତର କେତେଜଣ ପାର୍ଲାମେଣ୍ଟ ସଦସ୍ୟ ରାଜନୀତି ସମ୍ୱନ୍ଧରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ ପାଇଁ ଆମଦେଶକୁ ଆସିଥିଲେ । ସେମାନେ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିବା ପରେ ୧୯୪୬ ମସିହା ଫେବୃୟାରୀ ୧୯ ତାରିଖରେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଘୋଷଣା କଲେ ଯେ ଭାରତ ସଚୀବ ଲର୍ଡ ପେଥିକ ଲରେନ୍‌ସ, ବାଣିଜ୍ୟ ସଚୀବ ସାର୍‌ ଷ୍ଟାଫୋର୍ଡ କ୍ରିପସ ଏବଂ ନୌ ସଚିବ ମିଃ ଏ. ଭି. ଆଲେକଜାଣ୍ଡର ଭାରତକୁ ଯାଇ ଲର୍ଡ ଓ୍ୟାଭାଲଙ୍କ ସହଯୋଗିତାରେ ଭାରତର ନୂତନ ଶାସନ ତନ୍ତ୍ର ପ୍ରଣୟନ ସମ୍ୱନ୍ଧରେ ଭାରତୀୟ ନେତାମାନଙ୍କ ସହିତ ଆଲୋଚନା କରିବେ । ପୁଣି କେତେଦିନ ପରେ ପ୍ରଧାନମନ୍ତ୍ରୀ ମିଃ ଅଟଲୀ କହିଲେ ଯେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଆଉ ସଂଖ୍ୟା ଗୁରୁ ସମ୍ପ୍ରଦାୟ ଗୁଡ଼ିକର ଅଗ୍ରଗତି ରୋଧ କରିବାକୁ ଦିଆଯିବ ନାହିଁ । ଏହା ଫଳରେ ଅନେକ ମନେକଲେ ଯେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଆଉ ମୁସଲିମ ଲିଗ୍‌ର ଅଯୌକ୍ତିକ ଦାବୀ ସମର୍ଥନ କରିବେ ନାହିଁ ।

 

ମନ୍ତ୍ରୀ ତ୍ରୟ ୧୯୪୬ ମସିହା ମାର୍ଚ୍ଚ ୨୩ ତାରିଖରେ କରାଚୀରେ ଆସି ପହଞ୍ଚିଲେ । ଏ ମଧ୍ୟରେ ଅପ୍ରେଲ ମାସରେ ସେମାନେ ବିଭିନ୍ନ ଦଳ ନେତାମାନଙ୍କ ସହିତ ଆଲୋଚନା କଲେ । ମଇ ମାସରେ ସିମଳାରେ କଂଗ୍ରେସ ଓ ଲିଗ୍‌ ପ୍ରତିନିଧି ମାନଙ୍କର ବୈଠକ ବସିଲା । ମିଃ ଜିନ୍ନା କୌଣସିମତେ ପାକିସ୍ଥାନ ଦାବୀ ପରିତ୍ୟାଗ କଲେ ନାହିଁ । ମଇ ୧୬ ତାରିଖରେ ମନ୍ତ୍ରୀ ମିଶନର ସିଦ୍ଧାନ୍ତ ପ୍ରକାଶିତ ହେଲା । ଏଥିରେ ପାକିସ୍ଥାନ ଦାବୀ ଅଯୌକ୍ତିକ ଓ ଭାରତର ସ୍ୱାର୍ଥହାନୀ ବୋଲି ତାହା ପରିତ୍ୟକ୍ତ ହେଲା । ମାତ୍ର ମୁସଲମାନ ପ୍ରଧାନ ପ୍ରଦେଶ ଗୁଡ଼ିକରେ ସମ୍ପୂର୍ଣ୍ଣ ରୂପେ ମୁସଲମାନ କର୍ତ୍ତୃତ୍ୱ ପ୍ରତିଷ୍ଠାର ବ୍ୟବସ୍ଥା କରାଗଲା । କେନ୍ଦ୍ରୀୟ ଗଭର୍ଣ୍ଣମେଣ୍ଟଙ୍କ କ୍ଷମତା ସୀମାବଦ୍ଧ କରାଗଲା । ପ୍ରାଦେଶିକ ଗଭର୍ଣ୍ଣମେଣ୍ଟ ଗୁଡ଼ିକୁ ପ୍ରାୟ ସ୍ୱତନ୍ତ୍ର ଓ ସର୍ବଶକ୍ତିମାନ କରାଗଲା । ନୂତନ ଶାସନ ତନ୍ତ୍ର ପ୍ରଣୟନ ପାଇଁ ଗଣପରିଷଦ ପ୍ରତିଷ୍ଠାର ବ୍ୟବସ୍ଥା କରାଗଲା । ଗଣ ପରିଷଦର ସଭ୍ୟମାନେ ପ୍ରାଦେଶିକ ଆଇନ ସଭାର ସଭ୍ୟମାନଙ୍କ ଦ୍ୱାରା ସାମ୍ପ୍ରଦାୟିକ ଭିତ୍ତିରେ ନିର୍ବାଚିତ ହେବାର ମଧ୍ୟ ବ୍ୟବସ୍ଥା ରହିଲା । ବ୍ରିଟିଶ ଶାସନର ଅବସାନ ସଙ୍ଗେ ସଙ୍ଗେ ଭାରତୀୟ ରାଜ୍ୟଗୁଡ଼ିକ ସ୍ୱାଧୀନ ହେବେ ଏବଂ ଯୁକ୍ତରାଷ୍ଟ୍ରରେ ଯୋଗଦାନ ଓ ପ୍ରତିନିଧି ପ୍ରେରଣ କରିପାରିବାର ବ୍ୟବସ୍ଥା ରହିଲା । ନୂତନ ଶାସନ ତନ୍ତ୍ର ପ୍ରଣୟନ ପୂର୍ବରୁ ବଡ଼ଲାଟଙ୍କ ଶାସନ ପରିଷଦରେ ଭାରତୀୟ ନେତାମାନଙ୍କୁ ଗ୍ରହଣ କରିବାକୁ ସ୍ଥିର କରାଗଲା ।

 

କଂଗ୍ରେସ ଓ ଲିଗ୍‌ ମନ୍ତ୍ରୀ ମିଶନର ପରିକଳ୍ପନା ଗ୍ରହଣ କରିନେଲେ । ୧୯୪୬ ମସିହା ଅପ୍ରେଲମାସରେ ରାଜ୍ୟଗୁଡ଼ିକରେ ଯେଉଁ ନିର୍ବାଚନ ହେଲା, ତହିଁରେ ୮ ଟି ପ୍ରଦେଶରେ କଂଗ୍ରେସ ମନ୍ତ୍ରୀସଭା ଗଠନ କଲା । ମଧ୍ୟପ୍ରଦେଶରେ ପଣ୍ଡିତ ଶୁକ୍ଳ, ମାନ୍ଦ୍ରାଜରେ ଶ୍ରୀଯୁକ୍ତ ରେଡ଼ିୟାର, ସୀମାନ୍ତ ପ୍ରଦେଶରେ ଡକ୍ଟର ଖାଁ ସାହେବ, ଯୁକ୍ତ ପ୍ରଦେଶରେ ପଣ୍ଡିତ ପନ୍ଥ, ବଙ୍ଗଳାରେ ଡକ୍ଟର ପ୍ରଫୁଲ୍ଲ ଘୋଷ, ବମ୍ୱେରେ ଶ୍ରୀଯୁକ୍ତ ଖେର, ଆସାମରେ ଶ୍ରୀଯୁକ୍ତ ବରଦଲ, ଓଡ଼ିଶାରେ ଶ୍ରୀଯୁକ୍ତ ମହତାବ ଓ ବିହାରରେ ଶ୍ରୀଯୁକ୍ତ ଶ୍ରୀକୃଷ୍ଣ ସିଂହ ପ୍ରଧାନମନ୍ତ୍ରୀ ହେଲେ ।

 

୧୯୪୬ ମସିହା ଜୁଲାଇ ମାସରେ ଗଣପରିଷଦର ସଭ୍ୟ ନିର୍ବାଚନ ଶେଷହେଲା । ମୋଟ ୨୯୬ ଟି ଆସନ ମଧ୍ୟରୁ କଂଗ୍ରେସ ୨୧୧ ଓ ମୁସଲିମ ଲିଗ୍‌ ୭୩ଟି ସ୍ଥାନ ଲାଭକଲା । ଗଣପରିଷଦରେ କଂଗ୍ରେସର କର୍ତ୍ତୃତ୍ୱ କ୍ଷୁର୍ଣ୍ଣ କରିବା ଅସମ୍ଭବ ଜାଣି ମିଃ ଜିନ୍ନାଙ୍କ ପରାମର୍ଶରେ ଲିଗ୍‌ କାଉନସିଲ ୧୯୪୬ ମସିହା ଜୁଲାଇ ୨୯ ତାରିଖରେ ମନ୍ତ୍ରୀ ମିଶନର ପରିକଳ୍ପନା ପରିତ୍ୟାଗ କଲେ । ଲିଗ୍‌ ଘୋଷଣା କଲା ଯେ ପାକିସ୍ଥାନ ପ୍ରତିଷ୍ଠା ପାଇଁ ପ୍ରତ୍ୟକ୍ଷ ସଂଗ୍ରାମ କରାଯିବ । ଏହାପରେ ଅଗଷ୍ଟ ୧୬ ତାରିଖରେ କଲିକତାରେ ପ୍ରତ୍ୟକ୍ଷ ସଂଗ୍ରାମ ମଧ୍ୟ ଆରମ୍ଭ ହୋଇଗଲା । ସହସ୍ର ସହସ୍ର ନରନାରୀ ହତାହତ ହେଲେ । କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଲୁଣ୍ଠିତ ହେଲା । ଅକ୍ଟୋବର ମାସରେ ନୂଆଖାଲୀରେ ଓ ତ୍ରିପୁରାରେ ହିନ୍ଦୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଗଲା । ବିହାର ଓ ଯୁକ୍ତ ପ୍ରଦେଶର ହିନ୍ଦୁମାନେ ଏହାର ପ୍ରତିଶୋଧ ନେଲେ ।

 

ପଣ୍ଡିତ ନେହେରୁ ୧୯୪୬ ମସିହା ସେପ୍ଟେମ୍ବର ୨ ତାରିଖରେ ମଧ୍ୟବର୍ତ୍ତୀ ସରକାର ଗଠନ କଲେ । ନେହେରୁଙ୍କ ଅନୁରୋଧ ସତ୍ତ୍ୱେ ମିଃ ଜିନ୍ନା ତହିଁରେ ଯୋଗ ଦେଲେନାହିଁ । ମାତ୍ର ଜିନ୍ନା ବଡ଼ଲାଟଙ୍କ ସହିତ ଗୋପନ ଆଲୋଚନା କରିବା ପରେ ଅକ୍ଟୋବର ୨୬ ତାରିଖରେ ତାଙ୍କର ପାଞ୍ଚ ଜଣ ସଦସ୍ୟ ସରକାରରେ ଯୋଗଦାନ କଲେ ।

 

ଗଣପରିଷଦ ବା ପାର୍ଲାମେଣ୍ଟର ପ୍ରଥମ ଅଧିବେଶନ ଡିସେମ୍ୱର ୯ ତାରିଖରେ ବସିବାର ସ୍ଥିର କରାଗଲା । ମାତ୍ର ଲିଗ୍‌ ଏଥିରେ ସହଯୋଗ କରିବାକୁ ସମ୍ମତ ନ ହେବାରୁ ମିଃ ଅଟଲୀ ଆଲୋଚନାପାଇଁ ଭାରତୀୟ ନେତାମାନଙ୍କୁ ଲଣ୍ଡନକୁ ଆହ୍ୱାନ କଲେ । କଂଗ୍ରେସ, ଲିଗ୍‌ ଓ ଅକାଳି ଦଳର ନେତାମାନେ ବଡ଼ଲାଟଙ୍କ ସହ ଲଣ୍ଡନ ଗଲେ । ମାତ୍ର କୌଣସି ମୀମାଂସା ହୋଇ ପାରିଲା ନାହିଁ । ୧୯୪୬ ମସିହା ଡିସେମ୍ୱର ୬ ତାରିଖରେ ମିଃ ଅଟଲୀ ମନ୍ତ୍ରୀ ମିଶନର କରିକଳ୍ପନା ସମ୍ପର୍କରେ ଲିଗ୍‌ର ବ୍ୟାଖ୍ୟା ସମର୍ଥନ କରି ଏକ ବକ୍ତୃତା ଦେଲେ । କଂଗ୍ରେସ ଏହାକୁ ସମର୍ଥନ କଲେ ମଧ୍ୟ ଲିଗ୍‌ ଗ୍ରହଣ କଲାନାହିଁ । ମାତ୍ର ନିର୍ଦ୍ଦିଷ୍ଟ ଦିବସରେ ପାର୍ଲାମେଣ୍ଟ ବସିଲା । ପୁଣି ୧୯୪୭ ମସିହା ଜାନୁୟାରୀ ମାସରେ ଏହାର ୨ୟ ଅଧିବେଶନ ବସିଲା । ଏଥିରେ ଘୋଷଣା କରାଗଲା ଯେ ଭାରତରେ ସ୍ୱାଧୀନ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବା ପରିଷଦର ଲକ୍ଷ୍ୟ ।

 

୧୯୪୭ ମସିହା ଫେବୃୟାରୀ ୨୦ ତାରିଖରେ ମିଃ ଅଟଲୀ ଆଉ ଗୋଟିଏ ଘୋଷଣା ପ୍ରଚାର କଲେ । ଏଥିରେ ସେ କହିଲେ ଯେ ୧୯୪୮ ମସିହା ଜୁନ ମାସ ମଧ୍ୟରେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଭାରତ ଶାସନର ସମସ୍ତ ଅଧିକାର ଓ ଦାୟିତ୍ୱ ପରିତ୍ୟାଗ କରିବେ । ଯଦି ଲିଗ୍‌ ଗଣପରିଷଦରେ ଯୋଗଦାନ ନ କରେ, ତେବେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ କାହା ହସ୍ତରେ କ୍ଷମତା ଅର୍ପଣ କରିବେ ତାହା ପରେ ସ୍ଥିର କରାଯିବ । ଏହି ଘୋଷଣା ଫଳରେ ମନ୍ତ୍ରୀ ମିଶନର ପରିକଳ୍ପନା କାର୍ଯ୍ୟତଃ ପରିତ୍ୟକ୍ତ ହେଲା । ଭାରତର ଐକ୍ୟ ରକ୍ଷାର ସଙ୍କଳ୍ପ ପରିତ୍ୟାଗ କରି ବ୍ରିଟିଶ ଗଭର୍ଣ୍ଣମେଣ୍ଟ ପାକିସ୍ଥାନ ଦାବୀକୁ ମାନି ନେବାପାଇଁ ପ୍ରସ୍ତୁତ ହେଲେ । ଏଥିରେ ଉତ୍ସାହିତ ହୋଇ ଲିଗ୍‌ ସମର୍ଥକମାନେ ପୁଣି ବଙ୍ଗଳା, ଆସାମ, ପଞ୍ଜାବ ଓ ସୀମାନ୍ତ ପ୍ରଦେଶରେ ପ୍ରତ୍ୟକ୍ଷ ସଂଗ୍ରାମ ଆରମ୍ଭ କରିଦେଲେ । ପଞ୍ଜାବର ବହୁ ସହସ୍ର ନରନାରୀ ନିହତ ହେଲେ । ଫଳରେ ବଙ୍ଗଳାର ହିନ୍ଦୁ ଏବଂ ପଞ୍ଜାବର ହିନ୍ଦୁ ଓ ଶିଖମାନେ ପ୍ରଦେଶ ବିଭାଗ ପ୍ରସ୍ତାବ ଉତ୍‌ଥାପନ କଲେ ।

 

ମିଃ ଅଟଲୀଙ୍କ ଘୋଷଣାରେ କୁହାଯାଇଥିଲା ଯେ ଲର୍ଡ ଓ୍ୟାଭେଲ ବଡ଼ଲାଟ ପଦ ପରିତ୍ୟାଗ କରିବେ ଏବଂ ଲର୍ଡ ଲୁଇ ମାଉଣ୍ଟବାଟେନ ତାଙ୍କର ସ୍ଥଳାଭିଷିକ୍ତ ହେବେ । ତଦନୁସାରେ ମାର୍ଚ୍ଚମାସ ଶେଷ ଭାଗରେ ଲର୍ଡ ମାଉଣ୍ଟବାଟେନ କାର୍ଯ୍ୟଭାର ଗ୍ରହଣ କଲେ । ଦୁଇମାସ ଅବସ୍ଥା ପର୍ଯ୍ୟବେକ୍ଷଣ କରି ସେ ଜୁନମାସ ୩ ତାରିଖରେ ନିଜର ପରିକଳ୍ପନା ପ୍ରକାଶ କଲେ । ଏହି ପରିକଳ୍ପନାରେ ପାକିସ୍ଥାନର ଦାବୀ ସ୍ୱୀକୃତ ହେଲା, କିନ୍ତୁ ହିନ୍ଦୁମାନଙ୍କ ସ୍ୱାର୍ଥରକ୍ଷାପାଇଁ ବଙ୍ଗଳା ଓ ପଞ୍ଜାବ ବିଭାଗ କରାଗଲା । ଆସାମର ଶ୍ରୀହଟ ଓ ସୀମାନ୍ତ ପ୍ରଦେଶରେ କଂଗ୍ରେସ ମନ୍ତ୍ରୀସଭା ଥିବାରୁ ସେଠାରେ ଗଣଭୋଟ ଗ୍ରହଣ କରିବା ସ୍ଥିର କରାଗଲା । କଂଗ୍ରେସ ଓ ଲିଗ୍‌ ଏହି ପରିକଳ୍ପନା ଗ୍ରହଣ କରିନେଲେ । ଗଣଭୋଟ ଫଳରେ ଶ୍ରୀହଟ ପାକିସ୍ଥାନର ଅନ୍ତର୍ଭୁକ୍ତ ହେଲା । ସୀମାନ୍ତ ପ୍ରଦେଶ ମଧ୍ୟ ପାକିସ୍ଥାନ ଲାଭ କଲା ।

 

ଜୁଲାଇ ମାସରେ ବ୍ରିଟିଶ ପାର୍ଲାମେଣ୍ଟ ଦ୍ୱାରା ଭାରତ ସ୍ୱାଧୀନତା ଆଇନ ବିଧିବଦ୍ଧ ହେଲା । ଏହି ଆଇନ ଅନୁସାରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତରୁ ବ୍ରିଟିଶ ଶାସନର ଅବସାନ ଘଟିଲା । ଇଂଲଣ୍ଡର ରାଜା ଭାରତର ରାଜା ରହିଲେ । ମାତ୍ର ବ୍ରିଟିଶ ପାର୍ଲାମେଣ୍ଟ ବା ମନ୍ତ୍ରୀ ସଭାର ଭାରତ ଉପରେ କୌଣସି ଅଧିକାର ରହିଲା ନାହିଁ । ଭାରତବର୍ଷ ଦୁଇଟି ସ୍ୱତନ୍ତ୍ର ରାଜ୍ୟରେ ପରିଣତ ହେଲା । ଏ ଦୁଇଟିର ନାମ ରହିଲା ଭାରତବର୍ଷ ଓ ପାକିସ୍ଥାନ । ଲର୍ଡ ମାଉଣ୍ଟବାଟେନ ଭାରତର ଓ ମିଃ ଜିନ୍ନା ପାକିସ୍ଥାନରେ ବଡ଼ଲାଟ ହେଲେ ।

 

୧୯୪୭ ମସିହା ଅଗଷ୍ଟମାସ ୧୪ ତାରିଖ ମଧ୍ୟ ରାତ୍ରରେ ବ୍ରିଟିଶ ସରକାର ଭାରତୀୟଙ୍କ ହସ୍ତରେ କ୍ଷମତା ଅର୍ପଣ କଲେ । ଭାରତ ସ୍ୱାଧୀନ ହେଲା ସତ, ମାତ୍ର ତାହାର ଅଙ୍ଗଚ୍ଛେଦ କରାଗଲା । ଗୋଟିଏ ଅଙ୍ଗ ଭାରତ ଓ ଅନ୍ୟଟି ପାକିସ୍ଥାନ ।

 

ସରକାରୀ ଘୋଷଣା ଅନୁସାରେ ଦେଶ ସ୍ୱାଧୀନ ହେଲା । ମାତ୍ର ଦେଶର ସମସ୍ତ ପ୍ରଜା ସ୍ୱାଧୀନତା ଲାଭ କରିପାରିଲେ ନାହିଁ । କାରଣ ସ୍ୱାଧୀନ ଭାରତ ଅଙ୍ଗରେ କେତୋଟି କ୍ଷତ ରହିଗଲା । ଯାହାର ଆୟତନ ଅବିଚ୍ଛେଦ୍ୟ ଭାରତର ଶତକଡ଼ା ୪୫ ଭାଗ । ଏ ଗୁଡ଼ିକ ବ୍ରିଟିଶ ଭାଷାରେ ଭାରତୀୟ ଭାରତ ବା ଦେଶୀୟ ରାଜ୍ୟ । କେଉଁ ରାଜା ଅନୁଗ୍ରହ ପ୍ରାର୍ଥୀ ପଣ୍ଡିତ କହିଥିଲେ–

 

‘ମହତି ଦେବତା ହ୍ରୈଷା ନର ରୂପେଣ ତିଷ୍ଠତି ।’

 

ଅର୍ଥାତ୍‌ ରାଜାମାନେ ନରରୂପୀ ବିଷ୍ଣୁ । ରାଜାମାନେ ଏହାର ବ୍ୟାପକ ପ୍ରଚାର କରାଇ ପ୍ରଜାମାନଙ୍କ ରକ୍ତରେ ମିଶାଇ ଦେଲେ । ଫଳରେ ଧର୍ମ ଭୀରୁ ପ୍ରଜାମାନେ ରାଜାଙ୍କୁ ବିଷ୍ଣୁ ରୂପରେ ଦେଖିଲେ । ସେମାନଙ୍କ ସକଳ ନିର୍ଯ୍ୟାତନା ଓ ଅତ୍ୟାଚାର ମୁଣ୍ଡପାତି ସହିନେଲେ ଓ ଏହା ବିଷ୍ଣୁଙ୍କ ଦାନ ବୋଲି ମନେକଲେ । ଏମାନଙ୍କ ମଧ୍ୟରେ ଅବଶ୍ୟ କେତେକ ରାଜା କୂପ, ପୁଷ୍କରିଣୀ ଖନନ, ଜଳାଶୟ ନିର୍ମାଣ, ରାସ୍ତା ନିର୍ମାଣ, ବୃକ୍ଷରୋପଣ ଓ ବିଭିନ୍ନ ଧର୍ମ କାର୍ଯ୍ୟରେ ଯେ ଅର୍ଥ ବ୍ୟୟ ନ କରିଛନ୍ତି ତାହା ନୁହେଁ, ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିକାର କରିବା, ସୁରା, ସାକି, ସଙ୍ଗୀତରେ ଦିନ ବିତାଇବା ଓ ଦରିଦ୍ର ପ୍ରଜାଙ୍କର ସର୍ବସ୍ୱ ଲୁଣ୍ଠନ କରି ମେଦ ବୃଦ୍ଧି କରାଇବାରେ ଲାଗିଲେ । ଏମାନେ ଥିଲେ ନିଜ ରାଜ୍ୟରେ ଦଣ୍ଡ ମୁଣ୍ଡର କର୍ତ୍ତା । ତେଣୁ ସେମାନଙ୍କ ବିରୋଧରେ ପ୍ରକାଶ୍ୟରେ ଦୂରେଥାଉ, ମନ ମଧ୍ୟରେ ଦ୍ରୋହ କଲେ ରାଜଦଣ୍ଡରେ ଦଣ୍ଡିତ ହେବାରୁ ପଡ଼ୁଥିଲା । ୧୮୫୭ ମସିହାର ପ୍ରଥମ ସ୍ୱାଧୀନତା ଯୁଦ୍ଧ ବେଳକୁ ଏଭଳି ରାଜାଙ୍କ ସଂଖ୍ୟା ଭାରତରେ ୫୬୫ଟି ଥିଲା; ଏ ରାଜାମାନେ ପ୍ରଜାମାନଙ୍କଠାରୁ କିପରି କର ଆଦାୟ କରୁଥିଲେ, ତାହା ନିମ୍ନଲିଖିତ ହିସାବରୁ ଜଣାପଡ଼େ ।

 

ତ୍ରିବାଙ୍କୁଡ଼ର ମହାରାଜା ନିଜ ବିଳାସ ବ୍ୟସନ ପାଇଁ ରାଜସ୍ୱର ପ୍ରତି ଟ ୧୭ ର ଟ ୧ ଙ୍କା ଗ୍ରହଣ କରୁଥିଲେ । ସେହିପରି ବରୋଦା ଓ ନିଜାମ ଟ ୧୩ରେ ୧ଟଙ୍କା, କାଶ୍ମୀରର ମହାରାଜା ଟ ୫ ରେ ଟ ୧ ଙ୍କା ମଧ୍ୟ ନେଉଥିଲେ । ଏମାନେ ନିଜର ଶାସନ ବଜାୟ ରଖିବା ଓ ରାଜ୍ୟରୁ କର ଆଦାୟପାଇଁ ନବାବ, ତାଲୁକଦାର, ଜାୟଗିରିଦର ଓ ଜମିଦାର ପ୍ରଭୃତିର ସୃଷ୍ଟି କରିଥିଲେ ଓ ନିଜେ ବିଳାସ ବ୍ୟସନରେ ସମୟ ଅତିବାହିତ କରୁଥିଲେ । ସିପାହୀଯୁଦ୍ଧ ବେଳକୁ ଏମାନଙ୍କ ମଧ୍ୟରୁ କେତେକ ତହିଁରେ ନେତୃତ୍ୱ ନେଇଥିଲେ ମଧ୍ୟ ଅଧିକାଂଶ ନରପତି ସୈନ୍ୟ, ଅର୍ଥ ଓ ଅସ୍ତ୍ର ସାହାଯ୍ୟ ଦେଇ ବ୍ରିଟିଶ ସରକାରଙ୍କୁ ସାହାଯ୍ୟ କରିଥିଲେ । ନିଜର ସ୍ଥିତି ରଖିବାପାଇଁ ଏ ରାଜାମାନେ ଭାରତ ଶରୀରରେ ଏଭଳି ଦୁଷ୍ଟ ବ୍ରଣ ରୂପେ ଥିଲେ ଯେ ତାହା ନିରାମୟ କରିବା ସହଜ ସାଧ୍ୟ ନ ଥିଲା । ବୋଧହୁଏ ଏସବୁ ଲକ୍ଷ୍ୟ କରି ପ୍ରଥମ ଭାରତୀୟ ସଂଗ୍ରାମ ପୂର୍ବରୁ ୧୮୫୩ ମସିହାରେ ମନୀଷି କାର୍ଲ ମାର୍କସ କହିଥିଲେ–

 

The Native Princes are the strong hold of the present abominable Engilsh system and the greatest obstacle to Indian progress.

 

ଇଷ୍ଟଇଣ୍ଡିଆ କମ୍ପାନୀର ରାଜ୍ୟ ସ୍ୱତ୍ଵ ଲୋପ ନୀତି ଫଳରେ ଭାରତର ବହୁ ରାଜ୍ୟ କମ୍ପାନୀ ରାଜ୍ୟର ପରିସରଭୁକ୍ତ ହେଲେ ମଧ୍ୟ ଶାସନ କାର୍ଯ୍ୟର ସୁପରିଚାଳନା ପାଇଁ ସରକାର କେତୋଟି କରଦ ବା ସାମନ୍ତ ରାଜପଦ ସୃଷ୍ଟିକଲେ । ଏ ସମ୍ପର୍କରେ ଲର୍ଡ କ୍ୟାନିଂ ସିପାହୀ ଯୁଦ୍ଧର ଅନୁଭୂତି ଉପରେ ୧୮୬୦ ମସିହା ଅପ୍ରେଲ ୩୦ ତାରିଖରେ ଲେଖିଥିଲେ– ‘‘ଆମେ ଭାରତବର୍ଷକୁ କେତୋଟି ଜିଲାରେ ବିଭକ୍ତ କରିଥିଲେ, ଆମର ସାମ୍ରାଜ୍ୟ ୫୦ ବର୍ଷ ମଧ୍ୟ ତିଷ୍ଠି ପାରିନଥାନ୍ତା । ଆମେ ରାଜନୈତିକ କ୍ଷମତା ନ ଥିବା ଓ ଆମ ସାମ୍ରାଜ୍ୟର ହତିଆର ରୂପେ ବ୍ୟବହାର କରିବା ପାଇଁ କେତୋଟି ଦେଶୀୟ ରାଜ୍ୟ ସୃଷ୍ଟି କରିବାରୁ ଆମର ନୌଶକ୍ତି ଯେ ପର୍ଯ୍ୟନ୍ତ ଥିବ ସେପର୍ଯ୍ୟନ୍ତ ଆମେ ଭାରତରେ ତିଷ୍ଠିପାରିବା ।’’

 

ସିପାହୀ ଯୁଦ୍ଧ ପରେ ପରେ ବ୍ରିଟିଶ ସରକାର ଭାରତର ସଂହତି ନଷ୍ଟ ଉଦ୍ଦେଶ୍ୟରେ ଜନସାଧାରଣ ଓ ତାଙ୍କ ମଧ୍ୟରେ ପ୍ରାଚୀର ସ୍ୱରୂପ ଏହି ରାଜନ୍ୟବର୍ଗଙ୍କୁ ରଖିଲେ । ସେମାନଙ୍କ ସହିତ ଗୋଟିଏ ନୂତନ ଚୁକ୍ତି ସମ୍ପାଦିତ ହେଲା । ତା ଫଳରେ ରାଜାମାନେ ସ୍ୱାଧୀନ ହେଲେ । ଏହାକୁ ପାରାମାଉଣ୍ଟେସି ବା ସାର୍ବଭୌମତ୍ୱ କୁହାଗଲା । ଚୁକ୍ତିରେ ସର୍ତ୍ତ ରହିଲା– ରାଜାମାନେ ରାଜ୍ୟ ଶାସନ କରିବେ । ପ୍ରଜାମାନଙ୍କଠାରୁ କର ଆଦାୟ କରିବେ । ସେମାନଙ୍କୁ ଦଣ୍ଡ ବା ପୁରସ୍କାର ଦେବେ । ମାତ୍ର ବ୍ରିଟିଶ ସରକାରଙ୍କ ବିନାନୁମତିରେ କାହା ସହିତ ଯୁଦ୍ଧ ବା ସନ୍ଧି କରିପାରିବେ ନାହିଁ-। ଏହା ବ୍ୟତୀତ ସରକାରଙ୍କୁ ସୈନ୍ୟ ଦେବେ ଓ ପ୍ରତିରକ୍ଷା ପାଇଁ ଅର୍ଥ ଦେବେ । ସରକାରଙ୍କର ଆବଶ୍ୟକ ପଡ଼ିଲେ ରାଜ୍ୟରେ ରେଳରାସ୍ତା, ବିମାନ ଘାଟୀ ବା ସଡ଼କ କରାଯାଇ ପାରିବ । ଏଥିରେ ସେମାନେ ବାଧା ଦେଇପାରିବେ ନାହିଁ । ଏହା ବଦଳରେ ସରକାର ସେମାନଙ୍କର ରାଜ୍ୟରକ୍ଷାର ଦାୟିତ୍ୱ ନେବେ । ସେମାନେ ନିଜର ବ୍ୟବହାର ପାଇଁ କେତେ ପରିମାଣରେ ଅସ୍ତ୍ର ଶସ୍ତ୍ର ରଖିପାରିବେ, ତାହା ପାଇଁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ ।

 

ଫଳରେ ଏହି ସାର୍ବଭୌମ ଶକ୍ତି ସମ୍ପନ୍ନ ସାମନ୍ତ ଓ କରଦ ରାଜାମାନେ ନିଜର ନିଶ ଚର୍ଚ୍ଚା, ଶିକାର, ସୁରା ସାକି, ସଙ୍ଗୀତରେ ଦିନ ବିତାଇ ମେଦବୃଦ୍ଧି କରିବାରେ ଲାଗିଲେ । ଅବଶ୍ୟ କେତେକ ଯେ ସାହିତ୍ୟ, ସଂସ୍କୃତିରେ ଓ ଧର୍ମ ଚର୍ଚ୍ଚାରେ ମନ ନ ବଳାଇଛନ୍ତି ତାହା ନୁହେଁ; ମାତ୍ର ସେମାନଙ୍କ ସଂଖ୍ୟା ନଗଣ୍ୟ । ଯାହ ହେଉ ନିଜର ବିଳାସ ବ୍ୟସନ ପାଇଁ ଏହି ରାଜାମାନଙ୍କର ଯେଉଁ ଅର୍ଥ ଆବଶ୍ୟକ ପଡ଼ିଲା, ତାର ପୂରଣ ପାଇଁ ପ୍ରଜାପୀଡ଼ନ ଆରମ୍ଭ ହୋଇଗଲା ।

 

କରପୀଡ଼ାରେ ଉତ୍ପୀଡ଼ିତ ହୋଇ ୧୯୦୮ ମସିହାରେ ତ୍ରିବାଙ୍କୁଡ଼ର ରାଜାଙ୍କ ବିରୋଧରେ ପ୍ରଥମେ ପ୍ରଜାମାନେ ବିଦ୍ରୋହ କଲେ । ବ୍ରିଟିଶ ସରକାରଙ୍କ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗରେ ଏହି ରାଜବଂଶର ଶ୍ରୀବୃଦ୍ଧି । କୃଷକମାନେ ଭେଲୁଥାମ୍ପିଙ୍କ ନେତୃତ୍ୱରେ ସଶସ୍ତ୍ର ବିଦ୍ରୋହ କରି ରାଜପ୍ରାସାଦ ଦଖଲ କରିନେଲେ । ଅବଶ୍ୟ ବେଶୀଦିନ ଏହା ସ୍ଥାୟୀ ହେଲା ନାହିଁ । ବିଦ୍ରୋହ ଦମିତ ହେଲା ଓ ଭେଲୁ ଥାମ୍ପି ବିଚାରରେ ମୃତ୍ୟୁ ବରଣ କଲେ ।

 

୧୯୨୦ ମସିହାରେ ତ୍ରିବାଙ୍କୁଡ଼ରେ ପୁଣିଥରେ ଛାତ୍ର ଆନ୍ଦୋଳନ ଆରମ୍ଭ ହେଲା । ସାର୍‌ ପି. ସି ରାମସ୍ୱାମୀ ଆୟାର ସେତେବେଳେ ଦେବାନ । ଲାଠି ଓ ଗୁଳି ଚାଳନା କରାଯାଇ ବିଦ୍ରୋହ ଦମନର ଉଦ୍ୟମ ହେଲା । ମାତ୍ର ବିଦ୍ରୋହ ଦବିଲା ନାହିଁ । ତିନିମାସ ପରେ ସରକାର ସମସ୍ତ ଅପରାଧିଙ୍କୁ କ୍ଷମା ଦେବାକୁ ପ୍ରତିଶ୍ରୁତି ଦେଲେ । ଦାୟିତ୍ୱଶୀଳ ସରକାର ଗଠନ ପାଇଁ ମହାତ୍ମାଗାନ୍ଧୀ ହସ୍ତକ୍ଷେପ କଲେ । ଦେବାନଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଗଲା । ମାତ୍ର ତା ପରବର୍ତ୍ତେ ବର୍ବର ଦମନ ନୀତି ଆରମ୍ଭ ହୋଇଗଲା । ଦୁଇଜଣ ଫାଶୀ ପାଇଲେ । ଶହ ଶହ ବ୍ୟକ୍ତି ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ । ବହୁ ସଂଗ୍ରାମୀଙ୍କର ସମ୍ପତ୍ତି ବାଜ୍ୟାପ୍ତି କରାଗଲା ।

 

୧୯୨୦ ମସିହା ବେଳକୁ ଭାରତରୁ ଉଦାରନୀତିକ ରାଜନୈତିକ ଯୁଗର ସମାପ୍ତି ହୋଇ ସାରିଥିଲା । ମହାତ୍ମାଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ପୂର୍ଣ୍ଣ ସ୍ୱରାଜ୍ୟ ଯୁଗ ଆରମ୍ଭ ହେଲା । କଲିକତା କଂଗ୍ରେସରେ ଅସହଯୋଗ ପ୍ରସ୍ତାବ ଗୃହୀତ ହେବା ପରେ ଇଂଲଣ୍ଡ ଯୁବରାଜଙ୍କ ଭାରତ ଆଗମନରେ ଅସହଯୋଗ କରି ୩୦ ହଜାର ବ୍ୟକ୍ତି କରାବରଣ କଲେ । ଦେଶୀୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଲା ।

 

ମଣ୍ଟେଗୁ ଚେମସଫୋର୍ଡ ଶାସନ ସଂସ୍କାର ବେଳେ ଦେଶୀୟ ରାଜାମାନଙ୍କୁ ଯେଉଁ ପାରାମାଉଣ୍ଟେସି ବା ସାର୍ବଭୌମତ୍ୱ ଅଧିକାର ଦିଆଯାଇଥିଲା, ତା’ ଫଳରେ ସେମାନେ ଗୋଷ୍ଠୀଗତ ଭାବେ ରାଜନୀତି କରିବା ପାଇଁ ‘ରାଜନ୍ୟ ମଣ୍ଡଳୀ’ ନାମରେ ଏକ ପରିଷଦ ଗଠନ କରିଥିଲେ । କାରଣ ଏହି ସମୟରେ ସେମାନେ Able to secure legal opinion in England supporting the contrary view by locating paramountcy as an incident of the Prerogative of the English crown.

 

ରାଜନ୍ୟ ପରିଷଦ ନିଜର ନିରାପତ୍ତା ବ୍ୟବସ୍ଥାପାଇଁ ସରକାରଙ୍କୁ ଜଣାଇଲେ । ସରକାର ଏ ବିଷୟରେ ଅନୁସନ୍ଧାନ ପାଇଁ ୧୯୨୭ ମସିହା ଡିସେମ୍ୱର ମାସ ୧୬ ତାରିଖରେ ଏକ କମିଟି ଗଠନ କଲେ । ଏହାର ନାମ ବଟଲାର କମିଟି । କମିଟି ପାରାମାଉଣ୍ଟେସି ଉପରେ ଆଲୋଚନା କରି ଦେଖିଲେ ଯେ ଇଂରେଜମାନେ ଭାରତ ଦଖଲ କଲାବେଳେ ମାତ୍ର ୧୮ଟି ରାଜ୍ୟର ସର୍ବଭୌମତ୍ୱ ଥିଲା । ଅବଶିଷ୍ଟ ରାଜ୍ୟ ଇଂରେଜମାନଙ୍କ ଆଶୀର୍ବାଦରୁ ଗଠିତ । ଏ ଅଠରଟି ରାଜ୍ୟ ମଧ୍ୟରେ ତ୍ରିବାଙ୍କୁଡ଼ ବ୍ୟତୀତ ବାପ୍‌ପାରାଓଙ୍କ ବଂଶଧରମାନେ ପ୍ରାଚୀନ ରାଜବଂଶ । ଗୁର୍ଜ୍ଜର, କାଲାତ ଓ କୋହ୍ଲାପୁର ପ୍ରଭୃତି କେତେକ ରାଜ୍ୟର କେବଳ ସାର୍ବଭୌମତ୍ୱ ଥିଲା । ଏଣୁ ବଟଲାର କମିଟି ପାରାମାଉଣ୍ଟେସି ଉପରେ ଗୁରୁତ୍ୱ ଦେଲେ ନାହିଁ । ମାତ୍ର ନରେନ୍ଦ୍ର ମଣ୍ଡଳୀକୁ ସ୍ୱୀକୃତି ଦେଲେ-

 

୧୯୨୯ ମସିହା ବେଳକୁ ରାଜାମାନେ ସଂଘବଦ୍ଧ ଭାବରେ ସକ୍ରୀୟ ରାଜନୀତିରେ ଯୋଗଦାନ କରିବା ବେଳକୁ ପ୍ରଜା ଆନ୍ଦୋଳନ ସ୍ୱତଃସ୍ଫୁର୍ତ୍ତ ଭାବେ ଦେଶୀୟ ରାଜ୍ୟମାନଙ୍କରେ ଦେଖାଦେଲା । ଜାତୀୟ କଂଗ୍ରେସର କେତେକ ନେତା ଦେଶୀୟ ରାଜ୍ୟରେ ପ୍ରଜା ଆନ୍ଦୋଳନକୁ ସୁସଙ୍ଗଠିତ ଭାବରେ ପରିଚାଳନା କରିବା ପାଇଁ ଉଦ୍ୟମ କଲେ । ଏହି ସମୟରେ ଷ୍ଟେଟ କଂଗ୍ରେସ ଉତ୍ପତ୍ତି ହେଲା । ଏହାପରେ ୧୯୩୦ ମସିହାରେ ଆଇନ ଅମାନ୍ୟ ଆନ୍ଦୋଳନର ତୁମୁଳ ଜୁଆର ସମଗ୍ର ଦେଶରେ ପ୍ଳାବିତ ହେଲା । ଦେଶୀୟ ରାଜ୍ୟର ପ୍ରଜାମାନେ ଏପର୍ଯ୍ୟନ୍ତ ନିଜସ୍ୱ ଅଭାବ ଅଭିଯୋଗ ଭିତ୍ତିରେ ସର୍ବଭାରତୀୟ ରାଜନୈତକ ଆନ୍ଦୋଳନରେ ଯୋଗ ଦେଇ ନଥିଲେ । ଏତେବେଳକୁ ପ୍ରତ୍ୟେକ ରାଜ୍ୟରେ ଜଣେ ଜଣେ ଇଂରେଜ ରେସିଡେଣ୍ଟ ବା ମନ୍ତ୍ରୀ ଥିବାରୁ ଗଣ ଆନ୍ଦୋଳନ କରିବାକୁ ପ୍ରଜାମାନେ ସଂଘବଦ୍ଧ ହୋଇପାରୁ ନଥିଲେ ।

 

ବ୍ରିଟିଶ ଭାରତର ଗଣଆନ୍ଦୋଳନରେ ସେମାନଙ୍କର ଚୈତନ୍ୟ ଜାଗ୍ରତ ହେଲା । ନିଜର ଦୁଃସହ ଅବସ୍ଥା ଯୋଗୁ ସେମାନେ ବ୍ରିଟିଶ ଭାରତ ସହିତ ନିଜର ଭାଗ୍ୟକୁ ଜଡ଼ିତ କରିବାପାଇଁ ଉଦ୍ୟମ କଲେ । ଫଳରେ ଦେଶୀୟ ରାଜ୍ୟମାନଙ୍କରେ ପ୍ରଜାଆନ୍ଦୋଳନ ବ୍ୟାପକ ଭାବରେ ଦେଖାଦେଲା ।

 

୧୯୩୪ ମସିହାରେ ତ୍ରିବାଙ୍କୁଡ଼ରେ ପୁଣିଥରେ ଗଣ ଆନ୍ଦୋଳନ ଦେଖାଦେଲା । ହିନ୍ଦୁ ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଚାକିରୀ ହାର କାହାର କେତେ ହେବ ସେ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା । ପରେ ୧୯୩୮ ମସିହାରେ ସ୍ୱାଧିକାର ପାଇଁ ଯେଉଁ ଆନ୍ଦୋଳନ ହେଲା, ତହିଁରେ ପୂର୍ବର ଅନୈକ୍ୟ ଓ ମତଭେଦ ଦୂର ହୋଇଗଲା ଏବଂ ସମସ୍ତେ ମିଳିତ ଭାବରେ ସଂଗ୍ରାମରେ ଝାସ ଦେଲେ ।

 

୧୯୩୮ ମସିହାରେ ହାଇଦ୍ରାବାଦରେ ‘ଓମ୍‌’ ଆନ୍ଦୋଳନ ଆରମ୍ଭ ହେଲା । ମାତ୍ର ଏହି ଆନ୍ଦୋଳନ ସାମ୍ପ୍ରଦାୟିକତାର ରୂପ ନେଲା । କାରଣ ହାଇଦ୍ରାବାଦ ଗୋଟିଏ ମୁସଲମାନ ରାଜ୍ୟ ହେଲେ ମଧ୍ୟ ଏହାର ଅଧିକାଂଶ ପ୍ରଜା ହିନ୍ଦୁ । ପଡ଼ୋଶୀ ପ୍ରଦେଶ ସହିତ ସେମାନେ ସାଂସ୍କୃତିକ ଓ ଅନ୍ୟାନ୍ୟ ବିଷୟରେ ଯୁକ୍ତ । ହାଇଦ୍ରାବାଦରେ ହାଇଦରାବାଦୀ ବୋଲି କୌଣସି ଜାତିନାହିଁ । Andrew Roth ନାମକ ଜଣେ ବିଦେଶୀ ଏ ସମ୍ପର୍କରେ ଲେଖିଛନ୍ତି– A some What artificial aggregation of three regions–ଅର୍ଥାତ୍‌ ଏଠାକାର ଶତକଡ଼ା ୫୦ ଭାଗ ତେଲଗୁ ଭାଷୀ । ସେମାନେ ଆନ୍ଧ୍ର ସହ ସଂପୃକ୍ତ । ଶତକଡ଼ା ୨୫ ଜଣ ମରାଠୀ । ଏମାନଙ୍କର ମହାରାଷ୍ଟ୍ର ପ୍ରଦେଶ ସହିତ ଯୋଗ ଅଛି । ଶତକଡ଼ା ୧୦ ଜଣ କାନାଡ଼ା ଭାଷା ବ୍ୟବହାର କରନ୍ତି । ଏମାନେ କର୍ଣ୍ଣାଟକ ସହ ସମ୍ପୃକ୍ତ । ଅବଶିଷ୍ଟ ୧୫ ଭାଗ ମୁସଲମାନ ।

 

ହାଇଦ୍ରାବାଦ ଏକ ମୁସଲିମ ରାଜ୍ୟ । ସେତେବେଳେ ଏହାର ଜନସଂଖ୍ୟା ୧ କୋଟି ୯୬ ଲକ୍ଷ ୩୬ ହଜାର ୧୫୭ ଥିଲା । ମୋଗଲ ଶାସନର ପତନ କାଳରେ ପ୍ରଥମ ଆସଫଝା ସ୍ୱାଧୀନତା ଘୋଷଣା କରିଥିଲେ । ପରେ ଇଂରେଜ ଶାସନ ଅମଳରେ ଲର୍ଡ ଓ୍ୟେଲସେଲୀଙ୍କ ସବ୍‌ସିଡିଏରୀ ଏଲାଏନ୍‌ସ ଗ୍ରହଣ କରି ଏହା ମିତ୍ର ରାଜ୍ୟ ରୂପେ ରହିଲା । ନିଜାମଙ୍କ ଜମିଦାର, ତାଲୁକଦାର ଓ ନବାବ ପ୍ରଭୃତି ଅଧିକାଂଶ ମୁସଲମାନ । ଏଣୁ ଶତକରା ୮୦ ଭାଗ ଚାକିରୀ ମୁସଲମାନମାନଙ୍କ ହାତରେ । ଫଳରେ ଏହାକୁ ସାମ୍ପ୍ରଦାୟିକ ରୂପ ଦିଆଯାଇ ସହଜରେ ଦମନ କରାଯାଇ ପାରିଲା । ଏହି ଆନ୍ଦୋଳନ କାଳରେ ଏଠାରେ ଷ୍ଟେଟ କଂଗ୍ରେସ ଜନ୍ମଲାଭ କରିଥିଲା । ମାତ୍ର ସଙ୍ଗେ ସଙ୍ଗେ ତା’ ଉପରେ ନିଷେଧାଜ୍ଞା ଜାରୀ କରାଗଲା ।

 

୧୯୩୮ ମସିହାରେ ତାଳଚେର ଓ ଢେଙ୍କାନାଳରେ ମଧ୍ୟ ଆନ୍ଦୋଳନ ଆରମ୍ଭ ହୋଇଗଲା । ଶ୍ରୀ ସାରଙ୍ଗଧର ଦାସ ୧୯୩୩ ମସିହାରେ ପ୍ରଥମେ ଗଡ଼ଜାତର ପ୍ରଜା ଆନ୍ଦୋଳନ ଆରମ୍ଭ କରିଥିଲେ । ସାରଙ୍ଗଧରବାବୁ ଢେଙ୍କାନାଳ ରାଜାଙ୍କ ସାହାଯ୍ୟରେ ଆମେରିକାରେ ଉଚ୍ଚଶିକ୍ଷା ଲାଭକରି ଆସିବାପରେ ଢେଙ୍କାନାଳରେ ଏକ ଶିଳ୍ପ ପ୍ରତିଷ୍ଠାନର ଉଦ୍ୟମ କରିଥିଲେ । ମାତ୍ର ଏଠାରେ ରାଜାଙ୍କ ସହିତ ତାଙ୍କର ବିବାଦ ଆରମ୍ଭ ହୋଇଯିବାରୁ ସେ ଢେଙ୍କାନାଳରୁ ପଳାଇ ଆସି କଟକରେ ରହି ପ୍ରଜା ଆନ୍ଦୋଳନ ଆରମ୍ଭ କଲେ ।

 

ଏହା ପୂର୍ବରୁ ୧୯୨୦-୨୧ ମସିହାରେ ପ୍ରଥମେ ଡେଙ୍କାନାଳରେ ସର୍ବଶ୍ରୀ ମହେଶ୍ୱର ସୁବାହୁସିଂହ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବେଣୁଧର ପଣ୍ଡାଙ୍କ ନେତୃତ୍ୱରେ ଆନ୍ଦୋଳନ ଆରମ୍ଭ ହୋଇଗଲା । ୧୯୩୮ ମସିହାରେ ଯେଉଁ ଆନ୍ଦୋଳନ ହେଲା ତାହା ଶ୍ରୀ ସାରଙ୍ଗଧର ଦାସଙ୍କ ନିର୍ଦ୍ଦେଶରେ ଓ ମହେଶ୍ୱର ସୁବାହୁ ସିଂହଙ୍କ ନେତୃତ୍ୱରେ ଚାଲିଲା । ଏହା ଅତ୍ୟନ୍ତ ତୀବ୍ର ଓ ବ୍ୟାପକ ହୋଇପଡ଼ିଲା । ପ୍ରଜାମଣ୍ଡଳ ନିର୍ଦ୍ଦେଶରେ ରାଜ୍ୟରେ ସଭା ସମିତି ଓ ସତ୍ୟାଗ୍ରହ ଚାଲିଲା । ଆନ୍ଦୋଳନ ଦମନ ପାଇଁ ଗୁଳି ଚାଳନା କରାଗଲା । ବାଜୀ ରାଉତ ସମେତ ୧୮ ଜଣ ପ୍ରାଣ ହରାଇଲେ । ଶ୍ରୀ ବୈଷ୍ଣବ ପଟ୍ଟନାୟକ ପ୍ରମୁଖ ବହୁବ୍ୟକ୍ତି ଗିରଫ ହେଲେ । କ୍ରମେ କମ୍ୟୁନିଷ୍ଟ ଓ ସୋସାଲିଷ୍ଟ ପାର୍ଟିର ନେତାମାନେ ଆସି ନେତୃତ୍ୱ ଗ୍ରହଣ କଲେ ।

 

ହିନ୍ଦୋଳ, ପାଲଲହଡ଼ା, ନୟାଗଡ଼, ଆଠଗଡ଼, ତିଗିରିଆ, ଖଣ୍ଡପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ପ୍ରଭୃତି ରାଜ୍ୟରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ମାତ୍ର ଗିରଫଦାରୀ ଓ ମକଦ୍ଦମା ପ୍ରଭୃତି ଦ୍ୱାରା ତାହା ଦମନ କରାଗଲା ।

 

ସୁନ୍ଦରଗଡ଼ରେ ଖଜଣାବନ୍ଦ ଆନ୍ଦୋଳନ ତୀବ୍ର ହେବାରୁ ସେଠାରେ ମଧ୍ୟ ଗୁଳିଚାଳନା କରାଗଲା । ବାର ଜଣ ଲୋକ ପ୍ରାଣ ହରାଇଲେ । ୧୯୩୮ ମସିହା ଜୁନ୍‌ ମାସରୁ ନଭେମ୍ୱର ପର୍ଯ୍ୟନ୍ତ ଏ ଆନ୍ଦୋଳନସବୁ ଚାଲିଥିଲା ।

 

ଏହା ପୂର୍ବରୁ ବମ୍ୱେରେ ଗଡ଼ଜାତ ପ୍ରଜା ସମ୍ମିଳନୀର ଏକ ଅଧିବେଶନ ଡାକ୍ତର ପଟ୍ଟାଭି ସୀତାରାମେୟାଙ୍କ ପୌରୋହିତ୍ୟରେ ବସିଥିଲା । ସେଠାରେ ଗଡ଼ଜାତଗୁଡ଼ିକରେ ଚାଲିଥିବା ଦମନନୀତି ଓ ପ୍ରଜା ଆନ୍ଦୋଳନ ସମ୍ପର୍କରେ ତଦନ୍ତ ପାଇଁ ଏକ ତଦନ୍ତ କମିଟି ବସିବା ସ୍ଥିର କରାଗଲା । ତଦନ୍ତ କମିଟିରେ ଶ୍ରୀ ବଳବନ୍ତରାୟ ମେହେଟ୍ଟା ଓ ଶ୍ରୀ ଲାଲମୋହନ ପଟ୍ଟନାୟକ ସଭ୍ୟ ରହିଲେ । ଶ୍ରୀ ହରେକୃଷ୍ଣ ମହତାବ ଏହାର ଅଧ୍ୟକ୍ଷ ଓ ଶ୍ରୀ ସାରଙ୍ଗଧର ଦାସ ସଂପାଦକ ରହିଲେ । ବହୁ ସ୍ଥାନରୁ ଲୋକେ ସାକ୍ଷ୍ୟ ଦେବାକୁ ଆସିଲେ ।

 

ତଦନ୍ତ କମିଟି ବସିବା ସମ୍ବାଦରେ ଓଡ଼ିଶାର ସବୁ ଗଡ଼ଜାତ ବା ଦେଶୀୟ ରାଜ୍ୟଗୁଡ଼ିକରେ ବ୍ୟାପକ ଆନ୍ଦୋଳନ ଆରମ୍ଭ ହୋଇଗଲା । ଏହାର ପ୍ରଥମ ପ୍ରକାଶ ଘଟିଲା ନୀଳିଗିରିରେ । ଶ୍ରୀ କୈଳାସଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ପ୍ରଜାମାନେ ଆନ୍ଦୋଳନ ଆରମ୍ଭ କଲେ । ସେ ନିଜେ ଜଣେ ଓକିଲ ଓ ଦକ୍ଷ ସଂଗଠକ ଥିଲେ । ନୀଳିଗିରିରେ ସଭା ଆରମ୍ଭ ହେବାରୁ ରାଜାଙ୍କ ତରଫରୁ ଧରପଗଡ଼ ଆରମ୍ଭ ହୋଇଗଲା । ସଭା ଓ ଶୋଭାଯାତ୍ରା ଉପରେ ନିଷେଧ ଆଦେଶ ଜାରୀ କରାଗଲା । ବହୁ ଲୋକଙ୍କୁ ଜେଲ ଓ ଜରିମାନା ହେଲା । ରାଜାଙ୍କ ତରଫରୁ ଜରିମାନା ଆଦାୟ ହେବାପାଇଁ ବ୍ୟବସ୍ଥା କରାଗଲା ଓ ଘର ଦ୍ୱାରା କ୍ରୋକ ହେଲା । ମାତ୍ର ଲୋକଙ୍କ ମଧ୍ୟରେ ଏପରି ଏକତା ଥିଲା ଯେ ଷ୍ଟେଟ ପୁଲିସ ଗ୍ରାମ ଭିତରକୁ ପଶି ପାରିଲେ ନାହିଁ । ଓଡ଼ିଶାରେ ସେତେବେଳେ ଶ୍ରୀ ବିଶ୍ୱନାଥ ଦାସଙ୍କ ପ୍ରଧାନ ମନ୍ତ୍ରୀତ୍ୱରେ କଂଗ୍ରେସ ସରକାର ଚାଲିଥାଏ । ସରକାର ପୁଲିସ ସାହାଯ୍ୟ ଦେବାକୁ ମନା କରିଦେଲେ । ପଲିଟିକାଲ ଏଜେଣ୍ଟ ମୟୂରଭଞ୍ଜରୁ ଷ୍ଟେଟ ପୁଲିସ ମଗାଇଲେ । ତଥାପି ଷ୍ଟେଟ ପୁଲିସ ଗାଁ ଭିତରକୁ ପ୍ରବେଶ କରି ପାରିଲା ନାହିଁ । ପରେ ଶ୍ରୀ ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ରାଜା ଓ ପ୍ରଜାଙ୍କ ମଧ୍ୟରେ ଗୋଟାଏ ସମାଧାନ ହୋଇଗଲା ।

 

ତାଳଚେରରେ ୧୯୧୪ ମସିହାରେ ସର୍ବଶ୍ରୀ ପୁରନ୍ଦର ପାଣି, ବନମାଳୀ ପରମଗୁରୁ ଓ ସୁଦର୍ଶନ ଧରଙ୍କ ନେତୃତ୍ୱରେ; ୧୯୨୧-୨୨ରେ ଶ୍ରୀ ବାଙ୍କନିଧି ଉକ୍ତବଲ୍ଲଭ ଏବଂ ନଟବର ସୁନ୍ଦରାୟଙ୍କ ନିର୍ଦ୍ଦେଶରେ; ୧୯୩୦-୩୨ରେ ଶ୍ରୀ ଧୋବେଇ ଛୁଆଳ ସିଂ ଓ ଶ୍ରୀ ବୃନ୍ଦାବନ ପ୍ରଧାନଙ୍କ ନେତୃତ୍ୱରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ୧୯୧୪-୧୫ରେ ଦଶପଲ୍ଲାରେ ଶ୍ରୀ ଗୋବିନ୍ଦଚନ୍ଦ୍ର ମିଶ୍ରଙ୍କ ଉତ୍ସାହରେ ଓ ୧୯୧୪-୧୬ରେ କେନ୍ଦୁଝରରେ ଶ୍ରୀ ଧରଣୀଧର ଭୂୟାଁଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଥିଲା । ଏହାପରେ ବାମଣ୍ଡା, ରେଢ଼ାଖୋଲ, ବଡ଼ମ୍ୱା, ଆଠମଲ୍ଲିକ ପ୍ରଭୃତି ଦେଶୀୟ ରାଜ୍ୟରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏସବୁ ଆନ୍ଦୋଳନ ବେଠି ବେଗାରୀ, ମାଗଣ, ରସଦ ଓ ଅତ୍ୟଧିକ କର ଦାବୀ ଉପରେ କରାଯାଇଥିଲା । ମାତ୍ର ବ୍ରିଟିଶ ସରକାରଙ୍କ ସାହାଯ୍ୟରେ ଏସବୁକୁ ଅକ୍ଳେଶରେ ଦମନ କରାଯାଇ ପାରିଥିଲା ।

 

୧୯୩୨-୩୪ ମସିହା ବେଳକୁ ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀ ନାମରେ କଟକରେ ଏକ ଅନୁଷ୍ଠାନ ଗଠନ କରାଯାଇ ସାରିଥିଲା । ଶ୍ରୀ ବାଲୁଙ୍କେଶ୍ୱର ଆଚାର୍ଯ୍ୟ ଏଥିରେ ସଭାପତି ଓ ଶ୍ରୀ ରାଧାନାଥ ରଥ ଏହାର ପ୍ରଧାନ ଉଦ୍ୟୋକ୍ତା ଥିଲେ । ଶ୍ରୀ ସାରଙ୍ଗଧର ଦାସ ଓ ଶ୍ରୀ ହରେକୃଷ୍ଣ ମହତାବ ପ୍ରଧାନ ପୃଷ୍ଠପୋଷକ ଥିଲେ । ୧୯୩୮ ମଇ ମାସ ବେଳକୁ ଆନ୍ଦୋଳନ ବ୍ୟାପକ ହୋଇଥିଲା । ଗଡ଼ଜାତରେ ଚାଲିଥିବା ଅନ୍ୟାୟ ଅତ୍ୟାଚାର ଓ ଶୋଷଣ ବିରୋଧରେ ପ୍ରକାଶ୍ୟରେ ଆନ୍ଦୋଳନ ଚାଲିଥିଲା । ୧୯୩୮ ମସିହାରେ ଶ୍ରୀ ପବିତ୍ର ମୋହନ ପ୍ରଧାନ ଶିକ୍ଷକ ଚାକିରୀରୁ ଇସ୍ତଫା ଦେଇ ତାଳଚେର ଆନ୍ଦୋଳନରେ ଯୋଗଦେଲେ । ଏତେବେଳକୁ ପ୍ରଜାମଣ୍ଡଳ ନାମକ ଅନୁଷ୍ଠାନ ବା ଷ୍ଟେଟ କଂଗ୍ରେସ ଗଠିତ ହୋଇ ସାରିଥିଲା । କଂଗ୍ରେସ ନେତୃତ୍ୱରେ ନାଗରିକ ସ୍ୱାଧୀନତା ଓ ଦାୟିତ୍ୱମୂଳକ ଶାସନ ପ୍ରତିଷ୍ଠା ସଂଗଠନର ଲକ୍ଷ୍ୟ ଥିଲା ।

 

ଅତ୍ୟାଚାର ଓ ଶୋଷଣ ମୂଳକ ରାଜ ପାଉଣା ଉଠାଇ ଦିଆଯିବା ପାଇଁ ଏକ ଦାବୀପତ୍ର ତାଳଚେର ରାଜାଙ୍କୁ ଦିଆଗଲା । ମାତ୍ର ରାଜା ଏଥିରେ କର୍ଣ୍ଣପାତ ନ କରିବାରୁ ପ୍ରଜାମାନେ ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ । ଶ୍ରୀ ପବିତ୍ର ମୋହନ ପ୍ରଧାନ ପ୍ରଜାମଣ୍ଡଳର ସଭାପତି ରୂପେ ସେତେବେଳେ ଅନୁଗୁଳରେ ଅବସ୍ଥାନ କରୁଥାଆନ୍ତି । ସେଠାରୁ ୧୪ଶହ ସ୍ୱେଚ୍ଛାସେବୀ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ତାଳଚେର ଯାତ୍ରା କଲେ । ମାତ୍ର ସେମାନଙ୍କୁ ଗିରଫ କରାଯାଇ ଅମାନୁଷିକ ଯନ୍ତ୍ରଣା ଦିଆଗଲା । ବହୁ ପ୍ରଜା ରାଜ୍ୟ ତ୍ୟାଗ କରି ବାହାରେ ଆସି ଶିବିର ପକାଇ ରହିଲେ । ଗାନ୍ଧି ମିଶନ ପକ୍ଷରୁ ଏମାନଙ୍କୁ ସାହାଯ୍ୟ ଦିଆଗଲା । ସମସ୍ୟା ଏପରି ଉତ୍କଟ ହେଲା ଯେ ମିସ ଆଗାଥା ହାରିସନ ବ୍ରିଟିଶ ପାର୍ଲାମେଣ୍ଟରେ ଏ ପ୍ରଶ୍ନ ମଧ୍ୟ ଉତ୍‌ଥାପନ କଲେ । ମହାତ୍ମାଗାନ୍ଧୀ ଅତ୍ୟନ୍ତ ଦୁଃଖିତ ଓ ବିଚଳିତ ହୋଇ ହରିଜନ ପତ୍ରିକାରେ ଲେଖିଲେ–

 

The movement for liberty with in the states is entering a new stage. History is going to repeat it self. Talcher and Dhenkanal have led the way in repression. It is no small matter that 26000 out of 75,000 at told have migrated from Talcher to British Orissa. Prof. Rangh has published harrowing details of the sufferings of these refugees. X X X

 

୧୯୩୯ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ରାଜା ଏବଂ ବ୍ରିଟିଶ ସରକାରଙ୍କ ତରଫରୁ ଆସିଷ୍ଟାଣ୍ଟ ପଲିଟିକାଲ ଏଜେଣ୍ଟ ମେଜର ହେନ୍‌ସି ଏବଂ ପ୍ରଜା ଓ ପ୍ରଜାମଣ୍ଡଳ ତରଫରୁ ଶ୍ରୀ ହରେକୃଷ୍ଣ ମହତାବ ଆଲୋଚନା କରି ଏକ ସମାଧାନ ଚୁକ୍ତିନାମା କଲେ । ଏ ଆନ୍ଦୋଳନରେ ପ୍ରାୟ ୧୫ ଶହ ବ୍ୟକ୍ତି କାରବରଣ କରିଥିଲେ । ପରିଶେଷରେ ଜୁନ ମାସ ୨୩ ତାରିଖରେ ରାଜା ପ୍ରଜାମଣ୍ଡଳର ଦାବୀ ପୂରଣ କରି ନେବାରୁ ଆନ୍ଦୋଳନର ପରିସମାପ୍ତି ଘଟିଲା ।

 

ରଣପୁରର ପ୍ରଜା ଆନ୍ଦୋଳନ ଅତି ବ୍ୟାପକ ହୋଇପଡ଼ିଲା । ସେଠାରେ ଷ୍ଟେଟ କଂଗ୍ରେସ ଗଠନ ପରେ ଦିବାକର ପରିଡ଼ା ଓ ରଘୁନାଥ ମହାନ୍ତିଙ୍କ ନେତୃତ୍ୱରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ବେଠି, ବେଗାରୀ ଓ କରଭାର ବିରୋଧରେ ଏ ଆନ୍ଦୋଳନର ଅୟମାରମ୍ଭ । ଠିକ୍‌ ଏତିକିବେଳେ ରାଜାଙ୍କ ଦାରୁ ଘରେ ନିଆଁ ଲାଗିଗଲା । ଆନ୍ଦୋଳନ ଦବାଇବା ପାଇଁ ଏ ଏକ ସୁବର୍ଣ୍ଣ ସୁଯୋଗ । ଏହି ଆଳରେ ରଣପୁରର ବିଶିଷ୍ଟ ନେତା ଶ୍ରୀ କୃପାସିନ୍ଧୁ ମିଶ୍ରଙ୍କ ସମେତ କେତେକଙ୍କୁ ଗିରଫ କରାଗଲା । ପ୍ରଜାମାନେ ତାଙ୍କର ମୁକ୍ତିଦାବୀ କରି ୧୯୩୮ ମସିହା ପୌଷ ପୂର୍ଣ୍ଣମାଦିନ ରଣପୁର ରାଜବାଟୀ ଆଗକୁ ଏକ ସଭା ଡାକିଲେ । ମେଳିଆମାନେ ରାଜବାଟୀ ଆକ୍ରମଣ କରିବେ ବୋଲି କହି ରେସିଡେଣ୍ଟ ମେଜର ବେଜଲଗେଟଙ୍କୁ ରାଜା ଡକାଇ ପଠାଇଲେ । ବେଲଜଗେଟଙ୍କ ଆସିବା ବାଟକୁ ଲୋକେ ଗଛ ଡାଳ ପକାଇ ବନ୍ଦ କରି ଦେଇଥିଲେ । ରେସିଡେଣ୍ଟ ନାଥ ଭୋଳ ନାମକ ଜଣେ ଲୋକକୁ ଗଛ ଉଠାଇବାକୁ ନିର୍ଦ୍ଦେଶ ଦେଲେ । ମାତ୍ର ସେ ସ୍ପଷ୍ଟ ଜଣାଇ ଦେଲା ଯେ ପ୍ରଜାମଣ୍ଡଳର ହୁକୁମ ନାହିଁ । ଫଳରେ ସାହେବ ପିସ୍ତଲରେ ଢିଅ ଓ ଗୋଇଠା ମାରି ତାକୁ ତଳେ ପକାଇ ଦେଲେ । ତାପରେ ସିପାହୀଙ୍କ ସାହାଯ୍ୟରେ ରାସ୍ତା ସଫାକରି ରଣପୁର ଆସିଲେ । ରଣପୁରରେ ଉପସ୍ଥିତ ଜନତା ବେଜଲଗେଟଙ୍କୁ ଦେଖି ଦେବାନକୁ ବରଖାସ୍ତ କରିବା ପାଇଁ ଦାବୀ କଲେ । ଏତିକିବେଳେ ନାଥଭୋଳକୁ ଶଗଡ଼ରେ ପକାଇ ଲୋକେ ନେଇଆସି ସେଠାରେ ପହଞ୍ଚିଲେ । ସଙ୍ଗେ ସଙ୍ଗେ ରବ ଉଠିଲା ଯେ ସାହେବ ନାଥଭୋଳକୁ ମାରିଦେଇଛି । ଜନତା ଚିତ୍କାର କରି ଉଠିଲେ । ଅର୍ଜ୍ଜୁନ ରାଉତ ନାମକ ଜଣେ ଲୋକ ସାହେବ ମଣିଷ ମାରିଛି ବୋଲି କହି ବେଜଲଗେଟଙ୍କୁ କୁଣ୍ଢାଇ ଧରିବାରୁ ବେଜଲଗେଟଙ୍କ ପିସ୍ତଲ ଗୁଳିରେ ପ୍ରାଣ ହରାଇଲା । ଏହାପରେ ଗୁଳି ଚଳାଇବା ପାଇଁ ଆଦେଶ ଦିଆଗଲା । ମାତ୍ର ତା ପୂର୍ବରୁ ଜନତାଙ୍କ ଆକ୍ରମଣରେ ବନ୍ଧୁକଧାରୀ ପୋଲିସମାନେ ଛତ୍ରଭଙ୍ଗ ଦେଲେ । ବେଜଲଗେଟ ଘଟନାସ୍ଥଳରେ ନିହତ ହେଲେ । ଏ ଘଟନାର ବିଚାର କରାଯାଇ ଏଗାର ଜଣ ଯାବଜ୍ଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ଏବଂ ରଘୁ ଦିବାକର ଫାଶୀ ପାଇଲେ ।

 

୧୯୩୦ ମସିହାରୁ କାଶ୍ମୀରରେ ମଧ୍ୟ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା । ମହାରାଜା ଗୁଲାବ ସିଂହଙ୍କ ସହାୟତାରେ ଇଂରେଜମାନେ ଶିଖ ସମରରେ ବିଜୟଲାଭ କରି କାଶ୍ମୀର ରାଜ୍ୟ ଗୁଲାବସିଂହଙ୍କୁ ବିକ୍ରୟ କରି ଦେଇଥିଲେ । ଗୁଲାବ ସିଂହ ସେଠାରେ ରାଜା ହେଲେ-। ଏଠାକାର ମହାରାଜା ହିନ୍ଦୁ ମାତ୍ର ଅଧିବାସୀଙ୍କ ମଧ୍ୟରୁ ଶତକଡ଼ା ୮୦ ଜଣ ମୁସଲମାନ । ଶେଖ ଅବଦ୍ଦୁଲାଙ୍କ ନେତୃତ୍ୱରେ ଏଠାରେ ଡୋଗରା ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏଥିରେ କାଶ୍ମୀରର ସମସ୍ତ ଶାସନ କଳ ଦୋହଲି ଯାଇଥିଲା ।

 

୧୯୨୯ ମସିହାରେ ଷ୍ଟେଟ କଂଗ୍ରେସ ଗଠିତ ହେବାପରେ ୧୯୩୮ ମସିହା ପର୍ଯ୍ୟନ୍ତ ଏହାର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ଥିଲା । ଯେତେବେଳେ ପ୍ରଜାମାନେ ଅତ୍ୟାଚାରରେ ଜର୍ଜରୀତ ହୁଅନ୍ତି, ସେତେବେଳେ ଆନ୍ଦୋଳନ ଆରମ୍ଭ ହୁଏ । ସେମାନଙ୍କର ଦାବୀ–ଦାୟିତ୍ୱଶୀଳ ସରକାର ଆବଶ୍ୟକ । କିନ୍ତୁ କିଭଳି ଦାୟିତ୍ୱଶୀଳ ସରକାର ଗଠନ କରାଯିବ ଏବଂ ଏହାର ରୂପରେଖ କଣ ସେଦିଗରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନ ଥିଲା । ୧୯୩୯ ମସିହାରେ ଲୁଧିଆନାରେ ଅନୁଷ୍ଠିତ ନିଖିଳ ଭାରତ ପ୍ରଜା ସମ୍ମେଳନରେ ପଣ୍ଡିତ ନେହେରୁ ଏ ସମ୍ପର୍କରେ ସୂଚନା ଦେଇ କହିଲେ–

 

‘‘The time has come, when this struggle (of the State peoples) should be Co–ordinated with the wider struggle for India Independence of which it is an integral part. Such an integrated all India struggle must necessarily be carried on under the guidance of the congress.

 

ପଣ୍ଡିତ ନେହେରୁଙ୍କ ଏହି ଦିଗ୍‌ଦର୍ଶନ ଫଳରେ ଦେଶୀୟ ରାଜ୍ୟରେ ରାଜନୈତିକ ଆନ୍ଦୋଳନ ସର୍ବଭାରତୀୟ ରାଜନୀତିରେ ଯୁକ୍ତ ହେଲା । ଏହାପରେ ଉଦୟପୁର ସମ୍ମେଳନରେ ରାଜାମାନଙ୍କର ରାଜନୀତି ଏବଂ ସେମାନଙ୍କ ସଂଗଠନ ପ୍ରଚେଷ୍ଟା ସମ୍ପର୍କରେ ପଣ୍ଡିତ ନେହେରୁ ସ୍ପଷ୍ଟ ମତ ହେଇ ଘୋଷଣା କଲେ ଯେ– ଛୋଟ ଛୋଟ ରାଜ୍ୟଗୁଡ଼ିକ ମିଳିତ ହୋଇ ଗୋଟିଏ ସଂଗଠନ କରିବାର କୌଣସି ଯୌକ୍ତିକତା ନାହିଁ । ଏ ରାଜ୍ୟଗୁଡ଼ିକ ସଂପୃକ୍ତ ପ୍ରଦେଶରେ ମିଶିଯିବା ଆବଶ୍ୟକ-

 

‘‘It is not disirable that a number of small states should be grouped together to form a larger Unit. There will be no history or tradition or unity about this. Only an artificial joining together of backward areas with no leader to pull them up cannot work. Therefore the union should be with the Provinces. The rules of such small states may be given some kind of Pensions and may be, further encouraged to serve in a different capacity if they sit enough for this.

 

ଏଥିପୂର୍ବରୁ କେତେକ ଷ୍ଟେଟରେ ଦାୟିତ୍ୱପୂର୍ଣ୍ଣ ସରକାର ଗଠନ ଅର୍ଥାତ୍‌ ରାଜାଙ୍କ ଅଧୀନରେ ମନ୍ତ୍ରୀମଣ୍ଡଳ ରହି ଶାସନ ପରିଚାଳନା ପାଇଁ ଯେଉଁ ଦାବୀ ହେଉଥିଲା ତାହାର ଗତି ପରିବର୍ତ୍ତିତ ହୋଇ ସର୍ବଭାରତୀୟ ସ୍ତରରେ ମିଳିତ ହେବା ନିମନ୍ତେ ଆନ୍ଦୋଳନ ଚାଲିଲା ।

 

ଇତିହାସ !

 

ମୌନ ମୁଖର ଅତୀତର କାହାଣୀ !

 

ଯାହା ଏ ପର୍ଯ୍ୟନ୍ତ ଅବ୍ୟକ୍ତ ଓ ବିକ୍ଷିପ୍ତ ହୋଇ ରହିଛି ।

 

ତାର ହିସାବ ବା ରଖିଛି କିଏ ?

 

ଏ ଦେଶର ସ୍ୱାଧୀନତା ପାଇଁ, ଏ ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ଶୋଷିତ, ଦଳିତ, ଲୁଣ୍ଠିତ ଓ ନିଷ୍ପେଷିତ ଜନସାଧାରଣଙ୍କୁ ମୁକ୍ତି ଦେବାପାଇଁ–ପ୍ରସ୍ତର ସ୍ତୂପ ତଳରେ, ଚିର ନିଦ୍ରାରେ କେତେ ଯେ ଅଜଣା ମନୁଷ୍ୟ ଘୁମେଇ ପଡ଼ିଛନ୍ତି, କେତେ ଚାପା କ୍ରନ୍ଦନ, କେତେ ଅଶ୍ରୁ, କେତେ ଆନନ୍ଦ-ବେଦନା ଚକ୍ରାନ୍ତ, ଆତ୍ମତ୍ୟାଗ, କାରାବାସର କାହାଣୀ, ଜୀବନର କେତେ ଯେ ସକାଳସନ୍ଧ୍ୟା ଲୁକ୍‌କାୟିତ ହୋଇ ରହିଛି, ତାହା କେବଳ ଜାଣେ ମହାକାଳ ।

 

କେତେ ଅମୂଲ୍ୟଜୀବନ ଓ ତଟକାରକ୍ତ ବିନିମୟରେ ଯେ ଏ ଦେଶର ସ୍ୱାଧୀନତା ଆସିଛି, ତା’ର କ’ଣ ଇୟତ୍ତା ଅଛି ?

 

ଆଜି କେବଳ ସେ ସ୍ମୃତି ବହନ କରିଛନ୍ତି ସକାଳ ଓ ସନ୍ଧ୍ୟାର ଲୋହିତ ବର୍ଣ୍ଣ ସୂର୍ଯ୍ୟ । ବୃକ୍ଷର କିଶଳୟ, ବଣର ପଳାସ ଓ ଶିମୁଳି ।

 

ସଂଗ୍ରାମ ଓ ବିପ୍ଳବର ପଥ ଦେଇ ୧୯୩୮ ମସିହାରେ ପ୍ରଜା ଆନ୍ଦୋଳନ ତାର ନୂତନ ପଥ ଖୋଜିପାଇଲା । ୧୯୪୨ ମସିହାରେ ଅଗଷ୍ଟ ଆନ୍ଦୋଳନ ବେଳକୁ ଦେଶୀୟ ରାଜ୍ୟଗୁଡ଼ିକରେ ତୁମୂଳ ଆଲୋଡ଼ନ ସୃଷ୍ଟି ହେଲା । ଯୁଦ୍ଧ ଶେଷ ହେବା ପରେ ପରେ ବ୍ରିଟିଶ ଭାରତ ନେତାମାନଙ୍କ କାରାମୁକ୍ତି ଓ ରାଜନୈତିକ ନିଷେଧାଜ୍ଞା ପ୍ରତ୍ୟାହୃତ ହେବାପରେ ଆନ୍ଦୋଳନ ଦାବାଗ୍ନି ପରି ବ୍ୟାପିଗଲା । ଫରିଦ କୋଟର ଆନ୍ଦୋଳନ ନେହେରୁ ଓ ମହାରାଜାଙ୍କ ଆପୋଷ ଆଲୋଚନା ପରେ ସମାପ୍ତି ଘଟିଲା । ଏହାପରେ ଆରମ୍ଭ ହେଲା– ଭୟାଲା ଓ ଆପେଲୀରେ ଆନ୍ଦୋଳନ । ତ୍ରିବାଙ୍କୁଡ଼ରେ କୃଷକ ମଜଦୁର ସଂଗ୍ରାମ ପୁଣି ଆରମ୍ଭ ହେଲା । କାଶ୍ମୀର, କୋଚିନ ଓ ହାଇଦ୍ରାବାଦରେ ମଧ୍ୟ ସଂଗ୍ରାମ ଆରମ୍ଭ ହୋଇଗଲା ।

 

୧୯୪୬ ମସିହାରେ ଟ୍ରେଡ ୟୁନିୟନ ଆନ୍ଦୋଳନର ପ୍ରାଥମିକ ଅଧିକାରକୁ ସରକାର ବେଆଇନ ଘୋଷଣା କରିବାରୁ କମ୍ୟୁନିଷ୍ଟମାନଙ୍କ ନେତୃତ୍ୱରେ ବ୍ୟାପକ ଆନ୍ଦୋଳନ ଆରମ୍ଭ ହେଲା-। ତାପରେ ସମସ୍ତ ଟ୍ରେଡ ୟୁନିଅନ ବେଆଇନ ଘୋଷିତ ହେଲା । ବହୁ ବ୍ୟକ୍ତି ବନ୍ଦୀ ହେଲେ-। ଠିକ୍‌ ଏହିପରି ଏକ ଆନ୍ଦୋଳନ ହାଇଦ୍ରାବାଦର ନଳଗୋଣ୍ଡା ଜିଲାରେ ଆରମ୍ଭ ହେଲା । ପ୍ରଥମେ ଏହା କୃଷକମାନଙ୍କ ଅଭାବ ଅଭିଯୋଗର ପ୍ରତିକାର ପାଇଁ ଅନ୍ଧୁ ଇଲାକାରେ ଆରମ୍ଭ କରାଯାଇଥିଲା । କୃଷକ ମାନଙ୍କର ଦାବୀ ଥିଲା, ଖଟିବାର ସମୟ ହ୍ରାସ ଓ ମଜୁରୀ ବୃଦ୍ଧି । କାନ୍ଦାଭେଳିରେ ଅନ୍ଧୁ ସମ୍ମେଳନର ସଂଗଠକ କୋମାରିୟା ପୁଲିସ ଦ୍ୱାରା ନିହତ ହେଲେ । କୃଷକମାନେ ଶବକୁ ଶୋଭାଯାତ୍ରାରେ ନେଇ ଗ୍ରାମକୁ ଗ୍ରାମ ବୁଲିଲେ । ଫଳରେ ଆନ୍ଦୋଳନ ବିଭିନ୍ନ ଗ୍ରାମରେ ବିସ୍ତାର ଲାଭ କଲେ । ନିଜାମ ଅନ୍ଧୁ ସମ୍ମିଳନୀ ଓ କମ୍ୟୁନିଷ୍ଟ ପାର୍ଟିକୁ ବେଆଇନ ଘୋଷଣା କରି ବିଦ୍ରୋହ ଦମନ ପାଇଁ ଚାରି ହଜାର ସୈନ୍ୟ ଓ ସଶସ୍ତ୍ର ପୁଲିସ ପ୍ରେରଣ କଲେ । ନିରୀହ ଜନସାଧାରଣଙ୍କ ଉପରୁ ଏକଲକ୍ଷ ଟଙ୍କା ପିଟୁଣୀ ଟିକସ ଆଦାୟ କରାଗଲା । ଏକମାତ୍ର ଦେବରୁପ୍‌ପଲ ଗ୍ରାମର ଅଢ଼େଇ ହଜାର ଗ୍ରାମବାସୀଙ୍କ ମଧ୍ୟରୁ ସାଢ଼େ ତିନିଶହ ଗିରଫ ହେଲେ । ଗ୍ରାମଦାହ, ଲୁଣ୍ଠନ ଓ ପାଶବିକ ଅତ୍ୟାଚାର ବ୍ୟାପକଭାବେ ଚାଲିଲା । ମାତ୍ର ବାହାରୁ ସମର୍ଥନ ନ ମିଳିବାରୁ ଆନ୍ଦୋଳନ ସ୍ତୀମୀତ ହୋଇଗଲା ।

 

କାଶ୍ମୀରରେ ଶେଖ୍‍ ଅବଦ୍ଦୁଲାଙ୍କ ନେତୃତ୍ୱରେ ଗଣତାନ୍ତ୍ରିକ ଅଧିକାର ପାଇଁ ଜନସାଧାରଣ ଆନ୍ଦୋଳନ ଆରମ୍ଭ କରିଦେଲେ । ଦାବୀ ଉପସ୍ଥାପନ କରାଯିବା ପୂର୍ବରୁ କାଶ୍ମୀର ରାଜା ଶେଖ ଅବଦ୍ଦୁଲାଙ୍କୁ ଗିରଫ କଲେ । ପଣ୍ଡିତ ଜବାହାରଲାଲ ନେହେରୁ ମଧ୍ୟ ଏ ଆନ୍ଦୋଳନରେ ଗିରଫ ହେଲେ । ଆସୁରିକ ଶକ୍ତି ପ୍ରୟୋଗ କରାଯାଇ ଆନ୍ଦୋଳନକୁ ଦମନ କରିବା ପାଇଁ ଉଦ୍ୟମ ଚାଲିଲା । ନେତୃସ୍ଥାନୀୟ ବ୍ୟକ୍ତିମାନେ ଗିରଫ ହେବାପରେ ଗୋପନ ଆନ୍ଦୋଳନ ଆରମ୍ଭ ହୋଇଗଲା । ଏଠାରେ ସର୍ବପ୍ରଥମେ ରାଜାଙ୍କୁ ରାଜ୍ୟ ଛାଡ଼ିବା ପାଇଁ ଆହ୍ଵାନ ଦିଆଗଲା । ପ୍ରଜାମାନେ ଦାବୀ କଲେ ଯେ ରାଜାମାନଙ୍କର ଇଂରେଜ ସରକାର ସହିତ ଯେଉଁ ଚୁକ୍ତି ହୋଇଥିଲା ସେଥିରେ ପ୍ରଜାମାନଙ୍କର କୌଣସି ସମର୍ଥନ ନ ଥିଲା । ଏଠାରେ ଆନ୍ଦୋଳନର ଦାବୀ ଓ ସଂଗ୍ରାମ ରୀତିରେ ଅନୁପ୍ରାଣିତ ହୋଇ ଅନ୍ୟାନ୍ୟ ଦେଶୀୟ ରାଜ୍ୟର ପ୍ରଜାମାନେ ଆନ୍ଦୋଳନ ଚଳାଇଲେ ।

 

୧୯୪୬ ରୁ ୧୯୪୭ ମସିହା ମଧ୍ୟରେ ଦେଶୀୟ ରାଜ୍ୟଗୁଡ଼ିକରେ ଅନ୍ତତଃ ପାଞ୍ଚଶହ ବ୍ୟକ୍ତିଙ୍କୁ ହତ୍ୟା କରାଗଲା । ଗୋୟାଲିୟର, ଆଲେୟାର, ଯଶଲମୀର, ବିକାନୀର, ରାମପୁର କାଶ୍ମୀର, ରତଲମ, ଭଗତପୁର, ହାଇଦ୍ରାବାଦ, ତ୍ରିବାଙ୍କୁଡ଼, ଜୟପୁର, ମାଡ଼ୋୟାର, ରେଓ୍ୱା ଓ ଇନ୍ଦୋର ପ୍ରଭୃତି ଛୋଟବଡ଼ ସମସ୍ତ ଦେଶୀୟ ରାଜ୍ୟରେ ଏ ସବୁ ହତ୍ୟାକାଣ୍ଡ ଘଟିଥିଲା । ପ୍ରାୟ ଏକହଜାରରୁ ଉର୍ଦ୍ଧ୍ୱବ୍ୟକ୍ତି ଆହତ ହୋଇଥିଲେ ।

 

ଠିକ୍‌ ଏହି ସମୟରେ କ୍ଷମତା ହସ୍ତାନ୍ତର ଉଦ୍ଦେଶ୍ୟରେ ମନ୍ତ୍ରୀମଣ୍ଡଳ ଇଂଲଣ୍ଡରୁ ଭାରତକୁ ଆସିଲେ । ବ୍ରିଟିଶ ଭାରତରେ ସେମାନେ ନେତାମାନଙ୍କ ସଙ୍ଗେ ଆଳାପ ଆଲୋଚନା କଲେ । ମାତ୍ର ଦେଶୀୟ ରାଜ୍ୟର କ୍ଷମତା ହସ୍ତାନ୍ତର ସମ୍ପର୍କରେ ସେମାନେ ରାଜାମାନଙ୍କ ସହିତ ଆଲୋଚନା କଲେ । ଏହାପରେ ସେମାନେ ମଇ ୧୬ ତାରିଖରେ ପାରାମାଉଣ୍ଟେସି ସମ୍ପର୍କରେ ନୂତନ ତଥ୍ୟ ପରିବେଷଣ କରି ଘୋଷଣା କଲେ ଯେ ଦେଶ ସ୍ୱାଧୀନତା ଲାଭ କରିବା ସଙ୍ଗେ ସଙ୍ଗେ ବ୍ରିଟିଶ ସରକାରଙ୍କ ସହିତ ହୋଇଥିବା ସମସ୍ତ ଚୁକ୍ତି ବାତିଲ ହୋଇଯିବ ଓ ରାଜାମାନେ ସ୍ୱାଧୀନ ହୋଇଯିବେ । ଏହା ଫଳରେ ରାଜାମାନେ ଦୁଇଟି ଅସ୍ତ୍ର ପାଇଗଲେ । ପ୍ରଥମତଃ ସେମାନେ ସୈନ୍ୟ ରଖି ପ୍ରଜା ଆନ୍ଦୋଳନ ଦମନ କରି ପାରିବେ ଓ ୨ୟରେ ଯଦି ଭାରତୀୟ ୟୁନିୟନରେ ମିଶିବେ, ତେବେ ନିଜର ସୁବିଧା ଦାବୀ କରି ପାରିବେ ।

 

ମନ୍ତ୍ରୀମିଶନର ଏ ଘୋଷଣା ପରେ ପରେ ୧୯୪୭ ମସିହା ଜୁନ ୧୫ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଅଖିଳ ଭାରତ କଂଗ୍ରେସ କମିଟି ଅଧିବେଶନରେ ପଣ୍ଡିତ ନେହେରୁ ସ୍ପଷ୍ଟ ଭାବରେ ତା’ର ଜବାବ ଦେଇ କହିଲେ ଯେ ‘ଆମେ ଭାରତର କୌଣସି ଦେଶୀୟ ରାଜ୍ୟର ସ୍ୱାଧୀନତା ସ୍ୱୀକାର କରି ପାରିବୁ ନାହିଁ । ଯେଉଁ ବୈଦିଶିକ ଶକ୍ତି ସେମାନଙ୍କର ଏ ସ୍ୱାଧୀନତାକୁ ସ୍ୱୀକାର କରିବେ ସେମାନଙ୍କୁ ଆମେ ମିତ୍ର ବୋଲି ଗ୍ରହଣ କରି ପାରିବୁ ନାହିଁ, ପୁଣି ଜୁଲାଇ ପହିଲା ତାରିଖରେ ସେ ଘୋଷଣା କଲେ ଯେ ଦେଶୀୟ ରାଜ୍ୟର ରାଜାମାନେ ଭାରତ ୟୁନିୟନ ସହ ମିଶି ଅନ୍ୟମାନଙ୍କ ପରି ସମାନ ସୁବିଧା ଲାଭ କରନ୍ତୁ । ନଚେତ୍‌ କେନ୍ଦ୍ର ସରକାର ସେମାନଙ୍କ ଉପରେ ଯେ କୌଣସି ଉପାୟରେ କର୍ତ୍ତୃତ୍ୱ ଜାରୀ କରିବାକୁ ବାଧ୍ୟ ହେବେ ।’

 

ବ୍ରିଟିଶ ସରକାର ଭାରତ ଛାଡ଼ିବା ପୂର୍ବରୁ ଭାରତ ହିନ୍ଦୁସ୍ଥାନ ଓ ପାକିସ୍ଥାନ ଦୁଇଭାଗରେ ବିଭକ୍ତ ହୋଇଗଲା । ତା ସହିତ ୫୬୫ ଜଣ ରାଜା ମଧ୍ୟ ସ୍ୱାଧୀନ ହୋଇଗଲେ । ସେମାନେ ଗୋଟିଏ ବନ୍ଦର ପାଇଁ ମଧ୍ୟ ଦାବୀ କଲେ । ତା ସହିତ ସେମାନେ ସୈନ୍ୟ ସଂଗ୍ରହରେ ଲାଗିପଡ଼ିଲେ ।

 

ଯୁଦ୍ଧ ସମୟରେ ହାଇଦ୍ରାବାଦର ନିଜାମ ବ୍ରିଟିଶ ସହାୟତାରେ ଏକଲକ୍ଷ ସୈନ୍ୟ ସୁଶିକ୍ଷିତ କରାଇଥିଲେ ଓ ଗୋଟିଏ ବ୍ରେନଗନ କାରଖାନା ସ୍ଥାପନ କରିଥିଲେ । ତା’ ବ୍ୟତୀତ ସ୍ପେଶାଲ ବ୍ରିଟିଶ ଅଫିସର ରହି ବିଭିନ୍ନ ସ୍ଥାନରେ ବିମାନଘାଟୀ ନିର୍ମାଣ କରିଥିଲେ । ବ୍ରିଟିଶ କମ୍ପାନୀଗୁଡ଼ିକ ସହିତ ନୂତନ ଚୁକ୍ତି ସମ୍ପାଦିତ ହୋଇଥିଲା । ତା’ ଛଡ଼ା ନିଜାମ ତାଙ୍କ ନିଜ ତରଫରୁ ଓ ରାଜାମାନଙ୍କ ତରଫରୁ ବାହାର ସହିତ ଯୋଗାଯୋଗ ରଖିବା ପାଇଁ ଗୋଆ ବନ୍ଦର ମଧ୍ୟ ଦାବୀ କରିଥିଲେ । ପରେ ସର୍ଦ୍ଦାର ପଟେଲଙ୍କ ଏକ ଫୁତ୍କାରରେ ନିଜାମଙ୍କର ଏ ସମସ୍ତ ଆୟୋଜନ କିପରି ବିପର୍ଯ୍ୟସ୍ତ ହୋଇଯାଇଥିଲା, ତାହା ଏକ ସ୍ୱତନ୍ତ୍ର ଅଧ୍ୟାୟ ।

 

ଭାରତରତା ସ୍ୱାଧୀନ ଘୋଷଣା କରାଯିବ–ସମ୍ବାଦ ପ୍ରକାଶ ପାଇବା ପରେ ପରେ ଦେଶୀୟ ରାଜ୍ୟର ରାଜାମାନେ ତତ୍ପର ହୋଇ ପଡ଼ିଲେ । ୧୯୪୭ ମସିହା ଅପ୍ରେଲ ମାସ ବେଳକୁ ୧୪ଟି ଗଡ଼ଜାତ ମିଶି ଡେକାନ ଷ୍ଟେଟ ୟୁନିୟନ ଗଠନ କରିଦେଲେ । ସେହିପରି ସୌରାଷ୍ଟ୍ରର ଗଡ଼ଜାତମାନେ ଗୋଟିଏ ୟୁନିୟନ ଗଠନ କଲେ ଏବଂ ଓଡ଼ିଶା ଓ ଛତିଶଗଡ଼ର ଗଡ଼ଜାତମାନେ ମିଶି ଇଷ୍ଟର୍ଣ୍ଣ ଷ୍ଟେଟସ ୟୁନିୟନ ଗଠନ କରିଦେଲେ । ଏମାନେ ଯେ କେବଳ ଶାସନ କାର୍ଯ୍ୟ ପରିଚାଳନା ପାଇଁ ସ୍ୱତନ୍ତ୍ର ପୁଲିସ ମୁତୟନ କଲେ ତାହା ନୁହେଁ, କେତେକ ସ୍ଥାନରେ ବୈଧାନିକ ଶାସନ ଗଠନ ପାଇଁ ମନ୍ତ୍ରୀମଣ୍ଡଳ ମଧ୍ୟ ଗଠନ କରିଦେଲେ । ଯେଉଁମାନେ ପୂର୍ବରୁ ପ୍ରଜାମଣ୍ଡଳ ଆନ୍ଦୋଳନ ଚଳାଇଥିଲେ ବା ଏହି ଆନ୍ଦୋଳନର ମୁଖ୍ୟ ଥିଲେ ସେମାନଙ୍କ ମଧ୍ୟରୁ କେତେକ ଏଭଳି ଶାସନରେ ଭାଗନେବା ଫଳରେ ପ୍ରଜା ଆନ୍ଦୋଳନ କିୟତ୍‌ ପରିମାଣରେ କମିଗଲା ।

 

୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ମଧ୍ୟ ରାତ୍ରରେ ଇଂରେଜ ସରକାର ବୈଧାନିକ ଭାବରେ କ୍ଷମତା ହସ୍ତାନ୍ତର କଲେ । ଠିକ୍‌ ଅକ୍ଟୋବର ମାସବେଳକୁ କମ୍ୟୁନିଷ୍ଟମାନଙ୍କ ପରିଚାଳନାରେ ନୀଳଗିରିରେ ଆଦିବାସୀ ଆନ୍ଦୋଳନ ଆରମ୍ଭ ହୋଇଗଲା । ଆଦିବାସୀମାନେ ଅଣଆଦିବାସୀଙ୍କ ଜମିରୁ ଧାନ କାଟିନେଲେ ଓ ଘରେ ନିଆଁ ଲଗାଇ ଦେଲେ । ଅଣଆଦିବାସୀମାନେ ଭୟରେ ବାଲେଶ୍ୱର ଜିଲା ଅଞ୍ଚଳକୁ ପଳାଇ ଆସିଲେ । ଘଟନା କ୍ରମେ ଗୁରୁତର ଆକାର ଧାରଣ କଲା । ସେତେବେଳେକୁ ଓଡ଼ିଶାରେ କଂଗ୍ରେସ ସରକାର ଥିଲା ଓ ଶ୍ରୀ ହରେକୃଷ୍ଣ ମହତାବ ତା’ର ପ୍ରଧାନମନ୍ତ୍ରୀ ଥିଲେ । ସେ ନୀଳଗିରିକୁ ଏ ଅବସ୍ଥାରେ ଓଡ଼ିଶାରେ ମିଶାଇ ଦେବାକୁ ଉଦ୍ୟମ କଲେ ।

 

ଓଡ଼ିଶା ଓ ଛତିଶଗଡ଼ ଗଡ଼ଜାତ ରାଜାମାନେ ଯେଉଁ ଇଣ୍ଟର୍ଣ୍ଣ ଷ୍ଟେଟସ ଫେଡେରେସନ ଗଠନ କରିଥିଲେ, ତା’ର ସ୍ୱତନ୍ତ୍ର ପୁଲିସ ସଂସ୍ଥା ଥିଲା । ଏହି ପୁଲିସମାନଙ୍କର ପ୍ରଧାନ କେନ୍ଦ୍ର କଲିକତାରେ ଥିଲା ଓ ତାହା ଜଣେ ଆଇ. ଜି. ଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ମହତାବାବାବୁ ତାଙ୍କର ଏ ପରିକଳ୍ପନା ବିଷୟ ଓଡ଼ିଶାର ପୁଲିସ ଆଇ. ଜି., ରାଜସ୍ୱମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, କମିଶନର ଓ ଚିଫ ସେକ୍ରେଟେରୀଙ୍କ ସହ ଆଲୋଚନା କଲେ ।

 

ସେତେବେଳକୁ ନୀଳଗିରିରୁ ସମସ୍ତ ଯୋଗାଯୋଗ ବାଲେଶ୍ୱର ଜରିଆରେ ହେଉଥାଏ-। ନଭେମ୍ବର ୧୪ ତାରିଖ ଦିନ ବାଲେଶ୍ୱରର ଡାକଘରକୁ ଜଗି ଦିଆଯାଇ ଓଡ଼ିଶା ପୁଲିସ ନୀଳଗିରି ମଧ୍ୟରେ ପ୍ରବେଶ କଲେ । ଆଦିବାସୀମାନେ ନୀଳଗିରି ରାଜାଙ୍କ ପାଖରେ ପହଞ୍ଚିଲେ । ମାତ୍ର କୌଣସି ଉପାୟରେ ରାଜା କଲିକତାର ଆଇ. ଜି. ଙ୍କ ସହ ଯୋଗାଯୋଗ କରି ପାରିଲେ ନାହିଁ । ପୁଲିସ ଇନ୍‌ସପେକ୍ଟର ଓ ଦେବାନ୍‌ ପୂର୍ବ ପରିକଳ୍ପନା ଅନୁସାରେ ଛୁଟିରେ ଥାଆନ୍ତି-। ଓଡ଼ିଶାର କମିଶନର ଶ୍ରୀ ସେନାପତି ରାଜାଙ୍କୁ ସାକ୍ଷାତ କରି ନୀଳଗିରି ରାଜ୍ୟ ଓଡ଼ିଶାରେ ମିଶାଇ ଦେବାପାଇଁ ତାଙ୍କୁ ବୁଝାଇଲେ । ରାଜା ସମ୍ମତ ହୋଇ ମିଶ୍ରଣ ଚୁକ୍ତିପତ୍ରରେ ସ୍ୱାକ୍ଷର କଲେ-। ବାଲେଶ୍ୱର ଜିଲାମାଜିଷ୍ଟ୍ରେଟ ରାଜାଙ୍କ ତରଫରୁ ଶାସନ ଦାୟିତ୍ୱରେ ରହିଲେ ।

 

ଦେଶ ସ୍ୱାଧୀନ ହେବା ସଙ୍ଗେ ସଙ୍ଗେ କେତେକ ଦେଶୀୟ ରାଜ୍ୟର ରାଜା ନିଜ ନିଜର ମନ୍ତ୍ରୀମଣ୍ଡଳ ଗଠନ କରି ଶାସନ ଚଳାଉଥିଲେ । ଏଥିରେ ପ୍ରଜାମଣ୍ଡଳ ଆନ୍ଦୋଳନ ସ୍ତୀମୀତ ହୋଇଥିଲେ ହେଁ ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇ ଯାଇ ନ ଥିଲା । ଏବେ ଗଡ଼ଜାତଗୁଡ଼ିକୁ ରାଜ୍ୟରେ ମିଶାଇ ଦେବାପାଇଁ ଯୋଜନା ଚାଲିଲା । ଏ ଦିଗରେ ଓଡ଼ିଶା ଅଗ୍ରଣୀ ହେଲା । ସେତେବେଳେ କେନ୍ଦ୍ରରେ ଦେଶୀୟ ରାଜ୍ୟଗୁଡ଼ିକର ଦାୟିତ୍ୱରେ ଘରୋଇମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଦେଶୀୟ ରାଜ୍ୟଗୁଡ଼ିକର ସେକ୍ରେଟେରୀ ରୂପେ ଶ୍ରୀ ଭି. ପି. ମେନନ ଥିଲେ । ଶ୍ରୀ ମହତାବଙ୍କ ଅନୁରୋଧକ୍ରମେ ସେମାନେ ଓଡ଼ିଶା ଆସିବା ସ୍ଥିର ହେଲା ।

 

ଡିସେମ୍ବର ୧୪ ତାରିଖରେ କଟକ ରାଜଭବନରେ ସର୍ଦ୍ଦାର ପଟେଲ, ଶ୍ରୀ ମେନନ, ସର୍ଦ୍ଦାର ପଟେଲଙ୍କ ସେକ୍ରେଟେରୀ ଶ୍ରୀ ଭି. ଶଙ୍କର ଓ ଆଇନ ବିଭାଗ ସେକ୍ରେଟେରୀ ଶ୍ରୀ ସୁନ୍ଦରମ୍ ଆସି ପହଞ୍ଚିଲେ । କଥାହେଲା–ସର୍ଦ୍ଦାର ପଟେଲ ଗଡ଼ଜାତ ରାଜାମାନଙ୍କ ସହିତ ସାକ୍ଷାତ କରିବେ । ମାତ୍ର ଗୋପନରେ ମିଶ୍ରଣ ପାଇଁ ସମସ୍ତ ଆୟୋଜନ ହୋଇ ଚିଠା ପ୍ରସ୍ତୁତ ହୋଇଥାଏ ।

 

ଏତେବେଳକୁ ବିଭିନ୍ନ ଗଡ଼ଜାତରେ ପ୍ରଜାମଣ୍ଡଳ ନେତାମାନଙ୍କର ଏକ ସମ୍ମିଳନୀ କଟକକୁ ଡକାଯାଇଥାଏ । ବୈଠକରେ ରାଜାମାନଙ୍କ ଦ୍ୱାରା ଦାୟିତ୍ୱମୂଳକ ଶାସନ ପ୍ରତିଷ୍ଠା ଅର୍ଥାତ୍‌ ରାଜା ମନ୍ତ୍ରୀମଣ୍ଡଳ ଗଢ଼ି ସେମାନଙ୍କ ଦ୍ୱାରା ଶାସନକାର୍ଯ୍ୟ ଚଳାଇବାପାଇଁ ପ୍ରସ୍ତାବ ଗ୍ରହଣ କରାଯିବାକୁ ସିଦ୍ଧାନ୍ତ ହୋଇଥାଏ । ଏଣେ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ମିଶ୍ରଣ ପାଇଁ ଉଦ୍ୟମ ହେବାରୁ ପ୍ରଜାମଣ୍ଡଳ କର୍ମୀମାନଙ୍କ ମଧ୍ୟରେ ମତଭେଦ ଦେଖାଦେଲା । କେତେକ ଦାୟିତ୍ୱମୂଳକ ଶାସନ ପ୍ରତିଷ୍ଠା ଓ ଆଉ କେତେକ ମିଶ୍ରଣ ସମ୍ପର୍କରେ ଯୁକ୍ତି ବାଢ଼ିଲେ ।

 

ପରଦିନ ସକାଳେ ରାଜଭବନରେ ସର୍ଦ୍ଦାର ପଟେଲ ଓ ରାଜାମାନେ ସମ୍ମିଳନୀରେ ଯୋଗଦେଲେ । ପ୍ରଥମେ ସର୍ଦ୍ଦାର ପଟେଲ ସମ୍ମିଳନୀର ଉଦ୍ଦେଶ୍ୟ ବୁଝାଇ ପ୍ରଦେଶ ସହିତ ମିଶ୍ରଣ ପାଇଁ ରାଜାମାନଙ୍କୁ କହଲେ । ରଣପୁର ରାଜା ଉତ୍ତର ଦେଲେ– ପ୍ରଜାମାନଙ୍କୁ ନ ପଚାରି ଆମେ ଏ ବିଷୟରେ କିଛି ମତ ଦେଇ ପାରିବୁ ନାହିଁ । ସର୍ଦ୍ଦାର ପଟେଲ ବିରକ୍ତ ହୋଇ ପ୍ରଜାମାନଙ୍କ ନାମ ନ ନେଇ ନିଜ ମତ ବ୍ୟକ୍ତ କରିବାକୁ କହିଲେ । ମୟୂରଭଞ୍ଜ ମହାରାଜା କହିଲେ– ଆମ ରାଜ୍ୟରେ ମନ୍ତ୍ରୀମଣ୍ଡଳ ଶାସନ କାର୍ଯ୍ୟ ପରିଚାଳନା କରୁଛନ୍ତି । ସେମାନେ ଯାହା ମତ ଦେବେ, ତାହାହିଁ ହେବ-। ମାତ୍ର ସମସ୍ତ ସମସ୍ୟାର ସମାଧାନ ପାଟଣାର ମହାରାଜା କରିଦେଲେ । ସେ ପ୍ରଶ୍ନ କଲେ–ରାଜ୍ୟରେ କୌଣସି ଅଶାନ୍ତି ଉପଦ୍ରବ ଘଟିଲେ ବ୍ରିଟିଶ ସରକାରଙ୍କ ପରି ଭାରତ ସରକାର ଆମକୁ ସାହାଯ୍ୟ କରିବେ କି ନାହିଁ ? ଶ୍ରୀ ମେନନ ସ୍ପଷ୍ଟଭାବରେ ଜଣାଇ ଦେଲେ ଯେ ତାହା ଆଉ ସମ୍ଭବ ନୁହେଁ । ଫଳରେ ପାଟନାର ମହାରାଜା ମିଶ୍ରଣ ଚୁକ୍ତି ପତ୍ରରେ ସ୍ୱାକ୍ଷର କରିଦେଲେ । ତାଙ୍କ ପରେ ପରେ ଅନ୍ୟମାନେ କ୍ରମେ ଜଣକ ପଛକୁ ଜଣେ ଦସ୍ତଖତ ଦେଲେ । ୧୯୪୮ ମସିହା ଜାନୁୟାରୀ ପହିଲା ତାରିଖରେ ମିଶ୍ରଣ ଚୁକ୍ତି ସମ୍ପାଦିତ ହେଲା ।

 

ଏତେବେଳକୁ ସାରା ଭାରତରେ ହିନ୍ଦୁ ମୁସଲମାନ ଅର୍ଥାତ୍‌ ହିନ୍ଦୁସ୍ଥାନ ଓ ପାକିସ୍ଥାନ ମଧ୍ୟରେ ବିଭେଦ ଅତ୍ୟନ୍ତ ତୀବ୍ର ଭାବରେ ବୃଦ୍ଧି ପାଇଥାଏ । ତା ସାଙ୍ଗକୁ କାଶ୍ମୀର ପ୍ରଶ୍ନ ଅତି ଉତ୍କଟ ଅବସ୍ଥା ସୃଷ୍ଟି କରିଥିଲା । କାଶ୍ମୀର ମୁସଲମାନ ବହୁଳ ଅଞ୍ଚଳ ହେଲେ ମଧ୍ୟ ତହିଁରେ ରାଜା ହିନ୍ଦୁ । ଏକ କାଳରେ ଏହା ଶିଖ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ରଣଜିତ ସିଂହଙ୍କ ମୃତ୍ୟୃ ପରେ ଯେଉଁ ଶିଖ୍‌ ସମର ହେଲା, ତହିଁରେ ଇଂରେଜମାନେ କାଶ୍ମୀରକୁ ଶିଖ ସାମ୍ରାଜ୍ୟରୁ ଅଲଗା କରିନେଇ ଗୁଲାବ ସିଂହଙ୍କୁ ବିକ୍ରୀ କରିଦେଇଥିଲେ । ତଦବଧି ଏଠାରେ ଗୁଲାବସିଂହଙ୍କ ବଂଶଧରମାନେ ରାଜତ୍ୱ କରୁଥିଲେ । ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମ ବେଳେ କାଶ୍ମୀରର ମହାରାଜା ଇଂରେଜମାନଙ୍କୁ ସୈନ୍ୟ ସାମନ୍ତ ଓ ଅର୍ଥ ଦେଇ ସାହାଯ୍ୟ କରିଥିବାରୁ ଇଂରେଜମାନଙ୍କ ମିତ୍ର ରାଜାରୂପେ କାଶ୍ମୀରର ସାର୍ବଭୌମ ଅଧିକାର ଲାଭ କରିଥିଲେ । କାଶ୍ମୀର କେବଳ ସ୍ୱାସ୍ଥ୍ୟକର ବା ଦର୍ଶନୀୟ ସ୍ଥାନ ରୂପେ ଭୂସ୍ୱର୍ଗ ନାମରେ ବିଦିତ ନୁହେଁ; ଅର୍ଥନୈତିକ ଓ ସାମରିକ ଦିଗରୁ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ଏହା ରୁଷ, ଚୀନ, ପାକିସ୍ଥାନ, ଆଫଗାନସ୍ଥାନ ଓ ଭାରତର କେନ୍ଦ୍ର ବିନ୍ଦୁ । ହିନ୍ଦୁ ଦେବାଦେବୀ ମନ୍ଦିର ହିନ୍ଦୁମାନଙ୍କର ପବିତ୍ର ତୁଷାର ତୀର୍ଥ, ଯୀଶୁଙ୍କ ସମାଧୀ ଓ ମହମ୍ମଦଙ୍କ ପବିତ୍ର କେଶ ବୁକୁରେ ଧାରଣ କରି କାଶ୍ମୀର ସର୍ବ ଧର୍ମର ସମନ୍ୱୟ ସ୍ଥଳୀ ରୂପେ ମଧ୍ୟ ପରିଚିତ । ମିଶ୍ରଣ ସମୟରେ କାଶ୍ମୀରର ମହାରାଜା ଭାରତ ୟୁନିୟନ ସହିତ ଚୁକ୍ତି ସମ୍ପାଦନ କରିବାରୁ ପାକିସ୍ଥାନରେ ଆଲୋଡ଼ନ ସୃଷ୍ଟି ହେଲା । ଫଳରେ ପାକିସ୍ଥାନ ନେତୃବର୍ଗଙ୍କ ଇଙ୍ଗିତରେ କାଶ୍ମୀରର ମୁସଲମାନମାନେ ପାକିସ୍ଥାନର ମିଶ୍ରଣଦାବୀ କରି ଆନ୍ଦୋଳନ କଲେ । ଏଭଳି ଆନ୍ଦୋଳନ ପଛରେ ତତ୍‌କାଳୀନ ଭାରତର ବଡ଼ଲାଟ ଲର୍ଡ ମାଉଣ୍ଟବାଟେନ ଓ ଭାରତର ପ୍ରଧାନ ଇଂରେଜ ସେନାପତିଙ୍କର ମଧ୍ୟ ପରୋକ୍ଷ ସମର୍ଥନ ଥିଲା । ଇଂରେଜମାନଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ପାକିସ୍ଥାନର ସୃଷ୍ଟି । ସେମାନେ ମନେ କରିଥିଲେ ଯେ ଖୁବ୍‌ କମ ସମୟ ମଧ୍ୟରେ ପାକିସ୍ଥାନ ଭୁଷୁଡ଼ି ପଡିବ ଏବଂ ସେମାନେ ପୁଣିଥରେ ସାହାଯ୍ୟ ଆଳରେ ପାକିସ୍ଥାନରେ ପ୍ରବେଶ କରି ତାହା ଦଖଲ କରିନେବେ । ଏତେବେଳେ କାଶ୍ମୀରକୁ ସାମରିକ ଘାଟୀରୂପେ ସେମାନେ ବ୍ୟବହାର କରି ରୁଷ ଓ ଚୀନ ମଧ୍ୟରେ ଏକ ପ୍ରଧାନ ସାମରିକ ଶକ୍ତିରୂପେ ମୁଣ୍ଡଟେକି ଠିଆ ହେବେ । ମାତ୍ର କାଶ୍ମୀର ମହାରାଜା ଭାରତ ସହିତ ଚୁକ୍ତି ସମ୍ପାଦନ କରିବାରୁ ସେମାନଙ୍କ ଗୋପନ ଉଦ୍ଦେଶ୍ୟ ବ୍ୟାହତ ହେଲା । ଏତେବେଳେ ଇଂରେଜମାନେ ପାକିସ୍ଥାନର ପ୍ରଧାନ ପରାମର୍ଶଦାତା ଏବଂ ଅର୍ଥନୈତିକ ଓ ସାମରିକ ସହାୟକ ଭାବେ କାର୍ଯ୍ୟ କରୁଥିଲେ । ତେଣୁ କାଶ୍ମୀରକୁ ଅଧିକାରଭୁକ୍ତ କରିବା ପାଇଁ ବ୍ୟାପକ ହିଂସାକାଣ୍ଡ ଆରମ୍ଭ ହୋଇଗଲା । ଭୟାବହ ରକ୍ତାକ୍ତ ସଂଘର୍ଷ ପରେ ଭାରତୀୟ ସମର ନାୟକ ଓ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଓ ଘରୋଇ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୃଢ଼ ହସ୍ତକ୍ଷେପ ଫଳରେ କାଶ୍ମୀର ଯୁଦ୍ଧର ସାମୟିକ ଅବସାନ ଘଟିଲା ସତ, ମାତ୍ର ଆଜାଦକାଶ୍ମୀର ନାମରେ ଏକ ସ୍ୱତନ୍ତ୍ର ରାଜ୍ୟ ମୁଣ୍ଡଟେକି ଉଠିଲା ।

 

ଦେଶ ବିଭାଜନ ବେଳେ ଭାରତ ପାକିସ୍ଥାନକୁ ପଞ୍ଚାବନ କୋଟି ଟଙ୍କା ଦେବା ନିମନ୍ତେ ଏକ ଚୁକ୍ତି ହୋଇଥିଲା ଏବଂ ପାକିସ୍ଥାନ ଅନ୍ତର୍ଗତ ପ୍ରଦେଶମାନଙ୍କର ଋଣ ଚାରିବର୍ଷ ପରେ ପାକିସ୍ଥାନ ଭାରତକୁ ଦେବାର ଉଭୟ ପକ୍ଷ ସ୍ୱୀକାର କରିଥିଲେ । କାଶ୍ମୀର ଯୁଦ୍ଧରେ ପାକିସ୍ଥାନର ଅର୍ଥନୈତିକ ମାନଦଣ୍ଡ ଭାଙ୍ଗି ପଡ଼ିବାରୁ ୧୯୪୮ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ପାକିସ୍ଥାନ ଏ ଟଙ୍କା ପାଇବାପାଇଁ ଭାରତ ନିକଟରେ ଦାବୀ କଲା । ମାତ୍ର ଘରୋଇ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରୋକଠୋକ ମନା କରିଦେଲେ । ସେ କହିଲେ ଯେ ଏ ଟଙ୍କା ଦେବା ଅର୍ଥ– ନିଆଁ ଲିଭାଇବା ପାଇଁ ନିଆଁ ଉପରେ ଘିଅ ପକାଇବା ସଦୃଶ ହେବ । ତା ୧୨।୧।୪୮ ରେ ସର୍ଦ୍ଦାର ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ– ମୁଁ ସ୍ପଷ୍ଟଭାବରେ କହି ଦେଉଛି କି କାଶ୍ମୀର ପ୍ରଶ୍ନର ସମାଧାନ ନ ହେବା ପର୍ଯ୍ୟନ୍ତ ଟଙ୍କା ଦେଣ–ନେଣ ସମ୍ପର୍କୀୟ କୌଣସି କଥା ମୁଁ ଶୁଣିବି ନାହିଁ ।

 

‘‘I had made it quite clear then that would not agree to any payment until the Kashmir affairs was settled.’’

 

ତତ୍‌କାଳୀନ ଅର୍ଥମନ୍ତ୍ରୀ ଶ୍ରୀ ଷଣମୁଖମ୍‌ ଚେଟ୍ଟୀ ମଧ୍ୟ ନିଜ କ୍ଷମତା ପରିସର ମଧ୍ୟରେ ଭାରତ ତରଫରୁ ପାକିସ୍ଥାନକୁ ଉତ୍ତର ଦେଇଥିଲେ– ‘‘ସବୁ ପ୍ରଶ୍ନର ସମାଧାନ ହେବା ପୂର୍ବରୁ, ପଡ଼ୋଶୀ ରାଷ୍ଟ୍ରର ଦାୟିତ୍ୱସମ୍ପନ୍ନ ମନ୍ତ୍ରୀମାନଙ୍କର ଅଯଥା ହସ୍ତକ୍ଷେପ ଏବଂ ମିଥ୍ୟା ପ୍ରଭାବରେ ଭୀତ ହୋଇ କିମ୍ବା ବିଚଳିତ ହୋଇ ଆମେ ନିଜର ନ୍ୟାୟୋଚିତ ମାର୍ଗରୁ ବିଚ୍ୟୁତ ହେବୁନାହିଁ ।’’

‘‘Mean while we will not be deterred from what we consider to be the right path by a compair of hectoring bullying and Scandalising on the part of responsible ministers of a neighbouring Country. ’’

ଗାନ୍ଧିଜୀ ଏତେବେଳେ ଦିଲ୍ଲୀରେ ରହୁଥିଲେ । ପାକିସ୍ଥାନକୁ ଏଭଳି ଘେରରେ ପକାଇବାକୁ ସେ ପସନ୍ଦ କଲେନାହିଁ । ତେଣୁ ତା ୧୨।୧।୪୮ର ପ୍ରାର୍ଥନା ସଭାରେ ସେ କହିଲେ–

‘‘ଏଭଳି ପରିସ୍ଥିତିରେ କୌଣସି ଅନ୍ୟାୟର ବିରୋଧ କରିବାକୁ ଅହିଂସା ନୀତିରେ ବିଶ୍ୱାସ କରୁଥିବା ବ୍ୟକ୍ତି ଅନଶନ କରିବା ପାଇଁ ବାଧ୍ୟ, ହୋଇଥାଏ । ଅନଶନ ସେତିକିବେଳେ କରାଯାଏ, ଯେତେବେଳେ କି ଅହିଂସାବାଦୀ ସମ୍ମୁଖରେ ଅନ୍ୟ କୌଣସି ବିକଳ୍ପ ପନ୍ଥା ନ ଥାଏ । ଏଭଳି ଏକ ପରିସ୍ଥିତି ମୋ ପାଇଁ ବର୍ତ୍ତମାନ ଆସି ଯାଇଛି ।’’

ତହିଁ ପରଦିନରୁ ପାକିସ୍ଥାନକୁ ଟଙ୍କା ଦେବାପାଇଁ ଦାବୀ କରି ଗାନ୍ଧିଜୀ ଅନଶନ ଆରମ୍ଭ କରିଦେଲେ । ତେଣୁ ଭାରତ ସରକାରଙ୍କ ତରଫରୁ ଟଙ୍କା ଦେବାପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରାଗଲା । ତହିଁରେ କୁହାଗଲା ଯେ– ‘‘ଭାରତ ସରକାର ରାଜିନାମା ଅନୁସାରେ ସମସ୍ତ ଟଙ୍କା ଅତିଶୀଘ୍ର ପଇଠ କରିବା ପାଇଁ ସିନ୍ଧାନ୍ତ କରିଛନ୍ତି ।’’

‘‘ଦେଶର ଜାଜ୍ଜ୍ୱଲ୍ୟମାନ ପରମ୍ପରା ଅନୁସାରେ, ଶାନ୍ତି ଓ ସଦ୍‌ଭାବନାର ସୁରକ୍ଷା ନିମନ୍ତେ ଗାନ୍ଧିଜୀଙ୍କର ଏତାଦୃଶ ଅହିଂସାତ୍ମକ ଏବଂ ଆଦର୍ଶ ଉଦ୍ୟମ ନିକଟରେ, ସରକାରଙ୍କର ଏହି ସିଦ୍ଧାନ୍ତ ଏକ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳିର ନିଦର୍ଶନ ଅଟେ ।’’

‘‘The Government have decided to implement immediately the financial agreement with Pakisthan in regard to the cash balances.

This decision is the Government’s Contribution to the best of their ability to the non-violent and noble effort made by Gandhiji, in accordance with the glorious traditions of this great country for peace and good will’’

ସରକାରଙ୍କ ଏଭଳି ଘୋଷଣା, ଗାନ୍ଧିଜୀଙ୍କ ଅନଶନ ଏବଂ ଟଙ୍କା ଦେଣ ନେଣ ସଂକ୍ରାନ୍ତରେ ସମସ୍ତ ହିନ୍ଦୁ ଜଗତରେ ଆଲୋଡ଼ନ ସୃଷ୍ଟି କଲା । ହିନ୍ଦୁ ମହାସଭା ଏହାର ଦୃଢ଼ ପ୍ରତିବାଦ କରିବା ପାଇଁ ବଦ୍ଧପରିକର ହେଲା ।

ଏଥିପୂର୍ବରୁ ଭାରତ ବିଭାଜନରେ ହିନ୍ଦୁ ମହାସଭା ବିରକ୍ତ ହୋଇଥିଲା । ତା’ପରେ ଯେଉଁ ସୁରାବର୍ଦ୍ଦିଙ୍କ ଇଙ୍ଗିତରେ ନୂଖାଆଲୀ ସମେତ ସମସ୍ତ ବଙ୍ଗଳାରେ ରକ୍ତର ସ୍ରୋତ ବହିଯାଇଥିଲା, ସେହି ସୁରାବର୍ଦ୍ଦିଙ୍କୁ ଗାନ୍ଧିଜୀ ସାବରମତି ଆଶ୍ରମରେ ଆଶ୍ରୟ ଦେବା ଏବଂ ତାଙ୍କ ସହିତ ନୂଆଖାଲିରେ ଦଙ୍ଗା ବିଧ୍ୱସ୍ତ ଅଞ୍ଚଳରେ ବୁଲିବାରେ ହିନ୍ଦୁମାନଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ପୁଣି ବଙ୍ଗଳାର ପ୍ରତିବାଦରେ ଯେତେବେଳେ ବିହାରରେ ମୁସଲମାନମାନଙ୍କ ଉପରେ ପ୍ରତିଶୋଧ ନିଆଗଲା, ସେତେବେଳେ ଗାନ୍ଧିଜୀ ଅନଶନ କରି ତାହା ବନ୍ଦ କରିଥିଲେ । ହିନ୍ଦୁମହାସଭା ଏ ସବୁ ଘଟନାକୁ ଚିଚାରକରି ଏହି ସିଦ୍ଧାନ୍ତରେ ଉପନୀତ ହେଲା ଯେ– ଗାନ୍ଧିଜୀ ହିନ୍ଦୁମାନଙ୍କ ସ୍ୱାର୍ଥର ବିରୋଧି ଏବଂ ମୁସଲମାନ ଏବଂ ପାକିସ୍ଥାନ ପ୍ରତି ତାଙ୍କର ପ୍ରଚ୍ଛନ୍ନ ସହାନୁଭୂତି ରହିଛି । ହିନ୍ଦୁ ମହାସଭାର ଏ ସିଦ୍ଧାନ୍ତ କେତେଦୂର ଠିକ୍‌, ତାହା ଭବିଷ୍ୟତର ବଂଶଧର ବିଚାର କରିବେ । ମାତ୍ର ଏସବୁ ଘଟନାନେଇ ଆଗ୍ନେୟଗିରିରୁ ଯେଉଁ ଲାଭାସ୍ରୋତ ପ୍ରବାହିତ ହେଲା, ତା ଫଳରେ ୧୯୪୮ ମସିହା ଜାନୁୟାରୀ ୩୦ ତାରିଖରେ ନାଥୁରାମ ବିନାୟକ ଗଡ଼ସେଙ୍କ ଗୁଳିଚୋଟରେ ଗାନ୍ଧିଜୀ ପ୍ରାଣ ହରାଇଲେ ।

ଏହାହିଁ ଭାରତର ସ୍ୱାଧୀନତା ପାଇଁ ଶେଷ ରକ୍ତ ।

ଅନନ୍ତ ମହାସାଗର ବୁକୁରେ ଆଉ ଗୋଟିଏ ତରଙ୍ଗ ସୃଷ୍ଟି ହେଲା ।

ମହାକାଳର କପାଳରେ ଆଉ ଗୋଟିଏ ରକ୍ତରେଖା ଅଙ୍କିତ ହେଲା ।

ବିପ୍ଳବୀମାନଙ୍କ ରକ୍ତ ସ୍ୱାକ୍ଷର ସହ ତହିଁରେ ଉଲ୍ଲେଖ ରହିଲା–

‘‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ ।’’

Image